
୧.
ହସପିଟାଲ ଆଇସିୟୁରେ ହତ୍ୟା ଅଭିଯୁକ୍ତକୁ ଗୁଳି, ନିତିଶ ସରକାରକୁ ଘେରିଲା କଂଗ୍ରେସ
ପାଟନାର ପାରସ ଡାକ୍ତରଖାନାରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ । ଆଇସିୟୁରେ ଥିବା ଜଣେ ହତ୍ୟା ଆସାମୀକୁ ଗୁଳିମାଡ଼ । ଆସାମୀର ମୃତୁ୍ୟ । ଚନ୍ଦନ ମିଶ୍ର ନାମକ ହତ୍ୟା ଆସାମର ପାରୋଲରେ ଆସି ଡାକ୍ତରଖାନାରେ ଥିଲା । ଦିନ ଦ୍ୱିପ୍ରହରରେ ଚାରିଜଣ ବ୍ୟକ୍ତି ଅବାଧରେ ଡାକ୍ତରଖାନା ଆଇସିୟୁ ଡୋର ଖୋଲି ଗୁଳି ମାଡ଼ କରିଥିଲେ । ପରେ ଆସାମୀର ମୃତୁ୍ୟ ହୋଇଯାଇଛି । ଏହି ଘଟଣାକୁ ନେଇ ରାଜ୍ୟର ନିତିଶ ସରକାରକୁ କଂଗ୍ରେସ ଓ ଆରଜେଡି ଘେରିଛନ୍ତି । ଗୁଳିମାଡ଼ର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କଂଗ୍ରେସ କହିଛି, ବିହାରରେ ଗୁଣ୍ଡାରାଜ ଚାଲିଛି । ଗତ ୧୭ ଦିନରେ ୪୬ଟି ହତ୍ୟା ଘଟଣା ହେଲାଣି । ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ସ୍ୱାଧୀନ ସାଂସଦ ପପୁ ଯାଦବ ସରକାରଙ୍କୁ ତୀବ୍ର ସମାଲୋଚନା କରି ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି ।
…
୨.
ଆମେରିକା ଆକ୍ରମଣରେ ଇରାନର ମାତ୍ର ଏକ ତୃତୀୟାଂଶ ଆଣବିକ ଶକ୍ତି ଧ୍ୱଂସ
କିଛି ଦିନ ତଳେ ଜୁନ୍ ୨୨ରେ ଆମେରିକା କରିଥିଲା ‘ଅପରେସନ ମିଡନାଇଟ ହାମର୍’ । ଉଦେ୍ଦଶ୍ୟ ଥିଲା ଇରାନର ଆଣବିକ ଶକ୍ତିକୁ ଧ୍ୱଂସ କରିବା । ବିଶ୍ୱର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ଦ୍ୱାରା ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ମାଡ଼ କରାଯାଇଥିଲା । ପାଶ୍ଚାତ୍ୟ ଶକ୍ତି ଖୁସି ହୋଇଯାଇଥିଲେ । ଭାବିଥିଲେ ଇରାନର ଆଣବିକ ଶକ୍ତି ବରବାଦ ହୋଇଗଲା । ସାଟେଲାଇଟ ଚିତ୍ରରୁ ଆମେରିକା ମଧ୍ୟ ଏହା କହିଥିଲା । କିନ୍ତୁ ଏବେ ଯାହା ରିପୋର୍ଟ ମିଳିଛି ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟ ଶକ୍ତି ନିରାଶ ହୋଇଛନ୍ତି । ଅପରେସନରେ ଇରାନର ମାତ୍ର ଏକ ତୃତୀୟାଂଶ ଆଣବିକ ଶକ୍ତି ନଷ୍ଟ ହୋଇଛି । ଇରାନର ତିନୋଟି ଆଣବିକ ଶକ୍ତି କେନ୍ଦ୍ର ରହିଛି; ଫୋଦେ୍ର୍ଦା, ନାତାଞ୍ଜ ଏବଂ ଇସଫାହାନ । କେବଳ ଫୋଦେ୍ର୍ଦା ସ୍ଥିତ କେନ୍ଦ୍ରର ଯାହା କିଛି କ୍ଷତି ହୋଇଛି । ଏପରିକି ବୋମାମାଡ଼ ପୂର୍ବରୁ ଏଠାରୁ ୟୁରାନିୟମକୁ ସ୍ଥାନ୍ତାନ୍ତର କରାଯାଇଥିବା ମଧ୍ୟ କୁହାଯାଉଛି ।
…
୩.
ସେପ୍ଟେମ୍ବରରେ ପାକିସ୍ତାନ ଯାଇପାରନ୍ତି ଟ୍ରମ୍ପ, ପରେ ଆସିବେ ଭାରତ
ଆସନ୍ତା ସେପ୍ଟେମ୍ବର ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଇସଲାମାବାଦ ଗସ୍ତ । ପାକିସ୍ତାନ ସରକାର ଏହା ସ୍ପଷ୍ଟ କରି ନଥିଲେ ବି ଦେଶର ଗଣମାଧ୍ୟମ ଏହା ପ୍ରକାଶ କରିଛନ୍ତି । ଦୁଇ ଦଶନ୍ଧି ପରେ ଆମେରିକାର କୌଣସି ରାଷ୍ଟ୍ରପତି ପାକିସ୍ତାନ ଗସ୍ତରେ ଆସିବେ । ୨୦୦୬ ମସିହା ମାର୍ଚ୍ଚରେ ଶେଷ ଥର ପାଇଁ ଜର୍ଜ ଡବ୍ଲୁ୍ୟ ବୁଶ୍ ପାକିସ୍ତାନ ଆସିଥିଲେ । ଇସଲାମାବାଦ ପରେ ଟ୍ରମ୍ପ ଭାରତ ଆସିପାରନ୍ତି ବୋଲି କୁହାଯାଉଛି । ଗତ ମାସ ୧୮ ତାରିଖରେ ପାକିସ୍ତାନ ସେନାଧ୍ୟକ୍ଷ ଫିଲଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତରେ ଯାଇଥିଲେ । ହ୍ୱାଇଟ ହାଉସରେ ବି ଅତିଥି ହୋଇଥିଲେ । କୌଣସି ଦେଶରେ ଗଣତାନ୍ତ୍ରିକ ସରକାର ଥିବା ବେଳେ ସେନାଧ୍ୟକ୍ଷଙ୍କୁ ହ୍ୱାଇଟ ହାଉସ ନିମନ୍ତ୍ରଣର ଉଦାହରଣ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଜୁନ୍ ୨୨ ତାରିଖରେ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା, ଯାହାର ପାକିସ୍ତାନ ନିରବ ସମର୍ଥକ ଥିଲା । ଏଥିପାଇଁ ଦେଶରେ ମୁନିରଙ୍କୁ କଡ଼ା ସମାଲୋଚନା ଶୁଣିବାକୁ ପଡ଼ିଛି ।
…..
୪.
ଇନେ୍ଦାର, ସୁରଟ, ନାଭି ମୁମ୍ବାଇ-ଦେଶର ସର୍ବଶ୍ରେଷ୍ଠ ୩ ସ୍ୱଚ୍ଛ ସହର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ନବମ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି । ଇନେ୍ଦାର ଦେଶର ସର୍ବଶ୍ରେଷ୍ଠ ସ୍ୱଚ୍ଛ ସହରର ମାନ୍ୟତା ପାଇଛି । ଏହା ପଛକୁ ରହିଛନ୍ତି ସୁରଟ, ନାଭି ମୁମ୍ବା. ବିଜୟୱାଡା । ଇନେ୍ଦର କ୍ରମାଗତ ଅଷ୍ଟମ ଥର ପାଇଁ ଏହି ମାନ୍ୟତା ହାସଲ କରିଛି । ସ୍ୱଚ୍ଛ ସହର ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଅହମ୍ମଦାବାଦ, ଭୋପାଳ ଓ ଲକ୍ଷ୍ନୌ । ଚଳିତ ବର୍ଷ ଚାରିଟି କାଟାଗୋରୀରେ ପୁରସ୍କାର ଦିଆଯାଇଛି । ମୋଟ ୭୮ଟି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭିନ୍ନ ଭିନ୍ନ ବର୍ଗରେ ଏନଡିଏମସି, ତିରୁପତି, ଅମ୍ବିକାପୁର, ଲୋନାଭଲା, ମହାରାଷ୍ଟର ଭିଟା, ଶାସ୍ୱଦ, ଦେଓଲାଲି ପାବରା, ଡୁଙ୍ଗରପୁର,ପ୍ରୟାଗରାଜ, ସିକନ୍ଦରାବାଦ, ବିଶାଖାପଟ୍ଟନମ, ଜବଲପୁର, ଗୋରଖପୁର ପୁରସ୍କୃତ ହୋଇଛନ୍ତି ।
….
୫.
ରବର୍ଟ ଭଦ୍ରାଙ୍କ ୩୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି, ଚାର୍ଜସିଟ ଦାଖଲ
ରବଟ ଭଦ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି । ରବର୍ଟ ଭଦ୍ର କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ତାଙ୍କର ୩୬ କୋଟି ଟଙ୍କା ମୂଲ୍ୟର ୪୩ଟି ସମ୍ପତ୍ତି ଜବତ କରାଯାଇଛି । ହରିଆନାର ଶିକୋହପୁର ଅଞ୍ଚଳରେ ହୋଇଥିବା ଜମି କିଣାବିକା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ଭଦ୍ରା । ଏଥିସହ ଭଦ୍ରା ଓ ଅନ୍ୟ କେତେକ ଜଣଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି । ପ୍ରଥମ ଥର ପାଇଁ ଭଦ୍ରାଙ୍କ ବିରୋଧରେ କୌଣସି ତଦନ୍ତକାରୀ ସଂସ୍ଥା ଫୌଜଦାରୀ ମାମଲାରେ ଚାର୍ଜସିଟ ଦେଇଛି । ଗତ ଏପ୍ରିଲ ମାସରେ ଏହି ମାମଲାରେ ତାଙ୍କୁ ପଚରାଉଚୁରା ମଧ୍ୟ କରାଯାଇଥିଲା । ୨୦୦୮ ମସିହାରେ ଏହି ଜମି କିଣାବିକା ହୋଇଥିଲା । ସାଢ଼େ ୭ କୋଟିରେ କିଣା ହୋଇଥିବା ଜବି ପରେ ୫୩ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା ।
….
୬.
ରୁଷ ସହ ବାଣିଜ୍ୟ ପ୍ରସଙ୍ଗ: ନାଟୋର ଧମକକୁ ଭାରତ କହିଲା ଦୋମୁହାଁ
ରୁଷ ସହ ବାଣିଜ୍ୟ କାରବାର କଲେ କଟକଣା ଲାଗିବ । ଭାରତକୁ ଏହି ଧମକ ଦେଇଥିଲେ ନାଟୋ ମୁଖ୍ୟ । ଏଥିରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ବିଦେଶ ବିଭାଗ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏଭଳି ଧମକ କେବଳ ଦୋମୁହାଁ ନୀତି । ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି । ଭାରତ ଏଥିରେ ଭୟଭୀତ ହେବାର ନାହିଁ । ବୈଶ୍ୱିକ ବଜାର ସ୍ଥିତିରେ ଯାହା ଉପଲବ୍ଧ ଭାରତ ତାହା କ୍ରୟ କରୁଛି । ଦେଶବାସୀଙ୍କ ଆବଶ୍ୟକତା ପୂରଣ କରିବା ସରକାରଙ୍କ ପ୍ରାଥମିକତା । କିଛି ଦିନ ତଳେ ଟ୍ରମ୍ପ ମଧ୍ୟ ରୁଷ ସହ ବେପାର କରୁଥିବା ଦେଶଗୁଡ଼ିକୁ ଚେତାବନୀ ଦେଇଥିଲେ । ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷ ଉପରେ ସେ କ୍ଷୁବ୍ଧ ହୋଇଛନ୍ତି । ଦିନେ ତଳେ ନାଟୋ ମୁଖ୍ୟ ମଧ୍ୟ ୱାଶ୍ୱିଂଟନରେ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଦୋହରାଇଥିଲେ । ସେ ଭାରତ, ଚୀନ୍ ଓ ବ୍ରାଜିଲକୁ ଚେତାବନୀ ଦେଇଥିଲେ । ରୁଷ ସହ ବେପାର କଲେ ଶହେ ପ୍ରତିଶତ ଅତିରିକ୍ତ କଟକଣା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।
….
୭.
ଚର୍ଚ୍ଚାରେ ଚାରି ମାସ ତଳର ଛାତ୍ରୀ ନିର୍ଯାତନା ମାମଲା, ଗିରଫ ହେଲେ ଆସିଷ୍ଟାଣ୍ଟ ପ୍ରଫେସର
ରାଜ୍ୟରେ ଥମିନାହିଁ ଏଫଏମ୍ ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ମାମଲା । ପୁଣି ପଦାକୁ ଆସିଲାଣି ଆଉ ଏକ ମାମଲା । ଏଥର ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଶିକ୍ଷକ-ଛାତ୍ରୀ ସମ୍ପର୍କ ହୋଇଛି କଳୁଷିତ । ଜଣେ ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଥାନାରେ ଆଣିଛନ୍ତି ଅଭିଯୋଗ । ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା । ଗୋପୀକାନ୍ତଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରାଯାଇଛି ଏବଂ ପୁଲିସ ଗିରଫ କରି ଜେଲ ପଠାଇଛି । ଛାତ୍ରୀ ଜଣଙ୍କ ଏହି ଅଭିଯୋଗ ଆଣିଥିଲେ ଚାରି ମାସ ତଳେ । ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ପ୍ରତାରଣା କରାଯାଇଥିବା ଏତଲା ହୋଇଥିଲେ । କିନ୍ତୁ ପୁଲିସ ଚୁପ ବସିଥିଲା । ଏବେ ଛାତ୍ରୀ ଆତ୍ମାହୁତି ଘଟଣା ରାଜ୍ୟକୁ ଦୋହଲାଇ ଦେବାରୁ ତରବରରେ ପୁଲିସ ଗୋପୀନାଥଙ୍କୁ ଗିରଫ କରିଛି ।
…..
୮.
ଷ୍ଟାଡିୟମ ଦଳାଚକଟା ଘଟଣାରେ ଆରସିବି ଓ ଆସୋସିଏସନ ବିରୋଧରେ ହେବ ମାମଲା
ଆଇପିଏଲ ଟିମ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଝଟକା । କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ମଧ୍ୟ ପଡ଼ିଛି ଅଡ଼ୁଆରେ । ଉଭୟ ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା କରିବାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଚିନ୍ନାସ୍ୱାମୀ ଷ୍ଟାଡିୟମ ଦଳାଚକଟା ଘଟଣାରେ ହେବ ଏହି ମାମଲା । ରୟାଲ ଚାଲେଞ୍ଜର୍ସ ଆଇପିଏଲ ଚାମ୍ପିଅନ ହେବା ପରେ ଜୁଲାଇ ୪ରେ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଉତ୍ସବ ହୋଇଥିଲା । ଏତିରେ ଦଳାଚକଟା ହେବାରୁ ୧୧ ଜଣ ପ୍ରାଣ ହରାଇଥିଲେ ଏବଂ ୫୬ ଜଣ ଆହତ ହୋଇଥିଲେ । ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଇଥିଲା । କମିସନ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଦଳଚକଟା ପାଇଁ ରାଜ୍ୟ କ୍ରିକେଟ ଆସୋସିଏସନ, ଆରସିବି, ଇଭେଣ୍ଟ ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ଏବଂ ବାଙ୍ଗାଲୋର ପୁଲିସକୁ ସିଧାସଳଖ ରିପୋର୍ଟରେ ଦାୟୀ କରାଯାଇଛି ।
….
୯.
ବ୍ରିଟେନରେ ଭୋଟ ଦାନ ବୟସ ପାଇବ ହ୍ରାସ , ୧୮ରୁ କମି ହେବ ୧୬ ବର୍ଷ
ଦେଶରେ ଭୋଟଦାନର ସର୍ବନିମ୍ନ ବୟସ ସୀମା ହ୍ରାସ କରିବେ ବ୍ରିଟେନ ସରକାର । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ଲେବର ପାର୍ଟି ସରକାର । ଏହା ୧୮ ବର୍ଷରୁ ୧୬ ବର୍ଷକୁ ହାସ କରାଯିବ । ଏଥିସହ ଭୋଟର ପରିଚୟପତ୍ର ପାଇଁ ନୂତନ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ବାରମ୍ବାର ଏ ସୂଚନା ବିଭିନ୍ନ ସ୍ଥାନରେ ଦେବାକୁ ପଡ଼ିବ ନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲା ଲେବର ପାର୍ଟି ।୧୯୬୯ ମସିହାରେ ଦେଶରେ ଭୋଟଦାନ ବୟସକୁ ୨୧ ବର୍ଷରୁ ୧୮ ବର୍ଷ କରାଯାଇଥିଲା । ଏବେ ଇକ୍ୱେଡର, ବ୍ରାଜିଲ, ଅଷ୍ଟି୍ରଆ ଆଦି ଦେଶରେ ଭୋଟ ଦାନ ବୟସ ୧୬ ବର୍ଷ ରହିଛି । ବି୍ରଟେନ ଅନ୍ତର୍ଗତ ସ୍କଟଲାଣ୍ଡ ଓ ୱେଲସରେ ପୌର ଓ ଆଞ୍ଚଳିକ ନିର୍ବାଚନରେ ମଧ୍ୟ ୧୬ ବର୍ଷ ରହିଛି ।
…
୧୦.
ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରୁ ଫେରି ଆସିଲା
ପୁଣି ଏକ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ବିମାଟି ଅଧାବାଟରୁ ଫେରି ଆସିବାକୁ ବାଧ୍ୟ ହୋଇଛି । ଗୁରୁବାର ଦିଲ୍ଲୀରୁ ଇମ୍ଫାଲ ଅଭିମୁଖେ ଉଡ଼ାଣ କରିଥିଲା ଇଣ୍ଡିଗୋର ଏକ ବିମାନ । ପ୍ରାୟ ଏକ ଘଣ୍ଟା ଉଡ଼ିବା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜାଣି ପାରିଥିଲେ । ତୁରନ୍ତ ସେ ଦିଲ୍ଲୀ ବିମାନବନ୍ଦର ସହ ଯୋଗାଯୋଗ କରିଥିଲେ । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା । କିଛି ସମୟର ମରାମତି ପରେ ବିମାନଟି ପୁଣି ଥରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲା । ବିଳମ୍ବ ପାଇଁ ଯାତ୍ରୀଙ୍କ ନିକଟରେ କମ୍ପାନି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।
….
11.
.ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ; ଆସିବେନି ଟିଏମସି, ଆପ୍
ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ । ଅଧିବେଶନର ରଣନୀତି ଆଲୋଚନା ପାଇଁ ଆସନ୍ତାକାଲି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକ ଡକାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏହି ବୈଠକ ହେବ । ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କୁ ବୈଠକକୁ ଡକାଯାଇଛି । ତେବେ ‘ଆପ୍’ ଓ ‘ତୃଣମୂଳ କଂଗ୍ରେସ’ ବୈଠକରେ ଯୋଗ ଦେବେନି ବୋଲି ଜଣାଇଛନ୍ତି । ପୂର୍ବରୁ ମଧ୍ୟ ଅଧିକାଂଶ ସମୟରେ ଏହି ଦୁଇଟି ଦଳ ମେଣ୍ଟ ବୈଠକକୁ ଆଡ଼େଇ ଯାଇଛନ୍ତି । ଅନେକ ସମୟରେ ନୀତିକୁ ମଧ୍ୟ ପରୋକ୍ଷରେ ବିରୋଧ କରିଛନ୍ତି । ଟିଏମସି ୨୧ ତାରିଖରେ ସହିଦ ଦିବସ ପାଳନ କରୁଥିବାରୁ ଯୋଗ ଦେବନି ବୋଲି ଜଣାଇଛି । ସେହିପରି ଆପ୍ ବିଭିନ୍ନ ରାଜ୍ୟର ଆଗାମୀ ନିର୍ବାଚନ ପାଇଁ ବ୍ୟସ୍ତ ଥିବା ସଫେଇ ଦେଇଛି ।
..
12.
ଅସୁବିଧାରେ ନେତନ୍ୟାହୁ ସରକାର, ସମର୍ଥନ ପ୍ରତ୍ୟାହାର କଲେ ଦୁଇ ଦଳ
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସରକାର ଅଡ଼ୁଆରେ । ଦୁଇଟି ଦଳ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ତେଣୁ ସରକାର ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି । ମଙ୍ଗଳବାର ୟୁନାଇଟେଡ ଟୋରା ଜୁଡାଇଜମ-ୟୁଟିଜେ ଦଳ ସରକାରରୁ ଅଲଗା ହୋଇଯାଇଥିଲା । ବୁଧବାର ଶାସ୍ ପାର୍ଟି ମଧ୍ୟ ସେହି ରାସ୍ତା ଧରିଛି । ଇସ୍ରାଏଲରେ ୧୨୦ ଆସନ ବିଶିଷ୍ଟ ସଂସଦ ରହିଛି । ଏଠାରେ ସରକାର ଗଠନ ଲାଗି ୬୧ ଟି ଆସନ ଦରକାର । ଦୁଇ ଦଳର ସମର୍ଥନ ପ୍ରାତ୍ୟାହାର ପରେ ମେଣ୍ଟ ସରକାର ନିକଟରେ ଅଛି ୫୦ ଆସନ । ତେବେ ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ଯୁଟିଜି ଓ ଶାସ୍ ପାର୍ଟି ସରକାର ଭଙ୍ଗ ପାଇଁ ଦାବି କରିନାହାନ୍ତି ।
..
13.
ସ୍ୱଚ୍ଛତାରେ ଭୁବନେଶ୍ୱରର ପଦୋନ୍ନତି, ୩୪ରୁ ୯କୁ ଡେଇଁଲା; ଆସ୍କା ଓ ଚିକିଟିକୁ ବି ପୁରସ୍କାର
ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରର ପଦୋନ୍ନତି ହୋଇଛି । ୨୦୨୪ର ଏହି ସର୍ବେକ୍ଷଣରେ ଜାତୀୟ ତାଲିକାରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି । ପୂର୍ବ ବର୍ଷ ଏହା ୩୪ତମ ତାଲିକାରେ ଥିଲା । ୩ ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ଏହି ସମ୍ମାନ ମିଳିଛି । ଭୁବନେଶ୍ୱର ମହାନଗର ନିଗମକୁ ପ୍ରୋମିସିଙ୍ଗ ସ୍ୱଚ୍ଛ ସହର ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାର ଆସ୍କାକୁ ବି ପୁରସ୍କାର ମିଳିଛି । ୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଏହା ଦ୍ୱିତୀୟରେ ରହିଛି । ଆସ୍କା ଏନଏସି ଓ ଚିକିଟି ଏନଏସି ସ୍ୱଚ୍ଛ ସହର ପୁରସ୍କାର ହାତେଇଛନ୍ତି । ସର୍ବଭାରତୀୟ ସଫଳତା ପାଇଁ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀରେ ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟରେ ଆସ୍କା ସବୁଠୁ ସ୍ୱଚ୍ଛ ଥିବା ବେଳେ ପଛକୁ ଅଛନ୍ତି-ଭୁବନେଶ୍ୱର, ଚିକିଟି, ରାଉରକେଲା, ହିଞ୍ଜିଳିକାଟୁ, ଗୋପାଳପୁର, ପୁରୀ, କଟକ, ପୋଲସରା, ଏବଂ ପିପିଲି ।
..
14.
ଛାତ୍ରୀ ଆତ୍ମାହୁତି ପରେ ଚେତିଲେ ସରକାର, ସ୍କୁଲରେ ହେବ ଆଇସିସି
ଛାତ୍ରୀ ଆତ୍ମାହୁତି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । କଲେଜ ଭଳି ଏବେ ସ୍କୁଲ ଗୁଡ଼ିକରେ ବି ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି । ସମସ୍ତ ବିଦ୍ୟାଳୟରେ ଛାତ୍ରୀ ଓ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ହୋଇଛି । ବର୍ଣ୍ଣାଳୀ ବା ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମକୁ ସମସ୍ତ ସ୍କୁଲରେ ପାଳନ କରାଯିବା ବାଧ୍ୟତାମୂଳକ । ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି କରାଯାଇଛି । କର୍ମକ୍ଷେତ୍ର, ସ୍କୁଲ, ଛାତ୍ରାବାସର ଦୃଷ୍ଟିରେ ପଡ଼ୁଥିବା ସ୍ଥାନ ଗୁଡ଼ିକରେ ହେଲପଲାଇନ ନମ୍ବର ପ୍ରଦର୍ଶିତ କରିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ମହିଳା ସହାୟତା ନମ୍ବର ୧୮୧, ଶିଶୁ ସହାୟତା ନମ୍ବର ୧୦୯୮, ପୁଲିସ ସହାୟତା ୧୧୨ ଏବଂ ସ୍କୁଲ ଶିକ୍ଷାର୍ଥୀ ସହାୟତା ନମ୍ବର- ୧୮୦୦୩୪୫୬୭୨୨ ରେ ଯୋଗାାଯୋଗ କରିବାକୁ କୁହାଯାଇଛି ।
…
15.
ବରଗଡ଼ ଜିଲ୍ଲା କୋର୍ଟରେ ୧୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ
ବରଗଡ଼ ଜିଲ୍ଲା କୋର୍ଟ ପକ୍ଷରୁ ୧୮ଟି ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଜୁନିୟର କିରାଣୀ-କମ୍-କପିଷ୍ଟ, ଜୁନିୟର ଟାଇପିଷ୍ଟ ଏବଂ ଷ୍ଟେନୋଗ୍ରାଫର ଗ୍ରେଡ୍-୩ ଭଳି ପଦବୀ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଯେକୌଣସି ବିଷୟରେ ସ୍ନାତକ ପାସ୍ କରିବା ସହିତ କମ୍ପ୍ୟୁଟରରେ ଡିପ୍ଲୋମା (DCA) କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ୧୮ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଅଫଲାଇନ୍ ମାଧ୍ୟମରେ କରାଯିବ। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୯। ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ bargarh.dcourts.gov.in ଦେଖିପାରିବେ।
..
16
ପଞ୍ଚାୟତ ପ୍ରତିନିଧିଙ୍କୁ ଅନୁକମ୍ପା ସହାୟତା; ମୃତୁ୍ୟ, ଅକ୍ଷମ ହେଲେ ୨ ଲକ୍ଷ
ପଞ୍ଚାୟତ ପ୍ରତିନିଧିମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଯୋଜନା ଘୋଷଣା କରିଛନ୍ତି । କାର୍ଯ୍ୟକାଳ ମଧ୍ୟରେ କୌଣସି ପ୍ରତିନିଧିଙ୍କ ପରଲୋକ କିମ୍ବା ଅକ୍ଷମତା ହେଲେ ମିଳିବ ଏହି ସହାୟତା । କୌଣସି ପ୍ରତିନିଧିଙ୍କ ମୃତୁ୍ୟ ହେଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ସହାୟତା । ସେହିପରି ଉଭୟ ଆଖି, ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ବି ପ୍ରତିନିଧିଙ୍କୁ ମିଳିବ ୨ ଲକ୍ଷ ଟଙ୍କା । ଗୋଟିଏ ଆଖି କିମ୍ବା ଗୋଟିଏ ଗୋଡ଼ ନଷ୍ଟ ହେଲେ ମିଳିବ ୧ ଲକ୍ଷ ଟଙ୍କା । ପଞ୍ଚାୟତରାଜ ବ୍ୟବସ୍ଥାରେ ଥିବା ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି, ସମସ୍ତେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।
..
17
ରାଜ୍ୟର ରେଳ ଭିତ୍ତିଭୂମି ପାଇଁ ମିଳିବ ଆଉ ୧୪୯ କୋଟି ଟଙ୍କା
ଭଦ୍ରକ ଜିଲ୍ଲାର ରାଣୀତାଲ ଲିଙ୍କ କ୍ୟାବିନ ଓ ଭଦ୍ରକ ଷ୍ଟେସନ ମଧ୍ୟରେ ଚତୁର୍ଥ ରେଳ ଲାଇନକୁ ବିଭାଗୀୟ ମଂଜୁରୀ ମିଳିଛି । ଏହି ଲାଇନର ଦୈର୍ଘ୍ୟ ୫. ୦୬ କିଲୋମିଟର । ଏଥିପାଇଁ ମଂଜୁର ହୋଇଛି ୧୪୯ କୋଟି ୩୨ ଲକ୍ଷ ଟଙ୍କା । ଏହି ଲାଇନ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ସହିତ ଟ୍ରେନ ନରିଚାଳନାର କ୍ଷମତା ବଢ଼ାଇବ । ଏଥିସହ ଧାମରା ଓ ପାରାଦୀପ ବନ୍ଦରକୁ ମାଲ ପରିବହନ ସଂଯୋଗକୁ ଉନ୍ନତ କରିବ ।
..
18
ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନସିସି ବାଟାଲିୟନ, ମୋଟ କ୍ୟାଡେଟ ହେବେ ୯୦ ହଜାର
ରାଜ୍ୟରେ ୫ଟି ନୂଆ ମହିଳା ଏନସିସି ବାଟାଲିୟନ ଖୋଲାଯିବ । ଏ ନେଇ ପ୍ରସ୍ତାବ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ମାନବସମ୍ବଳ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ସମୟସୀମା ସମ୍ବନ୍ଧରେ ତଥ୍ୟ ଦେବାକୁ ଓଡ଼ିଶାର ଏନସିସି ନିଦେ୍ର୍ଦଶକଙ୍କୁ ଚିଠି କରାଯାଇଛି । ରାଜ୍ୟରେ ବର୍ତ୍ତମାନ ଏନସିସି କ୍ୟାଡେଟଙ୍କ ସଂଖ୍ୟା ୬୩ ହଜାର ଅଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି ।
..
19
ଛାତ୍ରୀ ଆତ୍ମାହୁତିର ପ୍ରତିବାଦରେ ଓଡ଼ିଶା ବନ୍ଦ, ଯାତ୍ରୀ ହେଲେ ନାକେଦମ୍
ଛାତ୍ରୀ ଆତ୍ମାହୁତି ଘଟଣାର ପ୍ରତିବାଦ ସ୍ୱର ଓଡ଼ିଶାବ୍ୟାପୀ ଶୁଭିଛି । କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ଗୁରୁବାର ଦେଇଥିଲେ ବନ୍ଦ ଡାକରା । ବନ୍ଦକୁ ଅନେକ ସହରରେ ଲୋକମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ସମର୍ଥନ ଜଣାଇଥିଲେ । ଦୋକାନ ବଜାର ବନ୍ଦ ରହିଥିଲା । ବସ୍, ଟ୍ରକ, ଅଟୋ ଓ ଟ୍ୟାକ୍ସି ବନ୍ଦ ରହିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ବେପାର ବଣିଜ ଠପ ହୋଇଯାଇଥିଲା । ଅବଶ୍ୟ କୌଣସି ସ୍ଥାନରେ ହିଂସା କାଣ୍ଡ ଘଟିନାହିଁ । ଭୁବନେଶ୍ୱରରେ ଦିନସାରା ବିକ୍ଷୋଭ ଓ ଶୋଭାଯାତ୍ରା ଲାଗି ରହିଥିଲା । ପୁଲିସ ରହି ରହିନେତା ଓ କର୍ମୀଙ୍କୁ ଭ୍ୟାନରେ ଉଠାଇ ନେଉଥିଲା । ବନ୍ଦକୁ ଲୋକମାନେ ସମର୍ଥନ କରିଥିଲେ ମଧ୍ୟ ନୟାନ୍ତ ହେବାକୁ ପଡ଼ୁଥିଲା । ବସଷ୍ଟାଣ୍ଡ, ରେଳ ଷ୍ଟେସନରେ ଯାତ୍ରୀମାନେ ଅଟକି ରହି ନୟାନ୍ତ ହୋଇଥିଲେ ।
..
20.
ଆମେରିକୀୟ ଗଣମାଧ୍ୟମର ଦାବି, ପାଇଲଟ ବନ୍ଦ କରିଥିଲେ ବିମାନର ଇନ୍ଧନ ସୁଇଚ
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଛି । ଭିନ୍ନ ଭିନ୍ନ ସଂସ୍ଥା ଏହା କରୁଛନ୍ତି । ଏ ପର୍ଯ୍ୟନ୍ତ କେବଳ ପ୍ରାରମ୍ଭିକ ରିପୋର୍ଟ ଆସିଛି । ବିମାନର ଇନ୍ଧନ ସୁଇଚ ବନ୍ଦ ହେବାରୁ ଦୁର୍ଘଟଣା ହୋଇଥିବା ସେଥିରୁ ଜଣାପଡ଼ିଥିଲା । କିନ୍ତୁ ଆମେରିକାର ଗଣମାଧ୍ୟମ ଆଉ ପାଦେ ଆଗକୁ ଯାଇ ଅଧିକ ତଥ୍ୟ ପ୍ରକାଶ କରିଛି । ବିମାନର ପାଇଲଟ ନିଜେ ଇନ୍ଧନ ସୁଇଚ ବନ୍ଦ କରିଥିବା ଦାବି କରିଛି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ । ଦୁଇ ପାଇଲଟଙ୍କ ବାର୍ତ୍ତାଳାପରୁ ଏହା ସ୍ପଷ୍ଟ ବୋଲି ଲେଖାଯାଇଛି । ସହ ପାଇଲଟ ସିନିଅର କ୍ୟାପଟେନଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣ ଫୁଏଲ ସୁଇଚକୁ କାହିଁକି କଟଅଫ୍ ପୋଜିସନକୁ ଆଣିଲେ?’ । କିନ୍ତୁ ପାଇଲଟ ସୁମିତ କୌଣସି ଉତ୍ତର ଦେଇ ନଥିଲେ । ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ଭାରତରେ ବିମାନ ଚଳାଚଳ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କିପରି ତଦନ୍ତ ରିପୋର୍ଟ ଲିକ୍ ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
..
21.
ଏସବିଆଇ ପିଓ ପ୍ରିଲିମ୍ ପରୀକ୍ଷା ଅଗଷ୍ଟ ୨ରୁ, ଶୀଘ୍ର ମିଳିବ ଆଡମିଟ କାର୍ଡ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରୋବେସନାରୀ ଅଫିସର-ପିଓ ପ୍ରିଲିମ ପରୀକ୍ଷାର ଆଡମିଟ କାର୍ଡ ଶୀଘ୍ର ରିଲିଜ ହେବ । ଏହା ଜୁଲାଇ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ମିଳିବ । ଅଫିସିଆଲ ୱେବସାଇଟରୁ ଏହାକୁ ପରୀକ୍ଷାର୍ଥୀମାନେ ଡାଉନଲୋଡ କରିପାରିବେ । ଅଗଷ୍ଟ ୨, ୪ ଓ ୫ ତାରିଖରେ ପ୍ରିଲିମ ପରୀକ୍ଷା ହେବ । ପ୍ରିଲିମ୍ ରେଜଲଟ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ପ୍ରକାଶ ପାଇବ । ମେନ ପରୀକ୍ଷା ପାଇଁ ଆଡମିଟ କାର୍ଡ ଅଗଷ୍ଟ/ସେପ୍ଟେମ୍ବରରେ ମିଳିବ । ମେନ୍ ପରୀକ୍ଷା ସେପ୍ଟେମ୍ବରରେ ହେବ । ରେଜଲ୍ଟ ପ୍ରକାଶ ପାଇବ ଅକ୍ଟୋବରରେ
..
22.
ପେଟ୍ରୋଲିୟମ ମନ୍ତ୍ରୀଙ୍କ ସୂଚନା, କମିପାରେ ପେଟ୍ରୋଲ, ଡିଜେଲ ଦର
ଏବେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୬୫ ଡଲାର ରହିଛି । ଯଦି ଏହି ଦର କ୍ରମାଗତ ବଜାୟ ରହେ, ତେବେ ଦୁଇରୁ ତିନି ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇପାରେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିିଂ ପୁରୀ ଏହା କହିଛନ୍ତି । କିନ୍ତୁ ମଧ୍ୟପ୍ରାଚ୍ୟରେ ପୁଣି ଯଦି ଅସ୍ଥିରତା ଦେଖା ଦିଏ, ତେଲ ଦର କମିବାର ସମ୍ଭାବନା ନାହିଁ । ଏବେ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଲିଟରରୁ ୧୨ରୁ ୧୫ ଟଙ୍କା ଲାଭ ପାଉଛନ୍ତି । ସେହିପରି ଡିଜେଲ ଲିଟରରୁ ୬ ଟଙ୍କା ୧୨ ପଇସା ଲାଭ ପାଉଛନ୍ତି ।
..
23
ମହାରାଷ୍ଟ୍ର ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର; ଧସ୍ତାଧସ୍ତି, ଗୋଇଠା ମାଡ଼
ମହାରାଷ୍ଟ୍ର ବିଧାନସଭାର ଲବି ଗୁରୁବାର ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା । ବିଜେପି ଓ ଏନସିପି-ଶରଦ ପାୱାର ଗୋଷ୍ଠୀର ସମର୍ଥକ ମୁହାଁମୁହିଁ ହୋଇଥିଲେ । ପରସ୍ପର ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଓ ଗୋଇଠା ମାଡ଼ ଚାଲିଥିଲା । ଏହାର ଭିଡିଓ ଭାଇରଲ ହୋଇଛି । ବିଜେପି ବିଧାୟକ ଗୋପିଚନ୍ଦ ପଦଲକର ଓ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ମଧ୍ୟରେ ଗତକାଲି ବିଧାନସଭା ଗେଟ ପାଖରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ଉଭୟଙ୍କ ମଧ୍ୟରେ ଉତ୍ତେଜନା ଥିଲା । ତେବେ ଲବିରେ ଉଭୟଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।
..
24
୧ କୋଟି ୧୭ ଲକ୍ଷ ଆଧାର କାର୍ଡ ହେଲା ନିଷ୍କ୍ରିୟ, ଲୋକଙ୍କ ସହଯୋଗ ଲୋଡ଼ାଯାଉଛି
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ ଏ ପର୍ଯ୍ୟନ୍ତ ୧ କୋଟି ୧୭ ଲକ୍ଷ ଆଧାର କାର୍ଡକୁ ନିଷ୍କ୍ରିୟ କରିଛି । ଆଧାର ନମ୍ବରର ଅପବ୍ୟବହାର ହେଉଥିବା ଦୃଷ୍ଟିକୁ ଆସିବା ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବାସ୍ତବରେ କୌଣସି ଲୋକଙ୍କ ମୃତୁ୍ୟ ହେଲେ ତାଙ୍କ ଆଧାର ନମ୍ବର ନିଷ୍କ୍ରିୟ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପରିବାର ଲୋକଙ୍କ ସହଯୋଗ ଲୋଡ଼ାଯାଇଛି । ମାଇଁ ଆଧାର ପୋର୍ଟାଲରେ ଏକ ନୂଆ ସେବା ଆରମ୍ଭ କରାଯାଇଛି । ତାହା ହେଲା, ‘ରିପୋର୍ଟିଙ୍ଗ ଅଫ ଡେଥ୍ ଅଫ ଏ ଫ୍ୟାମିଲି ମେମ୍ବର’ । ପରିବାର ଲୋକଙ୍କୁ ଏହା ମାଧ୍ୟମରେ ମୃତବ୍ୟକ୍ତିଙ୍କ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।
…
25.
ଶେୟାର ବଜାରରେ ହ୍ରାସ: ସେନସେକ୍ସ ଓ ନିଫ୍ଟି ତଳମୁହାଁ
ଆଜି ଭାରତୀୟ ଶେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ମିଶ୍ରିତ ଆନ୍ତର୍ଜାତୀୟ ସଙ୍କେତ ଏବଂ ନିବେଶକଙ୍କ ମନରେ ଥିବା ଆଶଙ୍କା ଯୋଗୁଁ ବଜାର ତଳକୁ ଖସିଛି। ଦିନ ଶେଷରେ ସେନସେକ୍ସ ୩୭୫ ପଏଣ୍ଟ ହ୍ରାସ ପାଇ ୮୨,୨୫୯ରେ ବନ୍ଦ ହୋଇଥିବାବେଳେ, ନିଫ୍ଟି ପ୍ରାୟ ୧୦୦ ପଏଣ୍ଟ କମି ୨୫,୧୧୧ରେ ବନ୍ଦ ହୋଇଛି। ତେବେ ଛୋଟ ଓ ମଧ୍ୟମ କମ୍ପାନୀଗୁଡ଼ିକର ସୂଚକାଙ୍କରେ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା। ଆଇଟି ସେକ୍ଟରର ଶେୟାରଗୁଡ଼ିକରେ ସବୁଠାରୁ ଅଧିକ ହ୍ରାସ ଘଟିଥିବାବେଳେ ଟେକ୍ ମହିନ୍ଦ୍ରାର ଶେୟାର ସର୍ବାଧିକ କ୍ଷତି ସହିଛି। ଅନ୍ୟପଟେ, ଟାଟା ଷ୍ଟିଲ୍, ପାୱାର ଓ ମେଟାଲ ସେକ୍ଟରର ଶେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବଜାରରେ ଅଧିକାଂଶ କମ୍ପାନୀର ଶେୟାର ମୂଲ୍ୟ କମିଥିବା ଦେଖାଯାଇଛି।
….
26.
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ
ଆଜି ବୈଦେଶିକ ମୁଦ୍ରା ବଜାରରେ ଭାରତୀୟ ଟଙ୍କାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୪ ପଇସା ଦୁର୍ବଳ ହୋଇ ୮୬ ଟଙ୍କା ୮ ପଇସାରେ ବନ୍ଦ ହୋଇଛି। ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମଜବୁତ ହେବା ଯୋଗୁଁ ଟଙ୍କାର ମୂଲ୍ୟ କମିଛି। ଟଙ୍କାର ମୂଲ୍ୟ କମିଲେ ଭାରତ ପାଇଁ ବିଦେଶରୁ ଆମଦାନୀ କରାଯାଉଥିବା ସାମଗ୍ରୀ ମହଙ୍ଗା ହୋଇଯାଏ। ବିଶେଷକରି ଅଶୋଧିତ ତୈଳ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ମେସିନପାତି ଆମଦାନୀ ଖର୍ଚ୍ଚ ବଢ଼ିଯାଏ।
..
27.
ସୁନା ଚୋରା ଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍
କନ୍ନଡ ଫିଲ୍ମ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ । ବିଦେଶୀ ମୁଦ୍ରା ସଂରକ୍ଷଣ ଓ ଚୋରା ଚାଲାଣ ନିବାରଣ ଅଧିନିୟମ ଅନୁସାରେ ପରାମର୍ଶଦାତା ବୋର୍ଡ ଏହି ଦଣ୍ଡାଦେଶ ଶୁଣାଇଛି । ତେବେ ଦଣ୍ଡାଦେଶ ଅବଧିରେ ସେ ଜାମିନ ଆବେଦନ କରିପାରିବେ ନାହିଁ । ରାନ୍ୟାଙ୍କ ସହ ଅନ୍ୟ ତୁଇ ଅଭିଯୁକ୍ତ ତରୁଣ ରାଜୁ ଓ ସାହିଲ ଜୈନଙ୍କୁ ମଧ୍ୟ ବର୍ଷେ ଲେଖାଏ ଜେଲ ଦଣ୍ଡ ମିଳିଛି । ଗତ ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁର କେମ୍ପାଗୌଡ଼ା ବିମାନବନ୍ଦରରୁ ରାନ୍ୟାଙ୍କୁ ଗିରଫ କରାଯାଇଥିଲା । ସେ ଦୁବାଇରୁ ଆଣିଥିବା ୧୪ କିଲୋରୁ ଅଧିକ ସୁନା ଜବତ ହୋଇଥିଲା । ପୁଲିସ ଚାର୍ଜସିଟ ଦାଖଲ କରିବାରେ ବିଳମ୍ବ କରିବାରୁ ତାଙ୍କୁ ଏକ କୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଏହାକୁ ଏବେ ବାତିଲ କରିଦିଆଯାଇଛି ।
..
28.
ଇରାନର ସପିଙ୍ଗ ମଲରେ ଭୟାବହ ଅଗ୍ନିକାଣ୍ଡ, ୬୯ ଜଣଙ୍କ ମୃତୁ୍ୟ
ଇରାନର ଅଲ୍-କ୍ରୁଟ ସହରର ଏକ ବଡ଼ ସପିଙ୍ଗ ମଲ୍ ରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬୯ ଜଣଙ୍କ ଜୀବନ ଯାଇଛି ଏବଂ ୧୧ ଜଣ ନିଖୋଜ ଅଛନ୍ତି । ୪୫ ଜଣଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଥିଲା । ପୁଲିସ ସପିଙ୍ଗ ମଲ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି । ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସପିଙ୍ଗ ମଲ ୫ ଦିନ ତଳେ ଉଦଘାଟିତ ହୋଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । କୁହାଯାଉଛି ଏସିରେ ବିସ୍ଫୋରଣ ହେବାରୁ ନିଆଁ ବ୍ୟାପିଯାଇଥିଲା ।
..
29.
ଚାନ୍ଦିପୁରରେ ପୃଥ୍ୱୀ-୨ ଓ ଅଗ୍ନି-୧ର ସଫଳ ପରୀକ୍ଷଣ
ଚାନ୍ଦିପୁରର ସମନ୍ୱିତ ଟେଷ୍ଟ ରେଞ୍ଜ -ଆଇଟିଆରରୁ ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପୃଥ୍ୱୀ-୨ ଓ ଅଗ୍ନି-୧ର ପରୀକ୍ଷା କରାଯାଇଛି । ଗୁରୁବାର ହୋଇଥିବା ଏହି ପରୀକ୍ଷା ସମୟରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ତତ୍ତ୍ୱାବଧାନରେ ହୋଇଥଲା ପରୀକ୍ଷଣ । ଦୁଇଟି ଯାକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପୂର୍ବରୁ ଅନେକ ବାର ପରୀକ୍ଷା କରାଯାଇଛି ।
..
30
୨୩ରୁ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ, ଖେଳି ପାରନ୍ତି ବୁମରା
ଆସନ୍ତା ୨୩ ତାରିଖରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଭାରତୀୟ ଦଳ ଗୁରୁବାର ବେକେନହାମ ସ୍ଥିତ କେଣ୍ଟ କାଉଣ୍ଟି ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି । ଯଶପ୍ରୀତ ବୁମରାଙ୍କୁ ନେଟସରେ ବୋଲିଂ କରିବାର ଦେଖିବାକୁ ମିଳିଥିଲା । ସେ ଚତୁର୍ଥ ଟେଷ୍ଟ ଖେଳିବାର ସମ୍ଭାବନା ରହିଛି । ଦଳ ଆସନ୍ତାକାଲି ମାଞ୍ଚେଷ୍ଟର ଯାତ୍ରା କରିବ । ପରଦିନ ଓଲ୍ଡ ଟ୍ରାଫୋର୍ଡରେ ଅଭ୍ୟାସ କରିବ । ୱିକେଟକିପର ରିଷଭ ପନ୍ତ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଗୁରୁବାର ସେ ନେଟସକୁ ଆସିଥିଲେ ମଧ୍ୟ କିପିଙ୍ଗ କରିନଥିଲେ । କେବଳ ହାଲକା ବ୍ୟାୟାମ କରିଥିଲେ । ତେବେ ସେ ଶୀଘ୍ର ଫିଟ ହୋଇଯିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା କରିଛି ।