ଲଢ଼ୁଆ ହେଲିକପ୍ଟର ପ୍ରଚଣ୍ଡରେ ଉଡ଼ିଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଜୟସାଲମେର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର ପ୍ରଚଣ୍ଡରେ ଉଡିଛନ୍ତି । ଏହି ହେଲିକପ୍ଟରରେ ସହ-ପାଇଲଟ ଭାବେ ଉଡ଼ାଣ କରିବାରେ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି । ଉଡ଼ାଣ କରିବା ଅବସରରେ ରାଷ୍ଟ୍ରପତି କକପିଟରୁ ସାଲୁ୍ୟଟ ମାରିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଲଢ଼ୁଆ ବିମାନ ସୁଖୋଇ ଓ ରାଫେଲରେ ଉଡ଼ିବାରେ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ଶୁକ୍ରବାର ସକାଳ ୯ଟା ୧୫ରେ ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ସେନା ଅଧିକାରୀମାନେ ତାଙ୍କୁ ଏହି ହେଲିକପ୍ଟର ବିଷୟରେ ସୂଚନା ଦେଇଥିଲେ । ଏହା ପରେ ରାଷ୍ଟ୍ରପତି ହେଲିକପ୍ଟର କକପିଟରେ ବସିଥିଲେ । ପୂର୍ବାହ୍ନ ୧୦ଟା ୧୫ରେ ଗ୍ରୁପ୍ କ୍ୟାପଟେନ ଏନ୍.ଏମ୍ ବହୁଦାଙ୍କ ସହିତ ଶ୍ରୀମତୀ ମୁର୍ମୁ ଉଡ଼ାଣ କରିଥିଲେ । ପ୍ରାୟ ୨୫ ମିନିଟର ଉଡ଼ାଣରେ ରାଷ୍ଟ୍ରପତି ସୀମାନ୍ତ ଅଞ୍ଚଳ ଓ ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜର ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ ।