
ABOUT OUR CHANNEL: Welcome to Odia Tech Bulletin! We bring you the daily Top 30 news stories, covering everything from national and international events to business, technology, job alerts, and sports. Our goal is to keep you informed in a single article. Subscribe for your daily, reliable, and unbiased news update! #OdiaNews #OdiaTechBulletin #OdishaNewsToday #NijuktiKhabar
1.
ଏଆଇ ପାଇଁ ମେଟାର ମେଗା ଯୋଜନା: ଖର୍ଚ୍ଚ ହେବ ୭୨ ବିଲିୟନ ଡଲାର
ଫେସବୁକର ମୂଳ କମ୍ପାନୀ ମେଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ନିଜକୁ ଆଗୁଆ ରଖିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। କମ୍ପାନୀ ଘୋଷଣା କରିଛି ଯେ ୨୦୨୫ ସୁଦ୍ଧା ଏଆଇ ଭିତ୍ତିଭୂମି, ଯେପରିକି ଡାଟା ସେଣ୍ଟର ଏବଂ ସର୍ଭର ପାଇଁ ୬୬-୭୨ ବିଲିୟନ ଡଲାର ଖର୍ଚ୍ଚ କରିବ| ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ। ଏହି ଟଙ୍କାରେ ମେଟା ବିଶାଳ ଡାଟା ସେଣ୍ଟର ତିଆରି କରିବ। ଏହା ସହିତ କମ୍ପାନୀ ଦକ୍ଷ ଏଆଇ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ତେବେ ଏହି ବୃହତ ପ୍ରକଳ୍ପଗୁଡ଼ିକ ବହୁତ ବିଦ୍ୟୁତ ଶକ୍ତି ବ୍ୟବହାର କରୁଥିବାରୁ ପରିବେଶ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ ପାଇଛି। କମ୍ପାନୀର ଆୟ ବଢ଼ିଥିବାରୁ ଏବଂ ଶେୟାର ମୂଲ୍ୟ ୧୦% ବୃଦ୍ଧି ପାଇଥିବାରୁ ନିବେଶକମାନେ ଖୁସି ଅଛନ୍ତି।
…….
2.
ଆଜିଠୁ ୟୁପିଆଇରେ ଲାଗୁ ହେବ ନୂଆ ନିୟମ
ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଅଗଷ୍ଟ ୧ରୁ ୟୁପିଆଇ (ୟୁପିଆଇ) ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣୁଛି। ଗୁଗଲ ପେ, ଫୋନ୍ପେ, ପେଟିଏମ୍ ପରି ଆପ୍ଗୁଡ଼ିକ ଉପରେ ବ୍ୟସ୍ତ ସମୟରେ ଅଧିକ ଚାପ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମୁଖ୍ୟ ପରିବର୍ତ୍ତନଗୁଡ଼ିକ ହେଲା: ଆପଣ ଗୋଟିଏ ଦିନରେ କେବଳ ୫୦ ଥର ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିପାରିବେ। ଇଏମଆଇ ବା ଏସଆଇପି ଭଳି ଅଟୋ-ପେମେଣ୍ଟଗୁଡିକ କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ କାର୍ଯ୍ୟକାରୀ ହେବ, ଯେପରିକି ସକାଳ ୧୦ଟା ପୂର୍ବରୁ କିମ୍ବା ରାତି ୯:୩୦ ପରେ। ଟଙ୍କା ପଠାଇବା ପୂର୍ବରୁ ଆପଣ ଗ୍ରହୀତାଙ୍କ ପଞ୍ଜୀକୃତ ନାମ ଦେଖିପାରିବେ, ଯାହା ଦ୍ୱାରା ଭୁଲ ହେବାର ଆଶଙ୍କା କମିବ। ଏବଂ ଶେଷଟି ହେଲା, ଏବେ ‘ପେଣ୍ଡିଂ’ ବଦଳରେ ଟ୍ରାଞ୍ଜାକସନର ସଠିକ ସ୍ଥିତି ତୁରନ୍ତ ଜଣାପଡ଼ିବ।
…..
3.
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଲା
ଆମେରିକାରେ ଅଶୋଧିତ ତେଲ ଭଣ୍ଡାର ବୃଦ୍ଧି ପାଇବାରୁ ଆଜି ବିଶ୍ୱ ବଜାରରେ ତୈଳ ଦର କମିଛି। କମ୍ ରପ୍ତାନି ଯୋଗୁଁ ଆମେରିକାରେ ତେଲ ମହଜୁଦ ବଢ଼ିଯାଇଛି, ଯାହାର ପ୍ରଭାବ ସିଧାସଳଖ ଦର ଉପରେ ପଡ଼ିଛି। ଶେଷ ରିପୋର୍ଟ ଅନୁଯାୟୀ, ବ୍ରେଣ୍ଟ କ୍ରୁଡ୍ ତେଲର ମୂଲ୍ୟ ବ୍ୟାରେଲ ପିଛା ୭୨.୮୬ ଡଲାରକୁ ଖସି ଆସିଥିବା ବେଳେ ଡବ୍ଲ୍ୟୁଟିଆଇ କ୍ରୁଡ୍ ଦର ୬୯.୬୭ ଡଲାରରେ ପହଞ୍ଚିଛି। ଆମେରିକାର ଶକ୍ତି ସୂଚନା ପ୍ରଶାସନର ତଥ୍ୟ ଅନୁସାରେ, ଗତ ସପ୍ତାହରେ ତୈଳ ଭଣ୍ଡାରରେ ୭.୭ ମିଲିୟନ ବ୍ୟାରେଲ ବୃଦ୍ଧି ଘଟିଛି। ଏହା ଫଳରେ ମୋଟ ଭଣ୍ଡାର ପରିମାଣ ୪୨୭ ମିଲିୟନ ବ୍ୟାରେଲରେ ପହଞ୍ଚିଛି। ବଜାରରେ ଅଧିକ ତେଲ ଉପଲବ୍ଧ ଥିବାରୁ ଏହାର ଦାମ୍ କମିଥିବା କୁହାଯାଉଛି।
……
4.
ଟ୍ରମ୍ପଙ୍କ ପାକ୍ ପ୍ରେମ ପରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
ପାକିସ୍ତାନ ସହ ଟ୍ରମ୍ପ ତୈଳ ଚୁକ୍ତି କରିବା ପରେ ଭାରତର ଅର୍ଥନୀତିକୁ ସମାଲୋଚନା କରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ମୋଦି ହତ୍ୟା କରିଛନ୍ତି । ଏଥିପାଇଁ ଆଦାନୀ-ମୋଦି ଭାଗିଦାରୀତା,ବିମୁଦ୍ରୀକରଣ, ତ୍ରୁଟିପୂର୍ଣ୍ଣ ଜିଏସଟି, ଏମଏସଏମଇର ମୂଳପୋଛ, ଚାଷୀଙ୍କୁ ଦଳିଦେବା ଦାୟୀ ମୋଦି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି । ସେମାନଙ୍କ ପାଇଁ ଆଉ ଚାକିରି ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ସମସ୍ତେ ଜାଣନ୍ତି ଭାରତର ଅର୍ଥନୀତି ମୃତ । ଏବେ ଆମେରିକା ରାଷ୍ଟ୍ରପତି ସତ୍ୟ କହିଛନ୍ତି ବୋଲି ରାହୁଲ କହିଛନ୍ତି ।
……
5.
ଆଇସିସି କମିଟି ଗଠନ ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ
ରାଜ୍ୟର ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗାମୀ ଏକ ମାସ ମଧ୍ୟରେ କଲେଜ ଗୁଡ଼ିକରେ ଆଇସିସି କମିଟି ଗଠନ ପ୍ରକିୟା ଶେଷ ହେବ । ରାଜ୍ୟ ସରକାର ଏହି ଲକ୍ଷ୍ୟ ରଖିଛନ୍ତି । ଏହାକୁ ଅମାନ୍ୟ କରୁଥିବା କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ କରି ଦିଆଯିବ । ଆସନ୍ତା ଦିନରେ ପୋସ୍ ଆଇନ ସମ୍ପର୍କରେ ଲୋକସେବା ଭବନରୁ ଆରମ୍ଭ ହୋଇଥିବା ସଚେତନ କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ମଧ୍ୟ ହେବ । ଯେଉଁମାନେ ଭୁଲ ଅଭିଯୋଗ ଆଣୁଛନ୍ତି, ପୋସ୍ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇସିସି କମିଟି ଗଠନ କରାଗଲେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି । ଏଫଏମ୍ କଲେଜ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
……
6.
ଏଲନ ମସ୍କଙ୍କ କମ୍ପାନି ଟେସଲା ଦିଲ୍ଲୀରେ ଖୋଲିବ ଦ୍ୱିତୀୟ ସୋ-ରୁମ୍
ଅରବପତି ଏଲନ ମସ୍କଙ୍କ କମ୍ପାନି ଟେସଲା କିଛି ଦିନ ପୂର୍ବେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଟେସଲା କାର୍ ସୋ-ରୁମ ଖୋଲିଥିଲା । ଭାରତ ବଜାରରେ ଉପସ୍ଥିତିକୁ ବ୍ୟାପକ କରିବାକୁ ମସ୍କ ଯୋଜନା କରିଥିବା ସେତେବେଳେ ସୂଚନା ଦେଇଥିଲେ । ଏବେ ଭାରତରେ କମ୍ପାନି ଦ୍ୱିତୀୟ ସୋ-ରୁମ ଖୋଲିବାକୁ ଯାଉଛି । ରାଜଧାନୀ ଦିଲ୍ଲୀର ଏରୋସିଟିରେ ଦ୍ୱିତୀୟ ଡିଲରସିପ ଖୋଲିବ କମ୍ପାନି । ସୋ-ରୁମର କାମ ଶେଷ ହୋଇଯାଇଛି । ଚଳିତ ଅଗଷ୍ଟ ମାସରେ ଏହାର ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି । ଟେସଲା ବର୍ତ୍ତମାନ ଭାରତରେ କାରର ମଡେଲ ୱାଇକୁ ଦୁଇଟି ଭାରିଆଣ୍ଟରେ ବିକ୍ରି କରୁଛି । ଏହାର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୫୯ ଲକ୍ଷ ୮୯ ହଜାର ଟଙ୍କାରୁ ଆରମ୍ଭ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୦୧ କିଲୋମିଟର ।
……
7.
ପ୍ରଥମ ଥର ଆଣ୍ଡାମାନ-ନିକୋବର ଦ୍ୱୀପରେ ଚଢ଼ାଉ କଲା ଇଡି
ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି ତାର କାର୍ଯ୍ୟାନୁଷ୍ଠାନ କରିଛି । କିନ୍ତୁ ଆଣ୍ଡାମାନ-ନିକୋବର ଦ୍ୱୀପରେ ଇଡି ଅଧିକାରୀଙ୍କ ପାଦ କେବେ ପଡ଼ି ନଥିଲା । ଗୁରୁବାର ପ୍ରଥମ ଥର ପାଇଁ ଇଡି ପକ୍ଷରୁ ଏକ ମାମଲାରେ ଏହି ଦ୍ୱୀପରେ ଚଢ଼ାଉ କରାଯାଇଛି । ଆଣ୍ଡାମାନ-ନିକୋବର ରାଜ୍ୟ ସମବାୟ ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢ଼ାଉ ହୋଇଛି । କୋଲକାତାର ଦୁଇଟି ସ୍ଥାନ ଓ ପୋର୍ଟବ୍ଲେୟାର ସମେତ ୯ଟି ସ୍ଥାନରେ ଏହି ତଲାସୀ କରାଯାଇଛି । ୨୦୦ କୋଟି ଟଙ୍କାର ଏହି ଠକେଇରେ ଆଣ୍ଡାମାନର ପୂର୍ବତନ ସାଂସଦ କୁଲଦୀପ ରାୟ ଶର୍ମା ଜଡ଼ିତ ଥିବା ଇଡି ପକ୍ଷରୁ କୁହାଯାଇଛି ।
…
8.
ଭାରତକୁ ଆଉ ଏକ ଝଟକା ଦେଲା ଆମେରିକା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଦେଇଛନ୍ତି ଆଉ ଏକ ଶକ୍ତ ଝଟ୍କା । ଭାରତର ୬ ପେଟ୍ରୋଲିୟମ କମ୍ପାନୀ ଉପରେ ଲଗାଇଛନ୍ତି କଟକଣା । ଇରାନଠାରୁ ନିଷିଦ୍ଧ ରସାୟନିକ ଏବଂ ପେଟ୍ରୋକେମିକାଲ ଉତ୍ପାଦ କ୍ରୟ କରିବାରୁ ଆମେରିକା ନେଇଛି ଏଭଳି କଠୋର ନିଷ୍ପତ୍ତି । କେବଳ ଭାରତୀୟ କମ୍ପାନୀ ନୁହେଁ ଚୀନର ୭ଟି, ୟୁଏଇର ୬, ହଂକଂର ୩, ତୁର୍କୀ ଏବଂ ରୁଷର ଗୋଟିଏ ଲେଖାଏ କମ୍ପାନୀ ଉପରେ ମଧ୍ୟ ହୋଇଛି ଟ୍ରମ୍ପ ପ୍ରହାର । ଏହି କମ୍ପାନୀ ଗୁଡ଼ିକ ୨୦୨୪ରେ ଇରାନଠାରୁ ୧୦୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଉତ୍ପାଦ ୟୁଏଇ ରାସ୍ତା ଦେଇ କ୍ରୟ କରିଥିଲେ । ଏହି ଅର୍ଥକୁ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମରେ ବିନିଯୋଗ କରୁଛି । ସେଥିପାଇଁ ଏହି କଟକଣା ଲଗାଯାଇଛି ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
…..
9.
ମାଲେଗାଓଁ ବିସ୍ଫୋରଣ; ସାଧ୍ୱୀଙ୍କ ସମେତ ୭ ଅଭିଯୁକ୍ତ ନିଦେ୍ର୍ଦାଷ
ବହୁଚର୍ଚ୍ଚିତ ୨୦୦୮ ସେପ୍ଟେମ୍ବର ୨୯ ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାର ଆସିଛି ବଡ଼ ରାୟ । ପୂର୍ବତନ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ୭ ମୁଖ୍ୟ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଷରେ ମୁକ୍ତ କରିଛନ୍ତି ଏନଆଇଏ ସ୍ୱତନ୍ତ୍ର କୋର୍ଟ । ଏହି ବିସ୍ଫୋରଣରେ ୬ଜଣଙ୍କ ଜୀବନ ଯାଇଥିଲା । ଶତାଧିକ ଆହତ ହୋଇଥିଲେ । ମାମଲାରେ ଯାଞ୍ଚ ଏଜେନ୍ସି ଅଭିଯୋଗକୁ ସାବ୍ୟସ୍ତ କରିବାରେ ବିଫଳ ହୋଇଥିଲା । ତେଣୁ ବିଚାରପତି ଏ.କେ. ଲାହୋଟି ସମସ୍ତ ଅଭିଯୁକ୍ତଙ୍କୁ ଏହି ଆଧାରରେ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ପ୍ରଥମେ ମହାରାଷ୍ଟ୍ର ଏଟିଏସ୍ ମାମଲାର ତଦନ୍ତ କରିଥିଲା । ପରେ ୨୦୧୧ରେ ତଦନ୍ତ ଭାର ଏନଆଇଏ ହାତକୁ ଯାଇଥିଲା । ବିସ୍ଫୋରଣରେ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଲେଖାଏ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏ ଦେବାକୁ ଏନଆଇଏ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
…
10.
ଭାରତର ଶତ୍ରୁ ରାଷ୍ଟ୍ର ସହ ଟ୍ରମ୍ପଙ୍କ ପ୍ରୀତି; ପାକିସ୍ତାନ ସହ କଲେ ତୈଳ ଚୁକ୍ତି
ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଦେଇଚାଲିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ପରମଶତ୍ରୁ ରାଷ୍ଟ୍ର ସହ ବଢ଼ାଇଛନ୍ତି ଭାବ । ନୂଆଦିଲ୍ଲୀ ଉପରେ ୨୫ ପ୍ରତିଶତ ଶୁଳ୍କ ପ୍ରହାର ଲଗାଇବା ପରେ ଏବେ ପାକିସ୍ତାନ ସହ କରିଛନ୍ତି ତୈଳ ଚୁକ୍ତି । ଇସଲାମାବାଦର ତୈଳ ଭଣ୍ଡାରର ବିକାଶ କରିବ ଆମେରିକା । ଭବିଷ୍ୟତରେ ପାକିସ୍ତାନ ହିଁ ଭାରତକୁ ତୈଳ ବିକିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଟ୍ରମ୍ପ । ଭାରତ ଉପରେ ଶୁଳ୍କ ଲଗାଇବାର କିଛି ଘଣ୍ଟା ପରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଟ୍ରମ୍ପଙ୍କ ଭାରତ ବିରୋଧୀ ଆଭିମୁଖ୍ୟ । ଏକଦା ଟ୍ରମ୍ପଙ୍କୁ ନିଜର ପରମ ମିତ୍ର କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବନ୍ଧୁତାର ଫଳ ଭୋଗୁଥିବା କୁହାଯାଉଛି । ଏବେ ଆମେରିକା ପ୍ରତି ଭାରତ କେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଦେଖିବାକୁ ବିଶ୍ୱବାସୀ ଚାହିଁ ରହିଛନ୍ତି ।
…..
11.
ଏକ ଦେଶ ଏକ ନିର୍ବାଚନ ଦ୍ୱାରା ଜିଡିପି ବଢ଼ିପାରେ ୧.୫ ପ୍ରତିଶତ
ଯଦି ‘ଏକ ଦେଶ ଏକ ନିର୍ବାଚନ’ ହୁଏ ତେବେ ଦେଶର ମୋଟ୍ ଘରୋଇ ଉତ୍ପାଦ ତଥା ଜିଡିପି ୧.୫ ପ୍ରତିଶତ ବଢ଼ିପାରେ । ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗେ ହେଲେ ଭାରତକୁ ଏହି ଆର୍ଥିକ ଲାଭ ମିଳିବ । ୨୦୨୩-୨୪ର ତଥ୍ୟ ହିସାବରେ ଜିଡିପିରେ ଏହି ବୃଦ୍ଧି ୪.୫ ଲକ୍ଷ କୋଟି ଟଙ୍କାର ହେବ । ତେବେ ନିର୍ବାଚନ ପରେ ଅଧିକ ଖର୍ଚ୍ଚ ହେଲେ ରାଜସ୍ୱ କ୍ଷତି ପ୍ରାୟ ୧.୩ ପ୍ରତିଶତ ବଢ଼ିପାରେ । ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବସିଥିବା ଯୁଗ୍ମ ସଂସଦୀୟ କମିଟି ତଥା ଜେପିସିର ୬ଷ୍ଠ ବୈଠକରେ ଉପସ୍ଥିତ ହୋଇ ବିଶେଷଜ୍ଞ ଏହି ମତ ରଖିଛନ୍ତି । ୧୫ତମ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ. ସିଂ ଏବଂ ଅର୍ଥନୀତି ପ୍ରଫେସର ଡ. ପ୍ରାଚୀ ମିଶ୍ରା ଜେପିସିକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ବାରମ୍ବାର ନିର୍ବାଚନ ହେଲେ ଅର୍ଥନୀତି ଉପରେ ର ଖରାପ ପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
…
12.
ମ୍ୟାଁମାରରେ ଏମର୍ଜେନ୍ସି ପ୍ରତ୍ୟାହାର ଘୋଷଣା, ଡିସେମ୍ବରରେ ହେବ ନିର୍ବାଚନ
ଦୀର୍ଘ ୪ ବର୍ଷ ପରେ ମ୍ୟାଁମାରରେ ଏମର୍ଜେନ୍ସିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦେଶର ସାମରିକ ସରକାର ଏହା ଘୋଷଣା କରିଛି । ଆଗାମୀ ଡିସେମ୍ବର ସୁଦ୍ଧା ଦେଶରେ ନିର୍ବାଚନ ପାଇଁ ସ୍ଥିର କରାଯାଇଛି । ତେବେ ଅଧିକାଂଶ ବିରୋଧୀ ଦଳ ଏହି ନିର୍ବାଚନକୁ ବର୍ଜନ କରିବାକୁ ଯୋଜନା କରିଛନ୍ତି । ଯଦି ଏହା ହୁଏ ତେବେ ଦେଶରେ ସାମରିକ ଶାସନର ଅବଧି ପୁଣି ବଢ଼ିବା ଆଶଙ୍କା ରହିଛି । ୨୦୨୧ ଫେବ୍ରୁଆରୀରେ ଦେଶରେ ଏମର୍ଜେନ୍ସି ଜାରି କରାଯାଇଥିଲା । ୨୦୨୦ ସାଧାରଣ ନିର୍ବାଚନରେ ବ୍ୟାପକ ଜାଲସାଜି ହୋଇଥିବା ଅଭିଯୋଗ ଆସିଥିଲା । ଏହା ପରେ ଅଙ୍ଗ ସାନ ସୁ କୀ ଙ୍କ ନିର୍ବାଚିତ ସରକାରକୁ ସେନା ବରଖାସ୍ତ କରି କ୍ଷମତା ଅକ୍ତିଆର କରିଥିଲା । ତେବେ ନିର୍ବାଚନ ଠକେଇ ସମ୍ପର୍କରେ କୌଣସି ପ୍ରମାଣ ମିଳିପାରିନଥିଲା ।
….
13.
ଆମେରିକାର ଲଢ଼ୁଆ ବିମାନ ଦୁର୍ଘଟଣାଗସ୍ତ
ଆମେରିକା ନୌସେନାର ଏକ ଲଢ଼ୁଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ କାଲିଫର୍ନିଆର ନାଭାଲ ଏୟାର ଷ୍ଟେସନ ଲେମୁର ନିକଟରେ ଏଫ୍-୩୫ ଯୁଦ୍ଧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସୌଭାଗ୍ୟବଶତଃ ପାଇଲଟ୍ ବର୍ତ୍ତିଯାଇଛନ୍ତି । ଠିକ୍ ସମୟରେ ସେ ବିମାନରୁ ବାହାରକୁ ବାହାରିଯିବାରେ ସଫଳ ହୋଇଥିଲେ । ସ୍ଥାନୀୟ ସମୟ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଆମେରିକାର ନୌସେନା ରିପୋର୍ଟ ଅନୁଯାୟୀ,ଏହି ବିମାନ ଷ୍ଟ୍ରାଇକ ଫାଇଟର୍ ସ୍କ୍ୱାଡ୍ରନ ଭିଏଫ୍-୧୨୫କୁ ନ୍ୟସ୍ତ କରାଯାଇଥିଲା । ଯାହା ‘ରଫ୍ ରେଡର୍ସ’ ଭାବେ ଜଣାଶୁଣା ଥିଲା । ବିମାନର ମୂଲ୍ୟ ୧୦୦ ମିଲିୟନ ଡଲାର । ଯାହାକି ଭାରତୀୟ ମୁଦ୍ରାରେ ୮୭୫ କୋଟି ଟଙ୍କା ହେବ ।
…
14.
ରେକର୍ଡ କ୍ରମାଗତ ୧୫ ଥର ଲାଗି ଟସ୍ ହାରିଲା ଭାରତ
ଭ୍ରମଣକାରୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ନିର୍ଣ୍ଣାୟକ ୫ମ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଆରମ୍ଭ ହୋଇଛି । ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଟସ୍ ହାରିଥିଲେ । ପ୍ରତିପକ୍ଷ କାମଚଳା ଅଧିନାୟକ ଓଲି ପୋପ୍ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏଥିସହ ଭାରତ କ୍ରମାଗତ ୧୫ଟି ଅନ୍ତର୍ଜାତୀୟ ମ୍ୟାଚରେ ଟସ୍ ହାରିବାର ଅଲୋଡ଼ା କୀର୍ତ୍ତିମାନ କରିଛି । ଯେଉଁଥିରେ ଦୁଇଟି ଟି-୨୦, ୮ଟି ଦିନିକିଆ ଓ ୫ଟି ଟେଷ୍ଟ ସାମିଲ । ସେହିଭଳି ଗିଲ୍ ମଧ୍ୟ ଏହି ସିରିଜରେ ସମସ୍ତ ୫ଟି ଯାକ ମ୍ୟାଚ୍ରେ ଟସ୍ ଜିତିପାରି ନାହାନ୍ତି । ଫଳରେ ସେ ନେତୃତ୍ୱରେ ପଦାର୍ପଣ କରିଥିବା ସିରିଜରେ ଟସ୍ ଜିତି ନ ପାରିବା ଅବସୋସ ରହିଯାଇଛି । ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଶେଷଥର ଲାଗି ଜାନୁଆରୀରେ ଏକ ଅନ୍ତର୍ଜାତୀୟ ମ୍ୟାଚରେ ଟସ୍ ଜିତିଥିଲା । ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ଅଧିନାୟକ ଥିଲେ ।
…
15.
ବମ୍ବେ ହାଇକୋର୍ଟଙ୍କ କ୍ଷୋଭ, ପାରାଙ୍କୁ ଦାନା ଦେବା ଉପଦ୍ରବ ସହ ସମାନ
ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଲୋକମାନେ ପାରାଙ୍କୁ ଦାନା ଦେବା ଦୃଶ୍ୟ ଦେଖିବାକୁ ମିଳେ । ଅନେକ ଏହାକୁ ଧର୍ମ କହୁଥିବା ବେଳେ କେହି କେହି ପକ୍ଷୀଙ୍କ ସେବା କୁହନ୍ତି । କିନ୍ତୁ ବମ୍ବେ ହାଇକୋର୍ଟ ଏ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି । ପାରାଙ୍କୁ ଦାନା ଦେବା ଉପଦ୍ରବ ସୃଷ୍ଟି କରିବା ସହ ସମାନ । ଏହା ଏକ ଅସ୍ୱାସ୍ଥ୍ୟକର କାମ । ଜଷ୍ଟିସ୍ ଜି.ଏସ. କୁଲକର୍ଣ୍ଣି ଏବଂ ଜଷ୍ଟିସ ଆରିଫ ଡାକ୍ତରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି । ପଶୁପ୍ରେମୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି ଖଣ୍ଡପୀଠ । ପାରାଙ୍କୁ ଦାନା ଦେଉଥିବା ଲୋକଙ୍କ ବିରୋଧରେ ମାମଲା କରିବାକୁ ମୁମ୍ବାଇ ନଗର ନିଗମ ତଥା ବିଏମସିକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କବୁତରଖାନାକୁ ଭାଙ୍ଗିବାକୁ କୋର୍ଟ ଅନୁମତି ଦେଇ ନଥିଲେ ମଧ୍ୟ ସେମାନଙ୍କୁ ଠୁଳ କରି ଦାନା ଦେବା ଉପରେ କଟକଣା କରିଛନ୍ତି ।
…
16.
କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ସମବାୟ ବିକାଶ ନିଗମ ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି
ଜାତୀୟ ସମବାୟ ବିକାଶ ନିଗମର ବଜେଟ ୨ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ୧୩ଟି ଜିଲ୍ଲାକୁ କଭର କରୁଥିବା ୪ଟି ମଲଟି ଟ୍ରାକିଙ୍ଗ ପ୍ରକଳ୍ପକୁ ମଂଜୁରି ମିଳିଛି । ଏହାଦ୍ୱାରା ଭାରତୀୟ ରେଳପଥର ନେଟୱର୍କ ପ୍ରାୟ ୫୭୪ କିମି ବୃଦ୍ଧି ପାଇବ । ଏଥିପାଇଁ ଖର୍ଚ୍ଚ ହେବ ୧୧ ହଜାର ୧୬୮ କୋଟି ଟଙ୍କା । ପ୍ରଧାନମନ୍ତ୍ରୀ କୃଷି ସମ୍ପଦା ଯୋଜନାକୁ ମଧ୍ୟ ୬ ହଜାର ୫୨୦ କୋଟି ଟଙ୍କା ଦିଆଯିବ ।
…
17.
ଟ୍ରମ୍ପଙ୍କ ବୟାନ ପରେ ସଂସଦରେ ହଙ୍ଗାମା, ବିହାର ଏସଆଇଆରକୁ ନେଇ ମଧ୍ୟ ହଟ୍ଟଗୋଳ
ଭାରତୀୟ ଅର୍ଥନୀତିକୁ ଟ୍ରମ୍ପ ‘ମୃତ ଅର୍ଥନୀତି’ କହିବା ପରେ ଗୁରୁବାର ସଂସଦରେ ପ୍ରବଳ ହଙ୍ଗାମା ହୋଇଛି । ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିତ୍ରତା ଭାରତକୁ ମହଙ୍ଗା ପଡ଼ିଲା ବୋଲି ବିରୋଧୀ ଦଳ କହିଥିଲେ । ଟ୍ରମ୍ପଙ୍କ ନିଷ୍ପତ୍ତି ଦୁଇ ଦେଶର ବାଣିଜ୍ୟ ସମ୍ପର୍କକୁ ଧୂଳିସାତ କରିଦେବ ବୋଲି ଦଳମତ ନିର୍ବିଶେଷରେ ସମସ୍ତେ କହିଥିଲେ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ସଂସଦର ଉଭୟଗୃହ ଗୁରୁବାର ୩ ଥର ମୁଲତବୀ ରହିଥିଲା । ଅପରପକ୍ଷରେ ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଏସଆଇଆରକୁ ନେଇ ମଧ୍ୟ ସଂସଦରେ ହଟ୍ଟଗୋଳ ହୋଇଥିଲା । ସଂସଦର ମକର ଦ୍ୱାରରେ ବିରୋଧୀମାନେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା ।
…
18.
ସୁଭଦ୍ରାରୁ ବାଦ୍ ପଡ଼ିଥିବା ୨ଲକ୍ଷ ହିତାଧିକାରୀ ପୁଣି ଆବେଦନ କରିବା ଆବଶ୍ୟକ ନାହିଁ
ଆସନ୍ତା ଅଗଷ୍ଟ ୯ ତାରିଖରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ସହାୟତା ବଣ୍ଟନ କରାଯିବ । ଏହି ତାଲିକାରୁ ୨ ଲକ୍ଷ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ କାରଣରୁ ବାଦ୍ ଦିଆଯାଇଛି । ତେବେ ଏମାନେ ପୁଣି ଆବେଦନ କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ହିତାଧିକାରୀମାନେ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ରହିଛି । ସେଗୁଡ଼ିକୁ ସମୀକ୍ଷା କରାଯାଉଛି । ଯେଉଁମାନେ ଯୋଗ୍ୟ ହେବେ ସେମାନଙ୍କୁ ତାଲିକାରେ ସାମିଲ କରିଦିଆଯିବ ବୋଲି ସେ କହିଛନ୍ତି ।
…
19.
ଏନଡିଏ ସହ ସମ୍ପର୍କ ତୁଟାଇଲେ ତାମିଲନାଡ଼ୁର ପନିରସେଲଭମ୍
ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ ପନିରସେଲଭମଙ୍କ ନେତୃତ୍ୱାଧୀନ ଏଆଇଡିଏମକେ ଏନଡିଏ ହାତ ଛାଡ଼ିଛି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗୁରୁବାର ସକାଳେ ପ୍ରାତଃଭ୍ରମଣ ସମୟରେ ପନିରସେଲଭମଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ପନିରସଲେଭମଙ୍କ ଦଳର ଏସ.ରାମଚନ୍ଦ୍ରନ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ନିଷ୍ପତ୍ତି ଜଣାଇଥିଲେ । ତେବେ ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅଛି । କେଉଁ ଦଳ ସହ ନିର୍ବାଚନୀ ମେଣ୍ଟ କରାଯିବ ଏହା ତା’ ପୂର୍ବରୁ ଘୋଷଣା କରାଯିବ ବୋଲି ରାମଚନ୍ଦ୍ରନ କହିଛନ୍ତି । ନିକଟରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ଗସ୍ତରେ ଆସିଥିଲେ । ସେ ସମୟରେ ତାଙ୍କୁ ଭେଟିବାକୁ ପନିରସଲଭମ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା । ତେଣୁ ସେ କ୍ଷୁବ୍ଧ ହୋଇ ଏନଡିଏ ଛାଡ଼ିଥିବା କୁହାଯାଉଛି ।
…
20.
ସେପ୍ଟେମ୍ବର ୧୭ରେ ମୋଦିଙ୍କ ଜନ୍ମ ଦିନ, ରାଜ୍ୟରେ ଲାଗିବ ୭୫ ଲକ୍ଷ ଗଛ
ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ।ଏହି ଦିନ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରାଯିବ । ଏହା ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ଉପହାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ବର୍ଷ ଜନ୍ମ ଦିନରେ ଓଡ଼ିଶା ଆସି ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଏକ ପେଡ୍ ମା କେ ନାମ ଅଭିଯାନରେ ଚଳିତ ବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସାଢ଼େ ୭ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଗତବର୍ଷ ଏହି ଅଭିଯାନରେ ରାଜ୍ୟ ୬.୭୨ କୋଟି ଚାରା ରୋପଣ କରି ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା ।
…
21.
୧୭ ବର୍ଷରୁ କମ୍ କୁସ୍ତି ବିଶ୍ୱ ଚାମ୍ପିଅନସିପ୍ ଫାଇନାଲରେ ୪ ଭାରତୀୟ
ଗ୍ରୀସର ଏଥେନ୍ସଠାରେ ଚାଲିଛି ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିଅନସିପ୍ । ଏହାର ଫାଇନାଲରେ ଭାରତର ୪ ଜଣ ବାଳିକା କୁସ୍ତିଯୋଦ୍ଧା ପହଞ୍ଚିଛନ୍ତି । ପଦକ ପକ୍କା କରିଥିବା ଏହି ଚାରି ଖେଳାଳି ହେଲେ ରଚନା, ମୋନି, ଅଶ୍ୱିନୀ ବିଷ୍ଣୋଇ ଏବଂ କାଜଲ । ରଚନା ୪୩ କିଲୋ ବର୍ଗରେ, ମୋନି ୫୭ କିଲୋ ବର୍ଗରେ, ଅଶ୍ୱିନୀ ୬୫ କିଲୋ ବର୍ଗରେ ଏବଂ ୭୩ କିଲୋ ବର୍ଗରେ କାଜଲ ଖେଳୁଛନ୍ତି ।
…
22.
ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ଆବେଦନ କରିଛନ୍ତି ୧ କୋଟି ୯ ଲକ୍ଷ
ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବେଶ୍ ପ୍ରଶଂସାର କାରଣ ହୋଇଛି । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରସିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ କିସ୍ତି ପାଇଛନ୍ତି ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ହିତାଧିକାରୀ । ଦ୍ୱିତୀୟ କିସ୍ତି ପାଇଛନ୍ତି ୧ କୋଟି ୯୬ ହଜାର ୩୦୭ ଜଣ । ବିଭିନ୍ନ କାରଣରୁ ୫ ଲକ୍ଷ ୮୨ ହଜାର ୮ଶହ ଜଣ ଯୋଜନାରୁ ବାଦ୍ ପଡ଼ିଛନ୍ତି । ୨୧ ବର୍ଷରୁ କମ୍, ୬୦ ବର୍ଷରୁ ଅଧିକ, ୪ ଚକିଆ ଯାନ ଥିବାରୁ, ସରକାରୀ ଚାକିରି କରିଥିବା କିମ୍ବା ପେନସନ ପାଉଥିବା ପରିବାର, ଏହିପରି ୧୫ଟି ଭିନ୍ନ ଭିନ୍ନ କାରଣରୁ ଏମାନେ ବାଦ୍ ପଡ଼ିଛନ୍ତି । ଇତି ମଧ୍ୟରେ ୬୦ ବର୍ଷ ହୋଇଯାଇଥିବାରୁୁ ୯୩ ହଜାର ୭୯୨ ଜଣଙ୍କୁ ଏହି ତାଲିକାରୁ ବାଦ୍ ଦେଇ ପେନସନ ତାଲିକାରେ ସାମିଲ କରାଯାଇଥିବା ସରକାର କହିଛନ୍ତି ।
…
23.
ରାଜପଥରେ ଅଚାନକ ବ୍ରେକ ମାରିବା ସମ୍ପୂର୍ଣ୍ଣ ଦାୟିତ୍ୱହୀନତା, ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ
କୌଣସି ଗାଡ଼ି ଚାଳକ ଅଚାନକ ବ୍ରେକ୍ ମାରିବା ଅନୁଚିତ । ଡ୍ରାଇଭର ପ୍ରଥମେ ଏଥିପାଇଁ ଆବଶ୍ୟକ ସଙ୍କେତ ଦେବା ଆବଶ୍ୟକ । ବିନା ସଙ୍କେତରେ କେହି ଅଟକିଲେ, ଯଦି ଦୁର୍ଘଟଣା ଘଟେ ସେଥିପାଇଁ ସେ ହିଁ ଦାୟୀ ରହିବେ । ଏହା ସମ୍ପୂର୍ଣ୍ଣ ଭାବେ ଦାୟିତ୍ୱହୀନତା । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ତାମିଲନାଡ଼ୁର କୋଏମ୍ବାଟୁରରେ ଘଟିଥିବା ଏକ ଦୁର୍ଘଟଣା ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ସୁଧାଂଶୁ ଧୁଳିଆ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ନେଇ ଗଠି ଖଣ୍ଡପୀଠ । ଏକ କାର୍ ରାଜପଥରେ ଅଚାନକ ବ୍ରେକ ମାରିବାରୁ ପଛରେ ଆସୁଥିବା ବାଇକ୍ କାର୍ ସହ ଧକ୍କା ହୋଇଥିଲା । କାରରେ ଥିବା ପତ୍ନୀଙ୍କ ଦେହ ଖରାପ ହେବାରୁ ଗାଡ଼ିକୁ ବ୍ରେକ ମାରିଥିବା ଡ୍ରାଇଭର ସଫେଇ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି ।
…
24.
ଆଗକୁ ରାଜ୍ୟରେ କମିବ ବର୍ଷା, ଚାଷୀଙ୍କୁ ହୋଇପାରେ ଅଡ଼ୁଆ
ଭାରତୀୟ ପାଣିପାଗ ବିଭାଗର ସୂଚନା । ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ । ଏବେ ଚାଷ ସମୟ । ଏବେବି ରାଜ୍ୟ ଉପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ରହିଛି । କିନ୍ତୁ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହାର ପ୍ରଭାବ ଶିଥିଳ ହୋଇଯାଇପାରେ । ତେଣୁ ବର୍ଷାର ପରିମାଣ ହ୍ରାସ ପାଇବ । ଯଦିଓ ଏହି ସମୟରେ ଚାଷ କାମ ପାଇଁ ଭଲ ବର୍ଷା ଆବଶ୍ୟକ । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ ବର୍ଷା ହେବ । ଆଜି କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ ।
…
25.
ଆଣ୍ଟି ରାଗିଂ ନିୟମ ମାନୁନାହାନ୍ତି ବିଶ୍ୱବିଦ୍ୟାଳୟ, ୟୁଜିସି ପଠାଇଲା ନୋଟିସ
ଆଣ୍ଟି ରାଗିଂ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ୟୁଜିସି ନିଦେ୍ର୍ଦଶ ଦେଇଥିଲା । କିନ୍ତୁ ଅନେକ ଉଚ୍ଚଶିକ୍ଷାନୁଷ୍ଠାନ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ଦେଶର ୮୯ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସି ଏଥିପାଇଁ ନୋଟିସ ଜାରି କରିଛି । ଏହା ମଧ୍ୟରେ ଅଛି ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟ । ଏହି ଦୁଇଟି ଶିକ୍ଷାନୁଷ୍ଠାନ ହେଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ- ଭୀମସାର ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ -ଓୟୁଏଚ୍ଏସ୍ । ନିୟମାନୁସାରେ, ଛାତ୍ରଛାତ୍ରୀମାନେ ଆଣ୍ଟି ରାଗିଂ ଅଣ୍ଡରଟେକିଂ ଦାଖଲ କରିବା ବାଧ୍ୟତାମୂଳକ ରହିଛି । ଏପରିକି ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ଏ ନେଇ ଅଣ୍ଡରଟେକିଂ ଦାଖଲ କରିବା କଥା
….
26.
ଶେୟାର ବଜାରରେ ହ୍ରାସ, ସେନସେକ୍ସ ୨୯୬ ପଏଣ୍ଟ ତଳକୁ ଖସିଲା
ଗୁରୁବାର ଭାରତୀୟ ଶେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। କାରବାରର ଶେଷ ଅଧ ଘଣ୍ଟାରେ ହଠାତ୍ ବିକ୍ରି ଚାପ ବଢ଼ିବାରୁ ବଜାର ତଳକୁ ଖସିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ସେନସେକ୍ସ ୨୯୬ ପଏଣ୍ଟ ହ୍ରାସ ପାଇ ୮୧,୧୮୬ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି-୫୦ ମଧ୍ୟ ୮୭ ପଏଣ୍ଟ ଖସି ୨୪,୭୬୮ରେ ପହଞ୍ଚିଛି। ଏହା ସହିତ ମିଡ୍-କ୍ୟାପ୍ ଓ ସ୍ମଲ୍-କ୍ୟାପ୍ ସୂଚକାଙ୍କରେ ମଧ୍ୟ ହ୍ରାସ ଦେଖାଯାଇଛି। ସେନସେକ୍ସର ୩୦ଟି କମ୍ପାନୀ ମଧ୍ୟରୁ ୨୨ଟିର ଶେୟାର ମୂଲ୍ୟ କମିଛି। ଟାଟା ଷ୍ଟିଲ୍ ଓ ସନ୍ ଫାର୍ମାର ଶେୟାର ସବୁଠୁ ଅଧିକ କ୍ଷତି ସହିଥିବା ବେଳେ ହିନ୍ଦୁସ୍ଥାନ ୟୁନିଲିଭର ଏବଂ ଆଇଟିସିର ଶେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ଅଧିକାଂଶ ସେକ୍ଟରରେ ମାନ୍ଦାବସ୍ଥା ଦେଖାଯାଇଥିବା ବେଳେ କେବଳ ଏଫ୍ଏମ୍ସିଜି ସେକ୍ଟରରେ ସାମାନ୍ୟ ଲାଭ ଦେଖିବାକୁ ମିଳିଥିଲା।
…..
27.
ଆଜି ପ୍ରକାଶ ପାଇବ ବିଏଡ୍ ପ୍ରବେଶିକା ପରୀକ୍ଷା ଫଳ, ୮ରୁ ସିଟ୍ ଆବଣ୍ଟନ
ଶିକ୍ଷକ ଶିକ୍ଷା – ବିଏଡ୍, ଏମଏଡ୍, ହିନ୍ଦୀ ବିଏଡ୍ ନାମଲେଖା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳ ଆଜି ପ୍ରକାଶ ପାଇବ । ଆସନ୍ତା ୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସ୍କୋର ଅନୁସାରେ ଚଏସ୍ ଲକିଂ କରିବାକୁ ସୁଯୋଗ ମିଳିବ । ୮ ତାରିଖରୁ ପ୍ରୋଭିଜନାଲ ସିଟ୍ ଆବଣ୍ଟନ ଲିଷ୍ଟ ପ୍ରକାଶ କରାଯିବ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସିଟ ଆବଣ୍ଟନ କରାଯିବ । ଏମାନେ ୨୦ରୁ ୨୨ ତାରିଖ ମଧ୍ୟରେ ନାମ ଲେଖାଇବେ । ୨୬ ତାରିଖରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସିଟ ଆବଣ୍ଟନ ହେବ । ଏମାନେ ୨୯ ତାରିଖର ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ନାମ ଲେଖାଇବେ । ଏହାପରେ ବଳକା ସିଟରେ ସ୍ପଟ ନାମଲେଖା ହେବ । କିନ୍ତୁ ସେପ୍ଟେମ୍ବର ୨ ତାରିଖରୁ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।
…
28.
ଚାଷୀ ପଂଜିକରଣ ସରଳୀକରଣ ହେଲା, ସ୍ୱଘୋଷିତ ଫର୍ମ ଦେବାକୁ ପଡ଼ିବ
ଖରିଫ ଧାନ ବିକ୍ରି ପାଇଁ ଏବେ ଚାଲିଛି ଚାଷୀ ପଂଜିକରଣ । ତେବେ ଚଳିତ ଥର ରାଜ୍ୟ ସରକାର କିଛି ନୂଆ ନିୟମ କରିଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ୁଥିଲେ । ପଂଜିକରଣ ବିଳମ୍ବ ହେଉଥିଲା ଏବଂ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ଏବେ ଏହି ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ଗୁରୁବାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜମିର ରେକର୍ଡ ବାପା-ଭାଇ ଯାହା ନାମରେ ଥିଲେ ବି ତାହା ପଂଜିକରଣ ପାଇଁ ଗ୍ରହଣୀୟ ହେବ । ତେବେ ଚାଷୀଙ୍କୁ ଏକ ସ୍ୱଘୋଷିତ ଫର୍ମରେ ଦସ୍ତଖତ କରିବାକୁ ପଡ଼ିବ । ବାପା, ଭାଇଙ୍କ ସମ୍ପର୍କରେ ସୂଚନା କେବଳ ଉଲ୍ଲେଖ କରିବାକୁ ପଡ଼ିବ । ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ଜାରି କରାଯାଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ୭୩୫ ଜଣ ଚାଷୀ ପଂଜିକରଣ କରିସାରିଲେଣି ।
…
29.
ଶରଧାବାଲି ଦଳାଚକଟା ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଉନ୍ନୟନ କମିଶନର
ଶ୍ରୀଗୁଣ୍ଡିଚା ପରଦିନ ଅର୍ଥାତ ଜୁନ୍ ୨୯ ତାରିଖରେ ଶରଧାବାଲିରେ ହୋଇଥିଲା ଦଳାଚକଟା । ଏଥିରେ ୩ ଜଣଙ୍କ ପ୍ରାଣହାନି ହୋଇଥିଲା ଏବଂ ୧୨ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ସରକାର ଦାୟିତ୍ୱ ଦେଇଥିଲେ । ତାଙ୍କୁ ସହାୟତା କରିବାକୁ ୪ ଜଣ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା । ତଦନ୍ତ କମିଟି ପ୍ରାୟ ୬୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ଗୁରୁବାର ଶ୍ରୀମତୀ ଗର୍ଗ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।
…..
30.
ଖରାପ ପାଗ ପାଇଁ ସ୍ପେସ୍ଏକ୍ସର ମହାକାଶ ମିଶନ ସ୍ଥଗିତ
ଫ୍ଲୋରିଡାରେ ଖରାପ ପାଗ ଯୋଗୁଁ ସ୍ପେସ୍ଏକ୍ସ ନିଜର ‘କ୍ରୁ-୧୧’ ମାନବ ମିଶନକୁ ସ୍ଥଗିତ ରଖିଛି। ଏହି ମିଶନରେ ଚାରି ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବାର ଥିଲା। ପୂର୍ବରୁ ଏହି ଉତକ୍ଷେପଣ ଜୁଲାଇ ୩୧ ତାରିଖ ରାତି ୯:୪୦ରେ ହେବାର ଥିଲା, କିନ୍ତୁ ଏବେ ଏହାକୁ ଆଜି ରାତି ୯:୧୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହି ମିଶନରେ ଆମେରିକା, ଜାପାନ ଏବଂ ଋଷର ମହାକାଶଚାରୀ ସାମିଲ ଅଛନ୍ତି। ସେମାନେ ମହାକାଶ କେନ୍ଦ୍ରରେ ଛଅ ମାସ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା କରିବେ। ଫାଲକନ୍ ୯ ରକେଟ୍ ସାହାଯ୍ୟରେ ‘ଡ୍ରାଗନ୍’ ମହାକାଶଯାନକୁ ପଠାଯିବ। ପ୍ରଥମ ଥର ପାଇଁ ଏହି ଉତକ୍ଷେପଣର ସିଧା ପ୍ରସାରଣ ନେଟଫ୍ଲିକ୍ସରେ ମଧ୍ୟ କରାଯିବ।
……
31.
ଇଂଲଣ୍ଡ-ଭାରତ ପଞ୍ଚମ ଟେଷ୍ଟ: କରୁଣ ନାୟାରଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ଭାରତର ସଂଘର୍ଷ
ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ସଂଘର୍ଷ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୪ ଓଭରରେ ୬ ୱିକେଟ୍ ହରାଇ ୨୦୪ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କରୁଣ ନାୟାର ଏକ ଗୁରୁତ୍ୱପୂର୍ଣ୍ଣ ଅପରାଜିତ ୫୨ ରନ୍ କରିଥିବା ବେଳେ ତାଙ୍କ ସହ ୱାଶିଂଟନ ସୁନ୍ଦର ୧୯ ରନ୍ କରି କ୍ରିଜରେ ଅଛନ୍ତି। ଉଭୟ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ଚେଷ୍ଟା କରିବେ। ଇଂଲଣ୍ଡ ପକ୍ଷରୁ ଗସ୍ ଆଟକିନସନ୍ ୨ଟି ୱିକେଟ୍ ନେଇଛନ୍ତି। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି।