ସେୟାର ବଜାରରେ ସାମାନ୍ୟ ବୃଦ୍ଧି
ବୁଧବାର ଦିନ ଭାରତୀୟ ସେୟାର ବଜାରରେ ଉତ୍ଥାନ-ପତନ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ବୃଦ୍ଧି ସତ୍ତ୍ୱେ ଶେଷ ବେଳକୁ ନିବେଶକମାନେ ନିଜର ଲାଭ ଆଦାୟ କରିବା ଫଳରେ ସୂଚକାଙ୍କ ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। ବିଏସଇ ସେନସେକ୍ସ ୫୦.୧୫ ପଏଣ୍ଟ ବୃଦ୍ଧି ପାଇ ୮୨,୨୭୬.୦୭ ରେ ଏବଂ ଏନଏସଇ ନିଫ୍ଟି ୫୭.୮୫ ପଏଣ୍ଟ ବଢ଼ି ୨୫,୪୮୨.୫୦ ରେ ବନ୍ଦ ହୋଇଛି। କାରବାରରେ ଏଚସିଏଲ୍ ଟେକ୍, ଟାଟା ଷ୍ଟିଲ୍, ଟିସିଏସ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ମାରୁତି ସୁଜୁକି ଭଳି କମ୍ପାନୀଗୁଡ଼ିକ ଲାଭରେ ରହିଥିବା ବେଳେ ରିଲାଏନ୍ସ, ଏସବିଆଇ ଓ ଆଦାନୀ ପୋର୍ଟ୍ସ କ୍ଷତି ସହିଛନ୍ତି। ଆମେରିକା ଏବଂ ଏସିଆର ଅନ୍ୟାନ୍ୟ ବଜାରରେ ସକାରାତ୍ମକ ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା। ଅନ୍ୟପକ୍ଷରେ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୧ ପଇସା ହ୍ରାସ ପାଇ ୯୦.୯୬ ରେ ସ୍ଥିର ରହିଛି। ସେହିପରି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦.୬୭ ଡଲାର ରହିଛି।