ଯୁଦ୍ଧର ପ୍ରଭାବ; ରେକର୍ଡ ସୀମା ଅତିକ୍ରମ କଲା ଆମେରିକାର ଋଣ
ଆମେରିକାର ଋଣ ୩୨ ଟ୍ରିଲିୟନ ଡଲାରର ସର୍ବକାଳୀନ ସର୍ବାଧିକ ରେକର୍ଡ ସୀମା ଅତିକ୍ରମ କରିଛି । ଇରାନ ସହିତ ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ ହେବାର କିଛି ସପ୍ତାହ ପରେ ଏହି ରିପୋର୍ଟ ଆସିଛି । ଏହି ସଂଖ୍ୟା ଡୋନାଲ୍ଟ ଟ୍ରମ୍ପ ପ୍ରଶାସନର ପ୍ରତିଯୋଗିତାମୂଳକ ପ୍ରାଥମିକତାକୁ ଦର୍ଶାଉଛି । ଯେଉଁଥିରେ ବିଶାଳ ଟିକସ ଆଇନ ପାସ୍ କରିବା, ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଆଦି ସାମିଲ ରହିଛି । ଏହାକୁ ନେଇ ସନ୍ତୁଳିତ ବଜେଟ ପ୍ରବକ୍ତାମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଅଧିକ ଋଣ ନେବା ଏବଂ ସୁଧ ଦେବାର ଦୀର୍ଘକାଳୀନ ଧାରା ଭବିଷ୍ୟତରେ ଆମେରିକୀୟମାନଙ୍କୁ କଠିନ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ କରିପାରେ । ସେହିଭଳି ପରବର୍ତ୍ତୀ ପିଢ଼ି ଉପରେ ଏହା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବୋଝ ପକାଇବ । ଅପରପକ୍ଷରେ ହ୍ୱାଇଟ ହାଉସର ଅର୍ଥନୈତିକ ପରାମର୍ଶଦାତା କେଭିନ ହାସେଟ ଆକଳନ କରିଛନ୍ତି ଯେ ଏପର୍ଯ୍ୟନ୍ତ ଇରାନ ଯୁଦ୍ଧ ପାଇଁ ୧୨ ବିଲିୟନରୁ ଅଧିକ ଡଲାର ଖର୍ଚ୍ଚ ହୋଇଛି । ଯୁଦ୍ଧ କେବେ ଶେଷ ହେବ ଏବଂ ଆହୁରି କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ନୁହେଁ ।