ମିଚେଲଙ୍କୁ ବଲ୍ ଫିଙ୍ଗିବା ପଡ଼ିଲା ମହଙ୍ଗା; ଅର୍ଶଦୀପଙ୍କ ମ୍ୟାଚ୍ ପାଉଣାର ୧୫ ପ୍ରତିଶତ କଟିଲା
ଟି-୨୦ ବିଶ୍ୱକପ ଫାଇନାଲରେ ନୁ୍ୟଜିଲାଣ୍ଡ ବ୍ୟାଟର ଡାରୀଲ ମିଚେଲଙ୍କ ଉପରକୁ ବଲ୍ ଫିଙ୍ଗିବା ଭାରତୀୟ ବୋଲର ଅର୍ଶଦୀପ୍ ସିଂହଙ୍କ ପାଇଁ ମହଙ୍ଗା ପଡ଼ିଛି । ଏଥିଲାଗି ଫାଇନାଲ ମ୍ୟାଚର ରେଫରୀ ଆଣ୍ଡି ପେକ୍ରଫ୍ଟ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି । ଅର୍ଶଦୀପଙ୍କ ମ୍ୟାଚ୍ ପାଉଣାର ୧୫ ପ୍ରତିଶତ ଅର୍ଥ କଟାଯିବ । ଦୁଇ ଫିଲ୍ଡ ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥ ଓ ଆଲେକ୍ସ ୱାରଫଙ୍କ ସହ ଆଲୋଚନା ପରେ ମ୍ୟାଚ୍ ରେଫରୀ ଏହି ଦଣ୍ଡ ଶୁଣାଇଛନ୍ତି । ଏଥିସହ ଅର୍ଶଦୀପଙ୍କ ଖାତାରେ ୧ ଡିମେରିଟ୍ସ ପଏଣ୍ଟ ଯୋଡ଼ି ହୋଇଛି । ଉଲ୍ଲେଖେଯୋଗ୍ୟ, ଫାଇନାଲରେ ନୁ୍ୟଜିଲାଣ୍ଡ ଇନିଂସରେ ମିଚେଲ ବ୍ୟାଟିଂ କରୁଥିବାବେଳେ ଏହି ଅଘଟଣା ଘଟିଥିଲା । ଅର୍ଶଦୀପଙ୍କ ବଲକୁ ମିଚେଲ ସିଧା ଖେଳିଥିଲେ । ଫଲୋ-ଥ୍ରୁ’ରେ ନିଜେ ବଲକୁ ଅଟକାଇବା ପରେ ଅର୍ଶଦୀପ ତାହାକୁ ମିଚେଲଙ୍କ ଉପରକୁ ଜୋରରେ ଫିଙ୍ଗି ଦେଇଥିଲେ । ଫଳରେ ବଲ୍ ମିଚେଲଙ୍କ ଜଂଘରେ ବାଜିଥିଲା । ଏଥିରେ ମିଚେଲ ଉତକ୍ଷିପ୍ତ ହୋଇଯାଇଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ବୁଝାଇ ପରିସ୍ଥିତିକୁ ଶାନ୍ତ କରିଥିଲେ ।