Odisha News
ବିଏମସି ଅଫିସରଙ୍କ ମାଡ଼ ଘଟଣାରେ ଗିରଫ ହେଲେ ବିଜେପି ନେତା, ଓଏଏସ୍ ଆନେ୍ଦାଳନ ହଟିଲା
ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ମାମଲାରେ ସେ ଗିରଫ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ଡିସିପିଙ୍କ ଅଫିସରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଥିଲା । କ୍ୟାପିଟାଲ ହସପିଟାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା । ଅବଶ୍ୟ ଏହା ପ୍ରତିବାଦରେ ତାଙ୍କ ସମର୍ଥକ ମାନେ କିଛି ସମୟ ରାଜପଥ ଅବରୋଧ କରିଥିଳେ । ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ଏବେ ଜେଲରେ ଅଛନ୍ତି । ଅତିରିକ୍ତ କମିଶନରଙ୍କୁ ମାଡ଼ ପଛରେ ଜଗା ପ୍ରଧାନଙ୍କ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଥିଲା । ତାଙ୍କ ଗିରଫ ଦାବି ରାଜ୍ୟବ୍ୟାପୀ ଓଏଏସ ଏବଂ ଓଆରଏସ୍ ଅଫିସର ମାନେ ତିନି ଦିନ ଧରି କଲମ ଛାଡ଼ ଆନେ୍ଦାଳନ ଚଳାଇଥିଲେ । ଜଗନ୍ନାଥଙ୍କ ଗିରଫ ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି ।
ଆଗକୁ ପୁଣି ହେବ ଘୂର୍ଣ୍ଣିବଳୟ, ରାଜ୍ୟରେ ଲାଗି ରହିବ ବର୍ଷା
ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷାଲାଗି ରହିଛି । କେଉଁଠି ବେଶୀତ ଆଉ କେଉଁଠି କମ୍ । ତେବେ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୬ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ସେହିପରି ୧୧ ରୁ ୧୭ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ହୋଇପାରେ । ଲାଗ ଲାଗ ଦୁଇଟି ଘୂର୍ଣ୍ଣିବଳୟର ସମ୍ଭାବନା ଥିବାରୁ ରାଜ୍ୟରେ ଏବେ ବର୍ଷା ଲାଗି ରହିବା ନିଶ୍ଛିତ ହୋଇଛି । ରାଜ୍ୟରେ ଏଥର ଆଗୁଆ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଆସିଥିଲା । ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେବେ ୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅଛି ଏବଂ ୨୭ଟି ଜିଲ୍ଲାରେ ଅଧିକ ହୋଇଛି ।
ନିଳାଦ୍ରୀ ବିଜେ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ମରାମତି, ଅନୁଧ୍ୟାନ କଲେ ଗଜପତି
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଏବେ ଶେଷ ପର୍ଯ୍ୟାୟରେ । ଭିତର ରତ୍ନଭଣ୍ଠାର ମରାମତି ଶେଷ ହୋଇଛି । ବାହାର ରତ୍ନଭଣ୍ଡାରର ଅଳ୍ପ କିଛି କାମ ବାକି ଅଛି । ଆସନ୍ତା ନୀଳାଦ୍ରି ବିଜେ ପୂର୍ବରୁ ତାହା ନିଶ୍ଚିତ ଶେଷ ହେବ । ଏହା କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗୁରୁବାର ସେ ନିଜେ ରତ୍ନଭଣ୍ଡାର ମରାମତି କାମ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ମନ୍ଦିର ଶୈଳୀରେ ହୋଇଛି । ପ୍ରାୟ ୬୦୦ ପଥର କାଢ଼ି ନୂଆ ପଥର ଲଗାଯାଇଛି । ଭଣ୍ଡାରରେ ନୂଆ ଷ୍ଟେନଲେସ ଷ୍ଟିଲ ଓ ବର୍ମା କବାଟ ଲଗାଯିବ । ବାହୁଡ଼ା ଯାତ୍ରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏହାପରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ରତ୍ନଭଣ୍ଡାର ଗଣତିମଣତି କରାଯିବ । ରତ୍ନଭଣ୍ଡାର ମରାମତି କାମ ଦେଖିବା ପରେ ଗଜପତି ମହାରାଜ ବୈଷୟିକ କମିଟିକୁ ଧନ୍ୟବାଦ ଦେଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
କଲେଜ ଛାତ୍ରୀ ବଳାକ୍ରାର ମାମଲା, ପଶ୍ଚିମବଙ୍ଗ ସରକାରଙ୍କୁ ହାଇକୋର୍ଟ ମାଗିଲେ ରିପୋର୍ଟ
କୋଲକାତାର ଏକ ଆଇନ କଲେଜରେ ଛାତ୍ରୀ ବଳାକ୍ରାର ମାମଲାରେ ହାଇକୋର୍ଟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ମାମଲାର ତଦନ୍ତ ଅଗ୍ରଗତି ରିପୋର୍ଟ ସହ କେସ ଡାଇରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ ତାରିଖକୁ ରହିଛି । ତେଣୁ ଏହା ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଇତି ମଧ୍ୟରେ ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିସାରିଛି । ଜୁନ୍ ୨୫ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା । ପୁଲିସ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଛି ।
ପ୍ରତି ପଞ୍ଚାୟତରେ ହେବ କୋ-ଅପରେଟିଭ ସୋସାଇଟି, ଲୋକଙ୍କୁ ମିଳିବ ବିଭିନ୍ନ ସେବା
ରାଜ୍ୟର ପ୍ରତି ପଞ୍ଚାୟତରେ ଏକ କୋ-ଅପରେଟିଭ ସୋସାଇଟି ଗଠନ କରାଯିବ । ଏହାରି ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଉପଲବ୍ଧ ହୋଇପାରିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଜାତୀୟ ସମବାୟ ଆଇନ ଅନୁସାରେ ଏସବୁ ଗଠନ କରାଯିବ । ୨୦୨୬ ଜାନୁଆରୀ ୩୧ ତାରିଖ ସୁଦ୍ଧା ରାଜ୍ୟରେ ନୂତନ ସମବାୟ ନୀତି ପ୍ରଣୟନ କରାଯିବାକୁ ଲକ୍ଷ୍ୟ ରହିଛି । ପ୍ରସ୍ତାବିତ କୋ-ଅପରେଟିଭ୍ ସୋସାଇଟି ମାଧ୍ୟମରେ ବହମୁଖୀ ସେବା ମିଳିବ । ଏଲପିଜି ବଣ୍ଟନ କେନ୍ଦ୍ର, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, କମନ ସର୍ଭିସ ସେଣ୍ଟର, ଡାଏରୀ ଫାର୍ମ, ଦୁଗ୍ଧ ଯୋଗାଣ କେନ୍ଦ୍ର ଆଦି ସୁବିଧା ରହିବ । ତେବେ ଏଗୁଡ଼ିକୁ ଲାଭଜନକ ସଂସ୍ଥା କରାଯିବ ନାହିଁ । ସେହିପରି ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ମଧ୍ୟ ମିଳିପାରିବ । ଏବେ କୃଷକଙ୍କୁ ୨ ପ୍ରତିଶତ ସୁଧ ହାରରେ ୨ ଲକ୍ଷ ଟଙ୍କା ପଯ୍ୟନ୍ତ କୃଷିଋଣ ମିଳୁଛି । ଏହାକୁ ଶୀଘ୍ର ୫ ଲକ୍ଷ ଟଙ୍କାକୁ ବଢ଼ାଇବାକୁ ମଧ୍ୟ ଯୋଜନା ଥିବା ସେ କହିଛନ୍ତି ।
ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର ‘ଶବରୀ ଭବନ’ ହେଲା ଉଦଘାଟିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ନୟାପଲ୍ଲୀଠାରେ ଶବରୀ ସାଂସ୍କୃତିକ ପରିଷଦର ‘ଶବରୀ ଭବନ’କୁ ଉଦଘାଟନ କରିଛନ୍ତି । ଏଥିସହ ସେ ଏହାର ଉନ୍ନତିକରଣ ପାଇ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଥିଲେ, ଏହା ଏକ ଆଶ୍ରୟ ସ୍ଥଳ ନୁହେଁ, ବରଂ ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ନିମନ୍ତେ ଏହା ଏକ ସ୍ୱଳ୍ପ ରହଣୀ ସ୍ଥଳ । ଭୁବନେଶ୍ୱରରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଉଛି । ରାଜ୍ୟରେ ଜନଜାତି ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ ନିମନ୍ତେ ୬୮ ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଥିବା ସେ କହିଥିଲେ ।
National-International
ଘାନାର ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଘାନା ଗସ୍ତରେ ଯାଇଥିଲେ । ଗସ୍ତ ଅବସରରେ ତାଙ୍କୁ ଘାନାରେ ମିଳିଛି ଅଭୂତପୂର୍ବ ସମ୍ବର୍ଦ୍ଧନା । ତାଙ୍କୁ ମଧ୍ୟ ଘାନାର ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଘାନାର ଜାତୀୟ ସମ୍ମାନ, ‘ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା’ । ଶ୍ରୀ ମୋଦିଙ୍କୁ ଘାନାର ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି । ସେ ମୋଦିଙ୍କୁ ଜଣେ ବିଶିଷ୍ଟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସେ କହଛନ୍ତି । ଶ୍ରୀ ମୋଦି ଏହି ବିଶେଷ ପୁରସ୍କାର ପାଇଁ ଘାନାର ଜନସାଧାରଣ ଓ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ପୁରସ୍କାର ୧୪୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନ ବୋଲି ସେ କହିଛନ୍ତି ।
ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ୩ ଭାରତୀୟ ଅପହୃତ, ଅଲକାଏଦା ଆତଙ୍କୀ ସଂପୃକ୍ତ
୩ ଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି ଅଲକାଏଦା ଆତଙ୍କୀ । ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ହୋଇଛି ଏହି ଘଟଣା । ଗତ ୧ ତାରିଖରେ ଏକ ସିମେଣ୍ଟ କାରଖାନାରେ ଆତଙ୍କୀ ଆକ୍ରମଣ କରିଥିଲେ । ଏହି ସମୟରେ ସେମାନେ ୩ ଜଣ ଭାରତୀୟଙ୍କୁ ସାଙ୍ଗରେ ନେଇଯାଇଛନ୍ତି । ଏହି ଘଟଣା ପାଇଁ ଅଲକାଏଦାର ଏକ ଆତଙ୍କୀ ସଂଗଠନ ‘ଜମାତ ନୁସରତ ଅଲ-ଇସଲାମ’ ନିଜକୁ ଦାୟୀ କରିଛି । ନାଗରିକମାନଙ୍କ ସୁରକ୍ଷିତ ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମାଲି ସରକାରଙ୍କୁ ଭାରତ ପକ୍ଷରୁ ନିବେଦନ କରାଯାଇଛି । ବିଦେଶ ମନ୍ତ୍ରାଳୟ ଏବଂ ମାଲିରେ ଥିବା ଭାରତୀୟ ଦୂତାବାସ ଘଟଣା ଉପରେ ନଜର ରଖିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଆଗାମୀ ୪ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ
ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ଆସନ୍ତା ୬ ତାରିଖରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହେବ । ଏହା ଚଳିତ ବର୍ଷ ମୌସୁମୀ ଋତୁର ପ୍ରଥମ ଜଳ ନିଷ୍କାସନ । ଏ ସମ୍ପର୍କରେ ମହାନଦୀର ତଳମୁଣ୍ଡରେ ଥିବା ଅଞ୍ଚଳ ଗୁଡ଼ିକୁ ସୂଚନା ଦିଆଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କେତୋଟି ସ୍ଲୁଇସ ଗେଟ ଖୋଲାଯିବ ସେ ସମ୍ପର୍କରେ କିଛି କୁହାଯାଇନି । ତେବେ ଏହା ଯୋଗୁ ତଳମୁଣ୍ଡରେ ବନ୍ୟାର କୌଣସି ଆଶଙ୍କା ନଥିବା ସ୍ପଷ୍ଟ କରାଯାଇଛି । ଜଳ ନିଷ୍କାସନ ପୂର୍ବରୁ ପ୍ରଥା ଅନୁସାରେ ପ୍ରଥମେ ପୂଜାବିଧି ଅନୁଷ୍ଠିତ ହେବ ।
ୟୁକ୍ରେନ ଯୁଦ୍ଧରେ ରୁଷ ନୌବାହିନୀର ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ
ୟୁକ୍ରେନ ସହ ଯୁଦ୍ଧରେ ରୁଷ ନୌବାହିନୀ ବରିଷ୍ଠ କମାଣ୍ଡର ମେଜର ଜେନେରାଲ ମିଖାଇଲ ଗୁଡକୋଭ ପ୍ରାଣ ହରାଇଛନ୍ତି । କୁରସ୍କ ଠାରେ ଚାଲିଥିବା ଯୁଦ୍ଧରେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ରୁଷ ସ୍ପଷ୍ଟ କରିଛି । ମିଖାଇଲ ରୁଷ ନୌବାହିନୀରେ ଡେପୁଟି କମାଣ୍ଡର ଭାବେ କାମ କରୁଥିଲେ । ୨୦୨ ଫେବୃଆରୀରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ପାଇଁ ରୁଷର ଏଭଳି ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଛନ୍ତି । ୪୨ ବର୍ଷୀୟ ମିଖାଇଲ ୨୦୦୦ ମସିହାରୁ ରୁଷ ନୌବାହିନୀରେ କାମ କରୁଥିଲେ । ୨୦୨୩ ମସିହାରେ ତାଙ୍କୁ ରୁଷର ଏକ ସର୍ବୋଚ୍ଚ ସମ୍ମାନ ‘ହିରୋ ଅଫ ଦି ରଷିଆନ ଫେଡରେସନ’ ସମ୍ମାନ ଦିଆଯାଇଥିଲା । ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ସମ୍ମାନ ଦେଇଥିଲେ ।
ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଗାଜାରେ ୮୨ ମୃତ, ଅନେକ ସାହାଯ୍ୟ ଅପେକ୍ଷାରେ ଥିଲେ
ଗାଜାରେ ପୁଣି ଥରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଓ ସେନାର ଗୁଳିମାଡ଼ରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ବିସ୍ଥାପିତ ପାଲେଷ୍ଟିନୀୟ ମାନେ ଥିବା କେତେକ ତମ୍ବୁ ଉପରେ ମଧ୍ୟରେ ଏୟାର ଷ୍ଟ୍ରାଇକ କରାଯାଇଛି । ସେହିପରି ଏକ ସହାୟତା ବଣ୍ଟନ କେନ୍ଦ୍ର ନିକଟରେ ଗୁଳିମାଡ଼ କରାଯିବାରୁ ୩୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏମାନେ ସହାୟତା ଆଶାରେ ଅପେକ୍ଷା କରିଥିଲେ । ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୫୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଇସ୍ରାଏଲ ଓ ହମାସ ମଧ୍ୟରେ ଶୀଘ୍ର ୬୦ ଦିନିଆ ଯୁଦ୍ଧ ବିରତି ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ । କିନ୍ତୁ ଇସ୍ରାଏଲ ପକ୍ଷରୁ କୌଣସି ସୂଚନା ଦିଆଯାଇନି ।
ଶକ୍ତିଶାଳୀ ହେବ ସେନା, ୧ ଲକ୍ଷ କୋଟିର ସାମଗ୍ରୀ କ୍ରୟକୁ ମଂଜୁରୀ
ଦେଶର ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି । ‘ଅପରେସନ ସିନ୍ଦୂର’ ପରେ ଏହା ବଡ଼ ପଦକ୍ଷେପ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗୁରୁବାର ୧. ୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି । ରିକଭରି ଭେଇକିଲ,ଇଲେକ୍ଟ୍ରୋନିକ୍ ୱାରଫେୟାର,ଭୂପୃଷ୍ଠରୁ ମାଡ଼ କରାଯାଉଥିବା ମିସାଇଲ ଆଦି କ୍ରୟ ହେବ । ଏଥିସହ ମାଇନ କାଉଣ୍ଟର ମେଜର ଜାହାଜ, ସୁପର ରାପିଡ ଗନ୍ ମାଉଣ୍ଟ ଆଦି ମଧ୍ୟ କିଣାଯିବ ।
ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ୬ରୁ ପ୍ରବେଶ ବନ୍ଦ
ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ସନ୍ଧ୍ୟା ଦର୍ଶନ । ତେବେ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରବେଶ ଦ୍ୱାର ବନ୍ଦ କରାଯିବ । ଅର୍ଥାତ ୬ ଟା ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କ ଦର୍ଶନ କରିବାର ସୁବିଧା ପାଇବେ । ଆସନ୍ତାକାଲି ବାହୁଡ଼ା ଯାତ୍ରା । ସେଥିପାଇଁ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଅନୁଷ୍ଠିତ ହେବ । ସେଥିପାଇଁ ୬ଟା ସୁଦ୍ଧା ସନ୍ଧ୍ୟା ଦର୍ଶନ ଶେଷ କରାଯିବ । ବାହୁଡ଼ା ଦିନ ଭକ୍ତମାନେ ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ । ଇତି ମଧ୍ୟରେ ତିନି ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାରରେ ପ୍ରସ୍ତୁତ ହୋଇ ରହିଛନ୍ତି ।
ବଦଳିଲା ନିୟମ,ଦିଲ୍ଲୀରେ ଏବେ ପୁରୁଣା ଗାଡ଼ିକୁ ତେଲ ବନ୍ଦ କରାଯିବନି
ନିକଟରେ ଦିଲ୍ଲୀରେ ପୁରୁଣା ଗାଡ଼ି ଗୁଡ଼ିକର ଚଳାଚଳ ଉପରେ କଟକଣା ଜାରି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ଏହି ଶ୍ରେଣୀରେ ରଖାଯାଇଥିଲା । ଏଗୁଡ଼ିକୁ ତେଲ ପମ୍ପରେ ତେଲ ନ ଦେବାକୁ ଏବଂ ଜବତ କରିବାକୁ ନିର୍ଦେଶ ଜାରି କରାଯାଇଥିଲା । ଫଳରେ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୁରୁଣା ଗାଡ଼ି ମାଲିକଙ୍କ ଚିନ୍ତା ବି ବଢ଼ିଯାଇଥିଲା । ଏବେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ଏହି ନିର୍ଦେଶକୁ ଅଟକାଇଛନ୍ତି । ବିଶେଷ କରି ଏଭଳି ନିୟମ କରିବାକୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଗୁଡ଼ିକ ସହ ସମନ୍ୱୟ ଜରୁରି ବୋଲି ସେ କହିଛନ୍ତି । ଆଗକୁ ଏ କ୍ଷେତ୍ରରେ ଏ ନୂଆ ନୀତି ଆସିବ ବୋଲି ସେ କହିଛନ୍ତି ।
ଅଖିଳେଶଙ୍କ ଘୋଷଣା,ଦଳ କ୍ଷମତାକୁ ଆସିଲେ ମିଳିବ ୩ ଶହ ୟୁନିଟ ବିଜୁଳ ମାଗଣା
୨୦୨୭ ମସିହାରେ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜନୈତିକ ଦଳ ଗୁଡ଼ିକ ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି । ସମାଜବାଦୀପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ନିଜ ନୂଆ ବାସଭବନ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ଅବସରରେ ସେ ଏହା କହିଛନ୍ତି । ରାଜ୍ୟରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସିକ ୩ଶହ ଯୁନିଟ ମାଗଣା ବିଜୁଳି ମିଳିବ । ଏଥିସହ ପ୍ରତ୍ୟେକ ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଏବଂ ଯୁବକଙ୍କୁ ମାଗଣା ଆଇପଡ୍ ଦିଆଯିବ । ଅପରପକ୍ଷରେ ଅଖିଳେଶ ଅଭିଯୋଗ କରିଛନ୍ତି, ରାଜ୍ୟରେ ଯେଉଁସବୁ ବୁଥରେ ବିଜେପି କମ୍ ଭୋଟ ପାଉଥିଲା, ସେଗୁଡ଼ିକୁ ଏବେ ବନ୍ଦ କରିଦିଆଯାଉଛି ।
ଥାଇଲାଣ୍ଡରେ ଦୁଇଦିନରେ ଦୁଇଜଣ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଶିନାୱାତ୍ରାଙ୍କୁ ଗତ ମଙ୍ଗଳବାର ଅଦାଲତ ନିଲମ୍ବିତ କରିଥିଲେ । କାମ୍ବୋଡ଼ିଆ ନେତାଙ୍କ ସହ ତାଙ୍କର ବାର୍ତ୍ତାଳାପର ଏକ ଅଡିଓ ପ୍ରଘଟ ହେବାକୁ ସେ ଅଡ଼ୁଆରେ ପଡ଼ିଥିଲେ । କାମ୍ବୋଡ଼ିଆ ସହ ଥାଇଲାଣ୍ଡର ଶତ୍ରୁତା ବହୁ ଦିନର । ତେଣୁ ଏଭଳି ଅଡ଼ିଓ ଦେଶବାସୀଙ୍କୁ କ୍ଷୁବ୍ଧ କରିଥିଲା । ବାଧ୍ୟହୋଇ ଶିନାୱାତ୍ରା ପଦ ଛାଡ଼ିଥିଲେ । ତାଙ୍କ ସ୍ଥାନରେ ୭୦ ବର୍ଷୀୟ ସୂରିୟାଙ୍କୁ ବୁଧବାର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଗୁରୁବାର ମନ୍ତ୍ରିମଣ୍ଡଳ ବୈଠକରେ ତାଙ୍କୁ ବି ହଟାଇ ଦିଆଯାଇଛି । ଦେଶର ଗୃହମନ୍ତ୍ରୀ ଫୁମଥମଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଫଳରେ ଦେଶକୁ ଦୁଇ ଦିନରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ଦେଖିବାକୁ ପଡ଼ିଛି ।
ଘାନା ସଂସଦରେ ମୋଦିଙ୍କ ସମ୍ବୋଧନ, କହିଲେ ଗଣତନ୍ତ୍ର ଆମର ସଂସ୍କାର
ଘାନା ଗସ୍ତ ଅବସରରେ ସଂସଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଥିଲେ, ଭାରତରେ ଅଢ଼େଇ ହଜାର ରାଜନୈତିକ ଦଳ ରହିଛନ୍ତି । ୨୦ଟି ଭିନ୍ନ ଭିନ୍ନ ଦଳ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିଛନ୍ତି । ଦେଶରେ ୨୨ଟି ସ୍ୱୀକୃତିପ୍ରାପ୍ତ ଭାଷା ଓ ହଜାର ଡଜାର ଉପଭାଷା ରହିଛି । ଗଣତନ୍ତ ଆମ ପାଇଁ କୌଣସି ବ୍ୟବସ୍ଥା ନୁହେଁ । ଏହା ଆମ ପାଇଁ ମୂଲ୍ୟବୋଧ ଓ ସଂସ୍କାର । ଏହା ଆଲୋଚନାକୁ ପ୍ରୋତ୍ସାହିତ କରେ ଏବଂ ଏକଜୁଟ କରିଥାଏ । ଏହା ମର୍ଯ୍ୟାଦା ଓ ମାନବାଧିକାରକୁ ସୁରକ୍ଷା ଦେଇଥାଏ । ଘାନା ଗସ୍ତ ଶେଷ କରି ମୋଦି ତ୍ରିନିଦାଦ ଟବାଗୋ ଗସ୍ତରେ ଯାଇଛନ୍ତି ।
Recruitment News
ଭାରତୀୟ ନୌସେନାରେ ୧୧୧୦ ପଦବୀ ପାଇଁ ନିଯୁକ୍ତି ସୁଯୋଗ
ଭାରତୀୟ ନୌସେନା ତରଫରୁ ୧୧୧୦ଟି ନାଭାଲ୍ ସିଭିଲିଆନ୍ ଷ୍ଟାଫ୍ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟତା ଦଶମ, ଦ୍ୱାଦଶ, ଆଇଟିଆଇ, ଡିପ୍ଲୋମା ଏବଂ ସ୍ନାତକ ରଖାଯାଇଛି। ଏହି ପଦବୀଗୁଡ଼ିକ ମଧ୍ୟରେ ଟ୍ରେଡ୍ସମ୍ୟାନ୍ ମେଟ୍, ଷ୍ଟୋରକିପର, ଫାୟାରମ୍ୟାନ୍, ଡ୍ରାଇଭର, ଚାର୍ଜମ୍ୟାନ୍ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ଆଦି ଅନ୍ତର୍ଭୁକ୍ତ। ଇଚ୍ଛୁକ ପ୍ରାର୍ଥୀମାନେ ୦୫ ଜୁଲାଇ ୨୦୨୫ରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୮ ଜୁଲାଇ ୨୦୨୫ ରହିଛି। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୯୫ ଟଙ୍କା ଥିବାବେଳେ ମହିଳା ଓ ସଂରକ୍ଷିତ ବର୍ଗଙ୍କ ପାଇଁ ଏହା ଛାଡ଼ କରାଯାଇଛି। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ଦେଖିପାରିବେ।
ଆସନ୍ତା ୨୦ରେ ସ୍ପେଶାଲ ଓଟିଇଟି, ୭୫ ହଜାର ଶିକ୍ଷକ ଦେବେ
ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ସ୍ପେଶାଲ ଓଟିଇଟି । ଏହି ପରୀକ୍ଷା ଲାଗି ୭୫ ହଜାର ୪୦୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅନୁଷ୍ଠିତ ହେଉଛି ଏହି ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟ ପରୀକ୍ଷା ବା ଓଟିଇଟି । ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୧୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୨୦୧୧ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଓଟିଇଟି ସାର୍ଟିଫିକେଟ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ରାଜ୍ୟ ସରକାର ନିଦେ୍ର୍ଦଶ ଜାରି କରିଥିଲେ । ତେଣୁ ଚଳିତ ବର୍ଷ ବହୁ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେଉଛନ୍ତି ।
ବି.ଏଡ. ପ୍ରବେଶିକା ପରୀକ୍ଷା: ତ୍ରୁଟି ଅଭିଯୋଗ ପରେ ପ୍ରକାଶ ପାଇବ ଉତ୍ତର ସୂଚୀ
ରାଜ୍ୟ ଚୟନ ବୋର୍ଡ (SSB) ଦ୍ୱାରା ପରିଚାଳିତ ବି.ଏଡ., ଏମ୍.ଏଡ. ଏବଂ ବି.ଏଚ୍.ଏଡ. ପ୍ରବେଶିକା ପରୀକ୍ଷାରେ ମାର୍କକୁ ନେଇ ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିବା ପରେ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି SSB ପକ୍ଷରୁ ଜୁଲାଇ ୭ ତାରିଖ, ସକାଳ ୧୧ଟାରେ ପରୀକ୍ଷାର ପ୍ରାଥମିକ ଉତ୍ତର ସୂଚୀ ପ୍ରକାଶ କରାଯିବ। ପରୀକ୍ଷାର୍ଥୀମାନେ ssbodisha.ac.in ୱେବସାଇଟରେ ଏହାକୁ ଦେଖିପାରିବେ। ଯଦି କୌଣସି ଉତ୍ତରରେ ଆପତ୍ତି ଥାଏ, ତେବେ ପରୀକ୍ଷାର୍ଥୀମାନେ SAMS ପୋର୍ଟାଲରେ ପ୍ରତି ପ୍ରଶ୍ନ ପିଛା ୨୦୦ ଟଙ୍କା ଦେଇ ଚ୍ୟାଲେଞ୍ଜ କରିପାରିବେ। ଏହି ସୁବିଧା ଜୁଲାଇ ୮ରୁ ଜୁଲାଇ ୧୦ ତାରିଖ ରାତି ୧୧:୪୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ପ୍ରକାଶ ପାଇଲା ଓଡ଼ିଶା ଏକକ ଭାଷା ପରୀକ୍ଷା ଫଳ, ବୋର୍ଡ ୱେବସାଇଟରୁ ପାଇବେ
ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଦ୍ୱାରା ପରିଚାଳିତ ଓଡ଼ିଶା ଏକକ ଭାଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହା ବୋର୍ଡ ୱେବସାଇଟରୁ ଦେଖିହେବ ଏବଂ ଡାଉନଲୋଡ କରିହେବ । ଦଶମ ଷ୍ଟାଣ୍ଡାର୍ଡରେ ହୋଇଥିବା ଏକକ ଓଡ଼ିଆ ଭାଷା ପରୀକ୍ଷାରେ ଆବେଦନ କରିଥିଲେ ୫ ହଜାର ୧୫୯ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୪ ହଜାର ୧୯୫ ଜଣ ପାସ୍ କରିଛନ୍ତି । ୨୯୦ ଜଣ ଅନୁପସ୍ଥିତ ଥିଲେ । ୬୭୪ ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଅଷ୍ଟମ ଷ୍ଟାଣ୍ଡାର୍ଡରେ ଆବେଦନ କରିଥିବା ୧ ହଜାର ୫୨୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨ ଶହ ୮ ଜଣ ପାସ୍ କରିଛନ୍ତି ।
Business News
ପୂର୍ବତନ ଜି-୨୦ ସେର୍ପା ଅମିତାଭ କାନ୍ତ ଇଣ୍ଡିଗୋ ବୋର୍ଡରେ ହେଲେ ସାମିଲ
ଇଣ୍ଡିଗୋ ବୋର୍ଡରେ ସାମିଲ ହୋଇଛନ୍ତି ଅମିତାଭ କାନ୍ତ । କେରଳ କ୍ୟାଡର ୧୯୮୦ ବ୍ୟାଚର ଆଇଏଏସ୍ ଅମିତାଭ ନିକଟରେ ତାଙ୍କ ସରକାରୀ ପଦରୁ ଇସ୍ତଫା ଦେଇଥିଲେ । ସେ ନିତି ଆୟୋଗରେ ୬ ବର୍ଷ ଧରି ସିଇଓ ପଦରେ ରହିଥିଲେ । ଏହାପରେ ଭାରତର ଜି-୨୦ ସେର୍ପା ଭାବେ ନିଯୁକ୍ତି ପାଇଥିଲେ । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବିପୁଳ ଅଭିଜ୍ଞତା ରହିଛି । ତାଙ୍କୁ ଇଣ୍ଡିଗୋରେ ସ୍ୱାଗତ କରିଛନ୍ତି ନିର୍ଦେଶନାମଣ୍ଡଳୀ ଚେୟାରମ୍ୟାନ ବିକ୍ରମ ସିଂହ ମେହେଟ୍ଟା । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତି ମିଳିବା ପରେ ଅମିତାଭ ଇଣ୍ଡିଗୋରେ ଯୋଗ ଦେବେ । ୨୦୩୦ ମସିହା ସୁଦ୍ଧା ବିଶ୍ୱ ସ୍ତରରେ ନିଜ ସେୟାର ବଢ଼ାଇବାକୁ ଇଣ୍ଡିଗୋର ଲକ୍ଷ୍ର ରହିଛି ।
ଖୁବ ଶୀଘ୍ର ଆମେରିକା ସହ ହେବ କ୍ଷୁଦ୍ର ବାଣିଜ୍ୟ ଚୁକ୍ତି
ଭାରତ ଓ ଆମେରିକା ମଧ୍ୟରେ ଖବ ଶୀଘ୍ର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି । ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଅଛି । ଦୁଇ ଦେଶ ମଧ୍ୟରେ ଏକ କ୍ଷୁଦ୍ର ବୁଝାମଣାପତ୍ର ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । କିଛି ଦିନ ତଳେ ଆମେରିକା ବାଣିଜ୍ୟ କ୍ଷେତ୍ରରେ ଯେସାକୁ ତେସା ନୀତିରେ ଶୁଳ୍କ ଘୋଷଣା କରିଥିଲା । ତେବେ ପରେ ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଏହି ଅବଧି ଶେଷ ପୂର୍ବରୁ ଭାରତକୁ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବାକୁ ପଡ଼ିବ । ନଚେତ ଭାରତ ଉପରେ ବଡ଼ଧରଣର ଶୁଳ୍କ ଲାଗୁ ହୋଇଯିବ । ତେବେ ଆଲୋଚନାରେ ଉଭୟ ଦେଶର ସର୍ତ୍ତ ସମସ୍ୟା କରିଛି । ଭାରତର କୃଷି କ୍ଷେତ୍ରରେ ପ୍ରବେଶ ପାଇଁ ଆମେରିକା ଇଚ୍ଛା କରୁଛି । କିନ୍ତୁ ଭାରତ ଏଥିରେ ସହମତ ନାହିଁ । ଏହା ହେଲେ ଦେଶର ଚାଷୀମାନେ କ୍ଷତିରେ ପଡ଼ିବାର ଆଶଙ୍କା ରହିଛି ।
ପତଞ୍ଜଳିକୁ ହାଇକୋର୍ଟଙ୍କ ନିର୍ଦେଶ, ଅନ୍ୟ କମ୍ପାନି ବିରୋଧରେ ବିଜ୍ଞାପନ ବନ୍ଦ କରି
ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଏବେ ଅଡ଼ୁଆରେ । କମ୍ପାନି ଦ୍ୱାରା ପ୍ରସାରିତ ହେଉଥିବା ଏକ ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏହି ବିଜ୍ଞାପନରେ ନିଜେ ବାବା ରାମଦେବ ଅନ୍ୟ କମ୍ପାନିର ଚ୍ୟବନପ୍ରାଶର ମାନ ଉପରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି । ଏଥିସହ ନିଜ କମ୍ପାନିର ଚ୍ୟବନପ୍ରାଶକୁ ଉତ୍ତମ ମାନର ଦର୍ଶାଉଛନ୍ତି । ଏହି ବିଜ୍ଞାପନ ବିରୋଧରେ ଡାବର କମ୍ପାନି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହାଇକୋର୍ଟ ଏବେ ପତଞ୍ଜଳିକୁ ଉକ୍ତ ବିଜ୍ଞାପନର ପ୍ରସାରଣ ଅଟକାଇବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ ତାରିଖରେ ହେବ ବୋଲି କେର୍ଟ ଧାର୍ଯ୍ୟ କରିଛନ୍ତି ।
Sports News
ଗିଲଙ୍କ ଦ୍ୱିଶତକ ବଳରେ ଭାରତର ବିଶାଳ ସ୍କୋର, ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ
ବର୍ମିଂହାମରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଶୁବମନ ଗିଲଙ୍କ ଚମତ୍କାର ଦ୍ୱିଶତକ (୨୬୯ ରନ୍) ବଳରେ ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନର ଏକ ବିଶାଳ ସ୍କୋର କରିଛି। ତାଙ୍କୁ ରବୀନ୍ଦ୍ର ଜାଡେଜା (୮୯) ଓ ଯଶସ୍ୱୀ ଜୟସ୍ୱାଲ (୮୭) ଉପଯୁକ୍ତ ସହଯୋଗ ଦେଇଥିଲେ। ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୭୭ ରନ୍ କରି ସଂଘର୍ଷ କରୁଛି। ଇଂଲଣ୍ଡ ପକ୍ଷରୁ ସୋଏବ ବସିର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଭାରତ ଏବେବି ୫୧୦ ରନରେ ଆଗୁଆ ରହି ମ୍ୟାଚରେ ନିଜର ଦବଦବା କାଏମ ରଖିଛି।
ବିଶ୍ୱ ବକ୍ସିଂ କପ୍ ସେମିଫାଇନାଲରେ ହିତେଶ ଓ ସାକ୍ଷୀ
କାଜାଖସ୍ତାନର ଅସ୍ତାନାରେ ଚାଲିଥିବା ବିଶ୍ୱ ବକ୍ସିଂ କପ୍ ସେମିଫାଇନାଲରେ ପହଞ୍ଚିଛନ୍ତି ଭାରତର ହିତେଶ ଗୁଲିଆ ଓ ସାକ୍ଷୀ । ଉଭୟେ ପ୍ରତିଯୋଗିତାରେ ପଦକ ପକ୍କା କରିଛନ୍ତି । ୭୦ କିଲୋ ବର୍ଗ କ୍ୱାର୍ଟର ଫାଇନାଲରେ ହିତେଶ କାଜାଖସ୍ତାନର ପ୍ରତିଯୋଗୀଙ୍କୁ ୫-୦ରେ ପରାସ୍ତ କରିଥିଲେ । ୫୪ କିଲୋବ ଗରେ ବ୍ରାଜିଲର ପ୍ରତିଯୋଗୀଙ୍କୁ ସାକ୍ଷୀ ହରାଇବାରେ ସଫଳ ହୋଇଥିଲେ । ପୂର୍ବରୁ ଭାରତୀୟ ପ୍ରତିଯୋଗୀ ମିନାକ୍ଷୀ ୪୮ କିଲୋ ବର୍ଗରେ, ପୂଜା ରାଣୀ ୬୦ କିଲୋ ବର୍ଗରେ ଏବଂ ସଞ୍ଜ ୬୦ କିଲୋ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି । ତେଣୁ ଭାରତ ପାଇଁ ୫ଟି ପଦକ ପକ୍କା ହୋଇପାରିଛି ।
ବିଶ୍ୱ ପୁଲିସ କ୍ରୀଡ଼ାରେ ଓଡ଼ିଶା ଆଉ ୪ ଜଣଙ୍କୁ ମିଳିଲା ସ୍ୱର୍ଣ୍ଣପଦକ
ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ାରେ ଓଡ଼ିଶାର ପ୍ରତିଯୋଗୀ କ୍ରମାଗତ ସଫଳ ହେଉଛନ୍ତି । ଗୁରୁବାର ୪ ଜଣ ଯୁବ କ୍ରୀଡ଼ାବିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କନଷ୍ଟେବଳ ଅଶୋକ ଦଣ୍ଡସେନା ୧୫ ଶହ ମିଟର ପୁରୁଷ ଦୌଡ଼ଏବଂ ସୁସ୍ମିତା ଟିଗା ୧୫ ଶହ ମିଟର ମହିଳା ଦୌଡ଼ରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ପୂର୍ବରୁ ଅଶୋକ ୮ ଶହ ମିଟରରେ ସ୍ୱର୍ଣ୍ଣ ଏବଂ ସୁସ୍ମିତା ୮ ଶହ ମିଟରରେ ରୌପ୍ୟ ଜିତଥିଲେ । କନଷ୍ଟେବଳ ଭଗବାନ ରେଡି ୬୦ କିଲୋ କରାଟେ ଏବଂ କନଷ୍ଟେବଳ ସୁମନ ଶେଖର ଦାସ ୮୪ କିଲୋ କରାଟେରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସଫଳ ପ୍ରତିଯୋଗୀମାନଙ୍କୁ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଅଭିନନ୍ଦନ ଜଣାଇଛନ୍ତି ।
ପାକିସ୍ତାନ ଦଳକୁ ଭାରତ ଆସିବାକୁ କ୍ରୀଡ଼ା ମନ୍ତ୍ରାଳୟର ସବୁଜ ସଙ୍କେତ
ଭାରତରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ଏସିଆ କପରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ କ୍ରୀଡ଼ା ମନ୍ତ୍ରାଳୟ ସବୁଜ ସଙ୍କେତ ଦେଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନୀ ଦଳ ଆସିବାରେ କୌଣସି ଆପତ୍ତି ନାହିଁ। ତେବେ ଭିସା ସମ୍ବନ୍ଧୀୟ ଚୂଡ଼ାନ୍ତ ନିଷ୍ପତ୍ତି ଗୃହ ଓ ବୈଦେଶିକ ମନ୍ତ୍ରାଳୟ ନେବେ ବୋଲି ସ୍ପଷ୍ଟ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୨୯ରୁ ବିହାରର ରାଜଗିରଠାରେ ଅନୁଷ୍ଠିତ ହେବ। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ପାକିସ୍ତାନର ଅଂଶଗ୍ରହଣ ଉପରେ ଅନିଶ୍ଚିତତା ଦେଖାଦେଇଥିଲା। ଏହି ପ୍ରତିଯୋଗିତା ୨୦୨୬ ବିଶ୍ୱକପ୍ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ଅଟେ।
Entertainment
ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପୁଣି ଭାରତରେ ହେଲା ବ୍ଲକ
‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନୀ ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଭାରତରେ ବ୍ଲକ କରାଯାଇଥିଲା । ଇତି ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ବୁଧବାର ଅଚାନକ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ଭାରତରେ ଅନବ୍ଲକ କରାଯାଇଥିଲା । କେତେକଙ୍କ ୟୁଟୁ୍ୟବ ଚ୍ୟାନେଲ ମଧ୍ୟ ଭାରତରେ ଆକ୍ସେସ କରି ହୋଇଥିଲା । ତେବେ କେତେକ ଭାରତୀୟ କୂଟନୀତିଜ୍ଞ ଆକାଉଣ୍ଟ ଅନବ୍ଲକ ହେବା ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ତେଣୁ ଗୁରୁବାର ଅଚାନକ ପୁନର୍ବାର ସେହି ସମସ୍ତ ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଗୁଡ଼ିକ ଭାରତରେ ବ୍ଲକ ହୋଇଥିବା ଜଣାପଡ଼ିଛି ।