
୧.
ମନ୍ଦିର ପାଇଁ କାମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଯୁଦ୍ଧ, ସୀମା ବନ୍ଦ, ଖସିଲା ଯୁଦ୍ଧ ବିମାନ
ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ପୁଣି ଉତ୍ତେଜନା ଦେଖା ଦେଇଛି । ଦୁଇ ଦେଶ ଯୁଦ୍ଧ ବିମାନ ପରସ୍ପର ଉପରେ ଆକ୍ରମଣ କରିିଛନ୍ତି । ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସେନାକୁ ସୀମାରେ ମୁତୟନ କରାଯାଇଛି । ଦୁଇ ଦେଶ ପଡ଼ୋଶୀ ଦେଶର ସୀମିତ ସଂଖ୍ୟକ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ଥାଇଲାଣ୍ଡର ୬ଟି ଏଫ-୧୬ ଫାଇଟର ଜେଟ୍ କାମ୍ବୋଡିଆର କେତେକ ସ୍ଥାନ ଉପରେ ଷ୍ଟ୍ରାଇକ କରିଥିବା ସୂଚନା ମିଳିଛି । ଗୋଟିଏ ବିମାନକୁ ଖସାଇ ଦେଇଥିବା କାମ୍ବୋଡିଆ ଦାବି କରିଛି । କାମ୍ବୋଡିଆ ପ୍ରଥମେ ଆକ୍ରମଣ କରିଥିବା ଥାଇଲାଣ୍ଡ ଅଭିଯୋଗ କରିଛି । ଥାଇଲାଣ୍ଡର ୯ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩ ଜଣ ଆହତ ହୋଇଛନ୍ତି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଜଣ ଥାଇ ସୈନ୍ୟ ଆହତ ହୋଇଛନ୍ତି । ସୀମାରେ ଥିବା ଏକ ପ୍ରାଚୀନ ମନ୍ଦିରର ବିବାଦ ଏହି ଉତ୍ତେଜନାର କାରଣ । ମନ୍ଦିରଟି କାମ୍ବୋଡିଆର ବୋଲି ୧୯୬୨ରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ରାୟ ଦେଇଥିଲେ ମଧ୍ୟ ଥାଇଲାଣ୍ଡ ମାନିବାକୁ ପ୍ରସ୍ତୁତ ନାହିଁ ।
….
୨.
ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ମୁମ୍ବାଇ ହାଇକୋର୍ଟ ରାୟରେ ସୁପ୍ରିମକୋର୍ଟଙ୍କ ରୋକ୍
୨୦୦୬ ମୁମ୍ବାଇ ଟ୍ରେନ ସିରିଜ ବିସ୍ଫୋରଣ ମାମଲାର ଶୁଣାଣି ହୋଇଛି ସୁପ୍ରିମକୋର୍ଟରେ । ମୁମ୍ବାଇ ହାଇକୋର୍ଟ ଦେଇଥିବା ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଦେଇଛନ୍ତି । ଏହି ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗତ ସୋମବାର ମୁମ୍ବାଇ ହାଇକୋର୍ଟ ନିଦେ୍ର୍ଦାଷ ଆଖ୍ୟା ଦେଇ ରାୟ ପ୍ରକାଶ କରିଥିଲେ । ମହାରାଷ୍ଟ୍ର ସରକାରଙ୍କ ଆବେଦନ କ୍ରମେ ଏବେ ସୁପ୍ରିମକୋର୍ଟ ସେହି ରାୟ ଉପରେ ରୋକ ଲଗାଇଛନ୍ତି । ଅଭିଯୁକ୍ତମାନଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରେ କେତେକ ପାକିସ୍ତାନୀ ନାଗରିକ ଥିବାରୁ ହାଇକୋର୍ଟଙ୍କ ଏଭଳି ରାୟରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଇତି ମଧ୍ୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଜେଲରୁ ଖଲାସ ହୋଇସାରିଛନ୍ତି ।
…..
୩.
ଜାତିସଂଘର ପୂର୍ବାନୁମାନ, ୨୦୫୦ ବେଳକୁ ବିଶ୍ୱ ଜନସଂଖ୍ୟା ହଜାରେ କୋଟି ଛୁଇଁବ
ବିଶ୍ୱ ଜନସଂଖ୍ୟା ଦ୍ରୁତି ଗତିରେ ବୃଦ୍ଧି ପାଉଥିବା ବେଳେ କେତେକ ଦେଶରେ ଏହା ହ୍ରାସ ପାଉଛି । ୟୁକ୍ରେନରେ ଯୁଦ୍ଧ ଯୋଗୁ ୨୦୨୨ରୁ ୨୦୨୩ ମଧ୍ୟରେ ଜନସଂଖ୍ୟା ୮.୧୦ ପ୍ରତିଶତ ହ୍ରାସ ପାଇଛି । ଜାପାନରେ ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ସନ୍ତାନ ଜନ୍ମ ପ୍ରତି ଲୋକଙ୍କ ଆଗ୍ରହ ନାହିଁ । ଦେଶରେ ଜନସଂଖ୍ୟା ୦.୫୦ ପ୍ରତିଶତ ହ୍ରାସ ପାଇଛି । ଗ୍ରୀସରେ ୧.୬୦ ପ୍ରତିଶତ, ସୈନ ମାରିନୋରେ ୧.୧୦ ପ୍ରତିଶତ, ବେଲାରୁଷରେ ୦.୬୦ ପ୍ରତିଶତ ହ୍ରାସ ପାଇଛି । ବୋସନିଆ ଓ ଆଲବାନିଆରେ ମଧ୍ୟ ଜନସଂଖ୍ୟା କମୁଛି । ୨୦୧୧ରେ ବିଶ୍ୱ ଜନସଂଖ୍ୟା ୭ ଶହ କୋଟି ଥିଲା । ୨୦୩୦ ବେଳକୁ ଏହା ୮ ଶହ ୬୦ କୋଟି ଏବଂ ୨୦୫୦ ବେଳକୁ ହଜାରେ କୋଟି ପାଖାପାଖି ହୋଇଯିବ ବୋଲି ଜାତିସଂଘର ଆକଳନ ରିପୋର୍ଟ କହିଛି ।
………
୪.
କେଦାରନାଥକୁ ତିଆରି ହେବ ୭ କି.ମି. ସୁଡ଼ଙ୍ଗ ରାସ୍ତା, ହ୍ରାସ ପାଇବ ଦୂରତ୍ୱ
କେଦାରନାଥକୁ ୭ କିଲୋମିଟର ସୁଡ଼ଙ୍ଗ ରାସ୍ତା ନିର୍ମାଣ କରାଯିବ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଏ ନେଇ ପ୍ରସ୍ତୁତି ଚଳାଇଛି । ଏହା ସମ୍ଭବ ହେଲେ କେଦାରନାଥକୁ ବିକଳ୍ପ ରାସ୍ତା ଖୋଲିଯିବ ଏବଂ ୧୧ କିଲୋମିଟର ଦୂରତ୍ୱ ହ୍ରାସ ପାଇବ । ବତ୍ତର୍ମାନ ଗୌରୀକୁଣ୍ଡରୁ ରାମବାଡ଼ା-ଲିଂଚୋଲି ହୋଇ କେଦାରନାଥ ଧାମ ପର୍ଯ୍ୟନ୍ତ ୧୬ କିଲୋମିଟର ପାଦଚଲା ରାସ୍ତା ରହିଛି । ସୁଡ଼ଙ୍ଗ ରାସ୍ତା ହୋଇଗଲେ ଏହାର ଦୂରତ୍ୱ ୫ କିଲୋମିଟର ରହିବ । ନୂତନ ରାସ୍ତା ପାଇଁ ସର୍ଭେ ଶେଷ ହୋଇଛି । ଏହା ଉତ୍ତରାଖଣ୍ଡରେ ୬୫୬୨ ଫୁଟ ଉଚ୍ଚରେ ନିର୍ମାଣ କରାଯିବ । କାଳିମଠ ଘାଟିର ଶେଷ ଗାଁ ଚୌମାସୀରୁ ଏହା ଲିଂଚୋଲି ପର୍ଯ୍ୟନ୍ତ ଲମ୍ବିବ । ନୂତନ ରାସ୍ତାରେ କିଛି ବାଟ କାରରେ ଏବଂ କିଛି ବାଟ ଚାଲିଚାଲି ଯାଇହେବ ।
…..
୫.
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି, ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରି କିଏର ଷ୍ଟାର୍ମରଙ୍କୁ ଭେଟିଛନ୍ତି । ପରେ ଦୁଇ ଦେଶ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତିନାମା ଅନୁସାରେ ଭାରତର ବୟନଶିଳ୍ପ, ଚମଡ଼ା, ଜୋତା, ଫର୍ଣ୍ଣିଚର, ଅଳଙ୍କାର ଏବଂ କ୍ରୀଡ଼ା ସାମଗ୍ରୀ ବ୍ରିଟେନ ବଜାରକୁ ଶୁଳ୍କ ମୁକ୍ତ ପ୍ରବେଶ କରିବ । ଏହା ଭାରତର ଉତ୍ପାଦନ ଏବଂ ନିଯୁକ୍ତିରେ ବଡ଼ ବୃଦ୍ଧି ଆଣିବ । ଚୁକ୍ତିନାମାକୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ଆର୍ଥିକ ବିକାଶ ଓ ନୂତନ ନିଯୁକ୍ତି ସୁଯୋଗର ଚାବିକାଠି ଭାବେ ବିବେଚନା କରାଯାଉଛି ।
…..
୬.
ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ ଉପରେ ଇଡି ଚଢ଼ାଉ,ମନି ଲଣ୍ଡରିଂ ଅଭିଯୋଗ
ମନି ଲଣ୍ଡରିଂ ମାମଲାରେ ଫସିଛି ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍ । ଦିଲ୍ଲୀ ଓ ମୁମ୍ବାଇର ୩୫ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଇଡି ବା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ନ୍ୟାସନାଲ ହାଉସିଂ ବ୍ୟାଙ୍କ, ସେବି, ନ୍ୟାସନାଲ ଫାଇନାନ୍ସିଆଲ ରିପୋର୍ଟିଂ ଅଥରିଟି, ବ୍ୟାଙ୍କ ଅଫ ବରୋଦା ଓ ସିବିଆଇର ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ନିବେଶକଙ୍କୁ ଠକେଇ ଏବଂ ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଛି । ୨୦୧୭ ରୁ ୨୦୧୯ ମସିହା ମଧ୍ୟରେ ୟେସ୍ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୩ ହଜାର କୋଟି ଟଙ୍କାର ଋଣକୁ ଦୁରୁପଯୋଗ କରାଯାଇଥିବା ସନେ୍ଦହ ଉପୁଜିଛି । ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅନିଲ ଅମ୍ବାନିଙ୍କୁ ଫ୍ରଡ ଘୋଷଣା କରାଯାଇଥିଲା । କମ୍ପାନି ଋଣ ନେବା ବେଳେ ଆବଶ୍ୟକ ସର୍ତ୍ତ ପୂରଣ କରି ନଥିବା ଷ୍ଟେଟ ବ୍ୟାଙ୍କ କହିଥିଲା ।
…..
୭.
ଗୋଟିଏ ଦିନରେ ଅସୁସ୍ଥ ହୋଇଥିଲେ ୧୧୨ ଏୟାର ଇଣ୍ଡିଆ ପାଇଲଟ, ମନ୍ତ୍ରୀଙ୍କ ସୂଚନା
ଅହମ୍ମଦାବାଦ ଜୁନ ୧୨ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆରେ ଏକ ଅସ୍ୱାଭାବିକ ସ୍ଥିତି ଉପୁଜିଥିଲା । ସେହି ମାସ ଅର୍ଥାତ ଜୁନ୍ ୧୬ ତାରିଖରେ ଏୟାର ଇଣଡିଆର ୧୧୨ ଜଣ ପାଇଲଟ ଏକକାଳୀନ ଅସୁସ୍ଥତା ଦର୍ଶାଇ ଛୁଟି ନେଇଥିଲେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ତଥ୍ୟ ରଖିଛନ୍ତି । ସେହିଦିନ ୫୧ ଜଣ କମାଣ୍ଡର, ୬୧ ଫାଷର୍ଟ ଅଫିସର ଅସୁସ୍ଥ ହୋଇଥିଲେ । ଦୁର୍ଘଟଣା ସମସ୍ତଙ୍କୁ ମାନସିକ ଭାବେ ପ୍ରଭାବିତ କରିଥିଲା । ଜୁନ୍ ୧୨ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ ୧୯ ଜଣ ଅନ୍ୟ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ଜଣେ ମାତ୍ର ଯାତ୍ରୀ ଜୀବିତ ବଞ୍ଚିଥିଲେ ।
…..
୮.
ନ୍ୟୋମା ବିମାନବନ୍ଦର ଶୀଘ୍ର ହେବ ପ୍ରସ୍ତୁତ, ଚୀନ ସୀମାନରେ ବାୟୁସେନାକୁ ମିଳିବ ଶକ୍ତି
ଚୀନ୍ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ଶୀଘ୍ର ପ୍ରସ୍ତୁତ ହୋଇଯିବ ବିମାନବନ୍ଦର । ପୂର୍ବ ଲଦାଖର ନ୍ୟୋମା ସ୍ଥିତ ମୁଧ ଏୟାରଫିଲ୍ଡ ପ୍ରୋଜେକ୍ଟ ଆଗାମୀ ଅକ୍ଟୋବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ । ୧୩ ହଜାର ୭୧୦ ଫୁଟ ଉଚ୍ଚରେ ସେନାର ବର୍ଡର ରୋଡ ଅର୍ଗାନାଇସେଜନ ପା ବିଆରଓ ଏହି ବିମାନବନ୍ଦର ନିର୍ମାଣ କରୁଛି । ୨୩୦ କୋଟି ଟଙ୍କାରେ ଏହାର ବିକାଶ କରାଯାଉଛି । ଏଥିରେ ୨.୭ କିଲୋମିଟର ରନୱେ ରହିଛି । ରନୱେ ଚଉଡ଼ା ୪୬ ମିଟର । ଏହି ରନୱେ ରେ ଉଭୟ ପାଶ୍ୱର୍ରୁ ଯୁଦ୍ଧ ବିମାନ ଓହ୍ଲାଇ ପାରିବ ଏବଂ ଟେକ୍ ଅପ କରିପାରିବ । ଏଥିସହ ପରିବହନକାରୀ ବଡ଼ ବିମାନ ମଧ୍ୟ ଏଠାରେ ଅବତରଣ କରିପାରିବ । ଏହା ଫଳରେ ଚୀନ ସମୀାରେ ଉଭୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବ ।
…..
୯.
ଛଅ ବର୍ଷରେ ୧୭ କୋଟି ନିଯୁକ୍ତି ସୃଷ୍ଟି, ହ୍ରାସ ପାଉଛି ବେକାରୀ
୨୦୧୭-୧୮ ପରବର୍ତ୍ତୀ ୬ ବର୍ଷ ମଧ୍ୟରେ ଦେଶରେ ୧୭ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ତେଣୁ ବେକାରୀ ହ୍ରାସ ପାଉଥିବା ପ୍ରତୀୟମାନ ହେଉଛି । ୨୦୧୭-୧୮ ସୁଦ୍ଧା ମୋଟ ନିଯୁକ୍ତି ୪୭.୫ କୋଟି ଥିବା ବେଳେ ୨୦୨୩-୨୪ ବେଳକୁ ଏହା ୬୪.୩୩ କୋଟିରେ ପହଞ୍ଚିଛି । କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କାରାଣ୍ଡଲଜେ ଲୋକସଭାରେ ଏହି ତଥ୍ୟ ରଖିଛନ୍ତି । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୧୫ ବର୍ଷରୁ ଅଧିକ ବୟସର ମହିଳାଙ୍କ ସଂଖ୍ୟା ଚାକିରି କ୍ଷେତ୍ରରେ ୨୦୧୯-୨୦ରେ ୨୮.୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୬୪.୩୩ କୋଟିରେ ପହଞ୍ଚିଛି ।
….
10.
ନବରଙ୍ଗପୁର ଜିଲ୍ଲାରେ ୩୩ଟି ପଦବୀରେ ନିଯୁକ୍ତି ସୁଯୋଗ
ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୩୩ଟି ବିଭିନ୍ନ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ମଧ୍ୟରେ ମେଡିକାଲ ଅଫିସର, ସାଇକିଆଟ୍ରିକ୍ ନର୍ସ, ସର୍ଜନ ଏବଂ ଆକାଉଣ୍ଟାଣ୍ଟ ଆଦି ସାମିଲ ଅଛି। ଏହି ସମସ୍ତ ପଦବୀ ଚୁକ୍ତିଭିତ୍ତିକ ଅଟେ। ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଏମବିବିଏସ, ବିଏଏମଏସ, ବିଏଏଚଏମଏସ, ବି.ଏସସି ଏବଂ ବି.କମ ରଖାଯାଇଛି। ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୬୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୮ ଅଗଷ୍ଟ ୨୦୨୫ ରହିଛି। ଅଧିକ ସୂଚନା ଏବଂ ଆବେଦନ ଫର୍ମ ପାଇଁ ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ nabarangpur.odisha.gov.in ଦେଖନ୍ତୁ।
…..
୧୧.
AIIMSରେ ୩୫୦୦ ନର୍ସିଂ ଅଫିସର ପଦବୀ ପାଇଁ ବିଜ୍ଞପ୍ତି
ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ବିଭିନ୍ନ ଏମ୍ସରେ ଖାଲିଥିବା ୩୫୦୦ଟି ନର୍ସିଂ ଅଫିସର ପଦବୀ ପୂରଣ କରାଯିବ। ଏହି ପଦବୀ ପାଇଁ ବି.ଏସସି ନର୍ସିଂ କିମ୍ବା ଜିଏନଏମ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୧୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଫି ୩୦୦୦ ଟଙ୍କା ଓ ଏସସି/ଏସଟି/ଇଡବ୍ଲ୍ୟୁଏସ ବର୍ଗଙ୍କ ପାଇଁ ୨୪୦୦ ଟଙ୍କା ରଖାଯାଇଛି। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ଅଧିକ ସୂଚନା ଓ ଆବେଦନ ପାଇଁ ଏମ୍ସର ଅଫିସିଆଲ୍ ୱେବସାଇଟ୍ aiimsexams.ac.in ଦେଖନ୍ତୁ।
…….
୧୨.
ଓଡ଼ିଶା ଅଙ୍ଗନବାଡ଼ିରେ ନିଯୁକ୍ତି ସୁଯୋଗ
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪ଟି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରଖାଯାଇଛି ଏବଂ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଏହି ନିଯୁକ୍ତି ବଲାଙ୍ଗୀର, ବରଗଡ଼, କଟକ ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଉଦ୍ଦିଷ୍ଟ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଅଧିକ ବିବରଣୀ ଏବଂ ଆବେଦନ କରିବା ପାଇଁ ବିଭାଗର ଅଫିସିଆଲ୍ ୱେବସାଇଟ୍ awc.odisha.gov.in ଦେଖନ୍ତୁ।
….
13.
ଭାରତରେ ଏଆଇ ବିକାଶ ପାଇଁ ଗୁଗୁଲର ବଡ଼ ପଦକ୍ଷେପ
ଗୁଗୁଲ୍ ବର୍ତ୍ତମାନ ଭାରତର ଏଆଇ କ୍ଷେତ୍ରରେ ଏକ ବଡ଼ ନିବେଶ କରିଛି। ଏହା ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ନିଜସ୍ୱ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ ତିଆରି କରିବାରେ ସାହାଯ୍ୟ କରୁଛି। ଏଥିପାଇଁ ଗୁଗୁଲ୍ ନିଜର ‘Gemma’ ନାମକ AI ମଡେଲ୍ ଯୋଗାଇ ଦେଉଛି। ‘IndiaAI Mission’ ଅଧୀନରେ, Sarvam AI, Soket AI ଭଳି ଷ୍ଟାର୍ଟଅପ୍ଗୁଡ଼ିକ ଜେମା ବ୍ୟବହାର କରି ୨୨ଟି ଭାରତୀୟ ଭାଷାରେ ଅନୁବାଦ ଏବଂ କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନ ଉପରେ କାମ କରୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ଆବଶ୍ୟକତା ଓ ଭାଷା ପାଇଁ ଏଆଇକୁ ଅଧିକ ଉପଯୋଗୀ କରିବା। ଏଥିସହ, ଗୁଗୁଲ୍ ନିଜର ଶକ୍ତିଶାଳୀ ଯେମିନି ମଡେଲକୁ ଭାରତୀୟ ଡାଟା ସେଣ୍ଟରରେ ଉପଲବ୍ଧ କରାଇଛି, ଯାହା ବ୍ୟାଙ୍କିଙ୍ଗ୍ ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅଧିକ ସୁରକ୍ଷା ଦେବ।
…..
14.
ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ମାମଲା, କେନ୍ଦ୍ର କରିବ କମିଟି
ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିଛି ମହାଭିଯୋଗ ମାମଲା । ଏହାର ତଦନ୍ତ ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିବେ । ଏହି ତିନି ଜଣିଆ କମିଟିରେ ସୁପ୍ରିମକୋର୍ଟର ଜଣେ ବିଚାରପତି, କୌଣସି ହାଇକୋର୍ଟର ଜଣେ ମୁଖ୍ୟ ବିଚାରପତି ଏବଂ ଜଣେ ପ୍ରତିଷ୍ଠିତ ଆଇନ ବିଶେଷଜ୍ଞ ସାମିଲ ହେବେ । କମିଟି ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏହା ପୂର୍ବରୁ ତଦନ୍ତ ପାଇଁ ଗଠନ କରାଯାଇଥିବା କମିଟି ଜଷ୍ଟିସ୍ ବର୍ମାଙ୍କୁ ଦୋଷୀ କରିଥିଲା । କମିଟି ସୁପାରିସରେ ମହାଭିଯୋଗ ଆଗତ ହୋଇଛି । ଜଷ୍ଟିସ ବର୍ମା ଗତ ୧୯ ତାରିଖରେ ଏହା ବିରୋଧରେ ପିଟିସନ ଦାଖଲ କରିଛନ୍ତି । ଗତ ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିବା ସମୟରେ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହିବ ବିବାଦ ଆରମ୍ଭ ହୋଇଛି ।
…
15.
ଚୀନ ସୀମାରେ ଖସି ପଡ଼ିଲା ରୁଷ୍ ବିମାନ, ୪୯ ଜଣଙ୍କ ମୃତୁ୍ୟ
ଚୀନ୍ ସୀମା ନିକଟରେ ରୁଷର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ସମସ୍ତ ୪୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୬ ଜଣ କ୍ରିଉ ସଦସ୍ୟ ଏବଂ ୫ ଜଣ ଶିଶୁ ଅଛନ୍ତି । ଅଙ୍ଗାରା ଏୟାରଲାଇନ୍ସର ଏହି ବିମାନଟି ରୁଷ ସୀମାବର୍ତ୍ତୀ ଟିଣ୍ଡା ନିକଟରେ ରାଡାରରୁ ଗାଏବ ହୋଇଯାଇଥିଲା । ଏହା ଟିଣ୍ଡା ବିମାନବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ପରେ ପୁଣି ଉଦ୍ୟମ କରୁଥିବା ସମୟରେ ରାଡାରରେ ଆଉ ଦେଖାଯାଇନଥିଲା । ନିକଟରେ ଥିବା ଏକ ପାହାଡ଼ରୁ ଏହାର ଭଗ୍ନାବଶେଷ ମିଳିଥିଲା । ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।
…
16.
ସ୍ଥାନାନ୍ତର ହେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନର୍ଥ ବ୍ଲକରୁ ଯିବ ସିସିଏସ-୩କୁ
ଦିଲ୍ଲୀର ରାଇସିନା ହିଲ୍ ରେ ଥିବା ନର୍ଥ ବ୍ଲକ ଭବନରୁ ଉଠିଯିବ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ମୁଖ୍ୟାଳୟ । ଇଣ୍ଡିଆ ଗେଟ ନିକଟ କର୍ତ୍ତବ୍ୟପଥରେ ଥିବା କମନ ସେଣ୍ଟ୍ରାଲ ସେକ୍ରୋଟାରିଏଟ ଅର୍ଥାତ ସିସିଏସ-୩ ବିଲଡିଂକୁ ଏହାର ମୁଖ୍ୟାଳୟ ଉଠିଯିବ । ସେଣ୍ଟ୍ରାଲ ଭିଷ୍ଟା ଯୋଜନାରେ ଏହା ରଖାଯାଇଥିଲା । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଠିକଣା ବିଗତ ୯୦ ବର୍ଷ ହେଲା ନର୍ଥ ବ୍ଲକରେ ଥିଲା । ମନ୍ତ୍ରଣାଳୟର ବରିଷ୍ଠ ସଚିବମାନଙ୍କ କାର୍ଯ୍ୟାଳୟ ଇତି ମଧ୍ୟରେ ସ୍ଥାନାନ୍ତର ହୋଇସାରିଛି । ଏକ ସପ୍ତାହ ମଧ୍ୟରେ ଅନ୍ୟ ସମସ୍ତ ଅଧିକାରୀ ମଧ୍ୟ ନୂଆ ସ୍ଥାନକୁ ଯିବେ । ୫ ମହଲା ବିଶିଷ୍ଟ ନୂଆ ମୁଖ୍ୟାଳୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ୩୪୭ଟି କୋଠରୀ ଦିଆଯାଇଛି । ସିସିଏସ୍-୩କୁ ଶୀଘ୍ର ଅନ୍ୟ କତେକେ ମନ୍ତ୍ରଣାଳୟ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି । ବ୍ରିଟିଶ ଅମଳର ନର୍ଥ ଓ ସାଉଥ୍ ବ୍ଲକକୁ ଆଗାମୀ ଦିନରେ ମୁ୍ୟଜିୟମ କରାଯିବ ।
…
17.
ପୁଲିସ ଏସଆଇ ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି ପାଇଲା
ରାଜ୍ୟ ସରକାର ପୁଲିସ ସବଇନ୍ସପେକ୍ଟର ବା ଏସଆଇ ନିଯୁକ୍ତି ପ୍ରକ୍ରିୟାରେ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିଛନ୍ତି । ପୂର୍ବରୁ ଏହି ସୀମା ୨୫ ବର୍ଷ ଥିଲା । ଏବେ ତାହା ୨୮ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଗୁରୁବାର ଏହି ସୂଚନା ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଛି । ଫଳରେ ରାଜ୍ୟର ଶହ ଶହ ପରୀକ୍ଷାର୍ଥୀ ଆଶ୍ୱସ୍ତ ହୋଇଛନ୍ତି । ଗତ ଜାନୁଆରୀରେ ରାଜ୍ୟ ସରକାର ୯୩୩ଟି ଏସ୍ଆଇ ଓ ସେହି ପାହ୍ୟାର ଅନ୍ୟାନ୍ୟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିପାଇଁ ସର୍ବନିମ୍ନ ବୟସ ସୀମା ୨୧ ଥିବା ବେଳେ ସର୍ବେଚ୍ଚ ସୀମା ଥିଲା ୨୫ ବର୍ଷ । କିନ୍ତୁ ଦୀର୍ଘ ଦିନ ପରେ ଏହି ପଦ ପାଇଁ ପରୀକ୍ଷା ହେଉଥିବାରୁ ବୟସ ସୀମା ବଢ଼ାଇବା ଦାବିରେ ପ୍ରାୟ ୩ ଶହ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
…
18.
ପୁଣି ୧୩ ଆଇଏଏସଙ୍କ ବଦଳି, ୯ ଉପଜିଲ୍ଲାପାଳ ବି ବଦଳିଲେ
ରାଜ୍ୟ ସରକାର ପୁଣି ଆଇଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ କରାଯାଇଛି । ଅତିରିକ୍ତ ଦାୟିତ୍ୱ ଭାବେ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଓ ରାଜ୍ୟ ୱେୟାର ହାଉସିଂ ନିଗମର ଅଧ୍ୟକ୍ଷ ପଦରେ ମଧ୍ୟ ରହିବେ । ସମର୍ଥ ବର୍ମାଙ୍କୁ ଳଘୁ ଖଣିଜ ନିଦେ୍ର୍ଦଶକ କରାଯାଇଛି । ତାଙ୍କୁ ଓଏଫଡିସି ପରିଚାଳନା ନିଦେ୍ର୍ଦଶକର ଅତିରିକ୍ତ ଦାୟିତ୍ୱ ମିଳିଛି । ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରମୋସନାଲ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ କରାଯାଇଛି । ଏଥିସହ ୯ ସ୍ଥାନରେ ଉପଜିଲ୍ଲାପାଳଙ୍କୁ ବଦଳି କରାଯାଇଛି ।
..
19.
ଆସନ୍ତା ୨୮ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଆସନ୍ତା ସୋମବାର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ସକାଳ ୮ଟାରୁ ଭୁବନେଶ୍ୱର ୟୁନିଟ-୨ କ୍ୟାପିଟାଲ ନର୍ସରୀ ନିକଟ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବେ । ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଂଜିକରଣ ଆଜିଠାରୁ ଆରମ୍ଭ ହେବ । ସର୍ବାଧିକ ୧ ହଜାର ଅଭିଯୋଗକାରୀଙ୍କ ନାମ ପଂଜିକରଣ ହେବ । ଆଗ୍ରହୀ ଲୋକମାନେ ଜନଶୁଣାଣି ପୋର୍ଟାଲ ବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଂଜିକରଣ କରିବେ । ଅଭିଯୋଗକାରୀ ପଂଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିପାରିବେ ।
….
20.
ଭାରତୀୟଙ୍କୁ ନିଯୁକ୍ତି ଦିଅନି, ଗୁଗୁଲ ଓ ମାଇକ୍ରୋସଫ୍ଟଙ୍କୁ ଟ୍ରମ୍ପଙ୍କ ପରାମର୍ଶ
ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନିକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଦ୍ଭୁତ ପରାମର୍ଶ ଦେଇଛନ୍ତି । ଭାରତ କିମ୍ବା ଅନ୍ୟ କୌଣସି ଦେଶର ନାଗରିକଙ୍କୁ ନିଯୁକ୍ତି ନ ଦେବାକୁ କହିଛନ୍ତି । ଏହା ବଦଳରେ ଆମେରିକୀୟ ନାଗରିକଙ୍କୁ ପ୍ରଥମେ ନିଯୁକ୍ତି ଦେବାକୁ କହିଛନ୍ତି । ୱାଶିଂଟନରେ ଏକ ଏଆଇ ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି । କେତେକ କମ୍ପାନିଙ୍କ ବୈଶ୍ୱିକ ଚିନ୍ତାଧାରାକୁ ସେ କଡ଼ା ସମାଲୋଚନା କରିଥିଲେ । କହିଥିଲେ ଆମେରିକାରୁ ସବୁ ସହାୟତା ପାଉଥିବା କେତେକ କମ୍ପାନି ଚୀନରେ କାରଖାନା ଖୋଲୁଛନ୍ତି । ଭାରତୀୟଙ୍କୁ କର୍ମଚାରୀ ଭାବେ ନିଯୁକ୍ତ କରୁଛନ୍ତି । ଲାଭ ଅର୍ଥକୁ ନେଇ ଆୟର୍ଲାଣ୍ଡରେ ରଖୁଛନ୍ତି । ଟ୍ରମ୍ପ ଶାସନରେ ଏସବୁ ଚଳିବ ନାହିଁ । ଟେକ୍ କମ୍ପାନି ଗୁଡ଼ିକୁ ‘ଆମେରିକା ପ୍ରଥମେ’ ନୀତିରେ ଚାଲିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
….
21.
ପଞ୍ଚମ ଟେଷ୍ଟ ଖେଳିବେନି ରିଷଭ ପନ୍ତ, ଜଗଦୀଶନଙ୍କୁ ଡାକରା
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଖେଳିବା ଅବସରରେ ଗୁରୁତର ଆହତ ହୋଇଛନ୍ତି ରିଷଭ ପନ୍ତ । ସେ ପଞ୍ଚମ ଟେଷ୍ଟ ଖେଳିବା ସମ୍ଭବ ନୁହେଁ । ବିସିସିଆଇ ପକ୍ଷରୁ ଏହା କୁହାଯାଇ ନଥିଲେ ମଧ୍ୟ ପନ୍ତଙ୍କ ଅବସ୍ଥାରୁ ତାହା ଜଣାପଡ଼ୁଛି । ଏବେ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ କିପିଙ୍ଗ କାମ ଚଳାଇବେ । ତେବେ ଅତିରିକ୍ତ ୱିକେଟ କିପର ଭାବେ ତାମିଲନାଡ଼ୁର ନାରାୟଣ ଜଗଦୀଶନଙ୍କୁ ଡାକରା ମିଳିଛି । ଜଗଦୀଶନ ତାମିଲନାଡ଼ୁ ପକ୍ଷରୁ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୭.୫୦ ହାରରେ ୩୩୭୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୪ଟି ଅର୍ଦ୍ଧଶତକ ଓ ୧୦ଟି ଶତକ ରହିଛି । ଗତ ରଣଜୀ ସିଜନରେ ସେ ୮ଟି ମ୍ୟାଚରୁ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସହ ୬୭୪ ରନ କରିଛନ୍ତି ।
….
22.
ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଲୋକସଭା ଚାଲିଲାମାତ୍ର ୧୨ ମିନିଟ
ବିଭିନ୍ନ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଛି । ଗୁରୁବାର ଅଧିବେଶନର ଚତୁର୍ଥ ଦିବସରେ ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ହଟ୍ଟଗୋଳ ହୋଇଥିଲା । ଲୋକସଭାରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରିବାରୁ ବାଚସ୍ପତି ବାରଣ କରିଥିଲେ । ଏପରିକି ସୋନିଆ ଓ ପ୍ରିୟଙ୍କା ମଧ୍ୟ ପ୍ଲାକାର୍ଡ ଧରିଥିଲେ । ବାଧ୍ୟହୋଇ ବାଚସ୍ପତି ଗୃହକୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ମୃହକାର୍ଯ୍ୟ ମାତ୍ର ୧୨ ମିନିଟ ଚାଲିଥିଲା । ସେହିପରି ରାଜ୍ୟସଭାରେ ମଧ୍ୟ ହଟ୍ଟଗୋଳ ହୋଇଥିଲା । ଗୃହ କାର୍ଯ୍ୟ ମାତ୍ର ୧ ଘଣ୍ଟା ୪୫ ମିନିଟ ଚାଲିଥିଲା ।
….
23.
ରେଣୁକାଙ୍କ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
କର୍ଣ୍ଣାଟକ ହାଇକୋର୍ଟ କ୍ଷମତାର ଦୁରୁପଯୋଗ କରିଛନ୍ତି । ନ୍ୟାୟପାଳିକାର ଶକ୍ତିର ଏଭଳି ଦୁରୁପଯୋଗକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ଅଭିନେତା ଦର୍ଶନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଗତ ବର୍ଷ ଡିସେମ୍ବର ୧୩ରେ ଜାମିନ ଦେଇଥିଲେ । ସେ ଜେଲରୁ ମୁକୁଳି ଯାଇଛନ୍ତି । ହାଇକୋର୍ଟ ଜାମିନ ଦେବା ବେଳେ ନିଜ ବିବେକର ବ୍ୟବହାର କରିନଥିବା ସୁପ୍ରିମକୋର୍ଟ କହିଛନ୍ତି । ହାଇକୋର୍ଟ ଅନ୍ୟ ସବୁ ହତ୍ୟା ମାମଲାରେ କଣ ଏପରି ରାୟ ଦେଉଛନ୍ତି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଅଭିନେତା ଦର୍ଶନଙ୍କ ଜାମିନ ରଦ୍ଦ ସମ୍ପର୍କରେ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷିତ ରଖିଛନ୍ତି ।
…
24.
ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀ ନେଇପାରିବେ ୩୦ ଦିନ ଛୁଟି
ପରିଣତ ବୟସରେ ଥିବା ପିତାମାତାଙ୍କ ସେବା କରିବା ଜରୁରି । ସରକାରୀ କର୍ମଚାରୀମାନେ ଏହି କାରଣ ପାଇଁ ୩୦ଦିନ ଛୁଟି ନେଇପାରିବେ । ଅନ୍ୟାନ୍ୟ ବ୍ୟକ୍ତିଗତ କାମ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ରାଜ୍ୟସଭାରେ ଗୁରୁବାର ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ସେ କହିଛନ୍ତି, ସେଣ୍ଟ୍ରାଲ ସିଭିଲ ସର୍ଭିସେସ ଲିଭ୍ ରୁଲ-୧୯୭୨ ଅନୁସାରେ କେନ୍ଦ୍ର କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ, ୮ ଦିନର ଆକସ୍ମିକ ଛୁଟି ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟିର ନିୟମ ରହିଛି । ଏଥିସହ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ ।
…
25.
ଖସିଲା ସୁନା ଓ ରୂପା ଦର
ବଜାରରେ ସୁନା ଓ ରୂପାଦର ହ୍ରାସ ପାଇଛି । ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ସୁନା ୧୦ ଗ୍ରାମ ପିଛା ୨୨ କ୍ୟାରେଟର ଦର ୧୨୫୦ ଟଙ୍କା ଏବଂ ୨୪ କ୍ୟାରେଟର ଦର ୧୩୬୦ ଟଙ୍କା ହ୍ରାସ ପାଇଥିଲା । ଏହି ହ୍ରାସଯୋଗୁ ୨୨ କ୍ୟାରେଟର ଦର ୯୨ ହଜାର ୫୫୦ ଟଙ୍କା ଏବଂ ୨୪ କ୍ୟାରେଟର ଦର ୧ ଲକ୍ଷ ୯୭୦ଟଙ୍କାକୁ ଖସିଆସିଛି । ରୂପା କିଲୋଗ୍ରାମ ପିଛା ଦର ୧ ହଜାର ଟଙ୍କା କମିଛି । ଫଳରେ ଏହାର ଦର ରହିଛି ୧ ଲକ୍ଷ ୨୮ ହଜାର ଟଙ୍କା ।
…
26.
ଏସିଆ କପ୍ କ୍ରିକେଟର ଗୋଟିଏ ଗ୍ରୁପରେ ରହିବେ ଭାରତ-ପାକିସ୍ତାନ
ଆସନ୍ତା ଏସିଆ କପ୍ ୟୁଏଇରେ ଆୟୋଜିତ ହେବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଖେଳିବେ । ବିିସିସିଆଇ କ୍ରୀଡ଼ାସୂଚୀ ପ୍ରକାଶ କରି ନଥିଲେ ମଧ୍ୟ ଗଣମାଧ୍ୟମ ସୂତ୍ରରୁ ଏହା ଜଣାପଡ଼ିଛି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଥିବାରୁ ଏସିଆ କପ୍ ମଧ୍ୟ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ମୋଟ ୮ଟି ଦଳ ଖେଳିବେ । ୟୁଏଇର ଦୁଇଟି ଭେନୁ୍ୟ ଦୁବାଇ ଓ ଆବୁଧାବିରେ ଏହା ଖେଳାଯିବ । ତେବେ ଭାରତ-ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତୀୟ ଦଳ ପାକିସ୍ତାନ ସହ ଖେଳିବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏ ନେଇ କେନ୍ଦ୍ର ସରକାରଙ୍କ ଠାରୁ ବିସିସିଆଇ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି ।
…
27.
ଜାପାନରେ ହେବ ୨୦୨୬ ଏସୀୟ କ୍ରୀଡ଼ା, ସାମିଲ ହେବ କ୍ରିକେଟ
୨୦୨୬ ଏସୀୟ କ୍ରୀଡ଼ା ଜାପାନରେ ଅନୁଷ୍ଠିତ ହେବ । ଏହି ସଂସ୍କରଣରରେ କ୍ରିକେଟ ସାମିଲ ହେବ । ଏ ସମ୍ପର୍କରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ଘୋଷଣା କରିଛି । ଘୋଷଣା ଅନୁସାରେ ଏସୀୟ କ୍ରୀଡ଼ାରେ ୧୦ଟି ପରୁଷ ଓ ୮ଟି ମହିଳା କ୍ରିକେଟ ଟିମ ଭାଗ ନେବେ । ମାନ୍ୟତା ଅନୁସାରେ ଦଳଗୁଡ଼ିକୁ ଚୟନ କରାଯିବ । ମଙ୍ଗୋଲିଆ, ଉଜବେକିସ୍ତାନ ଏବଂ ଫିଲିପାଇନ୍ସ ଏସିସିର ନୂଆ ସଦସ୍ୟ ହୋଇଛନ୍ତି । ୨୦୧୦ ଏସୀୟ କ୍ରୀଡ଼ାରେ କ୍ରିକେଟ ପ୍ରଥମ ଥର ସାମିଲ ହୋଇଥିଲା ।
…
28.
ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ହେବ ପ୍ରବଳ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସହ ଆସନ୍ତାକାଲି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେଣୁ ଶୁକ୍ର ଓ ଶନିବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଜୁନ୍ ପହିଲାରୁ ଏ ପର୍ଯ୍ୟନ୍ତ ୫୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକଠାରୁ ୧୪ ପ୍ରତିଶତ ଅଧିକ ବର୍ଷା । ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲାରେ କମ୍ ବର୍ଷା ହୋଇଛି । ୧୦ ଜିଲ୍ଲାରେ ଅଧିକ ଏବଂ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।
…
29
ଗନ୍ଧମାର୍ଦ୍ଦନରେ ବାଟବଣା ୧୭ ପର୍ଯ୍ୟଟକ ଉଦ୍ଧାର, ଜଙ୍ଗଲରେ ବର୍ଷାରେ ଫସିଥିଲେ
ଛତିାଗଡ଼ର ୧୭ ଜଣ ପର୍ଯ୍ୟଟକ ବୁଧବାର ବରଗଡ଼ ଜିଲ୍ଲାରେ ନୃସିଂହନାଥ ମନ୍ଦିର ଦର୍ଶନ କରିଥିଲେ । ଏହାପରେ ହରିଶଙ୍କର ମନ୍ଦିର ଯିବାକୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ଚଢ଼ିଥିଲେ । କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାଟରେ ରହି ଯାଇଥିଲେ । ନା ଆଗକୁ ଯାଇପାରିଲେ ନା ପଛକୁ ଫେରିପାରିଲେ । ସମ୍ପର୍କୀୟଙ୍କ ଠାରୁ ଖବର ପାଇ ବୁଧବାର ଅଗ୍ନିଶମ, ବନ ବିଭାଗ ଏବଂ ଡିଭିଏଫ ଯବାନମାନେ ସେମାନଙ୍କୁ ଖୋଜିବାରେ ଲାଗିଥିଲେ । କିନ୍ତୁ ଠାବ କରିପାରିନଥିଲେ । ପ୍ରାୟ ୨୨ ଘଣ୍ଟା ପରେ ଶୁକ୍ରବାର ସକାଳେ ସେମାନଙ୍କୁ ଉଦ୍ଧାରକାରୀ ଦଳ ଠାବ କଲେ । ସେମାନେ ପାହାଡ଼ ତଳକୁ ଆସିବାକୁ ପ୍ରାୟ ୯ ଘଣ୍ଟା ଲାଗିଯାଇଥିଲା ।
….
30.
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଇଂଲଣ୍ଡ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନ୍ର ଜବାବରେ ଇଂଲଣ୍ଡ ଦୃଢ଼ ଆରମ୍ଭ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ୨୨୫ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ଇଂଲଣ୍ଡ ଭାରତଠାରୁ ମାତ୍ର ୧୩୩ ରନ୍ ପଛରେ ରହିଛି ଏବଂ ହାତରେ ୮ ୱିକେଟ୍ ବାକି ଅଛି। ଏହା ପୂର୍ବରୁ ଭାରତ ୧୧୪.୧ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୩୫୮ ରନ୍ କରିଥିଲା। ସୂଚନାଯୋଗ୍ୟ, ୫ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି।