
1.
ବ୍ୟାଙ୍କ ଅଫ୍ ବରୋଦାରେ ୧୨୫ଟି ମ୍ୟାନେଜର ପଦବୀ ପାଇଁ ଆବେଦନ ଆହ୍ୱାନ
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ମ୍ୟାନେଜର, ସିନିୟର ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଭିଯାନରେ ମୋଟ ୧୨୫ଟି ଖାଲି ପଦବୀ ପୂରଣ କରାଯିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୧୯, ୨୦୨୫ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ପଦବୀଗୁଡ଼ିକ ପାଇଁ ସ୍ନାତକ, ସିଏ , ଏମବିଏ ଭଳି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ଆବେଦନ ଶୁଳ୍କ ସାଧାରଣ ବର୍ଗଙ୍କ ପାଇଁ ୮୫୦ ଟଙ୍କା ଏବଂ ଏସସି/ଏସଟି/ମହିଳା ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଅଧିକ ବିବରଣୀ ଏବଂ ଆବେଦନ ପାଇଁ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ bankofbaroda.in ଦେଖନ୍ତୁ।
….
2.
କୋରାପୁଟ କେଜିବିଭିରେ ୱାର୍ଡେନ୍ ଓ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ
କୋରାପୁଟ ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପକ୍ଷରୁ ୱାର୍ଡେନ୍, ଆକାଉଣ୍ଟାଣ୍ଟ ଏବଂ ପାର୍ଟ ଟାଇମ୍ ଶିକ୍ଷକ ଭଳି ମୋଟ ୮ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଏବଂ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୮ରହିଛି। ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ବିଏ, ବି.ଏସସି, ବି.କମ ସହିତ ବି.ଏଡ଼ ଆଦି ରଖାଯାଇଛି। ବୟସ ସୀମା ସାଧାରଣତଃ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଅଧିକ ସୂଚନା ଓ ଆବେଦନ ଫର୍ମ ପାଇଁ କୋରାପୁଟ ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ koraput.odisha.gov.in ଦେଖନ୍ତୁ।
…..
3.
ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, କରିପାରିବେ ଆବେଦନ
ଆସନ୍ତା ଅଗଷ୍ଟ ୯ ତାରିଖରେ ପଡ଼ୁଛି ରାଖି ପୂର୍ଣ୍ଣିମା । ଏହି ଦିନ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯିବ । ତେବେ ଏଥିରୁ ୨ ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ପ୍ରଥମ କିସ୍ତି ନେବା ପରେ ଏମାନଙ୍କ ମଧ୍ୟରୁ ଅନେକ ଆୟକର ରିଟର୍ଣ୍ଣ ଦେଇଛନ୍ତି । କେତେକଙ୍କର ୫ ଏକର ଜମି ଥିବା ତଥ୍ୟ ମିଳିଛି ଏବଂ ଗାଡ଼ି କ୍ରୟ କରିଥିବା ଜଣାପଡ଼ିଛି । ତେବେ ଏମାନଙ୍କ ଉପରେ ପୁଣି ଥରେ ସର୍ଭେ ହେବ ଏବଂ ଯୋଗ୍ୟ ହେଲେ ତାଲିକାରେ ସାମିଲ କରାଯିବ । ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଯାଇଥିବାରୁ ପେନସନ ପାଇଁ ସୁପାରିସ କରାଯାଇଛି । ଅଗଷ୍ଟ ୯ ତାରିଖ ପରେ ପୁଣି ସୁଭଦ୍ରା ପୋର୍ଟାଲ ଖୋଲିବ । ୨୧ ବର୍ଷ ହୋଇଥିବା ଯୁବତୀମାନେ ହିତାଧିକାରୀ ହେବା ପାଇଁ ଆବେଦନ କରିପାରିବେ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
..
4.
ନୌସେନାର ବଢ଼ିବ ଶକ୍ତି, ଭାରତ କିଣିବ ୯ଟି ଆଧୁନିକ ବୁଡ଼ାଜାହାଜ
ଭାରତୀୟ ନୌସେନାର ଶକ୍ତି ବଢ଼ିବ । ସରକାର ୯ଟି ଆଧୁନିକ ବୁଡ଼ାଜାହାଜ କୟ କରିବେ । ପ୍ରୋଜେକ୍ଟ-୭୫ ଅଧୀନରେ ଏହି ନିଷ୍ପତ୍ତି ହୋଇଛି । ମୋଟ ୯୦ ହଜାରରୁ ୧ ଲକ୍ଷ କୋଟି ଟଙ୍କା ଏଥିରେ ଖର୍ଚ୍ଚ କରାଯିବ । ପ୍ରାରମ୍ଭିକ ଭାବେ ୬ଟି ବୁଡ଼ାଜାହାଜ କ୍ରୟ ପାଇଁ ଚୁକ୍ତି ହେବ । ଚୁକ୍ତି ସ୍ୱାକ୍ଷର ହେବାର ଏକ ବର୍ଷ ପରେ ଆଉ ତିନୋଟି ବୁଡ଼ାଜାହାଜ କ୍ରୟ ହେବ । ଫ୍ରାନ୍ସ ସହଯୋଗରେ ଭାରତ ନୌବାହିନୀ ପାଇଁ କାଲାଭରୀ ଶ୍ରେଣୀର ସ୍କୋର୍ପିନ ବୁଡ଼ାଜାହାଜ ନିର୍ମାଣ କରିଛି । ଏବେ ଜର୍ମାନୀ ସହଯୋଗରେ ମାଜାଗାଓଁ ଡକୟାର୍ଡ ଲିମିଟେଡ ବୁଡ଼ାଜାହାଜ ନିର୍ମାଣ କରିପାରେ ।
..
5.
ବନ୍ୟାଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ, ୩ ଜିଲ୍ଲାର ୮ ବ୍ଲକ ସର୍ବାଧିକ ପ୍ରଭାବିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟାରେ ୩ଟି ଜିଲ୍ଲାରେ ୮ଟି ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ମଧ୍ୟରେ ରହିଛି ବାଲେଶ୍ୱର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକ । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ । ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ । ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ବନ୍ୟା ଦ୍ୱାରା ଏହି ଅଞ୍ଚଳ ପ୍ରଭାବିତ ହୋଇଛି । ୮୧ଟି ଗ୍ରାମର ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ୧୦ ହଜାରରୁ ଅଧିକ ପ୍ରଭାବିତ ଲୋକଙ୍କୁ ଦିନକୁ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯାଉଛି । ସାତ ଦିନ ପର୍ଯ୍ୟନ୍ତ ଏହା ଯୋଗାଇ ଦିଆଯିବ । ଜିଲ୍ଲାପାଳମାନଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
..
6.
ରାଜ୍ୟରେ ବଢ଼ୁଛି ସର୍ପ ଦଂଶନ ଘଟଣା, ପ୍ରାଣ ହରାଉଛନ୍ତି ହଜାରେରୁ ଅଧିକ
୨୦୨୧ ମସିହାରେ ରାଜ୍ୟରେ ୨୨୮୦ ଲୋକଙ୍କୁ ସାପ କାମୁଡ଼ିଥିଲା । ପ୍ରତି ବର୍ଷ ରାଜ୍ୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡ. ନିଳକଣ୍ଠ ମିଶ୍ର । ୨୦୨୨ ମସିହାରେ ୪,୮୫୫, ୨୦୨୩ରେ ୯,୩୨୫ ଏବଂ ୨୦୨୪ ମସିହାରେ ୧୬ ହଜାର ୬୮୨ ସର୍ପ ଦଂଶନ ଘଟଣା ହୋଇଥିଲା । ୨୦୨୧-୨୨ରେ ୮୪୪ ଜଣ ସର୍ପ ଦଂଶନରେ ପ୍ରାଣ ହରାଇଥିବା ବେଳେ ୨୦୨୩-୨୪ରେ ୧୦୧୬ ଜଣଙ୍କ ମୃତୁ୍ୟ ହୋଇଛି । ପ୍ରତିବର୍ଷ ଏହି ମୃତୁ୍ୟ ସଂଖ୍ୟା ବଢ଼ିବା ଉଦବେଗର ବିଷୟ । ଚଳିତ ବର୍ଷା ଋତୁରେ କେତେକ ସ୍ଥାନରେ ବନ୍ୟା ହୋଇଛି । ତେଣୁ ସାପକାମୁଡ଼ା ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ରଖିବାକୁ ସିଡିଏମଓ ମାନଙ୍କୁ କୁହାଯାଇଥିବା ସେ କହିଛନ୍ତି ।
….
7.
କଂଗ୍ରେସକୁ ଝଟ୍କା; ବିଜେପିରେ ମିଶିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସୁରେଶ
ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି । ପୂର୍ବତନ ମନ୍ତ୍ରୀ ସୁରେଶ ଭରପୁଦକର କଂଗ୍ରେସ ଛାଡ଼ିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟି ତଥା ବିଜେପିରେ ଯୋଗଦେଇଛନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ରବୀନ୍ଦ୍ର ଚଭଣ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ‘ସୁରେଶ ଜଣେ ସମାଜସେବୀ ଭାବେ ବେଶ୍ ଜଣାଶୁଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱ ତାଙ୍କୁ ପ୍ରେରଣା ଦେଇଛି । ସୁରେଶଙ୍କ ଯୋଗଦାନ ଫଳରେ ମହାରାଷ୍ଟ୍ରରେ ବିଜେପି ଆହୁରି ମଜବୁତ ହେବ’ ବୋଲି ରାଜ୍ୟ ବିଜେପି ସଭାପତି ରବୀନ୍ଦ୍ର ଏହା କହିଛନ୍ତି । ଉଲ୍ଲେଖଯୋଗ୍ୟ, ୭୪ ବର୍ଷୀୟ ସୁରେଶ ୪ଥର ମହାରାଷ୍ଟ୍ର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ମନ୍ତ୍ରୀ ରହିସାରିଛନ୍ତି । ସେହିଭଳି ୧୯୯୮ରେ ପ୍ରଭାନୀ ଜିଲ୍ଲାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
…
8.
ଆଜିଠୁ ଓଭାଲରେ ୫ମ ଟେଷ୍ଟ; ବୁମରାଙ୍କୁ ଦିଆଯାଇପାରେ ବିଶ୍ରାମ
ଭ୍ରମଣକାରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ୫ମ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ଦି ଓଭାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ସିରିଜ ଡ୍ର ରଖିବାକୁ ଲକ୍ଷ୍ୟ ରଖିଛି । ପୂର୍ବରୁ ଅନୁଷ୍ଠିତ ୪ଟି ଟେଷ୍ଟରୁ ଇଂଲଣ୍ଡ ୨ଟି ଓ ଭାରତ ଗୋଟିଏ ବିଜୟୀ ହୋଇଛି । ଯଦି ୫ମ ଟେଷ୍ଟ ଡ୍ର ରୁହେ ତେବେ ଭାରତ ସିରିଜ ହାରିବ । ଏହି ନିର୍ଣ୍ଣାୟକ ଲଢ଼େଇ ଲାଗି ଟିମ୍ ଇଣ୍ଡିଆ ଜୋର୍ଦାର ପ୍ରସ୍ତୁତି କରିଛି । କିନ୍ତୁ ଅଭିଜ୍ଞ ବୋଲର ଯଶପ୍ରୀତ୍ ବୁମରାଙ୍କ ଖେଳିବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ବୁମରା ଏହି ସିରିଜରେ ପ୍ରଥମ, ୩ୟ ଓ ୪ର୍ଥ ଟେଷ୍ଟ ଖେଳିଛନ୍ତି । ତାଙ୍କ ଫିଟନେସକୁ ନଜରରେ ରଖି ଦି ଓଭାଲ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ । ଟିମ୍ ମ୍ୟାନେଜମେଣ୍ଟ ଓ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସ୍ଥାନରେ ଆକାଶଦୀପ୍, ଅର୍ଶଦୀପ୍ ସିଂହ କିମ୍ବା ପ୍ରସିଦ୍ଧ କି୍ରଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।
…
9.
ମହାଦେବ ପରେ ଅପରେସନ ଶିବଶକ୍ତି; ୨ ଆତଙ୍କୀ ଟଳିଲେ
ଅପରେସନ ମହାଦେବ ପରେ ଆରମ୍ଭ ହୋଇଛି ଅପରେସନ ଶିବଶକ୍ତି । ଦୁଇଦିନ ତଳେ ଅପରେସନ ମହାଦେବରେ ୩ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଥିଲେ । ଏହାର ୪୮ ଘଣ୍ଟା ନପୁରୁଣୁ ବୁଧବାର ସକାଳେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ସେନା ଗୁଳିରେ ଆଉ ୨ ଆତଙ୍କୀ ଟଳି ପଡ଼ିଛନ୍ତି । ନିୟନ୍ତ୍ରଣ ରେଖା ଦେଇ ପାକିସ୍ତାନ ପଟୁ ଏହି ଆତଙ୍କୀ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଭାରତୀୟ ସେନାର ଗୁଳିମାଡ଼ରେ ୨ ଆତଙ୍କୀଙ୍କ ମୃତୁ୍ୟ ହୋଇଛି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କ୍ରପ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଅପରେସନର ନାମ ‘ଶିବଶକ୍ତି’ ରଖାଯାଇଛି ।
…
10.
ସିନ୍ଧୁ ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ୍
ଜମ୍ମୁ କଶ୍ମୀରର ଗାନ୍ଦରବାଲ୍ ଜିଲ୍ଲାର ସିନ୍ଧୁ ନଦୀକୁ ଖସି ପଡ଼ିଛି ଆଇଟିବିପି ଯବାନଙ୍କ ବସ୍ । ସୌଭାଗ୍ୟବଶତଃ ବସ୍ରେ ସେହି ସମୟରେ କୌଣସି ଯବାନ ନ ଥିଲେ । ପ୍ରବଳ ବର୍ଷା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଉଦ୍ଧାରକାରୀ ଦଳ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନଦୀ ମଧ୍ୟରେ ବସ୍ଟି ଭାସୁଥିବାବେଳେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ସେ ସାମାନ୍ୟ ଆଘାତ ପାଇଥିବା ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
…
11.
ବିହାରରେ ବଢ଼ିଲା ଆଶା ଓ ମମତା କର୍ମୀଙ୍କ ପ୍ରୋତ୍ସାହନ ରାଶି
ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାରର ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା) ଓ ମମତା କର୍ମୀ ପ୍ରୋତ୍ସାହନ ରାଶିରେ ବୃଦ୍ଧି କରିଛନ୍ତି ବିହାର ସରକାର । ଆଶା କର୍ମୀଙ୍କୁ ଏବେ ମାସିକ ଏକ ହଜାର ପରିବର୍ତ୍ତେ ୩୦୦୦ ଟଙ୍କା ଏବଂ ମମତା କର୍ମୀଙ୍କୁ ଏବେ ୬୦୦ ଟଙ୍କା ପ୍ରଦାନ କରାଯିବ । ପୂର୍ବରୁ ସେମାନେ ୩୦୦ ଟଙ୍କା ପାଉଥିଲେ । ଏହା ସେମାନଙ୍କ ମନୋବଳ ଓ ସ୍ୱାସ୍ଥ୍ୟସେବାକୁ ଆହୁରି ବୃଦ୍ଧି କରାଇବ । ମୁଖ୍ୟମନ୍ତ୍ରୀ ନୀତୀଶ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ବିହାରରେ ୯୦ ହଜାରରୁ ଊଦ୍ଧ୍ୱର୍ ଆଶାକର୍ମୀ ଓ ୭୫୦୦ ମମତା କର୍ମୀ ରହିଛନ୍ତି ।
…
12.
ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟ: ପହଲଗାମ ଆକ୍ରମଣରେ ରହିଛି ପାକିସ୍ତାନ ଲିଙ୍କ୍
ପହଲଗାମ ଆକ୍ରମଣକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହି ଅମାନବୀୟ ଆକ୍ରମଣ ଲାଗି ପାକିସ୍ତାନର ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ (ଟିଆର୍ଏଫ୍) ଦାୟିତ୍ୱ ନେଇଥିଲା । ଏହା ହେଉଛି ପାକିସ୍ତାନସ୍ଥିତ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଏକ ସମର୍ଥôତ ଫ୍ରଣ୍ଟ । ଏଲ୍ଇଟିର ସମର୍ଥନ ବିନା ପହଲଗାମ ଆକ୍ରମଣ ସମ୍ଭବପର ନୁହେଁ ବୋଲି ଜାତିସଂଘର ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ରିପୋର୍ଟରେ କୁହାଯାଇଛି । ଜାତିସଂଘର ଏହି ରିପୋର୍ଟକୁ ଭାରତର ଏକ କୂଟନୈତିକ ବିଜୟ ଭାବେ ଦେଖାଯାଉଛି । ପ୍ରଥମଥର ଜାତିସଂଘର କୌଣସି ଡକୁ୍ୟମେଣ୍ଟରେ ଆତଙ୍କବାଦୀ ଗୋଷ୍ଠୀର ନାମ ନିଆଯାଇଛି । ପୂର୍ବରୁ ଲସ୍କରର ସମର୍ଥନ ରହିଥିବା ଦାବିକୁ ପାକିସ୍ତାନ ଖଣ୍ଡନ କରିଆସୁଥିଲା । ଜାତିସଂଘର ପକ୍ଷରୁ ଜାରି ଏହି ୩୬ତମ ରିପୋର୍ଟରେ ପହଲଗାମରେ ହୋଇଥିବା ଆତଙ୍କବାଦ ଉପରେ ଉଲ୍ଲେଖ କରାଯାଇଛି । ପର୍ଯ୍ୟଟନସ୍ଥଳୀରେ ହୋଇଥିବା ଆକ୍ରମଣରେ ୫ଜଣ ଆତଙ୍କବାଦୀ ସାମିଲ ଥିଲେ । ଟିଆର୍ଏଫ୍ ଏହି ଆକ୍ରମଣର ଦାୟିତ୍ୱ ନେଇଥିଲା । ଏଥିସହ ଘଟଣାସ୍ଥଳର ଏକ ଫଟୋ ମଧ୍ୟ ଶେୟାର କରିଥିଲା ।
…
13.
ଭାରତ-ପାକ୍ ସେମି ଲଢ଼େଇକୁ ନେଇ ବିବାଦ, ପ୍ରଯୋଜକ ଓହରିଲେ
ଅବସରପ୍ରାପ୍ତ କ୍ରିକେଟର୍ଙ୍କୁ ନେଇ ଇଂଲଣ୍ଡରେ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡ (ଡବ୍ଲୁ୍ୟସିଏଲ) ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଭାରତ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ଗୁରୁବାର ସେମିଫାଇନାଲ ଲଢ଼େଇର ଭାରତର ମୁକାବିଲା ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିବାଦ ଦେଖାଦେଇଛି । ଡବ୍ଲୁ୍ୟସିଏଲ୍ର ପ୍ରମୁଖ ପ୍ରାୟୋଜକ ‘ଇଜି ମାଇଁ ଟ୍ରିପ୍’ ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚରୁ ଓହରିଯାଇଛି । କମ୍ପାନି କହିଛି ‘ପାକିସ୍ତାନ ବିପକ୍ଷ ସେମିଫାଇନାଲ କେବଳ ଆଉ ଏକ ମ୍ୟାଚ୍ ନୁହେଁ । ଆତଙ୍କବାଦ ଓ କ୍ରିକେଟ୍ ଏକାଠି ଚାଲିପାରିବ ନାହିଁ । ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ସହ ସମ୍ପର୍କ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଥିବା କୌଣସି କାର୍ଯ୍ୟକଳାପକୁ ଆମେ ସମର୍ଥନ କରିପାରିବୁ ନାହି’ ବୋଲି ନିଶାନ୍ତ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ଭାରତୀୟ ଖେଳାଳି ମନା କରିଦେଇଥିଲେ ।
….
14.
ବିହାର ନିର୍ବାଚନ ପୂର୍ବରୁ ଲାଲୁ ଯାଦବଙ୍କୁ ସୁପ୍ରିମ ଝଟ୍କା
ଆଉ କିଛି ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏଥିପୂର୍ବରୁ ବୁଧବାର ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ପ୍ରମୁଖ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝଟକା ଲାଗିଛି । ଜମି ବଦଳରେ ଚାକିରି କେଳେଙ୍କାରୀ ମାମଲାରେ ନିମ୍ନ ଅଦଲାତର ଶୁଣାଣି ଉପରେ ସ୍ଥଗିତାଦେଶ ଓ ସିବିଆଇ ଏଫ୍ଆଇଆର୍ ବାତିଲ କରିବାକୁ ଲାଲୁ ଆବେଦନ କରିଥିଲେ । କିନ୍ତୁ ବୁଧବାର ସୁପି୍ରମ କୋର୍ଟ ଲାଲୁଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ ଏମ୍ଏମ୍ ସୁନ୍ଦରେଶ ଓ ଜଷ୍ଟିସ ଏନ୍ କୋଟିଶ୍ୱର ସିଂ’ଙ୍କ ଖଣ୍ଡପୀଠ କହିଛନ୍ତି, ସେମାନେ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ । ଏହା ଦିଲ୍ଲୀ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିଦେ୍ର୍ଦଶ ବିରୋଧରେ ହେବ ।’ ଲାଲୁ ୨୦୦୪ରେ ରେଳମନ୍ତ୍ରୀ ଥିବାବେଳେ ଗ୍ରୁପ୍-ଡି ଚାକିରି ବଦଳରେ ଜମି ହାତେଇଥିଲେ । ଏହାକୁ ନେଇ ଲାଲୁ, ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୨୦୨୨ରେ ମାମଲା ରୁଜୁ ହୋଇଥିଲା ।
….
15.
ଓରେଡାରେ ୩୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ
ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ପକ୍ଷରୁ ଟେକ୍ନିସିଆନ୍ ଓ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୮ଟି ପଦବୀ ଖାଲି ଅଛି, ଯେଉଁଥିରେ ୩୫ଟି ଟେକ୍ନିସିଆନ୍ ଓ ୩ଟି ଜୁନିଅର ଆସିଷ୍ଟାଣ୍ଟ ପଦ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଟେକ୍ନିସିଆନ୍ ପାଇଁ ଦଶମ ପାସ୍ ସହିତ ଆଇଟିଆଇ ଏବଂ ଜୁନିଅର ଆସିଷ୍ଟାଣ୍ଟ ପାଇଁ ସ୍ନାତକ ସହିତ ପିଜିଡିସିଏ ଯୋଗ୍ୟତା ଆବଶ୍ୟକ। ଆବେଦନ ଶୁଳ୍କ ସାଧାରଣ ବର୍ଗଙ୍କ ପାଇଁ ୫୦୦ ଟଙ୍କା ଏବଂ ଏସସି/ଏସଟି/ପିଡବ୍ଲୁଡି ବର୍ଗଙ୍କ ପାଇଁ ୨୦୦ ଟଙ୍କା ରଖାଯାଇଛି। ଅଧିକ ସୂଚନା ପାଇଁ ଓରେଡାର ଅଫିସିଆଲ୍ ୱେବସାଇଟ୍ oredaodisha.com ଦେଖନ୍ତୁ।
…..
16.
ରୁଷରେ ଭୂକମ୍ପ; ଜାପାନ, ଆମେରିକା, ଚାଇନାରେ ସୁନାମୀ ଆଲର୍ଟ
ରୁଷିଆରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀର ଆତଙ୍କ ଦେଖାଦେଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୮.୭ ରହିଥିଲା । ଭୂକମ୍ପରେ ରୁଷିଆ ଥରହର ହେବାପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ସମୁଦ୍ରରୁ ବିରାଟ ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିବା ଦେଖିବାକୁ ମିଳିଥିଲା । ଏପରିକି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର ସୃଷ୍ଟି ହୋଇଥିଲା । ଏହାକୁ ନଜରରେ ରଖି ଜାପାନ, ଆମେରିକା, ଚାଇନା, ପେରୁରେ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି । ସୁନାମୀର ମୁକାବିଲା ଲାଗି ସୁରକ୍ଷା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । ଜାପାନ ପାଣିପାଗ ସଂସ୍ଥା ତୁରନ୍ତ ଏକ ଚେତାବନୀ ଜାରି କରିଛି । ଜାପାନ ଉପକୂଳରେ ୩.୨୮ ଫୁଟର ଜୁଆର ଆସିପାରେ ବୋଲି ଏଥିରେ ସତର୍କ କରାଯାଇଛି । ସେହିଭଳି ଆମେରିକାର ସୁନାମୀ ସତର୍କତା କେନ୍ଦ୍ର କହିଛି, ଆଗାମୀ କିଛି ଘଣ୍ଟା ମଧ୍ୟରେ କାର୍ଲିଫଣ୍ଣିଆ, ରୁଷିଆ, ଜାପାନ ଆଦି ଦେଶରେ ବିପଦପୂର୍ଣ୍ଣ ଲହରୀ ଆସିପାରେ ।
….
17.
ସେନା ଗାଡ଼ି ଉପରେ ପଥର ଖସିଲା, ଲେଫ୍ଟନାଣ୍ଟ କର୍ଣ୍ଣେଲ, ଯବାନ ସହିଦ
ଲଦାଖର ଲେହରେ ସେନାର ଏକ ଗାଡ଼ି ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଗାଡ଼ି ଉପରେ ଅଚାନକ ଏକ ବିଶାଳ ପଥରଖଣ୍ଡ ଖସିଥିଲା । ଦୁର୍ଘଟଣାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ସହିଦ ହୋଇଛନ୍ତି । ମେଜର ର୍ୟାଙ୍କର ୨ ଜଣ ଅଧିକାରୀ, ଜଣେ କ୍ୟାପଟେନ ଗୁରୁତର ଆହତ ହୋଇଛନ୍ତି । ସେନା ଗାଡ଼ିଟି ଦୁରବୁକରୁ ଚୋଙ୍ଗତାଶ ଯିବା ବେଳେ ପର୍ବତରୁ ପଥର ଗଡ଼ି ଗାଡ଼ି ଉପରେ ପଡ଼ିଥିଲା । ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାନୁ ପ୍ରତାପ ସିଂହ ଓ ଲାନ୍ସ ଦଫାଦାର ଦଲଜିତ ସିଂହ ସହିଦ ହୋଇଛନ୍ତି । ମେଜୟ ମୟଙ୍କ ଶୁଭମ୍, ମେଜର ଅଭିତ ଦୀକ୍ଷିତ ଏବଂକ ୍ୟାପଟେନ ଗୌରବ ଗୁରୁତର ଅଛନ୍ତି ।
….
18.
ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଅମିନ, ଆରଆଇ ପରୀକ୍ଷା ବାତିଲ, ସାନି ହେବ ବିଜ୍ଞପ୍ତି
ଅମିନ, ଆରଆଇ, ଏଆରଆଇ, ଆଇସିଡିଏସ୍ ସୁପରଭାଇଜର, ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପଦ ପାଇଁ କରାଯାଇଥିବା ପ୍ରାଥମିକ ପରୀକ୍ଷାକୁ ବାତିଲ କରାଯାଇଛି । ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଏହି ପଦକ୍ଷେପ ନିଆଯାଇଛି । ୨୬୯୫ଟି ପଦବି ପାଇଁ ପରୀକ୍ଷା ହୋଇଥିଲା । ଆସନ୍ତା ୧୫ ଦିନ ମଧ୍ୟରେ ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ କହିଛନ୍ତି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି ଏହି ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ଆସନ୍ତା ଅଗଷ୍ଟ ୧ରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହାର ମୁଖ୍ୟ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ଏସବୁ ପଦ ଲାଗି ୨୦୨୩ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ । କିନ୍ତୁ ପରୀକ୍ଷା ଦେଇଥିଲେ ୨ ଲକ୍ଷ ୯୩ ହଜାର ପ୍ରାର୍ଥୀ ।
…
19.
କ୍ରାଇମବ୍ରାଞ୍ଚର ସୂଚନା, ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ
ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏହି ରାକେଟର ମୁଖ୍ୟ ବୋର୍ଡର ଜଣେ ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା । ଅନ୍ୟ ୫ ଜଣ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ସରକାରୀ ଶିକ୍ଷକ ଏବଂ ସେମାନେ ଶିକ୍ଷକ ସଂଘ ନେତା । ଅନ୍ୟ ଜଣେ ପେସାଦାର ପ୍ରଶ୍ପପତ୍ର ବିକ୍ରେତା । ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଜିତେନ ପେନ୍ ଡ୍ରାଇଭ ସାହାଯ୍ୟରେ ପ୍ରଶ୍ନପତ୍ର ଚୋରି କରିନେଇ ବିକ୍ରି କରିଥିଲା । ଏହାପରେ ତାହା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଜିତେନ ଆକାଉଣ୍ଟରୁ ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଅଧିକ ଜେରା କରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।
..
20.
ରାଜ୍ୟସଭା ଆସିଲେନି ମୋଦି, ବିରୋଧୀଙ୍କ କକ୍ଷତ୍ୟାଗ
ରାଜ୍ୟସଭାରେ ମଙ୍ଗଳବାର ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ଲୋକସଭାରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ବିତର୍କ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଣ୍ଟାଧିକ କାଳ ବିତର୍କରେ ଉତ୍ତର ରଖିଥିଲେ । ମଙ୍ଗଳବାର ରାଜ୍ୟସଭାରେ ଏହା ଉପରେ ଜୋରଦାର ବିତର୍କ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମତେ ବିଭିନ୍ନ ଦଳର ନେତା ସରକାରଙ୍କୁ ଘେରିଥିଲେ । ବିଦେଶ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେମାନଙ୍କ୍ୁ ଜବାବ ଦେଇଥିଲେ । କିନ୍ତୁ ବିରୋଧୀ ଏଥିରେ ସନ୍ତୁଷ୍ଟ ହୋଇନଥିଲେ । ସେମାନେ କହିଥିଲେ ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀରେ ଉପସ୍ଥିତ ଥିବାରୁ ରାଜ୍ୟସଭାକୁ ଆସି ଉତ୍ତର ରଖିବାର ଥିଲା । ଏହାପରେ ସେମାନେ ହଙ୍ଗାମା କରି କକ୍ଷତ୍ୟାଗ କରିଥିଲେ ।
…
21.
ରାଜ୍ୟରେ ସରକାର ଅଫିସରେ ବ୍ୟବହାର ହେବନି ସିଙ୍ଗଲ ୟୁଜ ପ୍ଲାଷ୍ଟିକ
ପ୍ଲାଷ୍ଟିକ ବ୍ୟବହାର ଉପରେ ସରକାର କଠୋର ହୋଇଛନ୍ତି । ରାଜ୍ୟର କୌଣସି ସରକାରୀ କାର୍ଯ୍ୟାଳୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଏକକ ବ୍ୟବହାରକାରୀ ପ୍ଲାଷ୍ଟିକ ବ୍ୟବହାର ହୋଇପାରିବନି । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଭାଗକୁ ଏହି କଟକଣା ନେଇ ନିଦେ୍ର୍ଦଶନାମା ପଠାଯାଇଛି । ସରକାରୀ ବୈଠକ, ସମ୍ମିଳନୀ, କର୍ମଶାଳା କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାରକୁ ମନା କରାଯାଇଛି । ଅଫିସ ଗୁଡ଼ିକରେ ପଲିଥିନ ବ୍ୟାଗ ବଦଳରେ ପେପର, ଝୋଟ ଓ କପଡ଼ାରେ ତିଆରି ବ୍ୟାଗ ବ୍ୟବହାର ହେବ । ଫୁଲତୋଡ଼ାକୁ ପ୍ଲାଷ୍ଟିକ୍ ବଦଳରେ କାଗଜରେ ଗୁଡ଼ାଇବାକୁ କୁହାଯାଇଛି । ରାଜ୍ୟରେ ୨୦୧୯ ମସିହା ଗାନ୍ଧୀ ଜୟନ୍ତୀରୁ ଏହି ନିୟମ ଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି ।
…
22.
ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଦିଲେ ଟ୍ରମ୍ପ, ଆସନ୍ତାକାଲିଠାରୁ ଲାଗୁ
ବାରମ୍ବାର ଆଲୋଚନା ପରେ ବି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରିନାହିଁ । ଶେଷରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ପାଇଁ ଟାରିଫ ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖରୁ ୨୫ ପ୍ରତିଶତ ଟାରିଫ ଲାଗିବ । ଭାରତରୁ ହେଉଥିବା ସମସ୍ତ ରପ୍ତାନି ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଏହା ଫଳରେ ଭାରତରୁ ଅନେକ ଗୁଡ଼ିଏ ଜିନିଷର ରପ୍ତାନି ଏବେ ବାଧାପ୍ରାପ୍ତ ହେବା ସ୍ପଷ୍ଟ । ଉଭୟ ଦେଶ ମଧ୍ୟରେ ଥିବା ୧୩୦ ମିଲିଅନ ଡଲାରର ବାଣିଜ୍ୟ କାରବାରକୁ ମଧ୍ୟ ଏହା ଧକ୍କା ହେବ । ରୁଷ ସହ ଭାରତର ସମ୍ପର୍କକୁ ନେଇ କିଛି ଦିନ ଧରି ଟ୍ରମ୍ପ ଭୀଷଣ କ୍ଷୁବ୍ଧ ଥିଲେ । ତାଙ୍କ ନିଷ୍ପତ୍ତିରେ ଏହା ପ୍ରତିଫଳିତ ହୋଇଛି ।
…
23.
ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ‘ଆସ ଯିବା ଅଙ୍ଗନବାଡ଼ି’
ଅଙ୍ଗନବାଡ଼ି ଗୁଡ଼ିକୁ ଦକ୍ଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଅଗଷ୍ଟ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ‘ଆସ ଯିବା ଅଙ୍ଗନବାଡ଼ି’ ପକ୍ଷ । ଏହି ଉପଲକ୍ଷରେ ‘ୱସମ’ ନାମକ ଆପ୍ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ୧୫ ଦିନରେ ରାଜ୍ୟବାସୀ ନିଜନିଜ ଅଞ୍ଚଳର ଅଙ୍ଗନବାଡ଼ି ପରିଦର୍ଶନ କରିବେ । ଏହାର ଭିତ୍ତିଭୂମି, ସ୍ୱଚ୍ଛତା ଏବଂ କାର୍ଯ୍ୟଶୈଳୀ ଉପରେ ନିଜ ମତ ରଖିବେ । ଏହାକୁ ଦୃଷ୍ଟିରେ ରଖି ବିଭାଗ କେନ୍ଦ୍ର ଗୁଡ଼ିକୁ ଦକ୍ଷ କରିବାକୁ ପଦକ୍ଷେପ ନେବ ।
…
24.
ଅଗଷ୍ଟ ୨ ତାରିଖରେ ମିଳିବ ପିଏମ୍ କିଷାନ କିସ୍ତି
ଅଗଷ୍ଟ ୨ତାରିଖରେ ମଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଯୋଜନାର ୨୦ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀରୁ ଏହି କିସ୍ତି ଅର୍ଥ ଜାରି କରିବେ । ଏହାର ପୂର୍ବ କିସ୍ତି ଗତ ଫେବ୍ରୁଆରୀ ମାସରେ ଦିଆଯାଇଥିଲା । ୯.୮ କୋଟି ଚାଷୀଙ୍କୁ ମିଳିଥିଲା ୨୨ ହଜାର କୋଟି ଟଙ୍କା । ଏହି ଯୋଜନାରେ ପ୍ରତି ୪ ମାସରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଯାଉଛି ୨ ହଜାର ଟଙ୍କା । ଅର୍ଥାତ ବର୍ଷକୁ ୬ ହଜାର ଟଙ୍କା ଲେଖାଏ ମିଳୁଛି ।
…
25.
ଅଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା
ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରଭାବ ଜାରି ରହିଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଜିଲ୍ଲାରେ ମଧ୍ୟ ବର୍ଷା ସହ ପବନ ହୋଇପାରେ ।
….
26.
ଆଜି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରାକରିବେ ୪ ମହାକାଶଚାରୀ
ଆଜି ଚାରି ଜଣ ମହାକାଶଚାରୀ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସଏସ) ଅଭିମୁଖେ ଯାତ୍ରା କରିବେ। ସ୍ପେସ୍ଏକ୍ସର ଫାଲକନ୍ ୯ ରକେଟ୍ ଯୋଗେ ଭାରତୀୟ ସମୟ ରାତି ୯ଟା ୩୯ ମିନିଟରେ ଏହି ମିଶନର ଉତକ୍ଷେପଣ କରାଯିବ। ‘କ୍ରୁ-୧୧’ ନାମକ ଏହି ମିଶନରେ ଆମେରିକାର ଦୁଇଜଣ, ଜାପାନର ଜଣେ ଏବଂ ଋଷର ଜଣେ ମହାକାଶଚାରୀ ସାମିଲ ଅଛନ୍ତି। ସେମାନେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସ୍ପେସ୍ ଷ୍ଟେସନରେ ରହି ବିଭିନ୍ନ ବୈଜ୍ଞାନିକ ପରୀକ୍ଷା କରିବେ ଏବଂ ନାସାର ଚନ୍ଦ୍ର ମିଶନ ‘ଆର୍ଟେମିସ୍’ ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବେ। ନାସା ଅନୁଯାୟୀ, ଉତକ୍ଷେପଣ ପାଇଁ ପାଗ ୮୫% ଅନୁକୂଳ ରହିବ ବୋଲି ଆକଳନ କରାଯାଇଛି।
…
27.
ଚଳିତ ବର୍ଷ ଇନଫୋସିସ ୨୦ ହଜାର ନିଯୁକ୍ତି ଦେବ
ଅନେକ ଟେକ୍ କମ୍ପାନି ଛଟେଇ ଘୋଷଣା କରୁଛନ୍ତି । କିନ୍ତୁ ଇନଫୋସିସ୍ ନିଯୁକ୍ତି ଦେବାକୁ ଘୋଷଣା କରିଛି । ଚଳିତ ବର୍ଷ କମ୍ପାନି ୨୦ ହଜାର ନିଯୁକ୍ତି ଦେବ । ଏହି ସୂଚନା ଦେଇଛନ୍ତି ଇନଫୋସିସ୍ ସିଇଓ ସଲିଲ ପାରେଖ । ସେ କହିଛନ୍ତି, କମ୍ପାନି ପ୍ରଥମ ତ୍ରୟମାସରେ ୧୭ ହଜାରରୁ ଅଧିକ ନିଯୁକ୍ତି ଦେଇଛି । ଏ ପର୍ଯ୍ୟନ୍ତ ୨ ଲକ୍ଷ ୭୫ ହଜାର କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ସ୍ତରରେ ତାଲିମ ଦେଇଛି । ଉଲ୍ଲେଖଯୋଗ୍ୟ, ନିକଟରେ ଟାଟା କନସଲଟାନ୍ସି ସର୍ଭିସେସ୍ – ଟିସିଏସ୍ ୧୨ ହଜାର ଛଟେଇ କରିବାକୁ ଘୋଷଣା କରିଛି । ଏହା ପୂର୍ବରୁ ଅନ୍ୟ କେତେକ ଟେକ୍ କମ୍ପାନି ମଧ୍ୟ ଛଟେଇ ଘୋଷଣା କରିଥିଲେ ।
…
28.
ସାଉଦି ଆରବରେ ସମ୍ପତ୍ତି କିଣିବାକୁ ବିଦେଶୀଙ୍କୁ ମିଳିଲା ଅନୁମତି
ସାଉଦି ଆରବ ସରକାର ତାଙ୍କର ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ବିଦେଶୀ ନାଗରିକ ଏବଂ କମ୍ପାନି ଗୁଡ଼ିକ ପାଇଁ ନିଜ ରିଅଲ ଇଷ୍ଟେଟ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ବିଦେଶୀ ମାନେ ଏଣିକି ଦେଶରେ ସମ୍ପତ୍ତି କ୍ରୟ କରିପାରିବେ । ୨୦୨୬ ମସିହାରୁ ଏହି ନିୟମ ଲାଗୁ ହେବ । ଏହି କୋହଳ ନିୟମ ସାଉଦି ଆରବକୁ ବୈଶ୍ୱିକ ନିବେଶକ କେନ୍ଦ୍ର କରିବାରେ ସହାୟକ ହେବ ବୋଲି ସରକାର କହିଛନ୍ତି । ତେବେ ମକ୍କା ଓ ମଦିନା ଭଳି ପବିତ୍ର ସହରରେ କେବଳ ମୁସଲମାନ ମାନେ ହିଁ ସମ୍ପତ୍ତି କ୍ରୟ କରିପାରିବେ ।
…
29.
ଆଜିଠୁ ଓଭାଲ୍ ଟେଷ୍ଟ, ସିରିଜ ବରାବର କରିବା ଭାରତର ଲକ୍ଷ୍ୟ
ଆଜିଠୁ ଆରମ୍ଭ ହେବ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ । ଏ ପର୍ଯ୍ୟନ୍ତ ସିରିରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ତେଣୁ ସିରିଜ ବରାବର କରିବାକୁ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡ଼ିବ । ଓଭାଲରେ ୨୦୨୧ରେ ଶେଷ ଥର ଭାରତ ଏକ ଟେଷ୍ଟ ଜିତିଥିଲା । ପଞ୍ଚମ ମ୍ୟାଚରେ ଭାରତୀୟ ଏକାଦଶରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଆକାଶଦୀପ ଖେଳିପାରନ୍ତି । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଆହତ ହୋଇ ଟିମରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସହ ଜୋଫ୍ରା ଆର୍ଚର ଏବଂ ବ୍ରାଇହନ୍ କାର୍ସ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ଭାରତ ୫ ଜଣ ନିୟମିତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ ବୋଲି କୁହଯାଉଛି ।
…
30.
ଇସ୍ରୋ ଓ ନାସାର ମିଳିତ ସାଟେଲାଇଟ ‘ନିସାର’ ଲଞ୍ଚ୍
ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶକେନ୍ଦ୍ରରୁ ସାଟେଲାଇଟ ‘ନିସାର’ ଲଞ୍ଚ ହୋଇଛି । ଏହା ନାସା ଓ ଇସ୍ରୋର ମିଳିତ ପ୍ରଚେଷ୍ଟାରେ ସଫଳ ହୋଇଛି । ଏହି ସାଟେଲାଇଟ ପ୍ରତି ୯୭ ମିନିଟରେ ପୃଥିବୀକୁ ପରିକ୍ରମା କରିବ । ଏହା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପୃଥିବୀକୁ ସତର୍କ କରାଇବ । ପୃଥିବୀର ପ୍ରତିଟି ସ୍ଥାନକୁ ଏହା ଦେଖିବାକୁ ସକ୍ଷମ । ୧୨.୫୦୦ କୋଟି ଟଙ୍କା ଖର୍ଚ୍ଚରେ ଏହି ସାଟେଲାଇଟ ପ୍ରସ୍ତୁତ କରାଯାଇଛି । ଏହା ୭୪୭ କିଲୋମିଟର ଉଚ୍ଚରେ ମେରୁ କକ୍ଷରେ ପୃଥିବୀକୁ ପରିକ୍ରମା କରିବ । ୧୨ ଦିନରେ ଏହା ୧୧୭୩ ଥର ପୃଥିବୀକୁ ପରିକ୍ରମା କରିବ ।
….
31.
ଜିଓର ନୂଆ ଘୋଷଣା: ଏବେ ଟିଭି ହେବ କମ୍ପ୍ୟୁଟର, ମାସିକ ମାତ୍ର ୪୦୦ ଟଙ୍କାରେ
ରିଲାଏନ୍ସ ଜିଓ ଏକ ନୂଆ କ୍ଲାଉଡ୍-ଆଧାରିତ କମ୍ପ୍ୟୁଟର ସେବା ‘ଜିଓପିସି’ ଆରମ୍ଭ କରିଛି। ଏହା କୌଣସି ହାର୍ଡୱେର ନୁହେଁ, ବରଂ ଏକ ଭର୍ଚୁଆଲ୍ କମ୍ପ୍ୟୁଟର ସେବା, ଯାହାକୁ ଆପଣଙ୍କ ଟିଭି କିମ୍ବା ମନିଟରରେ ବ୍ୟବହାର କରିହେବ। ଏଥିପାଇଁ ଏକ ଜିଓ ସେଟ୍-ଟପ୍ ବକ୍ସ, କିବୋର୍ଡ ଓ ମାଉସ୍ ଆବଶ୍ୟକ। ଏହି ସୁବିଧା କେବଳ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ। ମାସିକ ୪୦୦ ଟଙ୍କାର ପ୍ଲାନରେ ଗ୍ରାହକମାନେ ଏଆଇ ସୁବିଧା, ମାଇକ୍ରୋସଫ୍ଟ ଅଫିସ୍ ଭଳି ଆପ୍ଲିକେସନ୍ ଏବଂ ୫୧୨ ଜିବି କ୍ଲାଉଡ୍ ଷ୍ଟୋରେଜ୍ ପାଇବେ। କମ୍ପାନୀ ସମସ୍ତ ଗ୍ରାହକଙ୍କୁ ପ୍ରଥମେ ଏକ ମାସର ଫ୍ରି ଟ୍ରାଏଲ୍ ମଧ୍ୟ ଦେଉଛି।
…
32.
ଅଷ୍ଟ୍ରେଲିଆରେ କଡ଼ା ନିୟମ: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ୟୁଟ୍ୟୁବ୍ ଆକାଉଣ୍ଟ ବ୍ୟାନ୍
ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ୟୁଟ୍ୟୁବ୍ ଆକାଉଣ୍ଟ ଖୋଲିବା ଉପରେ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବରରୁ ଲାଗୁ ହେବାକୁ ଥିବା ଏହି ନିୟମ ଅନୁଯାୟୀ, ପିଲାମାନେ ନିଜ ନାମରେ ୟୁଟ୍ୟୁବ୍ ଆକାଉଣ୍ଟ ତିଆରି କରିପାରିବେ ନାହିଁ। ପିଲାମାନଙ୍କୁ ଅନଲାଇନ୍ କ୍ଷତି, ସାଇବରବୁଲିଂ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଟିକଟକ୍, ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ପ୍ଲାଟଫର୍ମରେ ମଧ୍ୟ ଏହି କଟକଣା ଲାଗୁ ହୋଇସାରିଛି। ତେବେ ପିଲାମାନେ ବିନା ଆକାଉଣ୍ଟରେ ଭିଡିଓ ଦେଖିପାରିବେ, କିନ୍ତୁ କମେଣ୍ଟ କରିବା କିମ୍ବା ନିଜ ଭିଡିଓ ପୋଷ୍ଟ କରିପାରିବେ ନାହିଁ।