
୧.
ଆରବିଆଇ ବଢ଼ାଉଛି ସୁନା ଷ୍ଟକ,ଜୁନରେ କିଣିଲା ଅଧା ଟନ୍ ସୁନା
ବେଶ୍ କିଛି ଦିନ ଅନ୍ତରରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପୁଣି ସୁନା କ୍ରୟ କରିଛି । ରିଜର୍ଭ ବ୍ୟାଙ୍କ ଜୁନ୍ ଶେଷ ସପ୍ତାହରେ ଅଧା ଟନ୍ ସୁନା କ୍ରୟ କରିଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବିଗତ ବର୍ଷ ମାନଙ୍କରେ ସୁନାର ପରିମାଣ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷରେ ଏହାର ମୂଲ୍ୟ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ବିଦେଶୀ ମୁଦ୍ରା ଭଣ୍ଡାରରେ ୨୦୨୪ ଜୁଲାଇ ୧୯ରେ ସୁନା ୮.୯ ପ୍ରତିଶତ ଥିବା ବେଳେ ୨୦୨୫ ଜୁଲାଇ ୧୮ରେ ଏହା ଥିଲା ୧୨.୧ ପ୍ରତିଶତ । ଏହି ବ୍ୟାଙ୍କରେ ଜୁନ ୨୭ ରେ ସୁନା ଥିଲା ୮୭୯.୮ ଟନ୍ । ଏକ ସପ୍ତାହ ପୂର୍ବେ ଏହି ପରିମାଣ ଥିଲା ୮୭୯.୬ ଟନ୍ ।
…
୨.
କଂଗ୍ରେସରେ ବଢ଼ୁଛି ମତାନ୍ତର, ଶଶୀ ଥରୁରଙ୍କ ପରେ ମନୀଷ ତିୱାରୀ ଚର୍ଚ୍ଚାରେ
ସଂସଦରେ ‘ଅପରେସନ ସିନ୍ଦୂର ଚର୍ଚ୍ଚାରେ ଭାଗ ନେଇ ନାହାନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର୍ । ଅପରେସନ ପରେ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ସେ ବିଦେଶ ଯାଇଥିଲେ । ଖାସ୍ ଏଥିପାଇଁ ସେ ସଂସଦରେ ଅପରେସନ ସିନ୍ଦୂର ବାବଦରେ ନକରାତ୍ମକ ମନ୍ତବ୍ୟ ଦେବାକୁ ରାଜି ହୋଇନଥିଲେ । ତେଣୁ କଂଗ୍ରେସ ପକ୍ଷରୁ ଆଲୋଚନାରେ ଭାଗ ନେଇ ନାହାନ୍ତି । କଂଗ୍ରେସର ଆଉ ଜଣେ ଫାୟାରବ୍ରାଣ୍ଡ ସାଂସଦ ମନୀଷ ତିୱାରୀ ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ମନୀଷ ବି ସର୍ବଦଳୀୟ ପ୍ରତିନିଧି ଦଳରେ ବିଦେଶକୁ ଯାଇଥିଲେ । ସଂସଦର ବିତର୍କରେ କାହିଁକି ଅଂଶ ଗ୍ରହଣ କରିନାହାନ୍ତି ପ୍ରଶ୍ନର ଉତ୍ତରରେ ମନୀଷ ନିରବ ରହିଛନ୍ତି । ପରେ ସେ ସୋସିଆଲ ମିଡିଆରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପୋଷ୍ଟ କରିଛନ୍ତି । ସେହିପରି ଥରୁର ମଧ୍ୟ ପ୍ରଶ୍ନର ଉତ୍ତରରେ କହିଛନ୍ତି ‘ମୌନବ୍ରତ’ । ଅବଶ୍ୟ ଅନ୍ୟ ଦୁଇଟି ବିଲରେ ଏହି ଦୁଇ ସାଂସଦ ବିତର୍କରେ ଭାଗ ନେବେ ବୋଲି କହିଛନ୍ତି ।
…..
୩.
ୟୁପିଆଇ ପେମେଣ୍ଟରେ ଲାଗିବନି ଜିଏସଟି
ୟୁପିଆଇ ବ୍ୟବହାରକାରୀଙ୍କୁ ସରକାର ବଡ଼ ସୂଚନା ଦେଇଛନ୍ତି । ଫୋନ ପେ, ଗୁଗ୍ଲ ପେ ଭଳି ୟୁପିଆଇ ଜରିଆରେ ୨୦୦୦ ଟଙ୍କାରୁ ଊଦ୍ଧ୍ୱର୍ କାରବାର ଉପରେ କୌଣସି ଜିଏସ୍ଟି ଲାଗୁହେବ ନାହିଁ । ଅର୍ଥ ମନ୍ତ୍ରଣାଳୟର ଏହି ସୂଚନା ଫଳରେ କୋଟି କୋଟି ୟୁପିଆଇ ବ୍ୟବହାରକାରୀ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ଧରି ୟୁପିଆଇ କାରବାରରେ ଜିଏସ୍ଟି ଲାଗୁ ହେବ ବୋଲି ପ୍ରଚାର ହୋଇଥିଲା । ବେଙ୍ଗାଲୁରୁର ୬ ହଜାରରୁ ଊଦ୍ଧ୍ୱର୍ ବ୍ୟବସାୟୀଙ୍କୁ ସେମାନଙ୍କ ୟୁପିଆଇ କାରବାର ଆଧାରରେ ଜିଏସ୍ଟି ନୋଟିସ ମିଳିଥିଲା । ଏହି ଘଟଣାରେ କର୍ଣ୍ଣାଟକ ସମେତ ଦିଲ୍ଲୀ ଭଳି ବଡ଼ ବଡ଼ ସହରରେ ଅନେକ ଦୋକାନୀ ୟୁପିଆଇରେ ପେମେଣ୍ଟ ନେବାକୁ ମନା କରିଦେଇଥିଲେ । ସରକାର ୟୁପିଆଇ ପେମେଣ୍ଟ ଉପରେ ଟିକସ ଲାଗୁ କରିବେ ବୋଲି ବ୍ୟବସାୟଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା । ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ୟୁପିଆଇ କାରବାରରେ ଜିଏସ୍ଟି ଲାଗୁର କୌଣସି ଯୋଜନା ନଥିବା ସେ କହିଛନ୍ତି ।
…….
୪.
ଚୀନରେ ଭୀଷଣ ବନ୍ୟା, ୩୪ ଲୋକଙ୍କ ମୃତୁ୍ୟ
ଚୀନରେ କିଛିଦିନ ହେବ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଓ ଭୀଷଣ ବନ୍ୟା ଯୋଗୁ ୩୪ଜଣ ସାଧାରଣ ନାଗରିକଙ୍କ ମୃତୁ୍ୟ ହୋଇଛି । ଚୀନର ରାଜଧାନୀ ବେଜିଂରେ ଲୋକଙ୍କୁ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ସ୍ଥାନୀୟ ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ ସୋମବାର ରାତି ସୁଦ୍ଧା ଦୁଇ ପ୍ରଭାବିତ ଜିଲ୍ଲା ମିୟୁନରେ ୨୮ଜଣ ଓ ଯାନକିଙ୍ଗରେ ୨ଜଣଙ୍କ ପ୍ରାଣହାନି ହୋଇଛି । ଲଗାଣ ବର୍ଷା ଯୋଗୁ ବେଜିଂରେ ୮୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପଡ଼ୋଶୀ ହେୱେଇ ପ୍ରାନ୍ତରେ ଭୂସ୍ଖଳନ ଯୋଗୁ ୪ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୮ଜଣ ମଧ୍ୟ ନିଖୋଜ ରହିଛନ୍ତି । ହେୱେଇର ଲୁଆନପିଙ୍ଗ୍ର ଏକ ଗ୍ରାମୀଣ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିଲା । ବନ୍ୟା ଯୋଗୁ ଏହି ସମସ୍ତ ଅଞ୍ଚଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ ହୋଇଯାଇଛି ।
….
୫.
୨୨ ଅନାଥ ପିଲାଙ୍କୁ ପୋଷ୍ୟ ଗ୍ରହଣ କରିବେ ରାହୁଲ ଗାନ୍ଧୀ
ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ୨୨ ଅନାଥ ପିଲାଙ୍କୁ ପୋଷ୍ୟ କରିବେ । ‘ଅପରେସନ ସିନ୍ଦୂର’ ସମୟରେ ସୀମା ପାରି ଗୁଳିମାଡ଼ରେ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ପିଲାମାନେ ବେସାହାରା ହୋଇପଡ଼ିଥିଲେ । ଏବେ ସେମାନଙ୍କର ଭବିଷ୍ୟତର ଶିକ୍ଷା ଲାଗି ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇଦେବେ । ସେମାନେ ସ୍ନାତକ ପାଠ୍ୟକ୍ରମ ସମାପ୍ତ କରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ । ଚଳିତ ସପ୍ତାହରେ ପ୍ରଥମ ସହାୟତା କିସ୍ତି ପ୍ରଦାନ କରାଯିବ । ଜମ୍ମୁ କଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ ଏହା କହିଛନ୍ତି । ‘ଅପରେସନ ସିନ୍ଦୂର’ ପରେ ଗତ ମେ ମାସରେ ରାହୁଲ ଗାନ୍ଧୀ ପୁଞ୍ଚ୍ ଗସ୍ତରେ ଆସିଥିଲେ । ସେହି ସମୟରେ ପ୍ରଭାବିତ ପିଲାମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦଳୀୟ ନେତାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ରେକର୍ଡ ଯାଞ୍ଚ ପରେ ପିଲାଙ୍କ ତାଲିକା ପ୍ରସ୍ତୁତ ହୋଇଛି ।
……
୬.
ନୁ୍ୟୟର୍କରେ ଗୁଳିମାଡ଼; ପୁଲିସ ଅଧିକାରୀଙ୍କ ସମେତ ୫ ମୃତ
ଆମେରିକାର ପ୍ରମୁଖ ସହର ନୁ୍ୟୟର୍କରେ ମଙ୍ଗଳବାର ଏକ ଭୟଙ୍କର ଘଟଣା ଘଟିଛି । ଜଣେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ଜଣ ଲୋକଙ୍କ ମୃତୁ୍ୟ ହୋଇଛି । ଯେଉଁଥିରେ ଜଣେ ପୁଲିସ ଅଧିକାରୀ ଅଛନ୍ତି । ଏହି ନିର୍ମମ ହତ୍ୟାକାଣ୍ଡ ନୁ୍ୟୟର୍କର ବ୍ୟସ୍ତବହୁଳ ମିଡ୍ଟାଉନ ମାନହାଟନ୍ର ଅଞ୍ଚଳରେ ଘଟିଛି । ଏଠାରେ ଥିବା ଏକ ଅଟ୍ଟାଳିକା ଭିତରେ ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳି ବିନିମୟରେ ଜଣେ ପୁଲିସ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ଅପରପକ୍ଷରେ ସନ୍ଦିଗ୍ଧ ଯୁବକ ଜଣଙ୍କ ମଧ୍ୟ ପୁଲିସ ଗୁଳିରେ ଟଳି ପଡ଼ିଥିବା ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ସନ୍ଦିଗ୍ଧ ଯୁବକର ପରିଚୟ ଖୋଜା ଚାଲିଛି । ଏହି ଘଟଣାରେ ଆମେରିକାରେ ପ୍ରଚଳିତ ବନ୍ଧୁକ ସଂସ୍କୃତି ଓ ନିୟନ୍ତ୍ରଣ ନୀତି ଉପରେ ସାଧାରଣରେ ପୁଣି ପ୍ରଶ୍ନ ଉଠିଛି ।
……
୭.
ଓଡ଼ିଶାରେ ନାରୀ ଅସୁରକ୍ଷିତ, ସଂସଦ ବାହାରେ ବର୍ଷାରେ ବିଜେଡି ସାଂସଦଙ୍କ ବିକ୍ଷୋଭ
ସଂସଦ ବାହାରେ ବିଜେଡି ସାଂସଦ କରିଛନ୍ତି ବିକ୍ଷୋଭ । ଅଭିଯୋଗ କରିଛନ୍ତି ଓଡ଼ିଶାରେ ନାରୀ ଅସୁରକ୍ଷିତ । ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ଏହାର ପ୍ରତିବାଦ କରିଛନ୍ତି ସାଂସଦ ମାନେ । ବର୍ଷାରେ ଭିଜି ଭିଜି ସାଂସଦ ବାହାରେ ଓଡ଼ିଶା ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ବାଲେଶ୍ୱର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ସାଂସଦମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ନାରାବାଜି କରିଥିଲେ । ଡବଲ ଇଞ୍ଜିନ ସରକାରରେ ମହିଳା ଓ ଶିଶୁ ଅସୁରକ୍ଷିତ ବୋଲି ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓ କହିଥିଲେ ।
……
୮.
ଚାନ୍ଦିପୁରରେ ‘ପ୍ରଳୟ’ କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ
‘ପ୍ରଳୟ’ କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ଓଡ଼ିଶା ଉପକୂଳରେ ଚାନ୍ଦିପୁରଠାରେ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ – ଡିଆରଡିଓ ଦ୍ୱାରା ଏହି ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସୂଚନା ଦେଇଛନ୍ତି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପ୍ରଣାଳୀର ସର୍ବାଧିକ ଏବଂ ସର୍ବନିମ୍ନ ଦୂରଗାମୀ କ୍ଷମତାକୁ ଯାଞ୍ଚ କରିବାକୁ ଏହି ପରୀକ୍ଷା ହୋଇଥିଲା । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ- ଆଇଟିଆର ର ବିଭିନ୍ନ ଟ୍ରାକିଂ ପ୍ରଣାଳୀରେ କ୍ଷେପଣାସ୍ତ୍ରର ସଫଳତା ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ଲକ୍ଷ୍ୟଭେଦ କରିବାକୁ ସକ୍ଷମ ।
……
୯.
ବିହାର ଭୋଟର ତାଲିକା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଚେତାବନୀ,ସମସ୍ୟା ହେଲେ ହସ୍ତକ୍ଷେପ କରିବୁ
ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆରଇ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି । ଏସଆରଇ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ଉପରେ ରହିତାଦେଶ ଦେଇନାହାନ୍ତି । କିନ୍ତୁ ଚେତାବନୀ ଦେଇ କହିଛନ୍ତି, ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ କୋର୍ଟଙ୍କ ନଜର ରହିଛି । ଯଦି ତାଲିକାରୁ ଅଧିକ ପରିମାଣର ନାମ ବାଦ୍ ଦିଆଯାଏ ତେବେ କୋର୍ଟ ହସ୍ତକ୍ଷେପ କରିବାକୁ ବାଧ୍ୟ ହେବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ ଓ ୧୩ ତାରିଖରେ ହେବ । ପ୍ରକ୍ରିୟାରେ କୌଣସି ଅନିୟମିତତା ଦୃଷ୍ଟିକୁ ଆସୁଥିଲେ ଅଗଷ୍ଟ ୮ ତାରିଖ ପୂର୍ବରୁ ଲିଖିତ ଭାବେ ଜଣାଇବାକୁ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ କପିଲ ସିବଲ ଓ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରୁଛନ୍ତି
……
୧୦.
୧୮ କାଉଡ଼ିଆଙ୍କ ଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ପ୍ରାଣଗଲା
ମହାଦେବ ଶିବଙ୍କୁ ଜଳ ଲାଗି କରି ଫେରୁଥିଲେ । ଦୁର୍ଘଟଣାରେ ୧୮ ଜଣ କାଉଡ଼ିଆଙ୍କ ଯାତ୍ରା ଶେଷଯାତ୍ରା ପାଲଟିଛି । ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଝାଡ଼ଖଣ୍ଡର ଦେଓଗଡ଼ ମହାନପୁର ଥାନା ଅନ୍ତର୍ଗତ ଜାମୁନିଆ ଜଙ୍ଗଲରେ ଘଟିଛି ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇ ଯାଉଥିବା ବସକୁ ଏକ ଟ୍ରକ ଧକ୍କା ଦେଇଥିଲା । ମଙ୍ଗଳବାର ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ଘଟଣା ହୋଇଥିଲା । ଦେଓଗଡ଼ର ବୈଦ୍ୟନାଥ ଧାମରେ ବାବା ବୈଦ୍ୟନାଥଙ୍କୁ ଜଳ ଲାଗି କରି କାଉଡ଼ିଆମାନେ ଫେରୁଥିଲେ । ଏହି ଧାମକୁ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ଜଳଲାଗି କରିବାକୁ ଯାଇଥାନ୍ତି ।
…
୧୧.
ଭାରତକୁ ଚିତା ସ୍ଥାନାନ୍ତରଣକୁ ସ୍ଥଗିତ ରଖିଲା ଆଫ୍ରିକା
ଭାରତକୁ ନୂତନ ଚିତା ବାଘ ସ୍ଥାନାନ୍ତରଣ ଉପରେ ଦକ୍ଷିଣ ଆଫି୍ରକା ସ୍ଥଗିତାଦେଶ ଜାରି କରିଛି । ପୂର୍ବରୁ ଭାରତକୁ ସ୍ଥାନାନ୍ତର ହୋଇଥିବା ଚିତାଗୁଡ଼ିକର ପ୍ରଥମେ ସ୍ୱାସ୍ଥ୍ୟାବସ୍ଥା ସମୀକ୍ଷା କରାଯିବ । ନିକଟରେ ଭାରତର ୩ ଜଣ ବିଶେଷଜ୍ଞ ଦକ୍ଷିଣ ଆଫି୍ରକା ଗସ୍ତ କରିଥିଲେ । ପୂର୍ବରୁ ସ୍ଥାନାନ୍ତର ହୋଇଥିବା ଚିତାଗୁଡ଼ିକର ସଫଳତା ଜଣାଇଥିଲେ । ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୧୭ଟି ଚିତା ମୁକ୍ତ ହୋଇ କିପରି ଅଛନ୍ତି ସୂଚନା ଦେଇଥିଲେ । ୧୯୪୭ରେ ଭାରତରେ ଚିତା ବାଘ ବିଲୁପ୍ତ ଘୋଷଣା ହୋଇଥିଲା । ବହୁ ବର୍ଷ ପରେ ୨୦୨୨ରେ ଚିତା ପୁନଃ ପ୍ରବର୍ତ୍ତନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ସେପ୍ଟମ୍ବର ୨୦୨୨ରେ ନାମ୍ବିଆରୁ ୮ଟି ଓ ଫେବୃଆରୀ ୨୦୨୩ରେ ଦକ୍ଷିଣ ଆଫି୍ରକାରୁ ୧୨ଟି ଚିତା ଅଣାଯାଇଥିଲା । କୁନୋ ଜାତୀୟ ଉଦ୍ୟାନରେ ଏହି ୨୦ଟି ଚିତାକୁ ଛଡ଼ା ଯାଇଥିଲା । ଗତ ଏପ୍ରିଲରେ ଆଉ ୮ଟି ଚିତା ଦକ୍ଷିଣ ଆଫ୍ରିକାରୁ ଆଣିବାକୁ ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ ମଧ୍ୟ ସମ୍ଭବପର ହୋଇ ନାହିଁ ।
…
୧୨.
ବିସିସିଆଇ ମୁଖ୍ୟାଳୟରୁ ଚୋରି; ଟଙ୍କା ନୁହେଁ ବରଂ ଜର୍ସି
ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବିସିସିଆଇର ମୁଖ୍ୟାଳୟରୁ ଚୋରି ହୋଇଛି । କଥାଟି ଅଜବ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଏହି ଚୋରି କୌଣସି ଟଙ୍କା ନୁହେଁ ବରଂ ଆଇପିଏଲର ଜର୍ସି ଚୋରି ହୋଇଛି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପରିସରରେ ଥିବା ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରୁ ଜଣେ ସିକୁ୍ୟରିଟି ଗାର୍ଡ ୨୦୨୫ ଆଇପିଏଲ୍ର କିଛି ଜର୍ସି ଚୋରି କରିଛି । ଏହି ବ୍ୟକ୍ତିଙ୍କ ନାମ ଫାରୁକ ଅସଲାମ ଖାନ । ସେ ଆଇପିଏଲ୍ର ୨୬୧ଟି ଜର୍ସି ଚୋରି କରିନେଇଛନ୍ତି । ପ୍ରତି ଜର୍ସିର ମୂଲ୍ୟ ୨୫୦୦ ଟଙ୍କା । ମୋଟ୍ ୨.୫୧ ଲକ୍ଷ ଟଙ୍କାର ଜର୍ସି ଚୋରି ହୋଇଛି । ପୁଲିସ ଫାରୁକଙ୍କୁ ଗିରଫ କରି ୧.୨୫ ଲକ୍ଷ ଟଙ୍କା ଜବତ କରିଛି । ବାକି ଟଙ୍କା ସେ ଜୁଆ ଖେଳି ହରାଇଦେଇଛି । ଘଟଣାରୁ ଜଣାପଡ଼ିଛି ଯେ, ଫାରୁଖ ଅନ୍ଲାଇନରେ ଜଣେ ଅଭ୍ୟାସଗତ ଜୁଆ ଖେଳାଳି ।
….
13.
ଓଏସଏପିରେ ଗୁର୍ଖା ସିପାହୀ ପଦବୀ ପାଇଁ ଆବେଦନ ଆହ୍ୱାନ
ଓଡ଼ିଶା ସ୍ପେଶାଲ ଆର୍ମଡ ପୋଲିସ (ଓଏସଏପି) ପକ୍ଷରୁ ୧୩୫ଟି ଗୁର୍ଖା ସିପାହୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତ ବା ନେପାଳରେ ରହୁଥିବା ଇଚ୍ଛୁକ ଗୁର୍ଖା ପୁରୁଷ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ପାସ୍ ରଖାଯାଇଛି, କିନ୍ତୁ ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଆବେଦନ ପ୍ରକ୍ରିୟା ଅଫଲାଇନ୍ ମାଧ୍ୟମରେ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏପି ୱେବସାଇଟରୁ ଫର୍ମ ଡାଉନଲୋଡ୍ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ୧୦ ସେପ୍ଟେମ୍ବର ୨୦୨୫। ନିଯୁକ୍ତି ପରୀକ୍ଷା ୧୭ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ୱେବସାଇଟଟି ହେଲା www.odisha.gov.in .
…
14.
ବ୍ୟାଙ୍କ ଅଫ୍ ବରୋଦାରେ ନିଯୁକ୍ତି ସୁଯୋଗ
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୯ଟି ପ୍ରଫେସନାଲ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ବି.ଟେକ୍/ବି.ଇ. କିମ୍ବା ଏମ୍.ଏସ୍.ସି. ଭଳି ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ସୀମା ୩୫ ରୁ ୪୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୯ ଜୁଲାଇରୁ ଆରମ୍ଭ ହୋଇଯାଇଛି | ଏହା ୧୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ bankofbaroda.in ମାଧ୍ୟମରେ ଆବେଦନ କରିପାରିବେ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୮୫୦ ଟଙ୍କା ଏବଂ ମହିଳା, ଏସସି, ଏସଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ରଖାଯାଇଛି।
…..
15.
କେନ୍ଦୁଝର ଜିଲ୍ଲା କୋର୍ଟରେ ନିଯୁକ୍ତି ସୁଯୋଗ
କେନ୍ଦୁଝର ଜିଲ୍ଲା କୋର୍ଟ ପକ୍ଷରୁ ୨୫ଟି ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଜୁନିଅର କିରାଣୀ-କମ୍-କପିଇଷ୍ଟ (୧୬), ଜୁନିଅର ଟାଇପିଷ୍ଟ (୪), ଷ୍ଟେନୋଗ୍ରାଫର (୪) ଏବଂ ସାଲାରିଡ୍ ଅମିନ (୧) ଭଳି ପଦବୀ ସାମିଲ ରହିଛି। ଏହି ପଦବୀଗୁଡ଼ିକ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଆବେଦନ ପ୍ରକ୍ରିୟା ୨୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ବୟସ କୋହଳର ସୁବିଧା ରହିଛି। ଆବେଦନ ଶୁଳ୍କ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଶିକ୍ଷାଗତ ଯୋଗ୍ୟତା, ଦରମା ଏବଂ ଆବେଦନ ଫର୍ମ ପାଇଁ କୋର୍ଟର ଅଫିସିଆଲ୍ ୱେବସାଇଟ୍ keonjhar.dcourts.gov.in ଦେଖନ୍ତୁ।
…..
16.
ଭାରତୀୟ ବିମାନବନ୍ଦର ପ୍ରାଧିକରଣରେ ନିଯୁକ୍ତି ସୁଯୋଗ
ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୩୨ଟି ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ମଧ୍ୟରେ ସିନିୟର ଆସିଷ୍ଟାଣ୍ଟ (ଇଲେକ୍ଟ୍ରୋନିକ୍ସ), ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ୍) ଏବଂ ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) ପଦ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୫ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇ ୨୬ ଅଗଷ୍ଟ ୨୦୨୫ରେ ଶେଷ ହେବ। ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଡିପ୍ଲୋମା, ବି.କମ୍ କିମ୍ବା ମାଷ୍ଟର ଡିଗ୍ରୀ ରଖାଯାଇଛି। ସାଧାରଣ ବର୍ଗ ପାଇଁ ଆବେଦନ ଫିସ୍ ୧୦୦୦ ଟଙ୍କା ଥିବାବେଳେ ମହିଳା, ଏସସି, ଏସଟି ଓ ଅନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ଫିସ୍ ଲାଗିବ ନାହିଁ। ଇଚ୍ଛୁକ ପ୍ରାର୍ଥୀମାନେ ଏଏଆଇର ଅଫିସିଆଲ୍ ୱେବସାଇଟ୍ aai.aero ଜରିଆରେ ଆବେଦନ କରିପାରିବେ।
…..
17.
ଅମିତ ଶାହଙ୍କ ସମାଲୋଚନା, ପିଓକେ ଜବାହରଲାଲ ନେହରୁ କରିଥିବା ଭୁଲର ପରିଣତି
ଲୋକସଭାରେ ‘ଅପରେସନ ସିନ୍ଦୂର’ ବିତର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଥିଲେ, କଂଗ୍ରେସ ନେତା ପି. ଚିଦାମ୍ବରମ ପହଲଗାଓ ଘଟଣାରେ ପାକିସ୍ତାନର ଲିଙ୍କ ନଥିବା କହୁଛନ୍ତି, ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । କଂଗ୍ରେସ ପୋଟା ଆଇନ ରଦ୍ଦ କରିଥିଲା । ଏବେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇ ଭୋଟ ରାଜନୀତି କରୁଛି । କଂଗ୍ରେସ ଅମଳରେ ଆତଙ୍କବାଦୀ ଭିସା ଦେଇ ଭାରତରେ ପ୍ରବେଶ କରୁଥିଲେ । ଦାଉଦ ଇବ୍ରାହିମ, ଟାଇଗର ମେମନ ଭଳି ଆତଙ୍କୀ କଂଗ୍ରେସ ଅମଳରେ ସହଜରେ ଦେଶରୁ ପଳାଇଥିଲେ । କଂଗ୍ରେସ ଯେଉଁ ହୁରିଆତ ନେତାଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେଉଥିଲା, ସେମାନଙ୍କୁ ମୋଦି ସରକାର ଜେଲରେ ଭର୍ତ୍ତି କରିଛନ୍ତି । ଆଜି ଯଦି ପିଓକେ ସୃଷ୍ଟି ହୋଇଛି କିମ୍ବା ଭାରତ ପାଇଁ ମୁଣ୍ଡବିନ୍ଧା ହୋଇଛି, ତାହା କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କରିଥିବା ଭୁଲର ପରିଣତି ।
..
18.
୧୯ ତାରିଖରୁ ରାଷ୍ଟ୍ରପତି ସନ୍ଦର୍ଭ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ
ବିଧାନସଭା ଗୁଡ଼ିକରେ ଗୃହୀତ ବିଧେୟକ ଉପରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ମଂଜୁରି ଦେବା ଲାଗି ସମୟସୀମା ଧାର୍ଯ୍ୟ ହୋଇପାରିବ କି? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ଏହି ପ୍ରଶ୍ନ ପଚାରିଥିଲେ । ଆସନ୍ତା ଅଗଷ୍ଟ ୧୯ ତାରିଖରୁ ଏହି ସାମ୍ବିଧାନିକ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ବି.ଆର.ଗଭଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ପି.ଏସ, ନରସିଂହା ଏବଂ ଜଷ୍ଟିସ ଏଏସ୍ ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ । ଅଗଷ୍ଟ ୧୨ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଲିଖିତ ଭାବେ ସେମାନଙ୍କ ପକ୍ଷ ରଖିବେ । ପ୍ରଥମେ କେରଳ ଓ ତାମିଲନାଡ଼ୁ ଭଳି ରାଜ୍ୟ କରିଥିବା ପ୍ରାରମ୍ଭିକ ଆପତ୍ତିର ଶୁଣାଣି ହେବ ।
..
19.
ଖଡଗେ ମାନସିକ ଭାରସାମ୍ୟ ହରାଇଥିବା କହି ଭୁଲ ମାଗିଲେ ନଡ୍ଡା
ରାଜ୍ୟସଭାରେ ଚାଲିଛି ‘ଅପରେସନ ସିନ୍ଦୂର’ ଆଲୋଚନା । ବିତର୍କରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଖଡଗେଙ୍କ ଭାଷଣ ଶେଷ ହେବା ପରେ ସଦନର ନେତା ଜେପି ନଡ୍ଡା ତାଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ନଡ୍ଡା ତାଙ୍କ ପଦ ଅନୁସାରେ ଶବ୍ଦ କହିନାହାନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ୧୧ ବର୍ଷ ହେଲା ବିରୋଧୀ ଆସନରେ ବସାଇଛନ୍ତି । ଖଡଗେ ସେଥିପାଇଁ ମାନସିକ ଭାରସାମ୍ୟ ହରାଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିଛନ୍ତି । ନଡ୍ଡାଙ୍କ ଏହି ବୟାନରେ ବିରୋଧୀ ଦଳ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଏଭଳି ବୟାନ ଲଜ୍ଝାର ବିଷୟ ବୋଲି କହିଥିଲେ । ଶେଷରେ ବାଧ୍ୟହୋଇ ଖଡ଼ଗେଙ୍କୁ ନଡ୍ଡା କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଗୃହ ଶାନ୍ତ ପଡ଼ିଥିଲା ।
..
20.
ଚୀନରେ ପ୍ରଥମ ଥର ରିଟେଲ ଷ୍ଟୋର ବନ୍ଦ କରିବ ଆପଲ୍, ଭାରତ ବଜାରକୁ ଫୋକସ୍
୨୦୦୮ରେ ଟେକ୍ କମ୍ପାନି ଆପଲ୍ ଚୀନରେ ପ୍ରଥମ ରିଟେଲ ଷ୍ଟୋର ଖୋଲିଥିଲା । ଆଗାମୀ ଦିନରେ କମ୍ପାନେି ଭାରତ ଓ ୟୁଏଇ ବଜାରକୁ ଗୁରୁତ୍ୱ ଦେବ ବୋଲି ସୂଚନା ଦେଇଛି । ତେବେ ଚୀନ ବଜାରରେ ଥିବା କମ୍ପାନିର ଅଂଶ ହ୍ରାସ କରିବାର ଯୋଜନା ନଥିବା ସ୍ପଷ୍ଟ କରିଛି । ଅଗଷ୍ଟ ୯ ତାରିଖରେ ଡାଲିୟାନ ସହରର ପାର୍କଲ୍ୟାଣ୍ଡ ମଲସ୍ଥିତ ଷ୍ଟୋରକୁ ଆପଲ୍ ବନ୍ଦ କରିବ । ଗ୍ରେଟର ଚୀନରେ ଆପଲର ମୋଟ ୫୬ଟି ଷ୍ଟୋର ରହିଛି । ଏହା ବିଶ୍ୱରେ ଥିବା ମୋଟ ଷ୍ଟୋର ସଂଖ୍ୟାର ୧୦ ପ୍ରତିଶତ । ସମଗ୍ର ବିଶ୍ୱରେ କମ୍ପାନିର ମୋଟ ୫୩୦ରୁ ଅଧିକ ଷ୍ଟୋର ରହିଛି । ଆପଲ ଆଗାମୀ ଦିନରେ ଭାରତ, ୟୁଏଇ ଏବଂ ସାଉଦି ଆରବ ବଜାରକୁ ଗୁରୁତ୍ୱ ଦେବ ବୋଲି ସୂଚନା ଦେଇଛି ।
..
21.
ଛଅ ବର୍ଷରେ ଦେଶରେ ୬୫ ହଜାର କୋଟି ଡିଜିଟାଲ ଟ୍ରାଞ୍ଜାକ୍ସନ
ଦେଶରେ ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । ୨୦୧୯-୨୦ ରୁ ୨୦୨୪-୨୫ ମଧ୍ୟରେ ଦେଶରେ ୬୫ ହଜାର କୋଟିରୁ ଅଧିକ ଡିଜିଟାଲ ଟ୍ରାଞ୍ଜାକ୍ସନ ହୋଇଛି । ଏହି ଟ୍ରାଞ୍ଜାକ୍ସନରେ ୧୨ ହଜାର ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ସଂସଦରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଡିଜିଟାଲ ପେମେଣ୍ଟ ବଢ଼ାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ, ଫଇନଟେକ୍, ବିଭିନ୍ନ ବ୍ୟାଙ୍କ ଏବଂ ରାଜ୍ୟ ସରକାର ମିଳିତ ଭାବେ କାମ କରୁଛନ୍ତି ।
..
22.
ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ଜଣଙ୍କ ପ୍ରାଣହାନି
ଗାଜାରେ ପୁଣି ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ୬୨ ଜଣଙ୍କ ପ୍ରାଣହାନି ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି । ଏକ ରିଲିଫ କେନ୍ଦ୍ରରେ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ୧୯ ଜଣ ଲୋକଙ୍କର ମଧ୍ୟ ମୃତୁ୍ୟ ହୋଇଛି । ଇସ୍ରାଏଲ ସେନା ରୋବୋଟ, ଟ୍ୟାଙ୍କ ଏବଂ ଡ୍ରୋନ ସହାୟତାରେ ଆକ୍ରମଣ କରିଥିଲେ । ୨୦୨୩ ଅକ୍ଟୋବର ମାସରୁ ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ମୃତୁ୍ୟ ସଂଖ୍ୟା ୬୦ ହଜାର ଅତିକ୍ରମ କଲାଣି । ପୁଷ୍ଟିହୀନତା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଗତ ଏପ୍ରିଲରୁ ଜୁଲାଇ ମାସରେ ୨୦ ହଜାରରୁ ଅଧିକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ମେଡିକାଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩ ହଜାର ଗୁରୁତର ଅଛନ୍ତି ।
..
23.
ଡିମ୍ପଲଙ୍କ ବିରୋଧରେ ଅପମାନସୂଚକ ଶବ୍ଦ କହିଥିଲେ ମୌଲାନା, ବାଡ଼େଇଲେ ସପା ନେତା
ଅଲ ଇଣ୍ଡିଆ ଇମାମ ଆସୋସିଏସନ ଅଧ୍ୟକ୍ଷ ମୌଲାନା ସାଜିଦ ରସିଦଙ୍କୁ ମାଡ଼ । ମାଡ଼ ମାରିଛନ୍ତି ସମାଜବାଦୀ ପାର୍ଟି ନେତା କୁଲଦୀପ ଭଟି । ଭଟିଙ୍କ ବିରୋଧରେ ଥାନାରେ ରସିଦ ଅଭିଯୋଗ କରିଛନ୍ତି । ପୁଲିସ ଏହାର ତଦନ୍ତ କରୁଛି । ବୟାନବାଜିକୁ ନେଇ ମୌଲାନା ରସିଦ ମାଡ଼ ଖାଇଛନ୍ତି । ନିକଟରେ ସ୍ୱାମୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଡିମ୍ପଲ ଦିଲ୍ଲୀର ଏକ ମସଜିଦକୁ ଯାଇଥିଲେ । ତାଙ୍କ ପୋଷାକକୁ ନେଇ ରସିଦ ଏକ ଟିଭି ବିତର୍କରେ ଅଶ୍ଳୀଳ ବୟାନ ଦେଇଥିଲେ । ଏଥିପାଇଁ ବିଭିନ୍ନ ଥାନାରେ ସମାଜବାଦୀ ପାର୍ଟି ନେତାମାନେ ତାଙ୍କ ନାମରେ ଏତଲା ଦେଇଛନ୍ତି । ଭଟି କହିଛନ୍ତି, ସେ ଗୁଜ୍ଜର ସମାଜରୁ ଆସିଛନ୍ତି । ମହିଳା ବିରୋଧୀ ବୟାନ ତାଙ୍କ ସମାଜରେ ଗ୍ରହଣୀୟ ନୁହେଁ । ତେଣୁ ମୌଲାନାଙ୍କୁ ପାଠ ପଢ଼ାଯାଇଛି ।
..
24.
ଶୀଘ୍ର ଫିଙ୍ଗରପ୍ରିଣ୍ଟ ଦ୍ୱାରା ହେବ ୟୁପିଆଇ ପେମେଣ୍ଟ, ପିନ୍ ହୋଇଯିବ ଇଚ୍ଛାଧୀନ
ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଆଗକୁ ଆଉ ଏକ ପରିବର୍ତ୍ତନ ଦେଖିବାକୁ ପଡ଼ିବ । ୟୁପିଆଇ ୟୁଜର ମାନେ ଶୀଘ୍ର ଫିଙ୍ଗରପ୍ରିଣ୍ଟ ଜରିଆରେ ପେମେଣ୍ଟ କରିବାର ସୁବିଧା ପାଇବେ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ- ଏନପିସିଆଇ ଏହି ଯୋଜନା କରୁଛି । ଏହା କାର୍ଯ୍ୟକାରୀ ହେଲେ ପିନ୍ ବ୍ୟବହାର ଇଚ୍ଛାଧୀନ ବିକଳ୍ପ ହୋଇଯିବ । ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମରେ ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍ ଆଇଡି ଆବଶ୍ୟକ ହୋଇଥାଏ । ଏହା ପିନ୍ କିମ୍ବା ପାସ୍ୱାର୍ଡଠାରୁ ଅଧିକ ସୁରକ୍ଷିତ । ଏଥିରେ ଠକେଇର ଆଶଙ୍କା କମ୍ । ପିନ୍ ମନେ ରଖିବା ଭଳି ସମସ୍ୟା ହେବନାହିଁ । ଡାଟା ଚୋରି ଆଶଙ୍କା ମଧ୍ୟ କମ୍ ରହିବ ।
..
25.
ମୋଦିଙ୍କୁ ଆହ୍ୱାନ ଦେଲେ ରାହୁଲ, ଦମ୍ ଥିଲେ ଟ୍ରମ୍ପଙ୍କୁ ମିଛୁଆ କୁହନ୍ତୁ
ଲୋକସଭାରେ ‘ଅପରେସନ ସିନ୍ଦୂର’ ବିତର୍କରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଭାରତୀୟ ସେନାର ସେ ଯେତିକି ପ୍ରଶଂସା କରିଥିଲେ, କେନ୍ଦ୍ର ସରକାରଙ୍କୁ ସେତିକି ସମାଲୋଚନା କରିଥିଲେ । ସେ ଅଭିଯୋଗ କରିଥିଲେ, ସରକାର ସେନାକୁ ସ୍ୱାଧୀନତା ଦେଇ ନଥିଲେ । ହାତ ବାନ୍ଧି ଦେଇଥିଲେ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହିଁ ସରକାରଙ୍କ ପାଇଁ ଅଡ଼ୁଆ । ମାତ୍ର ୩୦ମିନିଟ ମଧ୍ୟରେ ସରକାର ଯୁଦ୍ଧରେ ଆତ୍ମସମର୍ପଣ କରିଦେଇଥିଲେ । ଟ୍ରମ୍ପ ବାରମ୍ବାର କହୁଛନ୍ତି ସେ ଯୁଦ୍ଧ ବିରତି କରାଇଛନ୍ତି । ମୋଦି କହୁଛନ୍ତି ଟ୍ରମ୍ପଙ୍କ ସହ କଥା ହୋଇନାହାନ୍ତି । ତେବେ ଟ୍ରମ୍ପ ମିଛୁଆ ବୋଲି ମୋଦି ଥରେ ସଂସଦରେ କହିବାକୁ ରାହୁଲ ଗାନ୍ଧୀ ଆହ୍ୱାନ ଦେଇଥିଲେ ।
..
26.
ବାତୁମି ଆନ୍ତର୍ଜାତିକ ଉଶୁ ପାଇଁ ଭାରତୀୟ ଦଳରେ ୨ ଓଡ଼ିଆ
ଜର୍ଜିଆର ବାତୁମିଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଉଶୁ ଚାମ୍ପିଅନସିପ୍ । ଆସନ୍ତା ଅଗଷ୍ଟ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଏହା ଖେଳାଯିବ । ଏଥିପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ୨ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଭୁବନେଶ୍ୱରର ପାୟଲ ପଟ୍ଟନାୟକ ଓ ନୁପୁର ପଟ୍ଟନାୟକ । ଉଭୟ ତାଓଲୁ ଇଭେଣ୍ଟରେ ଖେଳିବେ । ଓଡ଼ିଶା ଉଶୁ ସଂଘ ମୁଖ୍ୟ ବୈଷୟିକ ଅଧିକାରୀ ପ୍ରଦୁ୍ୟମ୍ନ ବେହେରା ଭାରତୀୟ ଦଳର କୋଚ୍ ନିଯୁକ୍ତ ହୋଇଛନ୍ତି । ଆସନ୍ତାକାଲି ଭାରତୀୟଦଳ ଜର୍ଜିଆ ଅଭିମୁଖେ ଯାତ୍ରା କରିବ ।
..
27.
ରାଜ୍ୟ ପୂର୍ତ୍ତ ବିଭାଗରେ ହେବ ଏଆଇର ବ୍ୟବହାର, ଟେଣ୍ଡର ପ୍ରକ୍ରିୟାକୁ କରିବ ତ୍ୱରାନ୍ୱିତ
ରାଜ୍ୟ ପୂର୍ତ୍ତ ବିଭାଗ ବ୍ୟବହାର କରିବ ଆର୍ଟିଫିସିଆଲ ଇଣ୍ଟେଲେିଜେନ୍ସ ବା ଏଆଇ । ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏହାର ବ୍ୟବହାର କରାଯିବ । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ଏଆଇ ଆଧାରିତ ସଫ୍ଟୱେର ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ କରାଯିବ । ପୂର୍ବରୁ ବିଡ୍ ମୂଲ୍ୟାଙ୍କନ ପାଇଁ ଦୁଇରୁ ଅଢ଼େଇ ମାସ ଲାଗୁଥିଲା । ଯନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ଯାଞ୍ଚ ହେଉଥିଲା । ଟେଣ୍ଡର ପ୍ରକ୍ରିୟା ବିଳମ୍ବିତ ହେଉଥିଲା । ସେହିପରି ଡିପିଆର ପାଇଁ ମଧ୍ୟ ସମୟ ଲାଗୁଥିଲା । ଏବେ ସମସ୍ତ କାମ ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ । ବାହାର ରାଜ୍ୟର କୌଣସି ସଂସ୍ଥା ରାଜ୍ୟରେ କାମ କରିବାକୁ ଚାହୁଁଥିଲେ ପ୍ରଥମେ କଣ୍ଟ୍ରାକ୍ଟର ଡାଟବେସରେ ପଂଜିକରଣ କରିବାକୁ ବାଧ୍ୟ ।
…..
28.
ମଙ୍ଗଳ ଗ୍ରହକୁ ଯିବେ ୬ଟି ହେଲିକପ୍ଟର: ନାସାର ନୂଆ ‘ସ୍କାଏଫଲ୍’ ମିଶନ
‘ଇନ୍ଜିନ୍ୟୁଟି’ ହେଲିକପ୍ଟରର ସଫଳତା ପରେ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବେ ମଙ୍ଗଳ ଗ୍ରହକୁ ଏକାସାଙ୍ଗରେ ୬ଟି ହେଲିକପ୍ଟର ପଠାଇବାକୁ ଯୋଜନା କରୁଛି। ଏହି ମିଶନର ନାମ ‘ସ୍କାଏଫଲ୍’ ରଖାଯାଇଛି। ଏହି ଯୋଜନା ଅନୁଯାୟୀ, ଏକ କ୍ୟାପସୁଲ୍ ମଙ୍ଗଳ ପୃଷ୍ଠରେ ପହଞ୍ଚିବା ପୂର୍ବରୁ ହିଁ ଆକାଶ ମାର୍ଗରେ ଖୋଲିଯିବ ଏବଂ ସେଥିରୁ ୬ଟି ହେଲିକପ୍ଟର ବାହାରି ଉଡ଼ାଣ ଆରମ୍ଭ କରିବେ। ଏହି ଡ୍ରୋନ୍ ହେଲିକପ୍ଟରଗୁଡ଼ିକ କ୍ୟାମେରା ଓ ରାଡାର ସାହାଯ୍ୟରେ ମଙ୍ଗଳର ମାଟି ତଳେ ପାଣି, ବରଫ ଏବଂ ଭବିଷ୍ୟତରେ ମଣିଷ ପାଇଁ ଉପଯୁକ୍ତ ଅବତରଣ ସ୍ଥାନ ଖୋଜିବେ। ଏହା ମଙ୍ଗଳରେ ଜୀବନର ସମ୍ଭାବନାକୁ ମଧ୍ୟ ଅନୁସନ୍ଧାନ କରିବ। ଏହି ମିଶନ ୨୦୨୮ ପରେ ହିଁ ପୃଥିବୀରୁ ଉତକ୍ଷେପଣ ହେବାର ସମ୍ଭାବନା ରହିଛି।
……
29.
ବିଜୁଳି ବିଲ୍ ବାକି ଅଛି, ହିସାର ବିମାନବନ୍ଦରର ସଂଯୋଗ କଟାଯିବ
ହରିଆନାର ହିସାର ବିମାନବନ୍ଦରର ବିଜୁଳି ସଂଯୋଗ କଟାଯାଇପାରେ । ବିମାନବନ୍ଦର ଉପରେ ୯୫ ଲକ୍ଷ ଟଙ୍କାର ବିଜୁଳି ବିଲ୍ ବାକି ଅଛି । ବିମାନବନ୍ଦରରେ ବିଦୁ୍ୟତ ନିଗମ ନିଜର ସ୍ୱତନ୍ତ୍ର ବିଦୁ୍ୟତ ସବଷ୍ଟେସନ ସ୍ଥାପନ କରିଛି । ତେଣୁ ବିମାନବନ୍ଦରକୁ ନିର୍ବିଘ୍ନରେ ବିଦୁ୍ୟତ ସେବା ମିଳିପାରୁଛି । କିନ୍ତୁ ବିମାନବନ୍ଦର ପ୍ରାଧିକରଣ ନିର୍ଦ୍ଧାରିତ ସମୟରେ ବିଦୁ୍ୟତ ବିଲ୍ ପଇଠ କରିବାରେ ବିଫଳ ହେଉଛନ୍ତି । ମାସିକ ପ୍ରାୟ ୧୩ ଲକ୍ଷ ଟଙ୍କାର ବିଲ୍ ଆସୁଛି । ମଜା କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି ବିମାନବନ୍ଦରକୁ ଉଦଘାଟନ କରିବା ସମୟରେ ମଧ୍ୟ ୪ ମାସର ବିଜୁଳି ଦେୟ ବାକିଥିଲା । ତେବେ ବକେୟା ଭରିବାକାମ ରାଜ୍ୟ ସରକାରଙ୍କର ବୋଲି
…
30
ବିଭାଗୀୟ ଫାଇଲର ଗତି ବଢ଼ାଇବେ ସରକାର, ସବୁ କିଛି ହେବ ଅନଲାଇନରେ
ରାଜ୍ୟ ସରକାର ବିଭାଗୀୟ ଫାଇଲ କାମରେ ପୁରୁଣାକାଳିଆ ଢାଞ୍ଚା ବଦଳାଇବେ । ଅନଲାଇନରେ ଫାଇଲ କାମକୁ ତ୍ୱରାନ୍ୱିତ କରିବେ । ଏପରିକି ଫାଇଲ କେଉଁଠି ଅଟକିଛି, ତାହା ମଧ୍ୟ ଜାଣିପାରିବେ । ଏଥିପାଇଁ ସବୁ ଫାଇଲ ଓ ଚିଠି ‘ଓସ୍ୱାସ’ରେ ପଠାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫାଇଲକୁ ଅନୁଧ୍ୟାନ କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ- ଏଆଇର ବ୍ୟବହାର କରାଯିବ । ପ୍ରଶାସନରେ ଲୋକଙ୍କ ଭାଗିଦାରିତା ବଢ଼ାଇବାକୁ ପ୍ରସ୍ତୁତ ହେବ ‘ଆମ ଶାସନ’ ପୋର୍ଟାଲ । ଓକାକ୍ ଏହାର ବିକାଶ କରିବ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ଏହି ବ୍ୟବସ୍ଥା ଆଦରିବାକୁ ସଚିବମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
…
31.
ମୋଦି କହିଲେ,ପାକିସ୍ତାନ ପୁଣି ଦୁଃସାହସ କଲେ ମିଳିବ ମୁହଁତୋଡ଼ ଜବାବ
ଲୋକସଭାରେ ଅପରେସନ ସିନ୍ଦୂର ବିତର୍କରେ ପାକସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ପାକିସ୍ତାନ ଯଦି ପୁଣି ଦୁଃସାହସ କରେ, ମୁହଁତୋଡ଼ ଜବାବ ମିଳିବ । ଏପ୍ରିଲ ୨୨ ପହଲଗାଓଁର ପ୍ରତିଶୋଧନ ୨୨ ମିନିଟରେ ନିଆଯାଇଥିଲା । ସିନ୍ଦୂର ଠାରୁ ସିନ୍ଧୁ ପର୍ଯ୍ୟନ୍ତ ଭାରତର ଶକ୍ତି ପାକ୍ ଦେଖିଲା । ପାକ୍ ଡିଜିଏମଓଙ୍କ ଆକୁଳ ନିବେଦନରେ ଯୁଦ୍ଧ ବନ୍ଦ ରହିଥିଲା । ଅପରେସନ ସିନ୍ଦୂର ସେନା ଶୌର୍ଯ୍ୟ ଓ ଗାଥାର ବିଜୟ । ଏହାକୁ ସମଗ୍ର ବିଶ୍ୱ ସମର୍ଥନ କରିଥିଲେ ମଧ୍ୟ କଂଗ୍ରେସ କରିନଥିଲା । କଂଗ୍ରେସ ସମୟରେ ଦେଶର ସୁରକ୍ଷା ସାଲିସ ହୋଇଯାଉଥିଲା ବୋଲି ମୋଦି କହିଥିଲେ ।