ଜାତୀୟ ପତାକାକୁ ନେଇ ଅଡୁଆରେ ପାଣ୍ଡ୍ୟା
ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । ଗତ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ନୁ୍ୟଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ଦଳର ବିଜୟ ଉତ୍ସବରେ ପାଣ୍ଡ୍ୟା ଏତେ ନିମଗ୍ନ ହୋଇଯାଇଥିଲେ ଯେ ଜାତୀୟ ପତାକାକୁ ପିଠିରେ ପକାଇ ବାନ୍ଧବୀ ମାହିକା ଶର୍ମାଙ୍କ ସହ ପଡ଼ିଆରେ ନାଚିବାରେ ଲାଗିଯାଇଥିଲେ । ଏପରିକି ତ୍ରିରଙ୍ଗାକୁ ପିଠିରେ ଗୁଡ଼ାଇ ମାହିକାଙ୍କ ସହ ଷ୍ଟେଜରେ ଶୋଇ ପଡ଼ିଥିଲେ । ସେହିଭଳି ମାହିକା ମଧ୍ୟ ହାର୍ଦ୍ଦିକଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାରେ ଜାତୀୟ ପତାକାକୁ ଅପମାନିତ କରିବା ଅଭିଯୋଗରେ ପୁଣେର ଜଣେ ଓକିଲ ପାଣ୍ଡ୍ୟାଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ୱାଜିଦ ଖାନ ନାମକ ଏହି ଓକିଲ ଜଣଙ୍କ ପୁଣେର ଶିବାଜୀ ନଗର ପୁଲିସ ଷ୍ଟେସନରେ ଏଫଆଇଆର୍ ରୁଜୁ କରିଛନ୍ତି । ଜାତୀୟ ପତାକା ସହ ପାଣ୍ଡ୍ୟା ଯେଉଁଭଳି ବ୍ୟବହାର କଲେ ତାହା ଜାତୀୟ ପତାକାର ମର୍ଯ୍ୟାଦାକୁ ଉଲ୍ଲଂଘନ କରୁଛି । ୧୯୭୧ ଜାତୀୟ ପତାକା ଆଇନର ଧାରା-୨ ଅନୁଯାୟୀ ପାଣ୍ଡ୍ୟା ଅସମ୍ମାନ କରିଛନ୍ତି ବୋଲି ୱାଜିଦ କହିଛନ୍ତି ।