
୧.
୧୩ ବର୍ଷ ପରେ ମାତୋଶ୍ରୀରେ ପାଦ ଦେଲେ ରାଜ ଠାକରେ, ଉଦ୍ଧବଙ୍କୁ ଜଣାଇଲେ ଜନ୍ମଦିବ ଶୁଭେଚ୍ଛା
‘ମାତୋଶ୍ରୀ’ରେ ୧୩ ବର୍ଷ ପରେ ପାଦ ପକାଇଛନ୍ତି ରାଜ ଠାକରେ । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ରବିବାର ଥିଲା ଶିବସେନା- ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେଙ୍କ ୬୫ତମ ଜନ୍ମ ଦିନ । ରାଜ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବାକୁ ‘ମାତୋଶ୍ରୀ’ ଭବନ ଆସିଥିଲେ । ଶେଷ ଥର ପାଇଁ ୨୦୧୨ ମସିହାରେ ରାଜ ମାତୋଶ୍ରୀ ଆସିଥିଲେ, ଯେତେବେଳେ ବାଲା ସାହେବ ଠାକରେଙ୍କ ପରଲୋକ ହୋଇଥିଲା । ଗତ ଜୁଲାଇ ୫ ତାରିଖରେ ଦୁଇ ନେତା ଦୀର୍ଘ ବର୍ଷ ପରେ ଗୋଟିଏ ରାଜନୈତିକ ମଂଚରେ ଏକାଠି ଉଦବୋଧନ ଦେଇଥିଲେ । ୨୦୦୫ ମସିହାରେ ଉଦ୍ଧବଙ୍କ ସହ ରାଜନୈତିକ ମତାନ୍ତର ପରେ ରାଜ ମାତୋଶ୍ରୀ ଛାଡ଼ି ବାହାରକୁ ଚାଲି ଯାଇଥିଲେ । ଏହାର ତିନି ମାସ ପରେ ସେ ନୂଆ ଦଳ ଗଠନ କରିଥିଲେ । ୧୯୬୬ରେ ଯେଉଁ ଶିବାଜୀ ପାର୍କରୁ ବାଲାସାହେବ ଶିବସେନା ଗଠନ ଘୋଷଣା କରିଥିଲେ, ରାଜ ସେହିଠାରେ ନୂଆଦଳ ପ୍ରଥମ ଭାଷଣ ଦେଇଥିଲେ ।
…..
୨.
ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ମୃତ
ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଛି । ରବିବାର ସକାଳେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଏହି ସମୟରେ କୌଣସି କାରଣରୁ ଭକ୍ତଙ୍କ ମଧ୍ୟରେ ଧାଁଦୌଡ଼ ଆରମ୍ଭ ହୋଇଥିଲା । ମନ୍ଦିରକୁ ଯାଇଥିବା ରାସ୍ତାରେ ଦଳାଚକଟା ହୋଇଥିଲା । ଦଳାଚକଟାରେ ୬ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୧୫ ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦଳାଚକଟାର କାରଣ ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି । କୁହାଯାଉଛି ବିଦୁ୍ୟତ ଆଘାତ ଗୁଜବ ହେବାରୁ ଏଭଳି ପରିସ୍ଥିତି ହୋଇଥିଲା । ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
…..
୩.
ମାଓବାଦୀଙ୍କ ୩୫ ଲକ୍ଷ ଟଙ୍କା ଜବତ କଲା ପୁଲିସ, ମାଟି ତଳେ ଲୁଚାଇଥିଲେ
ଚାଇଁବସା ପୁଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ୩୫ ଲକ୍ଷ ଟଙ୍କା ଜବତ କରାଯାଇଛି । ମାଓବାଦୀ ବିସ୍ଫୋରକ କ୍ରୟ କରିବା ଉଦେ୍ଦଶ୍ୟରେ ଏହି ଟଙ୍କା ଲୁଚାଇ ରଖିଥିଲେ ମାଟିତଳେ କାଗଜ ଓ ପ୍ଲାଷ୍ଟିକରେ ଗୁଡ଼ାଇ ଲୁଚାଯାଇଥିଲା । ୩୫ଟି ବଣ୍ଡଲରେ ଟଙ୍କା ରଖାଯାଇଥିଲା । ସବୁଗୁଡ଼ିକ ଏକ ଷ୍ଟିଲ କ୍ୟାନରେ ଥିଲା । ଅଞ୍ଚଳରେ ଲ୍ୟାଣ୍ଡମାଇନ ଠାବ କରିବାକୁ ପୁଲିସ କମ୍ବିଂ କରୁଥିବା ବେଳେ ଏହି ଟଙ୍କା ପାଇଥିଲା
…..
୪.
କଙ୍ଗୋ ଚର୍ଚ୍ଚରେ ଆତଙ୍କବାଦୀଙ୍କ ନରସଂହାର, ୨୧ ମୃତୁ
ପୂର୍ବ କଙ୍ଗୋରେ ଆତଙ୍କବାଦୀମାନେ ପୁଣି ଥରେ ନରସଂହାର ଘଟାଇଛନ୍ତି । ଇସଲାମିକ ଷ୍ଟେଟ ସମର୍ଥିତ ଆତଙ୍କବାଦୀମାନେ ଏକ ଚର୍ଚ୍ଚ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ୨୧ ଜଣଙ୍କ ମୃତୁ୍ୟ ହୋଇଛି । ଏକ କ୍ୟାଥଲିକ ଚର୍ଚ୍ଚ ଭିତରେ ଆଲାଏଡ ଡେମୋକ୍ରାଟିକ୍ ଫୋର୍ସ ବା ଏଡିଏଫର ସଦସ୍ୟମାନେ ରାତି ୧ଟା ବେଳେ ଗୁଳିମାଡ଼ କରିଥିଲେ । ପାଖଆଖରେ ଥିବା ଅନେକ ଘର ଓ ଦୋକାନ ମଧ୍ୟ ସେମାନେ ପୋଡ଼ି ଦେଇଛନ୍ତି । ଏଡିଏଫ ଏକ ବିଦ୍ରୋହୀ ଗୋଷ୍ଠୀ ଯାହାକି ଉଗାଣ୍ଡା ଏବଂ କଙ୍ଗୋର ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ବିଗତ ଏକ ଦଶନ୍ଧି ଧରି ଏହା ନରସଂହାର ଚଳାଇ ଆସିଛି । ୨୦୧୮ ମସିହାରୁ ଏହା ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ସହ ସମ୍ପର୍କରେ ଅଛି ।
…..
୫.
ମନ୍ କୀ ବାତରେ ଓଡ଼ିଶାର ସଂକୀର୍ତ୍ତନ ମଣ୍ଡଳୀ ଓ ସାନ୍ତାଳୀ ଶାଢ଼ିକୁ ସ୍ମରଣ କଲେ ମୋଦି
ରବିବାର ସକାଳେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ର ୧୨୪ତମ ସଂସ୍କରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ବାବଦରେ ସ୍ମରଣ କରିଛନ୍ତି । ସେ କହିଛନ୍ତି, ମୟୂରଭଞ୍ଜର ମହିଳା ମାନେ ସାନ୍ତାଳୀ ଶାଢ଼ିକୁ ନୂତନ ଜୀବନଦାନ ଦେଇଛନ୍ତି । ମହିଳାମାନେ ଏହାକୁ ପୁନର୍ଜୀବିତ କରୁଛନ୍ତି । କେନ୍ଦୁଝର ଜିଲ୍ଲାରେ ‘ରାଧାକୃଷ୍ଣ ସଂକୀର୍ତ୍ତନ’ ନାମକ ଗୋଷ୍ଠୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରୁଥିବା ମନ୍ତ୍ର ଜପ କରୁଛି । ଏହା ପଛରେ ପ୍ରମିଳା ପ୍ରଧାନ ନାମକ ମହିଳାଙ୍କ ପ୍ରେରଣା ରହିଛି । ତାଙ୍କ ନେତୃତ୍ୱରେ ମହିଳା ମଣ୍ଡଳୀ ରାମନାମ ଜରିଆରେ ସଚେତନ କରୁଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
…..
୬.
ଅଗଷ୍ଟ ୨୦ ଧାନ ବିକ୍ରି ପାଇଁ ଚାଷୀଙ୍କ ପଂଜିକରଣ ଅବଧି, ଦରକାର ପଡ଼ିଲେ ବଢ଼ିବ
ରାଜ୍ୟରେ ଖରିଫ ଧାନ ବିକ୍ରି ଲାଗି ଚାଷୀ ପଂଜିକରଣ ଅବଧି ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସର୍ଭର ଡାଉନ ଲାଗି ଅନେକ ସ୍ଥାନରେ ପଂଜିକରଣ ହୋଇ ପାରୁନଥିବା ଅଭିଯୋଗ ହେଉଛି । ଯଦି ଏହି ସମସ୍ୟା ଲାଗି ରହେ, ତେବେ ପଂଜିକରଣ ଅବଧି ବୃଦ୍ଧି କରାଯିବ । ପଂଜିକରଣ ଲାଗି ଯାହାବି ସମସ୍ୟା ରହିବ, ସମାଧାନ କରାଯିବ । ଯେଉଁ ଚାଷୀମାନଙ୍କର ରେକର୍ଡ ବାପା ଜେଜେବାପାଙ୍କ ନାମରେ ଥିବା ସେମାନେ ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରିପାରିବେ । ପୂର୍ବରୁ ସରକାର ୬୮ ଲକ୍ଷ ଟନ ମେଟି୍ରକ ଟନ ଖରିଫ ଧାନ କିଣୁଥିଲେ । ନୂଆ ସରକାର ୭୩ ଲକ୍ଷ ୪୭ ହଜାର ମେଟିନ ଟନ କିଣିଥିବା ମନ୍ତ୍ରୀ କହିଛନ୍ତି ।
…..
୭.
ଲେବାନନରେ ଇସ୍ରାଏଲର ଡ୍ରୋନ ହମଲା, ହିଜବୁଲା କମାଣ୍ଡର ନିହତ
ଦକ୍ଷିଣ ଲେବାନନରେ ଇସ୍ରାଏଲର ପ୍ରତିରକ୍ଷା ବାହିନୀ-ଆଇଡିଏଫ ଜୋରଦାର ହମଲା କରିଛି । ଏହି ଡ୍ରୋନ ଆକ୍ରମଣରେ ଟପ୍ ହିଜୁବଲ୍ଲା କମାଣ୍ଡର ଅଲି ଆବେଦ ଅଲ୍-କାଦର ଇସମାଇଲର ମୃତୁ୍ୟ ହୋଇଛି । ଲେବାନନର ବିଣ୍ଟ ଜବେଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ସପ୍ତାହକ ମଧ୍ୟରେ ହିଜବୁଲ୍ଲା ଆତଙ୍କବାଦୀଙ୍କ ଉପରେ ଏହା ତୃତୀୟ ବଡ଼ ଆକ୍ରମଣ । ହିଜବୁଲ୍ଲାର ଏକ ଅସ୍ତ୍ରଶସ୍ତ୍ର ଡିପୋ ଏବଂ ରକେଟ ଲଞ୍ଚର ଆଡା ଉପରେ ମଧ୍ୟ ଆକ୍ରମଣ ହୋଇଛି । ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିଥିଲା । ଏହାପରଠାରୁ ହିଜବୁଲ୍ଲାକୁ ଇସ୍ରାଏଲ ଟାର୍ଗେଟ କରିଆସୁଛି । ୨୦୨୪ରୁ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ହୋଇଥିଲେ ମଧ୍ୟ ଲେବାନନ ସୀମାରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିନାହିଁ ।
…..
୮.
ଆମେରିକାର ସପିଙ୍ଗ ମଲରେ ଛୁରାମାଡ଼, ୧୧ ଜଣ ଆହତ
ଆମେରିକାର ମିଶିଗାନରେ ଛୁରାମାଡ଼ ଘଟଣା ହୋଇଛି । ୱାଲମାର୍ଟ ମଲରେ ଜଣେ ଅଜଣା ବ୍ୟକ୍ତି ଅଚାନକ ଛୁରାମାଡ଼ କରିଥିଲା । ଏଥିରେ ୧୧ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଅଛନ୍ତି । ତେବେ ପୁଲିସ ଓ ୱାଲମାର୍ଟର ସୁରକ୍ଷା କର୍ମୀମାନେ ଆକ୍ରମଣକାରୀକୁ କାବୁ କରିବାରେ ସଫଳ ହୋଇଛନ୍ତି । କାଉଣ୍ଟିର ସେରିଫ ଘଟଣାର ତଦନ୍ତ କରୁଛନ୍ତି । ଏଫବିଆଇ ମଧ୍ୟ ତଦନ୍ତରେ ସହାୟତା କରୁଛି । ଜନଗହଳି ସ୍ଥାନ ଓ ସ୍କୁଲକଲେଜରେ ଛୁରାମାଡ଼ ଏବଂ ଗୁଳିମାଡ଼ ଆମେରିକାରେ ନୂଆ ନୁହେଁ ।
…..
୯.
ଦୀର୍ଘ ବର୍ଷ ପରେ ପୁଣି ତ୍ରିପୋଲି ଯିବ ସିଆରପିଏଫ, ଭାରତୀୟ ଦୂତାବାସକୁ ସୁରକ୍ଷା ଦେବ
ଲିବ୍ୟାର ରାଜଧାନର ତ୍ରିପୋଲିରେ ଥିବା ଭାରତୀୟ ଦୂତାବାସକୁ ଜଗିବ ସିଆରପିଏଫ । ସିଆରପିଏଫର ୪୦ ଜଣ କମାଣ୍ଡୋ ଜଣେ ଡେପୁଟି କମାଣ୍ଡାଣ୍ଟ ର୍ୟାଙ୍କର ଅଫିସରଙ୍କ ସହ ରହିବେ । କମାଣ୍ଡୋ ମାନେ ଶୀଘ୍ର ଲିବ୍ୟା ଅଭିମୁଖେ ଯିବେ । ଏହା କହିଛନ୍ତି ସିଆରପିଏଫ ମହାନିଦେ୍ର୍ଦଶକ ଜ୍ଞାନେନ୍ଦ ପ୍ରତାପ ସିଂହ । ପ୍ରାୟ ପାଞ୍ଚ ବର୍ଷ ବନ୍ଦ ରହିବା ପରେ ଗତବର୍ଷ ଜୁଲାଇରେ ଭାରତୀୟ ଦୂତାବାସ ତ୍ରିପୋଲିରେ କାର୍ଯ୍ୟକ୍ଷମ ହୋଇଛି । ୨୦୧୧ ମସିହାରେ ଗଦ୍ଦାଫି ସରକାରଙ୍କ ପତନ ପରେ ଲିବ୍ୟାରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା । ୨୦୧୯ରେ ଅଚାନକ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ତେଣୁ ଭାରତୀୟ ଦୂତାବାସ ବନ୍ଦ କରି ଦିଆଯାଇଥିଲା । ଦୂତାବାସର କାମ ପ୍ରଥମେ ଟୁ୍ୟନିସିଆ ଏବଂ ପରେ ମାଲଟାକୁ ସ୍ଥାନାନ୍ତର ହୋଇଥିଲା । ୨୦୧୪ରେ ଲିବ୍ୟାରୁ ପ୍ରାୟ ୩୮୦୦ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଥିଲା ।
…..
୧୦.
ବିହାରରେ ଭୋଟର ତାଲିକା ସଂଶୋଧନକୁ ବନ୍ଦ ପାଇଁ ଇଣ୍ଡିଆ ବ୍ଲକର ଦାବି
ବିହାରରେ ନିର୍ବାଚନ କମିଶନ ଏବେ କରୁଛନ୍ତି ଭୋଟର ତାଲିକା ସଂଶୋଧନ । ଏହାକୁ କୁହାଯାଉଛି ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ ବା ଏସଆଇଆର । ଏ ପର୍ଯ୍ୟନ୍ତ ରାଜ୍ୟରେ ୬୩ ଲକ୍ଷ ଭୋଟରଙ୍କୁ ତାଲିକାକୁ ବାଦ ଦେବାକୁ କମିଶନ ଚିହ୍ନଟ କଲେଣି । ମୃତୁ୍ୟ, ସ୍ଥାନାନ୍ତର କିମ୍ବା ଅନ୍ୟ କୌଣସି କାରଣରୁ ଏମାନେ ସେମାନଙ୍କ ଠିକଣାରେ ନାହାନ୍ତି ବୋଲି କମିଶନ ଦର୍ଶାଇଛନ୍ତି । କିନ୍ତୁ କମିଶନଙ୍କ ଏହି ସଂଶୋଧନ ପ୍ରକ୍ରିୟାରେ କଡ଼ା ଆପତ୍ତି ଉଠାଇଛି ଇଣ୍ଡିଆ ବ୍ଲକ । କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଭୀ କହିଛନ୍ତି, କମିଶନଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଏବଂ ଉଦେ୍ଦଶ୍ୟମୂଳକ । ଠିକ ଭାବେ ଯାଞ୍ଚ ନ କରି ତାଲିକାରୁ ଭୋଟରଙ୍କ ନାମ ବାଦ୍ ଦିଆଯାଉଛି । ପ୍ରାୟ ୨କୋଟି ଭୋଟରଙ୍କୁ ବାଦ୍ ଦେବାକୁ କମିଶନ ଯୋଜନା କରିଛନ୍ତି । କମିଶନର ଏଭଳି କାର୍ଯ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧ୍ୱଂସ କରିଦେବ ବୋଲି ଦର୍ଶାଇ ଏହାକୁ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି ।
…..
୧୧.
ଯୁଦ୍ଧବିରତି ପାଇଁ କାମ୍ବୋଡିଆ-ଥାଇଲାଣ୍ଡ ସହମତ, ମାଲେସିଆରେ ହେବ ଆଲୋଚନା
ଚାରି ଦିନର ଘମାଘୋଟ ଯୁଦ୍ଧ ପରେ ଶାନ୍ତି ପାଇଁ ସହମତ ହୋଇଛନ୍ତି ଥାଇଲାଣ୍ଡ ଓ କାମ୍ବୋଡିଆ । ଦୁଇ ଦେଶର ନେତା ସୋମବାର ମାଲେସିଆରେ ଅରାଲାଚନା ଟେବୁଲକୁ ଆସିବାକୁ ରାଜି ହୋଇଛନ୍ତି । ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି । ଦୁଇ ଦେଶର ସୀମା ବିବାଦ ହ୍ରାସ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି । ଦୁଇ ଦେଶ ଯୁଦ୍ଧ ବନ୍ଦ ନ କଲେ ସେମାନଙ୍କ ସହ ବାଣିଜ୍ୟ ଚୁକ୍ତିନପାମା ହେବନି ବୋଲି ଶନିବାର ଟ୍ରମ୍ପ ସୋସିଆଲ ମିଡିଆରେ ଧମକ ଦେଇଥିଲେ । ଚାରି ଦିନର ଯୁଦ୍ଧର ଦୁଇ ଦେଶର ୩୪ ଜଣଙ୍କ ପ୍ରାଣହାନି ହୋଇଛି । ଏକ ଲକ୍ଷ ୬୮ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।
…..
12.
ଗୁଗୁଲ୍ ଏଆଇର କମାଲ: ଏବେ ଆପଣଙ୍କ କଥାରେ ତିଆରି ହେବ ଉଲ୍ ବୁଣା ଚିତ୍ର
ଗୁଗୁଲ୍ ନିଜର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ‘ଜେମିନି’ରେ ଏକ ନୂଆ ମଜାଦାର୍ ସୁବିଧା ଆଣିଛି। ବର୍ତ୍ତମାନ ଆପଣଙ୍କ ନିର୍ଦ୍ଦେଶରେ ଜେମିନି ‘କ୍ରୋଶିଆ ଶୈଳୀ’ର ଚିତ୍ର ତିଆରି କରିପାରିବ, ଯାହା ଦେଖିବାକୁ ଠିକ୍ ଉଲ୍ ସୂତାରେ ବୁଣା କାମ ଭଳି। ବ୍ୟବହାରକାରୀମାନେ କେବଳ ଲେଖିକି ନିର୍ଦ୍ଦେଶ ଦେବେ ଏବଂ ଜେମିନି ସେହି କଳ୍ପନାକୁ ଚିତ୍ରରେ ପରିଣତ କରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ‘ଟୋପି ପିନ୍ଧିଥିବା ଏକ ବିଲେଇ’ ଲେଖନ୍ତି, ତେବେ ଏଆଇ ତୁରନ୍ତ ଉଲ୍ରେ ତିଆରି ହେଲା ଭଳି ଏକ ସୁନ୍ଦର ଚିତ୍ର ଦେଖାଇବ। ଏହି ନୂଆ ଫିଚର୍ କଳାକାର ଏବଂ ସାଧାରଣ ଲୋକଙ୍କୁ ନିଜର କଳ୍ପନାକୁ ଏକ ନିଆରା ରୂପ ଦେବା ପାଇଁ ଏକ ନୂଆ ମାଧ୍ୟମ ଯୋଗାଇଛି।
……
13.
ଏବେ ଡେଲିଭରି ଆପ୍ ବିନା ସିଧା ରେଷ୍ଟୁରାଣ୍ଟରୁ ହେବ ଖାଦ୍ୟ ଅର୍ଡର୍
ପରପ୍ଲେକ୍ସିଟି ଏଆଇ ନାମକ କମ୍ପାନୀ ‘କମେଟ୍’ ନାମରେ ଏକ ନୂଆ ଏଆଇ-ଚାଳିତ ୱେବ୍ ବ୍ରାଉଜର୍ ଆଣିଛି। ଏହାର ସବୁଠୁ ବଡ଼ ସୁବିଧା ହେଉଛି, ଏହା ଡେଲିଭରି ଆପ୍ ବିନା ସିଧାସଳଖ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର୍ କରିପାରିବ। କମ୍ପାନୀ ଅନୁଯାୟୀ, ଏହାଦ୍ୱାରା ଖର୍ଚ୍ଚ କମ୍ ହେବା ସହ ଲୋକଙ୍କୁ ସୁବିଧା ମିଳିବ। ଏହା କେବଳ ଏକ ସାଧାରଣ ବ୍ରାଉଜର୍ ନୁହେଁ, ବରଂ ଏକ ‘ଏଜେଣ୍ଟିକ୍ ଏଆଇ’ ଯାହା ବ୍ୟବହାରକାରୀଙ୍କ ନିର୍ଦ୍ଦେଶରେ ନିଜେ ଚିନ୍ତା କରି କାମ କରେ। ଖାଦ୍ୟ ଅର୍ଡର୍ ବ୍ୟତୀତ, ଏହା ଲିଙ୍କଡଇନ୍ରେ ମେସେଜ୍ ପଠାଇବା ଭଳି କାମକୁ ମଧ୍ୟ ସ୍ୱୟଂଚାଳିତ କରିପାରିବ। ବର୍ତ୍ତମାନ ଏହି ବ୍ରାଉଜର୍ କେବଳ ନିମନ୍ତ୍ରିତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଅଛି। ଏହାର ଲକ୍ଷ୍ୟ ହେଉଛି ଗୁଗୁଲ୍ କ୍ରୋମ୍ ଭଳି ବଡ଼ ବ୍ରାଉଜରମାନଙ୍କୁ ପ୍ରତିଯୋଗିତାରେ ପକାଇବା।
…..
14.
ବଳାକ୍ରାର ମାମଲାରେ ଜେଲ ଗଲେ ବିଜେଡି କର୍ପୋରେଟର ଅମରେଶ ଜେନା
ଝାରପଡ଼ା ଜେଲ୍ ଗଲେ ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା । ତାଙ୍କ ନାମରେ ଆସିଛି ବଳାକ୍ରାର ମାମଲା । କୋର୍ଟରେ ଜାମିନ ଆବେଦନ ନାମଂଜୁର ହେବା ପରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି । କିଛି ଦିନ ତଳେ ଜଣେ ନାବାଳିକା ତାଙ୍କ ନାମରେ ଅଭିଯୋଗ ଆଣିଥିଲେ । ସେ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ ଏବଂ ଗଭପାତ କରିବାକୁ ବାଧ୍ୟ କରିଥିବା ଏତଲାରେ ଉଲ୍ଲେଖ ଥିଲା । ଅମରେଶ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ । ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ ଶନିବାର କମିଶନରେଟ ପୁଲିସ ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ରବିବାର ଅମରେଶଙ୍କୁ ପୁଲିସ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ଗିରଫ କରିଛି ।
…..
15.
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଲା ହତ୍ୟା ଧମକ
ଚବିଶ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ଗୁଳି କରିବି, ସତ୍ୟ କହୁଛି । ଏଭଳି ଏକ ଧମକ ବିହାରରେ ଚର୍ଚ୍ଚାର ବିଷୟ ହୋଇଛି । ସମ୍ରାଟ ଚୌଧୁରୀ ବିହାରର ଉପମୁଖ୍ୟମନ୍ତ୍ରୀ । ତାଙ୍କର ଜଣେ ସହଯୋଗୀଙ୍କ ମୋବାଇଲ ଫୋନର ହ୍ୱାଟ୍ସଆପକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି । ପୁଲିସ ତୁରନ୍ତ ସମ୍ରାଟ ଚୌଧୁରୀଙ୍କ ସୁରକ୍ଷା ବଢ଼ାଇବା ସହ ତଦନ୍ତ ଆରମ୍ଭ କରିଛି । ଏକ ଅଜଣା ନମ୍ବରରୁ ଏହି ମେସେଜ ଆସିଛି । ଅପରପକ୍ଷରେ ସମ୍ରାଟ କହିଛନ୍ତି, ଯିଏ ଯାହା ଚାହୁଁଛି କରନ୍ତୁ । ବିହାରର ଲୋକମାନେ ଜାଣନ୍ତି ଆମେ ରାଜ୍ୟର ବିକାଶ ପାଇଁ କାମ କରୁଛୁ । ରାଜ୍ୟବାସୀ ଖୁସି ଅଛନ୍ତି । କାହାର ଧମକରେ ମୋତେ ଫରକ ପଡ଼ୁନି ।
…..
16.
ମହାରାଷ୍ଟ୍ର ସରକାରଙ୍କୁ କଟାକ୍ଷ କଲେ ଗଡକରୀ, କହିଲେ ସରକାର ଅଦରକାରୀ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସର୍ବଦା ନିଜର ରୋକଠୋକ ମନ୍ତବ୍ୟ ପାଇଁ ପରିଚିତ । ମହାରାଷ୍ଟ୍ର ସରକାରଙ୍କୁ ସେ କରିଛନ୍ତି କଡ଼ା କଟାକ୍ଷ । ନାଗପୁରରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ସେ କହିଛନ୍ତି, ନାଗପୁର ସହରରେ ସେ ୩୦୦ ଟି ଛୋଟ ଏବଂ ମଧ୍ୟମ ଷ୍ଟାଡିୟମ ନିର୍ମାଣ କରିବାକୁ ଇଚ୍ଛା କରୁଥିଲେ । କିନ୍ତୁ ସରକାରୀ କଳ ଏଥିରେ ବାଧା ଦେଉଛି । ସରକାର ଏକ ଅଦରକାରୀ ଜିନିଷ ବୋଲି କହି ସେ ବିରକ୍ତି ପ୍ରକାଶ କରିଥିଲେ । ସରକାରୀ କଳ କେବଳ ଚାଲୁଥିବା ଗାଡ଼ିକୁ ପଂକଚର କରିବା ପାଇଁ କାମ କରୁଛି ବୋଲି ସେ କହିଥିଲେ । ରାଜନୀତି ଉପରେ ସେ କହିଥିଲେ, ରାଜନୀତି ଏକ ମାଗଣା ବଜାର । ରାଜନେତାଙ୍କ ଠାରୁ ମାଗଣା ଜିନିଷ ପାଇବାକୁ ସମସ୍ତେ ଉଦ୍ୟମ କରନ୍ତି । ଆପଣଙ୍କର ଭଲ ଦିନ ଥିଲେ ସମସ୍ତେ ପଚାରିବେ, ଖରାପ ଦିନରେ କେହି ଆପଣଙ୍କ କଥା ଚିନ୍ତା କରିବେ ନାହିଁ । ଗଡକରୀଙ୍କ ମନ୍ତବ୍ୟ ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା ।
…..
17.
ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୭୯ ଯାତ୍ରୀ
ଆମେରିକାର ଡେନଭର ଆନ୍ତର୍ଜାତିକ ବିମାନବନ୍ଦରରେ ଅଭାବନୀୟ ଘଟଣା ଦେଖିବାକୁ ମିିଛି । ଆମେରିକୀୟ ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନରେ ଉଡ଼ାଣ ପୂର୍ବରୁ ଲ୍ୟାଣ୍ଠିଙ୍ଗ ଗିଅର ଫେଲ୍ ହୋଇଯାଇଥିଲା । ତତକ୍ଷଣାତ ବିମାନର ଉଡ଼ାଣକୁ ରୋକାଯାଇଥିଲେ ମଧ୍ୟ ପଛ ପାଶ୍ୱର୍ରେ ନିଆଁ ଲାଗି ଯାଇଥିଲା । ବିମାନଟି ମିଆଁମି ଯିବାର ଥିଲା । ବିମାନରେ ମୋଟ ୧୭୩ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ଥିଲେ । ଜରୁରୀ ସ୍ଥିତି ଉତ୍ପନ୍ନ ହେବାରୁ ଯାତ୍ରୀମାନେ ଏମର୍ଜେନ୍ସି ସ୍ଲାଇଡ ବାଟେ ବାହାରକୁ ଆସିଥିଲେ । ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆମେରିକୀୟ ଏୟାରଲାଇନ୍ସ ଏବଂ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ ଘଟଣାର ତଦନ୍ତ କରୁଛି ।
…..
18.
ବିହାରରେ ଭୋଟର ତାଲିକା ସଂଶୋଧନର ପ୍ରଥମ ପର୍ଯ୍ୟାୟ ଶେଷ, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ବିହାରରେ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ଏହା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା । ଏଥିରେ ରାଜ୍ୟର ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭ କୋଟି ୨୪ ଲକ୍ଷ ଭୋଟର ପଂଜିକରଣ ଫର୍ମ ଦାଖଲ କରିଛନ୍ତି । ଏହା ମୋଟ ଭୋଟରଙ୍କ ୯୫.୯୨ ପ୍ରତିଶତ । ଅବଶିଷ୍ଟ ୬୫ ଲକ୍ଷ ୨୦ ହଜାର ଭୋଟର ବାଦ୍ ପଡ଼ିଛନ୍ତି । ସେଥିରେ ୨୨ ଲକ୍ଷ ମୃତ ଭୋଟର, ୩୬ ଲକ୍ଷ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ଏବଂ ୭ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ଥିଲା । ଏହି ନୂଆ ତାଲିକା ଅଗଷ୍ଟ ୧ ତାରିଖରେ ଶେଷ ହେବ । ଏହାପରେ ଅଭିଯୋଗ ଗ୍ରହଣ କରାଯିବ । ଅପରପକ୍ଷରେ ଏହି ପ୍ରକ୍ରିୟା ବିରୋଧରେ ହୋଇଥିବା ଏକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ ।
…..
19.
ଅଗଷ୍ଟ ୯ରେ ସୁଭଦ୍ରାର ତୃତୀୟ କିସ୍ତି, ବାଦ୍ ପଡ଼ିଲେ ମାର୍ଚ୍ଚ ୮ରେ ପାଇବେ
ଆସନ୍ତା ଅଗଷ୍ଟ ୯ ତାରିଖ ରକ୍ଷାବନ୍ଧନରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ଏହା ମିଳିବ । କୋରାପୁଟ ଜିଲ୍ଲାର ଜୟପୁରରେ ଏଥିପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପଇସା ପଠାଇବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ଯଦି କେହି ବାଦ୍ ପଡ଼ିବେ ମାର୍ଚ୍ଚ ୮ ତାରିଖରେ ସେମାନେ ଏହା ପାଇପାରିବେ । ଅନ୍ୟପକ୍ଷରେ ସୁଭଦ୍ରା ଦ୍ୱିତୀୟ କିସ୍ତିରେ ବାଦ୍ ପଡ଼ିଥିବା ୧ ଲକ୍ଷ ୮୮ ହଜାର ମହିଳାଙ୍କ ଅଭିଯୋଗର ସର୍ଭେ କରାଯାଉଛି । ଯେଉଁମାନେ ଯୋଗ୍ୟ ସେମାନେ ଆସନ୍ତା ୯ ତାରିଖରେ ମଧ୍ୟ କିସ୍ତି ପାଇବେ ।
…..
20.
ଲେନ୍ସକାର୍ଟ ଆଣିବ ଆଇପିଓ: ଶେୟାର ବଜାରରୁ ଉଠାଇବ ୨୧୫୦ କୋଟି ଟଙ୍କା
ଭାରତର ପ୍ରମୁଖ ଚଷମା କମ୍ପାନୀ ‘ଲେନ୍ସକାର୍ଟ’ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଶେୟାର ବଜାରରେ ନିଜର ଆଇପିଓ (ଆଇପିଓ) ଆଣିବା ପାଇଁ ନିଜ ଅଂଶୀଦାରମାନଙ୍କଠାରୁ ଅନୁମୋଦନ ଲାଭ କରିଛି। ଏହା ଜରିଆରେ କମ୍ପାନୀ ବଜାରରୁ ୨,୧୫୦ କୋଟି ଟଙ୍କା ପାଣ୍ଠି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛି। ଆଇପିଓ ଆସିବା ପରେ, ସାଧାରଣ ଲୋକମାନେ ମଧ୍ୟ ଲେନ୍ସକାର୍ଟ କମ୍ପାନୀର ଶେୟାର କିଣିବାର ସୁଯୋଗ ପାଇବେ। ଏହି ପାଣ୍ଠିକୁ କମ୍ପାନୀ ନିଜ ବ୍ୟବସାୟର ବିସ୍ତାର, ନୂଆ ଷ୍ଟୋର ଖୋଲିବା ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ସ୍ଥିତିକୁ ଆହୁରି ମଜବୁତ୍ କରିବା ପାଇଁ ବ୍ୟବହାର କରିବ ବୋଲି ଜଣାପଡ଼ିଛି।
…..
21.
ଟିସିଏସ୍ ଛଟେଇ କରିବ ୧୨ ହଜାର କର୍ମଚାରୀ
ଟିସିଏସ୍ ବା ଟାଟା କନସଲଟାନ୍ସି ସର୍ଭିସେସ୍ । ଏହା ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଏହା କମ୍ପାନିର ମୋଟ ଶ୍ରମ ଶକ୍ତିର ୨ ପ୍ରତିଶତ । ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ସୃଷ୍ଟି ହୋଇଛି ଅନିଶ୍ଚିତତା ସ୍ଥିତି । ଏଥିସହ ଏଆଇ ଭିତ୍ତିକ ଟେକ୍ନୋଲୋଜି ଯୋଗୁ ବଜାର ଚାହିଦା ପ୍ରଭାବିତ ହୋଇଛି । ତେଣୁ କମ୍ପାନି କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ଗତ ଜୁନ୍ ମାସ ଶେଷ ସୁଦ୍ଧା ଟିସିଏସରେ ୬ ଲକ୍ଷ ୧୩ ହଜାର କର୍ମଚାରୀ କାର୍ଯ୍ୟରତ ଥିଲେ । ଏବେ କମ୍ପାନି ସମଗ୍ର ବିଶ୍ୱରେ ଥିବା ବିଭିନ୍ନ ଶାଖାରୁ ବିଭିନ୍ନ ଗ୍ରେଡର କର୍ମଚାରୀଙ୍କୁ ଛଟେଇ କରିବ । ନୋଟିସ ପିରିଅଡରେ କର୍ମଚାରୀମାନେ ପେମେଣ୍ଟ, ଅତିରିକ୍ତ ପ୍ୟାକେଜ, ଆଉଟପ୍ଲେସମେଣ୍ଟ ଏବଂ ବର୍ଦ୍ଧିତ ବୀମା ସୁବିଧା ପାଇପାରିବେ ବୋଲି କମ୍ପାନି କହିଛି ।
…..
22.
ଫିଡେ ମହିଳା ଚେସ୍ ବିଶ୍ୱକପରେ ହମ୍ପି-ଦିବ୍ୟା ମ୍ୟାଚ ଡ୍ର, ଆଜି ଟାଇବ୍ରେକରରେ ଫଳ
ବାତୁମିଠାରେ ଚାଲିଛି ଫିଡେ ମହିଳା ଚେସ୍ ବିଶ୍ୱକପ୍ ଫାଇନାଲ । ମୁକାବିଲା ହେଉଛି ଦୁଇ ଭାରତୀୟ ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପିଙ୍କ ମଧ୍ୟରେ । ଶନିବାର ଉଭୟଙ୍କ ମଧ୍ୟରେ କ୍ଲାସିକାଲ ଗେମ୍ ଡ୍ର ହୋଇଥିଲା । ପୁଣି ରବିବାର ମଧ୍ୟ କ୍ଲାସିକାଲ ଗେମ୍ ଡ୍ର ହୋଇଛି । ତେଣୁ ସୋମବାର ଟାଇବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯିବ । ଟାଇବ୍ରେକରରେ ଦୁଇଟି ର୍ୟାପିଡ ଗେମ୍ ଅନୁଷ୍ଠିତ ହେବ । ଏହାର ଅବଧି ୫ ମିନିଟ ଲେଖାଏ ରହିବ । ଯଦି ଫଳ ନ ମିଳିଲା ତେବେ ବ୍ଲିଜରେ ୩ ମିନିଟ ଲେଖାଏ ୨ଟି ଗେମ୍ ଖେଳାଯିବ । ତଥାପି ମ୍ୟାଚ୍ ଡ୍ର ରହିଲେ ଫଳ ମିଳିବା ପର୍ଯ୍ୟନ୍ତ ବ୍ଲିଜ ଗେମ୍ ଜାରି ରହିବ ।
…..
23.
ଅଗଷ୍ଟ ୧ରୁ ଲାଗୁ ହେବ ଟ୍ରମ୍ପଙ୍କ ତାରିଫ ନିୟମ, ଭାରି ବି ପ୍ରଭାବିତ ହେବ
ଆମେରିକାର ଟ୍ରମ୍ପ ପ୍ରଶାସନ ଲାଗୁ କରୁଛି ନୂଆ ତାରିଫ ନିୟମ । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହା ଲାଗୁ ହେବ । ଏହି ଅବଧି ଆଉ ବଢ଼ିବନି ବୋଲି ସ୍ପଷ୍ଟ କରିଛନ୍ତି ଆାମେରିକାର ବାଣିଜ୍ୟ ସଚିବ ହୋୱାର୍ଡ ଲୁଟନିକ । ଯେଉଁ ଦେଶ ପାଇଁ ଯାହା ଧାର୍ଯ୍ୟ କରାଯାଇଛି ତାହା ହିଁ ଲାଗୁ ହେବ । ବେସ୍ଲାଇନ ତାରିଫ ୧୫ ପ୍ରତିଶତରୁ କମ୍ କରାଯିବ ନାହିଁ । ଏହା ୧୦ପ୍ରତିଶତ ରହିବ ବୋଲି ପୂର୍ବରୁ କୁହାଯାଇଥିଲା । କିନ୍ତୁ ଏବେ ୧୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ନୂଆ ତାରିଖ ନିୟମ ଦ୍ୱାରା ଭାରତ ସମେତ ଅନେକ ଦେଶ ପ୍ରଭାବିତ ହେବେ । ଯେଉଁମାନେ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିବେ ସେମାନେ ପ୍ରଭାବିତ ହେବେ ନାହିଁ ବୋଲି ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ । ଆଲୋଚନା ସତ୍ତ୍ୱେ ଭାରତର ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇପାରିନି ।
…..
24.
ଚୋଳ ରାଜାଙ୍କ ଜୟନ୍ତୀରେ ସ୍ମାରକୀ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁ ଗସ୍ତ ଅବସରରେ ଅରିୟାଲୁରସ୍ଥିତ ଗଙ୍ଗଇକୋଣ୍ଡ ଚୋଳପୁରମ ମନ୍ଦିରରେ ପ୍ରଭୁ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ କହିଥିଲେ, ଚୋଳ ସାମ୍ରାଜ୍ୟ ଭାରତର ସ୍ୱର୍ଣ୍ଣିମ ଯୁଗ ମଧ୍ୟରୁ ଅନ୍ୟତମ । ଭାରତର ପରମ୍ପରାକୁ ମଧ୍ୟ ଚୋର ସାମ୍ରାଜ୍ୟ ଆଗକୁ ବଢ଼ାଇଥିଲା । ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର ଚୋଳ ସମ୍ରାଟ ରାଜା ରାଜେନ୍ଦ୍ର ଚୋଳଙ୍କ ଉଦେ୍ଦଶ୍ୟରେ ପ୍ରଣାମ କରିଥିଲେ । ତାଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀ ଜାରି କରିଥିଲେ ।
…..
25.
ଗାଜାରେ ପ୍ରଥମର ଥର ରିଲିଫ ବାଣ୍ଟିଲା ଇସ୍ରାଏଲ
ଗାଜାରେ ଆଖିବୁଜା ଗୁଳିମାଡ଼ କରି ଆତଙ୍କ କରୁଥିବା ଇସ୍ରାଏଲ ସୈନ୍ୟ ପ୍ରଥମ ଥର ରିଲିଫ ବାଣ୍ଟଛନ୍ତି । ରବିବାର ଆକାଶମାର୍ଗରୁ ଗାଜା ଅଞ୍ଚଳରେ ଅଟା, ଚିନି, ଔଷଧ ଓ ପ୍ୟାକେଟ ଖାଦ୍ୟା ସାମଗ୍ରୀ ପକାଯାଇଛି । ଆନ୍ତର୍ଜାତିକ ସଙ୍ଗଠନ ସହାୟତାରେ ରିଲିଫ ବଣ୍ଟନ କରାଯାଉଛି । ଗାଜାର କେତେକ ଅଞ୍ଚଳରେ ଯୁଦ୍ଧବିରତି ମଧ୍ୟ ଘୋଷଣା କରାଯାଇଛି । ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଜାତିସଂଘ ଅଧିକାରୀଙ୍କ ପାଇଁ ବାଟ ଛାଡ଼ିବାକୁ ମଧ୍ୟ ଇସ୍ରାଏଲ ସମ୍ମତି ଦେଇଛି । ଗାଜାରେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧକୁ ୨୨ ମାସ ହେଲାଣି । ଭୋକଉପବାସରେ ୧୩୦ ଜଣ ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରେ ୮୧ ଜଣ ଛୋଟ ପିଲା ଅଛନ୍ତି । ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଅନେକ ଅଞ୍ଚଳରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରୁଥିବାରୁ ବହୁ ଲୋକ ହତାହତ ହେଉଛନ୍ତି ।
….
26.
ଏଆଇ ବିଶେଷଜ୍ଞଙ୍କୁ ନେଇ ମେଟା ଓ ଓପନଏଆଇ ମଧ୍ୟରେ ଲଢେଇ: ମୁଁ ଜିତିବି କହିଲେ ସାମ୍ ଅଲ୍ଟମ୍ୟାନ୍
ଏଆଇ ଦୁନିଆରେ ବଡ଼ କମ୍ପାନୀମାନଙ୍କ ମଧ୍ୟରେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ପାଇଁ ଏକ ବଡ଼ ଲଢେଇ ଆରମ୍ଭ ହୋଇଛି। ଫେସବୁକର ମାଲିକ କମ୍ପାନୀ ମେଟା ଏବଂ ଚାଟଜିପିଟି ତିଆରି କରିଥିବା ଓପନଏଆଇ ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଛନ୍ତି। ମେଟା ଅଧିକ ଦରମା ଦେଇ ଓପନଏଆଇର ବଡ଼ ବଡ଼ ଗବେଷକମାନଙ୍କୁ ନିଜ କମ୍ପାନୀକୁ ନେଇଯାଉଛି। ଏହାକୁ ନେଇ ଓପନଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ମେଟାର ଏହି କାର୍ଯ୍ୟକୁ ‘ଯୁଦ୍ଧର ଆହ୍ୱାନ’ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜିତିବାରେ ମଜା ଅଛି ଏବଂ ମୁଁ ଜିତିବି ବୋଲି ଆଶା କରୁଛି। ଖବର ଅନୁଯାୟୀ, ମେଟା କୋଟି କୋଟି ଟଙ୍କାର ପ୍ୟାକେଜ୍ ଦେଇ ବିଶେଷଜ୍ଞଙ୍କୁ ଆକର୍ଷିତ କରୁଛି। ବର୍ତ୍ତମାନ ବିଶ୍ୱରେ ଉନ୍ନତ ଏଆଇ ମଡେଲ ତିଆରି କରିପାରୁଥିବା ବିଶେଷଜ୍ଞଙ୍କ ସଂଖ୍ୟା ଖୁବ୍ କମ୍ ଥିବାରୁ ଏହି ପ୍ରତିଯୋଗିତା ବଢ଼ିବାରେ ଲାଗିଛି।
……
27.
ମହାରାଷ୍ଟ୍ରରେ ମହିଳାଙ୍କ ଯୋଜନାରୁ ଫାଇଦା ନେଇଥିବା ପୁରୁଷ ଫେରାଇବେ ଅର୍ଥ
ମହାରାଷ୍ଟ୍ର ସରକାର କଠୋର ହୋଇଛନ୍ତି । ‘ମୁଖ୍ୟମନ୍ତ୍ରୀ ଲଡକୀ ବେହେନ’ ଯୋଜନାରେ ଠକେଇ କରି ଯେଉଁ ପୁରୁଷ ମାନେ ଅର୍ଥ ନେଇଛନ୍ତି ସେମାନେ ତାହା ଫେରାଇବେ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଘଟଣାର ତଦନ୍ତ କରି ସେମାନଙ୍କୁ ଚିହ୍ନଟ କରାଯିବ । ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଅଭିଯୋଗ କରିଥିଲେ କି ୧୪ ହଜାର ୨୯୮ ଜଣ ପୁରୁଷ ଏହି ମହିଳାଙ୍କ ଯୋଜନାର ହିତାଧିକାରୀ ଭାବେ ଅର୍ଥ ନେଇଛନ୍ତି । ସେମାନେ ୨୧ କୋଟି ୪୪ ଲକ୍ଷ ଟଙ୍କା ନେଇଛନ୍ତି । ଏହି ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଥିଲେ । ତେବେ ରାଜ୍ୟର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅଦିତି ତଟକରେ କହିଛନ୍ତି, ଯୋଜନାରେ ମୋଟ ୨୬ ଲକ୍ଷ ୩୪ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥ ଦିଆଯାଇଛି ।
…..
28.
ରାନିଟିଡିନ ଔଷଧରେ କ୍ୟାନ୍ସର ସୃଷ୍ଟିକାରୀ କେମିକାଲ ଥିବା ଅଭିଯୋଗ, ତଦନ୍ତ ନିଦେ୍ର୍ଦଶ
ଏସିଡିଟି, ଗ୍ୟାସ ଓ ଛାତି ଜଳାପୋଡ଼ା ପାଇଁ ଲୋକମାନେ ଖାଉଥିବା ରାନିଟିଡିନ ଔଷଧର ପ୍ରସ୍ତୁତି ଉପରେ ତଦନ୍ତ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଔଷଧ ନିୟନ୍ତ୍ରଣ ଡିଜିସିଆଇ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା କୁହାଯାଇଛି । ରାନିଟିଡିନରେ ଏନଡିଏମଏର ମାତ୍ରା କେତେ ଅଛି ତାହା ଯାଞ୍ଚ ହେବ । କାରଣ ଏନଡିଏମଏ ଏକ ପ୍ରକାର କେମିକାଲ, ଯାହାକି କ୍ୟାନ୍ସର ସୃଷ୍ଟି କରିବାର ଆଶଙ୍କା ଥାଏ । ରାନିଟିଡିନ୍ ଔଷଧକୁ ବେଶୀ ଦିନ ମହଜୁଦ ରଖିଲେ ସେଥିରେ ଏନଡିଏମଏର ମାତ୍ରା ବଢ଼ୁଥିବା ଅଭିଯୋଗ ହୋଇଥିଲା ।
…..
29.
ଗିଳ୍, ଜାଦେଜା, ସୁନ୍ଦରଙ୍କ ଶତକ ବଳରେ ମାଞ୍ଚେଷ୍ଟର ଟେଷ୍ଟ ଡ୍ର କଲା ଭାରତ
ମାଞ୍ଚେଷ୍ଟର ଟେଷ୍ଟ ଡ୍ର ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନ ଲଢ଼େଇ କରି ସମ୍ମାନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଶୁବମନ ଗିଲ୍ ଓ କେ ଏଲ ରାହୁଲଙ୍କ ଭାଗିଦାରୀ ପରେ ରବିନ୍ଦ୍ର ଜାଦେଜା ଓ ୱାଶିଂଟନ ସୁନ୍ଦର ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ଭାରତର ୩୫୮ ରନ୍ ଜବାବରେ ଇଂଲଣ୍ଡ କରିଥିଲା ୬୬୯ ରନ୍ । ଇଂଲଣ୍ଡ ଭାରତଠାରୁ ୩୧୧ ରନ ଆଗୁଆ ଥିଲା । ଦ୍ୱିତୀୟ ଇନିଂସରେ ଭାରତ ପ୍ରଥମରୁ ଦୁଇଟି ୱିକେଟ ହରାଇ ବିପଦରେ ପଡ଼ିଥିଲା । ରାହୁଲ ୯୦ରନ୍ ଏବଂ ଗିଲ୍ ୧୦୩ ରନ କରି ଦଳର ସ୍ଥିତି ସୁଦୃଢ଼ କରିଥିଲେ । ଏହାପରେ ଜାଦେଜା ଓ ୱାଶିଂଟନ ମଧ୍ୟ ଶତକ ହାସଲ କରିଥିଲେ । ଜାଦେଜା ୧୦୭ ଏବଂ ୱାଶିଂଟନ ୧୦୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଖେଳ ଶେଷ ବେଳକୁ ଭାରତ ୪ ୱିକେଟରେ ୪୨୫ ରନ୍ କରିଥିଲା ।
….
30.
ଋଷ-ଉତ୍ତର କୋରିଆ ସମ୍ପର୍କରେ ନୂଆ ମୋଡ଼: ମସ୍କୋରୁ ପ୍ୟୋଙ୍ଗୟାଙ୍ଗକୁ ସିଧାସଳଖ ବିମାନ ସେବା ଆରମ୍ଭ
ଋଷ ଏବଂ ଉତ୍ତର କୋରିଆ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ୍ କରି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ରାଜଧାନୀ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ ମଧ୍ୟରେ ସିଧାସଳଖ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହୋଇଛି। ପ୍ରଥମ ବିମାନଟି ମସ୍କୋରୁ ଉତ୍ତର କୋରିଆ ଅଭିମୁଖେ ଯାତ୍ରା କରିଛି। ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବଢ଼ିବାରେ ଲାଗିଛି। ଖବର ଅନୁଯାୟୀ, ଉତ୍ତର କୋରିଆ ୟୁକ୍ରେନ ଯୁଦ୍ଧରେ ଋଷକୁ ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ପଠାଇ ସାହାଯ୍ୟ କରୁଛି। ଏହି ନୂଆ ବିମାନ ସେବା ଦ୍ୱାରା ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟନ ଏବଂ ଅର୍ଥନୈତିକ ସମ୍ପର୍କକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।