
୧.
ବିହାରରେ ବଢ଼ିଲା ସାମ୍ବାଦିକଙ୍କ ପେନସନ ରାଶି, ଏବେ ପାଇବେ ୧୫ ହଜାର ଟଙ୍କା
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଛି ଖୁସି ଖବର । ମୁଖ୍ୟମନ୍ତ୍ରୀ ନିତିଶ କୁମାର ସାମ୍ବାଦିକଙ୍କ ପେନସନ ରାଶି ବୃଦ୍ଧି ଘୋଷଣା କରିଛନ୍ତି । ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କ ପେନସନ ରାଶି ବୃଦ୍ଧି କରାଯାଇଛି । ସେମାନଙ୍କୁ ଏବେ ମାସିକ ୬ ହଜାର ଟଙ୍କା ବଦଳରେ ମିଳିବ ୧୫ ହଜାର ଟଙ୍କା । ସେମାନଙ୍କ ମୃତୁ୍ୟ ପରେ ପେନସନର ହକଦାରଙ୍କୁ ମାସିକ ୩ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ମିଳିବ । ରାଜ୍ୟରେ ଏହି ପେନସନର ନାମ ରହିଛି ‘ବିହାରର ସାମ୍ବାଦିକ ସମ୍ମାନ ପେନସନ ଯୋଜନା’ ।
…
୨.
ବିଶ୍ୱରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନମ୍ବର ୱାନ ଲୋକପ୍ରିୟ ନେତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେକ୍ମ୍ର ୱାନ ଲୋକପ୍ରିୟ ନେତା । ପୁଣି ଥରେ ଏହା ପ୍ରମାଣିତ ହୋଇଛି । ଆମେରିକାର ବ୍ୟବାସାୟିକ ଗୁଇନ୍ଦା କମ୍ପାନି ମର୍ଣ୍ଣିଂ କନସଲ୍ଟ ଚଳିତ ଜୁଲାଇ ମାସରେ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ ପ୍ରତିଶତ ଲୋକଙ୍କ ଅନୁମୋଦନ ରେଟିଂ ମିଳିଛି । ସର୍ଭେରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୮ ନମ୍ବରରେ ଅଛନ୍ତି । ମୋଟ ୨୦ଟି ଦେଶର ନେତାଙ୍କ ମୂଲ୍ୟାଙ୍କନ କରାଯାଇଥିଲା । ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜା ମୁ୍ୟଙ୍ଗ ୫୯ ପ୍ରତିଶତ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ମୋଦିଙ୍କୁ ୭୫ ପ୍ରତିଶତ ଲୋକଙ୍କ ରେଟିଂ ମିଳିଥିବା ବେଳେ ୭ ପ୍ରତିଶତ ଲୋକ ନିଷ୍ପତ୍ତି ନେଇ ନଥିଲେ ଏବଂ ୧୮ ପ୍ରତିଶତ ଲୋକଙ୍କ ମତ ଭିନ୍ନ ଥିଲା । ୫୭ ପ୍ରତିଶତ ରେଟିଂ ପାଇଁ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମାଇଲି ତୃତୀୟରେ ଅଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୧୮ ନମ୍ବରରେ ଥିବା ବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଦଶମରେ ଅଛନ୍ତି ।
…
୩.
ବିହାରରେ ଭୋଟର ତାଲିକାରୁ ୬୪ ଲକ୍ଷ କଟିବେ, ଅଗଷ୍ଟରୁ ସାରା ଦେଶରେ ସଂଶୋଧନ
ବିହାରରେ ନୂଆ ଭୋଟର ତାଲିକା ପ୍ରସ୍ତୁତ ହେଉଛି । ପୁରୁଣା ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଚାଲିଛି । ନୂଆ ଭୋଟର ତାଲିକା ପାଇଁ ୭ କୋଟି ୨୩ ଲକ୍ଷ ନାମ ଅନ୍ତର୍ଭୁକ୍ତ ହୋଇଛି । ୭ କୋଟି ୮୯ ଲକ୍ଷ ନାମ ପୁରୁଣା ତାଲିକାରେ ଥିଲା । ସେଥିରୁ ୬୪ ଲକ୍ଷ ନାମ ବାଦ୍ ଦିଆଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଯେଉଁମାନେ ଗଣନା ଫର୍ମ ଦାଖଲ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଅନୁପ୍ରବେଶକାରୀଙ୍କୁ ମଧ୍ୟ ବାଦ୍ ଦିଆଯିବ । ତେବେ ଭୋଟରମାନେ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଫର୍ମ ଦାଖଲ କରିପାରିବେ । ଅପରପକ୍ଷରେ ଅଗଷ୍ଟ ମାସ ପରେ ସମଗ୍ର ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବ ବୋଲି ଜଣାପଡ଼ିଛି ।
…
୪.
ଭାରତୀୟ ରେଳବାଇର ବଡ଼ ସଫଳତା, ସଫଳ ହେଲା ହାଇଡ୍ରୋଜେନ ଟ୍ରେନ
ଭାରତୀୟ ରେଳବାଇ ଇତିହାସ ରଚିଛି । ପ୍ରଥମ ଥର ହାଇଡ୍ରୋଜେନ ଟ୍ରେନ ଚଳାଚଳ ସଫଳ ହୋଇଛି । ଏହି ପରୀକ୍ଷଣ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ କରାଯାଇଛି । ଆଗାମୀ ଅଗଷ୍ଟ ମାସ ଶେଷ ସୁଦ୍ଧା ଦେଶରେ ପ୍ରଥମ ହାଇଡ୍ରୋଜେନ ଟ୍ରେନ ଚଳାଇବାକୁ ପ୍ରସ୍ତୁତି ଚାଲିଛି । ଏହା ଜିନ୍ଦ-ସୋନିପତ ୯୦ କିଲୋମିଟର ଦୂରତ୍ୱରେ ଚାଲିବ । ଏହା ଏକ ନନ୍ ଏସି ଟ୍ରେନ ହେବ । ଏଥିରେ ୨ଟି ହାଇଡ୍ରୋଜେନ ଇଞ୍ଜିନ ରହିବ । ଟ୍ରେନରେ ୮ଟି ଯାତ୍ରୀବାହୀ କୋଚ୍ ରହିବ । ଏହାର ଗତି ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ । ଆଗାମୀ ଦିନରେ ପ୍ରାୟ ୩୫ଟି ଏପରି ଟ୍ରେନ ଚଳାଇବାକୁ ରେଳବାଇ ପ୍ରସ୍ତୁତି ଚଳାଇଛି । ଦୁଇ ବର୍ଷ ତଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହିଥିଲେ । ପ୍ରତି ଟ୍ରେନ ନିର୍ମାଣରେ ଖର୍ଚ୍ଚ ପ୍ରାୟ ୮୦ କୋଟି ଟଙ୍କା ହେବ ।
…
୫.
ଦିଲ୍ଲୀ ସରକାର କଲେ ନିୟମ, ସମସ୍ତ ଔଷଧ ଦୋକାନୀଙ୍କ ପା୬ଇଁ ସିସିଟିଭି ବାଧ୍ୟତାମୂଳକ
ଦିଲ୍ଲୀ ସରକାର ଔଷଧ ଦୋକାନୀଙ୍କ ପାଇଁ ନୂଆ ନିୟମ କରିଛନ୍ତି । ପ୍ରତ୍ୟେକ ଦୋକାନୀ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଜୁଲାଇ ୩୧ ତାରିଖକୁ ଡେଡଲାଇନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଲ୍ଲୀ ଅଲ କେମିଷ୍ଟ ଆସୋସିଏସନ ଆଣ୍ଡ ରିଟେଲ ଡିଷ୍ଟ୍ରିବୁ୍ୟସନ କେମିଷ୍ଟ ଆଲାଏନ୍ସକୁ ଏ ନେଇ ଚିଠି କରାଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବିଭାଗର ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି । ଅନେକ ଦୋକାନର ବିନା ପ୍ରେସକ୍ରିପ୍ସନରେ ଔଷଧ ବିକୁଥିବା ଏବଂ ଏହାଦ୍ୱାରା ନିଶା ଓ ପ୍ରତିବନ୍ଧିତ ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି । ଏଥିରେ ଲଗାମ ଦେବାକୁ ରାଜ୍ୟ ସରକାର ସିସିଟିଭି ନିଷ୍ପତ୍ତି ନେଇଛନ୍ତି ।
..
୬.
ଭୂସ୍ଖଳନ ଯୋଗୁ କେଦାରନାଥ ରାସ୍ତା ବନ୍ଦ, ଯବାନଙ୍କ ସହାୟତାରେ ପର୍ଯ୍ୟଟକ ଫେରୁଛନ୍ତି
ଅଚାନକ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଗୌରୀକୁଣ୍ଡ ଦେଇ ଯାଇଥିବା ଟ୍ରେକିଙ୍ଗ ରୁଟକୁ ଶୁକ୍ରବାର ରାତିରୁ ବନ୍ଦ କରାଯାଇଛି । ରାସ୍ତା ସଫା କରିବାକୁ ପ୍ରଶାସନ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି । କେଦାରନାଥରୁ ଫେରୁଥିବା ପର୍ଯ୍ୟଟକମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି । ସେମାନଙ୍କୁ ପୁଲିସ, ଏସଡିଆରଏଫ ଏବଂ ଏନଡିଆରଏଫ ଯବାନମାନେ ବାଟ ଦେଖାଇ ବାହାରକୁ ଆଣୁଛନ୍ତି । ରୁଦ୍ରପ୍ରୟାଗ ଜିଲ୍ଲାର ଅଧିକାଂଶ ସ୍ଥାନ ବର୍ଷା ଜଳରେ ବୁଡ଼ି ରହିଛି ।
..
୭.
ମହାରାଷ୍ଟ୍ରରେ ଲଡ଼କୀ ବେହେନ ଯୋଜନାରେ ଠକେଇ, ୧୪ ହଜାର ପୁରୁଷଙ୍କୁ ଫାଇଦା
ମହାରାଷ୍ଟ୍ର ସରକାର ଲଡ଼କୀ ବେହେନ ଯୋଜନାରେ ବଡ଼ ଠକେଇ ଧରିଛନ୍ତି । ଏହି ଯୋଜନାରୁ ୧୨ ହଜାର ୨୯୮ ଜଣ ପୁରୁଷ ଫାଇଦା ନେଉଥିବା ପଦାକୁ ଆସିଛି । ଏହି ଯୋଜନା ରାଜ୍ୟରେ ୨୦୨୪ ଅଗଷ୍ଟରୁ ଆରମ୍ଭ ହୋଇଥିଲା । ୨୧ରୁ ୬୫ ବର୍ଷ ବୟସର ଆର୍ଥିକ ଭାବେ ଦୁର୍ବଳ ମହିଳା ମାନଙ୍କୁ ମାସିକ ୧୫୦୦ ଟଙ୍କା ସହାୟତା ପ୍ରଦାନ ଯୋଜନାର ଉଦେ୍ଦଶ୍ୟ । ଏବେ ହିତାଧିକାରୀଙ୍କ ଅଡ଼ିଟ ହେବାକୁ ଜଣାପଡ଼ିଛି ପୁରୁଷ ମାନେ ମଧ୍ୟ ଏହି ଯୋଜନାରୁ ଫାଇଦା ନେଉଛନ୍ତି । ସେମାନେ ବିଭିନ୍ନ ପ୍ରକାର ଜାଲ୍ ଡକୁମେଣ୍ଟ ବଳରେ ଏହାର ହିତାଧିକାରୀ ହୋଇଥିଲେ । ଫଳରେ ରାଜ୍ୟ ରାଜକୋଷକୁ ୨୧ କୋଟି ୪୪ ଲକ୍ଷ ଟଙ୍କା କ୍ଷତି ହୋଇଛି ।
…
୮.
ଇରାନ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଶଙ୍କା, ୫୦ ହଜାର ଅଧିକାରୀ ସାମିଲ
ଇରାନର ଶେଷ ଶାହ ମହମ୍ମଦ ରେଜା ପହଲାଭିଙ୍କ ପୁଅ ରେଜା ପହଲାଭି । ବିଗତ ୪୬ ବର୍ଷ ଧରି ସେ ନିର୍ବାସନରେ ଅଛନ୍ତି । ଏସେ ସେ ଦାବି କରିଛନ୍ତି, ଦେଶର ୫୦ ହଜାରରୁ ଅଧିକ ଅଧିକାରୀ ଏକ ଗୁପ୍ତ ମଞ୍ଚରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଅଛନ୍ତି । ସମସ୍ତଙ୍କର ଲକ୍ଷ୍ୟ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ପଦଚୁ୍ୟତ କରିବା । ଦେଶରେ ଏକ ଗଣତନ୍ତ୍ର ସରକାର ପ୍ରତିଷ୍ଠା କରିବା ଏହି ମଞ୍ଚର ଉଦେ୍ଦଶ୍ୟ । ଏବେ ଡିଜିଟାଲ ନେଟୱର୍କରେ ଅନେକ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ସାଧାରଣ ଲୋକ ମଧ୍ୟ ଏଥିରେ ସାମିଲ ହେବେ । ସେଥିପାଇଁ ଏକ ୱେବସାଇଟ ଆରମ୍ଭ କରାଯିବ । ମୁ୍ୟନିକ ଠାରେ ଏହାର ସମ୍ମିଳନୀ ଆୟୋଜନ କରାଯାଉଛି । ଅପରପକ୍ଷରେ ଇରାନର ଗୋଇନ୍ଦା ବିଭାଗ ମଧ୍ୟ ଏଭଳି ଏକ ଷଡ଼ଯନ୍ତ୍ର ସମ୍ପର୍କରେ ସରକାରଙ୍କୁ ସୁରାକ ଦେଇଛି ।
…
୯.
ଲୋକସଭାରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ୧୭ ସାଂସଦଙ୍କୁ ସଂସଦ ରତ୍ନ ପୁରସ୍କାର
ସତର ଜଣ ସାଂସଦଙ୍କୁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲୋକସଭାରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ସମ୍ମାନ ମିଳିଛି । ଏମାନଙ୍କ ମଧ୍ୟରେ ଏନସିପିର ସୁପ୍ରିୟା ସୁଲେ, ବିଜେପିର ରବି କିଷାନ, ଶିବସେନାର ଅରବିନ୍ଦ ସାୱନ୍ତ, ବିଜେପିର ଭର୍ତ୍ତୃହରି ମହତାବ, କ୍ରାନ୍ତିକାରୀ ସମାଜ ପାର୍ଟିର ଏନ. ପ୍ରେମଚନ୍ଦ୍ରନ ପ୍ରମୁଖ ରହିଛନ୍ତି । ସଂସଦ ରତ୍ନ ପୁରସ୍କାର ବ୍ୟତୀତ ଚାରିଟି ଜୁରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିସହ ପ୍ରଭାବଶାଳୀ ସ୍ଥାୟୀ କମିଟିକୁ ମଧ୍ୟ ସମ୍ମାନିତ କରାଯାଇଛି । ଏହା ମଧ୍ୟରେ ରହିଛି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଥିବା ଆର୍ଥିକ ସ୍ଥାୟୀ କମିଟି ଏବଂ ଡକ୍ଟର ଚରଣଜିତ ସିଂ ଚନ୍ନିଙ୍କ ଅଧ୍ୟକ୍ଷତାରେ ଥିବା କୃଷି ସମ୍ପର୍କିତ ସ୍ଥାୟୀ କମିଟି । ୨୦୧୦ ମସିହାରୁ ଏହି ସଂସଦ ରତ୍ନ ପୁରସ୍କାର ଆରମ୍ଭ କରାଯାଇଛି ।
…
୧୦.
ବିହାରରେ ଚଳନ୍ତା ଆମ୍ବୁଲାନ୍ସରେ ହୋମଗାର୍ଡ଼ ପରୀକ୍ଷାର୍ଥୀଙ୍କୁ ଗଣ ବଳାକ୍ରାର
ବିହାରରେ ପୁଣି ଏକ ଅମାନବୀୟ ଘଟଣା ପଦାକୁ ଆସିଛି । ଗତ ୨୪ ତାରିଖ ଦିନ ବୋଧଗୟା ଜିଲ୍ଲାରେ ହୋମଗାର୍ଡ ପରୀକ୍ଷାର ଫିଜିକାଲ ଟେଷ୍ଟ ଚାଲିଥିଲା । ଏହି ସମୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସରେ ତାଙ୍କୁ ଅଚେତ ଅବସ୍ଥାରେ ଗଣବଳାକ୍ରାର କରାଯାଇଥିଲା । ସେ ହସପିଟାଲରେ ପହଞ୍ଚିବା ପରେ ଡାକ୍ତରଙ୍କୁ ଏହା ଜଣାଇଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କୁ ବଳାକ୍ରାର କରାଯାଇଛି । ପୁଲିସ ଏହାର ତଦନ୍ତ କରି ଆମ୍ବୁଲାନ୍ସ ଡ୍ରାଇଭର ଓ ଟେକନିସିଆନଙ୍କୁ ଗିରଫ କରିଛି । ମହିଳା ଜଣଙ୍କ ଇମାମଗଞ୍ଜ ଥାନାଞ୍ଚଳର ବାସିନ୍ଦା । ଏହି ଘଟଣାକୁ ବିହାରର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଠୋର ନିନ୍ଦା କରାଯାଇଛି ।
…
୧୧.
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ସରକାର
ଭୁବନେଶ୍ୱର ମେଟ୍ରୋ ରେଳ କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ରାଜ୍ୟର ପୂର୍ବ ସରକାର ସିଆଇଆଇଜିଆଇଏଲ ଇଣ୍ଡିଆ ଲିମିଟେଡ ଏବଂ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡକୁ କଣ୍ଟ୍ରାକ୍ଟ ଦେଇଥିଲେ । କିନ୍ତୁ ଏହି ଦୁଇ କମ୍ପାନି ବର୍ତ୍ତମାନର ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦେଇନାହାନ୍ତି କି ସର୍ତ୍ତ ପାଳନ କରିନାହାନ୍ତି । ତେଣୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବକମିଟି ଭୁବନେଶ୍ୱର ମେଟ୍ରୋ ଏବଂ ରାଜଧାନର ଭିଡ଼ ହ୍ରାସ ସମ୍ପର୍କରେ କିଛି ଦିନ ତଳେ ଆଲୋଚନା କରିଥିଲେ । ତେବେ ମେଟ୍ରୋ ପ୍ରସ୍ତାବର ଭାଗ୍ୟ କ’ଣ ହେବ ତାହା ସ୍ଥିର ହୋଇପାରିନି ।
….
12.
ନାସାର TRACERS ମିଶନ: ପୃଥିବୀର ଚୁମ୍ବକୀୟ ଢାଲର ରହସ୍ୟ ଖୋଲିବ
ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଅଧିକ ଭଲ ଭାବେ ବୁଝିବା ପାଇଁ ଆମେରିକୀୟ ମହାକାଶ ସଂସ୍ଥା ନାସା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ନାସା ‘TRACERS’ ନାମକ ଦୁଇଟି ଯାଆଁଳା ସାଟେଲାଇଟ୍କୁ ସଫଳତାର ସହ ମହାକାଶକୁ ପଠାଇଛି। ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୂର୍ଯ୍ୟଙ୍କଠାରୁ ଆସୁଥିବା ଶକ୍ତିଶାଳୀ କଣିକା ଓ ମହାକାଶ ଝଡ଼ରୁ ଆମ ଗ୍ରହର ଚୁମ୍ବକୀୟ ଢାଲ କିପରି ଆମକୁ ରକ୍ଷା କରେ, ତାହା ଅଧ୍ୟୟନ କରିବା। ଏହି ଦୁଇଟି ସାଟେଲାଇଟ୍ ପୃଥିବୀର ମେରୁ ଅଞ୍ଚଳ ଉପରେ ପରିକ୍ରମା କରିବେ ଏବଂ ସୂର୍ଯ୍ୟ ଓ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ହେଉଥିବା ସଂଘର୍ଷକୁ ରେକର୍ଡ କରିବେ। ଏହି ଗବେଷଣାରୁ ମିଳିଥିବା ତଥ୍ୟ, ଆମର ଜିପିଏସ୍, ସାଟେଲାଇଟ୍ ଏବଂ ବିଦ୍ୟୁତ୍ ଗ୍ରିଡ୍କୁ ମହାକାଶ ପାଣିପାଗର କୁପ୍ରଭାବରୁ ରକ୍ଷା କରିବାରେ ସାହାଯ୍ୟ କରିବ।
…..
13.
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଚୀନର ବଡ଼ ପଦକ୍ଷେପ: ଆମେରିକାକୁ ଦେବ ଟକ୍କର
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚୀନ୍ ଏକ ବଡ଼ ଘୋଷଣା କରିଛି। ଆମେରିକା ସହିତ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ, ଚୀନ୍ ଏଆଇ ଉପରେ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଏକ ସଂଗଠନ ଗଠନ କରିବାକୁ ପ୍ରସ୍ତାବ ଦେଇଛି। ଶାଂଘାଇରେ ଆୟୋଜିତ ବିଶ୍ୱ ଏଆଇ ସମ୍ମିଳନୀରେ ଚୀନର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ କହିଛନ୍ତି ଯେ, ଏଆଇ ଟେକ୍ନୋଲୋଜି କେବଳ କିଛି ଦେଶର ନିୟନ୍ତ୍ରଣରେ ରହିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ଚୀନ୍ ନିଜର ଏଆଇ ଜ୍ଞାନକୌଶଳକୁ ବିକାଶଶୀଳ ଦେଶମାନଙ୍କ ସହିତ ବାଣ୍ଟିବାକୁ ଇଚ୍ଛୁକ। ଏହି ପଦକ୍ଷେପ ମାଧ୍ୟମରେ, ଚୀନ୍ ଏଆଇ ସମ୍ବନ୍ଧୀୟ ନିୟମାବଳୀ ପାଇଁ ଏକ ସର୍ବସମ୍ମତ ବିଶ୍ୱସ୍ତରୀୟ ଢାଞ୍ଚା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।
……
14.
ଓପନଏଆଇ କୁ ବଡ଼ ଝଟକା ଦେଲା ମେଟା, ନେଇଗଲା ପ୍ରମୁଖ ଗବେଷକଙ୍କୁ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ କମ୍ପାନୀମାନଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ଫେସବୁକର ମୂଳ କମ୍ପାନୀ ମେଟା, ନିଜର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଓପନଏଆଇ କୁ ଏକ ବଡ଼ ଝଟକା ଦେଇଛି। ମେଟା ଓପନଏଆଇ ର ଜଣେ ପ୍ରମୁଖ ଏଆଇ ଗବେଷକ ଶେଙ୍ଗଜିଆ ଝାଓଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଇଛି। ଶେଙ୍ଗଜିଆ ଓପନଏଆଇ ରେ ଜିପିଟି-୩ ଏବଂ ସୋର ଭଳି ଗୁରୁତ୍ୱପୂର୍ଣ୍ଣ ମଡେଲ ଉପରେ କାମ କରୁଥିବା ଟିମର ଜଣେ ମୁଖ୍ୟ ସଦସ୍ୟ ଥିଲେ। ବର୍ତ୍ତମାନ ଏଆଇ କ୍ଷେତ୍ରରେ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ନିଜ ପାଖକୁ ଆଣିବା ପାଇଁ ଏକ ପ୍ରକାର ଯୁଦ୍ଧ ଚାଲିଛି। ମେଟାର ସିଇଓ ମାର୍କ ଜୁକରବର୍ଗ ନିଜେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ମେଟା ନିଜର ଏଆଇ ଟିମକୁ ଆହୁରି ମଜବୁତ କରିଛି।
…..
15.
ମଝି ଆକାଶରେ ହୋଇଥାନ୍ତା ଦୁଇ ବିମାନ ଧକ୍କା, ୫ ଶହ ଫୁଟ ଖସି ବର୍ତ୍ତିଲା
ଆମେରିକାର ଏସ୍ ଏଞ୍ଜେଲସ ଆକାଶରେ ଦୁଇଟି ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଶୁକ୍ରବାର ଅପରାହ୍ଣରେ ସାଉଥ ୱେଷ୍ଟ ଫ୍ଲାଇଟ ହଲିଉଡ଼ ବୁରବାଙ୍କ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଏହା ଲାସ୍ ଭେଗାସ୍ ସହରକୁ ଯାଉଥିଲା । ବିମାନଟି ୧୪ ହଜାର ୧୦୦ ଫୁଟ ଉଚ୍ଚରେ ଉଡ଼ୁଥିଲା । ଅଚାନକ ପାଇଲଟ ଦେଖିଥିଲେ ଏକ ହକର ହଣ୍ଟର ବିମାନ ସମାନ ଉଚ୍ଚତାରେ ବିପରୀତ ଦିଗରୁ ଆସୁଛି । ଦୁର୍ଘଟଣା ନିଶ୍ଚିତ ଜାଣି ପାଇଲଟ ବିନା ବିଳମ୍ବରେ ବିମାନଟିକୁ ପ୍ରାୟ ୫ ଶହ ଫୁଟ ତଳକୁ ଖସାଇଥିଲେ । କେଇ ସେକେଣ୍ଡ ମଧ୍ୟରେ ବିମାନଟି ୧୩ ହଜାର ୬୨୫ ଫୁଟକୁ ଖସିଥିଲା । ତେବେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ବିମାନଟି ନିରାପଦରେ ଗନ୍ତବ୍ୟ ସ୍ଥଳରେ ଅବତରଣ କରିଥିଲା । ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛି ସାଉଥ୍ ୱେଷ୍ଟ ଏୟାରଲାଇନ୍ସ ।
..
16.
ଆସନ୍ତାକାଲି ସୁପ୍ରିମକୋର୍ଟରେ ଜଷ୍ଟିସ ବର୍ମା ମାମଲାର ହେବ ଶୁଣାଣି
ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ମାମଲାର ଶୁଣାଣି ହେବ ସୁପ୍ରିମକୋର୍ଟରେ । ଆସନ୍ତାକାଲି ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତାଙ୍କ ପାଇର୍ ନିରପେକ୍ଷ ବିଚାର ହୋଇ ନଥିବା ଅଭିଯୋଗ କରି ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ପିଟିସନ ପକାଇଥିଲେ । ଗତ ମାଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀଙ୍କୁ ବିଡ଼ା ବିଡ଼ା ପୋଡ଼ା ୫ ଶହ ଟଙ୍କିଆ ବଣ୍ଡଲ ମିଳିଥିଲା । ଏହି ଟଙ୍କା କାହାର ଏହାକୁ ନେଇ ବିବାଦ ଛିଡ଼ା ହୋଇଥିଲା । ସୁ୍ରପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଏହାର ତଦନ୍ତ କରିଥିଲେ । ଜଷ୍ଟସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପାଇଁ କମିଟି ସୁପାରିସ କରିଥିଲା । ରାଜ୍ୟସଭା ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଥିବା ବେଳେ ଲୋକସଭାରେ ଏହା ଆଗତ ହେବ । ତେବେଏହା ବିରୋଧରେ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
..
17.
ଛତିଶଗଡ଼ରେ ୪, ଝାଡ଼ଖଣ୍ଡରେ ୩ ନକ୍ସଲ ନିହତ, ବିପୁଳ ଅସ୍ତ୍ର ଜବତ
ଛତିଶଗଡ଼ର ବିଜାପୁରରେ ଯବାନଙ୍କ କମ୍ବିଂ ସମୟରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଞ୍ଚ ଜଙ୍ଗଲରେ କମ୍ବିଂ ସମୟରେ ନକ୍ସଲମାନେ ଗୁଳିମାଡ଼ କରିଥିଲେ । ପାଲଟା ଜବାବରେ ନକ୍ସଲ ପଳାୟନ କରିଥିଲେ । ସେଠାରୁ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏଥିସହ ଇନସାସ, ଏସଏଲଆର ଏବଂ ବିପୁଳ ଗୁଳିଗୋଳା ମଧ୍ୟ ମିଳିଛି । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ୩ ଜଣ ନକ୍ସଲ ନିହତ ହୋଇଛନ୍ତି । ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଯବାନଙ୍କ ସହ ନକ୍ସଲଙ୍କ ଗୁଳି ବିନିମୟ ହୋଇଥିଲା । ୩ ନିହତ କ୍ୟାଡର ଝାଡ଼ଖଣ୍ଡ ଜନମୁକ୍ତି ପରିଷଦର ସଦସ୍ୟ । ମୃତଦେହ ନିକଟରୁ ଗୋଟିଏ ଏକେ-୪୭ ଏବଂ ୨ଟି ଇନସାସ୍ ମିଳିଛି ।
..
18.
ମଣିପୁରର ୫ ଜିଲ୍ଲାରେ ଯବାନଙ୍କ ବ୍ୟାପକ ତଲାସୀ, ୯୦ ବନ୍ଧୁକ ଜବତ
ମଣିପୁରର ୫ଟି ଉପଦ୍ରୁତ ଜିଲ୍ଲାରେ ଯବାନମାନେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛନ୍ତି । ଅଭିଯାନରେ ରାଜ୍ୟ ପୁଲିସ, ସିଆରପିଏଫ, ବିଏସଏଫ, ଆସାମ ରାଇଫଲ୍ସ ଓ ସେନା ସାମିଲ ହୋଇଛନ୍ତି । ଇମ୍ଫାଲ ଇ୍େଟ,ଇମ୍ଫାଲ ୱେଷ୍ଟ, ଥୌବଲ, କାକଚିଙ୍ଗ ଏବଂ ବିଷ୍ଣୁପୁର ଜିଲ୍ଲାରେ ଏକକାଳୀନ ତଲାସୀ କରାଯାଉଛି । ତଲାସୀରେ ପ୍ରାୟ ୯୦ଟି ବନ୍ଧୁକ, ୭୨୮ ଟି ଗୁଳିଗୋଳା ଏବଂ ବିସ୍ଫୋରକ ଜବତ କରାଯାଇଛି । ଜବତ ବନ୍ଧୁକ ମଧ୍ୟରେ ଏକେ ସିରିଜର ୩, ଗୋଟିଏ ଏମ୍-୧୬ ରାଇଫଲ, ୫ଟି ଇନସାସ୍, ଗୋଟିଏ ଏଲଏମଜି, ୪ଟି ଏସଏଲଆର, ୨୦ଟି ପିସ୍ତଲ, ୪ଟି କାର୍ବାଇନ, ୭ଟି ଥ୍ରୀ ଜିରୋ ଥ୍ରୀ ରାଇଫଲ ଅଛି । ୨୧ଟି ଗ୍ରେନେଡ ଓ ୬ଟି ଆଇଇଡି ମଧ୍ୟ ଜବତ ହୋଇଛି । ଇତି ମଧ୍ୟରେ ମଣିପୁରରେ ଆଉ ୬ ମାସ ପାଇଁ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ହୋଇଛି ।
..
19.
ଥାଇଲାଣ୍ଡ-କାମ୍ବୋଡିଆ ଯୁଦ୍ଧରେ ୩୩ ମୃତ, ଶାନ୍ତି ପାଇଁ ଆହ୍ୱାନ
ସହସ୍ରାଧିକ ବର୍ଷର ପୁରୁଣା ଦୁଇଟି ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ହୋଇଛନ୍ତି ମୁହାଁମୁହିଁ । ୩ ଦିନର ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୩ ଜଣଙ୍କ ପ୍ରାଣହାନି ହେଲାଣି । କାମ୍ବୋଡିଆରେ ୧୩ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୭୧ ଜଣ ଆହତ ହୋଇଛନ୍ତି । ଥାଇଲାଣ୍ଡରେ ୨୦ ଜଣଙ୍କ ମୃତୁ୍ୟ ହୋଇଛି । ଯୁଦ୍ଧ ପାଇଁ ଉଭୟ ଦେଶ ପରସ୍ପର ଉପରେ ଦୋଷାରୋପ କରୁଛନ୍ତି । କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ମାନେଟ କହିଛନ୍ତି, ଜୁଲାଇ ୨୪ ତାରିଖରେ ମାଲେସିଆ ମଧ୍ୟସ୍ଥତାରେ ଯୁଦ୍ଧବିରତି ପାଇଁ ସହମତି ହୋଇଥିଲା । କିନ୍ତୁ କେଇ ଘଣ୍ଟା ମଧ୍ୟରେ ଥାଇଲାଣ୍ଡ ଏହାକୁ ଉଲ୍ଲଂଘନ କରି ଆକ୍ରମଣ କରିଥିଲା । ଯୁଦ୍ଧ ତୁରନ୍ତ ରୋକିବାକୁ ଜାତିସଂଘ ସୁରକ୍ଷା ପରିଷଦରେ କାମ୍ପୋଡ଼ିଆ ଦାବି କରିଛି । ତେବେ ଉଭୟ ଦେଶକୁ ତୁରନ୍ତ ଶାନ୍ତି ଆଲୋଚନା ପାଇଁ ଭାରତ ଅନୁରୋଧ କରିଛି ।
..
20.
ଶ୍ରମିକଙ୍କୁ ମାଗଣା ଆଇନଗତ ସହାୟତା ଦେବାକୁ ଆରମ୍ଭ ହେଲା ନୂଆ ଯୋଜନା
ଶନିବାର ଥିଲା କାରଗିଲ ବିଜୟ ଦିବସ । ଏହି ଅବସରରେ ଆରମ୍ଭ ହୋଇଛି ‘ବୀର ପରିବାର ସହାୟତା ଯୋଜନା’ । ଜାତୀୟ ନ୍ୟାୟିକ ସେବା ପ୍ରାଧିକରରଣ ବା ଏନଏଏଲଏସଏ ପକ୍ଷରୁ ଏହା ଆରମ୍ଭ ହୋଇଛି । ସୈନିକ ମାନଙ୍କୁ ଆନୁଷ୍ଠାନିକ ଭାବେ ଆଇନଗତ ସହାୟତା ପ୍ରଦାନ କରାଯିବ । ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ସୈନିକ ବୋର୍ଡରେ ଥିବା ଆଇନଗତ ସେବା କ୍ଲିନିକ ମାଧ୍ୟମରେ ଏହି ଯୋଜନାର କ୍ରିୟାନ୍ୱୟନ ହେବ । ଉଭୟ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ସୈନିକ ମାନେ ଏଠାରୁ ଆଇନଗତ ସେବା ପାଇପାରିବେ ।
..
21.
ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପରିମଳ କର୍ମଚାରୀଙ୍କୁ ୧୦ ଲକ୍ଷର ଜୀବନ ବୀମା
ରାଜ୍ୟରେ ପରିମଳ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ବ୍ୟବସ୍ଥା ରହିବ । ଶନିବାର ଗରିମା ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି । ଏଥିସହିତ କର୍ମକ୍ଷେତ୍ରରେ ଜୀବନହାନି ଘଟିଲେ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ । ପରିମଳ ଅର୍ଥାତ ସ୍ୱେରେଜ ଓ ସେଫ୍ଟିକ ଟାଙ୍କି କର୍ମଚାରୀଙ୍କୁ ମୋବାଇଲ ଫୋନ ଏବଂ ପ୍ରଧାନମନ୍ତ୍ରୀ ଆବାସ -ସହରୀ ଯୋଜନାରେ ବାସଗୃହ ମିଳିବ । ପରିମଳ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ ଆଇସିସି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
..
22.
ପାକିସ୍ତାନ ଉପପ୍ରଧାନମନ୍ତ୍ରୀଙ୍କ ସୂଚନା, ଭାରତ ସହ ଆଲୋଚନା ପାଇଁ ଆଗ୍ରହୀ
ଭାରତ ସହ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛି ପାକିସ୍ତାନ । ଏହି ସୂଚନା ଦେଇଛନ୍ତି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର । ବାଣିଜ୍ୟ, ଆର୍ଥିକ ପ୍ରସଙ୍ଗ ସହ ଆତଙ୍କବାଦ ଉପରେ ମଧ୍ୟ ପାକିସ୍ତାନ ଆଲୋଚନା କରିବାକୁ ଆଗ୍ରହୀ । ତେବେ ଭାରତର ସହମତି ଆବଶ୍ୟକ । ପାକିସ୍ତାନ ଭାରତର ଉତ୍ତରକୁ ଅପେକ୍ଷା କରିଛି । ଆଟଲାଣ୍ଟିକ କାଉନସିଲ ନାମକ ବିଚାରମଞ୍ଚ ସହ ଆଲୋଚନା ଅବସରରେ ସେ ଏହା କହିଛନ୍ତି । ଭାରତ ପକ୍ଷରୁ ସବୁଜ ସଙ୍କେତ ମିଳିଲେ ପାକିସ୍ତାନ ଏହି କ୍ଷେତ୍ରରେ ଅଗ୍ରସର ହେବ ବୋଲି ସେ କହିଛନ୍ତି ।
..
23.
ସେପ୍ଟେମ୍ବର ୧୪ରେ ଭାରତ-ପାକିସ୍ତାନ ଏସିଆ କପ୍ ମୁକାବିଲା
ଏସିଆ କପ୍ କ୍ରିକେଟର ୧୭ତମ ସଂସ୍କରଣ କ୍ରୀଡ଼ାସୂଚୀ ସ୍ଥିର କରାଯାଇଛି । ୟୁଏଇରେ ଏହା ଖେଳାଯିବ । ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । ଫର୍ମାଟ ହେବ ଟି-ଟ୍ୱେଣ୍ଟି । ସେପ୍ଟେମ୍ବର ୧୪ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା । ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ । ଗ୍ରୁପ୍ ଏ ରେ ଅଛନ୍ତି ଭାରତ, ପାକିସ୍ତାନ, ଓମାନ ଏବଂ ୟୁଏଇ । ଗ୍ରୁପ୍ ବି ରେ ଅଛନ୍ତି ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ । ରାଉଣ୍ଡ ରବିନ ଫର୍ମାଟରେ ଖେଳ ହେବ । ପ୍ରତି ଗ୍ରୁପରୁ ୨ଟି ଟିମ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ । ଭାରତ ଓ ପାକିସ୍ତାନ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଆଶା କରାଯାଉଛି । ଏହା ହେଲେ ୨୧ ତାରିଖରେ ଦୁଇ ଦଳ ମଧ୍ୟରେ ମୁକାବିଲା ହୋଇପାରେ । ୨୮ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହେବ ।
..
24.
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟରେ ଲାଗିବ ନୂଆ କବାଟ
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଭିତର ଗୁମୁଟ କବାଟକୁ ରଥଯାତ୍ରା ସମୟରେ କାଢ଼ି ଦିଆଯାଇଥିଲା । ଏବେଏହି ସ୍ଥାନରେ ନୂଆ କବାଟ ଲଗାଇବାକୁ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ଧରଣର କାଠରେ ଏହା ନିର୍ମାଣ କରାଯିବ । କବାଟ ଉପରେ ପିତଳର ଛାଉଣୀ ହେବ । ଏହି କାମ ପାଇଁ ଟେଣ୍ଡର ଡକାଯାଇଛି । ଆଗାମୀ ଦୁଇ ମାସ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏଥି ନିମନ୍ତେ ପ୍ରାୟ ୧୯ ଲକ୍ଷ ୭୫ ହଜାର ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଦିବ୍ୟାଙ୍ଗ ମାନେ ଯେପରି ଉତ୍ତର ଦ୍ୱାର ଦେଇ ଯାଇପାରିବେ ସେଥିପାଇଁ ର୍ୟାମ୍ପ କରାଯାଇଛି । ର୍ୟାମ୍ପ କାମ ଏଏସ୍ଆଇ କରୁଛି । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରା ରୁପା ଛାଉଣୀ ହୋଇସାରିଛି । ଆଗାମୀ ଦିନରେ ରତ୍ନ ଭଣ୍ଡାର ଭିତର ଦ୍ୱାରକୁ ସୁନା ଛାଉଣୀ ଏବଂ ବାହାର ଦ୍ୱାରକୁ ରୁପା ଛାଉଣୀ କରାଯିବାକୁ ଯୋଜନା ରହିଛି ।
..
25.
ୟୁରୋପୀୟ ଦେଶଗୁଡ଼ିକୁ ଟ୍ରମ୍ପଙ୍କ ପରାମର୍ଶ, ଅବୈଧ ପ୍ରବାସୀଙ୍କୁ ରୋକ
ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ଅବୈଧ ପ୍ରବାସୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏବେ ସମଗ୍ର ୟୁରୋପରେ ସେମାନଙ୍କୁ ସେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସ୍କଟଲାଣ୍ଡ ଗସ୍ତ ଅବସରରେ ସେ କହିଛନ୍ତି, ଅବୈଧ ପ୍ରବାସୀଙ୍କ ବିରୋଧରେ ସମଗ୍ର ଞୁରୋପ ଏକାଠି ହେବା ଉଚିତ । ସେମାନେ ଏକ ପ୍ରକାର ଆକ୍ରମଣକାରୀଙ୍କ ଭଳି । ୟୁରୋପକୁ ସେମାନଙ୍କ ଆକ୍ରମଣରୁ ରୋକିବାକୁ ହେବ । କିଛି ଲୋକ ଅବୈଧ ପ୍ରବାସୀଙ୍କୁ ଆଶ୍ରୟ ଦେବାକୁ ଚାହୁଁଛନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ବଢ଼ିଲେ ଦିନ ଆସିବ ୟୁରୋପର ଅନ୍ତ ଘଟିବ । ଆମେରିକା- ମେକ୍ସିକୋ ସୀମା ବନ୍ଦ ନିଷ୍ପତ୍ତିକୁ ସେ ଉଚିତ କହିଥିଲେ । ସୂଚନାଯୋଗ୍ୟ, ୨୦୨୦ରେ ଜାତିସଂଘ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ୟୁରୋପରେ ୮ କୋଟି ୭୦ ଲକ୍ଷରୁ ଅଧିକ ପ୍ରବାସୀ ଅଛନ୍ତି ।
..
26.
ଫିଡେ ମହିଳା ଚେସ୍ ବିଶ୍ୱକପ୍, ଦିବ୍ୟା-ହମ୍ପି ପ୍ରଥମ ଗେମ୍ ଡ୍ର
ଫିଡେ ମହିଳା ଚେସ୍ ବିଶ୍ୱକପର ଫାଇନାଲ ଶନିବାର ଆରମ୍ଭ ହୋଇଛି । ଦୁଇ ଭାରତୀୟ ଖେଳାଳି ଡବ୍ଲୁଜିଏମ କୋନେରୁ ହମ୍ପି ଏବଂ ଆଇଏମ୍ ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ମୁକାବିଲା ହେଉଛି । ଲଢ଼େଇର ପ୍ରଥମ ଗେମ୍ ଡ୍ର ହୋଇଛି । ଉଭୟ ଖେଳାଳି ପଏଣ୍ଟ ଭାଗ କରିଛନ୍ତି । ଆଜି ଦ୍ୱିତୀୟ କ୍ଲାସିକାଲ ଗେମ୍ ଖେଳାଯିବ । ଆଜି ଯିଏ ଜିତିବ ସେ ଚାମ୍ପିଅନ ହେବ । ଯଦି ପୁଣି ଡ୍ର ହୁଏ ତେବେ ଆସନ୍ତାକାଲି ଟାଇବ୍ରେକରରେ ଫଳ ନିର୍ଣ୍ଣୟ କରାଯିବ । ଅନ୍ୟପକ୍ଷରେ ଚୀନ୍ ଡବ୍ଲୁଜିଏମ୍ ଲି’ ଚିଙ୍ଗଜି ଏବଂ ଟାନ ଝୋନଗୀଙ୍କ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ହେଉଥିଲା ଲଢ଼େଇ ମଧ୍ୟ ଆଜି ଡ୍ର ହୋଇଛି । ଉଭୟ ଖେଳାଳି ପଏଣ୍ଟ ଭାଗ କରିଛନ୍ତି ।
..
27.
୧୮ ହଜାର କୋଟିରେ ହେବ ବନ୍ଦର ବିକାଶ; ଆଦାନି, ଜେଏସଡବ୍ଲୁ କରିବେ ନିବେଶ
ରାଜ୍ୟରେ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ବଡ଼ ବ୍ଲୁପ୍ରିଣ୍ଟ ହୋଇଛି । ବିଶେଷ କରି ଦୁଇଟି ବଡ଼ କମ୍ପାନି ଆଦାନି ଏବଂ ଜେଏସଡବ୍ଲୁ ନିବେଶ କରିବାକୁ ଯୋଜନା କରିଛନ୍ତି । ପ୍ରାୟ ୧୮ ହଜାର କୋଟି ଟଙ୍କା ନିବେଶ ହେବ । ବନ୍ଦର ଗୁଡ଼ିକରେ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଡିପର ବର୍ଥ ବ୍ୟବସ୍ଥା ରପ୍ତାନି ଲାଗି ନୂଆ ସୁଯୋଗ ଦେବ । ଗୋପାଳପୁର ବନ୍ଦରର ବିକାଶ ପାଇଁ ଆଦାନି ପୋର୍ଟସ ୧୬ ହଜାର ୫୫୪ କୋଟି ଟଙ୍କା ଖର୍ଚ୍ଚ କରିବ । ନୌବାଣିଜ୍ୟ କ୍ଷେତ୍ରରେ କୁଶଳୀ ଶ୍ରମଶକ୍ତି ସୃଷ୍ଟି ଲାଗି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ କ୍ରୁ୍ୟ ଟ୍ରେନିଂ ପ୍ରତିଷ୍ଠାନ ଏବଂ ଓଡ଼ିଶା ମାରିଟାଇମ ଏକାଡେମୀ ସ୍ଥାପନ କରାଯାଇଛି ।
..
28.
ବୈତରଣୀ, ସୁବର୍ଣ୍ଣରେଖା ଜଳକା, ଗମ୍ଭୀର ନଦୀରେ ବନ୍ୟା; ଆଜିଠୁ କମିବ ବର୍ଷା
ଳଘୁଚାପ ବର୍ଷା ଯୋଗୁ ରାଜ୍ୟର କେତେକ ନଦୀରେ ବନ୍ୟା ସ୍ଥିତି ହୋଇଛି । ସୁବର୍ଣ୍ଣରେଖା, ଜଳକା, ବୈତରଣୀ ଏବଂ ଗମ୍ଭୀରା ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ତେଣୁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ନଦୀ ପାଶ୍ୱର୍ବର୍ତ୍ତୀ ଗ୍ରାମ ଗୁଡ଼ିକୁ ବନ୍ୟା ଭୟ ଦେଖାଦେଇଛି । ଚାରିଟି ଯାକ ନଦୀ ବିଭିନ୍ନ ସ୍ଥାନରେ ବପଦ ସଙ୍କେତ ଟପିଛନ୍ତି । ତେବେ ଉପରମୁଣ୍ଡରେ ବର୍ଷା ହ୍ରାସ ପାଉଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି । ଅପରପକ୍ଷରେ ଆଜିଠୁ ରାଜ୍ୟରେ ବର୍ଷା ହ୍ରାସ ପାଇବ । ତେବେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଁଭାଁ ବର୍ଷା ହୋଇପାରେ । ଆସନ୍ତାକାଲିକୁ ଆହୁରି ହ୍ରାସ ପାଇବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।
..
29
ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲର ସମରେଶ ଜେନା ବହିଷ୍କୃତ
ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲର ଥିବା ସମରେଶ ଜେନାଙ୍କୁ ଏହି ପଦରୁ ବହିଷ୍କାର କରାଯାଇଛି । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏ ନେଇ ରାଜ୍ୟ ଆଇନ ବିଭାଗକୁ ସୁପାରିସ କରାଯାଇଥିଲା । ଏହାପରେ ଆଇନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ଜେନା ଏହି ପଦରେ ପୂର୍ବ ସରକାର ସମୟରେ ନିଯୁକ୍ତି ପାଇଥିଲେ । ବିଜେପି ସରକାର ଆସିବା ପରେ ୨୦୨୪ ଅକ୍ଟୋବରରେ ତାଙ୍କର ପୁନଃନିଯୁକ୍ତି ହୋଇଥିଲା ।
…
30.
ମାଞ୍ଚେଷ୍ଟର ଟେଷ୍ଟ: ସଂଘର୍ଷ କରୁଛି ଭାରତ, ରାହୁଲ-ଗିଲଙ୍କ ଉପରେ ଭରସା
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ଶେଷ ହୋଇଛି। ଇଂଲଣ୍ଡର ପ୍ରଥମ ଇନିଂସରେ କରିଥିବା ୬୬୯ ରନର ବିଶାଳ ସ୍କୋରକୁ ପିଛା କରି ଭାରତ ସଂଘର୍ଷ ଜାରି ରଖିଛି। ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ୍ ହେବା ପରେ, ଭାରତ ଦ୍ଵିତୀୟ ଇନିଂସରେ ଭଲ ପ୍ରଦର୍ଶନ କରିଛି। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୧୭୪ ରନ୍ କରିଛି। କ୍ରିଜରେ କେଏଲ୍ ରାହୁଲ (୮୭) ଏବଂ ଶୁବମନ ଗିଲ (୭୮) ଅପରାଜିତ ରହି ଦଳକୁ ସମ୍ଭାଳିଛନ୍ତି। ଭାରତ ଏବେବି ଇଂଲଣ୍ଡଠାରୁ ୧୩୭ ରନରେ ପଛୁଆ ଅଛି। ମ୍ୟାଚ୍କୁ ବଞ୍ଚାଇବା ପାଇଁ ଶେଷ ଦିନରେ ଏହି ଯୋଡ଼ି ଉପରେ ଦଳ ନିର୍ଭର କରିବ।