
1.
ଜୁଲାଇ ଶେଷ ସପ୍ତାହରେ ଆସିବ ଭାରତୀୟ ସେନା ଅଗ୍ନିବୀର ରେଜଲ୍ଟ
ଭାରତୀୟ ସେନାର ଅଗ୍ନିବୀର ୨୦୨୫ ଲିଖିତ ପରୀକ୍ଷାର ଫଳାଫଳ ଜୁଲାଇ ମାସର ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ରେ ନିଜ ରେଜଲ୍ଟ ଦେଖିପାରିବେ। ପ୍ରାୟ ୨୫ହଜାର ପଦବୀ ପାଇଁ ଏହି ଅନଲାଇନ୍ ପରୀକ୍ଷା ଜୁନ୍ ୩୦ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଫଳାଫଳ ପୂର୍ବରୁ, ପ୍ରାର୍ଥୀମାନେ ୱେବସାଇଟରୁ ଆନସର୍ କୀ ମଧ୍ୟ ଡାଉନଲୋଡ୍ କରିପାରିବେ। ରେଜଲ୍ଟ ଦେଖିବା ପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ପଡ଼ିବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ରାଲି ପାଇଁ ଡକାଯିବ।
….
2.
କ୍ରିପ୍ଟୋ ଏକ୍ସଚେଞ୍ଜ କଏନ-ଡିସିଏକ୍ସ ହ୍ୟାକ୍, କମ୍ପାନୀର ୩୭୯ କୋଟି ଟଙ୍କା ଲୁଟ୍
ଭାରତର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କଏନ-ଡିସିଏକ୍ସ (CoinDCX) ଏକ ବଡ଼ ସାଇବର ଆକ୍ରମଣର ଶିକାର ହୋଇଛି। ଏକ ସର୍ଭର ହ୍ୟାକ୍ ହେବା କାରଣରୁ କମ୍ପାନୀର ଟ୍ରେଜେରୀ ଆକାଉଣ୍ଟରୁ ପ୍ରାୟ ୪୪ ମିଲିୟନ ଡଲାର (ପାଖାପାଖି ୩୭୯ କୋଟି ଟଙ୍କା) ଚୋରି ହୋଇଛି। ତେବେ କମ୍ପାନୀ ସ୍ପଷ୍ଟ କରିଛି ଯେ ସମସ୍ତ ଗ୍ରାହକଙ୍କ ସମ୍ପତ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଏହି କ୍ଷତି କମ୍ପାନୀ ନିଜେ ବହନ କରିବ। ଗ୍ରାହକମାନଙ୍କ ଟଙ୍କା ଉଠାଣ ସ୍ୱାଭାବିକ ଭାବେ ଚାଲିଛି। ଭୟଭୀତ ହୋଇ ନିଜ କ୍ରିପ୍ଟୋ ସମ୍ପତ୍ତି କମ୍ ଦାମରେ ନ ବିକିବା ପାଇଁ କମ୍ପାନୀ ପରାମର୍ଶ ଦେଇଛି। ଚୋରି ହୋଇଥିବା ଅର୍ଥ ଫେରାଇ ଆଣିବା ପାଇଁ କଏନ-ଡିସିଏକ୍ସ ତଦନ୍ତକାରୀ ସଂସ୍ଥାମାନଙ୍କ ସହ ମିଶି କାମ କରୁଛି।
…..
3.
୨୦ ବର୍ଷ କୋମାରେ ରହିବା ପରେ ଶୋଇଥିବା ରାଜକୁମାରଙ୍କ ପରଲୋକ
ସାଉଦି ଆରବର ଶୋଇଥିବା ରାଜକୁମାର ଭାବେ ପରିଚିତ ପ୍ରିନ୍ସ ଅଲୱାଲିଦ୍ ବିନ୍ ଖାଲେଦ ବିନ୍ ତଲାଲଙ୍କର ପରଲୋକ ହୋଇଛି। ପ୍ରାୟ ୨୦ ବର୍ଷ ଧରି କୋମାରେ ରହିବା ପରେ ଶନିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା। ୨୦୦୫ ମସିହାରେ ଲଣ୍ଡନରେ ଏକ ଭୟଙ୍କର କାର ଦୁର୍ଘଟଣାରେ ମାତ୍ର ୧୫ ବର୍ଷ ବୟସରେ ସେ ଗୁରୁତର ଆହତ ହୋଇଥିଲେ। ସେହି ଦିନଠାରୁ ସେ କୋମାରେ ଥିଲେ ଏବଂ ଲାଇଫ୍ ସପୋର୍ଟରେ ରହିଥିଲେ। ତାଙ୍କ ପିତା ପ୍ରିନ୍ସ ଖାଲେଦ କେବେବି ତାଙ୍କ ପୁଅଙ୍କ ବଞ୍ଚିବାର ଆଶା ଛାଡିନଥିଲେ ଏବଂ ଲାଇଫ୍ ସପୋର୍ଟ ହଟାଇବାକୁ ମନା କରିଦେଇଥିଲେ। ରାଜ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି ଏବଂ ରିୟାଦରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
…..
4.
୨୩ ରୁ ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତ କରିବେ। ପ୍ରଥମେ ସେ ୨୩ ଓ ୨୪ ତାରିଖରେ ବ୍ରିଟେନ ଯାଇ ସେଠାକାର ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ଙ୍କ ସହ ଆଲୋଚନା କରିବେ। ଏହି ସମୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା ଭଳି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯିବ। ମୋଦୀ ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୨୫ ତାରିଖରୁ ସେ ଦୁଇ ଦିନିଆ ମାଳଦ୍ୱୀପ ଗସ୍ତ କରିବେ। ସେଠାରେ ସେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ମୁଖ୍ୟ ଅତିଥି’ ଭାବେ ଯୋଗଦେବେ ଏବଂ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
……
5.
ଭାରତ ତିଆରି କରୁଛି ସ୍ୱଦେଶୀ ମ୍ୟାଲେରିଆ ଟିକା ‘ଆଡଫାଲସିଭାକ୍ସ’
ଭାରତ ଏକ ନୂତନ ମ୍ୟାଲେରିଆ ଟିକା ‘ଆଡଫାଲସିଭାକ୍ସ’ ବିକଶିତ କରୁଛି। ଏହି ଟିକା ମଣିଷକୁ ସଂକ୍ରମଣରୁ ସୁରକ୍ଷା ଦେବା ସହିତ ମଶାଙ୍କ ଦ୍ୱାରା ରୋଗର ପ୍ରସାରକୁ ମଧ୍ୟ ରୋକିବ। ଏହା ସବୁଠାରୁ ମାରାତ୍ମକ ମ୍ୟାଲେରିଆ ସୃଷ୍ଟି କରୁଥିବା ପାରାସାଇଟ୍କୁ ଲକ୍ଷ୍ୟ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ମିଳିତ ଭାବେ ଏହି ସ୍ୱଦେଶୀ ଟିକା ଉପରେ କାର୍ଯ୍ୟ କରୁଛନ୍ତି। ପ୍ରାରମ୍ଭିକ ପରୀକ୍ଷଣରେ ଏହା ଭଲ ଫଳାଫଳ ଦେଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ନିର୍ମିତ ଏହି ଟିକାର ଟେକ୍ନୋଲୋଜିକୁ ବିଭିନ୍ନ କମ୍ପାନୀକୁ ଦିଆଯିବ, ଯାହାଦ୍ୱାରା ଏହାର ବ୍ୟାପକ ଉତ୍ପାଦନ ହୋଇପାରିବ। ତେବେ ଏହି ଟିକା ବର୍ତ୍ତମାନ ଗବେଷଣା ପର୍ଯ୍ୟାୟରେ ଅଛି।
…..
6.
ଋଷରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ
ଋଷର କାମଚାଟକା ଉପଦ୍ୱୀପ ନିକଟ ସମୁଦ୍ରରେ ରବିବାର ଲଗାତାର ପାଞ୍ଚଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା। ଭୂକମ୍ପ ପରେ ପ୍ରଥମେ ସୁନାମି ଆସିବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଥିଲା। କେନ୍ଦ୍ର ପରେ ଏହି ଚେତାବନୀକୁ ପ୍ରତ୍ୟାହାର କରି ନେଇଛି। ବର୍ତ୍ତମାନ ସୁନାମିର କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।
…..
7.
..
ନାବାଳିକା ଅର୍ଦ୍ଧଦଗ୍ଧ ମାମଲାରେ ପୁଲିସର ତନାଘନା, ବିଜେଡି ଘେରିଲା ଥାନା
ପୁରୀ ଜିଲ୍ଲାର ବଳଙ୍ଗା ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ପୁଲିସ ତନାଘନା ତଦନ୍ତ ଚଳାଇଛି । ଏଥିପାଇଁ ତିନିଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ଦୁଇଟି ସ୍କ୍ୱାଡ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି । ଅନ୍ୟ ଏକ ସ୍କ୍ୱାଡ ଫେରାର ଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ାଉ କରୁଛି । ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ନାବାଳିକାଙ୍କ ଘର, ତାଙ୍କ ସମ୍ପର୍କୀୟଙ୍କ ଘର, ତାଙ୍କୁ ସହୟତା କରିଥିବା ବ୍ୟକ୍ତିଙ୍କ ଘର, ଘଟଣାସ୍ଥଳ ଆଦି ସ୍ଥାନରେ ଟିମ୍ ତନ୍ନ ତନ୍ନ କରି ତଦନ୍ତ ଚଳାଇଛି । ଶନିବାର ପୁଲିସ ଆଠ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରିଥିଲା । ରବିବାର ପୁଣି ଆଠ ଜଣଙ୍କୁ ଥାନାରେ ଜେରା କରାଯାଇଛି । ଏମାନଙ୍କ ମଧ୍ୟରେ ନାବାଳିକାଙ୍କର କେତେକ ସମ୍ପର୍କୀୟ ମଧ୍ୟ ଅଛନ୍ତି । ଅପରପକ୍ଷରେ ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ପ୍ରତିବାଦରେ ରବିବାର ବିଜେଡି କର୍ମୀମାନେ ବଳଙ୍ଗା ଥାନା ଘେରାଉ କରିଥିଲେ । ଏହି ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ।
…
8.
ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଗଲା, ସାଙ୍ଗରେ ଯାଇଛନ୍ତି ପରିବାର ସଦସ୍ୟ
ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲା ବଳଙ୍ଗାର ନାବାଳିକା ପୀଡ଼ିତାଙ୍କୁ ରବିବାର ମଧ୍ୟାହ୍ନରେ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯାଇଛି । ଶନିବାର ତିନି ଜଣ ଦୁର୍ବୃତ୍ତ ନାବାଳିକାଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ତାଙ୍କ ସହ ଏକ ଡାକ୍ତରୀ ଦଳ ସହିତ ପରିବାରର ଦୁଇ ଜଣ ସଦସ୍ୟ ମଧ୍ୟ ଯାଇଛନ୍ତି । ତାଙ୍କୁ ଏମସରୁ ଭୁବନେଶ୍ୱର ବିମାନବନ୍ଦର ନେବାକୁ ସ୍ୱତନ୍ତ୍ର କରିଡ଼ର କରାଯାଇଥିଲା । ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡିÿତାଙ୍କୁ ନିଆଯିବା ପୂର୍ବରୁ ଶନିବାର ଭଳି ରବିବାର ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଏମସରେ ଭିଡ଼ କରିଥିଲେ ।
…
9.
ଏଫଏମ ଛାତ୍ରୀ ଆତ୍ମାହୁତିର ତଦନ୍ତ କଲେ କ୍ରାଇମବ୍ରାଞ୍ଚ ଡିଜି, ମିଳିଛି ବହୁ ସୁରାକ
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ତ୍ୱରାନ୍ୱିତ ହୋଇଛି । ଦୁଇ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଘଟଣାର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ ହେଉଛି । ଅନେକ ସୁରାକ ମିଳିଛି । ସିସିଟିଭି ଫୁଟେଜ ଫୋରେନସିକ ଲ୍ୟାବକୁ ପଠାଯିବ । ଶୀଘ୍ର ତଦନ୍ତ ଆଧାରରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ପୀଡ଼ିତା ନିଜେ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିଲେ । ଏବେ ତଦନ୍ତ ଘେରରେ କେତେକ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ତେବେ ଘଟଣା ପୂର୍ବରୁ ଆଇସିସି ଦେ ବୟାନ ଦେଇଥିବା ବ୍ୟକ୍ତିମାନେ ଏବେ ବୟାନ ବି ବଦଳାଉଛନ୍ତି । ତେଣୁ ସବୁକୁ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
…
10.
ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ଅନେକ ପ୍ରସଙ୍ଗ ରଖିଲେ ବିରୋଧୀ ଦଳ
ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀକାଳୀନ ଅଧିବେଶନ । ଏହା ପୂର୍ବରୁ ରବିବାର ବସିଥିଲା ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ । ଅଧିବେଶନ କାଳରେ ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସରକାର ସମସ୍ତ ଦଳର ସହଯୋଗ ଲୋଡ଼ିଥିଲେ । ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୃହରେ ବିବୃତି ରଖିବା ଜରୁରି ବୋଲି ବିରୋଧୀ ଦଳ ଗୁଡ଼ିକ କହିଥିଲେ । ପହଲଗାଓଁ ଆକ୍ରମଣ, ଯୁଦ୍ଧବିରତି ବାବଦରେ ଟ୍ରମ୍ପଙ୍କ ବୟାନ, ବିହାର ଭୋଟର ତାଲିକା ସଂଶୋଧନ, ଅପରେସନ ସିନ୍ଦୂର ଆଦି ପ୍ରସଙ୍ଗ ବିରୋଧୀ ଦଳ ଉଠାଇଥିଲେ । ବିଜେଡି ପକ୍ଷରୁ ଡ. ସସ୍ମିତ ପାତ୍ର ବୈଠକରେ ଯୋଗ ନେଇ ଓଡ଼ିଶାର ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ ।
…
11.
ସିରିଆରେ ଭୟାନକ ସାମ୍ପ୍ରଦାୟିକ ଦଙ୍ଗା, ସାତ ଦିନରେ ୯୪୦ ମୃତ
ଦକ୍ଷିଣ ସିରିଆର ଡ୍ରୁଜ ଶିଆ ବହୁଳ ଅଞ୍ଚଳ ସ୍ୱେଦାରେ ସାମ୍ପ୍ରଦାୟିକ ଦଙ୍ଗା ଭୟାନକ ହେବାରେ ଲାଗିଛି । ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ ଡ୍ରୁଜ୍ ଓ ବେଦୁଇନ ସମ୍ପ୍ରଦାୟ ମଧ୍ୟରେ ଅସ୍ତ୍ର ବିରତି ସମ୍ଭବ ହୋଇପାରିନାହିଁ । ସିରିଆ ସରକାର ସେନାକୁ ମୁତୟନ କରିଥିଲେ ମଧ୍ୟ ଲାଭ ହୋଇନାହିଁ । ମାତ୍ର ୭ ଦିନରେ ୯୪୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହେଲାଣି । ଅଞ୍ଚଳରେ ଭୟଙ୍କର ଗୋଳାବାରୁଦ, ସେଳ୍, ମୋର୍ଟାର ମାଡ଼ ସହ ଅହରହ ମେସିନଗନର ଆୱାଜ ଶୁଭୁଛି । ଡ୍ରୁଜ ମାନଙ୍କ ସମର୍ଥନରେ ଗତ ବୁଧବାର ଇସ୍ରାଏଲ ବାୟୁସେନା ସିରିଆ ସେନା ମୁଖ୍ୟାଳୟରେ ଏୟାରଷ୍ଟ୍ରାଇକ କରିଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଥିଲା । ସିରିଆରେ ମୋଟ ଜନସଂଖ୍ୟାର ୩ ପ୍ରତିଶତ ବା ୮ ଲକ୍ଷ ଲୋକ ଡ୍ରୁଜ୍ ଶିଆ ସମ୍ପ୍ରଦାୟର । ଦୀର୍ଘ ୧୪ ବର୍ଷ ଧରି ସିରିଆରେ ଚାଲିଛି ଗୃହଯୁଦ୍ଧ ।
…
12.
ବିଧାନସଭାରେ ମୋବାଇଲ ଗେମ୍ ଖେଳିଲେ ମହାରାଷ୍ଟ୍ର କୃଷିମନ୍ତ୍ରୀ, ଭିଡିଓ ଭାଇରଲ
ମହାରାଷ୍ଟ୍ରରେ ମନ୍ତ୍ରୀଙ୍କ ଭିଡିଓ ଭାଇରଲ । ବିଧାନସଭାରେ ଗେମ୍ ଖେଳୁଥିଲେ । ମନ୍ତ୍ରୀ ଜଣଙ୍କ ହେଲେ କୃଷି ମନ୍ତ୍ରୀ ମାଣିକରାଓ କୋକାଟୋ । ସେ ବିଧାନସଭାରେ ‘ରମି ଗେମ୍’ ଖେଳୁଥିଲେ । ଏଭଳି ଆଚରଣ ପାଇଁ ସେ ଇସ୍ତଫା ଦେବା ଉଚିତ ବୋଲି ବିରୋଧୀମାନେ ଦାବି କରିଛନ୍ତି । ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ରାଜ୍ୟରେ ବିଗତ ତିନି ମାସରେ ୭୫୦ ଜଣ ଚାଷୀ ଆତ୍ମହତ୍ୟା କଲେଣି । କିନ୍ତୁ କୃଷିମନ୍ତ୍ରୀ ବିଧାନସଭାରେ ଗେମ୍ ଖେଳୁଛନ୍ତି । ମନ୍ତ୍ରୀ ଯଦି ନିଜ ଆଡ଼ୁ ଇସ୍ତଫା ଦେଉନାହାନ୍ତି, ତାଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ଉଚିତ ବୋଲି ସେ କହିଛନ୍ତି ।
…
13.
ସମୁଦ୍ରରେ ବୋଟ ଓଲଟି ୩୪ ପର୍ଯ୍ୟଟକ ମୃତ, ଅନେକ ନିଖୋଜ
ଭିଏତନାମର କାଙ୍ଗ ପ୍ରଦେଶରେ ସମୁଦ୍ରରେ ଏକ ପର୍ଯ୍ୟଟକ ବୋଟ ବୁଡ଼ିଯାଇଛି । ୪୮ ଜଣ ପର୍ଯ୍ୟଟକ ଏବଂ ୫ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରେ ଏକାଧିକ ପରିବାର ଥିଲେ । ପ୍ରସିଦ୍ଧ ଡାଉ ଗୋ ଗୁମ୍ଫା ନିକଟରେ ବୋଟଟି ଝଡ଼ତୋଫାନର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରୁ ଯାଇଥିଲେ । ସେମାନେ ୧୧ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ୩୪ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଆହୁରି କେତେ ଜଣ ନିଖୋଜ ଥିବା ଜଣାପଡ଼ିଛି ।
…
14.
ଜାହାଜରେ ଲାଗିଲା ନିଆଁ, ସମୁଦ୍ରକୁ ଡେଇଁଲେ ସବୁ ଯାତ୍ରୀ
ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶରେ ଏକ ଯାତ୍ରୀବାହୀ ଜାହାଜରେ ନିଆଁ ଲାଗିଯାଇଛି । ଜାହାଜରେ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୨୮୦ ଜଣ ଥିଲେ । ଜାହାଜର ନାମ କେଏମ ବାର୍ସେଲୋନା-୫ । ଜାହାଜର ପ୍ରାୟ ସମସ୍ତ ଯାତ୍ରୀ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଲାଇଫ ଜ୍ୟାକେଟ ମଧ୍ୟ ପିନ୍ଧି ନଥିଲେ । ଉଦ୍ଧାରକାରୀ ଦଳ ଓ ପାଖଆଖ ଅଞ୍ଚଳର ମତ୍ସ୍ୟଜୀବୀମାନେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୧୫୦ ଯାତ୍ରୀଙ୍କୁ ସେମାନେ ଉଦ୍ଧାର କରିଛନ୍ତି । ୩ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ନିଖୋଜ ଯାତ୍ରୀମାନଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି ।
..
15.
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ
ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ଆଗାମୀ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ କାଳରେ କେନ୍ଦ୍ର ସରକାର ୮ଟି ବିଧେୟକ ଆଗଗତ କରିବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି କ୍ରୀଡ଼ା ପ୍ରଶାସନ ବିଲ୍, ଭୂ-ଐତିହ୍ୟସ୍ଥଳ ଏବଂ ଭୂ-ଅବଶେଷ ବିଲ୍, ଖଣି ଓ ଖଣିଜ ସଂଶୋଧନ ବିଲ୍, ରାଷ୍ଟ୍ରୀୟ ଆଣ୍ଟି ଡୋପିଙ୍ଗ ବିଲ୍ । ସଂସଦରେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ମହାଭିଯୋଗ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ତେବେ ବିରୋଧୀ ଦଳ ଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ସର୍ବଦଳୀୟ ବୈଠକରେ ଏ ସମ୍ପର୍କରେ ବିରୋଧୀ ମାନେ ସୂଚନା ଦେଇଛନ୍ତି ।
..
16.
ଉଡ଼ାଣ ସମୟରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ସୁରକ୍ଷିତ ଅବତରଣ
ଆମେରିକାରେ ଡେଲଟା ଏୟାରଲାଇନ୍ସର ଏକ ବିମାନରେ ଉଡ଼ାଣ ଅବସ୍ଥାରେ ନିଆଁ ଲାଗିଯାଇଥିଲା । ଡିଏଲ-୪୪୬ ନାମ ବିମାନଟି ଲସ୍ ଏଞ୍ଜେଲସରୁ ଜର୍ଜିଆର ଆଟଲାଣ୍ଟା ଅଭିମୁଖେ ଉଡ଼ାଣ ଭରିଥିଲା । କିଛି ସମୟ ମଧ୍ୟରେ ବିମାନଟିର ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ମଧ୍ୟ ଭାଇରଲ ହୋଇଛି । ତେବେ ଯାତ୍ରୀମାନେ ଇଞ୍ଜିନରେ ନିଆଁ ଲାଗିଥିବା ସମ୍ପର୍କରେ ଜାଣି ପାରିନଥିଲେ । ପାଇଲଟ ଏ ନେଇ ଅବଗତ ହେବା ପରେ ବିମାନଟିକୁ ତୁରନ୍ତ ଲସ ଏଞ୍ଜେଲସରେ ଅବତରଣ କରାଇବାକୁ ଏଟିସି ସହ ଯୋଗାଯୋଗ କରିଥିଲେ । କିଛି ସମୟ ଆକାଶରେ ଚକ୍କର କାଟିବା ପରେ ଏହା ସୁରକ୍ଷିତ ଭାବେ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୌଣସି ପ୍ରକାର ଅଘଟଣାକୁ ଏଡ଼ାଇବା ପାଇଁ ଜରୁରୀକାଳୀନ ଏଜେନ୍ସି ବିମାନବନ୍ଦରରେ ପ୍ରସ୍ତୁତ ଥିଲେ ।
..
17.
୭ କୋଟି ଶିଶୁଙ୍କ ବାୟୋମେଟି୍ରକ ଅପଡେଟ ହେବ, ସ୍କୁଲରେ ଚାଲିବ ଅଭିଯାନ
ଶିଶୁମାନଙ୍କ ଆଧାର କାର୍ଡ ଅପଡେଟ କରିବାକୁ ବଡ଼ ଅଭିଯାନ ଆରମ୍ଭ ହେବ । ବିଭିନ୍ନ ସ୍କୁଲରେ ଏହା କରିବ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ-ୟୁଆଇଡିଏଆଇ । ସମଗ୍ର ଦେଶରେ ପ୍ରାୟ ୫ କୋଟିରୁ ୭ କୋଟି ଶିଶୁମାନଙ୍କ ଆଧାର ବାୟୋମେଟ୍ରିକ ଅପଡେଟ କରାଯିବ । ଏଥିରେ ଶିଶୁମାନଙ୍କ ଆଙ୍ଗୁଠି ଛାପ, ଆଖିର ସ୍କାନିଂ ଏବଂ ଫଟୋ ସାମିଲ ରହିବ । ପିତାମାତାଙ୍କ ସହମତିରେ ସ୍କୁଲ ଗୁଡ଼ିକରେ ଏହା କରାଯିବ । ଆଗାମୀ ୨ ମାସ ମଧ୍ୟରେ ଏହି ଅଭିଯାନ ଆରମ୍ଭ କରାଯିବ । ଏବେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଆଧାର ବିନା ବାୟୋମେଟ୍ରିକରେ ପ୍ରସ୍ତୁତ ହେଉଛି । ତେଣୁ ୫ ବର୍ଷ ପରେ ଅପଡେଟ କରାଇବା ଜରୁରୀ । ନହେଲେ ଆଧାର ନିଷ୍କ୍ରିୟ ହୋଇଯିବ । ୫ରୁ ୭ ବର୍ଷର ଶିଶୁଙ୍କ ପାଇଁ ଅପଡେଟ ସକାଶେ ଦେୟ ରହିବ ନାହିଁ । ୭ ବର୍ଷରୁ ଅଧିକ ବୟସ ପାଇର୍ ୧୦୦ ଟଙ୍କା ଦେୟ ପଡ଼ିବ । ୧୫ ବର୍ଷ ହୋଇଗଲେ ପୁଣି ଏହାକୁ ଅପଡେଟ କରିବାକୁ ପଡ଼ିବ ।
..
18.
ଜୁନ୍ ମାସରେ ଦେଶରେ ହୋଇଛି ୨୪ ଲକ୍ଷ କୋଟିର ଡିଜିଟାଲ ଦେଣନେଣ
ଡିଜିଟାଲ କାରବାରରେ ଭାରତ ବିଶ୍ୱରେ ନମ୍ବର ୱାନ । ଆଇଏମଏଫର ରିପୋର୍ଟ ଏହା କହିଛି । ବିଶେଷ କରି ୟୁପିଆଇର ବ୍ୟବହାର ଯୋଗୁ ଏହା ହୋଇପାରିଛି । ଦେଶରେ ଏବେ ପ୍ରତି ମାସରେ ୧୮ ଶହ କୋଟିରୁ ଅଧିକ ଡିଜିଟାଲ ଟ୍ରାଞ୍ଜାକ୍ସନ ହେଉଛି । ଗତ ଜୁନ୍ ମାସରେ ୟୁପିଆଇ ପ୍ଲାଟଫର୍ମରେ ୧୮.୩୯ କୋଟିର ଟ୍ରାଞ୍ଜାକ୍ସନ ହୋଇଛି । ଏହାର ମୂଲ୍ୟ ପ୍ରାୟ ୨୪.୦୩ ଲକ୍ଷ କୋଟି ଟଙ୍କା ହେବ । ଗତ ବର୍ଷ ଜୁନ୍ ତୁଳନାରେ ଏହା ୩୨ପ୍ରତିଶତ ଅଧିକ । ଏ ପର୍ଯ୍ୟନ୍ତ ଦେଶରେ ୟୁପିଆଇ ପ୍ଲାଟଫର୍ମରେ ୪୯.୧ କୋଟି ଲୋକ ଏବଂ ୬.୫ କୋଟି ବ୍ୟବସାୟୀ ଯୋଡ଼ି ହୋଇଛନ୍ତି । ୟୁପିଆଇରେ ୬୭୫ ବ୍ୟାଙ୍କ କାମ କରୁଛନ୍ତି । ୨୦୧୬ ମସିହାରେ ଦେଶରେ ୟୁପିଆଇ ଆରମ୍ଭ କରାଯାଇଥିଲା ।
..
19.
ମନ୍ତ୍ରୀଙ୍କ ସୂଚନା, ଖୋଲାରେ ପେଟ୍ରୋଲ, ଡିଜେଲ ବିକ୍ରି ଉପରେ ହେବ କଟକଣା
ପେଟ୍ରୋଲ କିମ୍ବା କିରାସିନିରେ ୨ ଜଣ ଛାତ୍ରୀ ପୋଡିହେବା ଘଟଣା ଏବେ ରାଜ୍ୟବ୍ୟାପୀ ଉଦବେଗ ସୃଷ୍ଟି କରିଛି । ଆଗାମୀ ଦିନରେ ପେଟ୍ରୋଲ ପମ୍ପରୁ ଏବଂ ଖୋଲାରେ ପେଟ୍ରୋଲ/ଡିଜେଲ ବିକ୍ରି ଉପରେ କଟକଣା କରାଯିବ । ଏ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏ ନେଇ ଶୀଘ୍ର ଗାଇଡଲାଇନ ଆସିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଟାଙ୍କିରେ ଆଉ ବୋତଲରେ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ନିଷ୍ପତ୍ତି ନେଇଛି । କିନ୍ତୁ ବିଭିନ୍ନ ସ୍ଥାନରେ ଏହାର ଚୋରା କାରବାର ହେଉଥିବାରୁ ଏହାକୁ ରୋକିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।
..
20.
ପରୀକ୍ଷା ଦିନ ସ୍ଥଗିତ ରହିଲା ଓଟିଇଟି, ପରୀକ୍ଷାର୍ଥୀଙ୍କ ଅସନ୍ତୋଷ, କ୍ରାଇମବ୍ରାଞ୍ଚର ଖୋଳତାଡ଼
ଇନସର୍ଭିସ ଶିକ୍ଷକମାନଙ୍କ ପାଇଁ ରବିବାର ହେବାକୁ ଥିଲା ଓଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷା । ତେବେ ଶନିବାର ସନ୍ଧ୍ୟାରେ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିଲା । ତେଣୁ ବୋର୍ଡ କର୍ତ୍ତୃପକ୍ଷ ବାଧ୍ୟହୋଇ ରାତି ଅଧିଆ ପରୀକ୍ଷାକୁ ସ୍ଥଗିତ ରଖିଲେ । ଏ ସମ୍ପର୍କରେ କୌଣସି ପରୀକ୍ଷାର୍ଥୀ ଜାଣିବାର ଅବକାଶ ରହିଲା ନାହିଁ । ହଜାର ହଜାର ପରୀକ୍ଷାର୍ଥୀ ରବିବାର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ କେନ୍ଦ୍ର ବାହାରେ ପରୀକ୍ଷା ସ୍ଥଗିତ ନୋଟିସ ଦେଖିବାକୁ ମିଳିଲା । ନିରାଶ ହୋଇ ସେମାନେ ଫେରିଥିଲେ । କିନ୍ତୁ ସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅପରପକ୍ଷରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ବୋର୍ଡ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଲିକର ଖୋଳତାଡ଼ କରିଛନ୍ତି । ପ୍ରାୟ ୭୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାର ଥିଲା । ୩୦ ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।
..
21.
ଇରାନ ନେତାଙ୍କ ସହ ପୁତିନଙ୍କ ଅଚାନକ ଆଲୋଚନା, ଚିନ୍ତାରେ ନାଟୋ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପଦକ୍ଷେପ ନାଟୋକୁ ଚିନ୍ତାରେ ପକାଇଛି । ଇରାନର ସୁପ୍ରିମ ଲିଡର ଅଲ୍ଲୀ ଖାମେନେଇଙ୍କ ପରାମର୍ଶଦାତା ଅଲ୍ଲୀ ଲାରିଜାନି ଅଚାନକ ମସ୍କୋ ଗସ୍ତରେ ଯାଇଛନ୍ତି । କ୍ରେମଲିନରେ ସେ ପୁତିନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ଆଗାମୀ ଦିନରେ ଜର୍ମାନୀ, ବ୍ରିଟେନ ଓ ଫ୍ରାନ୍ସ ସହ ଆଲୋଚନା କରିବାକୁ ଇରାନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମ ଆଲୋଚନାର ପ୍ରସଙ୍ଗ ହୋଇଥିବାରୁ ନାଟୋ ଦେଶ ଗୁଡ଼ିକ ଚିନ୍ତାରେ ପଡ଼ିଯାଇଛନ୍ତି ।
..
22.
ଦକ୍ଷିଣ କୋରିଆରେ ଭୁସ୍ଖଳନ, ବନ୍ୟା; ୧୭ ଜଣଙ୍କ ପ୍ରାଣହାନି
ଦକ୍ଷିଣ କୋରିଆରେ ଲଗାତର ବର୍ଷା ଯୋଗୁ ଅନେକ ସ୍ଥାନରେ ଲୋକଙ୍କ ସ୍ଥିତି ବିପନ୍ନ ହୋଇଛି । ଭୂସ୍ଖଳନ ଓ ବନ୍ୟା ଯୋଗୁ ଅତି କମରେ ୧୭ ଜଣଙ୍କ ପ୍ରାଣ ଯାଇଛି । ୧୨ ଜଣ ନିଖୋଜ ଥିବା କୁହାଯାଇଛି । ମୃତୁ୍ୟ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଗେପ୍ୟୋଙ୍ଗ ସହରରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚୁଙ୍ଗ ଚେଓଙ୍ଗରେ ଏକ ଗ୍ରାମ ସମ୍ପୂର୍ଣ୍ଣ ଭାବେ ଆବର୍ଜନା ମଧ୍ୟରେ ପୋତି ହୋଇଯାଇଛି । କେତେକ ଅଞ୍ଚଳରେ ବନ୍ୟାରେ ବହୁତ ଗାଡ଼ିମୋଟର ଭାସି ଯାଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପ୍ରାୟ ୧୦ ହଜାର ଲୋକଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପକୁ ନେଇଛନ୍ତି । ଅଞ୍ଚଳରେ ୪ଶହରୁ ଅଧିକ ରାସ୍ତା ବନ୍ୟା ଜଳରେ ବୁଡ଼ି ରହିଛି ।
..
23.
ଆନ୍ଧ୍ର ମଦ ଦୁର୍ନୀତିରେ ଜଗନ ରେଡିଙ୍କ ଭୂମିକା, ମାସିକ ପାଉଥିଲେ ୫୦ରୁ ୬୦ କୋଟି
୨୦୧୯ ରୁ ୨୦୨୪ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ହୋଇଥିବା ମଦ ଦୁର୍ନୀତିର ଚାର୍ଜସିଟ ଦାଖଲ ହୋଇଛି । ୩୦୫ ପୃଷ୍ଠାର ଏହି ଚାର୍ଜସିଟରେ ଅନେକ ତଥ୍ୟ ପଦାକୁ ଆସିଛି । ୱାଇଏସଆର କଂଗ୍ରେସ ଶାସନ କାଳରେ ଏହି ୩୫ ଶହ କୋଟିର ଦୁର୍ନୀତି ହୋଇଥିଲା । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ଏହି ଦୁର୍ନୀତିରୁ ମାସିକ ୫୦ରୁ ୬୦ କୋଟି ଟଙ୍କା ପାଉଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ତେବେ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇନାହିଁ । ଏହି ଦୁର୍ନୀତିରୁ ପ୍ରାୟ ୨୫୦ କିମ୍ବା ୩୦୦ କୋଟି ଟଙ୍କା ୱାଇଏସଆର ଦଳକୁ ନିର୍ବାଚନ ଖର୍ଚ୍ଚ ଭାବେ ମିଳିଥିଲା । ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗରେ ୱାଇଏସଆର ସାଂସଦ ମିଧୁନ ରେଡ଼ିଙ୍କୁ ଗିରଫ କରାଯାଇଛି ।
..
24.
୧୫ ହଜାର କୋଟିର ଜିଏସଟି ଠକେଇ, ୩୫୫୮ ଜାଲ୍ କମ୍ପାନି ଠାବ
ସାମଗ୍ରୀ ଓ ସେବା ଟିକସ-ଜିଏସଟି ଅଧିକାରୀମାନେ ୧୫ ହଜାର କୋଟିର ଜିଏସଟି ଠକେଇ ଧରିଛନ୍ତି । ଏପ୍ରିଲ-ଜୁନ୍ ତ୍ରୈମାସରେ ଏହା ଠାବ ହୋଇଛି । କେନ୍ଦ୍ର ଓ ରାଜ୍ୟ ସ୍ତରର ଅଧିକାରୀମାନେ ୩୫୫୮ ଟି ଜାଲ ଫାର୍ମ ଠାବ କରିଛନ୍ତି । ବିଶେଷ କରି ଜାଲ୍ ଇନପୁଟ ଟାସ୍କ କ୍ରେଡିଟ ଦାବି କରୁଥିବା କମ୍ପାନି ଗୁଡ଼ିକର ଠକେଇ ଧରାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ ଜିଏସଟି ଠକେଇ ୨୯ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୪-୨୫ରେ ୨୫ହଜାର ୯ଟି ଜାଲ୍ କମ୍ପାନି ୬୧ ହଜାର ୫୪୫ କୋଟି ଟଙ୍କାର ଇନପୁଟ ଟିକସ କ୍ରେଡିଟ ଦାବି କରିଥିଲେ । ଜିଏସଟି ଅଧିକାରୀମାନେ ଦୁଇଟି ଅଭିଯାନରେ ୨୪ ହଜାର କୋଟି ଏବଂ ୨୫ ହଜାର କୋଟିର ଜିଏସଟି ଠକେଇ ଠାବ କରିଥିଲେ ।
..
25.
କଂଗ୍ରେସକୁ ଶଶୀ ଥରୁରଙ୍କ ପରୋକ୍ଷ ଜବାବ; ଦଳ ନୁହେଁ ଦେଶ ପ୍ରଥମେ
ଯେକୌଣସି ନେତା ହୁଅନ୍ତୁ, ତାଙ୍କ ପାଇଁ ଦେଶ ପ୍ରତି ଆନୁଗତ୍ୟ ରଖିବା ଜରୁରୀ । ଦଳ ଅପେକ୍ଷା ଦେଶ ହିଁ ପ୍ରାଥମିକତା ପାଇବା ଉଚିତ । ଏହା କହିଛନ୍ତି କଂ;ଗ୍ରସ ସାଂସଦ ଶଶୀ ଥରୁର । କୋଚିରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ପାର୍ଟି କେବଳ ଏକ ରାସ୍ତା ଏବଂ ଦେଶକୁ ଉନ୍ନତ କରିବାର ମାଧ୍ୟମ । ଦେଶ ନ ରହିଲେ ଦଳ ରହିବ କିପରି? ତେଣୁ ଦେଶର ସୁରକ୍ଷା କଥା ଉଠିଲେ ସମସ୍ତେ ମିଳିମିଶି କାମ କରିବା ଉଚିତ । କିନ୍ତୁ କିଛି ଲୋକ ଏପରି କାମକୁ ଦଳବିରୋଧୀ ଭାବୁଛନ୍ତି । ନିକଟରେ ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତିକୁ ଥରୁର ପ୍ରଶଂସା କରିଥିଲେ । ଏଥିପାଇଁ ତାଙ୍କୁ କଂଗ୍ରେସ ଦଳ ଭିତରୁ ସମାଲୋଚନା ହୋଇଥିଲା । ଏହାରି ଜବାବରେ ଥରୁର ଏବେ ଏହା କହିଥିବା କୁହାଯାଉଛି ।
….
26.
ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପରବର୍ତ୍ତୀ ୩ଟି ସଂସ୍କରଣ ଫାଇନାଲ ହେବ ଇଂଲଣ୍ଡରେ
ସିଙ୍ଗାପୁରରେ ଅନୁଷ୍ଠିତ ହୋଇଛି ଆଇସିସିର ବାର୍ଷିକ ସମ୍ମିଳନୀ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପରବର୍ତ୍ତୀ ୩ଟି ସଂସ୍କରଣର ଫାଇନାଲ ମୁକାବିଲା ଇଂଲଣ୍ଡରେ ହେବ ବୋଲି ନିଷ୍ପତ୍ତି ହୋଇଛି । ୨୦୨୭, ୨୦୨୯ ଏବଂ ୨୦୩୧ରେ ଏହି ତିନୋଟି ସଂସ୍କରଣ ହେବ । ସେହିପରି ବିସ୍ଥାପିତ ଆଫଗାନିସ୍ତାନ ବଂଶେଦ୍ଭବ ମହିଳା କ୍ରିକେଟରଙ୍କୁ ସହାୟତା ପାଇଁ ଆଇସିସି ନିଷ୍ପତ୍ତି ନେଇଛି । ଏହି ଖେଳାଳିମାନଙ୍କୁ ଆଇସିସି ଇଭେଣ୍ଟ ଗୁଡ଼ିକରେ ଅଂଶ ଗ୍ରହଣର ସୁଯୋଗ ମିଳିବ । ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ତିନିଟି ସଂସ୍କରଣର ଫାଇନାଲ ମଧ୍ୟ ଆୟୋଜନ କରିଥିଲା।
…..
27.
ଆନ୍ତର୍ଜାତିକ ରେସଲିଂ ରାଙ୍କିଙ୍ଗ ସିରିଜରେ ଭାରତକୁ ମିଳିଲା ୧୦ ପଦକ
ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ରେସିଲିଂ ରାଙ୍କିଙ୍ଗ ସିରିଜ୍ । ଅନ୍ତିମ ଦିନସରେ ରବିବାର ଗ୍ରେକୋ ରୋମାନ ଇଭେଣ୍ଟ ହୋଇଥିଲା । ଭାରତର ସୁମିତ ରୌପ୍ୟ ଓ ଅନିଲ ମୋର ବ୍ରୋଞ୍ଜ ପଦକ ପାଇଥିଲେ । ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ସହ ମୋଟ ୧୦ଟି ପଦକ ପାଇଛି ।
…..
28.
ହେଭିୱେଟ ବକ୍ସିଂରେ ୩ ଥର ନିର୍ବିବିବାଦୀୟ ଚାମ୍ପିଅନ ହେଲେ ୟୁସିକ
ୟୁକ୍ରେନର କିମ୍ବଦନ୍ତୀ ବକ୍ସର ଆଲୋକଜାଣ୍ଡର ୟୁସିକ ଇତିହାସ ରଚିଛନ୍ତି । ବ୍ରିଟେନର ଡାନିଏଲ ଡୁବୋଇସଙ୍କୁ ନକ୍ଆଉଟ କରି ସଫଳତା ପାଇଛନ୍ତି । ସେ ଫର୍ଥ ବେଲ୍ଟ ଏରାରେ ପ୍ରଥମ ବକ୍ସର ଭାବେ ୩ ଥର ହେଭିୱେଟ ଚାମ୍ପିଅନ ହୋଇଛନ୍ତି । ଏଥିସହ ଆଇବିଏଫ ବେଲ୍ଟ ହାସଲ କରିଛନ୍ତି । ୱେମ୍ବଲି ଷ୍ଟାଡିୟମରେ ୯୦ହଜାର ଦର୍ଶକଙ୍କ ଭରପୁର କରତାଳି ମଧ୍ୟରେ ୟୁସେକ ଏହି ସଫଳତା ଅର୍ଜନ କରିଥିଲେ । ୟୁସିକ ଏ ପର୍ଯ୍ୟନ୍ତ ୨୪ଟି ମ୍ୟାଚରେ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । ସେଥିରୁ ୧୫ଟି ନକ୍ଆଉଟ ବିଜୟ । ୨୦୧୩ରୁ ପେସାଦାର ବକ୍ସିଂରେ ପ୍ରବେଶ କରିଥିବା ୟୁସିକ ଉଭୟ ଜୁନିଅର ହେଭିୱେଟ ଓ ହେଭିୱେଟରେ ଚାମ୍ବିଅନ ହୋଇଛନ୍ତି ।
..
29.
ଯାନ୍ତ୍ରିକ ତ୍ରୁଟିରୁ ଉଡ଼ିପାରିଲାନି ବିମାନ, ରାଞ୍ଚି ବିମାନବନ୍ଦରରେ ହଙ୍ଗାମା
ଯାନ୍ତ୍ରିକ ତ୍ରୁଟି ଓ ଅବ୍ୟବସ୍ଥା ବିମାନ ସେବା ପଛ ଛାଡ଼ୁନି । ରାଞ୍ଚି ବିମାନବନ୍ଦରରେ ରବିବାର ଯାତ୍ରୀମାନେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନଟି ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବା କଥା । କିନ୍ତୁ କେଇ ମିନିଟ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ବିମାନ ଉଡ଼ାଣ କରିବା ସମ୍ଭବ ହୋଇନଥିଲା । ଫଳରେ କେତେକ ଯାତ୍ରୀଙ୍କୁ ଅନ୍ୟ ବିମାନରେ ଯିବାର ବ୍ୟବସ୍ଥା କରାଯାଇଥିଲା । ଅନ୍ୟ କେତେକ ଟିକଟ ବାତିଲ କରିଥିଲେ । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ବିମାନ ବନ୍ଦରରେ ଯାତ୍ରୀମାନେ ହଙ୍ଗାମା କରିଥିଲେ ।
..
30
ବୋଲବମ୍ ଭକ୍ତଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଏବେ ଚାଲିଛି ଶ୍ରାବଣ ମାସ । ଲକ୍ଷ ଲକ୍ଷ ବୋଲବମ୍ ଭକ୍ତ ଗଙ୍ଗାରୁ ଜଳ ନେଇ ବିଭିନ୍ନ ଶିବାଳୟ ଅଭିମୁଖେ ଚାଲି ଚାଲି ଯାତ୍ରା କରୁଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରିଛନ୍ତି । ବୋଲବମ୍ ଯାତ୍ରାକୁ ଅପବାଦ ଦେବାକୁ ଉଦ୍ୟମ କରୁଥିବା ଶକ୍ତିଙ୍କୁ ମଧ୍ୟ ସେ କଡ଼ା ଚେତାବନୀ ଦେଇଛନ୍ତି । ଏହା ହିନ୍ଦୁ ପରମ୍ପରାର ଅଂଶ ବୋଲି ସେ କହିଛନ୍ତି । ଏଥିସହ କୌଣସି ବୋଲବମ୍ ଯାତ୍ରୀ ଆଇନ ଭାଙ୍ଗୁଥିଲେ ଯାତ୍ରା ପରେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କହିଛନ୍ତି ।
…
31.
ନେତାନ୍ୟାହୁ ପାଗଳଙ୍କ ଭଳି କାମ କରୁଛନ୍ତି: ହ୍ୱାଇଟ୍ ହାଉସ୍ ଅଧିକାରୀ
ଆମେରିକାର ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନେତାନ୍ୟାହୁ ପାଗଳଙ୍କ ଭଳି ବ୍ୟବହାର କରୁଛନ୍ତି। ସେ ସବୁବେଳେ ସବୁକିଛି ଉପରେ ବୋମାମାଡ଼ କରୁଛନ୍ତି। ସିରିଆ ଏବଂ ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲର ଆକ୍ରମଣ ପରେ ଏହି ମନ୍ତବ୍ୟ ଆସିଛି। ଅଧିକାରୀଙ୍କ ମତରେ, ନେତାନ୍ୟାହୁଙ୍କ ଏଭଳି କାର୍ଯ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପ୍ରୟାସକୁ କ୍ଷତି ପହଞ୍ଚାଇପାରେ। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ୍ ନିଜେ ନେତାନ୍ୟାହୁଙ୍କୁ ଫୋନ୍ କରି ଏହି ଆକ୍ରମଣ ବିଷୟରେ ପଚାରି ବୁଝିଥିଲେ। ଟ୍ରମ୍ପ୍ ପ୍ରଶାସନ ନେତାନ୍ୟାହୁଙ୍କ ଆକ୍ରମଣାତ୍ମକ ନୀତିକୁ ନେଇ ଚିନ୍ତିତ ଥିବା କୁହାଯାଉଛି।