1.
ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିଦେ୍ର୍ଦଶ
୨୦୨୨ ମସିହାରେ ନୀଳଗିରିରେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ପୁଲିସ । ଲୋକନାଥ ଦଳେଇ ନାମକ ସାମ୍ବାଦିକଙ୍କର ଜଣେ ଗୃହରକ୍ଷୀଙ୍କ ସହ ବିବାଦ ହୋଇଥିଲା । ପୁଲିସ ମିଥ୍ୟା ମାମଲା କରି ଲୋକନାଥଙ୍କୁ ଗିରଫ କରିଥିଲା । ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଗୋଡ଼ରେ ବେଡ଼ି ପକାଇ ହସପିଟାଲରେ ରଖାଯାଇଥିଲା । ଏହାର ଦୃଶ୍ୟ ସେତେବେଳେ ଭାଇରଲ ହୋଇଥିଲା । ପରେ କୋର୍ଟରୁ ଲୋକନାଥଙ୍କୁ ଜାମିନ ମିଳିଥିଲା । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ ସାମ୍ବାଦିକ ଲୋକନାଥଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ପରେ ଅଭିଯୁକ୍ତ ପୁଲିସମାନଙ୍କ ଦରମାରୁ ଏହା ଭରଣା କରିବାକୁ ମଧ୍ୟ ଆୟୋଗ କହିଛନ୍ତି ।
…
2.
ସମୁଦ୍ରର ଲୁଣି ପାଣି ହେବ ମଧୁର ଜଳ, ଛତ୍ରପୁରରେ ହେଲା ପ୍ରକଳ୍ପର ଶୁଭାରମ୍ଭ
ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ପରିଣତ କରି ବଣ୍ଟନ ହେବ । ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଆଇଆରଇଏଲ ଲିମିଟେଡ ପରିସରରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ବିଶୋଧନ ପ୍ରକଳ୍ପକୁ ରବିବାର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଗତ ୫୦ ବର୍ଷ ଧରି ଆଇଆରଏଲ ବିରଳ ମୃତ୍ତିକା କ୍ଷେତ୍ରରେ କାମ କରୁଛି । ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ନିଜସ୍ୱ ଟେକ୍ନୋଲୋଜି ମାଧ୍ୟମରେ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୁଣି ପାଣିକୁ ବିଶୁଦ୍ଧ ପାନୀୟ ଜଳ କରିବା ଟେକ୍ନୋଲୋଜି ଆରମ୍ଭ କରିଥିଲା ପ୍ରତି ଲିଟର ଜଳ ପିଛା ୧୧ ପଇସା ଖର୍ଚ୍ଚ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
….
3.
ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ଫାଷ୍ଟାଗ୍ ବାର୍ଷିକ ପାସ୍ ଯୋଜନା, ପଡ଼ିବ ୩ ହଜାର ଟଙ୍କା
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଆରମ୍ଭ କରୁଛି ବାର୍ଷିକ ଫାଷ୍ଟାଗ୍ ପାସ୍ ଯୋଜନା । ଏହା ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ ହେବ । ଏଥିପାଇଁ ନୂଆ ଫାଷ୍ଟାଗ ଆବେଦନ କରିବା ଆବଶ୍ୟକ ନାହିଁ । ଆପଣଙ୍କର ପୁରୁଣା ଫାଷ୍ଟାଗ ସହ ଏହି ପାସ୍ ଯୋଡ଼ି ହୋଇଯିବ । ଏଥିପାଇଁ ୩ ହଜାର ଟଙ୍କା ଦେବାକୁ ପଡ଼ିବ । ଏହା କେବଳ ପ୍ରାଇଭେଟ କାର, ଭ୍ୟାନ୍, ଜିପ୍ ଆଦି ଗାଡ଼ି ପାଇଁ ଉପଲବ୍ଧ । ଏହି ପାସ୍ ର ଅବଧି ଏକ ବର୍ଷ କିମ୍ବା ସର୍ବାଧିକ ୨ଶହ ଥର ଟୋଲଗେଟ୍ ଅତିକ୍ରମ । ରାଜମାର୍ଗ ଯାତ୍ରା ଆପ୍ ଏବଂ ଏନଏଚଏଆଇ ୱେବସାଇଟରେ ଏହା ଉପଲବ୍ଧ ହେବ । କେବଳ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେରେ ଥିବା ଟୋଲ ଗେଟରେ ଏହା କାମ କରିବ, ରାଜ୍ୟ ରାଜପଥ ପାଇଁ ନୁହେଁ ।
…
4.
ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବ ଇଣ୍ଡିଆ ମେଣ୍ଟ
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି । ଶାସକ ଏନଡିଏ ମେଣ୍ଟ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ବିରୋଧୀର ଇଣ୍ଡିଆ ମେଣ୍ଟ ପକ୍ଷରୁ ମିଳିତ ପ୍ରାର୍ଥୀ ଦେବାକୁ ଯୋଜନା ହୋଇଛି । ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ନିର୍ବାଚନର ଫଳ ଯାହା ହେଲେ ବି ପ୍ରାର୍ଥୀ ଦିଆଯିବ । ଏହା ଏକ ରାଜନୈତିକ ବାର୍ତ୍ତା ସୃଷ୍ଟି କରିପାରିବ । ତେବେ ଅନେକ ସହଯୋଗୀ ଦଳ ନେତାଙ୍କ ମତ, ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଚୟନ କରୁ । ଗତ ଗୁରୁବାର ଦିନ ପ୍ରାୟ ୨୫ଟି ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ଡିନର ପାର୍ଟିରେ ଏ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି ।
…
5.
ହିମାଚଳରେ ମୌସୁମୀ ବର୍ଷାରେ ମଲେଣି ୨୧୯, ପୁଣି ରେଡ ଆଲର୍ଟ ଜାରି
ଆସନ୍ତା ଚାରି ଦିନ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । କିନ୍ତୁ ଏହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । କାରଣ ଚଳିତ ମୌସୁମୀ ଋତୁରେ ବର୍ଷା ଜନିତ ଅଘଟଣ ରାଜ୍ୟରେ ୨୧୯ ଜୀବନ ନେଇସାରିଲାଣି । ଜୁନ୍ ୨୦ ତାରିଖରୁ ଏ ପର୍ଯ୍ୟନ୍ତ ରାଜ୍ୟର ୧୯୮୮ କୋଟି ଟଙ୍କାର କ୍ଷତି ହେଲାଣି । ରାଜ୍ୟର ୩୬୦ଟି ରାସ୍ତା ଏବେ ବନ୍ଦ ରହିଛି । କେବଳ ମଣ୍ଡି ଜିଲ୍ଲାରେ ସର୍ବାଧିକ ୨୧୪ଟି ରାସ୍ତା ବନ୍ଦ ଅଛି । ରାଜ୍ୟରେ ୧୪୫ଟି ଟ୍ରାନ୍ସଫର୍ମରରୁ ବିଦୁ୍ୟତ ଯୋଗାଣ ବ୍ୟାହତ ହୋଇଛି । ୫୨୦ଟି ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଛି । ଜୁନ ୧ରୁ ଅଗଷ୍ଟ ୧୦ ମଧ୍ୟରେ ରାଜ୍ୟରେ ୫୧୦ ମିଲିମିଟର ବର୍ଷା ହୋଇଛି ।
..
6.
ସୁପ୍ରିମ କୋର୍ଟଙ୍କୁ ଜଣାଇଲେ ଇସି; ବିନା ନୋଟିସରେ କାହାକୁ ବିହାର ଭୋଟର ତାଲିକାରୁ ବାଦ୍ ଦିଆଯିବନି
ଚଳିତ ବର୍ଷ ଶେଷ ଭାଗରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ସ୍ୱତନ୍ତ୍ର ଭୋଟର୍ ତାଲିକା ଯାଞ୍ଚ ପ୍ରକ୍ରିୟା ତଥା ଏସଆଇଆରକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ବିରୋଧୀ ବିକ୍ଷୋଭ କରୁଛନ୍ତି । ଏପରି ସମୟରେ ନିର୍ବାଚନ କମିଶନର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ‘ଏଥିରେ ବିନା ନୋଟିସରେ କୌଣସି ଭୋଟରଙ୍କ ନାମକୁ ତାଲିକାରୁ ବାଦ ଦିଆଯିବ ନାହିଁ । ବ୍ୟକ୍ତିଙ୍କ ପକ୍ଷ ଶୁଣିବା ପାଇଁ ଥରେ ସୁଯୋଗ ଦିଆଯିବ’ ବୋଲି ଇସି ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି । ଇସିଙ୍କ ପକ୍ଷରୁ କୁହାଯାଇଛି, ଏହି ପ୍ରକ୍ରିୟାକୁ ବିରୋଧ କରୁଥିବା ଆବେଦନକାରୀ କୋର୍ଟଙ୍କୁ ଭ୍ରମିତ କରିବାକୁ ଚାହୁଁଛନ୍ତି । ତେଣୁ ଏହି ପ୍ରୟାସ ପାଇଁ ସେମାନଙ୍କ ଉପରେ ବିପୁଳ ଜରିମାନା ଲଗାଯାଉ ।
…
7.
ଭାରତ ପାଇଁ ବାୟୁସୀମା ବନ୍ଦ କରି ୧୨୪୦ କୋଟି ହରାଇଲାଣି ପାକିସ୍ତାନ
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ ପାଦରେ କୁରାଢ଼ୀ ମାରିଛି । ଭାରତୀୟ ବିମାନ ପାଇଁ ବାୟୁସୀମା ବନ୍ଦ କରି ଦିନକୁ କୋଟି କୋଟି ଟଙ୍କା ହରାଉଛି ପାକିସ୍ତାନ । ବାୟୁସୀମା ବନ୍ଦ କରିବା ଯୋଗୁ ପାକିସ୍ତାନ ଗତ ୨ ମାସରେ ୧୨୪୦ କୋଟି ଟଙ୍କା ହରାଇଥିବା ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ କହିଛନ୍ତି । ଗତ ଏପ୍ରିଲ ୩୦ରୁ ଜୁନ ୩୦ ମଧ୍ୟରେ ଦିନକୁ ପ୍ରାୟ ୧୦୦ରୁ ୧୫୦ ବିମାନ ଅନ୍ୟ ଆକାଶପଥ ମାର୍ଗରେ ଯାଉଛନ୍ତି । ପାକିସ୍ତାନ ଏୟାର ଟ୍ରାଫିକ ୨୦ ପ୍ରତିଶତ ହ୍ରାସ ପାଇଛି । ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଚୁକ୍ତିକୁ ରଦ୍ଦ କରିଦେଇଥିଲା । ପାଲଟା ଜବାବରେ ଏପ୍ରିଲ ୨୪ରୁ ପାକିସ୍ତାନ ନିଜ ବାୟୁସୀମାକୁ ବନ୍ଦ କରିଦେଇଥିଲା ।
..
8.
ଉତ୍ତରକାଶୀ ପୀଡ଼ିତଙ୍କୁ ଧୋକ୍କା ଦେଲେ ସରକାର; ୫ ଲକ୍ଷ କହି ଧରାଇଲେ ୫ ହଜାର
ନିକଟରେ ଅଚାନକ ବନ୍ୟା ଆସି ଉତ୍ତରକାଶୀର ଧରାଲି ଗ୍ରାମକୁ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି । ଲୋକେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଟିକେ ପାଉନାହାନ୍ତି । ଏପରିସ୍ଥଳେ ପୀଡ଼ିତଙ୍କୁ ଉତ୍ତରାଖଣ୍ଡ ବିଜେପି ସରକାର ବଡ଼ ଧୋକ୍କା ଦେଇଛନ୍ତି । ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହି ପ୍ରତି ପରିବାରକୁ ୫ ହଜାର ଟଙ୍କାର ଚେକ୍ ଧରାଇ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହାକୁ ତତକ୍ରାଳ ରିଲିଫ ବୋଲି କୁହାଯାଇଛି । କିନ୍ତୁ ଏହାକୁ ବିରୋଧ କରି ଧରାଲି ଓ ହର୍ଷିଲର ପୀଡ଼ିତ ପରିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କ ସମସ୍ୟାକୁ କମ୍ କରି ଆକଳନ କରିଛନ୍ତି’ ବୋଲି ପୀଡ଼ିତମାନେ ଅଭିଯୋଗ କରିଛନ୍ତି ।
…
9.
ଧନଖଡ଼ଙ୍କ ମାମଲାରେ ଦଳୀୟ ଆଭିମୁଖ୍ୟକୁ ନିନ୍ଦା କରି ବିଜେପି ପ୍ରବକ୍ତା ବହିଷ୍କୃତ
ଦଳରୁ ବହିଷ୍କୃତ ହୋଇଛନ୍ତି ରାଜସ୍ଥାନ ବିଜେପି ପ୍ରବକ୍ତା କୃଷ୍ଣ କୁମାର ଜାନୁ । ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ସ୍ୱର୍ଗୀୟ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପ୍ରତି ନିଜ ଦଳର ଆଭିମୁଖ୍ୟକୁ ସେ ନିନ୍ଦା କରିଥିଲେ । ତାଙ୍କୁ ୬ ବର୍ଷ ଲାଗି ଦଳରୁ ବହିଷ୍କୃତ କରାଯାଇଛି । ଜୁନ ୨୦ରେ କୃଷ୍ଣ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତାଙ୍କୁ ନିଜ ମନ୍ତବ୍ୟକୁ ନେଇ ବିସ୍ତୃତ ବିବରଣୀ ଦେବାକୁ କୁହାଯାଇଥିଲା । କିନ୍ତୁ ସେ ନିଜ କାର୍ଯ୍ୟର ବିସ୍ତୃତ ସୂଚନା ଦେଇପାରି ନ ଥିଲେ । ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସୋସିଆଲ ମିଡିଆରେ କୃଷ୍ଣ କୁମାର ବିଜେପିର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରିଥିଲେ ।
..
10.
ଦୁଇଟି ଭୋଟର ପରିଚୟ ପତ୍ରକୁ ନେଇ ବିବାଦରେ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା
ବିହାରରେ ଭୋଟର ପରିଚୟ ପତ୍ରକୁ ନେଇ ରାଜନୈତିକ ଲଢ଼େଇ ଜୋର୍ ଧରିଛି । ଦୁଇଟି ଭୋଟର ପରିଚୟ ପତ୍ର ଥିବାରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ଏପରି ସମୟରେ ଖୋଦ୍ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ପାଖରେ ମଧ୍ୟ ୨ଟି ଭୋଟର ପରିଚୟ ପତ୍ର ରହିଛି । ଏଥିରେ ଘର ଠିକଣା ଓ ବୟସ ମଧ୍ୟ ଭିନ୍ନ ଭିନ୍ନ ରହିଛି ବୋଲି ତେଜସ୍ୱୀ ପାଲଟା ଅଭିଯୋଗ କରିଛନ୍ତି । ବିଜୟଙ୍କର ଲଖିସରାଇରେ ଥିବା ଭୋଟର ପରିଚୟ ପତ୍ରରେ ବୟସ ୫୭ ବର୍ଷ ଏବଂ ବାଙ୍କିପୁର ବିଧାନସଭା କ୍ଷେତ୍ରରେ ଥିବା କାର୍ଡରେ ୬୦ ବର୍ଷ ଦର୍ଶାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ ଏହାର ପ୍ରମାଣ ଗଣମାଧ୍ୟମକୁ ଦେଖାଇଛନ୍ତି ।
..
11
ବେଙ୍ଗାଲୁରୁ ମେଟ୍ରୋର ୟେଲୋ ଲାଇନ ଉଦଘାଟନ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୨୨ ହଜାର କୋଟିରୁ ଊଦ୍ଧ୍ୱର୍ ହେବ । ଏଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ମେଟ୍ରୋର ୟେଲୋ ଲାଇନ ସାମିଲ ରହିଛି । ଏହା ଆରବି ରୋଡରୁ ବୋମସନ୍ଦ୍ରା ପର୍ଯ୍ୟନ୍ତ ଯିବ । ଏହି ମେଟ୍ରୋର ଲମ୍ବ ୧୯.୧୫ କିଲୋମିଟର । ଏଥିରେ ୧୬ଟି ଷ୍ଟେସନ ରହିଛି । ମେଟ୍ରୋ ରେଳ ନେଟୱର୍କ ୯୬ କିଲୋମିଟରକୁ ବୃଦ୍ଧି ପାଇଛି । ଏହି ପ୍ରକଳ୍ପ ପାଇଁ ୭ ହଜାର ୧୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଉଦଘାଟନ ପରେ ମୋଦି ଅନ୍ୟମାନଙ୍କ ସହ ଟ୍ରେନରେ ଯାତ୍ରା କରିଥିଲେ ।
..
12
ଦୁଇ ଜାପାନୀ ବକ୍ସରଙ୍କ ମୃତୁ୍ୟ, ଲଢ଼େଇ ସମୟରେ ମସ୍ତିଷ୍କରେ ଆଘାତ ପାଇଥିଲେ
ବକ୍ସିଂ ରିଙ୍ଗରୁ ଏକ ଦୁଃଖଦ ଖବର ଆସିଛି । ପୃଥକ ପୃଥକ ଲଢ଼େଇରେ ଦୁଇ ଜାପାନୀ ଯୁବ ବକ୍ସରଙ୍କ ମସ୍ତିଷ୍କ ଆଘାତରେ ବିୟୋଗ ଘଟିଛି । ସେମାନଙ୍କ ନାମ ସିଗେତୋଷି କୋତାରି ଓ ହିରୋମାସା ଉରାକାୱା । ଉଭୟଙ୍କ ବୟସ ୨୮ ବର୍ଷ । ଉଭୟ ଫିଦରୱେଟ ବର୍ଗରେ ଲଢ଼େଇ କରୁଥିଲେ । ଗତ ସପ୍ତାହରେ ଏହି ଲଢ଼େଇ ସମୟରେ ଉଭୟ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ବ୍ରେନ ସର୍ଜରୀ ହୋଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ବକ୍ସରଙ୍କ ବିୟୋଗ ଘଟିଥିବା ଜାପାନ ବକ୍ସିଂ କମିଶନଙ୍କ ପକ୍ଷରୁ କୁହାଯାଇଛି ।
..
13.
ଏସିଆନ ସର୍ଫିଂରେ ରମେଶଙ୍କୁ ଐତିହାସିକ କାଂସ୍ୟ
ଭାରତୀୟ କ୍ରୀଡ଼ା ଇତିହାସରେ ରବିବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି । ମହାବଳିପୁରମରେ ଚାଲିଥିବା ଏସିଆନ ସର୍ଫିଙ୍ଗ ଚାମ୍ପିଅନସିପରେ ରମେଶ ବୁଦିହାଲ ଐତିହାସିକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି ସମ୍ମାନଜନକ ସମୁଦ୍ର ଜଳକ୍ରୀଡ଼ାର ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ରମେଶ ୧୨.୬୦ ପଏଣ୍ଟ ରଖି ପୋଡିୟମର ୩ୟ ସ୍ଥାନ ହାସଲ କରିଥିଲେ । ଫଳରେ ଏସିଆନ ସର୍ଫିଙ୍ଗ ଇତିହାସରେ ଭାରତ ପାଇଁ ସର୍ବପ୍ରଥମ ବ୍ୟକ୍ତିଗତ ପଦକ ଜିତିଛି । ଦକ୍ଷିଣ କୋରିଆର କାନୋଆ ହିଜାଇ ୧୫.୧୭ ପଏଣ୍ଟ ସହ ସ୍ୱର୍ଣ୍ଣ ଓ ଇଣ୍ଡୋନେସିଆର ପାଜାର ଆରିୟାନ ୧୪.୫୭ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି ।
…
14.
ଅଗଷ୍ଟ ୧୩ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ-ଆରଏସଏସ ମୁଖ୍ୟ ମୋହନ ଭାଗବତ ଓଡ଼ିଶା ଗସ୍ତରେ ଆସିବେ । ଆସନ୍ତା ୧୩ ତାରିଖ ଦିନ ସେ ତିନି ଦିନିଆ ଗସ୍ତରେ ଆସିବେ । କାର୍ଯ୍ୟକ୍ରମ ଅନୁସାରେ ସେ ୧୩ ତାରିଖ ସନ୍ଧ୍ୟାରେ ପହଞ୍ଚିବେ । ୧୪ ତାରିଖରେ କଟକର ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଗୌଡ଼ିୟ ବୈଷ୍ଣବ ସମ୍ମିଳନୀରେ ସେ ଯୋଗ ଦେବେ । ସେହିଦିନ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଗୋବର୍ଦ୍ଧନ ପୀଠରେ ମଧ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୧୫ ତାରିଖରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ ।
…
15.
ସେନାମୁଖ୍ୟଙ୍କ ବୟାନ, ଖୁବ ଶୀଘ୍ର ହୋଇପାରେ ପରବର୍ତ୍ତୀ ଯୁଦ୍ଧ
‘ଅପରେସନ ସିନ୍ଦୂର’ରେ ସରକାର ଆମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ଆମେ ଚେସ୍ ଖେଳିବା ଭଳି ସ୍ଥିତିରେ ଥିଲୁ । ଶତ୍ରୁପକ୍ଷର ଚାଲ୍ ଆମକୁ ଜଣା ନଥିଲା କି ଆମ ପଦକ୍ଷେପ ସେମାନଙ୍କୁ ଜଣା ନଥିଲା । କିନ୍ତୁ ପରବର୍ତ୍ତୀ ଯୁଦ୍ଧ ଖୁବ ଶୀଘ୍ର ହୋଇପାରେ । ସେଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏହା କହିଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଗତ ୪ ତାରିଖରେ ଆଇଆଇଟି ମାଡ୍ରାସର ଏକ କାର୍ଯ୍ୟକ୍ରମରେ ସେ ଏହା କହିଥିଲେ । ତେବେ ଏହି ବୟାନର ଭିଡିଓ ଏବେ ପଦାକୁ ଆସିଛି । ସେ କହିଥିଲେ, ସେନାକୁ ଏଭଳି କ୍ଷମତା ଓ ଆତ୍ମବିଶ୍ୱାସ ପ୍ରଥମ ଥର ଦେଖିବାକୁ ମିଳିଥିଲା ।
…
16.
ଏକ ସମୟରେ ଆରବ ସାଗରରେ ଯୁଦ୍ଧାଭ୍ୟାସ କରିବେ ଭାରତ-ପାକିସ୍ତାନ
ଆରବ ସାଗରରେ ଦୁଇ ପାରମ୍ପରିକ ଶତ୍ରୁ ଦେଶ ଯୁଦ୍ଧାଭ୍ୟାସ କରିବେ । ଆଜିଠାରୁ ଭାରତର ନୌବାହିନୀ ଯୁଦ୍ଧାଭ୍ୟାସ ପାଇଁ ଚେତାବନୀ ଦେଇଛି । ପାକିସ୍ତାନ ନୌସେନା ମଧ୍ୟ ସେହି ସମୟରେ ସମରାଭ୍ୟାସ କରିବାକୁ ଚେତାବନୀ ଜାରି କରିଛି । ଓଖା, ପୋରବନ୍ଦର ଓ ମୋର୍ମୁଗୋଆ ନିକଟରେ ସମରାଭ୍ୟାସ କରିବାକୁ ଭାରତ ସୂଚନା ଜାରି ରହିଛି । ତିନୋଟି ବନ୍ଦରରେ ଯଥାକ୍ରମେ ୧୧, ୧୨ ଏବଂ ୧୩ ତାରିଖରେ ଭିନ୍ନ ଭିନ୍ନ ସମୟରେ ଏହି ଅଭ୍ୟାସ କରାଯିବ । ଅପରପକ୍ଷରେ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ସତର୍କତା ସୂଚନା ଅନୁସାରେ, ଆଜି ଗୋଟିଏ ଦିନ ସକାଳ ଏବଂ ଅପରାହ୍ଣରେ ଅଭ୍ୟାସ କରାଯିବ ।
…
17.
ଟ୍ରମ୍ପଙ୍କୁ ରାଜନାଥଙ୍କ କଟାକ୍ଷ, କିଛି ଲୋକ ଭାରତର ବିକାଶରେ ଦୁଃଖୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମଧ୍ୟପ୍ରଦେଶର ରାୟସେନଠାରେ ଏକ ଗ୍ରୀନଫିଲ୍ଡ ରେଳବଗି କାରଖାନାର ଶିଳାନ୍ୟାସ ଅବସରରେ ସେ ଏହା କହିଛନ୍ତି । ସେ କହିଥିଲେ, କିଛି ଲୋକ ନିଜକୁ ଦୁନିଆର ବସ୍ ଭାବୁଛନ୍ତି । ଭାରତର ବିକାଶ ସେମାନେ ପସନ୍ଦ କରନ୍ତି ନାହିଁ । ଭାରତ ଦିନେ ବିଶ୍ୱର ଏକ ବଡ଼ ଶକ୍ତି ଭାବେ ଉଭା ହେବ । ଆମେ ଏବେ ୨୪ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛୁ । ପହଲଗାମରେ ଆତଙ୍କୀ ଧର୍ମ ପଚାରି ଲୋକଙ୍କୁ ମାରିଥିଲେ । ଆମେ କର୍ମ ପଚାରି ମାରିଛୁ । ଶିଳାନ୍ୟାସ ହୋଇଥିବା ରେଳବଗି କାରଖାନାରେ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୫ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ ।
…
18.
ରାହୁଲଙ୍କୁ କର୍ଣ୍ଣାଟକ ନିର୍ବାଚନ ଅଧିକାରୀଙ୍କ ନୋଟିସ, ଦସ୍ତାବିଜ ଦାଖଲ କରିବାକୁ କହିଲେ
ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଆକ୍ଷେପ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ତେବେ କର୍ଣ୍ଣାଟକ ନିର୍ବାଚନ ଅଧିକାରୀ ରାହୁଲଙ୍କୁ ନୋଟିସ ପଠାଇଛନ୍ତି । ଗତ ୭ ତାରିଖର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦର୍ଶାଇଥିଲେ, ଶକୁର ରାଣୀ ନାମ୍ନୀ ମହିଳା ଦୁଇଥର ଭୋଟ ଦେଇଛନ୍ତି । ନିର୍ବାଚନ ଅଧିକାରୀଙ୍କ ତାଙ୍କ ଉତ୍ତରରେ କହିଛନ୍ତି, ଏହାର ତଦନ୍ତ କରାଯାଇଛି, ସଂପୃକ୍ତ ମହିଳା ଦୁଇଥର ଭୋଟ ଦେଇନାହାନ୍ତି । ରାହୁଲ ପ୍ରଦର୍ଶନ କରିଥିବା ଦସ୍ତାଜ୍ଜ୍ କୌଣସି ପୋଲିଂ ଅଫିସର ଦେଇନାହନା୍ତି । ତେଣୁ ରାହୁଲ ଉକ୍ତ ଦସ୍ତାବିଜକୁ ତୁରନ୍ତ କମିଶନଙ୍କ ନିକଟରେ ଦାଖଲ କରନ୍ତୁ । ଅନ୍ୟପକ୍ଷରେ ରାହୁଲ ମହାଦେବପୁରା ନିର୍ବାଚନମଣ୍ଡଳୀ ବାବଦରେ ଭୁଲ ତଥ୍ୟ କହିଥିବାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ।
…
19.
ଆମେରିକାକୁ ଜବାବ ଦେବ ଭାରତ, କିଛି ସାମଗ୍ରୀ ଉପରେ ଲାଗିପାରେ ୫୦ % ଶୁଳ୍କ
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛି । ଟ୍ରମ୍ପଙ୍କୁ ଜବାବ ଦେବାକୁ ଭାରତ ଯୋଜନା କରୁଥିବା ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ମୋଟ ୧୧ ଲକ୍ଷ କୋଟି ଟଙ୍କାର ଦ୍ୱିପାକ୍ଷିକ କାରବାର ହେଉଛି । ଆମେରିକା ଭାରତକୁ ୩.୪୬ ଲକ୍ଷ କୋଟିର ସାମଗ୍ରୀ ରପ୍ତାନି କରୁଛି । ଏହା ମଧ୍ୟରେ ରହିଛି, ଅଶୋଧିତ ତୈଳ, ହୀରା, କୋଇଲା, ମହାକାଶ ଯନ୍ତ୍ରଂଶ ଇତ୍ୟାଦି । ଭାରତ ଆମେରିକାକୁ ୭.୩୫ ଲକ୍ଷ କୋଟିର ସାମଗ୍ରୀ ରପ୍ତାନି କରୁଛି । ଏହା ମଧ୍ୟରେ ରହିଛି ଫାର୍ମାସୁ୍ୟଟିକାଲ ସାମଗ୍ରୀ, ଟେଲିକମ ଡିଭାଇସ, ଜୁଏଲାରୀ ଏବଂ ପୋଷାକ । ଭାରତ ଆମେରିକା ଉପରେ କେତେକ ସାମଗ୍ରୀ ଉପରେ ପାଲଟା ୫୦% ଶୁଳ୍କ ଲଗାଇବାକୁ ଚିନ୍ତା କରୁଛି ।
…
20.
ଜାପାନରେ ଜରୁରୀ ଅବତରଣ କଲା ବ୍ରିଟେନର ଏଫ-୩୫ ଯୁଦ୍ଧ ବିମାନ
କେରଳର ତିରୁବନନ୍ତପୁରମରେ ଗତ ଜୁନ୍ ୧୪ ତାରିଖରେ ବି୍ରଟେନର ଏକ ଏଫ-୨୫ ଯୁଦ୍ଧବିମାନ ଜରୁରୀ ଅବତରଣ କରିଥିଲା । ମାସାଧିକ କାଳର ପ୍ରଚେଷ୍ଟା ପରେ ବ୍ରିଟେନରୁ ଆସିଥିବା ଇଞ୍ଜିନିୟରମାନେ ତାହାକୁ ମରାମତି କରିଥିଲେ । ଏହାପରେ ବିମାନଟି ବ୍ରିଟେନ ଅଭିମୁଖେ ଉଡ଼ାଣ ଭରିବାରେ ସଫଳ ହୋଇଥିଲା । ରବିବାର ବ୍ରିଟେନର ଆଉ ଏକ ଏଫ-୩୫ ଯୁଦ୍ଧ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖିନ ହୋଇଛି । ଏହା ଜାପାନର କାଗୋଶିମା ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଛି । ଫଳରେ ପ୍ରାୟ ଅଧଘଣ୍ଟା ଉକ୍ତ ବିମାନବନ୍ଦରରେ ସମସ୍ତ ଉଡ଼ାଣ ବାତିଲ ହୋଇଥିଲା । ଗତ ୪ ତାରିଖରେ ଜାପାନ ଉପୂକଳରେ ଆମେରିକା ଓ ଜାପାନ ସହ ଏକ ମିଳିତ ସମରାଭ୍ୟାସରେ ସାମିଲ ହୋଇଛି ବ୍ରିଟେନ । ଏହି ଯୁଦ୍ଧ ବିମାନଟି ସେଥିପାଇଁ ଉଡ଼ାଣ କରୁଥିଲା ।
…
21.
ନେତନ୍ୟାହୁ ସ୍ପଷ୍ଟ କଲେ, ଗାଜାକୁ ହମାସ କବଳରୁ ଉଦ୍ଧାର କରିବା ମୂଳ ଉଦେ୍ଦଶ୍ୟ
ଗାଜା ଅଧିକାର ପାଇଁ ସେନାକୁ ଇସ୍ରାଏଲ କ୍ୟାବିନେଟ ଦୁଇ ଦିନ ତଳେ ନିଦେ୍ର୍ଦଶ ଦେଇଥିଲା । ଏହାପରେ ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ର ଉଦବେଗ ପ୍ରକାଶ କରିଥିଲେ । ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ରବିବାର ତାଙ୍କ ଦେଶର ଉଦେ୍ଦଶ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ହମାସ କବଳରୁ ରକ୍ଷା ପାଇବାକୁ ଗାଜାବାସୀ ବିକଳ ଭାବେ ଅନୁରୋଧ କରୁଛନ୍ତି । ସେମାନଙ୍କୁ ହମାସ କବଳରୁ ରକ୍ଷା କରିବା ଆମର ଉଦେ୍ଦଶ୍ୟ । ଗାଜାକୁ ଦୀର୍ଘ ଦିନ କବଜାରେ ରଖିବାକୁ ଇସ୍ରାଏଲ ଚାହୁଁନି । ହମାସ ଏକ ଗଣହତ୍ୟାକାରୀ ଆତଙ୍କୀ ସଙ୍ଗଠନ । ଯଦି ହମାସ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରି ଅସ୍ତ୍ରତ୍ୟାଗ କରେ ତେବେ ଇସ୍ରାଏଲ ଯୁଦ୍ଧ ସମାପ୍ତ ଘୋଷଣା କରିଦେବ ବୋଲି ସେ କହିଛନ୍ତି ।
….
22.
ରୋହିତ ଓ କୋହଲିଙ୍କ ଅବସର ନେଇ ଆଲୋଚନା ହୋଇନି, ବିସିସିଆଇର ବୟାନ
ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଆଗାମୀ ୨୦୨୭ ବିଶ୍ୱକପ୍ ଖେଳିବେ କି ନାହିଁ । ଏହି ପ୍ରଶ୍ନ ଏବେ ସମସ୍ତ ପ୍ରଶଂସକଙ୍କ ମନରେ ଉଠିଛି । ପ୍ରଚାର ହୋଇଥିଲା ସେମାନଙ୍କୁ ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ଅବସରରେ ବିଦାୟ ଦିଆଯାଇପାରେ । ଅକ୍ଟୋର ୨୫ ସିଡନୀ ଦିନିକିଆରେ ସେମାନଙ୍କ ଫେୟାରୱେଲ ହେବ । କିନ୍ତୁ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଏପରି କିଛି ଆଲୋଚନା ହୋଇନଥିବା ସ୍ପଷ୍ଟ କରାଯାଇଛି । ଏବେ ଏସିଆ କପ୍ ପାଇଁ ଭଲ ଟି-ଟ୍ୱେଣ୍ଟି ଟିମ୍ ପଠାଇବାକୁ ଆଲୋଚନା ଚାଲିଛି । ଉଭୟ ବରିଷ୍ଠ ଖେଳାଳି ସେମାନଙ୍କୁ ଆଡୁ ମଧ୍ୟ ଅବସର ନେଇ କୌଣସି ସୂଚନା ଦେଇନଥିବା ଜଣାପଡ଼ିଛି ।
….
23.
ଭୋଟ ଚୋରି ପ୍ରସଙ୍ଗ, ୪୮ଟି ଆସନରେ ଲୋକସଭା ଭୋଟର ସମୀକ୍ଷା କରିବା ଇଣ୍ଡିଆ ମେଣ୍ଟ
ଭୋଟ ଚୋରି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରୁଛି କଂଗ୍ରେସ । ଦଳର ସାଧାରଣ ସଚିବ କେସି ଭେନୁଗୋପାଳ ରବିବାର କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ୪୮ଟି ଆସନରେ ବିଜେପି ପ୍ରାର୍ଥୀ ୫୦ ହଜାରରୁ କମ୍ ଭୋଟରେ ଜିତିଛନ୍ତି । ଏସବୁ ଆସନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ କେତେକ ଦଳ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏସବୁ ଆସନରେ ଏବେ ସମୀକ୍ଷା କରାଯିବ । ଯଦି ଠିକ୍ ଭାବେ ତଦନ୍ତ ହେବ ତେବେ ମୋଦି ଯେ ଠିକ୍ ବାଟରେ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ତାହା ସ୍ପଷ୍ଟ ହୋଇଯିବ । ତେଣୁ ନିର୍ବାଚନ କମିଶନ ଅଭିଯୋଗର ତଦନ୍ତ ନ କରି ରାହୁଲ ଗାନ୍ଧୀଙ୍କୁ ଧମକାଉଛି ବୋଲି ସେ କହିଛନ୍ତି ।
24.
ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍, ଓଡ଼ିଶାର ପ୍ରଜ୍ଞା ୧୦୦ ମିଟର ହର୍ଡଲସରେ ପ୍ରଥମ
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର । ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୦୦ ମିଟର ହର୍ଡଲସରେ ୧୩.୭୪ ସେକେଣ୍ଡ ସହ ପ୍ରଥମ ହୋଇଛନ୍ତି । ପୁରୁଷ ୨୦୦ ମିଟରରେ ଓଡ଼ିଶାର ଅନିମେଶ କୁଜୁର ୨୦.୭୭ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ । ଓଡ଼ିଶାର ଶ୍ରାବଣୀ ନନ୍ଦ ମିହଳା ଶହେ ମିଟରରେ ପଂଚମ ସ୍ଥାନରେ ରହିଥିଲେ । ଶ୍ରୀଲଙ୍କାର ଜାଭେଲିନ ଥ୍ରୋୟର ରୁମେଶ ଥୁରଙ୍ଗା ଏକମାତ୍ର ଆଥଲେଟ ଭାବେ କଳିଙ୍ଗ ଷ୍ଟାଡିୟମରୁ ସିଧା ଟୋକିଓ ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ମାର୍କ ୮୫.୫୦ ମିଟର ଥିବା ବେଳେ ରୁମେଶ ୮୬.୫୦ ମିଟର ଫିଙ୍ଗିଥିଲେ ।
…
25.
ସ୍ୱାଧୀନତା ଦିବସ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘୋଷଣା କଲା ‘ଫ୍ରିଡମ ସେଲ୍’
୭୯ତମ ସ୍ୱାଧୀନତା ଦିବସ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଯାତ୍ରୀମାନଙ୍କ ପାଇଁ ‘ଫ୍ରିଡମ ସେଲ୍’ର ଖୁସି ଖବର ଘୋଷଣା କରିଛି । ଏହି ଯୋଜନାରେ ୫୦ ଲକ୍ଷ ସିଟ୍ ଯାତ୍ରୀଙ୍କୁ ବିକ୍ରି କରାଯିବ । ଅଗଷ୍ଟ ୧୦ରୁ ଅଗଷ୍ଟ ୧୫ ମଧ୍ୟରେ ଯାତ୍ରୀ ଏହାକୁ ବୁକିଙ୍ଗ କରିପାରିବେ । ଯାତ୍ରୀମାନେ ୧୯ ଅଗଷ୍ଟ ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ଏହି ଯାତ୍ରା କରିପାରିବେ । ଘରୋଇ ଉଡ଼ାଣରେ ଟିକଟ ମୂଲ୍ୟ ୧୨୭୯ ଟଙ୍କା ରହିଛି । ଆନ୍ତର୍ଜାତିକ ଉଡ଼ାଣରେ ଟିକଟ ମୂଲ୍ୟ ରହିଛି ୪,୨୭୯ ଟଙ୍କା । ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୧୬ଟି ବିମାନ ଏବେ ଦୈନିକ ୫ ଶହ ଉଡ଼ାଣ କରୁଛନ୍ତି । ୩୮ଟି ଘରୋଇ ଏବଂ ୧୭ଟି ଆନ୍ତର୍ଜାତିକ ସହରକୁ ଏହାର ଉଡ଼ାଣ ହେଉଛି ।
…
26.
ଏଏଫସି ୨୦ ବର୍ଷରୁ କମ୍ ମହିଳା ଏସିଆ କପକୁ ଯୋଗ୍ୟତା ଅର୍ଜନ କଲା ଭାରତ
ଭାରତୀୟ ଯୁବା ମହିଳା ଫୁଟବଲ ଦଳ ଆଗାମୀ ଏଏଫସି ୨୦ ବର୍ଷରୁ କମ୍ ମହିଳା ଏସିଆ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ରବିବାର ଅନୁଷ୍ଠିତ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ୧-୦ ଗୋଲରେ ମ୍ୟାଁମାରକୁ ହରାଇପାରିଛି । ଖେଳର ୨୭ତମ ମିନଟରେ ଖେଳାଳି ପୂଜା ଏହି ଗୋଲ୍ ସ୍କୋର କରିଥିଲେ । ଫଳରେ ଦୀର୍ଘ ୨୦ ବର୍ଷର ପ୍ରତୀକ୍ଷାର ଅବସାନ ହୋଇଛି । ଶେଷ ଥର ଭାରତ ୨୦୦୬ରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା । ଥାଇଲାଣ୍ଡରେ ଆସନ୍ତା ବର୍ଷ ଏଏଫସି ୨୦ ବର୍ଷରୁ କମ୍ ମହିଳା ଏସିଆ କପ୍ ଆୟୋଜନ କରାଯିବ । ଯୁବା ଦଳର ଏହି ସଫଳତା ପରେ ଭାରତୀୟ ଫୁଟବଲ ସଂଘ ୨୧.୯୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।
….
27.
ରିଲିଜ୍ ପୂର୍ବରୁ ରେକର୍ଡ ଭାଙ୍ଗୁଛି ରଜନୀକାନ୍ତଙ୍କ ‘କୁଲି’
ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘କୁଲି’ ମୁକ୍ତିଲାଭ କରିବାକୁ ଆହୁରି ଚାରି ଦିନ ବାକି ଅଛି | କିନ୍ତୁ ଏହା ପୂର୍ବରୁ ହିଁ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଫିଲ୍ମଟିର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଏହା ବିଶ୍ଵବ୍ୟାପୀ ୫୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ନାଗାର୍ଜୁନ, ଶ୍ରୁତି ହାସନ ଏବଂ ଅମିର ଖାନଙ୍କ ଭଳି ବଡ଼ କଳାକାର ମଧ୍ୟ ଅଛନ୍ତି। କେବଳ ବିଦେଶରୁ ଫିଲ୍ମଟି ପ୍ରାୟ ୪୨ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଭାରତରେ ଏହାର ଆଡଭାନ୍ସ ବୁକିଂ ୧୪ କୋଟି ଟଙ୍କା ଅତିକ୍ରମ କରିଛି। ଫିଲ୍ମଟି ରଜନୀକାନ୍ତଙ୍କ ପୂର୍ବ ଫିଲ୍ମ ‘ଜେଲର୍’ର ଆଡଭାନ୍ସ ବୁକିଂ ରେକର୍ଡକୁ ସହଜରେ ଭାଙ୍ଗିବ ବୋଲି ଆଶା କରାଯାଉଛି। ଏହି ଧାରା ଜାରି ରହିଲେ ‘କୁଲି’ ଭାରତୀୟ ସିନେମାର ସବୁଠୁ ବଡ଼ ଓପନିଂ ଫିଲ୍ମ ହୋଇପାରେ।
…..
28.
ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣାରେ ପ୍ରେମି ଗିରଫ, ତଥାପି ଘଟଣା ରହସ୍ୟରେ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ କାଠିଆପଡ଼ା ଗ୍ରାମରେ ଜଣେ ଜଲେଜ ଛାତ୍ରୀ ଜଳିଯିବା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଛାତ୍ରୀଙ୍କ ପ୍ରେମିକକୁ ତିତି ଦିନ ତଳେ ପୁଲିସ ଚେନ୍ନାଇରୁ ଉଠାଇ ଆଣିଥିଲା । ରବିବାର ତାକୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଂଜୁର ହେବାରୁ ତାକୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି । ପ୍ରେମିକର ମୋବାଇଲ ଫୋନରୁ ଛାତ୍ରୀଙ୍କ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ଏହାକୁ ସେ ଭାଇରଲ କରିଥିବା ପ୍ରମାଣ ପୁଲିସ ପାଇଛି । ତେବେ ପୁଲିସ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ଉତ୍ତର ପାଇପାରିନି । ଘଟଣାରେ ବାପା-ମା’ଙ୍କ ଭୂମିକା ସମ୍ପର୍କରେ ମଧ୍ୟ ପୁଲିସ ସନ୍ତୋଷ ଜନକ ଉତ୍ତର ଦେଇପାରିନି । ଘଟଣାର ତଦନ୍ତ ଚାଲିଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।
…
29.
କେରଳରେ ନୂଆ ପ୍ରସ୍ତାବ, ଅନଲାଇନ ଅର୍ଡରରେ ଘରେ ମଦ ପହଞ୍ଚାଇବାକୁ ଯୋଜନା
କେରଳ ଷ୍ଟେଟ ବେଭରେଜ କର୍ପୋରେସନ ଲିମିଟେଡ ରାଜ୍ୟ ସରକାରଙ୍କୁ ଏକ ନୂତନ ପ୍ରସ୍ତାବ ଦେଇଛି । ଅନଲାଇନ ରେ ଅର୍ଡର ଦେଲେ ଘରେ ମଦ ପହଞ୍ଚାଇ ଦିଆଯିବ । ମଦ ଦୋକାନରେ ହେଉଥିବା ଭିଡ଼ ହ୍ରାସ କରିବାକୁ ଏବଂ ରାଜ୍ୟ ରାଜସ୍ୱ ବୃଦ୍ଧି ପାଇଁ ଏହି ପ୍ରସ୍ତାବ ଅଣାଯାଇଛି । ଏହା ଏବେ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି । ପ୍ରସ୍ତାବ ଅନୁସାରେ, ୨୩ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ଅର୍ଡର ଦେଇପାରିବେ । ଭେରିଫିକେସନ ପରେ ଘରେ ମଦ ଡେଲିଭରୀ ଦିଆଯିବ । ଗତ କୋଭିଡ ସମୟରେ ରାଜ୍ୟରେ ଏଭଳି ପ୍ରସ୍ତାବ ଥିଲେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇନଥିଲା । କେରଳରେ ଏବେ ମୋଟ ୨୭୮ଟି ମଦ ଦୋକାନ ରହିଛି, ଯାହାକି ପଡ଼ୋଶୀ ରାଜ୍ୟ ଗୁଡ଼ିକ ତୁଳନାରେ ବହୁତ କମ୍ ।
…
30.
ଓଡ଼ିଶାକୁ ପୂର୍ବ ଭାରତର ଉଦ୍ୟୋଗ ରାଜଧାନୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶା ଏବେ ଇଦ୍ୟୋଗ, ଇନୋଭେସନ ଏବଂ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଣୀ ହୋଇପାରିଛି । ରାଜ୍ୟକୁ ମିଳିମିଶି ସମସ୍ତେ ପୂର୍ବ ଭାରତର ଉଦ୍ୟୋଗ ରାଜଧାନୀ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍ୟୋଗ ଓ ଏଆଇର ‘ଟାଇକନ୍ ସମ୍ମିଳନୀ’ରେ ସେ ଏହା କହିଛନ୍ତି । ସେ କହିଥିଲେ, ଏଆଇ ଗବେଷଣାରେ ଓଡ଼ିଶା ନେତୃତ୍ୱ ନେବାକୁ ପ୍ରସ୍ତୁତ । ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ଆଗାମୀ ଦିନରେ ଓଡ଼ିଶା ହେବ ଗନ୍ତବ୍ୟସ୍ଥଳ । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଯୁବବର୍ଗଙ୍କୁ ସଶକ୍ତ କରିବା । ସରକାର ସେମି କଣ୍ଡକ୍ଟର ନୀତିରେ ସୁଧାର ଆଣିଛନ୍ତି । ଏଆଇ ଇକୋ ସିଷ୍ଟମରେ ବିକାଶ ଆଣିବାକୁ ସମ୍ମିଳନୀରେ ବିଶେଷଜ୍ଞମାନେ ମତ ଦେଇଥିଲେ ।