
1.
ନୌବାହିନୀକୁ ହସ୍ତାନ୍ତର ହେଲା ଯୁଦ୍ଧଜାହାଜ ହିମଗିରି
ଭାରତୀୟ ନୌବାହିନୀରେ ହସ୍ତାନ୍ତର ହୋଇଛି ଆଉ ଏକ ଯୁ୍ଦ୍ଧଜାହାଜ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଜାହାଜ ହିମଗିରି । ୬ ହଜାର ୬୭୦ ଟନର ଜାହାଜ ହିମଗିରି କୋଲାକାତାସ୍ଥିତ ଗାର୍ଡେନ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ସଂସ୍ଥା ଦ୍ୱାରା ନିର୍ମିତ ହୋଇଛି । ଗତ ଜୁଲାଇ ୧ ତାରିଖରେ ଜାହାଜ ଉଦୟଗିରି ମଧ୍ୟ ନୌବାହିନୀକୁ ହସ୍ତାନ୍ତର ହୋଇଥିଲା । ଏହା ମୁମ୍ବାଇର ମାଜାଗାଓଁ ଡକ୍ ଦ୍ୱାରା ନିର୍ମିତ ହୋଇଥିଲା । ଉୟ ଯୁଦ୍ଧଜାହାଜ ଶୀଘ୍ର ନୌବାହିନୀରେ ସାମିଲ ହେବ । ହିମଗିରିରେ ଦୈର୍ଘ୍ୟ ୧୪୯ ମିଟର । ପ୍ରୋଜେକ୍ଟ ୧୭-ଏରେ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚରେ ୭ଟି ଯୁଦ୍ଧ ଜାହାଜ ନିର୍ମାଣର ଲକ୍ଷ୍ୟ ରହିଛି । ପ୍ରଥମ ଜାହାଜ ଆଇଏନଏସ ନିଳଗିରି ଗତ ଜାନୁଆରୀ ୧ ରେ ନୌବାହିନୀରେ ସାମିଲ ହୋଇଥିଲା । ୨୦୨୬ ଶେଷ ସୁଦ୍ଧା ସମସ୍ତ ଜାହାଜ ନୌବାହିନୀକୁ ହସ୍ତାନ୍ତର ହୋଇଯିବା ଆଶା ।
….
2.
ଆତ୍ମହତ୍ୟା ରୋକିବାକୁ ହଷ୍ଟେଲ ରୁମରୁ ଫ୍ୟାନ ହଟାଇବ ଆଇଆଇଟି ଖଡ଼ଗପୁର
ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଆଇଆଇଟି ଖଡ଼ଗପୁର ପାଇଁ ଚିନ୍ତା ବଢ଼ାଇଛି । ୨୦୨୪ ମସିହାରେ ଏହି ଶିକ୍ଷାନୁଷ୍ଠାନରେ ୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ରୋକିବାକୁ କଲେଜ କର୍ତ୍ତୃପକ୍ଷ ଏବେ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି । ପର୍ଯ୍ୟାୟ କ୍ରମେ ହଷ୍ଟେଲର ପ୍ରତ୍ୟେକ ରୁମରୁ ଫ୍ୟାନ କାଢ଼ି ଦିଆଯିବାକୁ ନିଷ୍ପତ୍ତି ହୋଇଛି । କଲେଜରେ ୨୧ଟି ହଷ୍ଟେଲରେ ମୋଟ ୧୬ ହଜାର ଛାତ୍ରଛାତ୍ରୀ ରହୁଛନ୍ତି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ନିୟମିତ ଯାଞ୍ଚ କରାଯିବ । ମହିଳା କର୍ମଚାରୀଙ୍କୁ ‘କ୍ୟାମ୍ପସ ମଦର’ ଭାବେ ନିଯୁକ୍ତ କରାଯିବ । ଚବିଶ ଘଣ୍ଟା ମନସ୍ତତ୍ତ୍ୱବିଦ୍ ହଷ୍ଟେଲରେ ରହିବେ । ହଷ୍ଟେଲ ରୁମ ଡୋରରେ ତୁରନ୍ତ କାଉନସେଲିଂ ପାଇଁ ବାରକୋଡ ଲଗାଯିବ ।
….
3.
ବଳାକ୍ରାର ମାମଲାରେ ଦୋଷୀ ହେେଊ ଏଚଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଳା ରେବନ୍ନା
ପୂର୍ବତନ ଜେଡିଏସ୍ ସାଂସଦ ପ୍ରଜ୍ୱଳା ରେବନ୍ନା । ଘରୋଇ ସହାୟିକାଙ୍କୁ ବଳାକ୍ରାର ଓ ଧମକ ମାମଲା ତାଙ୍କ ନାମରେ ଆସିଥିଲା । ୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ତାଙ୍କ ନାମରେ ଚାରିଟି ମାମଲା ପଂଜିକୃତ ହୋଇଥିଲା । ତାଙ୍କୁ ଏସଆଇଟି ଗିରଫ ମଧ୍ୟ କରିଥିଲା । ବେଙ୍ଗାଲୁରୁର ଏମପି,ଏମଏଲଏ କୋର୍ଟ ଶୁକ୍ରବାର ତାଙ୍କୁ ଦୋଷୀ ଘୋଷଣା କରିଛି । ଆଜି ତାଙ୍କ ବିରୋରେ ଦଣ୍ଡାଦେଶ ଘୋଷଣା ହୋଇପାରେ । ରାୟ ପ୍ରକାଶ ପରେ କୋର୍ଟ ରୁମରେ ରେବନ୍ନା ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ରେବନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ନାତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀଙ୍କ ପୁତୁରା ।
….
4.
ସମବାୟ ମନ୍ତ୍ରୀଙ୍କ ସୂଚନା, ରାଜ୍ୟର ୩୦ ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି
ରାଜ୍ୟରେ ପ୍ରତିଷ୍ଠା କରାଯିବ ମଡେଲ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ସୂଚନା ଦେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି କରାଯିବ । ଆସନ୍ତା ବର୍ଷ ସୁଦ୍ଧା ଏହାର କାମ ଶେଷ ହେବ । ଆବଶ୍ୟକତା ଅନୁସାରେ ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଜୁଳି ବ୍ୟବସ୍ଥା, ଦୋକାନ, ଏସଏଚଜି ମହିଳାଙ୍କ ଦ୍ୱାରା ଟିଫିନ ସେଣ୍ଟର, ପାର୍କିଙ୍ଗ ବ୍ୟବସ୍ଥା ରହିବ । ମଡେଲ ମଣ୍ଡିର ରୂପରେଖ କିପରି ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
….
5.
ଅମୃତ ଭାରତ ଯୋଜନାରେ ରାଜ୍ୟର ୫୯ଟି ଷ୍ଟେସନର ବିକାଶ କରାଯିବ
ରାଜ୍ୟର ୫୯ଟି ଷ୍ଟେସନର ବିକାଶ କରାଯାଉଛି । ଅମୃତ ଭାରତ ଯୋଜନାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ରେଳମନ୍ତ୍ରୀ ଅଶ୍ୱିନୀର ବୈଷ୍ଣବ ରାଜ୍ୟସଭାରେ ଏହେି ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ୧୩୩୭ଟି ଷ୍ଟେସନ ଏହି ଯୋଜନାରେ ଚିହ୍ନଟ କରାଯାଇଛି । ଇତି ମଧ୍ୟରେ କଟକ ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ବିକାଶ କାର୍ଯ୍ୟ ଶେଷ ହୋଇଛି । ଭୁବନେଶ୍ୱର, ପୁରୀ, ବଲାଙ୍ଗୀର, ବାରିପଦା, ବରପାଲି, ବେତନଟୀ, ଜଳେଶ୍ୱର, ଜୟପୁର, କେସିଙ୍ଗା, ମଞ୍ଚେଶ୍ୱର ଏବଂ ପାରଳାଖେମୁଣ୍ଡି ଷ୍ଟେସନର ବିକାଶ କାମ ଚାଲିଛି ।
…..
6.
ଭାରତକୁ ସାମୟିକ ଆଶ୍ୱସ୍ତି; ୭ ଦିନ ଘୁଞ୍ଚôଲା ଟ୍ରମ୍ପ ଟାରିଫ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ଦୁଇଦିନ ତଳେ ସେ ଲଗାଇଥିବା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରହାରକୁ ୭ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଯାହାକି ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଥାନ୍ତା । ଏବେ ଏହି ଶୁଳ୍କ ଅଗଷ୍ଟ ୭ରୁ କାର୍ଯ୍ୟକାରୀ ହେବ । କଣ୍ଟ ସରିବା ପୂର୍ବରୁ ହ୍ୱାଇଟ୍ ହାଉସ କରିଛି ଏହି ଘୋଷଣା । ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗକୁ ନୂଆ ଶୁଳ୍କ ଆଦାୟ ପାଇଁ ସମୟ ଦେବା ଲାଗି ନିଆଯାଇଛି ଏହି ପଦକ୍ଷେପ । ପୂର୍ବରୁ ଟ୍ରମ୍ପ ଶୁଳ୍କ ସହିତ ରୁଷ ସହ କାରବାର ପାଇଁ ଭାରତ ଉପରେ ଜରିମାନା ଲଗାଇବାକୁ ମଧ୍ୟ ଘୋଷଣା କରିଥିଲେ । ତେବେ ଏହି ଜରିମାନା ରାଶି ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ । ଏବେ ଭାରତ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁଛି । ନୂଆ ଶୁଳ୍କ ପରେ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ।
..
7.
ଆପ୍ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲଗାଇଲା କେନ୍ଦ୍ର
ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାମ ଧରୁନି । ପଞ୍ଚମଥର ପାଇଁ ପଞ୍ଜାବର ଶକ୍ତିମନ୍ତ୍ରୀ ହରଭଜନ ସିଂହ ଇଟିଓଙ୍କ ଆମେରିକା ଯାତ୍ରାକୁ କେନ୍ଦ୍ର ଅନୁମତି ଦେଇନି । ସେ ଅଗଷ୍ଟ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଏକ ସମ୍ମିଳନୀରେ ଭାଗ ନେବାର ଥିଲା । ଏହି ସମ୍ମିଳନୀରେ ବିଧାନସଭା ନେତା, ନୀତି ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରଣକାରୀମାନେ ଯୋଗଦେବେ । ତେବେ ମନ୍ତ୍ରୀ ହରଭଜନଙ୍କୁ ରାଜନୈତିକ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଫଳରେ କ୍ରମାଗତ ୫ମ ଥର ଲାଗି ଆପ୍ ସରକାରର କୌଣସି ମନ୍ତ୍ରୀ କିମ୍ବା ବରିଷ୍ଠ ପଦାଧିକାରୀଙ୍କୁ ବିଦେଶ ଗସ୍ତ ପାଇଁ କେନ୍ଦ୍ର ଅନୁମତି ଦେଇନାହିଁ । ଅନୁମତି ନ ଦେବା ପଛର କାରଣ ସ୍ପଷ୍ଟ ହୋଇନି ।
..
8.
ପାକିସ୍ତାନ ସମର୍ଥନରେ ଟ୍ରମ୍ପ; ଲଗାଇଲେ ଭାରତଠୁ କମ୍ ଶୁଳ୍କ
ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିବା ଟ୍ରମ୍ପଙ୍କ ପାକିସ୍ତାନ ପ୍ରୀତି ଦିନକୁ ଦିନ ଉଜାଗର ହେବାରେ ଲାଗିଛି । ସେ ଏହି ଆତଙ୍କବାଦୀ ରାଷ୍ଟ୍ର ଉପରେ ଭାରତଠାରୁ କମ୍ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପ ଦୁଇଦିନ ତଳେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ । କିନ୍ତୁ ପାକିସ୍ତାନ ପ୍ରୀତି ଦେଖାଇ ୧୯ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ଦକ୍ଷିଣ ଏସିଆ ରାଷ୍ଟ୍ରମାନଙ୍କ ଉପରେ ଲଗାଯାଇଥିବା ଶୁଳ୍କ ତୁଳନାରେ ସବୁଠୁ କମ୍ । ଟ୍ରମ୍ପ ୨ ଦିନରେ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଦୁଇ ଦୁଇଟି ଆଶ୍ୱସ୍ତି ଖବର ଦେଲେଣି । ସେ ଗୁରୁବାର ପାକିସ୍ତାନ ସହ ତୈଳ ଓ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ । ଏହା ଅଧୀନରେ ପାକିସ୍ତାନରେ ତୈଳ ଅନୁସନ୍ଧାନ, ପ୍ରକି୍ରୟାକରଣ ଏବଂ ତୈଳ ଭଣ୍ଡାର ନିର୍ମାଣ ପାଇଁ ଆମେରିକା ସହାୟତା କରିବ ।
..
9.
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ଜଗଦୀପ୍ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ଲାଗି ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୯ରେ ନିର୍ବାଚନ ହେବ । ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦଖଲ କରାଯିବ । ଅଗଷ୍ଟ ୨୨ରେ ଯାଞ୍ଚ କରାଯିବ । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ନିର୍ବାଚନ ଦିନ ହିଁ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଗତ ୨୧ ତାରିଖ ରାତିରେ ୭୪ ବର୍ଷୀୟ ଧନଖଡ଼ ଅଚାନକ ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ । ଏହାକୁ ନେଇ ନାନା ରାଜନୈତିକ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଏହାପରଦିନ ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ମଞ୍ଜୁର କରିଥିଲେ । ଧନଖଡ଼ଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୭ରେ ଶେଷ ହେବାର ଥିଲା ।
..
10.
ଆମେରିକାଠୁ ଏଫ୍-୩୫ ବିମାନ କିଣିବନି ଭାରତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଶକ୍ତ ପ୍ରହାର ଭାରତକୁ ଦେଇଚାଲିଛନ୍ତି । ଏଭଳି ସମୟରେ ଭାରତ ସରକାର ଆମେରିକାକୁ ଦେଇଛନ୍ତି କଡ଼ା ଜବାବ । ୱାଶିଂଟନ ନିକଟରୁ ଏଫ୍-୩୫ ଷ୍ଟିଲ୍ଥ ଲଢ଼ୁଆ ବିମାନ କିଣିବାକୁ ଭାରତ ସରକାର ମନା କରିଦେଇଛନ୍ତି । କ୍ରମାଗତ ଭାବେ ଆମେରିକା ଏହି ବିମାନ କିଣିବା ପାଇଁ ଭାରତକୁ ଅଫର୍ ଦେଇଚାଲିଥିଲା । କିନ୍ତୁ ଭାରତ ମିଳିତ ଉଦ୍ୟମରେ ଲଢ଼ୁଆ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରାଧାନ୍ୟ ଦେଉଛି । ମାତ୍ର ଆମେରିକା ଭାରତର ଏହି ପ୍ରସ୍ତାବରେ ରାଜି ହେଉନାହିଁ । ସେଥିପାଇଁ ଶୁଳ୍କ ସଙ୍କଟ ସମୟରେ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ବିମାନର ମୂଲ୍ୟ ପ୍ରାୟ ୬୭୦ କୋଟି ଟଙ୍କା ।
….
11.
ଅନିଲ ଅମ୍ବାନୀଙ୍କୁ ଇଡି ସମନ୍, ଠକେଇ ମାମଲାରେ ହେବେ ଜେରା
ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ ତଥା ଏମ୍ଡି ଅନିଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ତଥା ଇଡି ପକ୍ଷରୁ ସମନ ଜାରି ହୋଇଛି । ୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ପଦକ୍ଷେପ ନେଇଛି । ତାଙ୍କୁ ଅଗଷ୍ଟ ୫ ତାରିଖରେ ଜେରା ପାଇଁ ଡକାଯାଇଛି । ଗତ ସପ୍ତାହରେ ଅନିଲଙ୍କ ଦିଲ୍ଲୀ ଓ ମୁମ୍ବାଇସ୍ଥିତ ୫୦ରୁ ଊଦ୍ଧ୍ୱର୍ କମ୍ପାନୀ ଓ ଠିକଣାରେ ଇଡି ପକ୍ଷରୁ ଚଢ଼ଉ ହୋଇଥିଲା । ୨୫ରୁ ଅଧିକ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା । ୨୦୧୭ରୁ ୨୦୧୯ ମଧ୍ୟରେ ଅନିଲ ଅମ୍ବାନିଙ୍କ ସମ୍ବନ୍ଧିତ ରିଲାଏନ୍ସ ଗ୍ରୁପ୍କୁ ‘ୟେସ ବ୍ୟାଙ୍କ’ ୩ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଏହି ଋଣ ଟଙ୍କାକୁ ଜାଲ କମ୍ପାନୀ ଏବଂ ଗ୍ରୁପ୍ର ଅନ୍ୟ ସଂଗଠନକୁ ପଠାଇ ଦିଆଯାଇଥିଲା ।
..
12.
କମିଲା ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟ
ମାସ ପ୍ରାରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ୧୯ କେଜି ବିଶିଷ୍ଟ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟ ଶସ୍ତା ହୋଇଯାଇଛି । ଏହା ୩୪ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଏବେ ଦିଲ୍ଲୀରେ ମୂଲ୍ୟ ୧୬୩୧ ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ଏହା ୧୬୬୫ ଟଙ୍କା ଥିଲା । ସେହିଭଳି କୋଲକାତାରେ ଏବେ ଏହି ଗ୍ୟାସ ସିଲିଣ୍ଡର ୧୭୬୯ ଟଙ୍କାରେ ମିଳିବ । ଅନ୍ୟପକ୍ଷରେ ବିମାନ ଇନ୍ଧନ (ଏଟିଏଫ୍)ର ମୂଲ୍ୟ କିନ୍ତୁ ବୃଦ୍ଧି ପାଇଛି । ଏହା ୨୬୭୭ ଟଙ୍କା ୮୮ ପଇସା ବଢ଼ିଛି । ଏହା ଦ୍ୱାରା ବିମାନ ଯାତ୍ରା ଉପରେ ପ୍ରଭାବ ପଡ଼ିପାରେ । ବିମାନ ଟିକଟ୍ ମୂଲ୍ୟ ବୃଦ୍ଧି ପାଇବା ଦ୍ୱାରା ଯାତ୍ରୀଙ୍କ ପକେଟ ଉପରେ ଭାର ବଢ଼ିବ ।
..
13.
ଖଲିଦ ଜାମିଲ ଭାରତୀୟ ଫୁଟବଲ ଦଳର ନୂଆ ପ୍ରଶିକ୍ଷକ
ପୂର୍ବତନ ମିଡଫିଲ୍ଡର ଖଲିଦ ଜାମିଲ ଭାରତୀୟ ସିନିଅର ପୁରୁଷ ଫୁଟବଲ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ସର୍ବଭାରତୀୟ ଫୁଟବଲ ମହାସଂଘ ତଥା ଏଆଇଏଫଏଫ୍ ଶୁକ୍ରବାର ଏହି ଘୋଷଣା କରିଛି । ଫଳରେ ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି ଓ ଜଣେ ଭାରତୀୟ ଜାତୀୟ ସିନିଅର ପୁରୁଷ ଫୁଟ୍ବଲ ଦଳର ପ୍ରଶିକ୍ଷକ ପଦରେ ଅବସ୍ଥାପିତ ହୋଇଛନ୍ତି । ଶେଷଥର ଲାଗି ଭାରତୀୟ ଭାବେ ସାଭିଓ ମେଡେଇରା ୨୦୧୧-୧୨ରେ ଗୁରୁ ଦାୟିତ୍ୱ ତୁଲାଇଥିଲେ । ୪୮ ବର୍ଷୀୟ ଜାମିଲ ଏଥିପୂର୍ବରୁ ଆଇଏସଏଲ୍ ଦଳ ଜାମସେଦପୁର ଏଫସିର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପ୍ରଶିକ୍ଷଣ କାଳରେ ଜାମସେଦପୁର ୨୦୨୩-୨୪ ସିଜନରେ ସୁପର୍ କପ୍ରେ ଉପବିଜେତା ରହିଥିଲା । ସ୍ପେନର ମନୋଲୋ ମରକୁ୍ୟଜଙ୍କ ଇସ୍ତଫା ପରେ ଭାରତୀୟ ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଖାଲି ପଡ଼ିଥିଲା ।
…..
14.
ଶେୟାର ବଜାରରେ ବଡ଼ ହ୍ରାସ
ମାସର ପ୍ରଥମ କାରବାର ଦିନରେ ଘରୋଇ ଶେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଆମେରିକାର ଶୁଳ୍କ ନୀତିକୁ ନେଇ ଚିନ୍ତା ଏବଂ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଯୋଗୁଁ ନିବେଶକଙ୍କ ମନୋବଳ ଦୁର୍ବଳ ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୫୮୬ ପଏଣ୍ଟ ଖସି ୮୦,୬୦୦ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୦୩ ପଏଣ୍ଟ ହ୍ରାସ ପାଇ ୨୪,୫୬୫ ସ୍ତରରେ ବନ୍ଦ ହୋଇଛି। ଛୋଟ ଓ ମଧ୍ୟମ କମ୍ପାନୀଗୁଡ଼ିକର ସୂଚକାଙ୍କରେ ମଧ୍ୟ ଅଧିକ ହ୍ରାସ ଦେଖାଯାଇଥିଲା। ସନ ଫାର୍ମା, ଟାଟା ଷ୍ଟିଲ୍ ଓ ମାରୁତି ଭଳି କମ୍ପାନୀର ଶେୟାର ମୂଲ୍ୟ କମିଥିବା ବେଳେ ଟ୍ରେଣ୍ଟ, ଏସିଆନ ପେଣ୍ଟସ୍ ଓ ହିନ୍ଦୁସ୍ତାନ ୟୁନିଲିଭରର ଶେୟାର ମୂଲ୍ୟ ବୃଦ୍ଧି ପାଇଛି। ଏଫଏମସିଜି ବ୍ୟତୀତ ଅନ୍ୟ ସମସ୍ତ ସେକ୍ଟରରେ ହ୍ରାସ ପରିଲକ୍ଷିତ ହୋଇଥିଲା।
…..
15.
ପୁଣି ନିର୍ବାଚନ କମିଶନଙ୍କ ବିରୋଧରେ ରାହୁଲଙ୍କ ଅଭିଯୋଗ, କମିଶନ କହିଲେ ଭିତ୍ତିହୀନ
ବିହାରର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ପୁଣି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । କମିଶନ ଭୋଟ ଚୋରି କରୁଥିବା ସେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶ ନିର୍ବାଚନ, ଲୋକସଭା ଭୋଟ ଏବଂ ମହାରାଷ୍ଟ୍ର ନିର୍ବାଚନରେ ଏହା କରାଯାଇଛି । ୬ ମାସ ଯାଞ୍ଚ କରିବା ପରେ ଏବେ ଆଣବିକ ବୋମା ମିଳିଛି । ବୋମା ବିସ୍ଫୋରଣ ହେଲେ ନିର୍ବାଚନ କମିଶନ ରକ୍ଷା ପାଇବେ ନାହିଁ । କମିଶନରେ ଯେଉଁମାନେ ଏଭଳି କାମରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ରାହୁଲ କହିଛନ୍ତି । ଅପରପକ୍ଷରେ କମିଶନ କହିଛନ୍ତି, ରାହୁଲଙ୍କୁ ଆଲୋଚନା ପାଇଁ ଡାକିଲେ ବି ଆସୁନାହାନ୍ତି । କେବଳ ମନ ଇଚ୍ଛା ଭିତ୍ତିହୀନ ଅଭିଯୋଗ କରିଚାଲିଛନ୍ତି ।
…
16.
ସପା ସାଂସଦଙ୍କ ସହ କ୍ରିକେଟର ରିଙ୍କୁଙ୍କ ନିର୍ବନ୍ଧ, ଇସି ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇଲେ
କ୍ରିକେଟର ରିଙ୍କୁ ସିଂହଙ୍କୁ ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇ ଦେଇଛନ୍ତି ନିର୍ବାଚନ କମିଶନ । ସେ ୟୁଥ୍ ଆଇକନ୍ ଭାବେ ଭୋଟର ସଚେତନତା ଅଭିଯାନ ସହ ଜଡ଼ିତ ଥିଲେ । ସପା ସାଂସଦଙ୍କ ସହ ରିଙ୍କୁଙ୍କର ନିର୍ବନ୍ଧ ହେବା ପରେ କମିଶନ ଏହି ପଦକ୍ଷେପ ନେଇଛନ୍ତି । କମିଶନ କହିଛନ୍ତି, ରିଙ୍କୁ ଉତ୍ତମ ବ୍ୟକ୍ତି ହୋଇଥିଲେ ମଧ୍ୟ ନିରପେକ୍ଷତା ପାଇଁ ଏହି ପଦକ୍ଷେପ ଜରୁରୀ । ରିଙ୍କୁଙ୍କ ନିର୍ବନ୍ଧ ନିକଟରେ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ହୋଇଛି ।
…
17.
ଜାତୀୟ ଚଳଚ୍ଚିତ୍ର ପୁରସ୍କାର; ଶାହରୁଖ, ବିକ୍ରମ ମେସି, ରାଣୀ ମୁଖାର୍ଜୀ ଶ୍ରେଷ୍ଠ
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜୱାନ ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନଙ୍କୁ ଏବଂ ଟ୍ୱେଲଥ ଫେଲ ଚଳଚ୍ଚିତ୍ର ପାଇଁ ବିକ୍ରମ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ମିସେସ୍ ଚାଟାର୍ଜୀ ଆଣ୍ଡ ନରେୱ ଚଳଚ୍ଚିତ୍ର ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ । କଥଲ ହିନ୍ଦୀ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି । ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଦ କେରଳ ଷ୍ଟୋରୀକୁ ପୁରସ୍କାର ମିଳିବ । ଆନିମେସନ କ୍ଷେତ୍ରରେ ହନୁମାନ ଶ୍ରେଷ୍ଠ ବିବେଚିତ ହୋଇଛି । ଶ୍ରେଷ୍ଠ ନିଦେ୍ର୍ଦଶନା ପାଇଁ ଦ ଫାର୍ଷଟ ଫିଲ୍ମ ର ନିଦେ୍ର୍ଦଶକ ପିୟୁଷ ଠାକୁର ଚୟନ ହୋଇଛନ୍ତି ।
…
18.
ବାଂଲା ମାନଚିତ୍ରରେ ଓଡ଼ିଶା ସମେତ ୭ ରାଜ୍ୟ, ରାଜ୍ୟସଭାରେ ଉଠିଲା ପ୍ରସଙ୍ଗ
ବାଂଲାଦେଶର ଏକ ନୂଆ ମାନଚିତ୍ର ପ୍ରକାଶ ପାଇଛି । ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା, ବିହାର, ଝାଡ଼ଖଣ୍ଡର କେତେକ ଅଂଶ ଥିବା ଦେଖିବାକୁ ମିଳିଛି । ରାଜ୍ୟସଭାରେ ଶୁକ୍ରବାର କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ଏହି ପ୍ରସଙ୍ଗ ଉଠାଇଥିଲେ । ବିଦେଶ ମନ୍ତ୍ରୀ ଡ. ଜୟଶଙ୍କର ଏହି ପ୍ରସଙ୍ଗରେ ଉତ୍ତର ରଖି କହିଥିଲେ, ବିବାଦୀୟ ମାନଚିତ୍ର ଇସଲାମିକ ଗ୍ରୁପ୍ ‘ସଲତନତ-ଏ-ବାଂଲା’ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହାକୁ ତୁର୍କୀର ଏକ ଏନଜିଓ ମଧ୍ୟ ସମର୍ଥନ କରିଛି । ନିକଟରେ ଢାକା ବିଶ୍ୱବିଦ୍ୟାଳୟର ଏକ ପ୍ରଦର୍ଶନୀରେ ଏହାକୁ ଦେଖାଯାଇଥିଲା । ଏଭଳି ଘଟଣା ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି ।
…
19.
ଦେଶରେ ବୃଦ୍ଧି ପାଉଛି ସାଇବର ଠକେଇ, ବର୍ଷକରେ ୨୩ ହଜାର କୋଟି ଲୁଟ୍
ଦେଶରେ ସାଇବର ଠକଙ୍କ ଉତ୍ପାତ ବଢ଼ି ଚାଲିଛି । ୨୦୨୪ ମସିହା ଗୋଟିଏ ବର୍ଷରେ ସାଇବର ଠକ ମାନେ ୨୩ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି । ଡାଟା ଲିଡସ ନାମକ କମ୍ପାନି ଏହି ତଥ୍ୟ ପ୍ରକାଶ କରିଛି । ଚଳିତ ବର୍ଷ ମଧ୍ୟ ଏହି ଠକେଇ ବଢ଼ି ଚାଲିଛି । ଏହାର ପରିମାଣ ୧.୨ ଲକ୍ଷ କୋଟିକୁ ଛୁଇଁବା ଆଶଙ୍କା କରାଯାଉଛି । ସାଇବର ଠକ ୨୦୨୩ରେ ୭୪୬୫ କୋଟି, ୨୦୨୨ରେ ୨୩୦୬ କୋଟି ଟଙ୍କା ଠକି ନେଇଛନ୍ତି । ୨୦୨୪ ମସିହାରେ ୨୦ ଲକ୍ଷ ସାଇବର ଠକେଇ ମାମଲା ହୋଇଛି । ଯଦିଓ ୨୦୨୩ରେ ଏହି ସଂଖ୍ୟା ଥିଲା ୧୫ ଲକ୍ଷ ୬୦ ହଜାର ।
…
20
ରାଜନୀତି ଛାଡ଼ିବେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍
ରାଜନୀତିକୁ ଗୁଡବାଏ କହିବେ କମଳା ହାରିସ୍ । ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ନେତ୍ରୀ କମଳା ହାରିସ୍ । ସେ ଭବିଷ୍ୟତରେ କୌଣସି ରାଜନୈତିକ ପଦ ପାଇଁ ନିର୍ବାଚନ ଳଢ଼ିବେନି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେରିକାରେ ରାଜନୈତିକ ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି । ଗଣତାନ୍ତ୍ରିକ ମୂଲ୍ୟର ରକ୍ଷା କରିବାରେ ସେ ଆଉ ସକ୍ଷମ ନାହାନ୍ତି । ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ପର୍ଯ୍ୟାପ୍ତ କ୍ଷମତା ନାହିଁ । ତେଣୁ ସେ ରାଜନୀତି ମୈଦାନକୁ ଆଉ ଓହ୍ଲାଇବେ ନାହିଁ । କିନ୍ତୁ ପରିବର୍ତ୍ତନ ପାଇଁ ସର୍ବଦା ଲଢ଼େଇ ଜାରି ରଖିବେ ।
…
21.
୬୯ଟି ଦେଶ ପାଇଁ ଟ୍ରମ୍ପ ଘୋଷଣା କଲେ ଶୁଳ୍କ, ଅଗଷ୍ଟ ୭ରୁ ହେବ ଲାଗୁ
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସବୁଦିନ ନୂଆ ନୂଆ ରୂପ ଦେଖାଉଛନ୍ତି । ଏବେ ସେ ୬୯ଟି ଦେଶ ଏବଂ ଇଉରୋପିଆନ ୟୁନିଅନର ସଦସ୍ୟ ଥିବା ୨୭ଟି ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି । ଏହା ଆସନ୍ତା ୭ ତାରିଖରୁ ଲାଗୁ ହେବ । ତାଲିକାରେ ନଥିବା ଦେଶ ଗୁଡ଼ିକ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ । ବ୍ରାଜିଲ ପାଇଁ ଘୋଷଣା ହୋଇଛି ୫୦ ପ୍ରତିଶତ ଶୁଳ୍କ । ସିରିଆ ଉପରେ ୪୧ ପ୍ରତିଶତ, ସୁଇଜରଲାଣ୍ଡ ଉପରେ ୩୯ ପ୍ରତିଶତ, ଲାଓସ ଓ ମ୍ୟାନମାର ଉପରେ ୪୦ ପ୍ରତିଶତ, ଇରାକ ଓ ସର୍ବିଆ ଉପରେ ୩୫ ପ୍ରତିଶତ, ଲିବ୍ୟା ଓ ଆଲେଜେରିଆ ଉପରେ ୩୦ ପ୍ରତିଶତ ଏବଂ ପାକିସ୍ତାନ ଉପରେ ୧୯ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି ।
…
22.
ଅଗଷ୍ଟ ୩୧ରେ ହେବ ସ୍ପେଶାଲ ଓଟିଇଟି, ୭୫ ହଜାର ଶିକ୍ଷକ ଦେବେ ପରୀକ୍ଷା
ସ୍ପେଶାଲ ଓଟିଇଟି ପରୀକ୍ଷା ଗତ ଜୁଲାଇ ୨୦ ତାରିଖରେ ହେବାର ଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ପାଇଁ ୧୯ ତାରିଖ ରାତିରେ ଏହା ବାତିଲ ହୋଇଥିଲା । ଏହି ପରୀକ୍ଷା ଆସନ୍ତା ୩୧ ତାରିଖରେ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ପୂର୍ବରୁ ଆବେଦନ କରିଥିବା ୭୫ ହଜାର ୪୦୩ ଜଣ ଇନ୍ ସର୍ଭିସ ଶିକ୍ଷକ ହିଁ କେବଳ ଏହି ପରୀକ୍ଷା ଦେଇପାରିବେ । ପୂର୍ବରୁ ସ୍ଥିର ହୋଇଥିବା ୩୦ଟି ଜିଲ୍ଲାର ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ ।
…
23.
ଲଦାଖରେ ମିଳିଲା ପୃଥିବୀରେ ଜୀବନ ସୃଷ୍ଟିର ସୂତ୍ର
ଭାରତୀୟ ବୈଜ୍ଞାନିକମାନେ ପୃଥିବୀରେ ଜୀବନ କିପରି ଆରମ୍ଭ ହେଲା, ସେହି ରହସ୍ୟ ଉପରୁ ପରଦା ହଟାଇବା ଦିଗରେ ଏକ ବଡ଼ ସଫଳତା ପାଇଛନ୍ତି। ଲଦାଖର ପୁଗା ଘାଟିରେ ଥିବା ଗରମ ପାଣି ଝରଣାରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଛନ୍ତି। ଗବେଷକମାନେ ଏଠାରେ ଥିବା କ୍ୟାଲସିୟମ୍ କାର୍ବୋନେଟ୍ (ଚୂନ ପଥର) ଜମାଟ ଭିତରୁ ଜୀବନ ସୃଷ୍ଟି ପାଇଁ ଆବଶ୍ୟକ ମୌଳିକ ଉପାଦାନ, ଯେପରିକି ଆମିନୋ ଏସିଡ୍, ପାଇଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ପୁଗା ଘାଟିର ପରିବେଶ ଆଦିମ ପୃଥିବୀର ପରିବେଶ ଭଳି, ଯେଉଁଠାରେ ଜୀବନର ପ୍ରଥମ ଅଣୁ ସୃଷ୍ଟି ହୋଇଥିଲା। ଏହି ଆବିଷ୍କାର ଦର୍ଶାଉଛି ଯେ, ଚୂନ ପଥର ଜୀବନର ଏହି ଉପାଦାନଗୁଡ଼ିକୁ ଲକ୍ଷ ଲକ୍ଷ ବର୍ଷ ଧରି ସୁରକ୍ଷିତ ରଖିପାରେ। ଏହା କେବଳ ପୃଥିବୀ ନୁହେଁ, ମଙ୍ଗଳ ଗ୍ରହରେ ମଧ୍ୟ ଜୀବନର ସନ୍ଧାନ ପାଇଁ ନୂଆ ରାସ୍ତା ଦେଖାଇଛି।
…..
24.
ଚାଟଜିପିଟି ବ୍ୟବହାରକାରୀଙ୍କ ପାଇଁ ସତର୍କ ସୂଚନା
ଯଦି ଆପଣ ଚାଟଜିପିଟି ବ୍ୟବହାର କରୁଛନ୍ତି, ତେବେ ସାବଧାନ! ଆପଣଙ୍କର ବ୍ୟକ୍ତିଗତ ଓ ଗୋପନୀୟ କଥାବାର୍ତ୍ତା ଏବେ ଗୁଗୁଲ ସର୍ଚ୍ଚରେ ଦେଖାଯାଇପାରେ। ଚାଟଜିପିଟିର ‘ସେୟାର’ ବଟନ ବ୍ୟବହାର କରି କଥାବାର୍ତ୍ତା ସେୟାର କଲେ, ଗୁଗୁଲ ତାହାକୁ ନିଜ ସର୍ଚ୍ଚ ରେଜଲ୍ଟରେ ସାମିଲ କରୁଛି। ଏହାଦ୍ୱାରା ଅନେକ ଲୋକ ଅଜାଣତରେ ନିଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସାର୍ବଜନୀନ କରିଦେଉଛନ୍ତି। ଫଳରେ କମ୍ପାନୀର ବ୍ୟବସାୟିକ ଯୋଜନା, ଗ୍ରାହକଙ୍କ ତଥ୍ୟ, ଏବଂ ବ୍ୟକ୍ତିଗତ ସୂଚନା ମଧ୍ୟ ସର୍ବସାଧାରଣରେ ପ୍ରଘଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦ୍ୱନ୍ଦ୍ୱୀମାନେ ଏହାର ଫାଇଦା ଉଠାଇପାରନ୍ତି। ତେଣୁ, କୌଣସି ଗୋପନୀୟ ତଥ୍ୟ ଚାଟଜିପିଟିରେ ଆଲୋଚନା କରିବା ବେଳେ ସତର୍କ ରହିବାକୁ ଏବଂ ‘ସେୟାର’ ବଟନ ବ୍ୟବହାର ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
….
25.
କ୍ୟାବିନେଟ ନିଷ୍ପତ୍ତି: ଆଡିବନ୍ଧ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨,୭୩୮ କୋଟି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିଲା କ୍ୟାବିନେଟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା-୩ କୁ ଅନୁମୋଦନ ମିଳିଛି । ଏହି ଯୋଜନାର ଅବଧି ୫ ବର୍ଷ ବୃଦ୍ଧି କରାଯାଇଛି । ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ଏହି ଯୋଜନାରେ ୨,୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଯୋଜନା ଦ୍ୱାରା ୫୭ ହଜାର ୫୩୫ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ରାଜ୍ୟ ସରକାର ୩,୩୧୩ ଟି ନୂଆ ଆଡିବନ୍ଧ ନିର୍ମାଣ କରିବା ସହ ଅଚଳ ଥିବା ୩,୫୨୯ଟି ଆଡ଼ିବନ୍ଧ ମରାମତି ପାଇଁ ସ୍ଥିର କରିଛନ୍ତି ।
…
26.
ରିଜର୍ଭ ବ୍ୟାଙ୍କ ବିଶେଷଜ୍ଞଙ୍କ ତଦାରଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଶେଷ ହୋଇଛି । ଏବେ ଅସ୍ଥାୟୀ କୋଠରୀରେ ରତ୍ନଭଣ୍ଡାରର ବହୁମୂଲ୍ୟ ଅଳଙ୍କାର ଗୁଡ଼ିକ ରହିଛି । ଏହାର ଗଣତିମଣତି ପରେ ସେଗୁଡ଼ିକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ରତ୍ନଭଣ୍ଡାର ଗଣତି ପାଇଁ ଦୁଇ ଜଣ ବିଶେଷଜ୍ଞ ନିଯୁକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି କରାଯାଇଥିଲା । ଆରବିଆଇ ଏଥିପାଇଁ ସମ୍ମତି ଦେଇଛି । ଦୁଇଜଣ ବିଶେଷଜ୍ଞଙ୍କ ନାମ ସ୍ଥିର କରାଯାଇଛି । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ରତ୍ନଭଣ୍ଡାର ଗଣତିମଣତି ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି ।
…
27.
ପ୍ରତି ଜିଲ୍ଲାରେ ରହିବେ ଶକ୍ତି ଅପା, କଲେଜରେ ରହିବେ ଶକ୍ତିଶ୍ରୀ ସଂଯୋଜିକା
ରାଜ୍ୟ ସରକାର ଶକ୍ତିଶ୍ରୀ ଯୋଜନାକୁ ତ୍ୱରାନ୍ୱିତ କରିବେ । ପ୍ରତି ଜିଲ୍ଲାରେ ୫ ଜଣ ମହିଳା ଅଧିକାରୀଙ୍କୁ ‘ଶକ୍ତି ଅପା’ ଭାବେ ନିୟୋଜିତ କରାଯିବ । ଏମାନଙ୍କୁ ଜିଲ୍ଲାପାଳ ଚୟନ କରିବେ । ଏମାନଙ୍କ ମଧ୍ୟରେ ଜଣେ ସାମାଜିକ କର୍ମୀ ମଧ୍ୟ ଥିବେ । ଆଇନ ଓ ସାଇବର ସିକୁ୍ୟରିଟି ଏକ୍ସପର୍ଟ, ମନସ୍ତତ୍ୱ କାଉନସେଲର ମଧ୍ୟ ରହିବେ । ପ୍ରତି ୩ ମାସରେ ଏମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ଆସନ୍ତା ୨୦ ତାରିଖ ସୁଦ୍ଧା ନାମ ଚୟନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଂଯୋଜିକା’ ରହିବେ । କଲେଜର ଜଣେ ଅଧ୍ୟାପିକାଙ୍କୁ ଏହି ଦାୟିତ୍ୱରେ ରଖାଯିବ । ଛାତ୍ରୀଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତିକରଣକୁ ଏମାନେ ଦୃଷ୍ଟି ଦେବେ ।
…
28.
ଜୁଲାଇ ମାସରେ ଓଡ଼ିଶାରେ ୪,୯୯୧ କୋଟି ଟଙ୍କାର ଜିଏସଟି ସଂଗ୍ରହ
ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ସରକାର ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ କରିଛନ୍ତି । ଏହି ପରୋକ୍ଷ ଟିକସ ଆଦାୟ ୭.୫ ପ୍ରତିଶତ ବୃଦ୍ଧି ପାଇଥିବା ଅର୍ଥ ମନ୍ତ୍ରାଳୟ କହିଛି । ୨୦୨୪ ଜୁଲାଇରେ ୧.୮୨ ଲକ୍ଷ କୋଟି ଆଦାୟ ହୋଇଥିଲା । ଓଡ଼ିଶାରେ ମଧ୍ୟ ଜିଏସଟି ଆଦାୟ ବୃଦ୍ଧି ପାଇଛି । ଜୁନ ମାସରେ ୪,୯୨୫ କୋଟି ଟଙ୍କା ଆଦାୟ ହୋଇଥିଲା । ଜୁଲାଇରେ ୧ ପ୍ରତିଶତ ବୃଦ୍ଧି ପାଇ ୪,୯୯୧ କୋଟି ଆଦାୟ ହୋଇଛି ।
…
29.
ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ବର୍ଗରେ ପୁଷ୍କରା ଶ୍ରେଷ୍ଠ
ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇଁ ମନୋନୀତ ହୋଇଛି । ରଜତ କମଳ ପୁରସ୍କାର ସ୍ୱରୂପ ଏହାର ପ୍ରଯୋଜକ ଓ ନିଦେ୍ର୍ଦଶକଙ୍କୁ ସ୍ମୃତିଫଳକ ସହ ୨ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ତରଙ୍ଗ ସିନେ ପ୍ରଡକ୍ସନ ଓ ଶୁଭ୍ରାଂଶୁ ଦାସଙ୍କ ନିଦେ୍ର୍ଦଶିତ ଏହି ଚଳଚ୍ଚିତ୍ର ୨୦୨୩ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା । ସିନେମାଟୋଗ୍ରାଫି ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିବା ‘ଦ କେରଳ ଷ୍ଟୋରୀ’ର ଫଟୋଗ୍ରାଫର ଓଡ଼ିଆ ପୁଅ ପ୍ରଶାନ୍ତନୁ ମହାପାତ୍ର ମଧ୍ୟ ପୁରସ୍କୃତ ହେବେ । ଅନ୍ୟ ଏକ ବର୍ଗରେ ଏକ ଇଂରାଜି ଚଳଚ୍ଚିତ୍ର ସହ ଯୁଗ୍ମ ଭାବେ ଓଡ଼ିଆ ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’ ମଧ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛି । ସ୍ୱତନ୍ତ୍ର ବର୍ଗରେ କେନ୍ଦ୍ରାପଡ଼ାର ସାତଭାୟା ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ଦ ସି ଆଣ୍ଡ ସେଭେନେ ଭିଲେଜେସ୍’ ମଧ୍ୟ ପୁରସ୍କୃତ ହେବ । ଫିଚର ଫିଲ୍ମ ଜୁରୀରେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ସିନେ ସାମ୍ବାଦିକ ଅଶୋକ ପାଲିତ ରହିବା ମଧ୍ୟ ଗୌରବର ବିଷୟ ।
…
30.
ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତ ୫୨ ରନରେ ଆଗୁଆ
ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଏକ ମଜବୁତ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୭୫ ରନ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ୨୪୭ ରନ କରିବାକୁ ସକ୍ଷମ ହୋଇଥିଲା, ଯାହାଫଳରେ ସେମାନେ ୨୩ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଥିଲେ। ବର୍ତ୍ତମାନ ଭାରତ ମୋଟ ଉପରେ ୫୨ ରନରେ ଆଗୁଆ ରହିଛି ଏବଂ ହାତରେ ୮ ୱିକେଟ ବାକି ଅଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ଆଗରେ ରହିଛି।