୧.
ଛାତ୍ରୀ ଆତ୍ମାହୁତି ଘଟଣା, ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ, ୮ ଦଳ ସାମିଲ
ଆସନ୍ତାକାଲି ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହି ବନ୍ଦକୁ ସମର୍ଥନ କରିଛନ୍ତି ଅନ୍ୟ ୭ଟି ରାଜନୈତିକ ଦଳ । ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନିନ୍ଦା କରି ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ ସାମିଲ ହେବେ ସିପିଆଇ, ପିପିଏମ, ସିପିଏମ ଲିବରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଏନସିପି, ଏସପି ଏବଂ ଆରଜେଡି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଆସନ୍ତାକାଲି ଦୋକାନ, ବଜାର, ସ୍କୁଲକଲେଜ, ଗାଡ଼ିମୋଟର ଚଳାଚଳ ସବୁ ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ । ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ ବୋଲି ସେ କହିଛନ୍ତି ।
…
୨.
ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ ଓ ନବୀନ
ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଙ୍ଗଠିତ ହତ୍ୟା । ଯୌନ ଶୋଷଣ ବିରୋଧରେ ସାହସୀ ଝିଅ ସ୍ୱର ଉଠାଇଲେ । କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା । ଆତ୍ମାହୁତି ଦେବାକୁ ବାଧ୍ୟ କରାଗଲା । ଆଜି ଦେଶରେ ଝିଅଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର । ରାଜ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରିକ ଏକ ବ୍ୟବସ୍ଥାର ଫଳ । ଯାହା ସାହାଯ୍ୟ କରିବା ପରିବର୍ତ୍ତେ ଚୁପ୍ ରହିଲା । ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଲା । ନ୍ୟାୟ ପାଇଁ ସଂଗ୍ରାମ କରି ଶେଷରେ ଝିଅଟି ଆଖି ବୁଜିଲା । ତେବେ ଉଭୟ କଂଗ୍ରେସ ଓ ବିଜେଡିକୁ ସମାଲୋଚନା କରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ଚୋର୍ ମସାୟେ ସୋର୍’!
…
୩.
ଛାତ୍ରୀ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା, ଗାଁ ମାଟିରେ ଦିଆଗଲା ଅଶ୍ରୁଳ ବିଦାୟ
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଳାସିଆ ଗ୍ରାମ ମଙ୍ଗଳବାର ଶୋକରେ ବୁଡ଼ି ରହିଥିଲା । କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗ୍ରାମ । ଗାଁ ଝିଅ ସୌମ୍ୟାଶ୍ରୀ ବିସିଙ୍କୁ ଅଶ୍ରୁଳ ବିଦାୟ ଦେଉଥିବା ଶୋକାତୁର ଜନତାଙ୍କ କଣ୍ଠ କୋହରେ ରୁଦ୍ଧ ହୋଇଯାଉଥିଲା । ସୌମ୍ୟାଶ୍ରୀଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଗାଁ ମଶାଣିକୁ । ନେତା, ଜନତା, ପ୍ରଶାସକ ସମସ୍ତେ ସାମିଲ ହୋଇଥିଲେ ଶୋକ ଯାତ୍ରାରେ । ସମ୍ପର୍କୀୟ ସାନଭାଇ ଦେଇଥିଲେ ମୁଖାଗ୍ନି । ପରିବାର, ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଙ୍ଗସାଥୀ ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା….ସୌମ୍ୟା ତୁ ଫେରିଆ…. । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅଧିକ ତଦନ୍ତ ଚାଲିଛି । ଦାୟୀ ବ୍ୟକ୍ତିମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
…
୪.
ଆସନ୍ତାକାଲି ରାଷ୍ଟ୍ରପତି ପ୍ରଦାନ କରିବେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର, ଭୁବନେଶ୍ୱର ଅଛି ଦୌଡ଼ରେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ-୨୦୨ ପୁରସ୍କାର ପ୍ରଦାନ କରିବେ । ୪ଟି ବର୍ଗରେ ମୋଟ ୭୮ଟି ପୁରସ୍କାର ଦିଆଯିବ । ଏହି ସର୍ବେକ୍ଷଣରେ ଦେଶର ୧୪ କୋଟି ଲୋକ ଅଂଶ ଗ୍ରହଣ କରିଛନ୍ତି । ୧୦ଟି ପାରାମିଟର ଉପରେ ନଗରିକଙ୍କ ଠାରୁ ମତାମତ ଲୋଡ଼ାଯାଇଥିଲା । ବିଶ୍ୱର ସର୍ବବୃହତ ସହରାଞ୍ଚଳ ସ୍ୱଚ୍ଛତା ପୁରସ୍କାରର ଏହା ନବମ ସଂସ୍କରଣ । ଜନସଂଖ୍ୟା ଦୃଷ୍ଟିରୁ ସହର ଗୁଡ଼ିକୁ ଭିନ୍ନ ଭିନ୍ନ ବର୍ଗରେ ରଖାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର କେତେକ ସହର ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି ।
୫.
ତିନି ମାସ ମଧ୍ୟରେ ଇ-କେୱାଇସି ନ କଲେ ରାସନ କାର୍ଡ ବାତିଲ ହେବ
ରାଜ୍ୟରେ ୨୦ ଲକ୍ଷ ୫୮ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେଣୁ ସେମାନଙ୍କୁ ଏବେ ରାସନ କାର୍ଡରେ ଚାଉଳ ମିଳୁନାହିଁ । ଇ-କେୱାଇସି ବାଧ୍ୟତାମୂଳକ ଥିଲେ ମଧ୍ୟ ଏମାନେ ତାହା କରିବାରେ ବିଫଳ ହୋଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେମାନଙ୍କୁ ଏବେ ସର୍ତ୍ତ ପୂରଣ କରିବାକୁ ତିନି ମାସ ସମୟ ଦିଆଯାଇଛି । ତିନି ମାସ ପର୍ଯ୍ୟନ୍ତ ସେମାନେ ଚାଉଳରୁ ବଂଚିତ ହେବେ । ତେବେ ଏହା ମଧ୍ୟରେ ଇ-କେୱାଇସି କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇଛି । ଯଦି ତାହା ସେମାନେ କରିବାରେ ବିଫଳ ହୁଅନ୍ତି ତେବେ ସ୍ଥାୟୀ ଭାବେ ସେମାନଙ୍କ ରାସନ କାର୍ଡ ବାତିଲ ହୋଇଯିବ । ନୂତନ ନିଷ୍ପତ୍ତି ଅନୁସାରେ ୫ ବର୍ଷର ଅଧିକ ବୟସର ପିଲାମାନଙ୍କୁ ଏବେ ରାସନ କାର୍ଡରେ ସାମିଲ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।
୬.
ଅଭିନେତା, ପ୍ରଯୋଜକ ଧୀରଜ କୁମାରଙ୍କ ପରଲୋକ, ନିମୋନିଆରେ ଥିଲେ ଆକ୍ରାନ୍ତ
ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର ଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ନିମୋନିଆରେ ଆକ୍ରାନ୍ତ ଥିଲେ ଏବଂ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକ ଖବର ପାଇ ମନୋରଞ୍ଜନ ଦୁନିଆ ସ୍ତବ୍ଧ ହୋଇଯାଇଛି । ୧୯୬୫ ମସିହାରେ ଧୀରଜ କୁମାର ମନୋରଞ୍ଜନ ଦୁନିଆରେ ପ୍ରବେଶ କରିଥିଲେ । ସେ ଉଭୟ ବଡ଼ ପରଦା ଓ ଟିଭିରେ ପରିଚିତ ମୁହଁ ଥିଲେ । ୧୯୭୦ ରୁ ୧୯୮୪ ମଧ୍ୟରେ ସେ ୨୧ଟି ପଂଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ କ୍ରିଏଟିଭ୍ ଆଇ ନାମକ ପ୍ରଯୋଜନା ସଂସ୍ଥା ଗଠନ କରି ଅନେକ ଚର୍ଚ୍ଚିତ ଫିଲ୍ମ ନିର୍ମାଣ କରିଥିଲେ ।
…
7.
ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI)ରେ ୧୯୭ ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି
ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ପକ୍ଷରୁ ୧୯୭ଟି ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଞ୍ଜିନିୟରିଂ ଡିଗ୍ରୀ (ବିଟେକ/ବି ଇ), ଡିପ୍ଲୋମା ଏବଂ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୨୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମନୋନୀତ ପ୍ରାର୍ଥୀଙ୍କୁ ଯୋଗ୍ୟତା ଅନୁଯାୟୀ ମାସିକ ଷ୍ଟାଇପେଣ୍ଡ୍ ମିଳିବ| ଡିଗ୍ରୀ ପାଇଁ ୧୫,୦୦୦ ଟଙ୍କା, ଡିପ୍ଲୋମା ପାଇଁ ୧୨,୦୦୦ ଟଙ୍କା ଏବଂ ଆଇଟିଆଇ ପାଇଁ ୯,୦୦୦ ଟଙ୍କା। ଏହି ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ AAIର ଅଫିସିଆଲ୍ ୱେବସାଇଟ୍ aai.aero ମାଧ୍ୟମରେ ଆବେଦନ କରିପାରିବେ।
….
8.
ଗୁଇନ୍ଦା ବିଭାଗରେ ବମ୍ପର ନିଯୁକ୍ତି: ୩୭୧୭ ACIO ପଦବୀ ପାଇଁ ବିଜ୍ଞପ୍ତି ଜାରି
କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧୀନରେ ୩୭୧୭ଟି ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ACIO II/ଏକଜିକ୍ୟୁଟିଭ୍) ପଦବୀ ପୂରଣ କରାଯିବ। ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୯ ଜୁଲାଇରୁ ଆରମ୍ଭ ହୋଇ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୬୫୦ ଟଙ୍କା ଏବଂ ଏସସି/ଏସଟି ଓ ସମସ୍ତ ମହିଳାଙ୍କ ପାଇଁ ୫୫୦ ଟଙ୍କା ରଖାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ mha.gov.in ମାଧ୍ୟମରେ ଆବେଦନ କରିପାରିବେ।
……
9.
ବରଗଡ଼ ଜିଲ୍ଲାରେ ଲେଡି ମାଟ୍ରନ ପଦବୀ ପାଇଁ ନିଯୁକ୍ତି ସୁଯୋଗ
ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଟି ଲେଡି ମାଟ୍ରନ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ବିଷୟରେ ସ୍ନାତକ ରଖାଯାଇଛି ଏବଂ ଆବେଦନକାରୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷ ହେବା ଆବଶ୍ୟକ। ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୧୫,୦୦୦ ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା ୧୪ ଜୁଲାଇରୁ ଆରମ୍ଭ ହୋଇଯାଇଛି, ଅଗଷ୍ଟ ୪ରେ ଶେଷ ହେବ। ଆବେଦନ ଫର୍ମ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ bargarh.odisha.gov.in ପରିଦର୍ଶନ କରନ୍ତୁ।
…..
10.
ବାଂଲାଦେଶରେ ୩୪ ଭାରତୀୟ ମତ୍ସ୍ୟଜୀବୀ ଅଟକ
ପଶ୍ଚିମବଙ୍ଗର ୩୪ ଜଣ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ନୌସେନା ଅଟକ ରଖିଛି। ସାମୁଦ୍ରିକ ସୀମା ଉଲ୍ଲଂଘନ କରି ବାଂଲାଦେଶ ଜଳରାଶିକୁ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ଦୁଇଟି ମାଛଧରା ଟ୍ରଲର ସହ ଗିରଫ କରାଯାଇଛି। ଏହି ମତ୍ସ୍ୟଜୀବୀମାନେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପରୁ ସମୁଦ୍ରକୁ ଯାଇଥିଲେ। ଗିରଫ ପରେ ସେମାନଙ୍କୁ ବାଂଲାଦେଶର ମୋଙ୍ଗଲା ବନ୍ଦରକୁ ନିଆଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।
ଏହି ଘଟଣା ପରେ ପଶ୍ଚିମବଙ୍ଗ ସରକାର ସମସ୍ତଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ କୂଟନୈତିକ ସ୍ତରରେ ପଦକ୍ଷେପ ନେବାକୁ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି।
….
11.
ଶେୟାର ବଜାରରେ ସୁଧାର, ସେନସେକ୍ସ ଓ ନିଫ୍ଟି ବୃଦ୍ଧି ସହ ବନ୍ଦ
ଲଗାତାର ଚାରି ଦିନର ହ୍ରାସ ପରେ ମଙ୍ଗଳବାର ଭାରତୀୟ ଶେୟାର ବଜାରରେ ସୁଧାର ଦେଖିବାକୁ ମିଳିଛି। ଖୁଚୁରା ମୁଦ୍ରାସ୍ଫୀତି କମିବା ଏବଂ ବିଶ୍ୱ ବଜାରରୁ ମିଳିଥିବା ସକାରାତ୍ମକ ସଙ୍କେତ ଯୋଗୁଁ ବଜାର ଉପରକୁ ଉଠିଛି। ମଙ୍ଗଳବାର କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୩୧୭ ପଏଣ୍ଟ ବୃଦ୍ଧି ପାଇ ୮୨,୫୭୧ ସ୍ତରରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି-୫୦ ମଧ୍ୟ ୧୧୪ ପଏଣ୍ଟ ବଢ଼ି ୨୫,୧୯୬ରେ ପହଞ୍ଚିଛି। ମିଡ୍-କ୍ୟାପ୍ ଓ ସ୍ମଲ୍-କ୍ୟାପ୍ ସୂଚକାଙ୍କରେ ମଧ୍ୟ ପ୍ରାୟ ୧% ବୃଦ୍ଧି ପରିଲକ୍ଷିତ ହୋଇଛି। ସନ ଫାର୍ମା, ବଜାଜ ଫାଇନାନ୍ସିଆଲ୍ ଓ ଟାଟା ମୋଟର୍ସ ଭଳି କମ୍ପାନୀର ଶେୟାର ମୂଲ୍ୟ ବଢ଼ିଥିବାବେଳେ ଏଚସିଏଲ୍ ଟେକ୍ ଓ ଟାଟା ଷ୍ଟିଲ୍ ଭଳି କିଛି କମ୍ପାନୀର ଶେୟାର ମୂଲ୍ୟ ହ୍ରାସ ପାଇଛି। ଅଟୋ ଏବଂ ହେଲଥକେୟାର ସେକ୍ଟରରେ ସବୁଠୁ ଅଧିକ ବୃଦ୍ଧି ଦେଖାଯାଇଛି।
….
12.
ଡଲାର ତୁଳନାରେ ଟଙ୍କା ମଜବୁତ, ୧୭ ପଇସା ବୃଦ୍ଧି
ବୈଦେଶିକ ମୁଦ୍ରା ବଜାରରେ ଆଜି ଭାରତୀୟ ଟଙ୍କା ମଜବୁତ ହୋଇଛି। ଆମେରିକୀୟ ଡଲାର ତୁଳନାରେ ଏହାର ମୂଲ୍ୟ ୧୭ ପଇସା ବୃଦ୍ଧି ପାଇଛି। କାରବାର ଶେଷରେ ଗୋଟିଏ ଡଲାରର ବିନିମୟ ମୂଲ୍ୟ ୮୫ ଟଙ୍କା ୮୧ ପଇସା ରହିଥିଲା। ଅନ୍ୟପଟେ, ଡଲାର ସୂଚକାଙ୍କ ୯୮.୦୪ ସ୍ତରରେ ରହିଥିଲା। ଏହି ସୂଚକାଙ୍କ ବିଶ୍ୱର ଅନ୍ୟ ଛଅଟି ପ୍ରମୁଖ ମୁଦ୍ରା ତୁଳନାରେ ଡଲାରର ସ୍ଥିତିକୁ ଦର୍ଶାଇଥାଏ।
……
13.
ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ୍
ଆମେରିକାର ପ୍ରସିଦ୍ଧ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା ମଙ୍ଗଳବାର ଭାରତୀୟ ବଜାରରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। କମ୍ପାନୀ ନିଜର ‘ମଡେଲ୍ Y’ ଇଲେକ୍ଟ୍ରିକ୍ ଗାଡ଼ିର ଶୁଭାରମ୍ଭ କରିବା ସହ ମୁମ୍ବାଇରେ ଏହାର ପ୍ରଥମ ଶୋ’ରୁମ୍ ଖୋଲିଛି। ଏହି ଉଦଘାଟନୀ ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଯୋଗ ଦେଇଥିଲେ। ସେ ଟେସଲାକୁ ମହାରାଷ୍ଟ୍ରରେ ଏକ ଗବେଷଣା ଓ ବିକାଶ କେନ୍ଦ୍ର ସହ ନିର୍ମାଣ କାରଖାନା ସ୍ଥାପନ କରିବାକୁ ଆମନ୍ତ୍ରଣ କରିଛନ୍ତି।
…..
14.
ୟେମେନରେ କେରଳ ନର୍ସଙ୍କ ମୃତୁ୍ୟଦଣ୍ଡ ସ୍ଥଗିତ, ଆଜି ଦଣ୍ଡ ଦିନ ଥିଲା
ମଧ୍ୟପ୍ରାଚ୍ୟ ଦେଶ ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତୁ୍ୟଦଣ୍ଡକୁ ସ୍ଥଗିତ ରଖାଯାଇଛି । ଆଜି ଅର୍ଥାତ ବୁଧବାର ତାଙ୍କୁ ମୃତୁ୍ୟ ଦଣ୍ଡ ଦେବାକୁ ଧାର୍ଯ୍ୟ ହୋଇଥିଲା । ୩୮ ବର୍ଷୀୟା ନିମିଷା ୨୦୧୭ରୁ ୟେମେନର ରାଜଧାନୀ ସନାସ୍ଥିତ ଏକ ଜେଲରେ ବନ୍ଦୀ ଅଛନ୍ତି । ନିମିଷାଙ୍କ ଦଣ୍ଡାଦେଶକୁ ଅଟକାଇବାକୁ ସାଉଦି ଆରବର ମଧ୍ୟସ୍ଥତାରେ ଉଦ୍ୟମ ହୋଇଥିଲା । ୟେମେନରେ ଭାରତର ଦୂତାବାସ ନଥିବାରୁ ଦୁଇ ଦେଶର ଧର୍ମଗୁରୁଙ୍କୁ ଆଲୋଚନା ପାଇଁ ଅନୁରୋଧ କରାଯାଇଥିଲା । ପୀଡ଼ିତଙ୍କ ପରିବାରକୁ ୮ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଛି । ନିମିଷା ୟେମେନରେ ମହଦି ନାମକ ବ୍ୟକ୍ତିଙ୍କ ସହ ମିଶି ଏକ କ୍ଲିନିକ କରିଥିଲେ । ମହଦି ତାଙ୍କ ପାସପୋର୍ଟ ନେଇଯାଇ ତାଙ୍କୁ ନିର୍ଯାତନା ଦେଉଥିଲା । ନିମିଷା ଡ୍ରଗ ଓଭରଡୋଜ୍ ଦେଇ ତାଙ୍କୁ ହତ୍ୟା କରିଥିଲେ ।
….
15.
ଲକ୍ଷ୍ନୌ କୋର୍ଟରେ ରାହୁଲଙ୍କ ଆତ୍ମସମର୍ପଣ,୫ ମିନିଟରେ ମିଳିଲା ଜାମିନ
ଏକ ମାନହାନି ମାମଲାରେ ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ବିଚାରପତି ୫ ମିନିଟ ମଧ୍ୟରେ ଜାମିନ ପ୍ରଦାନ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ସମୟରେ ସେନା ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଜଣେ ବ୍ୟକ୍ତି ଏ ନେଇ ରାହୁଲଙ୍କ ବିରୋଧରେ ମାମଲା କରିଥିଲେ । ତାଙ୍କୁ ୫ ଥର ସମନ ହୋଇଥିଲେ ମଧ୍ୟ ସେ ଆସି ନଥିଲେ । କୋର୍ଟ ହାଜିରାରେ ରିହାତି ନ ଦେଇ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ । ରାହୁଲ ଲକ୍ଷ୍ନୌ ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ କୋର୍ଟକୁ ଯାଇଥିଲେ । ୨୦ ହଜାର ଟଙ୍କାର ଦୁଇଟି ବଣ୍ଡରେ ତାଙ୍କ ଜାମିନ ମିଳିଥିଲା । ଏହାପରେ ତୁରନ୍ତ ସେ ବିମାନବନ୍ଦର ଯାଇ ଦିଲ୍ଲୀ ଫେରି ଆସିଥିଲେ ।
…
16.
ମଣିପୁରରେ ସେନା ଚଳାଇଛି ତଲାସୀ; ୮୬ ବନ୍ଧୁକ, ୯୭୪ ଗୁଳି ଜବତ
ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସେନା ଓ ପୁଲିସ ମିଳିତ ଭାବେ ଅଭିଯାନ ଚଳାଇଛନ୍ତି । ବିଭିନ୍ନ ସହରରେ ଏକକାଳୀନ ତଲାସୀ ଚାଲିଛି । ଏହି ଅଭିଯାନରେ ଏ ପର୍ଯ୍ୟନ୍ତ ୮୬ଟି ବନ୍ଧୁକ ଓ ୯୭୪ଟି ଗୁଳି ଜବତ ହୋଇଛି । ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଛି । ମୈତେଇ ଓ କୁକିଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଦୀର୍ଘ ଦିନ ଧରି ରାଜ୍ୟ ଅଶାନ୍ତ ହୋଇ ରହିଛି । ପୂର୍ବରୁ ଜୁଲାଇ ୭ରୁ ୧୪ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅପରେସନରେ ୧୦ ଜଣ ଉଗ୍ରବାଦୀ ଗିରଫ ହୋଇଥିଲେ । ଜୁନ୍ ୧୫ରେ ୩୨୮ଟି ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ ହୋଇଥିଲା । ଏହା ମଧ୍ୟରେ ଅନେକ ଅତ୍ୟାଧୁନିକ ବନ୍ଧୁକ ଥିଲା । ୨୦୨୩ ମେ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୬୦ ଜଣଙ୍କ ଜୀବନ ଗଲାଣି ।
…
17.
ଭାରତକୁ ତେଜସ ବିମାନ ପାଇଁ ଜିଇ-୪୦୪ ଇଞ୍ଜିନ ଦେଲା ଆମେରିକା
ଭାରତକୁ ଆମେରିକା ଦ୍ୱିତୀୟ ଜିଇ-୪୦୪ ଇଞ୍ଜିନ ପ୍ରଦାନ କରିଛି । ଏହି ଇୟ୍ଜିନ ତେଜସ୍ ଯୁଦ୍ଧ ବିମାନରେ ଲାଗିବ । ତେଜସ ବିମାନକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ-ହାଲ୍ ନିର୍ମାଣ କରୁଛି । ହାଲକୁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ୧୨ଟି ଏଭଳି ଇଞ୍ଜିନ ପ୍ରଦାନ କରାଯିବ । ଭାରତୀୟ ବାୟୁସେନାକୁ ୨୦୨୮ ମସିହା ସୁଦ୍ଧା ଅର୍ଡର ଅନୁସାରେ ତେଜସ୍ ମାର୍କ-୧ଏ ର ୮୩ଟି ବିମାନ ହସ୍ତାନ୍ତର କରାଯିବ । ୨୦୨୧ ମସିହାରେ ହାଲ୍ ଏଥିପାଇର୍ ୪୬ ହଜାର ୮୯୮ କୋଟି ଟଙ୍କାର ଟେଣ୍ଡର ପାଇଥିଲା ।
…
18.
ରାଷ୍ଟ୍ର ଗଠନରେ ବୀର ଯୋଦ୍ଧାର ଭୂମିକା ନେବାକୁ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ
ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମଙ୍ଗଳବାର ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାଠକୁ କେବଳ ଜୀବନ ବିତାଇବାର ମାଧ୍ୟମ ନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କ କହିଥିଲେ । ରାଷ୍ଟ୍ରଗଠନରେ ବୀର ଯୋଦ୍ଧାର ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ । ରେଭେନ୍ସା ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଆମ ଆସ୍ଥା, ବିଶ୍ୱାସ ଓ ଭରସାର ମନ୍ଦିର ବୋଲି ସେ କହିଥିଲେ । ଓଡ଼ିଶାରେ ଶିକ୍ଷାର ବିକାଶରେ ରେଭେନ୍ସାର ଅବଦାନ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭବପାଟି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ରାଜ୍ୟ ସରକାର ଉଚ୍ଚଶିକ୍ଷାର ପ୍ରଗତି ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରେଭେନ୍ସା ଆମ ପରମ୍ପରା, ସଂସ୍କୃତି ଓ ସ୍ପନ୍ଦନ ।
…..
19.
ଗୁଜରାଟରେ ପୁଣି ଭାଙ୍ଗିଲା ଏକ ପୋଲ, ଅଳ୍ପକେ ବର୍ତ୍ତିଲେ ୮ ଶ୍ରମିକ
ଗୁଜରାଟର ଜୁନାଗଡ଼ରେ ପୁଣି ଏକ ପୁରୁଣା ପୋଲ ଭାଙ୍ଗିଯାଇଛି । ପୋଲ ଉପରେ ମରାମତି କାମ କରୁଥିବା ୮ ଜଣ ଶ୍ରମିକ ସିଧା ୧୫ ଫୁଟ ତଳ ନଦୀ ଗର୍ଭକୁ ଖସି ପଡ଼ିଥିଲେ । ସୌଭାଗ୍ୟକୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପୋଲର ମରାମତି ବେେଳେ ଅଚାନକ ଏକ ସ୍ଲାବ ଭୁଶୁଡ଼ିଥିଲା । ପୋଲ ଉପରେ ଥିବା ସମସ୍ତ ମେସିନ ମଧ୍ୟ ନଦୀ ଗର୍ଭରେ ପଡ଼ିଥିଲା । ନଦୀରେ କମ୍ ପାଣି ଥିବାରୁ ସମସ୍ତ ଶ୍ରମିକ ରକ୍ଷା ପାଇଯାଇଥିଲେ । ଗୁଜରାଟରେ ଗତ ୯ ତାରିଖରେ ଭଦୋଦରାରେ ଏକ ପୋଲ ଭୁଶଡ଼ି ୨୧ ଜଣଙ୍କ ମୃତୁ୍ୟ ହୋଇଥିଲା । ପୋଲ ଉପରେ ଗାଡ଼ିମୋଟର ଯାତାୟାତ କରୁଥିବା ସମୟରେ ତାହା ଅଚାନକ ଦୁଇଖଣ୍ଡ ହୋଇଯାଇଥିଲା ।
…..
20.
ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର, ରାହୁଲଙ୍କ କଡ଼ା ସମାଲୋଚନା
ଚୀନ୍ ଗସ୍ତରେ ଯାଇଛନ୍ତି ଭାରତର ବିଦେଶ ମନ୍ତ୍ରୀ ଡ. ଏସ ଜୟଶଙ୍କର । ସେଠାରେ ସେ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଭେଟିଛନ୍ତି । ବିଗତ ଦିନରେ ଚୀନ୍ ଓ ଭାରତ ମଧ୍ୟରେ ସମ୍ପର୍କରେ ସୁଧାର ଆସିଥିବା ଏହି ଅବସରରେ କହିଥିଲେ ଜୟଶଙ୍କର । ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଥିଲେ । ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ବାବଦରେ ମଧ୍ୟ ଆଲୋଚନା କରିଥିଲେ । ତେବେ ଜୟଶଙ୍କରଙ୍କ ଏଭଳି ବିବୃତିକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନିକଟରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ ସହାୟତା କରିଥିଲା । ତେବେ ଚୀନ୍ ସହ ଭାରତର ସମ୍ପର୍କରେ ସୁଧାର ହୋଇଥିବା କିପରି ଜୟଶଙ୍କର କହୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।
…..
21.
ଆଇସିସି ମହିଳା ଦିନିକିଆ ବିଶ୍ୱକପର ଅଭ୍ୟାସ ମ୍ୟାଚ କ୍ରୀଡ଼ାସୂଚୀ ଘୋଷଣା
ଆଗାମୀ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ପାଇଁ ଅଭ୍ୟାସ ମ୍ୟାଚର କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ଆୟୋଜ ଭାରତ ଓ ଶ୍ରୀଲଙ୍କା ୨ଟି ଲେଖାଏ ଅଭ୍ୟାସ ମ୍ୟାଚ ଖେଳିବେ । ଭାରତୀୟ ଦଳ ଇଂଲଣ୍ଡ ଓ ନୁ୍ୟଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ଏହି ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ନଭେମ୍ବ ୨ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ଅଭ୍ୟାସ ମ୍ୟାଚ ଗୁଡ଼ିକ ସେପ୍ଟେମ୍ବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ସେପ୍ଟେମ୍ବର ୨୫ରେ ଇଂଲଣ୍ଡ ବିପକ୍ଷରେ ଏବଂ ୭ ତାରିଖରେ ନୁ୍ୟଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ଶ୍ରୀଲଙ୍କା ପାକିସ୍ତାନ ଓ ବଂଲାଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ପାକିସ୍ତାନ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ ।
…….
22.
ଭାରତ ବଜାରକୁ ଆସିଲା ଟେସଲା କାର୍, ଦୁଇଟି ମଡେଲ ମିଳୁଛି
ବହୁ ପ୍ରତୀକ୍ଷା ପରେ ଭାରତ ବଜାରରେ ପହଞ୍ଚିଛି ଟେସଲା କାର୍ । ଏଲନ ମସ୍କଙ୍କ ଇ-ଯାନ କମ୍ପାନି ଟେସଲା ତାର ପ୍ରଥମ ସୋ ମୁମ୍ବାଇରେ ଖୋଲିଛି । ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୪ ହଜାର ବର୍ଗଫୁଟ ଅଞ୍ଚଳରେ ଏହା ଖୋଲାଯାଇଛି । ଏଠାରେ ଦୁଇଟି ମଡେଲର କାର୍ ଉପଲବ୍ଧ ହେଉଛି । ଏହି କାର୍ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୬୨୨ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । କାର୍ ରେ ସୁରକ୍ଷା ପାଇଁ ୮ଟି ଏୟାରବ୍ୟାଗ ରହିଛି । କାରର ଦୁଇଟି ଭାରିଆଣ୍ଟ – ରିୟର ହୁଇଲ ଡ୍ରାଇଭ ଏବଂ ଲଙ୍ଗ ରେଞ୍ଜ ରିୟର ହୁଇଲ ଡ୍ରାଇଭ ଭାବେ ଉପସ୍ଥାପନ କରାଯାଇଛି । ରିୟର ହୁଇଲ ଡ୍ରାଇଭର ଏକ୍ସ ସୋରୁମ୍ ମୂଲ୍ୟ ରହିଛି ୫୯ ଲକ୍ଷ ୮୯ ହଜାର ଟଙ୍କା । ଆମେରିକା ତୁଳନାରେ ଭାରତରେ ଏହାର ଦର ପ୍ରାୟ ୨୮ ଲକ୍ଷ ଟଙ୍କା ଅଧିକ । ଲଙ୍ଗ୍ ରେଞ୍ଜ ହୁଇଲ ଡ୍ରାଇଭର ମୂଲ୍ୟ ରହିଛି ୬୮ ଲକ୍ଷ ଟଙ୍କା । ଆମେରିକା ତୁଳନାରେ ଭାରତରେ ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କା ଅଧିକ ରହିଛି ।
…
23.
ସଂଶୋଧିତ ହେଲା ୭୧ଟି ଜରୁରୀ ଔଷଧର ମୂଲ୍ୟ
କେନ୍ଦ୍ର ସରକାର ୭୧ଟି ଜରୁରୀ ଔଷଧର ଦର ସଂଶୋଧିତ କରିଛନ୍ତି । ଏହା ମଧ୍ୟରେ ରହିଛି କର୍କଟ, ମଧୁମେହ, ପେଟରୋଗ ଏବଂ ଗମ୍ଭୀର ସଂକ୍ରମଣ ରୋଗ । ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେତେବେଳେ କମ୍ପାନି ଗୁଡ଼ିକ ଏହି ଔଷଧ ଉପରେ ଜିଏସଟି ଦେବେ, ସେତେବେଳେ ସେମାନେ ଜିଏସଟି ଯୋଡ଼ିପାରିବେ । ଏହା ମଧ୍ୟରେ ଅନେକ ଗୁଡ଼ିଏ ଔଷଧର ମୂଲ୍ୟ ହ୍ରାସ ପାଇଛି ।
…
24.
ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ବୋମାରେ ଉଡ଼ାଇବାକୁ ଧମକ
ମମ୍ବୋ ଷ୍ଟକ ଏକ୍ସଚେଞ୍ଜକୁ ମିଳିଛି ଧମକ । ବୋମାରେ ଉଡ଼ାଇବାକୁ ଇ-ମେଲ ଜରିଆରେ ଧମକ ଦିଆଯାଇଛି । ଏହି ସୂଚନା ପାଇବା ମାତ୍ରେ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ବିଏସଇରେ ତଲାସୀ କରିଥିଲା । କିନ୍ତୁ କୌଣସି ସନେ୍ଦହଜନକ ଦ୍ରବ୍ୟ ମିଳିନଥିଲା । କମ୍ରେଡ ପିନାରାୟୀ ବିଜୟନ ନାମକ ଇ-ମେଲରୁ ଏହି ଧମକ ଆସିଥିଲା । ଏଥିରେ ଲେଖାଯାଇଥିଲା – ବିଏସଇ ଭବନରେ ୪ଟି ଆରଡିଏକ୍ସ ଆଇଇଡି ବୋମା ରଖାଯାଇଛି । ଏହା ଅପରାହ୍ଣ ୩ଟାରେ ବିସ୍ଫୋରଣ ହେବ । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
…..
25.
ମହାକାଶରୁ ପୃଥିବୀକୁ ଫେରିଲେ ଶୁଭାଂଶୁ, ୧୭ରେ ଭାରତ ଆସିବେ
ଭାରତୀୟ ମହାକାଶଯାତ୍ରୀ ଶୁଭାଂଶୁ ଶୁକ୍ଳା ୧୮ ଦିନ ପରେ ମହାକାଶରୁ ପୃôଥିବୀକୁ ଫେରିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ଅନଡକ୍ିଂ ହେବା ପରେ ୪ ମହାକାଶଚାରୀଙ୍କୁ ନେଇ ଡ୍ରାଗନ ସ୍ପେସକ୍ରାଫ୍ଟ ପୃଥିବୀ ଅଭିମୁଖେ ଆସିଥିଲା । ପ୍ରାୟ ୨୩ ଘଣ୍ଟାର ଯାତ୍ରା ପରେ ମଙ୍ଗଳବାର ଅପରାହ୍ଣରେ ଏହା କାଲିପର୍ଣ୍ଣିଆ ଉପକୂଳରେ ଅବତରଣ କରିଥିଲା । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାରେ ଶୁଭାଂଶୁ ପ୍ରଥମ ଭାରତୀୟ । ଶୁଭାଂଶୁ ଏବେ ୭ ଦିନ ପାଇଁ ପୁନର୍ବାସ କେନ୍ଦ୍ରରେ ରହିବେ । ଏଭଳି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ମାସ ୧୭ ତାରିଖରେ ସେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
….
26.
ୟୁକ୍ରେନକୁ ଟ୍ରମ୍ପ ଦେଲେ ପରାମର୍ଶ, ମସ୍କୋ ଉପରେ ଆକ୍ରମଣ କର
ରୁଷର ରାଜଧାନୀ ମସ୍କୋ ଉପରେ ଆକ୍ରମଣ କରିବାକୁ ୟୁକ୍ରେନକୁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଏ ସମ୍ପର୍କରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ଆମେରିକା ଦୂରଗମାୀ କ୍ଷେପଣାସ୍ତ୍ର ଦିଏ, ୟୁକ୍ରେନ ଏହି ଆକ୍ରମଣ କରିପାରିବ କି ବୋଲି ସେ ପଚାରିଛନ୍ତି । ନିକଟରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରସ୍ତାବକୁ ପୁତିନ ଆଡ଼େଇ ଦେଇଥିଲେ । ଏହାପରେ କ୍ଷୁବ୍ଧ ହୋଇ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଫୋନ କରିଥିଲେ । ସେହି ବାର୍ତ୍ତାଳାପରେ ସେ ପରାମର୍ଶ ଦେଇଥିଲେ ମସ୍କୋ ଉପରେ ଆକ୍ରମଣ କରିବାକୁ । ଏହି ବାର୍ତ୍ତାଳାପର ବିବରଣୀ ଏବେ ପଦାକୁ ଆସିଛି ।
….
27.
ପ୍ରବଳ ବର୍ଷାରେ ଉବୁଟୁବୁ ନୁ୍ୟୟର୍କ ସହର; ସଡ଼କ,ଷ୍ଟେସନ ବୁଡ଼ିଲା
ଆମେରିକାର ନୁ୍ୟୟର୍କ ସହର ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି । ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ସଡ଼କ, ମେଟ୍ରୋ ଷ୍ଟେସନ ଏବଂ ଗ୍ୟାସ ଷ୍ଟେସନ ବୁଡ଼ିଯାଇଛି । ଜନଜୀବନ ସମ୍ପୂର୍ଣର୍ ଭାବେ ପ୍ରଭାବିତ ହୋଇଛି । ମେଟ୍ରୋ ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ବିମାନବନ୍ଦରରେ ପାଣି ଲହଡ଼ି ଖେଳୁଥିବାରୁ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ୭ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇଛି । ବିଭିନ୍ନ ସଡ଼କରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ରହିଛି । ନୁ୍ୟଜର୍ସି ଗଭର୍ଣ୍ଣର ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ଟିମ୍ ମୁତୟନ କରାଯାଇଛି ।
….
28.
ଲଘୁଚାପ ପ୍ରଭାବରେ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେବ ବର୍ଷା
ରାଜ୍ୟରେ ଏବେ ଲଘୁଚାପର ପ୍ରଭାବ ରହିଛି । ଏହା ପ୍ରଭାବରେ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିବ । ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ଜିଲ୍ଲା ଗୁଡ଼ିକରେ କାଁ ଭାଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହା ପରେ କିଛି ଦିନ ପର୍ଯ୍ୟନ୍ତ ଶୁଖିଲାପାଗ ଲାଗି ରହିବ ।
…..
29.
ଓଡ଼ିଶା ବନ୍ଦ ପାଇଁ ଟିଏଲଟି ନିଯୁକ୍ତି ପରୀକ୍ଷା ସ୍ଥଗିତ
ଆସନ୍ତାକାଲି କେତେକ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ -ଓଏସଏସଏସସି ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି । ୧୭ ତାରିଖରେ ସେବକ, ସେବିକା, ଆଦିବାସୀ ଭାଷା ଶିକ୍ଷକ- ଟିଏଲଟି ପ୍ରିଲିମ ନିଯୁକ୍ତି ପରୀକ୍ଷା କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା । ତେବେ ଓଡ଼ିଶା ବନ୍ଦ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ପରବର୍ତ୍ତୀ ତାରିଖ ଆଗାମୀ ଦିନରେ ସୂଚନା ଦିଆଯିବ । ପରୀକ୍ଷାର୍ଥୀମାନେ ନିୟମିତ ଓଏସଏସଏସସି ୱେବସାଇଟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
…..
30
ଛାତ୍ରୀ ଆତ୍ମାହୁତିର ତଦନ୍ତ ପାଇଁ ୟୁଜିସି ଗଢ଼ିଲା ତଥ୍ୟ ଅନୁସନ୍ଧାନ କମିଟି
ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଘଟଣାର ତଦନ୍ତ ପାଇଁ ଏକ ତଥ୍ର ଅନୁସନ୍ଧାନ କମିଟି ଗଠନ କରାଯାଇଛି । ନୂଆଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ହୋଇଛି । କମିଟି ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବ । କେଉଁ ପରିସ୍ଥିତିରେ ଏ ଘଟଣା ହେଲା ତାହା ସବିଶେଷ ତଦନ୍ତ କରିବ କମିଟି । ବିଭିନ୍ନ ପ୍ରକାର ଗାଇଡଲାଇନ କିପରି ପାଳନ ହେଉଛି ତାହାର ମଧ୍ୟ ଅନୁଧ୍ୟାନ ହେବ ।