ପାକିସ୍ତାନ ଜାହାଜକୁ ହର୍ମୁଜ ପାର ହେବାକୁ ଦେଲାନି ଇରାନ
ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ 27 ଦିନରେ ପହଞ୍ଚିଛି। ଏହି ଯୁଦ୍ଧ ବନ୍ଦ କରିବାକୁ ପାକିସ୍ତାନ ମଧ୍ୟସ୍ଥତା ପାଇଁ ଉଦ୍ୟମ କରୁଛି। ଏପରି ସ୍ଥିତିରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ତଥା ଆଇଆରଜିସି ପାକିସ୍ତାନର କରାଚି ଅଭିମୁଖେ ଯାଉଥିବା ଏକ ଜାହାଜକୁ ହର୍ମୁଜ ପ୍ରଣାଳୀ ପାର କରିବାକୁ ଦେଇନାହିଁ। ଆଇଆରଜିସି ନୌସେନା କମାଣ୍ଡର ଅଲିରେଜା ତଙ୍ଗସିରି କହିଛନ୍ତି ଯେ ସେଲେନ ନାମକ ଏହି ଜାହାଜ ପାଖରେ ହର୍ମୁଜ ଅତିକ୍ରମ ପାଇଁ ଅନୁମତି ନ ଥିଲା। ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଜାହାଜକୁ ପ୍ରଥମେ ଇରାନ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ।ଏହା ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଙ୍ଗଳବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ ଫୋନରେ କଥା ହୋଇଥିଲେ। ଅନ୍ୟପକ୍ଷରେ ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଭାରତର ୫ଟି ଏଲପିଜି ଏବଂ ତୈଳ ଟ୍ୟାଙ୍କର ହର୍ମୁଜ ଅତିକ୍ରମ କରିସାରିଛି।