ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ
ଫେବ୍ରୁଆରୀ ୨୦ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୨୧୧ କୋଟି ଡଲାର ହ୍ରାସ ଘଟିଛି । ଫଳରେ ଏହା ୭୨୩୬୦.୮ କୋଟି ଡଲାରକୁ ଖସିଆସିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ଏହାର ପୂର୍ବ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୮୬୬ କୋଟି ଡଲାର ବୃଦ୍ଧି ଘଟିଥିଲା । ଫଳରେ ଏହା ସର୍ବକାଳୀନ ରେକର୍ଡ ସ୍ତର ୭୩୫୭୨.୭ କୋଟି ଡଲାରରେ ପହଞ୍ଚିଥିଲା । ପୂର୍ବ ସର୍ବକାଳୀନ ରେକର୍ଡ ସ୍ତର ଜାନୁଆରୀରେ ଦେଖିବାକୁ ମିଳିଥିଲା, ଯେତେବେଳେ ମୁଦ୍ରା ଭଣ୍ଡାର ୭୨୩୭୭.୪ କୋଟି ଡଲାର ଛୁଇଁଥିଲା । ଫେବ୍ରୁଆରୀ ୨୦ରେ ଶେଷ ହୋଇଥିବା ସପ୍ତାହରେ ଫରେନ୍ କରେନ୍ସି ଆସେଟରେ ୧୦୩.୯ କୋଟି ଡଲାର ହ୍ରାସ ଘଟିଥିଲା । ଫଳରେ ଏହା ୫୭୨୫୬.୪ କୋଟି ଡଲାରକୁ ଖସିଆସିଥିଲା । ଅନ୍ୟପକ୍ଷରେ, ସୁନା ଭଣ୍ଡାରର ମୂଲ୍ୟ ୯୭.୭ କୋଟି ଡଲାର ହ୍ରାସ ଘଟିଛି । ଫଳରେ ଏହା ୧୨୭୪୮.୯ କୋଟି ଡଲାରକୁ ଖସିଆସିଥିବା ଆରବିଆଇ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ।