ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
ଆଜି ଆରମ୍ଭ ହେବ ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନଅଳଙ୍କାରର ଗଣତିମଣତି । ଏଥିପାଇଁ ଶୁଭବେଳା ରହିଛି ଦିନ ୧୨ଟା ୯ରୁ ୧ଟା ୪୦ ମଧ୍ୟରେ । ଗଣତିମଣତି ଚାଲିବାକୁ ଥିବାରୁ ଶ୍ରଦ୍ଧାଳୁ କେବଳ ବାହାର କାଠଠାରୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ । ଭିତରେ ଭିଡ଼ କମ୍ ରଖିବା ନିମନ୍ତେ ବରାଦି ଅନ୍ନ ମହାପ୍ରସାଦ ମଧ୍ୟ ଶୀଘ୍ର ବାହାରିବ । ଦିନ ପ୍ରାୟ ୯ଟାରୁ ୧୦ଟା ସୁଦ୍ଧା ଗଣତିମଣତି ଦଳ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଗଣତିମଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ୩ଡି ମ୍ୟାପିଂ ହେବ । ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ଜେମୋଲୋଜିଷ୍ଟ, ଆରବିଆଇର ଜଣେ ଅଧିକାରୀ ଗଣତିମଣତିରେ ସାମିଲ ରହିବେ । ଟ୍ରେଜେରିରୁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ । ଗଣତିମଣତି ଶେଷ ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ପୁନଶ୍ଚ ତାଲା ପଡ଼ିବ ଓ ଚାବି ଜିଲ୍ଲା ଟ୍ରେଜେରିକୁ ଯିବ ।୧୯୭୮ ମସିହାର ଗଣତିମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି । ଏହି ତାଲିକା କ୍ରମାନ୍ୱୟ ଅନୁଯାୟୀ ସମସ୍ତ ଅଳଙ୍କାର ଓ ଜିନିଷର ମେଳକ ହେବ । କିନ୍ତୁ ମୂଲ୍ୟାୟନ ହେବନାହିଁ ।