
୧.
ଦୈନିକ ସ୍କୁଲରେ ବୋଲାଯିବ ଗୀତା ଶ୍ଳୋକ,ଉତ୍ତରାଖଣ୍ଡ ସରକାରଙ୍କ ନିଷ୍ପତ୍ତି
ପ୍ରତି ଦିନ ସ୍କୁଲରେ ଶ୍ରୀମଦ୍ ଭଗବଦ ଗୀତା ଶ୍ଳୋକ ଆବୃତ୍ତି କରାଯିବ । ଏହି ନିୟମ କରିଛନ୍ତି ଉତ୍ତରାଖଣ୍ଡ ସରକାର । ଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ସମସ୍ତ ଅଧିକାରୀଙ୍କ ନିକଟରୁ ଏ ନେଇ ନିର୍ଦେଶନାମା ପଠାଯାଇଛି । ପ୍ରତି ସପ୍ତାହରେ ଗୋଟିଏ ଶ୍ଳୋକ ଚୟନ କରାଯିବ । ସ୍କୁଲ ନୋଟିସ ବୋର୍ଡରେ ତାହା ଲେଖାଯିବ । ଦୈନିକ ପିଲାମାନେ ତାହାକୁ ପ୍ରାର୍ଥନା କ୍ଲାସରେ ଆବୃତ୍ତି କରିବେ । ସପ୍ତାହ ଶେଷରେ ସେହି ଶ୍ଳୋକର ଅର୍ଥ ସମ୍ପର୍କରେ ପିଲାମାନଙ୍କୁ ବୁଝାଯିବ । ଶ୍ରେଣୀରେ ଆଲୋଚନା କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ଠାରୁ ଫିଡବ୍ୟାକ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଶ୍ଳୋକର ଅର୍ଥ ଭଲ ଭାବେ ବୁଝାଇବାକୁ ଶିକ୍ଷକମାନଙ୍କୁ କୁହାଯାଇଛି । ସ୍କୁଲ ପାଠ୍ୟକ୍ରମରେ ଉଭୟ ଭଗବଦ ଗୀତା ଓ ରାମାୟଣର ଶିକ୍ଷାକୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୂର୍ବରୁ ନିର୍ଦେଶ ଦେଇଥିଲେ । ରାଜ୍ୟରେ ଖୁବ ଶୀଘ୍ର ଏହା ଆଧାରିତ ପାଠ୍ୟ ପୁସ୍ତକ ଆସିବ ବୋଲି ଜଣାପଡ଼ିଛି ।
…
୨.
ଆସନ୍ତା ୨୧ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଆସନ୍ତା ୨୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନିବାର୍ଯ୍ୟ କାରଣ ପାଇଁ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟରେ ସୂଚନା ଦିଆଯାଇଛି । ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି କୁହାଯାଇଛି ।
…
୩.
ଆଜିଠାରୁ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ପର୍କତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
‘ଉତ୍ତମ ପ୍ରଶାସନିକ ଅଭ୍ୟସ’ ବିଷୟବସ୍ତୁ ଉପରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏହା ଆଜି ଓ ଆସନ୍ତାକାଲି ଦୁଇ ଦିନ ଭୁବନେଶ୍ୱରରେ ହେବ । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନସନ୍ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଜାତୀୟ ସମ୍ମିଳନୀରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜିତ ହେବ । ଜିଲ୍ଲାପାଳ ଓ କେନ୍ଦ୍ର , ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ଶ୍ରେଷ୍ଠ ଅଭ୍ୟାସ ଗୁଡ଼ିକୁ ସମ୍ମିଳନୀରେ ଉପସ୍ଥାପନ କରିବେ ।
…
୪.
ଟେସଲା କାର୍ ରେ ବୁଲିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ
ମୁମ୍ବାଇରେ ଉଦଘାଟିତ ହୋଇଛି ଟେସଲା କାର ସୋ-ରୁମ୍ । ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନି ଟେସଲା । ଦୀର୍ଘ ଦିନର ଅପେକ୍ଷା ପରେ ଓ ଆଲୋଚନା ପରେ କମ୍ପାନି ଭାରତ ବଜାରରେ ପାଦ ଥାପିଛି । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହାର ସୋ-ରୁମ୍ ଖୋଲିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ ବୁଧବାର ଟେସଲା କାର୍ ରେ ବସି ବୁଲିଛନ୍ତି । ସେ ବିଧାନଭବନ ପାଖରେ କାରରେ ବସି ବୁଲିଥିଲେ । ଟେସଲାର ଦୁଇଟି ମଡେଲ ଭାରତରେ ଉପଲବ୍ଧ ହେଉଛି । ଗୋଟିଏର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଏବଂ ଅନ୍ୟଟିର ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା । ଏହି ଅବସରରେ ସିନେ୍ଦ କହିଛନ୍ତି, ମହାରାଷ୍ଟ୍ରକୁ ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ଆସୁଛି । ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ଥିବାରୁ ନିବେଶକ ମାନେ ଆକୃଷ୍ଟ ହେଉଛନ୍ତି ।
…
୫.
ସୁପ୍ରିମକୋର୍ଟଙ୍କ ନିର୍ଦେଶ ମାନିବାରେ ହାଇକୋର୍ଟ ବି କରୁଛନ୍ତି ବିଳମ୍ବ, ମିଳିଲା ଚେତାବନୀ
ଦେଶର ବିଭିନ୍ନ ହାଇକୋର୍ଟରେ ଶୌଚାଳୟ ସମସ୍ୟା ରହିଛି । ଏ ନେଇ ଏକ ଜନସ୍ୱାର୍ଥ ମାମଲା ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେଣୁ ଦେଶର ସମସ୍ତ ହାଇକୋର୍ଟଙ୍କୁ ଶୌଚାଳୟର ସ୍ଥିତାବସ୍ଥା ନେଇ ରିପୋର୍ଟ ମାଗିଥିଲେ । ଗତ ଜାନୁଆରୀ ମାସରୁ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ରିପୋର୍ଟ ଦାଖଲ ହୋଇନି । ବୁଧବାର ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଆର ମହାଦେବନ ଏହି ମାମଲାରେ ରାଜ୍ୟଗୁଡ଼ିକୁ ଚେତାବନୀ ଦେଇଛନ୍ତି । ଆସନ୍ତା ଆଠ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ନ ହେଲେ ରେଜିଷ୍ଟ୍ରାରମାନେ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ହାଜିରା ଦେବେ । ୨୫ଟି ହାଇକୋର୍ଟ ମଧ୍ୟରୁ କେବଳ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, କଲିକତା, ଦିଲ୍ଲୀ ଏବଂ ପାଟନା ରିପୋର୍ଟ ଦାଖଲ କରିଛନ୍ତି ।
…
୬.
ଇଗନୁର ନାମ ଲେଖା ଅବଧି ଜୁଲାଇ ୩୧ ତାରିଖକୁ ବୃଦ୍ଧି
ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେଜୁଲାଇ-୨୦୨୫ ଶିକ୍ଷା ସତ୍ର ପାଇଁ ନାମଲେଖା ପ୍ରକ୍ରିୟା ଚାଲୁ ରହିଛି । ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମଲେଖା ହେଉଛି । ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତିମାନେ ଏହାର ଫାଇଦା ନେଇପାରିବେ । ସମସ୍ତ ବିଭାଗର ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଏବଂ ସାଟିଫିକେଟ ପ୍ରୋଗ୍ରାମରେ ନାମ ଲେଖା ଯାଉଛି । ଏସସି, ଏସଟି ଆବେଦନକାରୀଙ୍କ ପାଇଁ ସ୍ନାତକ ପାଠ୍ୟକ୍ରମ ପାଇଁ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି । ଅନ୍ୟ ସୂତ୍ରରୁ ରିହାତି ପାଉଥିଲେ ଏହି ସୁବିଧା ପାଇପାରିବେ ନାହିଁ । ନାମ ଲେଖା ପ୍ରକ୍ରିୟା ପୂର୍ବରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରାଯାଇଥିଲା । ଏବେ ତାହାକୁ ଜୁଲାଇ ୩୧ ତାରିଖକୁ ବୃଦ୍ଧି କରାଯାଇଛି ।
…
୭.
ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକଙ୍କୁ ମିଳିବ ତୀର୍ଥଯାତ୍ରୀ ଯୋଜନାର ସୁବିଧା
ପ୍ରତିବର୍ଷ ଭଳି ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ତୀଥଯାତ୍ରୀ ଯୋଜନା ଚାଲୁ ରହିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହି ବ୍ୟବସ୍ଥା ଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସି ର ମିଳିତ ସହଭାଗିତାରେ ଏହା କାର୍ଯ୍ୟକାରୀ ହେଉଛି । ପ୍ରତି ପର୍ଯ୍ୟାୟର ତୀଥଯାତ୍ରା ଅବଧି ମୋଟ ୫ ରାତି ଓ ୬ ଦିନ ମଧ୍ୟରେ ସୀମିତ ରହିବ । ରାଜ୍ୟର ୧୦ଟି ସ୍ଥାନରୁ ଏସକର୍ଟ ଅଧିକାରୀଙ୍କ ସହିତ ୮ଶହ ଜଣ ଲେଖାଏ ଯିବେ । ମୋଟ ୮ ହଜାର ତୀର୍ଥଯାତ୍ରୀ ଅଯୋଧ୍ୟା-ବାରାଣସୀ, ଉଜ୍ଜୟିନୀ-ଓମକାରେଶ୍ୱର ଏବଂ ରାମେଶ୍ୱରମ-ମଦୁରାଇ ଆଦି ତୀର୍ଥସ୍ଥଳକୁ ଯିବେ । ଆଜି ପର୍ଯ୍ୟନ୍ତ ମୋଟ ୪ଟି ଟୁରରେ ୩୭ ହଜାର ୫୫୫ ଜଣ ବରିଷ୍ଠ ନାଗରିକ ଏହି ସୁବିଧା ପାଇଛନ୍ତି ।
…
୮.
ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ
ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ୮ଟି ନୂଆ ବିଲ୍ ଆଗତ ହୋଇପାରେ । ଏଥିସହ ଇନକମ ଟ୍ୟାକ୍ସ ବିଲକୁ ଅନୁମୋଦନ ମିଳିପାରେ । ମଣିପୁରରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧିକୁ ମଧ୍ୟ ମଂଜୁରି ମିଳିପାରେ । ଅପରପକ୍ଷରେ ଅଧିବେଶନ କାଳରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକ ବଡ଼ ହଙ୍ଗାମା କରିବା ଅନୁମାନ କରାଯାଉଛି । ବିଶେଷ କରି ବିହାର ଭୋଟର ତାଲିକା ସଂଶୋଧନ, ଅପରେସନ ସିନ୍ଦୂର ଏବଂ ଟ୍ରମ୍ପଙ୍କ ବିବୃତି ବାବଦରେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ।
…
9.
ବିଶ୍ଵ ବାଣିଜ୍ୟରେ ଟ୍ରମ୍ପଙ୍କ ନୂଆ ଚାଲ୍: ଇଣ୍ଡୋନେସିଆ ସହ ଚୁକ୍ତି, ମେକ୍ସିକୋ ଉପରେ ଶୁଳ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଣ୍ଡୋନେସିଆ ସହ ଏକ ନୂଆ ବାଣିଜ୍ୟ ଚୁକ୍ତି ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଆମେରିକୀୟ କମ୍ପାନୀଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରବେଶ ବଦଳରେ ଇଣ୍ଡୋନେସିଆ ସାମଗ୍ରୀ ଉପରେ ପ୍ରସ୍ତାବିତ ଶୁଳ୍କ ୧୯ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାର ପ୍ରତିବଦଳରେ ଇଣ୍ଡୋନେସିଆ ୧୫ ବିଲିୟନ ଡଲାରର ଆମେରିକୀୟ ଶକ୍ତି, ୪.୫ ବିଲିୟନ ଡଲାରର କୃଷି ସାମଗ୍ରୀ ଏବଂ ୫୦ଟି ବୋଇଂ ଜେଟ୍ କିଣିବ। ଇଣ୍ଡୋନେସିଆ ଏହି ଚୁକ୍ତିକୁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନଥିଲେ ମଧ୍ୟ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ଏହାକୁ ‘ପାରସ୍ପରିକ ଲାଭର ଏକ ନୂଆ ଯୁଗ’ ବୋଲି କହିଛନ୍ତି। ଅନ୍ୟପଟେ, ଅନୁଚିତ ମୂଲ୍ୟ ନିର୍ଦ୍ଧାରଣ ଦର୍ଶାଇ ଆମେରିକା ମେକ୍ସିକୋ ଟମାଟୋ ଉପରେ ୧୭ ପ୍ରତିଶତ ଶୁଳ୍କ ଲଗାଇଛି। ମେକ୍ସିକୋ ଏହି ଦାବିକୁ ଖଣ୍ଡନ କରି ଖାଦ୍ୟ ଦର ବୃଦ୍ଧି ନେଇ ଚେତାବନୀ ଦେଇଛି। ଆକ୍ରମଣାତ୍ମକ ଶୁଳ୍କ ନୀତି ମାଧ୍ୟମରେ ବିଶ୍ୱ ବାଣିଜ୍ୟକୁ ପୁନଃ ଆକାର ଦେବା ପାଇଁ ହ୍ଵାଇଟ୍ ହାଉସର ଏହା ଏକ ନୂଆ ପ୍ରୟାସ।
…
10.
ଇରାନକୁ ନ ଯିବାକୁ ଭାରତୀୟଙ୍କୁ ବାରଣ କଲା ଦୂତାବାସ
ଗତ କିଛି ସପ୍ତାହ ଧରି ଏହି ଅଞ୍ଚଳରେ ବଢୁଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଇରାନରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା ନକରିବା ପାଇଁ ପରାମର୍ଶ ଦେଇଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତୀୟମାନେ ଇରାନ ଯିବା ପୂର୍ବରୁ ବଦଳୁଥିବା ପରିସ୍ଥିତିକୁ ଭଲଭାବେ ବିଚାର କରନ୍ତୁ। ଏଥିସହ ସଦ୍ୟତମ ଆଞ୍ଚଳିକ ଘଟଣାକ୍ରମ ଉପରେ ନଜର ରଖିବାକୁ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଜାରି କରାଯାଉଥିବା ନୂଆ ପରାମର୍ଶକୁ ପାଳନ କରିବାକୁ ଅନୁରୋଧ କରାଯାଇଛି।
…
11.
FATFର ଚେତାବନୀ, ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ବିଶ୍ବସ୍ତରୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ଡିଜିଟାଲ ଦୁନିଆରେ ଅର୍ଥର ଅପବ୍ୟବହାର ନେଇ ସତର୍କ କରାଇଛି। ସଂସ୍ଥା ଅନୁଯାୟୀ, ଏହି ଅର୍ଥ ଆତଙ୍କବାଦ, କଳାଧନ ଲୁଚାଇବା ଏବଂ ବିଶ୍ୱ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଥିବା କାର୍ଯ୍ୟରେ ବ୍ୟବହାର ହେଉଛି। FATF ନିଜ ରିପୋର୍ଟରେ କ୍ରିପ୍ଟୋକରେନ୍ସିର ଅପବ୍ୟବହାର ଓ କମ୍ପାନୀର ପ୍ରକୃତ ମାଲିକଙ୍କ ପରିଚୟ ଲୁଚାଇବା ଭଳି ନୂଆ ପଦ୍ଧତି ଉପରେ ଆଲୋକପାତ କରିଛି। ଭାରତ ଦ୍ୱାରା ଦିଆଯାଇଥିବା ଏକ ତଥ୍ୟରେ ପାକିସ୍ତାନକୁ ଏକ ଉଚ୍ଚ ବିପଦପୂର୍ଣ୍ଣ ଦେଶ କୁହାଯାଇଛି, ଯାହାର ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ବେଆଇନ ପାଣ୍ଠି ଯୋଗାଣରେ ସମ୍ପୃକ୍ତ। ଭାରତ ମଧ୍ୟ ପାକିସ୍ତାନର ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦକୁ ଏକ ବଡ଼ ବିପଦ ବୋଲି କହିଛି।
…
12.
ଆଜି କଂଗ୍ରେସର ଓଡ଼ିଶା ବନ୍ଦ, ଗାଡ଼ିମୋଟର ଚାଲିବନି
ଆଜି କଂଗ୍ରେସ ସମେତ ଆଠଟି ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ରାଜ୍ୟବ୍ୟାପୀ ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ଗାଡ଼ିମୋଟର ମଧ୍ୟ ଚାଲିବନି ବୋଲି କୁହାଯାଇଛି । ତେବେ ବସ୍ ମାଲିକ ସଂଘ କହିଛନ୍ତି, ସୁରକ୍ଷା କାରଣରୁ ବସ୍ ଚଳାଚଳ ବନ୍ଦ ରଖାଯାଇପାରେ । ତେବେ ଜରୁରୀକାଳୀନ ସେବା ଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ ଶାନ୍ତି ଶୃଙ୍ଖଳାର ସହ ବନ୍ଦ କରାଯିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟାବ୍ୟାପୀ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି । ସିସିଟିଭି ଓ ଡ୍ରୋନ ଜରିଆରେ ବନ୍ଦ ସମର୍ଥକଙ୍କ ଉପରେ ନଜର ରଖିବାକୁ ପୁଲିସ ନିଷ୍ପତ୍ତି ନେଇଛି ।
…
13.
ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ, ୧୦୦ କୋଟିରୁ ଅଧିକ କ୍ଷତି ହେବ
ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାରୁ ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ ରହିବ । ପେଟ୍ରୋଲ ଡିଲର ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା କାରଣରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରଖାଯିବ । ସନ୍ଧ୍ୟା ପରେ ପମ୍ପ ଖୋଲାଯିବ । ଏହି ୧୨ ଘଣ୍ଟାର ବନ୍ଦରେ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
…
14.
ଆସନ୍ତା ୧୯ ପର୍ଯ୍ୟନ୍ତ ହେବ ଯୁକ୍ତ ତିନି ସ୍ପଟ୍ ନାମଲେଖା
ସ୍ନାତକ ପାଠ୍ୟକ୍ରମ- ଯୁକ୍ତ ତିନି ସ୍ପଟ ନାମଲେଖା ଅବଧି ବୃଦ୍ଧି ହୋଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଜଣାଇ ଦିଆଯାଇଛି । ରାଜ୍ୟରେ ଏବେ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଚାଲିଛି । ଗତ ୭ରୁ ୧୦ ତାରିଖ ଏହା ହେବା କଥା । ୧୫ରୁ ୧୬ ତାରିଖ ମଧ୍ୟରେ ନାମ ଲେଖା ଶେଷ ହେବା କଥା । ଏବେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି ।
…
15.
ବିଜେଡିର ଲୋକସେବା ଭବନ ଘେରାଉରେ ପାଣିମାଡ଼, ଲୁହବୁହା ବାଷ୍ପ ପ୍ରୟୋଗ; ନେତା, ପୁଲିସ ଆହତ
ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ବୁଧବାର ଭୁବନେଶ୍ୱରରେ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା । ହଜାର ହଜାର ବିଜେଡି କର୍ମୀଙ୍କ ସହ ପ୍ରମୁଖ ନେତାମାନେ ଏଥିରେ ସାମିଲ ହୋଇଥିଲେ । ସଶସ୍ତ୍ର ପୁଲିସ ବ୍ୟାରିକେଡ କରି ଜଗି ରହିଥିଲେ । ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗିବାରୁ ପୁଲିସ ପାଣିମାଡ଼ ସହ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ଧସ୍ତାଧସ୍ତିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ କେତେକ କର୍ମୀ ଆହତ ହୋଇଥିଲେ । ୭ ଜଣ ପୁଲିସ ମଧ୍ୟ ଆହତ ହୋଇଥିବା କମିଶନର କହିଛନ୍ତି । ଶତାଧିକ ନେତା ଓ କର୍ମୀଙ୍କୁ ଗିରଫ କରାଯାଇଥିଲା । ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି । ପୁଲିସ ରବର ଗୁଳି ମାଡ଼ କରିଥିବା କର୍ମୀମାନେ ଅଭିଯୋଗ କରିଛନ୍ତି । କିନ୍ତୁ ପୁଲିସ କମିଶନର ଏହାକୁ ଅସ୍ୱୀକାର କରିଛନ୍ତି ।
…
16.
ଛାତ୍ରୀ ଆତ୍ମାହୁତି ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ସଂସଦ ଘରିବ କଂଗ୍ରେସ
ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଦବେଗ ସୃଷ୍ଟି କରିଛି । ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । କଂଗ୍ରେସ ବାଲେଶ୍ୱର ପ୍ରସଙ୍ଗକୁ ନେଇ ସଂସଦ ଘେରାଉ କରିବ । ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏହି ସୂଚନା ଦେଇଛନ୍ତି । ଆତ୍ମାହୁତି ଘଟଣାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲଗାତାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ଓଡ଼ିଶାର ନାରୀ ନିର୍ଯାତନା ଦେଶକୁ ଦୋହଲାଇ ଦେଇଛି ବୋଲି ଲାମ୍ବା କହିଛନ୍ତି ।
…..
17.
କଂଗ୍ରେସ ଦାବି କଲା ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା, ମୋଦିଙ୍କୁ ଲେଖିଲେ ଚିଠି
ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଏ ନେଇ ବିଲ ଆଣିବାକୁ ଦାବି କରାଯାଇଛି । ବିଗତ ୫ ବର୍ଷ ହେଲା ଜମ୍ମୁ-କାଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କଂଗ୍ରେସ । ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଦେବାର ନଜିର ରହିଛି । କିନ୍ତୁ କେବେ ରାଜ୍ୟକୁ କେନ୍ଦ୍ରଶାସିତ ମାନ୍ୟତା ଦେବାର ଉଦାହରଣ ନାହିଁ ବୋଲି କଂଗ୍ରେସ କହିଛି । ୨୦୧୯ରେ କେନ୍ଦ୍ର ସରକାର ଧାରା ୩୭୦ ଓ ୩୫-ଏର ଉଚ୍ଛେଦ ସମୟରେ ଲଦାଖ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିଥିଲେ । ସ୍ଥିତି ସ୍ୱାଭାବିକ ହେଲେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
…
18.
ସିରିଆ ସେନା ମୁଖ୍ୟାଳୟରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ
ସିରିଆ ରାଜଧାନୀ ଦାମାସ୍କସରେ ଥିବା ସେବା ମୁଖ୍ୟାଳୟ ଉପରେ ହୋଇଛି ଏୟାର ଷ୍ଟ୍ରାଇକ । ବୁଧବାର ଏହି ଆକ୍ରମଣ କରିଛି ଇସ୍ରାଏଲ । ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଫିସକୁ ମଧ୍ୟ ଟାର୍ଗେଟ କରିଛି । ଦକ୍ଷିଣ ସିରିଆରୁ ସେନା ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଦାବି କରିଛି । ନ ହେଲେ ଏଭଳି ଆକ୍ରମଣ ଜାରି ରହିବ ବୋଲି ଧମକ ଦେଇଛି । ଦକ୍ଷିଣ ସିରିଆର ସ୍ୱେଦା ପ୍ରଦେଶରେ ଶିଆ ଡ୍ରୁଜ୍ ଏବଂ ସୁନ୍ନି ବେଦୋଇନ ସମ୍ପ୍ରଦାୟ ମଧ୍ୟରେ ୪ ଦିନ ହେଲା ଭୟାନକ ସଂଘର୍ଷ ଚାଲିଛି । ୨୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏହି ଅଞ୍ଚଳରେ ଡ୍ରୁଜ୍ ମାନଙ୍କ ସୁରକ୍ଷା ଚାହୁଁଛି ଇସ୍ରାଏଲ । ସିରିଆ ସେନା ବେଦୋଇନ ଗୋଷ୍ଠୀକୁ ସମର୍ଥନ କରୁଛି । ତେଣୁ ଇସ୍ରାଏଲ ଡ୍ରୁଜ୍ ମାନଙ୍କ ସପକ୍ଷରେ ବାହାରିଛି ।
…
19.
ଗାଜାରେ ନିରୀହଙ୍କୁ ଆକ୍ରମଣ କରୁଛି ଇସ୍ରାଏଲ, ଖାଦ୍ୟ ନେଉଥିବା ବେଳେ ୪୩ ମୃତ
ଇସ୍ରାଏଲର ଆଖିବୁଜା ଆକ୍ରମଣରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଲୋକମାନେ ଖାଦ୍ୟାଭାବରୁ ଦୁର୍ଦ୍ଦଶାରେ ପଡ଼ିଛନ୍ତି । ଭୋକ ଜ୍ୱାଳାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଖାଦ୍ୟ ବିତରଣ କେନ୍ଦ୍ରକୁ ଦୈନିକ ଇସ୍ରାଏଲ ଟାର୍ଗେଟ କରୁଛି । ତେଣୁ ଅନେକ ନିରୀହଙ୍କ ଜୀବନ ଯାଉଛି । ଖାଦ୍ୟ ପାଇଁ ଲୋକମାନେ ଘରୁ ବାହାରି ଖାଦ୍ୟ ବିତରଣ କେନ୍ଦ୍ରକୁ ଗଲେ ଆକ୍ରମଣର ଶିକାର ହେଉଛନ୍ତି । ବୁଧବାର ଏକ କେନ୍ଦ୍ର ଉପରେ ଅଚାନକ ଆକ୍ରମଣ ହେବାରୁ ୪୩ ଜଣ ପ୍ରାଣ ହରାଇଛନ୍ତି । ଏ ପର୍ଯ୍ୟନ୍ତ ଗାଜା ଫୁଡ ସେଣ୍ଟରରେ ମୋଟ ମୃତୁ୍ୟ ସଂଖ୍ୟା ୮୭୦ରେ ପହଞ୍ଚିଲାଣି । କିନ୍ତୁ ଇସ୍ରାଏଲ ସେନା ଏହି ଦୋଷ ମୁଣ୍ଡାଇବାକୁ ନାରାଜ । ହମାସ ଗୋଷ୍ଠୀ ଜାଣିଶୁଣି ସଂଘର୍ଷ କରୁଛି ବୋଲି ପାଲଟା ଦୋଷାରୋପ କରିଛି ସେନା ।
….
20
ହକିରେ ଦୀପିକା ଜିତିଲେ ବିଶ୍ୱସ୍ତରୀୟ ‘ମ୍ୟାଜିକ୍ ସ୍କିଲ୍’ ପୁରସ୍କାର
ଭାରତୀୟ ମହିଳା ହକି ଫରୱାର୍ଡ ଦୀପିକା ଇତିହାସ ରଚିଛନ୍ତି। ସେ ସମ୍ମାନଜନକ ‘ପୋଲିଗ୍ରାସ୍ ମ୍ୟାଜିକ୍ ସ୍କିଲ୍’ ପୁରସ୍କାର ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ ହକି ପ୍ରୋ ଲିଗ୍ରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଦେଇଥିବା ଏକ ଚମତ୍କାର ସୋଲୋ ଗୋଲ୍ ପାଇଁ ତାଙ୍କୁ ବିଶ୍ୱବ୍ୟାପୀ ହକି ପ୍ରଶଂସକମାନେ ଭୋଟ୍ ଦେଇ ବିଜୟୀ କରାଇଛନ୍ତି। ସେହି ମ୍ୟାଚରେ ଦୀପିକା ଏକାକୀ ଡଚ୍ ପ୍ରତିରକ୍ଷା ଭେଦ କରି ଏକ ଅବିଶ୍ୱସନୀୟ ଗୋଲ୍ ଦେଇଥିଲେ।
….
21.
ଜାପାନ ଓପନ: ସିନ୍ଧୁ ନିରାଶ, ସାତ୍ତ୍ୱିକ-ଚିରାଗ ଓ ଲକ୍ଷ୍ୟଙ୍କ ବିଜୟ
ଟୋକିଓରେ ଚାଲିଥିବା ଜାପାନ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବଡ଼ ଝଟକା ଲାଗିଛି। ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ପି.ଭି. ସିନ୍ଧୁ ପ୍ରଥମ ରାଉଣ୍ଡରୁ ହିଁ ବିଦା ହୋଇଛନ୍ତି। ସେ କୋରିଆର ସିମ୍ ୟୁ ଜିନ୍ଙ୍କଠାରୁ ୧୫-୨୧, ୧୪-୨୧ରେ ସିଧାସଳଖ ଗେମ୍ରେ ହାରିଯାଇଛନ୍ତି। ଖରାପ ଫର୍ମ ଦେଇ ଗତି କରୁଥିବା ସିନ୍ଧୁଙ୍କ ପାଇଁ ଏହା ଚଳିତ ସିଜିନ୍ରେ ପଞ୍ଚମ ପ୍ରଥମ ରାଉଣ୍ଡ ପରାଜୟ। ଅନ୍ୟପଟେ, ଭାରତ ପାଇଁ ଖୁସି ଖବର ମଧ୍ୟ ରହିଛି। ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏବଂ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ନିଜ ନିଜ ମ୍ୟାଚ୍ ଜିତି ଦ୍ଵିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
…..
22.
ତିନୋଟି କୃଷି ପ୍ରକଳ୍ପକୁ କେନ୍ଦ୍ରର ମଂଜୁରି, ଖର୍ଚ୍ଚ ହେବା ୫୦ ହଜାର କୋଟି
କୃଷି କ୍ଷେତ୍ରର ତିନୋଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଂଜୁରି ଦେଇଛି । ଏସବୁରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅନୁମୋଦନ ପାଇଥିବା ଧନ-ଧାନ୍ୟ ଯୋଜନା ୨୦୨୫-୨୬ରୁ ଆରମ୍ଭ ହୋଇ ୬ ବର୍ଷ ଚାଲିବ । ଏହା ଅଧୀନରେ ଶହେଟି ଜିଲ୍ଲାରଚାଷୀ ସୁବିଧା ପାଇବେ । ୧ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହେବେ । ଶସ୍ୟର ସୁରକ୍ଷା ପାଇଁ ପଞ୍ଚାୟତ ଗୁଡ଼ିକରେ ଭଣ୍ଡାରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ପ୍ରତ୍ୟେକ ଚାଷୀଙ୍କ ନିକଟରେ ଶସ୍ତା ଋଣ ଓ ଜଳସେଚନ ସୁବିଧା ପହଞ୍ଚିବ । ପ୍ରତି ବର୍ଷ ୨୪ ହଜାର କୋଟି ଖର୍ଚ୍ଚ ହେବ । ମୋଟ ୧୧ଟି ମନ୍ତ୍ରାଳୟର ୩୬ଟି କେନ୍ଦ୍ରୀୟ ଯୋଜନାକୁ ମିଶାଇ ଜିଳ୍ଲା ସ୍ତରରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ । ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡକୁ ୨୦ ହଜାର କୋଟି ଇକ୍ୱିଟି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ଏନଏଲସି ଇଣ୍ଡିଆ ରିନୁ୍ୟବଲ ଲିମିଟେଡର ୭ ହଜାର କୋଟି ନିବେଶକୁ ମଂଜୁରି ମିଳିଛି ।
..
23.
କ୍ୟାବିନେଟ ନିଷ୍ପତ୍ତି: ମୟୂରଭଞ୍ଜ ପୁଲିସ ଜିଲ୍ଲା ଦୁଇ ଭାଗ ହେଲା
ମୟୂରଭଞ୍ଜ ରାଜ୍ୟରସବୁଠୁ ବଡ଼ ଜିଲ୍ଲା । ଜିଲ୍ଲାରେ ୩୪ଟି ଥାନା ଥିବାରୁ ପ୍ରଶାସନିକ ସୁବିଧା ପାଇଁ ପୁଲିସ ପ୍ରଶାସନକୁ ଦୁଇ ଭାଗ କରାଯିବ । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି । ଗୋଟିଏ ମୟୂରଭଞ୍ଜ ଓ ଅନ୍ୟଟି ରାଇରଙ୍ଗପୁର ପୁଲିସ ଜିଲ୍ଲା । ନୂଆ ପୁଲିସ ଜିଲ୍ଲା ରାଇରଙ୍ଗପୁରରେ ୨ଟି ପୁଲିସ ସବଡିଭିଜନ ଓ ୧୪ଟି ଥାନା ରହିବ । ରାଇରଙ୍ଗପୁର ଓ କରଞ୍ଜିଆ ପୁଲିସ ସବଡିଭିଜନ ରହିବ । ଥାନା ଗୁଡ଼ିକ ମଧ୍ୟରେ ରାଇରଙ୍ଗପୁର, ରାଇରଙ୍ଗପୁର ଟାଉନ, ବାଦାମପାହାଡ଼, ଗୋରୁମହିଷାଣି, ବିଶୋଇ, ତିରିଂ, ବହଳଦା, ଜାମଦା, କରଞ୍ଜିଆ, ଠାକୁରମୁଣ୍ଡା, ମହୁଲଡିହା, ରରୁଆଁ, ଘାଗରବେଡ଼ା, ଯଶିପୁର ରହିବ । ଏଥିସହ ୫ଟି ଆଉଟପୋଷ୍ଟ ଓ ଦୁଇଟି ବିଟ୍ ହାଉସ ରହିବ ।
..
24.
କ୍ୟାବିନେଟ ନିଷ୍ପତ୍ତି: ସମୃଦ୍ଧ ସହର ପାଇଁ ୪,୮୭୯ କୋଟି; ଆଦର୍ଶ ବିଦ୍ୟାଳୟ ଫି’ ଛାଡ଼
୪ ହଜାର ୮୭୯ କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟର ସହର ଗୁଡ଼ିକର ବିକାଶ ପାଇଁ ରାଜ୍ୟ କ୍ୟାବିନେଟରେ ବୁଧବାର ନିଷ୍ପତ୍ତି ହୋଇଛି । ଡାଏଲ-୧୧୨ ସେବାର ଗତି ତ୍ୱରାନ୍ୱିତ କରାଯିବ । ଏବେ ରୋଗୀଙ୍କ ନିକଟରେ ପହଞ୍ଚିବାକୁ ୨୦ ମିନିଟ ଲାଗୁଥିବା ବେଳେ ତାହା ୧୫ ମିନିଟକୁ ହ୍ରାସ କରାଯିବ । ଏହି ଯୋଜନା ପାଇଁ ୫ ବର୍ଷ ସକାଶେ ୨୨୬୦ କୋଟି ଟଙ୍କା ମଂଜୁର କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ଫି’ ଛାଡ଼ କରାଯାଇଛି । ଏଥିପାଇଁ ୨ ହଜାର ଟଙ୍କା ଦେୟ ପଡ଼ୁଥିଲା । ଏହାଦ୍ୱାରା ୪୫ ହଜାର ଛାତ୍ରଛାତ୍ରୀ ଲାଭ ପାଇବେ । ଏହି କ୍ଷେତ୍ରରେ ରାଜ୍ୟ ସରକାର ୩୪୯ କୋଟି ଟଙ୍କା ଭରଣା କରିବେ । କୁଳପତି ନିଯୁକ୍ତି କ୍ଷେତ୍ରରେ କୁଳାଧିପତିଙ୍କ କ୍ଷମତା ପରିସର ବୃଦ୍ଧି ହେବ । ଏ ସମ୍ପର୍କରେ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
..
25.
ବଦଳିବ ମେଟ୍ରୋ ଡିଜାଇନ, ମାଟିତଳେ ହେବ ନିର୍ମାଣ
ମେଟ୍ରୋ ରେଳ ପ୍ରକଳ୍ପର ଡିଜାଇନ ବଦଳାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଲିଭେଟେଡ ବଦଳରେ ମାଟିତଳେ ଯିବ ଏହି ପ୍ରକଳ୍ପ । ନୂତନ ଡିଜାଇନ ପ୍ରସ୍ତୁତ କରିବାକୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନକୁ କୁହାଯାଇଛି । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ଆଗାମୀ ୨୫ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ମେଟ୍ରୋ ରୁଟରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ।
..
26.
ଛାତ୍ରୀ ଆତ୍ମାହୁତିର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ପୀଡ଼ିତାଙ୍କ ଭାଇ ପୁଣି ଦେଲେ ଏତଲା
ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ଛାତ୍ରୀ କଣ ଅଭିଯୋଗ ଆଣିଥିଲେ । କଲେଜ ଆଇସିସି କ’ଣ ତଦନ୍ତ କରିଥିଲେ । କି ରିପୋର୍ଟ ଦେଇଥିଲେ । ସବୁକିଛିର ତଦନ୍ତ ହେବ । ଜେଲରେ ଥିବା ଅଧ୍ୟକ୍ଷ ଓ ଏଚଓଡିଙ୍କୁ ମଧ୍ୟ ଜେରା କରାଯିବ । ଅପରପକ୍ଷରେ ମୃତା ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ପୁଣି ଏକ ଏତଲା ଦେଇଛନ୍ତି । ତାଙ୍କ ପରିବାର ନାମରେ ହେଉଥିବା ଅପପ୍ରଚାର ବନ୍ଦ ନ ହେଲେ ସେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଏତଲାରେ ଚାରି ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି ।
..
27.
ଲଦାଖରେ ଆକାଶ ପ୍ରାଇମ୍ ଏୟାର ଡିଫେନ୍ସ ସିଷ୍ଟମର ପରୀକ୍ଷଣ
ଲଦାଖରେ ଭାରତୀୟ ସେନା ଆକାଶ ପ୍ରାଇମ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏହି ପରୀକ୍ଷଣ କରାଯାଇଛି । ପରୀକ୍ଷଣରେ ସେନାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ଓଙ୍ଗଠନ-ଡିଆରଡିଓ ସହାୟତା କରିଥିଲା । ଭୂପୃଷ୍ଠରୁ ଆକାଶକୁ ମାଡ଼ ହେଉଥିବା ଏହି ମିସାଇଲର ବିକାଶ କରିଛି ଡିଆରଡିଓ । ଅତ୍ୟନ୍ତ ପ୍ରତିକୂଳ ବାତାବରଣରେ ଏହିି ମିସାଇଲ ସଫଳ ହୋଇପାରିବ ।
..
28.
ମହାରାଷ୍ଟ୍ରରେ ଲୁଙ୍ଗି-ଗଞ୍ଜି ପିନ୍ଧି ବିକ୍ଷୋଭ କଲେ ବିରୋଧୀ ବିଧାୟକ
ମହାରାଷ୍ଟ୍ର ବିଧାନସଭା ବାହାରେ ବୁଧବାର ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିବସେନା-ଉଦ୍ଧବ ଗୋଷ୍ଠୀ ଓ ଏନସିପି-ଶରଦ ପାୱାର ଗୋଷ୍ଠୀର ବିଧାୟକ ମାନେ ଲୁଙ୍ଗି ଗଞ୍ଜି ପିନ୍ଧି ବିକ୍ଷୋଭ କରିଥିଲେ । ସେମାନଙ୍କ ସହ ଅନେକ ନେତା ମଧ୍ୟ ସାମିଲ ହୋଇଥିଲେ । ସମସ୍ତେ ପାରମ୍ପରିକ ପୋଷାକ ଉପରେ ଗଞ୍ଜି ଓ ତଉଲିଆକୁ ଲୁଙ୍ଗି ଭଳି ପିନ୍ଧି ଥିଲେ । ଶାସକ ଦଳ ବିରୋଧରେ ସ୍ଲୋଗାନ ଦେଇଥିଲେ । ମୁମ୍ବାଇର ଏକ ଅତିଥି ଭବନରେ ଜଣେ କ୍ୟାଣ୍ଟିନ କର୍ମଚାରୀଙ୍କୁ ଶିବସେନା-ସିନେ୍ଦ ଗୋଷ୍ଠୀର ଜଣେ ବିଧାୟକ ମାରପିଟ କରିବା ପ୍ରତିବାଦରେ ଏହି ବିକ୍ଷୋଭ ହୋଇଥିଲା ।
..
29
ପୁଣି ରେପୋ ରେଟ୍ ହ୍ରାସ କରିପାରେ ରିଜର୍ଭ ବ୍ୟାଙ୍କ
ଦେଶରେ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୧ ପ୍ରତିଶତକୁ ହ୍ରାସ ପାଇଛି । ଘାରାଇ ବଜାରକୁ ଦରଦାମ ଚିନ୍ତାରୁ ମୁକ୍ତି ମିଳିଛି । ତେଣୁ ଋଣ ଉପରୁ ପୁଣି ସୁଧହାର ହ୍ରାସ କରିବାକୁ ଚିନ୍ତା କରୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଆରବିଆଇ ବୈଠକରେ ଏ ନେଇ ନିଷ୍ପତ୍ତି ହେବ । ଜୁନ ମାସରେ ରେପୋ ରେଟ୍ ଦଶମିକ ୫ ପ୍ରତିଶତ ହ୍ରାସ ପାଇ ୫.୫୦ ପ୍ରତିଶତକୁ ଖସିଥିଲା । ଫେବ୍ରୁଆରୀରୁ ଏ ପର୍ଯ୍ୟନ୍ତ ରେପୋ ରେଟ ୧ ପ୍ରତିଶତ କମିଲାଣି । ୨୦୨୫-୨୬ରେ ଖୁଚୁରା ମୁଦ୍ରାସ୍ଫୀତି ୩.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
..
30
ଦେଶରେ ୧୦ ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଏଆଇ ତାଲିମ
ଦେଶରେ ୧୦ ଲକ୍ଷ ଲୋକଙ୍କୁ ମାଗଣା କୃତ୍ରିମ ବୁଦ୍ଧିମତା ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମ୍ୟ ସ୍ତରର ଉଦ୍ୟୋଗୀ-ଭିଏଲଇ ମାନଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ । ଏହା କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରତ୍ୟେକ ଲୋକଙ୍କ ପାଖରେ ଡିଜିଟାଲ ଇଣ୍ଡିଆର ଲାଭ ପହଞ୍ଚାଇବା ପାଇଁ ଭିଏଲ୍ଇ ମାନେ କାମ କରିବେ । ଦେଶରେ ଏବେ ୟୁପିଆଇ କାରବାର ଭିସାକୁ ପଛରେ ପକାଇ ଦେଇଥିବା ସେ କହିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ଜଣେ ଭିଏଲଇ ମଂଜୁଲତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।