
1.
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ମହାନ୍ତି ଗିରଫ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି କ୍ରାଇମବ୍ରାଞ୍ଚ । ଖୋଦ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ବୋର୍ଡ ଉପସଭାପତିଙ୍କ ଲାପଟପରୁ ହିଁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରମାଣ ମିଳିଛି । ଏହି ରାକେଟର ମୁଖ୍ୟ ବୋର୍ଡର ଜଣେ ଡାଟା ଏଣ୍ଟି୍ର ଅପରେଟର ଜିତନ ମହାରଣା । ଜିତନଙ୍କ ସହ ବିନା କୌଣସି କାରଣରେ ଉପସଭାପତି ଶହେରୁ ଅଧିକ ଥର ମୋବାଇଲ ଫୋନରେ କଥା ହୋଇଛନ୍ତି । ପ୍ରଶ୍ନପତ୍ର ମୁଦ୍ରଣ ସଂସ୍ଥାରୁ ଫାଇଲ ଟ୍ରାନ୍ସଫର ପ୍ରୋଟୋକଲ ବଦଳରେ ଇ-ମେଲରେ ନିହାରଙ୍କ ଲାପଟପକୁ ପ୍ରଶ୍ନପତ୍ର ଆସିଥିଲା । ଏହା ଥିଲା ନିୟମ ବହିର୍ଭୂତ । ଜିତନ ମହାରଣାଙ୍କୁ ନିଜ ଲାପଟପ ଓ ପାସୱାର୍ଡ ମଧ୍ୟ ସେ ଦେଇଥିଲେ । ଦୁଇ ଦିନ ଧରି ନିହାରଙ୍କୁ କ୍ରମାଗତ ଜେରା କରାଯାଇଥିଲା । ନିହାରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।
….
2.
ହିମାଚଳରେ ବିନାଶକାରୀ ବର୍ଷା; ୧୭୩ ମୃତ, ଯୋଗାଯୋଗ ବିଚ୍ଛିନ୍ନ
ହିମାଚଳ ପ୍ରଦେଶରେ କିଛି ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜାତୀୟ ରାଜପଥ ୩, ୨୧, ୫୦୫, ଏବଂ ୩୦୫ରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି । ରାଜ୍ୟରେ ମୋଟ ୩୮୩ଟି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଛି । ୭୪୭ଟି ବିଦୁ୍ୟତ ଟାନ୍ସଫର୍ମର ଅକାମୀ ହୋଇଛି । ୨୪୯ଟି ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଯାଇଛି । ରାଜ୍ୟର ଚମ୍ବା, କୁଲୁ, ମଣ୍ଡି ଏବଂ ଉନା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ଷାଜନିତ ଅଘଟଣାରେ ମୋଟ ମୃତୁ୍ୟ ସଂଖ୍ୟା ୧୭୩ରେ ପହଞ୍ଚିଲାଣି । ଘରଭାଙ୍ଗି, ଭୂସ୍ଖଳନ ଓ ବନ୍ୟା ଯୋଗୁ ୯୫ ଜଣଙ୍କ ମୃତୁ୍ୟ ହୋଇଛି । ବର୍ଷାଜନିତ ସଡ଼କ ଦୁର୍ଘଟଣାରେ ୭୮ ଜଣ ପ୍ରାଣ ହରାଇଛନ୍ତି । ଭୂସ୍ଖଳନରେ ମଲାନା ଜଳବିଦୁ୍ୟତ ପ୍ରକଳ୍ପର କିଛି ଅଂଶ ପୋତି ହୋଇଯାଇଛି । ଅନେକ ଡ୍ୟାମ ପତି ବିପଦ ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି ।
……..
3.
ବଙ୍ଗଳା ଖାଲି କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୱାଇଭି ଚନ୍ଦ୍ରଚୂଡ଼
ସୁପ୍ରିମକୋର୍ଟଙ୍କ ନୋଟିସର ମାସେ ପରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇଭି ଚନ୍ଦ୍ରଚୂଡ଼ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ୫,କ୍ରିଷ୍ଣାମେନନ ମାର୍ଗ ବାସଭବନରେ ରହିଥିଲେ । ୨୦୨୪ ନଭେମ୍ବର ୮ରେ ସେ ଅବସର ନେଇଥିଲେ । ତେବେ ତାଙ୍କର ଦୁଇ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ଜରୁରି ଥିବାରୁ ସେ ଏହି ବଙ୍ଗଳା ଛାଡ଼ି ନଥିଲେ ବୋଲି କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ । ତାଙ୍କ ପାଇ ଧାର୍ଯ୍ୟ ହୋଇଥିବା ଅନ୍ୟ ଏକ ସରକାରୀ ଘରକୁ ସେ ଏବେ ସ୍ଥାନାନ୍ତର ହୋଇଯାଇଛନ୍ତି ।
…….
4.
ଗଡ଼କରୀଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ, ଅଭିଯୁକ୍ତ ଗିରଫ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ । ମହାରାଷ୍ଟ୍ରରେ ନାଗପୁର ଜିଲ୍ଲାର ୱାର୍ଦ୍ଧାସ୍ଥିତ ତାଙ୍କ ବାସଭବନକୁ ବୋମା ବିସ୍ଫୋରଣ ରେ ଉଡ଼ାଇଦେବାକୁ ଧମକ ମିଳିଥିଲା । ପୁଲିସ କଣ୍ଟ୍ରୋଲ ରୁମର ୧୧୨ ନମ୍ବରକୁ ଏହି ଧମକ ଆସିଥିଲା । ତତକ୍ଷଣାତ ପୁଲିସ ଓ ବୋମା ସନ୍ଧାନକାରୀ ସ୍କ୍ୱାଡ ଗଡ଼କରୀଙ୍କ ବାସଭବନରେ ପହଞ୍ଚିଥିଲେ । ବାସଭବନର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଥିଲା । ଫୋନ୍ ଆସିଥିବା ନମ୍ବରକୁ ଟ୍ରକ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଉମେଶ ବିଷ୍ଣୁ ରାଉତ ଏକ ମଦ ଦୋକାନର କର୍ମଚାରୀ । ତାର ଘର ମହଲ ଅଞ୍ଚଳର ତୁଳସୀବାଘ ରୋଡରେ ବୋଲି ଜଣପଡ଼ିଛି ।
…….
5.
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଧାରଣା; ଜଣେ କର୍ମଚାରୀ ମୃତ
ନକ୍ସଲ ସଙ୍ଗଠନ ସିପିଆଇ-ମାଓବାଦୀ ଏବେ ପାଳନ କରୁଛି ସହିଦ ସପ୍ତାହ । ଶନିବାର ମାଓବାଦୀମାନେ ସୁନ୍ଦରଗଡ଼ ଜିଲ୍ଲା କୋଇଡାର ରକ୍ସି-ଟୋପାଡିହି ମଧ୍ୟରେ ଥିବା ରେଳ ଧାରଣାକୁ ଆଇଇଡି ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ଏହି ଘଟଣାରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଏଥିସହ ଓରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
…….
6.
ଆଜି ଭାରତ ଗସ୍ତରେ ଆସିବେ ଫିଲିପାଇନ୍ସ ରାଷ୍ଟ୍ରପତି ମାର୍କୋସ ଜୁନିଅର
ଫିଲିପାଇନ୍ସ ରାଷ୍ଟ୍ରପତି ମାର୍କୋସ ଜୁନିଅର ଆସିବେ ଭାରତ ଗସ୍ତରେ । ଆଜିଠାରୁ ସେ ପାଞ୍ଚ ଦିନିଆ ଗସ୍ତରେ ଆସିବେ ବୋଲି ବିଦେଶ ମନ୍ତ୍ରାଳୟ କହିଛି । ଏହା ହେବ ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ଭାରତ ଗସ୍ତ । ତାଙ୍କ ସହ ପତ୍ନୀ ମାଡାମଲୁଇସ୍ ଆରାନେଟା ମାର୍କୋସ୍ ମଧ୍ୟ ଆସିବେ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ରାଷ୍ଟ୍ରପତି ଆସୁଛନ୍ତି । ଗସ୍ତ କାଳରେ ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶ ମନ୍ତ୍ରୀ ଡ. ଏସ.ଜୟଶଙ୍କରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ହାଇଦ୍ରାବାଦ ହାଉସରେ ମୋଦିଙ୍କ ସହ ଦ୍ୱିପାକ୍ଷିକ ଅଲୋଚନାରେ ସାମିଲ ହେବେ ।
…….
7.
ନିର୍ବାଚନ ପୂର୍ବରୁ ମମତାଙ୍କ ନୂଆ ଯୋଜନା, ପ୍ରତି ବୁଥକୁ ମିଳିବ ୧୦ ଲକ୍ଷ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଠାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ରାଜ୍ୟରେ ଘୋଷଣା କରିଛନ୍ତି ଏକ ନୂଆ ଯୋଜନା । ତାର ନାମ ‘ଆମାଦେର ପାରା, ଆମାଦେର ସମାଧାନ’ । ଏହାର ଅର୍ଥ ‘ଆମ ଅଞ୍ଚଳ,ଆମର ସମାଧାନ’ । ଏହି ଅଭିଯାନ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ । ଗତ ଜୁଲାଇ ୨୨ ତାରିଖରେ ଏହି ଯୋଜନା ସମ୍ପର୍କରେ ମମତା ଘୋଷଣା କରିଥିଲେ । ଦେଶରେ ଏଭଳି ଯୋଜନା ପ୍ରଥମ ବୋଲି ସେ କହିଥିଲେ । ୮ ହଜାର କୋଟି ଟଙ୍କାର ଏହି ଯୋଜନାରେ ପ୍ରତି ବୁଥକୁ ମିଳିବ ୧୦ ଲକ୍ଷ ଟଙ୍କା । ଦୁଇମାସ ପରେ ଅଭିଯାନର ୩୦ ଦିନ ଧରି ପ୍ରଶାସନିକ ମୂଲ୍ୟାଙ୍କନ କରାଯିବ । ଯୋଜନାର ସଫଳତା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଅଞ୍ଚଳର ରାସ୍ତା ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଆଦିକୁ ଏଥିରେ ଗୁରୁତ୍ୱ ମିଳିବ
…….
8.
ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟ ନୌସେନା ବଢ଼ାଇଲା କ୍ଷମତା, ପଠାଇଲା ୪ ଜାହାଜ
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ପକ୍ଷରୁ ସର୍ବଦା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଯାଇଛି । ଏଭଳି ଆଚରଣ ଉପରେ ନଜର ରଖିବାକୁ ଭାରତୀୟ ନୌସେନା ଏବେ ପଦକ୍ଷେପ ନେଇଛି । ସଂପୃକ୍ତ ଅଞ୍ଚଳର ଫିଲିପାଇନ୍ସରକୁ ୩ଟି ଯୁଦ୍ଧ ଜାହାଜ ପଠାଯାଇଥିବା ବେଳେ ସିଙ୍ଗାପୁରରେ ଏକ ଜାହାଜ ଯୁଦ୍ଧାଭ୍ୟାସରେ ଭାଗ ନେଇଛି । ଯୁଦ୍ଧଜାହାଜ ଆଇଏନଏସ ସତପୁରା ସିଙ୍ଗାପୁର ସହ ଦ୍ୱିପାକ୍ଷିକ ଯୁ୍ଦ୍ଧାଭ୍ୟାସ ସିମ୍ବେକ୍ସରେ ସାମିଲ ହୋଇଛି । ଫଇଲିପାଇନ୍ସର ମାନିଲାରେ ପହଞ୍ଚିଛନ୍ତି ଆଇଏନଏସ ଦିଲ୍ଲୀ, ଆଣ୍ଟି ସବମେରିନ ଜାହାଜ ଆଇଏନଏସ କିଲତାନ ଏବଂ ଫ୍ଲିଟ ଟ୍ୟାଙ୍କର ଆଇଏନଏସ ଶକ୍ତି । ଇତି ମଧ୍ୟରେ ଭାରତ ଅନେକ ଦକ୍ଷିଣ ଏସୀୟ ରାଷ୍ଟ୍ରକୁ ବ୍ରହ୍ମୋସ ଏବଂ ଆକାଶ ମିସାଇଲ ବିକ୍ରି କରିବାକୁ ଆଲୋଚନା ଚଳାଇଛି ।
…….
9.
ରୁଷର ସୋଚି ତୈଳ ଗୋଦାମରେ ଡ୍ରୋନ ଆକ୍ରମଣ, ୟୁକ୍ରେନ ଉପରେ ଜବାବୀ ହମଲା
ରୁଷର ସୋଚି ସହରରେ ଥିବା ତୈଳ ଗୋଦାମ ଉପରେ ଶନିବାର ରାତିରେ ହୋଇଛି ଡ୍ରୋନ ଆକ୍ରମଣ । ଏହି ସହରରେ ୨୦୧୪ରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ୟୁକ୍ରେନ ସୀମାଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ଏହି ସହର ଉପରେ କେବେ ଏଭଳି ଆକ୍ରମଣ ହୋଇ ନଥିଲା । ଡ୍ରୋନରୁ ମିସାଇଲ ମାଡ଼ ପରେ ତୈଳ ଗୋଦାମରେ ନିଆଁ ଲାଗିଯାଇଥିଲା । ଲଗାତର ପ୍ରାୟ ୨୦ଟି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବା ରୁଷ କହିଛି । ୧୨୦ଟି ଅଗ୍ନିଶମ ଗାଡ଼ିକୁ ନିଆଁ ଲିଭାଇବାକୁ ନିୟୋଜିତ କରାଯାଇଥିଲା । ରୁଷ ପକ୍ଷରୁ ମଧ୍ୟ କିଭ ଏବଂ ଏନ୍ୟ କେତେକ ସହର ଉପରେ ଜବାବୀ ହମଲା କରାଯାଇଛି ।
…….
10
କେନାଲକୁ ଖସି ପଡିଲା ବୋଲେରୋ: ୩ ଶିଶୁ ସମେତ ୧୧ ମୃତ
ଉତ୍ତର ପ୍ରଦେଶ ଗୋଣ୍ଡାର ଇଟିଆ ଠୋକ ଥାନା ଅଞ୍ଚଳରେ ରବିବାର ସକାଳେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୫ ଯାତ୍ରୀଙ୍କୁ ନେଇ ମନ୍ଦିରକୁ ଯାଉଥିବା ଏକ ବୋଲେରୋ କେନାଲକୁ ଖସି ପଡ଼ିଛି। ଏଥିରେ ୧୧ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ତିନି ଶିଶୁ ସାମିଲ ଅଛନ୍ତି। ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏହି ଯାତ୍ରୀମାନେ ପ୍ରିଥିବନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ମାତ୍ର ଏହି ଯାତ୍ରା ଅନ୍ତିମ ଯାତ୍ରା ପାଲଟି ଗଲା। ଭଗବାନଙ୍କ ଦର୍ଶନ ଅଭିଳାଷ ଆଶାରେ ରହିଗଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆହତଙ୍କୁ ଉତ୍ତମ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି
…
11.
ପଲଟୁରାମ ଟ୍ରମ୍ପ: ୧୯୪ ଦିନରେ ବଦଳାଇଲେଣି ନିଜର ୩୪ ନିଷ୍ପତ୍ତି
ଶୁଳ୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଛନ୍ତି। କିନ୍ତୁ ସେ ଆଉ ଏକ ନିଷ୍ପତ୍ତି ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ପଲଟୁରାମ କୁହାଯାଉଛି। କାରଣ ୧୯୪ ଦିନର କାର୍ଯ୍ୟକାଳରେ ଟ୍ରମ୍ପ ଅନେକ ଥର ୟୁ-ଟର୍ଣ୍ଣ ନେଲେଣି। ସେ ନିଜର ୩୪ ନିଷ୍ପତ୍ତିକୁ ନିଜେ ପଲଟାଇ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଟ୍ରମ୍ପ ୧୩୪ ନିର୍ଦ୍ଦେଶରେ ସ୍ୱାକ୍ଷର କଲେଣି। ଦେଖିବାକୁ ଗଲେ ସେ ପ୍ରତି ଦିନ ଗୋଟିଏ ଲେଖାଏଁ ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ତାଙ୍କ ଶୁଳ୍କ ନୀତିରେ ସର୍ବାଧିକ ଅସ୍ଥିରତା ଦେଖା ଦେଇଛି। ଏ ସମ୍ବନ୍ଧିତ ୨୮ ନିଷ୍ପତ୍ତିକୁ ସେ ବଦଳାଇ ଦେଇଛନ୍ତି। ଟ୍ରମ୍ପଙ୍କ ପାଇଁ ଉଦ୍ୟୋଗ ଜଗତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି।ସେ ସ୍ପଷ୍ଟ ନିଷ୍ପତ୍ତି ନେଉ ନ ଥିବାରୁ ଶିଳ୍ପ ଉଦ୍ୟୋଗ ଭ୍ରମରେ ରହିଛି।
….
12.
ଅହମଦାବାଦ ବିମାନ ଦୁର୍ଘଟଣା: ସନ୍ଦେହରେ ୪୦ ମୃତକଙ୍କ ପରିଚୟ
ଜୁନ ୧୨ରେ ଘଟିଥିବା ଅହମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା। ଏୟାର ଇଣ୍ଡିଆର ଏହି ବୋଇଁ ୭୮୭-୮ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ସମେତ ୨୭୦ ଜଣକ ଜୀବନ ଯାଇଥିଲା। ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଚିହ୍ନଟକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୫୨ ବ୍ରିଟିଶ ନାଗରିକଙ୍କ ପରିବାର ମୃତଦେହ ଚିହ୍ନଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ବ୍ରିଟେନ ପଠା ଯାଇଥିବା ୧୨ ମୃତଦେହ ମଧ୍ୟରୁ ୨ଟିର ପରିଚୟ ଭୁଲ ଥିବା ଜଣା ପଡିଥିଲା। ଏହି ହିସାବରେ ସଂସ୍ଥା ୪୦ ମୃତଦେହ ଉପରେ ସନ୍ଦେହ ପ୍ରକଟ କରାଯାଉଛି। କିନ୍ତୁ ଏହା ମଧ୍ୟରେ ଅନେକ ମୃତଦେହର ଅନ୍ତିମ ସଂସ୍କାର କରାଯାଇ ସାରିଛି।
…..
13.
ଆମେରିକାରେ ଭାରତୀୟ ବଂଶୋଦ୍ଭବ ୪ ବରିଷ୍ଠ ନାଗରିକ ନିଖୋଜ
ଆମେରିକାରୁ ଖରାପ ଖବର ଆସିଛି। ନ୍ୟୁୟର୍କରୁ ପେନସିଲଭାନିଆ ଯିବା ମାର୍ଗରେ ଭାରତୀୟ ବଂଶୋଦ୍ଭବ ୪ ଜଣ ବରିଷ୍ଠ ନାଗରିକ ନିଖୋଜ ହୋଇ ଯାଇଛନ୍ତି। ଏମାନେ ହେଲେ ଡ. କିଶୋର ଦିୱାନ୍, ଆଶା ଦିୱାନ୍, ଶୈଳେଶ ଦିୱାନ୍ ଏବଂ ଗୀତା ଦିୱାନ୍। ପୋଲିସ ସୂଚନା ଅନୁଯାୟୀ ଏମାନଙ୍କୁ ଶେଷ ଥର ପାଇଁ ଜୁଲାଇ ୨୯ ରେ ଏକ ବର୍ଜର କିଙ୍ଗ ଆଉଟଲେଟରେ ଦେଖା ଯାଇଥିଲା। ଏଠାରେ ସେମାନେ କ୍ରେଡିଟ କାର୍ଡ ବ୍ୟବହାର କରିଥିଲେ। ଏହି ବରିଷ୍ଠ ନାଗରିକମାନେ ମାର୍ଶଲ କାଉଣ୍ଟିରୁ ପ୍ୟାଲେସ ଅଫ ଗୋଲ୍ଡ ଧାର୍ମିକ ସ୍ଥଳକୁ ଯାଉଥିଲେ। ସେମାନେ ମଙ୍ଗଳବାର ରାତିରେ ଏଠାରେ ରହିବାକୁ ଯୋଜନା କରିଥିଲେ। କିନ୍ତୁ ସେଠାରେ ପହଞ୍ଚି ହିଁ ପାରି ନଥିଲେ। ଏବେ ପୋଲିସ ମାମଲାର ଯାଞ୍ଚ କରୁଛି।
…..
14.
ପୁଣି ଭୂମିକମ୍ପରେ ଥରିଲା ଋଷ
ସମସ୍ୟା ଋଷର ପିଛା ଛାଡୁନି। ୟୁକ୍ରେନ ଯୁଦ୍ଧ ମଧ୍ୟରେ ନାଟୋ ରାଷ୍ଟ୍ରଙ୍କ କଟକଣା ସାଙ୍ଗକୁ ଭୂମିକମ୍ପ ଏବଂ ଆଗ୍ନେୟଗିରି ଉଦଗିରଣ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ଏହି ଦେଶ ଚାରିପଟୁ ଘେରି ହୋଇ ଯାଇଛି। କିଛି ଦିନର ବିରତି ପରେ ପୁଣି ଋଷ ଭୂମିକମ୍ପରେ ଥରିଛି। ରବିବାର ସକାଳେ କୁରିଲ ଦ୍ଵୀପପୁଞ୍ଜରେ ୬.୭ ତୀବ୍ରତାର ଝଟକା ଅନୁଭୂତ ହୋଇଛି। ଭୂପୃଷ୍ଠରୁ ୧୦ କିମି ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହାର ପ୍ରଭାବରେ କାମଚାଟକା କ୍ଷେତ୍ରରେ ସୁନାମୀ ଆସିବାର ଆଶଙ୍କା ରହିଛି। ତେବେ ଲହରୀର ଉଚ୍ଚତା କମ୍ ରହିବ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳକୁ ନ ଯିବା ପାଇଁ ଲୋକଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ୬୦୦ ବର୍ଷ ପରେ କାମଚଟକା କ୍ଷେତ୍ରରେ ଥିବା କାର୍ଶିନକୋଭ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଛି। କିଛି ଦିନ ତଳେ ଆସିଥିବା ୮.୮ ତୀବ୍ରତର ଭୂକମ୍ପ ଯୋଗୁ ଏପରି ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।
….
15.
ଅଫିସ୍ କାମ ପାଇଁ ଆସିଲା ନୂଆ ଏଆଇ ବ୍ରାଉଜର୍ ‘କମେଟ୍’
ପରପ୍ଲେକ୍ସିଟି କମ୍ପାନୀର ସିଇଓ ଅରବିନ୍ଦ ଶ୍ରୀନିବାସ ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କ କମ୍ପାନୀର ନୂଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବ୍ରାଉଜର୍ ‘କମେଟ୍’, ଖୁବ ଶୀଘ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଫିସ୍ ଚାକିରିକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରିଦେବ। ଏହି ଦୁଇଟି ଚାକିରି ହେଉଛି ରିକ୍ରୁଟର୍ (ନିଯୁକ୍ତିଦାତା) ଏବଂ ଆଡମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ। ଏହି ଏଆଇ ବ୍ରାଉଜର୍ ଜିମେଲ୍, ଲିଙ୍କଡଇନ୍ ଓ ଗୁଗୁଲ୍ କ୍ୟାଲେଣ୍ଡର ବ୍ୟବହାର କରିପାରିବ। ଏହା ପ୍ରାର୍ଥୀ ଖୋଜିବା, ସେମାନଙ୍କୁ ଇମେଲ୍ ପଠାଇବା, କ୍ୟାଲେଣ୍ଡର ପରିଚାଳନା କରିବା ଏବଂ ମିଟିଂ ସ୍ଥିର କରିବା ଭଳି କାମ ନିଜେ କରିପାରିବ। ଶ୍ରୀନିବାସଙ୍କ ମତରେ, ଯେଉଁମାନେ ଏଆଇ ବ୍ୟବହାର କରିବା ଶିଖିବେ, ସେମାନେ ଭବିଷ୍ୟତରେ ସହଜରେ ଚାକିରି ପାଇପାରିବେ। ବର୍ତ୍ତମାନ ଏହି ବ୍ରାଉଜର୍ କେବଳ କିଛି ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଅଛି।
…
16.
ଇଣ୍ଡିଗୋର ୪ର କର୍ମଚାରୀଙ୍କୁ ମାଡ଼ ମାରିଲେ ସେନା ଅଧିକାରୀ
ଜମ୍ମୁ-କାଶ୍ମୀର ଶ୍ରୀନଗର ବିମାନବନ୍ଦରରେ ତୁମୁଳ କାଣ୍ଡ ଘଟିଛି । ଅଧିକ ଲଗେଜକୁ ନେଇ ଯୁକ୍ତିତର୍କ ହେବା ପରେ ସେନାର ଜଣେ ଅଧିକାରୀ ସ୍ପାଇସଜେଟର ଚାରି କର୍ମଚାରୀଙ୍କୁ ନିର୍ଧ୍ୁମ ମାଡ଼ ମାରିଛନ୍ତି । ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଆକ୍ରମଣରେ କର୍ମଚାରୀମାନେ ଆହତ ହୋଇଛନ୍ତି । ଗତ୨୬ ତାରିଖରେ ଏହି ଘଟଣା ଘଟିଥିଲା । ଏ ନେଇ ଏୟାରଲାଇନ୍ସ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ସେନାର ଏହି ଅଧିକାରୀଙ୍କୁ ନୋ ଫ୍ଲାଇଂ ତାଲିକାରେ ରଖା ଯାଇଛି । ଅନ୍ୟପଟେ ଭାରତୀୟ ସେନା ଏହି ମାମଲାରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ସେନାଧିକାରୀ ୨ଟି କ୍ୟାବିନ ବ୍ୟାଗେଜ ନେଇ ଯାଉଥିଲେ । ଏହାର ଓଜନ ୭ କେଜି ପରିବର୍ତ୍ତେ ୧୬ କେଜି ରହିଥିଲା । ଏଥିପାଇଁ ଅତିରିକ୍ତ ପେମେଣ୍ଟ କରିବାକୁ ପଡ଼ିବ କହିବାରୁ ସେ ମାରପିଟ କରିଥିଲେ ।
….
17.
ଗାଜାରେ ଇସ୍ରାଏଲର ଗୁଳିମାଡ଼ରେ ୨୯ ମୃତ
ଗାଜାରେ ଇସ୍ରାଏଲର ଅତ୍ୟାଚାର ସୀମା ଟପିଛି । କ୍ଷୁଧାରେ ପାଲେଷ୍ଟିନୀୟ ଜର୍ଜରିତ ହେଉଥିବାବେଳେ ସହାୟତା ବଦଳରେ ଏହି ଇହୁଦୀ ରାଷ୍ଟ୍ର ଦାଉ ସାଧୁଛି । ଗାଜାର ଦୁଇ ରିଲିଫ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲ ସେନା ଗୁଳିଗୋଳା ମାଡ଼ କରିଛି । ଏଥିରେ ଖାଦ୍ୟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ୧୦ ଜଣଙ୍କ ଜୀବନ ଯାଇଛି । ହିଂସା ପୀଡ଼ିତ ଗାଜା ଗସ୍ତ କରି ଆମେରିକା ଅଧିକାରୀ ଫେରିବାର ଦିନକ ପରେ ଇସ୍ରାଏଲ ଏଭଳି ନିନ୍ଦନୀୟ କାମ କରିଛି । ଯୁଦ୍ଧ ପାଇଁ ସଙ୍କଟ ଦେଇ ଗତି କରୁଥିବା ନିରୀହ ପାଲେଷ୍ଟାନୀୟଙ୍କ ଜୀବନ ନେଇ ଏହି ଦେଶ ଆତଙ୍କ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ସହାୟତା ଆଶାରେ ଜିକିମ କ୍ରସିଂ ନିକଟରେ ଛିଡା ହେଇଥିବା ଲୋକଙ୍କ ଉଜରେ ଗୁଳିମାଡ଼ କରାଯାଇଛି । ଏଥିରେ ୧୯ ଜଣ ପ୍ରାଣ ହରାଇଛନ୍ତି ।
…
18.
ଆନ୍ଧ୍ରର ପଥର ଖାଦାନରେ ବିସ୍ଫୋରଣ, ଗଞ୍ଜାମ ଓ ଗଜପତିର ୬ ଶ୍ରମିକ ମୃତ
ଆନ୍ଧ୍ର ପ୍ରଦେଶର ବାପତଲା ଜିଲ୍ଲାର ବାଲିକୁରଭା ଗ୍ରାନାଇଟ ଖଣିରେ ରବିବାର ବିସ୍ଫୋରଣ ହୋଇଛି । ଏହା ଏକ ଘରୋଇ ଖଣି । ରବିବାର ସକାଳେ କାମ ଆରମ୍ଭ ପରେ ବ୍ଲାଷ୍ଟିଂ କରାଯାଉଥିଲା । ଶ୍ରମିକମାନଙ୍କ ଉପରେ ବଡ଼ ବଡ଼ ପଥର ଖଣ୍ଡ ଛିଟିକି ପଡ଼ିଥିଲା । ଖଣିର ଏକ ପାଶ୍ୱର୍ ମଧ୍ୟ ଭୁଶୁଡ଼ି ପଡ଼ିଥିଲା । ସେଠାରେ ପ୍ରାୟ ୧୫ ଜଣ ଶ୍ରମିକ ଥିଲେ । ଆହତମାନଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତୁ୍ୟ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ୪ ଜଣ ଏବଂ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୨ ଜଣ ଶ୍ରମିକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ସରକାର ଘଟଣାସ୍ଥଳକୁ ୩ ଜଣିଆ ଟିମ୍ ପଠାଇଛନ୍ତି ।
…
19.
ତେଜସ୍ୱୀ ଯାଦବ ଦେଖାଇଲେ ଅବୈଧ ଭୋଟର କାର୍ଡ, ନୋଟିସ ପଠାଇଲେ କମିଶନ
ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବିବାଦ ଥମୁନାହିଁ । ଆରଜେଡି ନେତା ତଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଭୋଟର ପରିଚୟପତ୍ର ଦେଖାଇ ସଂଷାଧିତ ତାଲିକାରୁ ତାଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ ଆଣିଥିଲେ । ନିର୍ବାଚନ କମିଶନଙ୍କ ୱେବସାଇଟରେ ତାଙ୍କ ଭୋଟର କାର୍ଡ ନମ୍ବର ନଥିବା ସେ କହିଥିଲେ । ତେବେ ନିର୍ବାଚନ କମିଶନ ଏହାର ଜବାବ ଦେଇଛନ୍ତି । ଇସି କହିଛନ୍ତି, ତେଜସ୍ୱୀ ଯେଉଁ କାର୍ଡ ଦେଖାଇଛନ୍ତି, ତାହା ଅବୈଧ । ତାଙ୍କ ନିକଟରେ ଦୁଇଟି କାର୍ଡ ରହିଛି । ଏଥିପାଇଁ ତାଙ୍କୁ ନୋଟିସ ପଠାଯାଇଛି । ଏଥିସହ କମିଶନଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଏକ ଭୋଟର ଲିଷ୍ଟ ଦାଖଲ କରି ସେଥିରେ ତେଜସ୍ୱୀଙ୍କ ନମ୍ବର ଥିବା ଦେଖାଇଛନ୍ତି । ତେଜସ୍ୱୀ ଦୁଇଟି ଭୋଟର କାର୍ଡ ରଖିଥିବାରୁ ତାଙ୍କ ବିରୋଧରେ ମାମଲା କରିବାକୁ ଏନଡିଏ ପକ୍ଷରୁ ଦାବି କରାଯାଇଛି ।
…
20.
ତିନି ବର୍ଷିଆ ଇଣ୍ଟିଗ୍ରେଟେଡ ବିଏଡ ପାଇଁ ବିଜ୍ଞପ୍ତି, ଆଜିଠୁ ଅନଲାଇନ ଆବେଦନ
ଉଚ୍ଚଶିକ୍ଷା ବିଭାଗ ତିନି ବର୍ଷିଆ ଇଣ୍ଟିଗ୍ରେଟେଡ ବିଏଡରେ ନାମ ଲେଖାଇବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଆଜି ଅର୍ଥାତ ସୋମବାରଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଅନଲାଇନ ଆବେଦନ ଆରମ୍ଭ ହେବ । ଆବେଦନରେ ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ କରିହେବ । ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ ତାରିଖରେ ମେଧାତାଲିକା ପ୍ରକାଶ ପାଇବ । ଅଗଷ୍ଟ ୨୩ରୁ ୨୬ ତାରିଖ ମଧ୍ୟରେ ନାମଲେଖା ହେବ । ସେପ୍ଟେମ୍ବର ୧ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ସେପ୍ଟେମ୍ବର ୨ରୁ ୪ ମଧ୍ୟରେ ଏମାନେ ନାମ ଲେଖାଇବେ । ସମସ୍ତ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୩ ସୁଦ୍ଧା ଶେଷ ହେବ । ତେବେ ସେପ୍ଟେମ୍ବର ୮ ତାରିଖରୁ ପାଠପଢ଼ା ଆରମ୍ଭ ପାଇଁ ସ୍ଥିର ହୋଇଛି ।
…
21.
ଆମେରିକାରେ ସଲିସିଟର ଜେନେରାଲ ହେଲେ ଭାରତୀୟ ବଂଶୋଦ୍ଭବ
ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ଆମେରିକାର ସଲିସିଟର ଜେନେରାଲ ହୋଇଛନ୍ତି । ଶ୍ରୀଧରନ ଓହିଓ ପ୍ରଦେଶରେ ଏହି ନିଯୁକ୍ତି ପାଇଛନ୍ତି । ତେବେ ସେ ଜଣେ ଅଣ-ଆମେରିକୀୟ । ତାଙ୍କୁ କାହିଁକି ଏହି ପଦରେ ନିଯୁକ୍ତି ଦିଆଗଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି । ଏହାର ଜବାବ ଦେଇଛନ୍ତି ଓହିଓର ଆଟର୍ଣ୍ଣି ଜେନେରାଲ । ସେ କହିଛନ୍ତି, ଶ୍ରୀଧରନ ଆମେରିକାର ନାଗରିକ । ସେ ଆମେରିକୀୟଙ୍କୁ ବିବାହ କରିଛନ୍ତି । ତାଙ୍କ ପିତାମାତା ମଧ୍ୟ ଏଠାକର ନାଗରିକ । ତାଙ୍କ ନାମ କିମ୍ବା ରଙ୍ଗ ଦେଖି ପ୍ରତ୍ରିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଶ୍ରୀଧରନ ଆମେରିକାର ସୁପ୍ରିମକୋର୍ଟରେ ଓହିଓ ପ୍ରଦେଶ ତରଫରୁ ମାମଲା ଲଢ଼ିବେ ।
…
22.
ହମାସ ବନ୍ଧକଙ୍କ ଭିଡିଓ ଭାଇରଲ, ନିଜ କବର ଖୋଳି ମୃତୁ୍ୟ ଅପେକ୍ଷାରେ
ଗାଜାରେ ହମାସ ରଖିଥିବା ଇସ୍ରାଏଲ ବନ୍ଧକଙ୍କ ଆଉ ଏକ ଭିଡିଓ ଭାଇରଲ ହୋଇଛି । ଏହି ଭିଡିଓରେ ଜଣେ ବନ୍ଧକ ଏକ ସୁଡ଼ଙ୍ଗ ଭିତରେ କବର ଖୋଳୁଥିବା ଦେଖିବାକୁ ମିଳୁଛି । ଏହା ଇସ୍ରାଏଲ ନାଗରିକ ୨୪ ବର୍ଷୀୟ ଇଭ୍ୟାତର ଡେଭିଡଙ୍କର । ଡେଭିଡ ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଅପହୃତ ହୋଇଥିଲେ । ଭିଡିଓରେ ସେ ଦୁର୍ବଳ ଓ ନିର୍ଜୀବ ଦେଖାଯାଉଛନ୍ତି । କ୍ୟାମେରା ଆଡକୁ ଅନାଇ କହୁଛନ୍ତି, ମୁଁ ନିଜ କବର ଏବେ ନିଜେ ଖୋଳୁଛି । ମୁଁ ମୃତୁ୍ୟ ଆଡକୁ ଧୀରେ ଧୀରେ ବଢ଼ୁଛି । ଏହାହିଁ ମୋ କବର, ଏଠାରେ ମୋତେ ପୋତାଯିବ । ଭିଡିଓରେ ଡେଭିଡ ଚାଲି ପାରୁନାହାନ୍ତି କି କଥା କହିପାରୁ ନଥିବା ଦେଖିବାକୁ ମିଳିଛି ।
…
23.
ହା୍ରସ ପାଇଲା ୩୭ ଜରୁରୀ ଔଷଧର ଦର
ନ୍ୟାସନାଲ ର୍ଫାମାସୁ୍ୟଟିକାଲ ଅଥରିଟି ୩୭ ପ୍ରକାର ଜରୁରୀ ଔଷଧର ଦର ହ୍ରାସ କରିଛନ୍ତି । ଏଗୁଡ଼ିର ଦର ୧୦ ରୁ ୧୫ ପ୍ରତିଶତ ହ୍ରାସ କରାଯାଇଛି । ଏହା ମଧ୍ୟରେ ହୃଦରୋଗ, ମଧୁମେହ, ସଂକ୍ରମଣ ଭଳି ବିଭିନ୍ନ ପ୍ରକାର ରୋଗର ଔଷଧ ରହିଛି । କେନ୍ଦ୍ର ରସାୟନ ଏବଂ ଉର୍ବରକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
..
24.
ସମୁଦ୍ରରେ ଭାସିଗଲେ ୪ ମତ୍ସ୍ୟଜୀବୀ; ୨ ଜଣ ଉଦ୍ଧାର, ୨ ନିଖୋଜ
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକର ୪ ଜଣ ମତ୍ସ୍ୟଜୀବୀ ଶନିବାର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ସେମାନେ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ଉପକୂଳର ତାଳସାରୀ ଥାନାକୁ ଏହି ସୂଚନା ମିଳିଥିଲା । ଏହା ପରେ କୀର୍ତ୍ତନିଆଠାରୁ ଉଦୟପୁର ପର୍ଯ୍ୟନ୍ତ ତଲାସୀ କରାଯାଇଥିଲା । ରବିବାର ଅପରାହ୍ଣରେ ପଶ୍ଚିମବଙ୍ଗର ଦୀଘା ମୁହାଣରୁ ଜଣେ ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏକ ଭଉଁରୀରେ ପଡ଼ି ଡଙ୍ଗାଟି ଓଲଟି ଯାଇଥିଲା ବୋଲି ସେ କହିଛନ୍ତି । ଅନ୍ୟ ଜଣଙ୍କୁ ସୁନ୍ଦରବନ ନିକଟରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଖୋଜ ଥିବା ୨ ଜଣ ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ସହାୟତାରେ ଖୋଜା ଚାଲିଛି ।
…
25..
ପିଓକେରେ ହେଲା ଆତଙ୍କୀର ଅନ୍ତ୍ୟେଷ୍ଟି, ସାମିଲ ହେଲେ ବହୁଲୋକ
ନିକଟରେ ଜମ୍ମୁ-କାଶ୍ମୀରରେ ‘ଅପରେସନ ମହାଦେବ’ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲା ହବିବ୍ ତାହିର । ସେ ଏପ୍ରିଲ ୨୨ ପହଲଗାଓଁ ଆକ୍ରମଣରେ ସଂପୃକ୍ତ ଥିଲା । ଏଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ନିହତ ଆତଙ୍କୀ ହବିବର ଅନ୍ତ୍ୟେଷ୍ଟି ପିଓକେ ସ୍ଥିତ ତାର ପୈତୃକ ଗ୍ରାମରେ ଅନୁଷ୍ଠିତ ହୋଇଛି । ହବିବ ପାକିସ୍ତାନୀ ବୋଲି ସଂସଦରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ଏବେ ତାହାର ପ୍ରମାଣ ମିଳିଛି । ହବିବର ଅନ୍ତ୍ୟେଷ୍ଟିର ଭିଡିଓ ଏବଂ ଫଟୋ ଭାରତର ହସ୍ତଗତ ହୋଇଛି । ଅନ୍ତ୍ୟେଷ୍ଟିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ । ଲସ୍କର କମାଣ୍ଡର ରିଜୱାନ ହନିଫ ମଧ୍ୟ ସଶସ୍ତ୍ର ସାଥୀମାନଙ୍କ ସହ ଆସି ପହଞ୍ଚିଥିଲା । କିନ୍ତୁ ତାକୁ ଗାଁ ଲୋକେ ବିରୋଧ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
…
26…
ମିଜୋରାମରେ ୩ ଶହ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ
ମିଜୋରାମର ରାଜଧାନୀ ଆଇଜଲ ଠାରେ ଜବତ ହୋଇଛି ୩୦୦ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ । ଜବତ ନିଶାଦ୍ରବ୍ୟ ମଧ୍ୟରେ ରହିଛି କ୍ରିଷ୍ଟଲ ମେଥରମଫେଟାମାଇନ ଏବଂ ହେରୋଇନ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏକ ପିକଅପ ଭ୍ୟାନରୁ ନିଶାଦ୍ରବ୍ୟଗୁଡ଼ିକୁ ଜବତ କରାଯାଇଥିଲା । ଜବତ ନିଶାଦ୍ରବ୍ୟର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୩ ଶହ ଟଙ୍କାରୁ ଅଧିକ ହେବ । ୧୨୮ଟି ସାବୁନ କେସ୍ ଭିତରେ ଲୁଚାଯାଇଥିବା ୧.୬୫ କିଲୋ ହେରୋଇନ ମଧ୍ୟ ଜବତ ହୋଇଛି ।
…
27.
ଆସନ୍ତା ୭ ତାରିଖ ବେଳକୁ ହେବ ଘୂର୍ଣ୍ଣିବଳୟ,୬ରୁ ହୋଇପାରେ ବର୍ଷା
ଆସନ୍ତାେ ୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ଏହା ରହିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ । ଆଜି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ଘନଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।
28.
ପାଟନାରେ ୪୨୨ କୋଟିର ଫ୍ଲାଇଓଭର ଦୁଇମାସରେ ଖରାପ ହୋଇଗଲା
ବିହାରରେ ନିର୍ମାଣ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପାଟନା ଠାରେ ଗତ ଜୁନ୍ ୧୧ ତାରିଖରେ ଏକ ଡବଲ-ଡେକ୍ ଫ୍ଲାଇଓଭର ଉଦଘାଟିତ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୪୨୨ କୋଟି ଟଙ୍କା । ଏହାକୁ ଉଦଘଟେନ କରିଥିଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର । ଏବେ ୩/୪ ଦିନ ପ୍ରବଳ ବର୍ଷା ପରେ ସେହି ଫ୍ଲାଇଓଭର ଅବସ୍ଥା ଖରାପ ହୋଇଯାଇଛି । ଫ୍ଲାଇଓଭରର ଉପର ଡେକ୍ ର ଲମ୍ବ ୨୧୭୫.୫ ମିଟର । ତଳ ଡେକ୍ ର ଲମ୍ବ ୧୪୪୯.୩ ମିଟର । ଉଭୟ ଡେକ୍ ର ଚଉଡ଼ା ୮.୫ ମିଟର । ଏବେ ଫ୍ଲାଇ ଓଭରର ମାନ ଓ ଭବିଷ୍ୟତରେ ଏହାର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
…
29.
ବାଂଲାଦେଶକୁ ନିର୍ବାସିତ ହେବା ଭୟରେ ଆତ୍ହତ୍ୟା, ଏନଆରସି ପାଇଁ ଥିଲେ ଚିନ୍ତିତ
ଆଗକୁ ଦେଶରେ ଲାଗୁ ହୋଇଯିବ ଏନଆରସି ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ । ଏହା ହେଲେ ଅନେକ ବାଂଲା ଅନୁପ୍ରବେଶକାରୀ ଭାରତରୁ ବିଦା ହେବେ । ଏହି ପ୍ରଚାରରେ ଭୟଭୀତ ହୋଇ କୋଲକାତାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବ୍ୟକ୍ତିଙ୍କ ନାମ ଦିଲ୍ଲୀପ କୁମାର ଶାହ ଏବଂ ବୟସ ୬୨ । ସେ ୧୯୭୨ ମସିହାରେ ଢାକାର ନବାବଗଞ୍ଜରୁ ଆସି ଦକ୍ଷିଣ କୋଲକାତା ଧାକୁରିଆ ଅଞ୍ଚଳରେ ନନ୍ ଟିଚିଂ ଷ୍ଟାଫ ଭାବେ ଚାକିରି କରିଥିଲେ । ତେବେ ଏନଆରସି ଲାଗୁ ହେଲେ ତାଙ୍କୁ ବାଂଲାଦେଶ ପଠାଇ ଦିଆଯିବ ଭାବି ସେ ଚିନ୍ତିତ ଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।
….
30.
ରୋମାଞ୍ଚକ ସ୍ଥିତିରେ ଓଭାଲ ଟେଷ୍ଟ ମ୍ୟାଚ୍, ବର୍ଷା ସାଜିଲା ବାଧକ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଜିତିବା ପାଇଁ ଇଂଲଣ୍ଡକୁ ଆଉ ମାତ୍ର ୩୫ ରନ୍ ଦରକାର ଥିବାବେଳେ ଭାରତକୁ ୪ଟି ୱିକେଟ୍ ଆବଶ୍ୟକ। ତେବେ, ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ଶେଷ ହୋଇଯାଇଛି। ୩୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ପାଇଁ ହ୍ୟାରି ବ୍ରୁକ୍ ଓ ଜୋ ରୁଟ୍ ଶତକ ହାସଲ କରିଥିଲେ। ଏକ ସମୟରେ ଇଂଲଣ୍ଡ ସହଜରେ ଜିତିବା ଭଳି ମନେ ହେଉଥିଲା। କିନ୍ତୁ ପରେ ଭାରତୀୟ ବୋଲରମାନେ କମବ୍ୟାକ୍ କରି ଗୋଟିଏ ପରେ ଗୋଟିଏ ୱିକେଟ୍ ନେବାରୁ ମ୍ୟାଚ୍ ପୁଣି ଭାରତ ପକ୍ଷକୁ ଢଳିଥିଲା। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଛନ୍ତି। ପଞ୍ଚମ ଦିନର ଖେଳ ଉପରେ ସମସ୍ତଙ୍କ ନଜର ରହିଛି।