
ଜୀବନ ଯୁଦ୍ଧରେ ହାରିଗଲେ ନିର୍ଯାତିତା ଏଫଏମ ମହାବିଦ୍ୟାଳୟ ଛାତ୍ରୀ
ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଭୁବନେଶ୍ୱର ଏମସ୍ ରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଛି । ଅଭିଜ୍ଞ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇନି ବୋଲିଏମସ କର୍ତ୍ତୃପକ୍ଷ କହିଛନ୍ତି । କଳେଜରେ ଏଚଓଡିଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ସମସ୍ତଙ୍କୁ ନ୍ୟାୟ ମାଗିଥିଲେ । ନେତା, ସାମ୍ବାଦିକ, କଲେଜ ଅଧ୍ୟକ୍ଷ କେହି ବି ସାହା ହେଲେନି । ସମସ୍ତେ ନିରାଶ କଲେ । ଶେଷରେ ଶନିବାର ସେ କଲେଜ ପରିସରରେ ନିଜ ଉପରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱରରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରଯାଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । କିନ୍ତୁ ଛାତ୍ରୀ ଜଣଙ୍କ ନ୍ୟାୟରୁ ବଂଚିତ ହୋଇ ଦୁନିଆରୁ ବିଦାୟ ନେଇଯାଇଛନ୍ତି ।
୧.
ସମାଧିସ୍ଥଳରେ ପ୍ରାର୍ଥନା କରିବାକୁ ସୁରକ୍ଷା ପ୍ରାଚୀର ଡେଇଁଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ
ପାଚେରି ଡେଇଁଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା । ଏକ ସମାଧିସ୍ଥଳରେ ପ୍ରାର୍ଥନା କରିବା ପାଇଁ ସେ ଏହା କରିଛନ୍ତି । ଶ୍ରୀନଗରସ୍ଥିତ ମଜାର-ଇ-ସୁହାତା ସମାଧିସ୍ଥଳରେ ଏହା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜୁଲାଇ ୧୩ ତାରିଖରେ ଏଠାରେ ସହିଦ ଦିବସ ପାଳନ କରାଯାଇଥାଏ । ୧୯୩୧ ଜଣ ସହିଦଙ୍କୁ ସ୍ମରଣ କରି ପ୍ରାର୍ଥନା କରାଯାଇଥାଏ । କିନ୍ତୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରାର୍ଥନା ଉପରେ କଟକଣା ଲଗାଯାଇଛି । କିନ୍ତୁ ଏହି କଟକଣାକୁ ମାନି ନାହାନ୍ତି ମୁଖ୍ୟମନ୍ତ୍ରୀ । ସେ ପାଚେରି ଚଢ଼ି ଭିତରକୁ ଯାଇ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ୧୩ ତାରିଖରେ ତାଙ୍କୁ ଏକପ୍ରକାର ଗୃହବନ୍ଦୀ କରାଗଲା । ଅନ୍ୟ ନିର୍ବାଚିତ ନେତାମାନଙ୍କୁ ମଧ୍ୟ । ତେଣୁ ସେ ୧୪ ତାରିଖରେ କାହାକୁ ନ କହି ପ୍ରାର୍ଥନା କରିବାକୁ ଚାଲି ଆସିଲେ । ଏହି ଘଟଣାରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି ।
….
୨.
ହରିଆନା, ଗୋଆ, ଲଦାଖର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିଆନା, ଗୋଆ ଏବଂ ଲଦାଖରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଜମ୍ମୁ-କାଶ୍ମୀରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା ହେବେ ଲଦାଖର ଉପରାଜ୍ୟପାଳ । ହରିଆନାର ନୂଆ ରାଜ୍ୟପାଳ ହେବେ ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ପ୍ରଫେସର ଅସୀମ ଘୋଷ । ସେ ୧୯୯୯ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଥିଲେ । ବିଜୟନଗରମ ରାଜବଂଶର ସଦସ୍ୟ ତଥା ତେଲଗୁଦେଶମ ପାର୍ଟିର ବରିଷ୍ଠ ନେତା ଗଜପତି ରାଜୁ ହେବେ ଗୋଆର ନୂତନ ରାଜ୍ୟପାଳ । ସେ ବିଜୟନଗରମରୁ ୭ ଥର ବିଧାୟକ ହୋଇଥିଲେ । ମୋଦି କ୍ୟାବିନେଟରେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଥିଲେ ।
….
୩.
ଶ୍ରୀମନ୍ଦିରକୁ ୩ ବର୍ଷରେ ଦାନରେ ମିଳିଛି ୧୨ କିଲୋ ସୁନା, ୨୧୪ କିଲୋ ରୁପା
ବିଗତ ୩ ବର୍ଷରେ ଶ୍ରୀମନ୍ଦିରକୁ ଦାନ ସୂତ୍ରରୁ ମିଳିଛି ୧୧୬ କୋଟିରୁ ଅଧିକ ଟଙ୍କା । ଏଥିସହ ୧୨ କିଲୋରୁ ଅଧିକ ସୁନା ଓ ୨୧୪ କିଲୋରୁ ଅଧିକ ରୁପା ମିଳିଛି । ୨୦୧୨ ରୁ ୨୦୨୪ ବର୍ଷ ମଧ୍ୟରେ ହୁଣ୍ଡିରେ ମିଳିଛି ୪୦ କୋଟି ୬୧ ଲକ୍ଷ ୬୭ ହଜାର ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଆସିଛି ୫୯ କୋଟି ୭୯ ଲକ୍ଷ ୯୯ ହଜାର ଟଙ୍କା । ଅନ୍ୟାନ୍ୟ ସୂତ୍ରରୁ ଆସିଛି ୧୨ କୋଟି ୬୦ ଲକ୍ଷ ୮୯ ହଜାର ଟଙ୍କା । ମିଳିଥିବା ସୁନାରେ ଶ୍ରୀପୟର ମରାମତି ଏବଂ କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି କରାଯାଇଛି । ମା’ ସୁଭଦ୍ରାଙ୍କ କିରୀଟ ଓ ମା’ ଲକ୍ଷ୍ମୀଙ୍କ ହାର ତିଆରିରେ ମଧ୍ୟ ମିଳିଥିବା ସୁନା ଲଗାଯାଇଛି । ମିଳିଥିବା ରୁପା ମଧ୍ୟରୁ ୧୪୭ କିଲୋ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଛି ।
…
୪.
ଇଡିରେ ହାଜର ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା
ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ନିକଟରେ ହାଜର ହୋଇଛନ୍ତି ରବର୍ଟ ଭଦ୍ରା । ରବର୍ଟ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ । ମନି ଲଣ୍ଡରିଙ୍ଗ ମାମଲାରେ ତାଙ୍କୁ ପଚରାଉଚୁରା କରାଯାଇଛି । ଏହି ଠକେଇ ପେଟ୍ରୋକେମିକାଲ୍ସ ସହ ଜଡ଼ିତ । ପ୍ରକଳ୍ପଟି ୨୦୦୮ ମସିହାରେ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହେବାର ଥିଲା । ଯାହାର ଏକ ଅଂଶ ନିର୍ମାଣ କାମ ନେଇଥିବା ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କୁ ଦୁବାଇସ୍ଥିତ ଏକ କମ୍ପାନି । ପରେ ସଞ୍ଜୟ ଲଣ୍ଡନରେ ଏକ ଦାମୀ ସମ୍ପତ୍ତି କ୍ରୟ କରିଥିଲେ । ସଞ୍ଜୟ ଓ ରବର୍ଟ ଭଦ୍ରାଙ୍କ ମଧ୍ୟରେ ହୋଇଥିବା ଆର୍ଥିକ ଦେଣନେଣ ଏବେ ଇଡିର ତଦନ୍ତ ପରିସରରେ ରହିଛି ।
..
୫.
ଭାରତର ନୂଆ ହାଇପରସୋନିକ୍ ମିସାଇଲ, ଶବ୍ଦର ୮ ଗୁଣ ବେଗରେ ମାଡ଼ କରିବ
ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ ବା ଡିଆରଡିଓ କରୁଛି ‘ପ୍ରୋଜେକ୍ଟ ବିଷ୍ଣୁ । ଏହା ଅଧୀନରେ ନିର୍ମିତ ନୂତନ ହାଇପରସୋନିକ୍ ମିସାଇଲର ପରୀକ୍ଷଣ କରାଯାଇଛି । ଏହା ଶବ୍ଦର ୮ ଗୁଣ ବେଗରେ ମାଡ଼ କରିବ । ୧୫୦୦ କିଲୋମିଟର ଦୂରର ଟାର୍ଗେଟ ଭେଦ କରିପାରିବ । ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ୧ ହଜାରରୁ ୨ ହଜାର କିଲୋ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ । ଅତି କମ୍ ଉଚ୍ଚତାରେ ଏହା ଗତି କରୁଥିବାରୁ ରାଡାର ନଜରରେ ପଡ଼ିବାର ସମ୍ଭାବନା କମ୍ । ଏହା ଭୂପୃଷ୍ଠ, ସମୁଦ୍ର ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ । ବ୍ରାହ୍ମାସ କ୍ଷେପଣାସ୍ତ୍ରର ଗତି ଘଣ୍ଟା ପ୍ରତି ୩ ହଜାର ୬୭୫ କିଲୋମିଟର । କିନ୍ତୁ ନୂତନ କ୍ଷେପଣାସ୍ତ୍ରର ଗତି ରହିଛି ଘଣ୍ଟା ପ୍ରତି ୧୧ ହଜାର କିଲୋମିଟର ।
…
୬.
ପୃଥିବୀ ଅଭିମୁଖେ ମହାକାଶଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କ ଯାତ୍ରା ଆରମ୍ଭ, ଆଜି ପହଞ୍ଚିବେ
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପୃଥିବୀ ଅଭିମୁଖେ ଯାତ୍ରା କରିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ତାଙ୍କ ଯାନ ଆକ୍ସିଅମ୍-୪ ଅନଡକିଂ ହୋଇସାରିଛି । ଭାରତୀୟ ସମୟ ସୋମବାର ଅପରାହ୍ଣ ୪ଟା ୩୫ ମିନିଟରେ ଡ୍ରାଗନ ସ୍ପେସକ୍ରାଫ୍ଟ ଅଲଗା ହୋଇଥିଲା । ଏହା ପୂର୍ବରୁ ମହାକାଶ କେନ୍ଦ୍ରର ସାଥୀ ମାନେ ଶୁଭାଂଶୁ ଓ ଅନ୍ୟ ୩ ମହାକାଶଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୃଥିବୀ ଚତୁଃପାଶ୍ୱର୍ରେ କେଇ ଘେରା ମାରିବା ପରେ ମାଧ୍ୟାକର୍ଷଣ ଶକ୍ତି ମଧ୍ୟକୁ ପ୍ରବେଶ କରିବ । ସେଥିପାଇଁ ମହାକାଶଚାରୀମାନେ ପ୍ରଥମେ ନିଜକୁ ପ୍ରସ୍ତୁତ କରିବେ । ଭୂପୃଷ୍ଠରେ ପହଞ୍ଚିବାକୁ ସେମାନଙ୍କୁ ୨୧ ଘଣ୍ଟା ସମୟ ଲାଗିବ । ଆଜି ଅପରାହ୍ଣରେ କାଲିଫର୍ଣ୍ଣିଆ ଉପକୂଳରେ ମହାକାଶଯାନଟି ସେମାନଙ୍କୁ ନେଇ ଅବତରଣ କରିବ । ଶୁଭାଂଶୁ ମହାକାଶରେ ୧୮ ଦିନ ରହିଥିଲେ ।
…
୭.
ପୁତିନଙ୍କୁ ଟ୍ରମ୍ପଙ୍କ ସମାଲୋଚନା, ଦିନରେ ମଧୁର କଥା, ରାତିରେ ମିସାଇଲ ମାଡ଼
ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି । ୱାଶିଂଟନରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ପୁତିନ ଦିନରେ ମଧୁର କଥା କହୁଛନ୍ତି, ରାତି ହେଲେ ୟୁକ୍ରେନ ଉପରେ ମିସାଇଲ ମାଡ଼ କରୁଛନ୍ତି । ରୁଷକୁ ଏବେ ଜବାବ ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ୟୁକ୍ରେନରେ ପାଟି୍ରୟଟ କ୍ଷେପଣାସ୍ତ୍ର ମୁତୟନ ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି । ଏହି ଉଦେଶ୍ୟରେ କିଭକୁ କ୍ଷେପଣାସ୍ତ୍ର ପଠାଯାଉଛି । ୟୁକ୍ରେନକୁ ଅସ୍ତ୍ର ଯୋଗାଣ କୌଣସି ସେବା ନୁହେଁ । ବରଂ ଏଥିପାଇଁ ଶତ ପ୍ରତିଶତ ଅର୍ଥ ମିଳୁଥିବା ଟ୍ରମ୍ପ କହିଛନ୍ତି । କିଛି ଦିନ ତଳେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ପୁତିନଙ୍କୁ ଟ୍ରମ୍ପ ପରାମର୍ଶ ଦେଇଥିଲେ । ପୁତିନ କିନ୍ତୁ ମଧୁର ବାକ୍ୟରେ ଟ୍ରମ୍ପଙ୍କ କଥାକୁ ଟାଳି ଦେଇଥିଲେ ।
…
୮.
ସୁପ୍ରିମକୋର୍ଟଙ୍କ ରାୟ, ଛାଡ଼ପତ୍ର ମାମଲାରେ ପତ୍ନୀଙ୍କ ଫୋନ୍ କଲ୍ ରେକର୍ଡିଂ ପ୍ରମାଣ ହୋଇପାରିବ
ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପତ୍ନୀଙ୍କ ଫୋନ୍ କଲ ରେକର୍ଡିଂକୁ ପ୍ରମାଣ ଭାବେ କୋର୍ଟ ଗ୍ରହଣ କରିପାରିବେ । ଏହା ପତ୍ନୀଙ୍କ ଅଜାଣତରେ ରେକର୍ଡ ହୋଇଥିଲେ ବି ଚଳିବ । ଏହାକୁ ଗୋପନୀୟତାର ଉଲ୍ଲଂଘନ କୁହାଯାଇ ପାରିବନାହିଁ । ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହେବା ପରେ ଏଭଳି ସ୍ଥିତି ଉପୁଜିଥାଏ । ।ତେଣୁ ଏହାକୁ ଆଉ ଗୋପନୀୟତା କୁହାଯାଇପାରିବନି । ପଂଜାବ-ହରିଆନା ହାଇକୋର୍ଟ ଦେଇଥିବା ଏକ ରାୟକୁ ଖାରଜ କରି ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ପୂର୍ବରୁ ଏହି ମାମଲାରେ ହାଇକୋର୍ଟ କହିଥିଲେ, ପତ୍ନୀଙ୍କ କଲ୍ ରେକର୍ଡ ଗୋପନୀୟ ହୋଇଥିବାରୁ ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।
…
9.
ଛାତ୍ରୀ ଆତ୍ମାହୁତି ଘଟଣାରେ କଲେଜ ଅଧ୍ୟକ୍ଷ ଗିରଫ, ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
ବାଲେଶ୍ୱରର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଳ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଛାତ୍ରୀ ଆତ୍ମାହୁତି ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ ସେ ନିଲମ୍ବିତ ହୋଇସାରିଥିଲେ । ଏହି ଘଟଣାରେ ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁ ନିଲମ୍ବିତ ହେବା ସହ ଗିରଫ ହୋଇସାରିଛନ୍ତି । ଘଟଣାର ତଦନ୍ତ ସ୍ଥାନୀୟ ପୁଲିସ, କ୍ରାଇମବ୍ରାଞ୍ଚ ଏବଂ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର କମିଟି କରୁଛନ୍ତି । ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଥିଲେ । ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ରାଷ୍ଟ୍ରୀୟ ମାନବାଧିକାର କମିଶନ ମଧ୍ୟ ଘଟଣାରେ ବାଲେଶ୍ୱର ଏସପିଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।
…
10.
ସୁପ୍ରିମକୋର୍ଟ କହିଲେ, ବାକ୍ ସ୍ୱାଧୀନତାର ଅଧିକାର ରହୁ, କିନ୍ତୁ ଘୃଣା ଭାଷଣ ନୁହେଁ
ବାକ୍ ସ୍ୱାଧୀନତାର ଅଧିକାର ରହୁ । ଏହାର ଉଲ୍ଲଂଘନ ହେବା ଅନୁଚିତ । କିନ୍ତୁ ବାକ୍ ସ୍ୱାଧୀନତାର ଅର୍ଥ ଘୃଣା ଭାଷଣ ନୁହେଁ । ଘୃଣା ଭାଷଣକୁ ରୋକିବା ଦରକାର । ଏ ସମ୍ପର୍କରେ ଲୋକଙ୍କୁ ସଚେତନା କରାଯିବାର ଆବଶ୍ୟକତା ଅଛି । ଏହା କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ବି ଭି ନାଗରତ୍ନା ଏବଂ କେ ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କହିଛନ୍ତି, ଘୃଣା ଭାଷଣ କିପରି ରୋକାଯାଇପାରିବ ସେ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ନିୟମ ଆଣନ୍ତୁ । ସୋସିଆଲ ମିଡିଆରେ ଘୃଣା ଭାଷଣକୁ ସେୟାର କି ଲାଇକ୍ କରିବା ଅନୁଚିତ । ଜଣେ ବ୍ୟକ୍ତି ଘୃଣାପୂର୍ଣ୍ଣ ଟ୍ୱିଟ କରିବା ପରେ ତାଙ୍କ ବିରୋଧରେ ଅନେକ ଗୁଡ଼ିଏ ଗିରଫ ପରୱାନା ଜାରି ହୋଇଥିଲା । ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ଅଟକାଇବା ସହ ଘୃଣା ଭାଷଣ ବିରୋଧରେ କହିଛନ୍ତି ।
…
11..
ଆଜିଠୁ ଆଧାର ଓଟିପିରୁ ବୁକ୍ ହେବ ତକ୍ରାଳ ଟିକେଟ, ଅଧଘଣ୍ଟା ଏଜେଣ୍ଟଙ୍କୁ କଟକଣା
ଆଜିଠୁ ଭାରତୀୟ ରେଳ ତକ୍ରାଳ ଟିକଟ ବୁକିଂ ନିୟମରେ ପରିବର୍ତ୍ତନ ଆଣୁଛି । ଆଜିଠୁ ଟିକଟ ବୁକିଂ ପାଇଁ ଆଇଆରସିଟିସି ୱେବସାଇଟ କିମ୍ବା ଆପ୍ ରେ ଆଧାର ପ୍ରମାଣନ ଅନିବାର୍ଯ୍ୟ ହେବ । ଅନଲାଇନ ତକ୍ରାଳ ଟିକଟ ବୁକିଂ ପାଇଁ ଆଧାର ନମ୍ବର ସହିତ ଓଟିପି ମଧ୍ୟ ଆବଶ୍ୟକ ପଡ଼ିବ । ଦଲାଲରାଜ ରୋକିବାକୁ ଏଭଳି ବ୍ୟବସ୍ଥା କରାଯାଇଛି । ତକ୍ରାଳ ବୁକିଂ ଆରମ୍ଭର ପ୍ରଥମ ଅଧଘଣ୍ଟା ଏଜେଣ୍ଟ ମାନେ ବୁକିଂ କରିପାରିବେନି । ଏସି ଓ ନନ ଏସି ଉଭୟ ବର୍ଗ ପାଇଁ ଏହି ନିୟମ ଲାଗୁ ରହିବ । ପୂର୍ବରୁ ଏଜେଣ୍ଟ ମାନେ ଅଧିକାଂଶ ଟିକେଟ ବୁକିଂ କରିନେଉଥିଲେ । କିନ୍ତୁ ଏବେ ଯାତ୍ରୀମାନଙ୍କୁ ପ୍ରଥମେ ଏହି ସୁବିଧା ମିଳିପାରିବ । ଆଇଆରସିଟିସିରେ ଟିକଟ ବୁକ୍ କଲେ ପ୍ରଥମେ ଆଧାର ଦେବାକୁ ପଡ଼ିବ । ମୋବାଇଲ ନମ୍ବରକୁ ଆସିଥିବା ଓଟିପିକୁ ମଧ୍ୟ ପଂଜିକୃତ କରିବା ଆବଶ୍ୟକ । କାଉଣ୍ଟରରେ ଟିକଟ ବୁକ କଲେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ ।
..
12.
ଏୟାରଲାଇନ୍ସ ଗୁଡ଼ିକୁ ଡିଜିସିଏର ନିଦେ୍ର୍ଦଶ, ସବୁ ବୋଇଂର ଇନ୍ଧନ ସୁଇଚ ଯାଞ୍ଚ ହେବ
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିଛି । ବିମାନରେ ଇନ୍ଧନ ସୁଇଚର ତ୍ରୁଟି ପାଇଁ ଦୁଇଟି ଯାକ ଇଞ୍ଜିନ ବନ୍ଦ ହୋଇଯାଇଥିବା ଦର୍ଶାଯାଇଛି । ଏହି ରିପୋର୍ଟ ଆଧାରରେ ଡିଜିସିଏ ଏବେ ପଦକ୍ଷେପ ନେଇଛି । ବୋଇଂ ବିମାନ ଚଳାଉଥିବା ସମସ୍ତ ଏୟାରଲାଇନ୍ସ ପାଇଁ ଏହା ଜାରି କରାଯାଇଛି । ଇନ୍ଧନ ନିୟନ୍ତ୍ରଣ ସୁଇଚ ଗୁଡ଼ିକର ଲକିଂ ପଦ୍ଧତିର ପୂର୍ଣ୍ଣ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଛି । ବିଭିନ୍ନ ରାଷ୍ଟ୍ରର ଏୟାରଲାଇନ୍ସ ମଧ୍ୟ ବୋଇଂ ବିମାନ ଗୁଡ଼ିକର ଇନ୍ଧନ ସୁଇଚ ଯାଞ୍ଚ ଆରମ୍ଭ କରିଛନ୍ତି ।
…
13.
ବିମାନକୁ ଧକ୍କା ଦେଲା ଟ୍ରକ, ବିମାନର ଡେଣା କ୍ଷତିଗ୍ରସ୍ତ
ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଅଘଟଣ ଘଟିଛି । ଏକ ବିମାନକୁ କାର୍ଗୋ ଟ୍ରକ ଧକ୍କା ଦେଇଛି । ବେଙ୍ଗାଲୁରୁର ଆସିଥିବା ଆକାଶା ଏୟାରଲାଇନ୍ସର ଏକ ବିମାନରୁ ଯାତ୍ରୀଙ୍କ ଲଗେଜ ଓହ୍ଲାଯାଉଥିଲା । ଏହି ସମୟରେ ଟ୍ରକଟି ଆସି ଧକ୍କା ଦେଇଥିଲା । ବିମାନର ଗୋଟିଏ ଡେଣା କ୍ଷତିଗ୍ରସ୍ତ ହୋଇଛି । ବିମାନଟିକୁ ତୁରନ୍ତ ଯାଞ୍ଚ ପାଇଁ ରଖାଯାଇଛି । ଘଟଣାର ତଦନ୍ତ କରାଯାଉଛି । ତେବେ ବିମାନର ଉଚ୍ଚତା ଆକଳନ କରିବାରେ ଭୁଲ ହେବାରୁ ଟ୍ରକଟି ବାଡ଼େଇ ହୋଇଥିବା ଡ୍ରାଇଭର କହିଛି ।
…
14.
ଆରଡିଏକ୍ସରେ ସ୍ୱର୍ଣ୍ଣ ମନ୍ଦିର ଉଡ଼ାଇବାକୁ ଧମକ, ସୁରକ୍ଷା ବଢ଼ିଲା
ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ଉଡ଼ାଇ ଦେବାକୁ ମିଳିଛି ଧମକ । ଏକ ଇ-ମେଲରେ ଆସିଛି ଧମକ । ଆରଡିଏକ୍ସ ଦ୍ୱାରା ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । କେଉଁ ସମୟରେ ବିସ୍ଫୋରଣ କରାଯିବ ତାହା ମଧ୍ୟ କୁହାଯାଇଛି । ଧମକ ମିଳିବାପରେ ମନ୍ଦିର ଭିତରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି -ଏସଜିପିସିର ଟାସ୍କ ଫୋର୍ସ ଏବଂ ମନ୍ଦିର ବାହାରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ମନ୍ଦିର ଆଖପାଖ ଅଞ୍ଚଳରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି । ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ ପାଇଁ ଟାସ୍କଫୋର୍ସକୁ କୁହାଯାଇଛି । ଧମକ ଇ-ମେଲ କେଉଁଠୁ ଆସିଥିଲା ତାହାର ତଦନ୍ତ ଚାଲିଛି ।
…
15.
କର୍ମଚାରୀ ଓ ସଂସ୍ଥା ପଂଜିକରଣକୁ କୋହଳ କଲା ଇଏସଆଇସି
କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଂଜିକୃତ କର୍ମସଂସ୍ଥାନ ଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି । ନିଗମ ପକ୍ଷରୁ ପ୍ରସ୍ତୁତହୋଇଛି ସ୍ୱତନ୍ତ୍ର ‘ସ୍ପ୍ରି-୨୦୨୫’ ଯୋଜନା । ଏହା ମାଧ୍ୟମରେ ଅଣ ପଂଜିକୃତ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି ବକେୟା ଦେୟ ବା ରେକର୍ଡ ଯାଞ୍ଚରେ ପଂଜିକୃତ କରିପାରିବେ । ଏହି ଯୋଜନାରେ ପଂଜିକୃତ କର୍ମଚାରୀ ଅବିଳମ୍ବେ ଚିକିତ୍ସା ଓ ଦୁର୍ଘଟଣା ବୀମା ସୁବିଧା ପାଇପାରିବେ । ଏହି ଯୋଜନା ୧ ଜୁଲାଇରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯଦି କୌଣସି ସଂସ୍ଥାର କର୍ମଚାରୀଙ୍କ ସଂଖ୍ୟା ୧୦ କିମ୍ବା ତାହାଠାରୁ ଅଧିକ ହୋଇଥିବ ଏବଂ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ ।
…
16.
ଏମସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି, ଡାକ୍ତରଙ୍କୁ କଲେ ପ୍ରଶଂସା
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭୁବନେଶ୍ୱର ଏମସ ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ଉଦବୋଧନ ଦେଇ ସେ କହିଥିଲେ,ଡାକ୍ତରୀ ସେବା ବୃତ୍ତି ନୁହେଁ ଏକ ବ୍ରତ । ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ରାଜ୍ୟର ଲୋକଙ୍କ ହୃଦୟ ଜିତି ପାରିଛି ଭୁବନେଶ୍ୱର ଏମସ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଏମସ ଗୁଡ଼ିକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଅଭିଜ୍ଞ ଡାକ୍ତରଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ମାନସିକ ଅବସାଦ ଆଜିର ସମୟରେ ବଡ଼ ସମସ୍ୟା । ଆଜିର ଜୀବନଶୈଳୀରୁ ସୃଷ୍ଟି ହେଉଥିବା ମେଦବହୁଳତା ମଧ୍ୟ ଚିନ୍ତାର କାରଣ ହୋଇଛି । କାର୍ଯ୍ୟକ୍ରମରେ ଏମସ୍ ର ମେଧାବୀ ଗ୍ରାଜୁଏଟଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ । ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିଲେ ।
…
17.
ଅବପାତ ରୂପ ନେଲା ଲଘୁଚାପ, ଅନେକ ଜିଲ୍ଲାରେ ଆଜି ବର୍ଷା
ଦକ୍ଷିଣ-ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଲଘୁଚାପ ଅବପାତର ରୂପ ନେଇଛି । ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଆଜି ଓ କାଲି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଳପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡ଼ାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ୧୭ ତାରିଖ ସୁଦ୍ଧା ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।
..
18.
ସଂସଦରେ ଅନଲାଇନରେ ହାଜିରା ଦେବେ ସାଂସଦ, ମୌସୁମୀ ଅଧିବେଶନରୁ ବ୍ୟବସ୍ଥା
ଆଗାମୀ ମୌସୁମୀ ଅଧିବେଶନରେ ଲୋକସଭାରେ ସାଂସଦଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେଉଛି । ସାଂସଦମାନେ ଏଣିକି ଅନଲାଇନରେ ହାଜିରା ଦେଇପାରିବେ । ସେମାନେ ନିଜ ଆସନରେ ବସି ମଲଟି ମିଡିଆ ଡିଭାଇସ ସିଷ୍ଟମ ମାଧ୍ୟମରେ ନିଜର ହାଜିରା ପକାଇବେ । ନୂତନ ସଂସଦ ଭବନକୁ ଡିଜିଟାଲିକରଣ କରିବା ଉଦେ୍ଦଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ସାଂସଦମାନେ ଲୋକସଭା କିମ୍ବା ରାଜ୍ୟସଭା ଚାମ୍ବରରେ ପ୍ରବେଶ କରିବା ପୂର୍ବରୁ ରେଜିଷ୍ଟରରେ ନିଜ ଦସ୍ତଖତ ଦେଇ ହାଜିରା ଦେଉଥିଲେ । ନୂଆ ସଂସଦ ଭବନ ହେବା ପରେ ସାଂସଦମାନେ ଚମ୍ବାର ପ୍ରବେଶ ପଥରେ ଥିବା ଟ୍ୟାବ ମାଧ୍ୟମରେ ହାଜିରା ଦେଉଛନ୍ତି । ଏବେ ତାହା ବଦଳିଯିବ ।
…
19.
ପୁତିନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ, ଯୁଦ୍ଧବିରତି ନ କଲେ ୧୦୦ ପ୍ରତିଶତ ଶୁଳ୍କ
ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚେତାବନି ଦେଇଛନ୍ତି ଡେନାଲଡ ଟ୍ରମ୍ପ । ରୁଷ ଯଦି ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନ କରେ, ତେବେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲଗାଇବ । ଏହାକୁ ଅତିରିକ୍ତ ଶୁଳ୍କ ଭାବେ ବିବେଚନା କରାଯିବ । ସେ କହିଛନ୍ତି, ପୁତିନଙ୍କ ଦୁଇ ମାସ ତଳୁ ଯୁଦ୍ଧ ବିରତି ପ୍ରସ୍ତାବ ଦିଆଯାଇଛି । କିନ୍ତୁ ସେ ଖାତିର କରିନାହାନ୍ତି । ଏଭଳି ନିଷ୍ପତ୍ତି ତାଙ୍କୁ ବାଧିଛି । ଏଣୁ ଏବେ ଆମେରିକା ଯେଉଁ ଶୁଳ୍କ ଲଗାଇବ, ରୁଷର ବିପୁଳ କ୍ଷତି ହେବ । ଇତି ମଧ୍ୟରେ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ୟୁକ୍ରେନ ଯାଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟି ଆଲୋଚନା କରିଛନ୍ତି ।
..
20.
ଲର୍ଡ୍ସରେ ଜିତିଲା ଇଂଲଣ୍ଡ, ୨୨ ରନରେ ହାରିଲା ଭାରତ
ଭାରତକୁ ହରାଇ ସିରିଜର ତୃତୀୟ ଟେଷ୍ଟ ଜିତିବାରେ ଇଂଲଣ୍ଡ ସଫଳ ହୋଇଛି । ୨୨ ରନରେ ଭାରତକୁ ହରାଇ ଘରୋଇ ଦଳ ୨-୧ରେ ସିରିଜ ଆଗୁଆ ରହିଛି । ଭାରତର ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜାଙ୍କୁ ଛାଡ଼ି ସମସ୍ତେ ଶୀଘ୍ର ଶୀଘ୍ର ବିଦାୟ ନେଲେ । ଇଂଲଣ୍ଡ ଦୁଇଟି ଯାକ ଇନିଂସରେ ୩୮୭ ଓ ୧୯୨ କରିଥିଲା । ଭାରତ କରିଥିଲା ୩୮୭ ଓ ୧୭୦ । ଭାରତୀୟ ଟିମର ଶେଷ ଭାଗରେ ରବିନ୍ଦ୍ର ଜାଡେଜାଙ୍କ ଲଢ଼େଇ କିଛିଟା ଆଶା ସଞ୍ଚାର କରିଥିଲା । କିନ୍ତୁ ଶେଷକୁ ନିରାଶ ହେବାକୁ ପଡ଼ିଥିଲା । ଜାଡେଜା ୬୧ ରନ କରି ଅପରାଜିତ ରହିଥିଲେ ।
….
21.
OPTCLରେ ୧୦୦ ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି
ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ପକ୍ଷରୁ ୧୦୦ଟି ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବି ଟେକ, ଡିପ୍ଲୋମା, ଆଇଟିଆଇ, ଏମବିଏ, ଏଲଏଲବି ଏବଂ ଏମ.କମ ଭଳି ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୪ ଜୁଲାଇ ୨୦୨୫ରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ୨୦୨୫ରେ ଶେଷ ହେବ। ଇଚ୍ଛୁକ ପ୍ରାର୍ଥୀମାନେ OPTCLର ଅଫିସିଆଲ୍ ୱେବସାଇଟ୍ (optcl.co.in) ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ। ଏହି ପଦବୀଗୁଡ଼ିକ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଯୋଗ୍ୟତା ଅନୁସାରେ ମାସିକ ୭,୭୦୦ ଟଙ୍କାରୁ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ୍ ମିଳିବ। ଅଧିକ ବିବରଣୀ ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ।
….
22.
AIIMSରେ ୩୫୦୧ ପଦବୀ ପାଇଁ ବଡ଼ ନିଯୁକ୍ତି ସୁଯୋଗ
ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧୀନରେ ୟୁଡିସି, ଏମଟିଏସ, ଷ୍ଟେନୋଗ୍ରାଫର, ଫାର୍ମାସିଷ୍ଟ ଏବଂ ନର୍ସିଂ ଅଫିସର ଭଳି ମୋଟ ୩୫୦୧ଟି ପଦବୀ ପୂରଣ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ୧୨ ଜୁଲାଇ ୨୦୨୫ରୁ ଅନଲାଇନ୍ ଆବେଦନ କରିପାରିବେ ଏବଂ ଆବେଦନର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରହିଛି। ଦଶମ, ଦ୍ୱାଦଶ, ଆଇଟିଆଇ, ଡିପ୍ଲୋମା ଓ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୩୦୦୦ ଟଙ୍କା ଏବଂ ଏସସି/ଏସଟି/ଇଡବ୍ଲୁଏସ ବର୍ଗ ପାଇଁ ୨୪୦୦ ଟଙ୍କା ରଖାଯାଇଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ aiimsexams.ac.in ଦେଖିପାରିବେ।
….
23.
ସାଇନା ନେହୱାଲ ଓ ପି. କଶ୍ୟପଙ୍କ ବିବାହ ବିଚ୍ଛେଦ
ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ବିବାହ ବିଚ୍ଛେଦ ହୋଇଛି । ଏକଦା ଏକ ନମ୍ବର ଥିବା ଏହି ବ୍ୟାଡମିଣ୍ଟନ ଖେଳାଳି ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ୨୦୧୮ ମସିହାରେ ପି. କଶ୍ୟପଙ୍କ ସହ ସାଇନାଙ୍କର ବିବାହ ହୋଇଥିଲା । ଦୁହେଁ ହାଇଦ୍ରାବାଦର ପି.ଗୋପୀଚାନ୍ଦ ଏକାଡେମୀରେ ଅଭ୍ୟାସ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିଲେ । ସାଇନା ନିଜ ପୋଷ୍ଟରେ ଲେଖିଛନ୍ତି, ବେଳେବେଳେ ଜୀବନ ଆମକୁ ଭିନ୍ନ ଦିଗରେ ନେଇଥାଏ । ବହୁ ଚିନ୍ତା କରିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । କଶ୍ୟପ କିନ୍ତୁ ଏ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି । ସାଇନା ୨୦୧୨ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।
…
24
ସବ ଜୁନିଅର ମହିଳା ଜାତୀୟ ହକିରେ ଓଡ଼ିଶା ରନର୍ସ ଅପ୍
ରାଞ୍ଚିରେ ଆୟୋଜିତ ୧୫ତମ ହକି ଇଣ୍ଡିଆ ସବ୍ ଜୁନିଅର ମହିଳା ଜାତୀୟ ହକି ଚାମ୍ପିଅନସିପରେ ଓଡ଼ିଶା ରନର୍ସ ଅପ ହୋଇଛି । ଫାଇନାଲରେ ଦଳ ଝାଡ଼ଖଣ୍ଡ ଠାରୁ ୧-୦ ଗୋଲରେ ପରାସ୍ତ ହୋଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଝାଡ଼ଖଣ୍ଡ ଗୋଟିଏ ମାତ୍ର ଗୋଲ୍ ସ୍କୋର କରିଥିଲା । ଚେଷ୍ଟା କରି ଓଡ଼ିଶା ଆଉ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିପାରିଲା ନାହିଁ । ତୃତୀୟ ସ୍ଥାନ ପାଇଁ ଲଢ଼େଇରେ ହରିଆନା ୫-୪ ଗୋଲରେ ମିଜୋରାମକୁ ପରାସ୍ତ କରିଛି ।
…
25.
ହରିଆନାରେ ଗାୟକ ରାହୁଲ ଫାଜିଲପୁରିୟାଙ୍କ ଉପରେ ଗୁଳିମାଡ଼
ହରିଆନାର ଗୁରୁଗ୍ରାମରେ ପ୍ରସିଦ୍ଧ ଗାୟକ ରାହୁଲ ଫାଜିଲପୁରିୟାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁରୁଗ୍ରାମର ବାଦଶହପୁର ନିକଟରେ ଏହି ଘଟଣା ଘଟିଛି । ରାହୁଲ ନିଗ ଗାଡ଼ିରେ ଯାଉଥିବା ସମୟରେ ୫/୬ ଜଣ ଦୁର୍ବୃତ୍ତ ପଛରୁ ଆସିଥିଲେ । ସେମାନେ ପାଖରେ ପହଞ୍ଚିବା ପରେ ଅଚାନକ ଗୁଳିମାଡ଼ କରିଥିଲେ । ତେବେ ରାହୁଲ ଦ୍ରୁତ ଗତିରେ ଗାଡ଼ି ଚାଳନା କରି ଅଚାନକ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ । ଆକ୍ରମଣକାରୀମାନଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିନାହିଁ । ପୁଲିସ ଏହି ମାମଲାରେ ସିସିଟିଭି ଯାଞ୍ଚ ଚଳାଇଛି । ତାଙ୍କୁ ପୂର୍ବରୁ ହରିଆନା ପୁଲିସ ସୁରକ୍ଷା ଦେଇଥିଲା । କିନ୍ତୁ ଏବେ ପ୍ରତ୍ୟାହାର କରି ନେଇଛି । ଫାଜିଲପୁରିୟା ‘ଲଡ଼କି ବୁ୍ୟଟିଫୁଲ’ ଗୀତ ଗାଈ ବେଶ ଚର୍ଚ୍ଚିତ ହୋଇଥିଲେ ।
…
26.
ଆଗେଇଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା, ୱାଶିଂଟନରେ ପହଞ୍ଚିଲେ ଭାରତୀୟ ଟିମ୍
ଟାରିଫ ପାଇଁ ଟ୍ରମ୍ପ ପ୍ରଶାସନ ଅବଧି ଧାର୍ଯ୍ୟ କରିଛି ଅଗଷ୍ଟ ୧ ଡେଡଲାଇନ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ ଆଲୋଚନା ଚୂଡ଼ାନ୍ତ ରୂପ ହେବା ଆଶା କରାଯାଉଛି । ଭାରତର ଏକ ପ୍ରତିନିଧି ଦଳ ୱଶିଂଟନରେ ପହଞ୍ଚିଛନ୍ତି । ପାରସ୍ପରିକ ସହଯୋଗିତାରେ ଆଲୋଚନା ହେବ ବୋଲି କହିଛନ୍ତି ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ । ବିଶେଷ କରି କୃଷି ଓ ଅଟୋମୋବାଇଲ କ୍ଷେତ୍ରରେ ଥିବା ବିବାଦ ଗୁଡ଼ିକର ସମାଧାନ ହୋଇଯିବା ଆଶା କରାଯାଇଛି ।
..
27.
ଖୁଚୁରା ମୁଦ୍ରାସ୍ଫୀତି ସାଢ଼େ ୬ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି
ଘରୋଇବ ଜାରରେ ଖୁଚୁରା ମୁଦ୍ରାସ୍ଫୀତି ୨.୧୦ ପ୍ରତିଶତକୁ ହ୍ରାସ ପାଇଛି । ଏହା ସାଢ଼େ ୬ ବର୍ଷରେ ସର୍ବନିମ୍ନ ସ୍ତର । ଏହା ପୂର୍ବରୁ ୨୦୧୯ ଜାନୁଆରୀରେ ମୁଦ୍ରାସ୍ଫୀତି ୨.୦୫ ପ୍ରତିଶତ ସ୍ତରରେ ଥିଲା । ଚଳିତ ବର୍ଷ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୨.୮୨ ପ୍ରତିଶତ ଥିଲା । ଦେଶ ମଧ୍ୟରେ ଦରଦାମ ନିନ୍ତ୍ରଣକୁ ଫେରୁଛି । ଜୁନ ମାସରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ୦.୫୨ ପ୍ରତିଶତ ସ୍ତରରେ ଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରାଳୟ କହିଛି ।
..
28
ବିଶୃଙ୍ଖଳିତ ଆଚରଣ ପାଇଁ ସିରାଜଙ୍କୁ ଅର୍ଥ ଦଣ୍ଡ
ଲର୍ଡ୍ସ ଟେଷ୍ଟରେ ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଭାରତୀୟ ବୋଲର ମହମ୍ମଦ ସିରାଜ । ତାଙ୍କୁ ୧୫ ପ୍ରତିଶତ ମ୍ୟାଚ୍ ଫି’ ହରାଇବାକୁ ପଡ଼ିଛି । ମ୍ୟାଚର ଚତୁର୍ଥ ଦିବସରେ ସେ ଇଂଲଣ୍ଡର ଓପନର ବେନ୍ ଡକେଟଙ୍କୁ ଆଉଟ କରିବା ପରେ ମାତ୍ରାଧିକ ଉତ୍ସାହର ସହ ସେଲିବ୍ରେସନ କରିଥିଲେ । ଡକେଟଙ୍କ ସମ୍ମୁଖରେ ତାଙ୍କର ଏପରି ବ୍ୟବହାରକୁ କେହି ପସନ୍ଦ କରି ନଥିଲେ । ଏଭଳି ଆଚରଣ ଆଇସିସି ଆଚର ସଂହିତାକୁ ଉଲ୍ଲଂଘନ କରୁଥିବା ମ୍ୟାଚ ରେଫରୀ ଘୋଷଣା କରିଥିଲେ । ତେଣୁ ସିରାଜଙ୍କୁ ମ୍ୟାଚ ପାଉଣା ହରାଇବା ସହ ଶୃଙ୍ଖଳା ପଏଣ୍ଟ କାଟ କରାଯାଇଛି ।
..
29
ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ଲାଗି ସମୁଦ୍ର ତଳ ଟନେଲ କାର୍ଯ୍ୟ ଶେଷ
ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏଥିପାଇଁ ସମୁଦ୍ର ତଳ ଟନେଲର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି । ଘାନସୋଲିଠାରୁ ସିଲ୍ପଠା ପର୍ଯ୍ୟନ୍ତ ଅଣ୍ଡର ସି ଟନେଲ କାମ ଶେଷ ହୋଇଛି । ଏହି ରୁଟରେ ଜାପାନର ସିଙ୍ଗାନସେନ ବୁଲେଟ ଟ୍ରେନ ଚଳାଇବ । ଜାପାନ ସରକାର ଏଥିପାଇଁ ସମ୍ମତି ଜଣାଇଛନ୍ତି । ୨୧ କିମି ସମୁଦ୍ର ତଳ ଟନେଲ କାମ କରାଯାଇଛି । ଏହି ପ୍ରକଳ୍ପର ୩୧୦ କିମି ଭାୟାଡକ୍ଟ କାମ ମଧ୍ୟ ଶେଷ କରାଯାଇଛି । ୫୧୦ କିମି ଟ୍ରାକରେ ଦୌଡ଼ିବ ବୁଲେଟ ଟ୍ରେନ ।
.30
..
ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି
ବାଲେଶ୍ୱର ଏଫଏଫ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଫିର ଏକ ବହିଳା ପ୍ରତିନିଧି ଦଳ ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଅପରପକ୍ଷରେ ମହିଳା କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ମଧ୍ୟ ଏହାର ଜବାବ ଦେଇ ଏହି ଘଟଣା ପାଇଁ କଂଗ୍ରେସକୁ ଦାୟୀ କରିଛି । ଛାତ୍ରୀଙ୍କୁ କଂଗ୍ରେସ ନେତା ଉସୁକାଇଥିବା ଅଭିଯୋଗ କରିଛି ଦଳ ।