
୧.
ଭାରତୀୟ ନୌବାହିନୀରେ ସାମିଲ ଆଇଏନଏସ ନିସ୍ତାର, ପ୍ରଥମ ସ୍ୱଦେଶୀ ଡାଇଭିଂ ଜାହାଜ
ଭାରତୀୟ ନୌବାହିନୀରେ ସାମିଲ ହୋଇଛି ଆଇଏନଏସ୍ ନିସ୍ତାର । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗଭୀର ସମୁଦ୍ର ଡାଇଭିଂ ଜାହାଜ । ବିଶାଖାପାଟଣା ନାଭାଲ ଡକୟାର୍ଡରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଜଳାବତରଣ ହୋଇଥିଲା । ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ ଦ୍ୱାରା ନିର୍ମିତ ଏହି ଜାହାଜ ଗତ ୮ ତାରିଖରେ ନୌବାହିନୀକୁ ହସ୍ତାନ୍ତର କରାଯାଇଥିଲା । ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଏହା ଏକ ବଡ଼ ମାଇଲଖୁଣ୍ଟ । ନିସ୍ତାରର ଓଜନ ପ୍ରାୟ ୧୦ ହଜାର ଟନ ଏବଂ ଦୈର୍ଘ୍ୟ ୧୧୮ ମିଟର । ଏହା ଗଭୀର ସମୁଦ୍ରକୁ ୩ ଶହ ମିଟର ପର୍ଯ୍ୟନ୍ତ ଡାଇଭିଂ କରିପାରିବ । ଏହି ଜାହାଜରୁ ୧ ହଜାର ମିଟର ଗଭୀର ପର୍ଯ୍ୟନ୍ତ ଡାଇଭିଂ ପାଇଁ ସପୋର୍ଟ ମିଳିପାରିବ । ୧୯୭୧ ଭାରତ-ପାକ୍ ଯୁଦ୍ଧରେ ପାକିସ୍ତାନୀ ସବମେରିନକୁ ଠାବ କରିଥିବା ଭାରତୀୟ ଜାହାଜ ନିସ୍ତାର । ତାହାରି ଅନୁସାରେ ଏହି ଡାଇଭିଂ ଜାହାଜର ନାମକରଣ ନିସ୍ତାର ରଖାଯାଇଛି ।
…
୨.
ଇଡି ଦ୍ୱାରା ଗିରଫ ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଗିରଫ । ଚୈତନ୍ୟ ବାଘେଲଙ୍କୁ ଶୁକ୍ରବାର ଗିରଫ କରିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି । ଅବକାରୀ ଦୁର୍ନୀତିରେ ହୋଇଥିବା ଅର୍ଥ ହେରଫେର ମାମଲାରେ ଏହି ଗିରଫଦାରୀ ହୋଇଛି । ଶୁକ୍ରବାର ସକାଳେ ଭିଲାଇସ୍ଥିତ ତାଙ୍କ ବାସଭବନରେ ୩୨ଶହ କୋଟିର ଦୁର୍ନୀତି ବାବଦରେ ତାଙ୍କୁ ଜେରା କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଅନେକ ଥର ଚଢ଼ାଉ ହୋଇଥିଲା । ସନ୍ତୋଷ ଜନକ ଉତ୍ତର ଦେବାରେ ବିଫଳ ହେବାରୁ ଚୈତନ୍ୟଙ୍କୁ ଗିରଫ କରାଯାଇଥିଲା । ୨୦୧୯ରୁ ୨୦୨୨ ମସିହା ମଧ୍ୟରେ ଛତିଶଗଡ଼ରେ ଏକ ମଦ ସିଣ୍ଡିକେଟ ସକ୍ରିୟ ଥିଲା । ଏହି ସମୟରେ ୨୧୬୧ କୋଟି ଟଙ୍କାର ବେଆଇନ ରୋଜଗାରର ପ୍ରମାଣ ମିଳିଥିଲା । ପରେ ଚାର୍ଜସିଟ ଦାଖଲ ସମୟରେ ଏହି ପରିମାଣ ୩୨ ଶହ କୋଟିକୁ ବୃଦ୍ଧି ପାଇଥିଲା ।
…
୩.
ସୁପ୍ରିମ କୋର୍ଟରେ ଲାଲୁ ଯାଦବଙ୍କୁ ଝଟକା, ଜମି ବଦଳରେ ଚାକିରି ମାମଲାର ଚାଲିବ ଶୁଣାଣି
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଝଟକା । ତାଙ୍କ ବିରୋଧରେ ଥିବା ଏକ ମାମଲାକୁ ଖାରଜ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ୨୦୦୪ ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ କେନ୍ଦ୍ରରେ ରେଳ ମନ୍ତ୍ରୀ ଥିଲେ । ଏହି ସମୟରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ରେଳବାଇ ଜୋନରେ ହୋଇଥିବା ନିଯୁକ୍ତିରେ ଭ୍ରଷ୍ଟାଚାର ଅଭିଯୋଗ ଉଠିଥିଲା । ସିବିଆଇ ଏହାର ତଦନ୍ତ କରି ୨୦୨୨, ୨୦୨୩ ଏବଂ ୨୦୨୪ରେ ତିନୋଟି ମାମଲା ରୁଜୁ କରିଥିଲା । ମାମଲାକୁ ଖାରଜ କରିବାକୁ ଲାଲୁ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗତ ମେ ୨୯ରେ ଖାରଜ କରି ଦେଇଥିଲେ । ଏହା ବିରୋଧରେ ଲାଲୁ ସର୍ବୋଚ୍ଚ ଅଦାଲତରେ ଆଦେନ କରିଥିଲେ, ଯାହାକି ଏବେ ଖାରଜ ହୋଇଯାଇଛି । ଏବେ ତାଙ୍କ ବିରୋଧରେ ମାମଲା ଚାଲିବ ସ୍ପଷ୍ଟ ହୋଇଯାଇଛି, ଅବଶ୍ୟ ବ୍ୟକ୍ତିଗତ ହାଜିରାରୁ ତାଙ୍କୁ ରିହାତି ମିଳିଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବ ।
…
4.
ପାକିସ୍ତାନରେ ବର୍ଷା ବିତ୍ପାତ: ପଞ୍ଜାବରେ ଜରୁରୀକାଳୀନ ପରିସ୍ଥିତି
ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ଅତି କମରେ ୬୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଦୁଇ ଦିନ ତଳେ ମଧ୍ୟ ଛାତ ଭୁଶୁଡ଼ିବା ଓ ବିଦ୍ୟୁତ୍ ଆଘାତ ଯୋଗୁଁ ୪୪ ଜଣ ପ୍ରାଣ ହରାଇଥିଲେ। ରାୱଲପିଣ୍ଡି ସହରର ‘ନାଲା ଲେହ’ରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଆସିଛି। ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଆହୁରି ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛି।
….
5.
ଋଷ ଉପରେ ଇଉରୋପୀୟ ସଂଘର କଠୋର କଟକଣା
ୟୁକ୍ରେନ ସହ ଯୁଦ୍ଧକୁ ନେଇ ଇଉରୋପୀୟ ସଂଘ ଋଷ ଉପରେ ୧୮ତମ କଟକଣା ପ୍ୟାକେଜ୍ ଲାଗୁ କରିଛି। ଏହି ନୂଆ କଟକଣାରେ ଋଷର ବ୍ୟାଙ୍କିଙ୍ଗ୍, ଶକ୍ତି ଏବଂ ସାମରିକ-ଶିଳ୍ପ କ୍ଷେତ୍ରକୁ ଲକ୍ଷ୍ୟ କରାଯାଇଛି। ଋଷର ଅର୍ଥନୀତିକୁ ଆଘାତ ଦେବା ପାଇଁ ତୈଳ ଦର ଉପରେ ଏକ ନୂଆ ସୀମା ଧାର୍ଯ୍ୟ କରାଯାଇଛି। ଇଉରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ କହିଛନ୍ତି ଯେ ଏହି କଟକଣା ଋଷର “ଯୁଦ୍ଧ ଯନ୍ତ୍ର”କୁ ଦୁର୍ବଳ କରିବ ଏବଂ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଏହାଛଡ଼ା, ନର୍ଡ ଷ୍ଟ୍ରିମ୍ ଗ୍ୟାସ୍ ପାଇପଲାଇନ୍ ସମ୍ବନ୍ଧୀୟ କାରବାର ଏବଂ ଋଷର ଆର୍ଥିକ କ୍ଷେତ୍ର ଉପରେ ମଧ୍ୟ ଅତିରିକ୍ତ ପ୍ରତିବନ୍ଧକ ଲଗାଯାଇଛି।
….
6.
ଏୟାର ଇଣ୍ଡିଆ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଟାଟା ଗ୍ରୁପର ୫୦୦ କୋଟି ଟଙ୍କାର ସହାୟତା
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଟାଟା ସନ୍ସ ଏବଂ ଟାଟା ଟ୍ରଷ୍ଟ ମିଳିତ ଭାବେ ୫୦୦ କୋଟି ଟଙ୍କାର ଏକ କଲ୍ୟାଣକାରୀ ଟ୍ରଷ୍ଟ ଗଠନ କରିବାକୁ ଘୋଷଣା କରିଛନ୍ତି। ‘AI-171 ମେମୋରିଆଲ୍ ଆଣ୍ଡ୍ ୱେଲଫେୟାର ଟ୍ରଷ୍ଟ’ ନାମକ ଏହି ସଂସ୍ଥା ମୁମ୍ବାଇରେ ପଞ୍ଜୀକୃତ ହୋଇଛି। ଏହି ପରୋପକାରୀ କାର୍ଯ୍ୟ ପାଇଁ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟସ୍ ଉଭୟ ୨୫୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ଗତ ମାସରେ ଅହମ୍ମଦାବାଦରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଟ୍ରଷ୍ଟ ମାଧ୍ୟମରେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ରାଶି, ଗୁରୁତର ଆହତଙ୍କ ଚିକିତ୍ସା ଏବଂ କ୍ଷତିଗ୍ରସ୍ତ ହୋଇଥିବା ବି.ଜେ. ମେଡିକାଲ କଲେଜ ହଷ୍ଟେଲର ପୁନଃନିର୍ମାଣ ପାଇଁ ସାହାଯ୍ୟ କରାଯିବ।
….
7.
ଟିଆରଏଫକୁ ଆତଙ୍କୀ ସଙ୍ଗଠନ ଘୋଷଣା କଲା ଆମେରିକା, ଜବତ ହେବ ସବୁ ସମ୍ପତ୍ତି
‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା ଟିଆରଏଫକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି ଆମେରିକାର ବିଦେଶ ବିଭାଗ । ପାକିସ୍ତାନ ସମର୍ଥତ ଏହି ସଙ୍ଗଠନ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବାର ଛାମୁଆ ଶାଖା । ଏବେ ଟିଆରଏଫ ର ସମସ୍ତ ସମ୍ପତ୍ତି ଜବତ ହେବ । ଏହାର ସଦସ୍ୟମାନଙ୍କ ଯାତାୟାତ ଉପରେ କଟକଣା ଲାଗିବ । ବିଶ୍ୱର ଅନେକ ରାଷ୍ଟ୍ର ଏମାନଙ୍କୁ ଭିସା ଦେବେନାହିଁ । ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାଓଁରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏହି ସଙ୍ଗଠନ ଦାୟୀ । ଏହି ଆକ୍ରମଣରେ ୨୬ ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏହା ଥିଲା ଭାରତରେ ବଡ଼ ଆତଙ୍କୀ ଆକ୍ରମଣ । ୨୦୦୮ରେ ପ୍ରତିଷ୍ଠିତ ଏହି ସଙ୍ଗଠନ ୨୦୧୯ ପରେ ଜମ୍ମୁ-କାଶ୍ମୀରରେ ସକ୍ରିୟ ରହିଛି ।
…
8.
ଭିକ ମାଗୁଥିବା ଛୋଟ ପିଲାଙ୍କର ହେବ ଡିଏନଏ ପରୀକ୍ଷା, ପଂଜାବ ସରକାରଙ୍କ ନିଷ୍ପତ୍ତି
ଭିକାରୀମାନଙ୍କ ଉପରେ ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାସ୍ତାରେ ଅନେକ ଛୋଟ ଛୋଟ ପିଲା ବଡ଼ ଲୋକମାନଙ୍କ ସହ ମିଶି ଭିକ ମାଗୁଛନ୍ତି । ଏହି ଛୋଟ ପିଲା ଓ ସେମାନଙ୍କ ସହ ଥିବା ବଡ଼ ଲୋକମାନଙ୍କର ଡିଏନଏ ପରୀକ୍ଷା କରାଯିବ । ଯଦି ସେମାନଙ୍କର ଡିଏନଏ ମେଳ ନ ଖାଇଲା, ତେବେ ସେମାନଙ୍କୁ ଧରି ଭିକ ମାଗୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ । ଏହି ଅଭିଯାନର ନାମ ରହିଛି ‘ଅପରେସନ ଜୀବନଜ୍ୟୋତି’ । ଏଥିପାଇଁ ରାଜ୍ୟରେ ମୋଟ୮୧ଟି ଟିମ୍ ଗଠନ କରାଯାଇଛି । ପିଲାମାନଙ୍କ ଶୋଷଣ ଓ ଶିଶୁ ଚାଲାଣକୁ ରୋକିବାକୁ ଏହି ଅପରେସନ କରାଯାଉଛି ।
…
9.
ଦିଲ୍ଲୀରେ ୪୫ ଓ ବେଙ୍ଗାଲୁରୁରେ ୫୦ ସ୍କୁଲକୁ ବୋମା ଧମକ
ରାଜଧାନୀ ଦିଲ୍ଲୀର ୪୫ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଛି । ଶୁକ୍ରବାର ପ୍ରଥମେ ରୋହିଣୀର ସେକ୍ଟର ୨୪ର ସୋଭରେନ ସ୍କୁଲକୁ ଧମକ ମିଳିଥିଲା । ଏହା ପରେ ପଶ୍ଚିମ ବିହାର ଅଞ୍ଚଳର ଏକ ସ୍କୁଲ ଏବଂ ରୋହିଣୀ ସେକ୍ଟର-୩ରେ ଥିବା ଏକ ସ୍କୁଲକୁ ମଧ୍ୟ ଧମକ ମିଳିଥିଲା । ଦିଲ୍ଲୀ ପୁଲିସ ତୁରନ୍ତ ସ୍କୁଲ ଗୁଡ଼ିକରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଲାସୀ କରିଥିଲା । ତେବେ ଏକକାଳୀନ ପ୍ରାୟ ୨୦ରୁ ଅଧିକ ସ୍କୁଲକୁ ଏପରି ଧମକ ମିଳିଥିବା ପୁଲିସ କହିଛି । ଅଗ୍ନିଶମ ବାହିନୀ ଓ ବମ୍ ସ୍କ୍ୱାଡ୍ ପ୍ରତ୍ୟେକ ସ୍କୁଲକୁ ଯାଇ ତନ୍ନ ତନ୍ନ ଯାଞ୍ଚ କରିଥିଲେ । ପୂର୍ବରୁ ମଧ୍ୟ ସମାନ ଧରଣର ଧମକ ମିଳିଥିଲା । କିନ୍ତୁ ଏହି ଧମକ ପଛରେ କେତେକ ସ୍କୁଲ ଛାତ୍ର ଥିବା ଜଣାପଡ଼ିଥିଲା । ସେହିପରି ବେଙ୍ଗାଲୁରୁର ପ୍ରାୟ ୫୦ଟି ସ୍କୁଲକୁ ମଧ୍ୟ ଶୁକ୍ରବାର ବୋମା ଧମକ ମିଳିଥିଲା ।
….
10.
ପିଓକେରେ ବୁଲୁଛି ଆତଙ୍କୀ ସଙ୍ଗଠନ ଜୈସର ମୁଖିଆ ମାସୁଦ ଆଝାର
ପାକ୍ ଅôଧକୃତ କାଶ୍ମୀରରେ ବୁଲୁଛି ଆତଙ୍କୀ ମୁଖିଆ ମାସୁଦ ଆଝାର । ଭାରତୀୟ ଗୁଇନ୍ଦା ସଂସ୍ଥା ତାକୁ ଠାବ କରିଛନ୍ତି । ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ । ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ । ନିକଟରେ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ କହିଥିଲେ, ମାସୁଦ ସମ୍ଭବତଃ ଆଫଗାନିସ୍ତାନରେ ଅଛି । ସେ ପାକିସ୍ତାନରେ ଥିଲେ ଭାରତ ପ୍ରମାଣ ଦେଉ । ତାକୁ ପ୍ରତ୍ୟର୍ପଣ କରିଦିଆଯିବ । ଏହାପରେ ମାସୁଦ ପିଓକେରେ ଠାବ ହୋଇଛି । ମାସୁଦ ଦୀର୍ଘ ବର୍ଷ ହେବ ବାହାୱଲପୁରରେ ରହୁଥିଲା । ନିକଟରେ ‘ଅପରେସନ ସିନ୍ଦୂର’ ରେ ସେଠାରେ ଥିବା ଜୈସର ମୁଖ୍ୟ ଆଡା ଧ୍ୱଂସ ହୋଇଯାଇଥିଲା । ଏହାପରେ ମାସୁଦ ପିଓକେରେ ଆତଙ୍କୀ ନେଟୱର୍କକୁ ସଜାଡ଼ୁଥିବା କୁହାଯାଉଛି ।
…
11.
‘ଅପରେସନ ସିନ୍ଦୂର’ ପରେ ପ୍ରତିରକ୍ଷା ବଜାରରେ ବ୍ରହ୍ମୋସ୍ ମିସାଇଲର ଚାହିଦା
ବିଶ୍ୱ ପ୍ରତିରକ୍ଷା ବଜାରରେ ଏବେ ‘ବ୍ରହ୍ମୋସ୍’ ମିସାଇଲର ଚାହିଦା ବଢ଼ିବାରେ ଲାଗିଛି । ରୁଷ୍ ଓ ଭାରତ ମିଳିତ ଭାବେ ଏହି ମିସାଇଲକୁ ବିକଶିତ କରିଥିଲେ । ଅପରେସନ ସିନ୍ଦୂରରେ ଏହା ଦମ୍ ଦେଖାଇଛି । ପାକିସ୍ତାନର ଆତଙ୍କୀ ଆଡାକୁ ଧ୍ୱଂସ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ବ୍ରହ୍ମୋସର କ୍ଷମତା ଦେଖି ଏବେ ୧୪ରୁ ଅଧିକ ଦେଶ ଏହାକୁ କ୍ରୟ କରିବାକୁ ବରାଦ ଦେଇଛନ୍ତି । ଅବଶ୍ୟ ୨୦୨୨ରେ ଫିଲିପାଇନ୍ସ ଏହାକୁ କ୍ରୟ କରିବାକୁ ପ୍ରଥମେ ଚୁକ୍ତି କରିଥିଲା । ଇଣ୍ଡୋନେସିଆ ଏବେ ୪୫୦ ମିଲିଅନ ଡଲାରର ଚୁକ୍ତି କରିବାକୁ ଆଲୋଚନା ଚଳାଇଛି । ଭିଏତନାମ ୭୦୦ ମିଲିଅନ ଡଲାରର ଚୁକ୍ତି କରିବାକୁ ଯୋଜନା କରିଛି । ଦକ୍ଷିଣ ଏସୀୟ ରାଷ୍ଟ୍ର ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ ମଧ୍ୟ ଆଲୋଚନା କରୁଛନ୍ତି । ଲାଟିନ ଆମେରିକୀୟ ଦେଶ ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା, ଏବଂ ଭେନିଜୁଏଲା ଆଗ୍ରହୀ ଅଛନ୍ତି । ମଧ୍ୟପ୍ରାଚ୍ୟରେ ଇଜିପ୍ଟ, ସାଉଦି ଆରବ, ୟୁଏଇ, କତାର ଏବଂ ଓମାନ ମଧ୍ୟ ଏହି ତାଲିକାରେ ଅଛନ୍ତି ।
..
12..
କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ, ସ୍ୱତନ୍ତ୍ର ଏନଆଇଏ କୋର୍ଟ କର
ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏର ମାମଲା ଗୁଡ଼ିକୁ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାର ମାମଲା ଗୁଡ଼ିକ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ । ତେଣୁ ସେସବୁର ତ୍ୱରିତ ଶୁଣାଣି ଆବଶ୍ୟକ । ସେଥିପାଇଁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ପ୍ରତିଷ୍ଠା ହେବା ଜରୁରି । ଏହା କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟା ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦିଷ୍ଟ ସମୟ ମଧ୍ୟରେ ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବା ଆବଶ୍ୟକ । ନଚେତ ବିଚାରାଧୀନ କଏଦୀମାନଙ୍କୁ ଜାମିନ ଦେବା ଛଡ଼ା ଅଦାଲତଙ୍କ ପାଖରେ ବିକଳ୍ପ ନାହିଁ । ଶୁଣାଣିର ବ୍ୟବସ୍ଥା ନ କରି ସନ୍ଦିଗ୍ଧକୁ କେତେ ଦିନ ପର୍ଯ୍ୟନ୍ତ ହେପାଜତରେ ରଖାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
…
13.
ଆମେରିକାର ଭିସା ନିୟମ ହେଲାଣି ଅଡ଼ୁଆ, ଭାରତୀୟ ଛାତ୍ର ୭୦ପ୍ରତିଶତ ହ୍ରାସ
ଆମେରିକାର ଟ୍ରମ୍ପ ପ୍ରଶାସନ ଭିସା ନିୟମକୁ କଠୋର କରିଛି । ଏହାର ଫଳ ଭୋଗୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଆମେରିକାର ଶିକ୍ଷା ବର୍ଷରେ ସେମିଷ୍ଟର ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଅଛି । ପ୍ରତିବର୍ଷ ଏତେବେଳକୁ ଅନେକ ଛାତ୍ରଛାତ୍ରୀ ଭିସା ଇଣ୍ଟରଭିଉ ଶେଷ କରିସାରିଥାନ୍ତି । କିନ୍ତୁ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେଣୁ କୌଣସି କୋର୍ସ କରିବାକୁ ଆମେରିକା ଯିବାକୁ ଆଗ୍ରହୀ ଛାତ୍ରଛାତ୍ରୀ ନିରାଶ ହେବାକୁ ବାଧ୍ୟ ହେଉଛନ୍ତି । ଚଳିତ ବର୍ଷ ଭିସା ଇଣ୍ଟରଭିଉ ପାଇଁ ସ୍ଲଟ ପାଇବା ଅଡ଼ୁଆ ହୋଇଛି । ଦୀର୍ଘ ଦିନ ଅପେକ୍ଷା କରିଥିଲେ ମଧ୍ୟ ସ୍ଲଟ ମିଳୁନି । ଏଥିସହ ଅନେକ ଭିସା ଭିନ୍ନ ଭିନ୍ନ ସାଧାରଣ କାରଣରୁ ବାତିଲ ହେଉଛି । ଗତ ବର୍ଷ ଭାରତରୁ ସର୍ବାଧିକ ୩ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ଆମେରିକା ଯାଇଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।
…
ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭ ସହ ‘ସତ୍ୟମେବ ଜୟତେ’ ବାଧ୍ୟତାମୂଳକ
‘ସତ୍ୟମେବ ଜୟତେ’ର ଗୁରୁତ୍ୱ ବୁଝିବା ଲାଗି ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଚିଠି ଦେଇଛି । ଦେଶର ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭ ସହ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ଲେଖାଯିବା ଜରୁରୀ । ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ବିଭିନ୍ନ ସରକାରୀ ସଂସ୍ଥା ସେମାନଙ୍କର ଷ୍ଟେସନାରୀ, ପ୍ରକାଶନ, ମୋହର, ଯାନବାହାନ, କୋଠା, ୱେବସାଇଟରେ ଭାରତର ରାଷ୍ଟ୍ରୀୟ ପ୍ରତୀକ ବ୍ୟବହାର କରୁଛନ୍ତି । ମାତ୍ର ସେମାନେ ମୂଳମନ୍ତ୍ର ‘ସତ୍ୟମେବ ଜୟତେ’କୁ ବାଦ୍ ଦେଇ କେବଳ ସିଂହ ରୂପରେଖକୁ ସ୍ଥାନ ଦେଉଛନ୍ତି । ବାସ୍ତବରେ ‘ସତ୍ୟମେବ ଜୟତେ’ ଲେଖା ବିନା ରାଷ୍ଟ୍ରୀୟ ପ୍ରତୀକ ଅସମ୍ପୂର୍ଣ୍ଣ । ତେଣୁ ଏହାକୁ ସ୍ଥାନ ଦେବା ଜରୁରୀ । ନଚେତ ଆଇନ ଉଲ୍ଲଂଘନ ବିବେଚନା କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଚେତାବନୀ ଦେଇଛି ।
…
15.
ମେଟାର ପାଗଳାମୀ, ସିଦ୍ଧରମୈୟାଙ୍କୁ ମୃତ ଦର୍ଶାଇଲା, କ୍ଷମା ମାଗିଲା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତ । ସୋସିଆଲ ମିଡିଆ କମ୍ପାନି ମେଟା ଏପରି ଏକ ପୋଷ୍ଟ କରିଥିଲା । ଯାହାକି ସବୁଆଡ଼େ ଚହଳ ପକାଇଥିଲା । ତେବେ ଏହା ଥିଲା ସମ୍ପୂର୍ଣ୍ଣ ଭୁଲ୍ । ବାସ୍ତାବରେ କନ୍ନଡ ଭାଷାରେ ହୋଇଥିବା ଏକ ପୋଷ୍ଟକୁ ଇଂରାଜୀ ଅନୁବାଦ କରିଥିଲା ମେଟା । ଅଟୋ ଟ୍ରାନ୍ସଲେସନ ଜରିଆରେ ଯାହା ପ୍ରକାଶିତ ହୋଇଥିଲା ତାହାର ଅର୍ଥ ଥିଲା ସିଦ୍ଧରମୈୟା ମୃତ । ଅବଶ୍ୟ ପ୍ରତିବାଦ ପାଇବା କ୍ଷଣି ମେଟା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା । ଘଟଣା ଥିଲା ଏପରି: ଭେଟେରାନ ଅଭିନେତ୍ରୀ ବି.ସରୋଜା ଦେବୀଙ୍କ ନିଧନ ପରେ ସିଦ୍ଧରମୈୟା ଏକ ଶୋକ ବାର୍ତ୍ତା ପୋଷ୍ଟ କରିଥିଲେ । ଏହାକୁ ଅଟୋ ଟ୍ରାନ୍ସଲେସନ କରି ମେଟା ପୋଷ୍ଟ କରିବା ବେଳେ ଅକ୍ଷମଣୀୟ ତ୍ରୁଟି କରିଥିଲା । ତଥ୍ୟକୁ ବିକୃତ କରୁଥିବାରୁ ଅଟୋ ଟ୍ରାନ୍ସଲେସନ ବ୍ୟବସ୍ଥା ବନ୍ଦ କରିବାକୁ ସିଦ୍ଧରମୈୟାଙ୍କ ପକ୍ଷରୁ ମେଟାକୁ ପରାମର୍ଶ ଦିଆଯାଇଛି ।
…
16.
ଇଣ୍ଡିଆ ବ୍ଲକକୁ ଗୁଡ୍ ବାଏ କହିଲା ଆପ୍
ବଡ଼ ରାଜନୈତିକ ନିଷ୍ପତ୍ତି ନେଇଛି ଆମ୍ ଆଦମୀ ପାର୍ଟି ବା ଆପ୍ । ଏହା ବିଧିବଦ୍ଧ ଭାବେ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆନ ବ୍ଲକର ହାତ ଛାଡ଼ିଛି । ଏହି ସୂଚନା ଦେଇଛନ୍ତି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ସେ କହିଛନ୍ତି, ଇଣ୍ଡିଆ ବ୍ଲକରୁ ଆପ୍ ଓହରିଯାଇଛି । ତେଣୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ହେଉଥିବା ଇଣ୍ଡିଆ ବ୍ଳକର ବୈଠକରେ ଆପ୍ ସାମିଲ ହେବନାହିଁ । ଇଣ୍ଡିଆ ବ୍ଲକ କେବଳ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିଲା । ଏହା ପରେ ଦିଲ୍ଲୀ, ହରିଆନା ବିଧାନସଭା ନିର୍ବାଚନ ଏବଂ ପଞ୍ଜାବ ଓ ଗୁଜରାଟ ଉପନିର୍ବାଚନରେ ଆପ୍ ଏକାକୀ ଲଢ଼ିଛି । ତେଣୁ ଆପ୍ ଆଭିମୁଖ୍ୟ ସ୍ପଷ୍ଟ । ବିହାର ବିଧାନସଭା ନିର୍ବାଚନ ମଧ୍ୟ ଆପ୍ ଏକାକୀ ଲଢ଼ିବ । ଆପ୍ ସର୍ବଦା ବିରୋଧୀ ଦଳ ଭୂମିକାରେ ରହିବ । ଇଣ୍ଡିଆ ମେଣ୍ଟରେ କଂଗ୍ରେସ ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ଲୋକସଭା ନିର୍ବାଚନ ପରେ ଗୋଟିଏ ବି ବୈଠକ ଡାକି ନଥିବା କହିଛନ୍ତି ସଞ୍ଜୟ ।
…
କେଲଭିନେଟରକୁ କିଣିଲା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ
ଏସିଆର ଏକ ନମ୍ବର ଧନୀ ମୁକଶେ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି । ତାଙ୍କ କମ୍ପାନୀ ରିଲାଏନ୍ସ ରିଟେଲ କେଲଭିନେଟରକୁ କିଣିଥିବା ସେ କହିଛନ୍ତି । କେଲଭିନେଟର ଆମେରିକାର ଜଣାଶୁଣା ହୋମ୍ ଆପ୍ଲାଏନ୍ସ ବ୍ରାଣ୍ଡ । ଭାରତରେ ଦ୍ରୁତ ଗତିରେ ଆଗେଇ ଚାଲିଥିବା କଂଜୁ୍ୟମର ଡୁ୍ୟରେବଲ ବଜାରରେ ନିଜ ସ୍ଥିତି ମଜବୁତ କରିବାକୁ ରିଲାଏନ୍ସ ଯୋଜନା କରିଛି । ବିଶ୍ୱରେ ପୁରୁଣା କମ୍ପାନି ଭାବେ କେଲଭିନେଟର ରେଫ୍ରିଜେରେଟର, ୱାଶିଂ ମେସିନ୍, ଏୟାର କଣ୍ଡିସନର ଏବଂ କିଚେନ ଆପ୍ଲାଏନ୍ସେସ୍ ଆଦି ସାମଗ୍ରୀ ଉତ୍ପାଦନ କରିଥାଏ । ଅଶୀ ଦଶକରେ ଏହା ଲୋକପ୍ରିୟ ବ୍ରାଣ୍ଡ ଥିଲା । ରିଲାଏନ୍ସ ନିଜର ବୃହତ ନେଟୱର୍କ ମାଧ୍ୟମରେ କେଲଭିନେଟରକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ର ରଖିଛି ।
…
18.
ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ
ଗତ ୧୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୦୬.୪ କୋଟି ଡଲାର ହ୍ରାସ ହୋଇଛି । ଏହା ୬୯,୬୬୭.୨ କୋଟି ଡଲାରକୁ ଖସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାର ପୂର୍ବ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୦୪.୯ କୋଟି ଡଲାର ହ୍ରାସ ପାଇଥିଲା । ସେତେବେଳେ ଏହା ୬୯,୯୭୩.୬ କୋଟି ଡଲାରକୁ ଖସିଥିଲା । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ସେପ୍ଟେମ୍ବର ଶେଷରେ ସର୍ବକାଳୀନ ରେକର୍ଡ କରିଥିଲା । ସେତେବେଳେ ଏହା ଥିଲା ୭୦,୪୮୮.୫ କୋଟି ଡଲାର । ଏବେ ସୁନା ଭଣ୍ଡାରରେ ମଧ୍ୟ ୪୯.୮ କୋଟି ଡଲାର ହ୍ରାସ ପାଇଛି ।
…
19.
ଶସ୍ତା ସୁନାରେ ବି ହେବନି ଠକେଇ, ୯ କ୍ୟାରେଟ ସୁନାର ହଲ୍ ମାର୍କିଂ ବାଧ୍ୟତାମୂଳକ
ଲୋକମାନଙ୍କୁ ଶସ୍ତା ସୁନାରେ ଆଉ ବ୍ୟବସାୟୀମାନେ ଠକେଇ କରିପାରିବେ ନାହିଁ । ଏଥିପାଇଁ ୯ କ୍ୟାରେଟ ସୁନାର ହଲମାର୍କିଂ କୁ ବାଧ୍ୟତାମୂଳକ କରାଯାଇଛି । ଚଳିତ ମାସରୁ ଏହି ନିୟମ ଲାଗୁ କରାଯାଇଛି । ଭାରତୀୟ ମାନକ ବୁ୍ୟରୋ ବା ବିଆଇଏସ୍ କହିଛି, ଲୋକମାନେ ଏବେ ୯ କ୍ୟାରେଟ ସୁନା ପ୍ରତି ବେଶୀ ଆଗ୍ରହ ଦେଖାଉଛନ୍ତି । ୨୨ କ୍ୟାରେଟ ଓ ୧୮ କ୍ୟାରେଟ ତୁଳନାରେ ଏହା ଅତି ମାତ୍ରାରେ ଶସ୍ତା । ତେଣୁ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ୯ କ୍ୟାରେଟ ସୁନାରେ ୩୭୫ଭାଗ ସୁନା ରହିବା ଆବଶ୍ୟକ । ଏହାର ଅର୍ଥ ୯କେ ସୁନା ୩୭.୫ ପ୍ରତିଶତ ଶୁଦ୍ଧ । ହଲମାର୍କିଂର ଅର୍ଥ ସୁନାର ଶୁଦ୍ଧତା ଗ୍ୟାରେଣ୍ଟି । ବିଆଇଏସ୍ ନିୟମ ଅନୁସାରେ, ସୁନା ଗହଣା ଓ କଳାକୃତି ଉପରେ ଏକ ଚିହ୍ନ ଲଗାଯାଇଥାଏ । ଏହାଦ୍ୱାରା ଜଣାପଡ଼େ ସୁନା କେତେ ଶୁଦ୍ଧ ।
….
20.
ଗୁଗୁଲ୍ କ୍ରୋମକୁ ଟକ୍କର: ଏଆଇ କମ୍ପାନୀ ଆଣିଲା ନୂଆ ବ୍ରାଉଜର ‘କମେଟ୍’
ଏଆଇ କମ୍ପାନୀ ପର୍ପ୍ଲେକ୍ସିଟି ଏକ ନୂଆ AI-ପାୱାର୍ଡ ୱେବ୍ ବ୍ରାଉଜର ‘କମେଟ୍’ (Comet) ଲଞ୍ଚ କରିଛି, ଯାହା ଗୁଗୁଲ୍ କ୍ରୋମ୍କୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି। ଏହି ବ୍ରାଉଜରର ସବୁଠୁ ବଡ଼ ବିଶେଷତା ହେଉଛି, ଏହା ଆପଣଙ୍କ ନିର୍ଦ୍ଦେଶରେ ନିଜେ କାମ କରିପାରିବ। ଆପଣଙ୍କ ପାଇଁ ଇ-ମେଲ୍ ପଠାଇବା, ସୋସିଆଲ ମିଡିଆରେ ପୋଷ୍ଟ କରିବା, ଅନଲାଇନ୍ ସପିଂ କରିବା କିମ୍ବା ରେଷ୍ଟୁରାଣ୍ଟରେ ରିଜର୍ଭେସନ୍ ବୁକ୍ କରିବା ଭଳି କାମ ଏହା ସ୍ୱୟଂଚାଳିତ ଭାବେ କରିପାରିବ। ଏହା ୟୁଟ୍ୟୁବ୍ ଭିଡିଓର ସାରାଂଶ ଦେବ ଏବଂ ଖୋଲା ଥିବା ସମସ୍ତ ଟ୍ୟାବକୁ ବିଶ୍ଳେଷଣ କରିବାରେ ମଧ୍ୟ ସକ୍ଷମ। ଏହା ଗୁଗୁଲ୍ ସର୍ଚ୍ଚ ବଦଳରେ ନିଜର ଏଆଇ ‘ଆନ୍ସର୍ ଇଞ୍ଜିନ୍’ ବ୍ୟବହାର କରେ। କମ୍ପାନୀର ଲକ୍ଷ୍ୟ ହେଉଛି ଇଣ୍ଟରନେଟ୍ ବ୍ରାଉଜିଂ ଅନୁଭୂତିକୁ ସମ୍ପୂର୍ଣ୍ଣ ବଦଳାଇବା।
..
21.
ହାଇଦ୍ରାବାଦରେ ଅଗଷ୍ଟ ୩ରୁ ହେବ ମହିଳା କବାଡ଼ି ବିଶ୍ୱକପ୍
ହାଇଦ୍ରାବାଦରେ ଆୟୋଜିତ ହେବ ଦ୍ୱିତୀୟ ମହିଳା କବାଡ଼ି ବିଶ୍ୱକପ୍ । ଆଗାମୀ ଅଗଷ୍ଟ ୩ ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ଗତ ଜୁନ୍ ମାସରେ ଏହା ବିହାରରେ ହେବ ବୋଲି ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିହାର ଆୟୋଜନରୁ ଓହରି ଯାଇଥିଲା । ଏବେ ତେଲଙ୍ଗାନା ଏଥିପାଇଁ ଆଗ୍ରହ ପ୍ରକାଶ କରିଛି । ୨୦୦୫ ମସିହାରେ ହାଇଦ୍ରାବାଦରେ କବାଡ଼ି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ୨୦ ବର୍ଷ ପରେ ପୁନର୍ବାର ହାଇଦ୍ରାବାଦକୁ ଆନ୍ତର୍ଜାତିକ କବାଡ଼ି ଫେରିଛି । ବିଶ୍ୱକପରେ ମୋଟ ୧୪ଟି ଦଳ ଭାଗ ନେବେ । ସେମାନେ ହେଲେ ଭାରତ, ଆର୍ଜେଣ୍ଟିନା, ବାଂଲାଦେଶ, ଚାଇନିଜ ତାଇପେ, ଜର୍ମାନୀ, ହଲାଣ୍ଡ, ଇରାନ, ଜାପାନ, କେନିଆ, ନେପାଳ, ଥାଇଲାଣ୍ଡ, ଉଗାଣ୍ଡା ଓ ଜଞ୍ଜିବର । କବାଡ଼ି ବିଶ୍ୱକପର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା ।
…
22.
ଫ୍ରି ଷ୍ଟାଇଲ ଚେସ୍ ଗ୍ରାଣ୍ଡସ୍ଲାମରେ ଏରିଗାଇସି ରଚିଲେ ଇତିହାସ
ଆମେରିକାର ଲାସ୍ ଭେଗାସଠାରେ ଚାଲିଛି ଫ୍ରି ଷ୍ଟାଇଲ ଚେସ୍ ଗ୍ରାଣ୍ଡସ୍ଲାମ ଟୁର୍ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗାଇସି ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ଏରିଗାଇସି ଉଜବେକିସ୍ତାନର ନୋଡିରବେକ ଅବଦୁସାତୋରୋଭଙ୍କୁ ପରାସ୍ତ କରିଥିଲେ । ସେ ପ୍ରଥମ ଗେମ୍ ଡ୍ର କରିବା ପରେ ଦ୍ୱିତୀୟ ଗେମରେ ବିଜୟୀ ହୋଇଥିଲେ । ଆଜି ସେ ସେମିଫାଇନାଲରେ ଆମେରିକାର ଲିଭୋନ ଆରୋନିଆନଙ୍କୁ ଭେଟିବେ । ତେବେ ଅନ୍ୟତମ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦା କ୍ୱାର୍ଟର ଫାଇନାଲରେ ହାରି ଟୁର୍ଣ୍ଣମେଣ୍ଟରୁ ବିଦାୟ ନେଇଛନ୍ତି । ପ୍ରଜ୍ଞାନନ୍ଦା ଗ୍ରୁପ ପର୍ଯ୍ୟାୟରେ ଶୀର୍ଷ
ସ୍ଥାନ ଅଧିକାର କରିଥିଲେ ମଧ୍ୟ କ୍ୱାର୍ଟରରେ ଆମେରିକାର ଫାବିଆନୋ କାରୁଆନୋଙ୍କ ଠାରୁ ହାରି ଯାଇଥିଲେ ।
…
23.
ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ, ପାସ୍ ହାର ୯୦.୫୭ ପ୍ରତିଶତ
ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହା ଘୋଷଣା କରାଯାଇଛି । ଏହି ପରୀକ୍ଷା ପାଇଁ ୧୦୦୯ ଜଣ ପଂଜିକରଣ କରିଥିଲେ ମଧ୍ୟ ୧୦୦୮ ଜଣ ଦେଇଥିଲେ । ଏଥିରୁ ପାସ୍ କରିଛନ୍ତି ୯୧୩ ଜଣ । ମୋଟ ପାସ୍ ହାର ହୋଇଛି ୯୦.୫୭ ପ୍ରତିଶତ । ପ୍ରଥମ ଶ୍ରେଣୀରେ ୧୯୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୧୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୩୦୧ ଜଣ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ରହିଛି ୮୮.୪୩ ପ୍ରତିଶତ । ଛାତ୍ରୀଙ୍କର ରହିଛି ୯୨.୯୧ ପ୍ରତିଶତ । କଳାରେ ପାସ୍ ହାର ୯୦.୫୦, ବାଣିଜ୍ୟରେ ୯୩.୯୮, ବିଜ୍ଞାନରେ ୮୯.୩୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୯୦.୬୨ ପ୍ରତିଶତ ରହିଛି । ଜଗତସିଂହପୁର ଜିଲ୍ଲାରେ ପରୀକ୍ଷା ଫଳ ରହିଛି ଶହେ ପ୍ରତିଶତ । ନୂଆପଡ଼ା ଜିଲ୍ଲାରେ ରହିଛି ସର୍ବନିମ୍ନ ୩୩.୩୩ ପ୍ରତିଶତ ।
…
24.
ଆଗାମୀ ୨୩ରେ ପୁଣି ଲଘୁଚାପ ସମ୍ଭାବନା; ଉତ୍ତର, ପଶ୍ଚିମ ଓଡ଼ିଶାରେ ବେଶୀ ବର୍ଷା
ରାଜ୍ୟରେ ପୁଣି ଏକ ଲଘୁଚାପର ପ୍ରଭାବ ଅନୁଭୂତ ହେବ । ଆସନ୍ତା ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ସମ୍ଭାବନା ଅଛି । ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ୨୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗଡ଼ା, ଫୁଲବାଣୀ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବ । ଏବେରାଜ୍ୟ ଉପରେ ଥିବା ଟ୍ରଫ ଲାଇନ ପ୍ରଭାବରେ ଆସନ୍ତା ଦୁଇ ଦିନ ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
…
25.
ଆଜିଠୁ ରାଜ୍ୟରେ ଧାନ ବିକ୍ରି ପଂଜିକରଣ, ଅଗଷ୍ଟ ୨୦ ପର୍ଯ୍ୟନ୍ତ ଅବଧି
ଖରିପ ଧାନ ବିକ୍ରି ପାଇଁ ଆଜିଠୁ ରାଜ୍ୟରେ ଚାଷୀଙ୍କ ପଂଜିକରଣ ଆରମ୍ଭ ହେବ । ଏହାର ଅବଧି ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିବ । ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ଚାଷୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଧାନ କିଣା । ୨୦୨୬ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଧାନ କିଣା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜିଠୁ ସବୁ ଜିଲ୍ଲାରେ ଚାଷୀମାନଙ୍କୁ ପଂଜିକରଣ ଫର୍ମ ମିଳିବ । କୌଣସି ଚାଷୀ ଯେପରି ପଂଜିକରଣରୁ ବାଦ୍ ନ ପଡ଼ିବେ ତାହା ଉପରେ ସରକାର ଜୋର୍ ଦେଉଛନ୍ତି । ଉପଗ୍ରହ ସର୍ଭେ ଦ୍ୱାରା ଯାଞ୍ଚ କରାଯିବ । ଯୋଗ୍ୟ ଚାଷୀଙ୍କୁ ଟୋନ ଦେଇ ସେମାନଙ୍କ ଠାରୁ ସରକାର ଧାନ କିଣିବେ ।
..
26.
ବଢ଼ି ଚାଲିଛି ବିସିସିଆଇର ରୋଜଗାର; ୨୦୨୩-୨୪ରେ ୯,୭୪୧ କୋଟି
କ୍ରିକେଟ ଯେତିକି ଲୋକପ୍ରିୟ ହେଉଛି ବିସିସିଆଇର ରୋଜଗାର ସେତିକି ବଢ଼ି ବଢ଼ି ଚାଲିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବୋର୍ଡର ରୋଜଗାର ୯୭୪୧.୭ କୋଟି ଟଙ୍କା ହୋଇଛି । ଅବଶ୍ୟ ଏଥିରେ ଆଇପିଏଲର ଅବଦାନ ୫୯ ପ୍ରତିଶତ । ଅର୍ଥାତ ୫,୭୬୧ କୋଟି ଆଇପିଏଲରୁ ମିଳିଛି । ୩୬୧ କୋଟି ଟଙ୍କା ଅନ୍ୟ ପ୍ରସାରଣରୁ ମିଳିଛି । ୨୦୦୭ ମସିହାରୁ ଆଇପିଏଲ ପାଇଁ ବିସିସିଆଇ ଆୟ ଲମ୍ଫ ମାରିଛି । ଅନେକ ଖେଳାଳିଙ୍କ ପକେଟ ମଧ୍ୟ ଗରମ ହୋଇପାରୁଛି । ବିସିସିଆଇର ମୂଳ ପୁଂଜି ଏବେ ୩୦ ହଜାର କୋଟି ପାଖାପାଖି ହେଲାଣି । ବୋର୍ଡର ବାର୍ଷିକ ସୁଧ ପ୍ରାୟ ୧ ହଜାର କୋଟି । ପ୍ରତିବର୍ଷ ବୋର୍ଡର ଆୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇ ଚାଲିଛି । ଏପରିକି ଆଇସିସି ମଧ୍ୟ ବିସିସିଆଇ ଉପରେ ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ରହିଛି ।
…
27.
ଛାତ୍ରୀ ଆତ୍ମାହୁତିର ତଦନ୍ତରେ କ୍ରାଇମବ୍ରାଞ୍ଚ, ୟୁଜିସି ଏବଂ ଉଚ୍ଚଶିକ୍ଷା ବିଭାଗ ଟିମ୍
ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ତ୍ୱରାନ୍ୱିତ ହୋଇଛି । ଶୁକ୍ରବାର କ୍ରାଇମବ୍ରାଞ୍ଚ, ୟୁଜିସି ତଥ୍ରଅନୁସନ୍ଧାନ କମିଟି ଏବଂ ଉଚ୍ଚଶିକ୍ଷା ବିଭାଗର ଟିମ୍ ତଦନ୍ତ କରିଛନ୍ତି । ଛାତ୍ରୀଙ୍କ ସହପାଠୀ, କଲେଜର ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀ, ଆଇସିସି ସଦସ୍ୟଙ୍କ ସମେତ କଲେଜର ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚୁରା କରାଯାଇଛି । ଛାତ୍ରୀଙ୍କ ଘରକୁ ଯାଇ ତାଙ୍କ ବାପା, ମା ଓ ଭାଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଛି । କଲେଜ ପରିସରରେ ଥିବା ବିଭିନ୍ନ ସିସିଟିଭିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ଘଟଣା ସମୟରେ କଲେଜରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଖୋଜି ଖୋଜି ତଥ୍ୟ ମଗାଯାଉଛି । ଛାତ୍ରୀଙ୍କ କେଉଁଠୁ ପେଟ୍ରୋଲ ମିଳିଲା ସେ ନେଇ ଦୀର୍ଘସମୟ ଖୋଳତାଡ଼ କରାଯାଇଥିଲା । ଅପରପକ୍ଷରେ ଶୁକ୍ରବାର କଲେଜରେ ପୁଣି ପାଠପଢ଼ା ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଛି ।
…
28.
କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଦେ୍ର୍ଦଶ, ପୋଶ୍ ଆଇନ ଲାଗୁ କର
ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମହିଳା ଯୌନ ଉତ୍ପୀଡ଼ନ ଅଧିନିୟମ-୨୦୧୩ ଅର୍ଥାତ ପୋଶ୍ ଆଇନ କଡ଼ାକଡ଼ି ଲାଗୁ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ କଲେଜ, ବେସରକାରୀ କଲେଜ ଏହା କାର୍ଯ୍ୟକାରୀ କରିବାକୁ ବାଧ୍ୟ । ଏଥିପାଇଁ ନିମୟିତ ସଚେତନତା କର୍ମଶାଳା ଆୟୋଜନ କରାଯିବ । ସମସ୍ତେ ଏଥିରେ ଯୋଗ ଦେବାକୁ ବାଧ୍ୟ । କ୍ୟାମ୍ପସ ପରିସରରେ ପ୍ରମୁଖ ସ୍ଥାନରେ ମହିଳା ସହାୟତା ନମ୍ବର-୧୮୧ ପ୍ରଦର୍ଶନ କରାଯିବ । କଲେଜ ଭଳି ସମସ୍ତ ସ୍କୁଲରେ ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି-ଆଇସିସି ଗଠନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
29.
ପାକିସ୍ତାନରେ ବନ୍ୟାର ଲାଇଭ ରିପୋର୍ଟି ବେଳେ ଭାସିଗଲେ ସାମ୍ବାଦିକ
ବନ୍ୟା ଜଳରେ ଭାସି ଯାଇଛନ୍ତି ଜଣେ ସାମ୍ବାଦିକ । ପାକିସ୍ତାନରେ ଏହାରଭିଡିଓ ଭାଇରାଲ ହୋଇଛି । ରାୱଲପିଣ୍ଡିର ଚହନ ଡ୍ୟାମ ନିକଟରେ ଜରେ ସାମ୍ବାଦିକ ବନ୍ୟା ସମ୍ପର୍କିତ ଲାଇଭ ରିପୋର୍ଟିଂ କରୁଥିଲେ । ଆଚନକ ବନ୍ୟା ଜଳରେ ସେ ଭାସି ଯାଇଥିଲେ । ଶହ ଶହ ଲୋକ ଏହା ଦେଖୁଥିଲେ ମଧ୍ୟ ନାଚାର ଥିଲେ । ବନ୍ୟାଜଳର ପ୍ରଖର ସ୍ରୋତରେ କେବଳ ତାଙ୍କ ମୁଣ୍ଡ ଓ ମାଇକ୍ରୋଫୋନ୍ ଦେଖାପଡ଼ୁଥିଲା । ଜୀବନକୁ ବାଜି ଲଗାଇ ସାମ୍ବାଦିକଙ୍କ ରିପୋଟିଂକୁ ଅନେକ ପ୍ରଶଂସା କରୁଥିବା ବେଳେ ଅନେକ ଏହାକୁ ନାପସନ୍ଦ କରି କମେଣ୍ଟ ଦେଉଛନ୍ତି ।
…
30
ନେପାଳରେ ବ୍ୟାନ୍ ହେଲା ଟେଲିଗ୍ରାମ ମେସେଜିଂ ଆପ୍
ନେପାଳରେ ଅନଲାଇନ ଠକେଇ ଓ ମନି ଲଣ୍ଡରିଂ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି କାରଣରୁ ଟେଲିଗ୍ରାମ ମେସେଜିଂ ଆପକୁ ତୁରନ୍ତ ବନ୍ଦ କରିବାକୁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନିକୁ ଏ ନେଇ ନିଦେ୍ର୍ଦଶ ଦିଆଯାଇଛି । ନେପାଳ ଟେଲିକମୁ୍ୟନିକେସନ ଅଥରିଟି ଏହି ନିଦେ୍ର୍ଦଶ ପଠାଇଛି । ସମସ୍ତ ଟେଲିକମ୍ କମ୍ପାନି ସେମାନଙ୍କ ପ୍ଲାଟଫର୍ମରେ ଏହି ଆପକୁ ବ୍ଲକ କରିବାକୁ କୁହାଯାଇଛି । ଗତ ମାସରେ ଭିଏତନାମ ସରକାର ମଧ୍ୟ ଏହି ଆପ୍ କୁ ନିଷିଦ୍ଧ କରିଥିଲେ । ବିଶ୍ୱରେ ପ୍ରାୟ ୧୦୦ କୋଟି ଲୋକ ଟେଲିଗ୍ରାମ ଆପ୍ ବ୍ୟବହାର କରୁଛନ୍ତି ।