ବିଧାନସଭାରେ ସୂଚନା; କଳାହାଣ୍ଡିରେ ମାଣିକ ଓ ନୂଆପଡ଼ାରେ ହୀରା ଖଣିର ସନ୍ଧାନ
ଓଡ଼ିଶାର ମାଟି ତଳେ ଲୁହାପଥର, ବକ୍ସାଇଟ, ମାଙ୍ଗାନିଜ ସହ ହୀରା ଓ ସୁନା ମଧ୍ୟ ରହିଛି । ବିଧାନସଭାରେ ଗୁରୁବାର ଏହି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି, ନୂଆପଡ଼ା ଜିଲ୍ଲାର କଲମିଦାଦର ଅଞ୍ଚଳରେ ହୀରା ପଥର ଖଣିର ସନ୍ଧାନ ମିଳିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହିଞ୍ଜିଳିବାହାଳ-ଜିଲିଙ୍ଗବରରେ ମାଣିକର ସନ୍ଧାନ ମିଳିଛି । ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକରେ ତମ୍ବା ପଥର, ଗ୍ରାଫାଇଟ ଓ ନିକେଲ ଠାବ କରାଯାଇଛି । ଅଡସ ରାମପଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ମଦନସାହି-କାଞ୍ଜିଆରେ ସୁନା ଓ ତମ୍ବା ପଥର ଠାବ କରାଯାଇଛି । କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର ଜଳଡିହରେ ସୁନା ଖଣିର ସନ୍ଧାନ ମିଳିଛି । ଏଠାରେ ୧ ହଜାର ୫୮୬ କିଲୋ ସୁନା ଥିବା ଆକଳନ ହୋଇଛି । ଏହି ଖଣିକୁ ନିଲାମ କରିବାକୁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି ।