ହୋର୍ମୁଜ ପରେ ବାବ ଅଲ୍-ମନେ୍ଦବ ପ୍ରଣାଳୀକୁ ନେଇ ଇରାନର ଚେତାବନୀ
ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନ ବୈଶ୍ୱିକ ସାମୁଦ୍ରିକ ବ୍ୟାପାରକୁ ନେଇ ଆଉ ଏକ ଚେତାବନୀ ଦେଇଛି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଗେର ଗଲିବାଫ୍ ଇରାନ ରଣନୈତିକ ଅବରୋଧକୁ ଏବେ ହୋର୍ମୁଜରୁ ଆଗକୁ ବଢ଼ାଇ ବାବ ଅଲ-ମନେ୍ଦବ ପ୍ରଣାଳୀ ଯାଏ କରିପାରେ ବୋଲି ସଙ୍କେତ ଦେଇଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗଲିବାଫ୍ ପ୍ରଶ୍ନ କରିଛନ୍ତି, ବାବ ଅଲ-ମନେ୍ଦବ ପ୍ରଣାଳୀ ଦେଇ ବିଶ୍ୱର କେତେ ତେଲ, ଏଲଏନଜି, ଗହମ, ଚାଉଳ ଏବଂ ସାର ପରିବହନ ହୋଇଥାଏ । କେଉଁ ଦେଶ, କମ୍ପାନି ଏହି ମାର୍ଗ ଉପରେ ସବୁଠୁ ଅଧିକ ନିର୍ଭର କରିଥାନ୍ତି । ତାଙ୍କର ଏହି ପ୍ରଶ୍ନକୁ ବିଶେଷଜ୍ଞମାନେ ଇରାନର ସମ୍ଭାବିତ ରଣନୀତି ଭାବେ ମନେ କରୁଛନ୍ତି । ଯଦି ଇରାନ ଏହି ନିଷ୍ପତ୍ତି ନିଏ ତେବେ ଏହା ଅନ୍ତର୍ଜାତୀୟ ବୈଶ୍ୱିକ ଅର୍ଥବ୍ୟବସ୍ଥା ଲାଗି ସବୁଠୁ ବଡ଼ ଝଟକା ହେବ । ବାବ ଅଲ-ମନେ୍ଦବ ଲୋହିତ ସାଗର ଓ ଆଦେନ ଉପସାଗରକୁ ଯୋଡ଼ିଥାଏ, ଯାହାକି ସୁଏଜ କେନାଲ ଦେଇ ଏସିଆ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟର ମୁଖ୍ୟ ମାର୍ଗ ।