
୧.
୪୯ ହଜାର କୋଟିର ପଂଜି ସ୍କିମ ଠକ ଗିରଫ, ୧୦ ରାଜ୍ୟରେ ଠକିଛି
୧୦ଟି ରାଜ୍ୟରେ ପଂଜି ସ୍କିମ ମାଧ୍ୟମରେ ପ୍ରାୟ ୪୯ ହଜାର କୋଟି ଟଙ୍କାର ଠକେଇ ହୋଇଛି । ଦେଶର ଏହା ସବୁଠାରୁ ବଡ଼ ଆର୍ଥିକ ଠକେଇ କୁହାଯାଉଛି । ଏହି ଠକେଇର ମୁଖ୍ୟ ଗୁରନାମ ସିଂହକୁ ଗିରଫ କରାଯାଇଛି । ଗୁରନାମ ପର୍ଲସ ଆଗ୍ରୋ ଟେକ୍ କର୍ପୋରେସନ ଲିମିଟେଡର ନିର୍ଦେଶକ । ଏହି କମ୍ପାନି ପଂଜାବରୁ ରୋପର ଜିଲ୍ଲାରୁ ପରିଚାଳିତ ହେଉଥିଲା । ଗୁରନାମକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ଇଓଡବ୍ଲୁ । ୧୦ଟି ରାଜ୍ୟର ପ୍ରାୟ ୫ କୋଟି ଲୋକ ଏହି ନିବେଶ ଠକେଇର ଶିକାର ହୋଇଛନ୍ତି । ଏହି ଠକେଇର ତଦନ୍ତ ସିବିଆଇ, ଇଡି ଏବଂ ସେବି ମିଳିତ ଭାବେ କରୁଛନ୍ତି ।
…
୨.
ରାଜନୀତିରେ ୭୫ ବର୍ଷ ପରେ ଅବସର ଜରୁରୀ, ଭାଗବତଙ୍କ ବିବୃତିରେ ତେଜିଲା ରାଜନୀତି
ରାଜନୀତିରେ ୭୫ ବର୍ଷ ବୟସ ହୋଇଗଲେ ଅବସର ନେଇଯିବା ଜରୁରୀ । ଗୁରୁବାର ଏକ କାର୍ଯ୍ୟକ୍ରମରେ ଏହି କଥା କହିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ । ଏହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ୭୫ ହୋଇଯିବ । ତେଣୁ ମୋଦିଙ୍କ ଉଦେଶ୍ୟରେ ଭାଗବତ ଏ କଥା କହିଥିବା କହିଛନ୍ତି କଂଗ୍ରେସ ନେତା ପୱନ ଖେରା । ଅପରପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଖୋଦ ଭାଗବତଙ୍କୁ ସେପ୍ଟେମ୍ବର ୧୧ରେ ୭୫ ବର୍ଷ ହୋଇଯିବ । ସେ ମଧ୍ୟ ମୋଦିଙ୍କ ସହ ଅବସର ନେବା ଜରୁରି । ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ ଏବଂ ଯଶୱନ୍ତ ସିଂହଙ୍କୁ ଏହି ନିୟମରେ ମୋଦ ଅବସର ଦେଇଥିଲେ । ଏବେ ସେ ନିଜେ ତାହା ପାଳନ କରିବା ଉଚିତ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ ।
…
୩.
ବିଦେଶୀ ଗଣମାଧ୍ୟମକୁ ଡୋଭାଲଙ୍କ ଚ୍ୟାଲେଞ୍ଜ, ଅପରେସନ ସିନ୍ଦୂରରେ ଭାରତ କ୍ଷୟକ୍ଷତିର ଫଟୋ ଦେଖାଅ
‘ଅପରେସନ ସିନ୍ଦୂର’ରେ ପାକିସ୍ତାନର ଅନେକ କ୍ଷୟକ୍ଷତି ହୋଇଛି । ଭାରତର କୌଣସି କ୍ଷତି ହୋଇନାହିଁ । ଗୋଟିଏ ବି କାଚ ଝରକା ଭାଙ୍ଗିନି । ମୁଁ ଆପଣମାନଙ୍କୁ ଚ୍ୟାଲେଞ୍ଜ ଦେଉଛି । ଭାରତରେ ହୋଇଥିବା କ୍ଷୟକ୍ଷତିର ଗୋଟିଏ ବି ଫଟୋ ଦେଖାନ୍ତୁ । ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି ଏନଏସଏ ଅଜିତ ଡୋଭାଲ । ଆଇଆଇଟି ମାଡ୍ରାସର ସମାବର୍ତ୍ତନ ଉତ୍ସବରେ ସେ ଏହା କହିଛନ୍ତି । ବିଶେଷ କରି ନୁ୍ୟୟର୍କ ଟାଇମ୍ସ ସମ୍ବାଦପତ୍ରର ନାମ ନେଇ ସେ ଏହା କହିଛନ୍ତି । ମାତ୍ର ୨୩ ମିନିଟରେ ପାକିସ୍ତାନର ୯ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା । ବିଦେଶର ଗଣମାଧ୍ୟମ ଭୁଲ ପ୍ରଚାର କଲା । କିନ୍ତୁ ଫଟୋ ଦେଖାଇଲା ପାକିସ୍ତାନର ୧୩ଟି ବାୟୁସେନା ଘାଟିରେ ହୋଇଥିବା କ୍ଷୟକ୍ଷତିର । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଗତ ଜୁନ ୭ରେ ଭାରତ କରିଥିଲା ‘ଅବରେସନ ସିନ୍ଦୂର’ ।
…
୪.
ସମୁଦ୍ରରେ ଫସିଥିବା ଦୁଇ ଆମେରିକୀୟଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ
ସମୁଦ୍ରର ଅଶାନ୍ତ ଢେଉରେ ଫସିଯାଇଥିଲେ ଆମେରିକାର ଦୁଇ ନାଗରିକ । ପ୍ରତିକୂଳ ପାଗରେ ସେମାନଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ । ନିକାବଳ ଦ୍ୱୀପର ପ୍ରାୟ ୫୩ କିଲୋମିଟର ଦକ୍ଷିଣରେ ଏହି ଘଟଣା ଘଟିଛି । ସି’ ଆଞ୍ଜେଲ ନାମକ ନୌକାଟି ବିପଦରେ ପଡ଼ିଥିଲା । ଏହି ଖବର ମିଳିଥିଲା ଚେନ୍ନାଇ ସ୍ଥିତ ଆମେରିକାର ବାଣିଜ୍ୟ ଦୂତାବାସକୁ । ତୁରନ୍ତ ଏହି ସୂଚନା ଭାରତୀୟ ତଟରକ୍ଷୀ ବାହିନୀକୁ ଦିଆଯାଇଥିଲା । କୋଷ୍ଟ ଗାର୍ଡ ଜାହାଜ ରାଜବୀର ବିଳମ୍ବ ନ କରି ସେଠାରେ ପହଞ୍ଚିଥିଲା । ଦୁଇ ଆମେରିକୀୟଙ୍କୁ ଠାବ କରି ଉଦ୍ଧାର କରାଯାଇଥିଲା । ଗତ ମାସ ମଧ୍ୟ ତାମିଲନାଡ଼ୁର ଧନୁଷକୋଡି ନିକଟ ଏକ ବାଲି ଦ୍ୱୀପରେ ଫସିଥିଲେ ଶ୍ରୀଲଙ୍କାର ତିନି ଜଣ ନାଗରିକ । ସେମାନଙ୍କୁ କୋଷ୍ଟ ଗାର୍ଡ ଉଦ୍ଧାର କରି ଉପକୂଳ ପୁଲିସକୁ ହସ୍ତାନ୍ତର କରିଥିଲା ।
…
୫.
ବିଜେଡି ଲୁଟୁଥିଲା, ଏବେ ବିଜେପି ଲୁଟୁଛି, ସମ୍ବିଧାନ ବଞ୍ଚାଅ ସମାବେଶରେ ଗର୍ଜିଲେ ରାହୁଲ
ଭୁବନେଶ୍ୱରର ବରମୁଣ୍ଡା ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ସମ୍ବିଧାନ ବଞ୍ଚାଅ ସମାବେଶ । ସମାବେଶରେ ଉଦବୋଧନ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଥିଲେ, ପୂର୍ବରୁ ଓଡ଼ିଶାରେ ବିଜଡେି ଲୁଟୁଥିଲା, ଏବେ ବିଜେପି ଲୁଟୁଛି । ରାଜ୍ୟରେ ୪୦ ହଜାରରୁ ଅଧିକ ମହିଳା ଗାଏବ । ଦିନକୁ ୧୫ ମହିଳା ବଳାକ୍ରାରର ଶିକାର ହେଉଛନ୍ତି । ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ହକ୍ ଛାଡ଼ି ନିଆଯାଉଛି । ପେସା ଆଇନ ଲାଗୁ ହେଉନି । କଂଗ୍ରେସ ଆସିଲେ ଆଦିବାସୀଙ୍କୁ ଅଧିକାର ଦେବ । ଏଠାରେ ଉଦ୍ୟୋଗପତିଙ୍କ ସରକାର ଚାଲିଛି । ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ଆଦାନିଙ୍କ ପାଇଁ ଜଗନ୍ନାଥଙ୍କ ରଥ ଅଟକାଇ ଦିଆଗଲା । ନିର୍ବାଚନ କମିଶନଙ୍କ ସହାୟତାରେ ମହାରାଷ୍ଟ୍ରରେ ବିଜେପି ଭୋଟ ଚୋରି କରିଛି । ବିହାରରେ ଏହା କରିବାକୁ ଯୋଜନା ଚାଲିଛି । କଂଗ୍ରେସ କର୍ମୀଙ୍କୁ ସେ ବବର ଶେର୍ ଏବଂ ଟାଇଗର ଭାବେ ସମ୍ବୋଧନ କରିଥିଲେ । ଧର୍ମଘଟ ସତ୍ତ୍ୱେ ଡ୍ରାଇଭର ମହାସଂଘ କଂଗ୍ରେସ ସମାବେଶ ପାଇଁ ସହାୟତା କରିଥିବାରୁ ରାହୁଲ ଗାନ୍ଧି ଧନ୍ୟବାଦ ଜଣାଇଥିଲେ ।
…
୬.
ଚବିଶ ଘଣ୍ଟାରେ ପଶ୍ଚିମବଙ୍ଗରେ ଟିଏମସିର ଦୁଇ ଜଣ ନେତାଙ୍କୁ ହତ୍ୟା
ପଶ୍ଚିମବଙ୍ଗରେ ୨ ଘଣ୍ଟା ମଧ୍ୟରେ ତୃଣମୂଳ କଂଗ୍ରେସର ଦୁଇ ଜଣ ନେତାଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ମାଲଦା ଅଞ୍ଚଳରେ ଟିମଏସି ନେତା ଅବୁଲ କଲାମ ଆଜାଦଙ୍କୁ ହତ୍ୟା କରାଯାଇଛି । ଦିବାଲୋକରେ କେତେକ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଗୁରୁବାର ରାତିରେ ଚବିଶ ପ୍ରଗଣା ଜିଲ୍ଲାର ଭାଙ୍ଗୋରରେ ଟିଏମସି ନେତା ରଜାକ୍ ଖାନଙ୍କୁ ହତ୍ୟା କରାଯାଇଛି । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଘରକୁ ଫେରୁଥିବା ସମୟରେ ଏହା ଘଟିଛି । ପୂର୍ବରୁ ରାସ୍ତା ପାଶ୍ୱର୍ରେ ଲୁଚି ରହିଥିବା ଦୁର୍ବୃତ୍ତ ମାନେ ତାଙ୍କୁ ପ୍ରଥମେ ଗୁଳି କରିଥିଲେ । ପରେ ତାଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । କୋଲକାତା ପୁଲିସ କମିଶନର ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଇଣ୍ଡିଆ ସେକୁଲାର ଫ୍ରଣ୍ଟ ବା ଆଇଏସଏଫର ଏହି ହତ୍ୟାରେ ହାତ ଥିବା କୁହାଯାଉଛି ।
…
୭.
ପାକିସ୍ତାନରେ ୯ ବସ ଯାତ୍ରୀଙ୍କୁ ହତ୍ୟା, ପରିଚୟ ପଚାରି ଗୁଳି କଲେ
ପାକିସ୍ତାନର ବେଲୁଚିସ୍ତାନରେ ପୁଣି ହୋଇଛି ବଡ଼ ଆକ୍ରମଣ । କ୍ୱେଟାରୁ ଲାହୋର ଯାଉଥିବା ଏକ ବସକୁ ଝୋବ ଅଞ୍ଚଳରେ ବନ୍ଧୁକଧାରୀମାନେ ଅଟକାଇଥିଲେ । ସମସ୍ତ ଯାତ୍ରୀଙ୍କୁ ସେମାନେ ବସରୁ ଓହ୍ଲାଇ ଦେଇଥିଲେ । ପରେ ସମସ୍ତଙ୍କୁ ପରିଚୟ ପଚାରିଥିଲେ । ପରିଚୟପତ୍ର ଗୋଟି ଗୋଟି କରି ଦେଖିଥିଲେ । ଏହାପରେ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ପଂଜାବ ପ୍ରଦେଶର ବାସିନ୍ଦା । ପାକ୍ ସେନା ଉପରେ ଏହି ଅଞ୍ଚଳରେ ପୂର୍ବରୁ ବେଲୁଚ ଆର୍ମି ଲଗାତାର ଆକ୍ରମଣ କରିଚାଲିଛି । ତେକେ ବସ୍ ଉପରେ ହୋଇଥିବା ଆକ୍ରମଣ ବେଲୁଚ ଆର୍ମିର କାମ ନୁହେଁ ବୋଲି ସଙ୍ଗଠନର ପ୍ରବକ୍ତା କହିଛନ୍ତି । ଏହା ଆତଙ୍କବାଦୀଙ୍କ କାମ ହୋଇଥାଇପାରେ ।
…
୮.
ଇରାନ ନ ଯିବାକୁ ଆମେରିକାର ନାଗରିକଙ୍କୁ ପରାମର୍ଶ ଦେଲା ଟ୍ରମ୍ପ ପ୍ରଶାସନ
ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେବାରେ ଲାଗିଛି । ନିଜ ଦେଶର ନାଗରିକଙ୍କୁ ଇରାନ ନ ଯିବାକୁ ଟ୍ରମ୍ପ ପ୍ରଶାସନ ପରାମର୍ଶ ଦେଇଛି । କୌଣସି ପରିସ୍ଥିତିରେ ଇରାନ ଯାତ୍ରାକୁ ଆଡ଼େଇଦେବାକୁ ଆଡଭାଇଜରୀ ଜାରି କରାଯାଇଛି । ଆମେରିକା ବିଦେଶ ବିଭାଗର ବାଣିଜ୍ୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ଏହା ପୋଷ୍ଟ ହୋଇଛି । ଇରାନରେ ଆମେରିକୀୟଙ୍କୁ ଅପରାଧର ବିନା ପ୍ରମାଣରେ ଅପହରଣ କରାଯାଉଛି । ଭୁଲ ଭାବେ ଗିରଫ ମଧ୍ୟ କରାଯାଉଛି । ଏପରିକି ଦ୍ୱୈତ ନାଗରିକତା ପାଇଥିବା ବ୍ୟକ୍ତି ମଧ୍ୟ ଏଭଳି ଆକ୍ରୋଶର ଶିକାର ହେଉଛନ୍ତି । ମିଥ୍ୟ ଅଭିଯୋଗରେ ବର୍ଷାଧିକ କାଳ ଜେଲଦଣ୍ଡ ଦିଆଯାଉଛି । ମାନସିକ ନିର୍ଯାତନା ଓ ମୃତୁ୍ୟଦଣ୍ଡ ବି ଦିଆଯାଉଛି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଆମେରିକା ସରକାର କହିଛନ୍ତି ।
…
୯.
ପ୍ରେମ କରିବାରୁ ମିଳିଲା ଦଣ୍ଡ, ଜୁଆଳିରେ ବଳଦ ବଦଳରେ ହେଲେ ବନ୍ଧା, ଗାଁରୁ ବିଦା ହେଲେ
ପ୍ରେମ ସମ୍ପର୍କକୁ ବିରୋଧ । ଗାଁ ଲୋକେ କଲେ ଅମାନବୀୟ କାମ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଘଟଣା । କଞ୍ଜାମଯୋଡ଼ି ଗ୍ରାମର ଜଣେ ଯୁବକ ଏବଂ ଦୂର ସମ୍ପର୍କୀୟ ପିଉସୀଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ବୟସ ୨୮ ଓ ୩୨ ବର୍ଷ । ଲୋକେ ବିରୋଧ କରିବାରୁ ସେମାନେ ଗାଁରୁ ଫେରାର ହୋଇଯାଇଥିଲେ । କିନ୍ତୁ ଗାଁ ଲୋକେ ସେମାନଙ୍କୁ ବୁଝାଇ ପୁଣି ଗାଁକୁ ଡକାଇଥିଲେ । ଗାଁ ମୁରବୀ ମାନେ ବୈଠକରେ ବସି ସେମାନଙ୍କ ପାଇଁ ଦଣ୍ଡ ବିଧାନ କଲେ । ବିଲରେ ବଳଦ ବଦଳରେ ଲଙ୍ଗଳ ଜୁଆଳିରେ ସେମାନଙ୍କୁ ବନ୍ଧାଯାଇ ହଳ ବୁଲାଯାଇଥିଲା । ଏହାର ଫଟୋ ଉଠାଯିବା ସହ ଭିଡିଓ ମଧ୍ୟ କରାଯାଇଥିଲା । ଏଭଳି ଅମାନବୀୟ ବ୍ୟବହାର ପରେ ପ୍ରେମୀ ଯୁଗଳଙ୍କ ସନ୍ଧାନ ମିଳୁନି । କୁହାଯାଉଛି ସେମାନେ ଗାଁ ଛାଡ଼ି ପଳାଇଛନ୍ତି । ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
…
୧୦.
ଭାରତୀୟ ତଟରକ୍ଷୀ ବାହିନୀରେ ନିଯୁକ୍ତି: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପାଇଁ ଆବେଦନ ଆହ୍ୱାନ
ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମୋଟ ୧୭୦ଟି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଜେନେରାଲ୍ ଡ୍ୟୁଟି ପାଇଁ ୧୪୦ଟି ଏବଂ ଟେକ୍ନିକାଲ୍ ପାଇଁ ୩୦ଟି ପଦ ରହିଛି। ଏହି ପଦବୀ ପାଇଁ ବୟସ ସୀମା ୨୧ରୁ ୨୫ ବର୍ଷ ରଖାଯାଇଛି। ଜେନେରାଲ୍ ଡ୍ୟୁଟି ପଦବୀ ପାଇଁ ସ୍ନାତକ ଡିଗ୍ରୀ ସହିତ ଦ୍ୱାଦଶରେ ଗଣିତ ଓ ପଦାର୍ଥ ବିଜ୍ଞାନ ଏବଂ ଟେକ୍ନିକାଲ୍ ପଦବୀ ପାଇଁ ଇଞ୍ଜିନିୟରିଂ ଡିଗ୍ରୀ ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ ୮ ଜୁଲାଇ ୨୦୨୫ରୁ ୨୩ ଜୁଲାଇ ୨୦୨୫ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ। ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଫି ୩୦୦ ଟଙ୍କା ଥିବାବେଳେ, SC/ST ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି। ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୬,୧୦୦ ଟଙ୍କାରୁ ଆରମ୍ଭ କରି ଦରମା ମିଳିବ।
…
୧୧.
NHPC ରେ ନିଯୁକ୍ତି ସୁଯୋଗ: ୩୬୧ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ
ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ କର୍ପୋରେସନ୍ (NHPC) ପକ୍ଷରୁ ମୋଟ ୩୬୧ଟି ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିମଧ୍ୟରେ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ୧୨୯, ଡିପ୍ଲୋମା ପାଇଁ ୭୬ ଏବଂ ଆଇଟିଆଇ ପାଇଁ ୧୫୬ଟି ପଦ ରହିଛି। ଏହି ପଦବୀଗୁଡ଼ିକ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ରଖାଯାଇଛି। ଆଇଟିଆଇ, ଡିପ୍ଲୋମା, ବି.କମ୍, ବି.ଏସ୍ସି, ବି.ଟେକ୍ ଭଳି ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ NHPCର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୧ ଅଗଷ୍ଟ ୨୦୨୫ ରହିଛି। ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୨,୦୦୦ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମିଳିବ।
….
୧୨.
ମ୍ୟାଁମାରରେ ବୌଦ୍ଧ ଆଶ୍ରମରେ ଏୟାରଷ୍ଟ୍ରାଇକ, ୨୩ ଜଣଙ୍କ ମୃତୁ୍ୟ
ମ୍ୟାଁମାରର ଏକ ବୌଦ୍ଧ ଆଶ୍ରମରେ ହୋଇଛି ଏୟାର ଷ୍ଟ୍ରାଇକ । ଏଥିରେ ୪ ପିଲାଙ୍କ ସମେତ ୨୩ ଜଣଙ୍କ ମୃତୁ୍ୟ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହି ଅଞ୍ଚଳରେ ସେନା ଓ ବିଦ୍ରୋହୀ ମାନଙ୍କ ମଧ୍ୟରେ କ୍ରମାଗତ ସଂଘର୍ଷ ଜାରି ରହିଛି । ତେଣୁ ଦେଢ଼ ଶହରୁ ଅଧିକ ଲୋକ ଏକ ବୌଦ୍ଧ ଆଶ୍ରମରେ ଆଶ୍ରୟ ନେଇଥିଲେ । ଶୁକ୍ରବାର ରାତିରେ ଅଞ୍ଚଳରେ ସେନା ପକ୍ଷରୁ ଅଚାନକ ଏୟାରଷ୍ଟ୍ରାଇକ ହୋଇଥିଲା । ମ୍ୟାଁମାରରେ ୨୦୨୧ ମସିହାରେ ଗଣତାନ୍ତ୍ରିକ ସରକାରର ନେତ୍ରୀ ଅଙ୍ଗ୍ ସାନ୍ ସୁ କୀ ଙ୍କୁ ହଟାଇ ସେନା କ୍ଷମତା ଦଖଲ କରିଥିଲା । ଏହା ପରଠାରୁ ଦେଶରେ ଅଶାନ୍ତି ଲାଗି ରହିଛି ।
…
13.
ନେପାଳ ରାସ୍ତାରେ ଭାରତକୁ ପଶିବାକୁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ
‘ଅପରେସନ ସିନ୍ଦୂର’ ପରେ ଭାରତ ଉପରେ ପ୍ରତିଶୋଧ ନେବା ସୁଯୋଗରେ ଅଛନ୍ତି ଆତଙ୍କବାଦୀ ପାକ୍-ଭାରତ ସୀମରରେ ସତର୍କତା ବଢ଼ିଯାଇଛି । ତେଣୁ ଆତଙ୍କବାଦୀ ଭିନ୍ନ ରାସ୍ତା ଖୋଜୁଛନ୍ତି । ସେମାନେ ନେପାଳ ଦେଇ ଭାରତରେ ପ୍ରବେଶ କରିବାର ଆଶଙ୍କା ବହୁତ । ଏହା କହିଛନ୍ତି ନେପାଳ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ସୁନିଲ ବାହାଦୂର ଥାପ୍ପା । କାଠମାଣ୍ଡୁରେ ଏକ ସେମିନାରରେ ଉଦବୋଧନ ଦେଇ ସେ ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନର ଆତଙ୍କୀମାନେ ସର୍ବଦା ଦକ୍ଷିଣ ଏସିଆ ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଏବେ ଲସ୍କର ଓ ଜୈଶ ଆତଙ୍କୀ ଭାରତରେ ପଶିବାକୁ ବାଟ ଖୋଜୁଛନ୍ତି । ସେମାନେ ନେପାଳ ରାସ୍ତା ଉପରେ ନଜର ରଖିଛନ୍ତି । କାରଣ ନେପାଳ ଓ ଭାରତ ସୀମାରେ ନାଗରିକଙ୍କ ସୁବିଧା ପାଇଁ ସୁରକ୍ଷା ବ୍ୟବସ୍ଥା ଟିକେ କୋହଳ ଥାଏ ।
..
14
ଟଙ୍କା ବ୍ୟାଗ ସହ ମନ୍ତ୍ରୀଙ୍କ ଭିଡିଓ ଭାଇରଲ, ମହାରାଷ୍ଟ୍ରରେ ହଇଚଇ
ଟଙ୍କା ବ୍ୟାଗ ସହ ମନ୍ତ୍ରୀ । ମହାରାଷ୍ଟ୍ରରେ ଏଭଳି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶିରସାଟ ଏକ ଟଙ୍କା ଭର୍ତ୍ତି ବ୍ୟାଗ ବସିଛନ୍ତି । ସେ ସିଗାରେଟ ଟାଣୁଛନ୍ତି । ପାଖରେ ଏକ କୁକୁର ଓ ବାକ୍ସ ବି ଅଛି । ଭିଡିଓଟି କେବେକାର ଜଣାପଡ଼ିନାହିଁ । ତେବେ ଶିବସେନା ନେତା ସଞ୍ଜୟ ରାଉତ ଏହି ଭିଡିଓକୁ ଟ୍ୱିଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କେତେ ଦିନ ଆେଉ ନିଜ ଉପରେ କଳଙ୍କ ଲଗାଉଥିବେ । ଉଦ୍ଧବଙ୍କ ପୁତ୍ର ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି, ରାଜ୍ୟରେ ୫୦ ପ୍ରତିଶତ କମିଶନ ସରକାର ଚାଲିଛି । ତେବେ ୨୦୧୯ ଓ ୨୦୨୪ ବିଧାନସଭା ଭୋଟ ମଧ୍ୟରେ ଶିରସାଟଙ୍କ ସମ୍ପତ୍ତି କିପରି ୩ କୋଟିରୁ ବଢ଼ି ୩୫ କୋଟି ହେଲା, ଆୟକର ବିଭାଗ ଜବାବ ମାଗିଛି ।
…
15
ଆଜି ହେବ ନିଯୁକ୍ତିମେଳା, ପ୍ରଧାନମନ୍ତ୍ରୀ ବାଣ୍ଟିବେ ୫୧ ହଜାର ନିଯୁକ୍ତିପତ୍ର
ଦେଶର ୪୭ଟି ସ୍ଥାନରେ ଆଜି ଅନୁଷ୍ଠିତ ହେବ ନିଯୁକ୍ତିମେଳା । ଏହା ୧୬ତମ ରୋଜଗାର ମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟନ କରିବେ । ଏହି ଅବସରରେ ସେ ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ । ଏ ପର୍ଯ୍ୟନ୍ତ ଦେଶରେ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ନୂତନ କର୍ମଚାରୀମାନେ, ରେଳ ମନ୍ତ୍ରାଳୟ, ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଡାକ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ରୋଜଗାର ମନ୍ତ୍ରାଳୟରେ ନିଯୁକ୍ତି ପାଇବେ ।
…
16.
ରାହୁଲଙ୍କୁ ସମାଲୋଚନା କଲା ବିଜେପି, ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନାହିଁ
ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କ ସରକାର ବିରୋଧୀ ବିବୃତି ପରେ ବିଜେପି ନେତାମାନେ ପ୍ରତିକ୍ରିୟା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାହୁଲ ଚାଲି ନ ଜାଣି ବାଟର ଦୋଷ ଦେଉଛନ୍ତି । ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ତାଙ୍କ ସଭା ସମ୍ବିଧାନ ବଞ୍ଚାଅ ନୁହେଁ ବରଂ କଂଗ୍ରେସ ଓ ରାହୁଲ ବଞ୍ଚାଅ ସଭା । କଂଗ୍ରେସ ସରକାର ସମୟରେ ଦିଲ୍ଲୀରୁ ଆସୁଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ୍ କରାଯାଉଥିଲା । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ରାହୁଲଙ୍କ ଭାଷଣ ଅପରିପକ୍ୱ ।, ସେଥିରେ କୌଣସି ତଥ୍ୟ ନାହିଁ । ତାଙ୍କ ସଭା ସରପଞ୍ଚଙ୍କ ନିର୍ବାଚନ ସଭା ଭଳି ଲାଗିଲା ।
…
17.
କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନକୁ ମଂଜୁରୀ, ଖର୍ଚ୍ଚ ହେବ ୮୦୨ କୋଟି
କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନକୁ ମଂଜୁରୀ ମିଳିଛି । ଏହା ୧୫.୯୯ କିଲୋମିଟର ଲମ୍ବ ରହିବ । ଏଥିପାଇଁ ଖର୍ଚ୍ଚ ହେବ ୮୦୨ କୋଟି ଟଙ୍କା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ମଂଜୁରୀ ଦେଇଛନ୍ତି । ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ଏବଂ କଟକ-ପାରାଦୀପ ସେକ୍ସନରେ ଟେନ ଚଳାଚଳ କ୍ଷମତାକୁ ଏହା ବଢ଼ାଇବ । ଭିଡ ଯୋଗୁ ଅନେକ ସମୟରେ ଅଧିକାଂଶ ଟ୍ରେନ ଏଠାରେ ଅଟକି ରହୁଥିଲା । ଏହି ପ୍ରକଳ୍ପ ମାଲବାହୀ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ ଗୁଡ଼ିକୁ ଭିନ୍ନ ଭିନ୍ନ ଭାବେ ଗନ୍ତବ୍ୟ ସ୍ଥଳକୁ ଛାଡ଼ିବାରେ ସହାୟକ ହୋଇପାରିବ । ନିର୍ଗୁଣ୍ଡିରେ ଏକ ନୂଆ ରେଳ ଫ୍ଲାଇ ଓଭର ମଧ୍ୟ ନିର୍ମାଣ କରାଯିବ ।
…
18.
କଳିଙ୍ଗ ଷ୍ଟାଡିୟମରେ ଅଗଷ୍ଟ ୧୦ରୁ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍
ଆଗାମୀ ଅଗଷ୍ଟ ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର୍ । ପ୍ରଥମ ଥର ଭାରତରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି । ଭାରତୀୟ ଆଥଲେଟିକ୍ସ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଭାବେ ଏହାର ଆୟୋଜନ କରିବେ । ପ୍ରତିଯୋଗିତାରେ ଭାରତା, ତୁର୍କମେନିସ୍ତାନ, ଭୁଟାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, ରିପବ୍ଲିକ ଅଫ କାମେରୁନ, ଶ୍ରୀଲଙ୍କା, ଇରାନ ଏବଂ ମାଳଦ୍ୱୀପ ଭାବେ ନେବେ । ୧୦ଟି ଦେଶରୁ ୧୫୦ରୁ ଅଧିକ କ୍ରୀଡ଼ାବିତ ସାମିଲ ହେବେ । ଏଥିରେ ମୋଟ ୨୦ଟି ଇଭେଣ୍ଟ ଆୟୋଜନ କରାଯିବ ।
…
19.
କନ୍ନଡ ଭାଷା ବାଧ୍ୟତାମୂଳକ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ
କର୍ଣ୍ଣାଟକରେ କନ୍ନଡ ଭାଷାକୁ ନେଇ ବିବା ଥମୁନି । ୨୦୨୩ ମସିହାରେ ରାଜ୍ୟ ସରକାର ଏକ ଆଇନ କରିଥିଲେ । ସିବିଏସଇ ଓ ସିଆଇଏସ୍ସିଇ ସ୍କୁଲ ଗୁଡ଼ିକରେ କନ୍ନଡ ଭାଷାକୁ ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା । ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ ହୋଇଥିଲା । ସେ ସମୟରେ ରାଜ୍ୟ ସରକାରଙ୍କୁ କୋର୍ଟ ନୋଟିସ କରିଥିଲେ । କିନ୍ତୁ ସରକାର ନିରବ ରହିଥିଲେ । ଏବେ ପୁଣି ଏହି ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ କରି ତିନି ସପ୍ତାହରେଉତ୍ତର ରଖିବାକୁ କହିଛନ୍ତି ।
…
20.
ନାଟୋ ମାଧ୍ୟମରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା
ୟୁକ୍ରେନକୁ ଅସ୍ତ୍ର ଯୋଗାଇବାକୁ ଆମେରିକା ଏବେ ନୂଆ ଚୁକ୍ତିରେ ପହଞ୍ଚିଛି । ନାଟୋ ପୂର୍ବରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ ଯୋଗି ଦେଇଆସୁଛି । ଏବେ ଆମେରିକା ନାଟୋ ମାଧ୍ୟମରେ ଅସ୍ତ୍ର ଯୋଗାଇବ । ଆମେରିକା ଅସ୍ତ୍ର ବାବଦକୁ ଅର୍ଥରାଶି ନାଟୋଠାରୁ ନେବ । ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କାର ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଏସବୁ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ପାଟି୍ରୟଟ ମିସାଇଲ, ମଧ୍ୟମ ରେଞ୍ଜ୍ ରକେଟ । ନାଟୋ ସାମରିକ ମେଣ୍ଟରେ ଆମେରିକା ସମେତ ୩୨ଟି ଦେଶ ରହିଛନ୍ତି । ନାଟୋର ମୋଟ ଖର୍ଚ୍ଚରେ ଆମେରିକାର ଭାଗ ୬୬ ପ୍ରତିଶତ । ନିକଟରେ ରୁଷ-ୟୁକ୍ରେନ ଯୁଦ୍ଧ ରୋକିବାକୁ ଟ୍ରମ୍ପ ଉଦ୍ୟମ କରିଥିଲେ । କିନ୍ତୁ ରୁଷ୍ ରାଷ୍ଟ୍ରପତି ପୁତିନ ତାଙ୍କ କଥାକୁ ଅଣଦେଖା କରିଥିଲେ । ଫଳରେ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି ।
…
21
ଆଜି ମଧ୍ୟାହ୍ନରେ ଫେରିବେ ନବୀନ ପଟ୍ଟନାୟକ, ସ୍ୱାଗତ କରିବାକୁ ବିଜେଡିର ପ୍ରସ୍ତୁତି
ମୁମ୍ବାଇରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ନୀବନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ସେ ମୁମ୍ବାଇରୁ ଫେରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କୁ ସ୍ୱାଗତ କରିବାକୁ ବିଜେଡି ପ୍ରସ୍ତୁତି ଚଳାଇଛି । ହଜାର ହଜାର କର୍ମୀ ବିମାନବନ୍ଦର ଗୋଲେଇ ଛକ ନିକଟରେ ନବୀନଙ୍କୁ ସ୍ୱାଗତ କରିବେ । ଗତ ଜୁନ୍ ୨୦ ତାରିଖରେ ନବୀନ ମୁମ୍ବାଇ ଯାଇଥିଲେ । ଜୁନ୍ ୨୨ ତାରିଖରେ ଏକ ଘରୋଇ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଗତ ୭ ତାରିଖରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।
…
22
ଆସନ୍ତା ୧୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆସନ୍ତା ୧୪ ତାରିଖରେ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ।
…
23.
ସବ୍ ଜୁନିଅର ମହିଳା ଜାତୀୟ ହକି ସେମିଫାଇନାଲରେ ଓଡ଼ିଶା
ରାଞ୍ଚିରେ ଚାଲିଛି ସବ୍ ଜୁନିଅର ମହିଳା ଜାତୀୟ ହକି ଚାମ୍ପିଅନସିପ୍ । ଏହାର ସେମିଫାଇନାଲରେ ଓଡ଼ିଶା ଟିମ୍ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଦଳ ୫-୦ ରେ ବିହାରକୁ ପରାସ୍ତ କରିଛି । ଓଡ଼ିଶା ପକ୍ଷରୁ ଅଂଶିକା ସମାଦ, ପ୍ରିୟଙ୍କା ମିଞ୍ଜ, ଏଲିନା ବୁରହ, ଗୀତା ଲାକ୍ରା ଏବଂ ସୁଇଟି କୁଜୁର ଗୋଲ୍ ସ୍କୋର କରିଥିଲେ । ଅନ୍ୟ ମ୍ୟାଚ ଗୁଡ଼ିକରେ ହରିଆନା ୧-୦ ରେ ଉତ୍ତରପ୍ରଦେଶକୁ, ମିଜୋରାମ ୪-୦ରେ ପଂଜାବକୁ ଏବଂ ଝାଡ଼ଖଣ୍ଡ ୫-୪ରେ ମଧ୍ୟପ୍ରଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମିରେ ଓଡ଼ିଶା ହରିଆନାକୁ ଭେଟିବ ।
…
24.
ଡ୍ରାଇଭର ସଂଘ ଜିଦ୍ ଛାଡ଼ୁନି, ବସ୍ ମାଲିକ କହିଲେ ଆଜିଠୁ ଗାଡ଼ି ଗଡ଼ିବ
ଷ୍ଟିଅରିଂ ଛାଡ଼ ଜିଦରୁ ଓହରୁ ନାହିଁ ଡ୍ରାଇଭର ମହାସଂଘ । ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ସରକାର ଦିଅନ୍ତୁ ବୋଲି ସଂଘ କହିଛି । ପରିବହନ ମନ୍ତ୍ରୀ ବିଭୂତି ଜେନା ଏଭଳି କଥାକୁ ସମାଲୋଚନା କରି ସଂଘ ରାଜନୀତି କରୁଥିବା କହିଛନ୍ତି । କିନ୍ତୁ ଡ୍ରାଇଭର ସଂଘକୁ ଘରୋଇ ବସ ମାଲିକ ସଂଘ ଆଉ ସମର୍ଥନ କରିବ ନାହିଁ ବୋଲି ଶୁକ୍ରବାର ରାତି ଘୋଷଣା କରିଛି । ଆଜିଠୁ ରାଜ୍ୟସାରା ଗାଡ଼ି ଗଡ଼ିବ ବୋଲି ମାଲିକମାନେ କହିଛନ୍ତି । କଟକର ନେତାଜୀ ବସ୍ ଟର୍ମିନଲରୁ ଶନିବାର ହଜାରେ ଗାଡ଼ି ଚାଲିବ । ଶୁକ୍ରବାର ମଧ୍ୟ ୨୫୦ ବସ୍ ଚାଲିଥିଲା । ତେଣୁ ଆଜିଠୁ ଧର୍ମଘଟର ପ୍ରଭାବ ହ୍ରାସ ପାଇବା ଆଶା କରାଯାଉଛି ।
…
25.
ଷ୍ଟେଜରେ ରାହୁଲ ଗାନ୍ଧିଙ୍କୁ ଭେଟିଲା କୁନି ଝିଅ ନିଲମ, ପାଇଲା ଚକୋଲେଟ
ବରମୁଣ୍ଡା ସମାବେଶ ଷ୍ଟେଜରେ ରାହୁଲ ଗାନ୍ଧିଙ୍କୁ ଭେଟିଛି ଜଣେ କୁନି ଝିଅ । ଝିଅଟିର ନାମ ନିଲମ ବସ୍ତିଆ । ମଞ୍ଚ ତଳୁ ଝି÷ଅଟି ହ୍ୟାଲୋ..ରାହୁଲ ଅଙ୍କଲ ବୋଲି ଡାକିଥିଲା । ରାହୁଲ ତାକୁ ଉପରକୁ ଡାକିଥିଲେ । ରାହୁଲ ତାକୁ ପାଠପଢ଼ା କଥା ପଚାରିଥିଲେ । ନିଲମ ରାହୁଲଙ୍କ ଗାଲରେ ଚୁମା ଦେଇଥିଲା । ରାହୁଲ ତାକୁ ଏକ ଚକୋଲେଟ ଦେଇଥିଲେ । ନିଲମ କଟକ ସଦର ବ୍ଲକ ସାର୍ତୋଳ ଅଞ୍ଚଳର ବିଜୟ କୁମାର ବସ୍ତିଆ ଓ ନିନା ରାଣୀ ଖୁଣ୍ଟିଆଙ୍କ ଝିଅ । ସେ ଗ୍ଲୋବାଲ ଇଣ୍ଡିଆ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ । ରାହୁଲଙ୍କ ନିଲମ ଷ୍ଟେଜରେ ଭେଟିବାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
….
26.
ୱିମ୍ବଲଡନ୍ ଫାଇନାଲରେ କାର୍ଲୋସ୍ ଆଲକାରାଜ୍
ଡିଫେଣ୍ଡିଂ ଚାମ୍ପିଅନ୍ କାର୍ଲୋସ୍ ଆଲକାରାଜ୍ ୱିମ୍ବଲଡନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ସେ ଆମେରିକାର ଟେଲର ଫ୍ରିଜଙ୍କୁ ୬-୪, ୫-୭, ୬-୩, ୭-୬ (୮-୬) ସେଟରେ ପରାସ୍ତ କରିଛନ୍ତି। ମ୍ୟାଚଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ବିଶେଷକରି ଚତୁର୍ଥ ସେଟର ଟାଇ-ବ୍ରେକରେ ଆଲକାରାଜ୍ ଦୁଇଟି ସେଟ୍ ପଏଣ୍ଟ ବଞ୍ଚାଇ ଚମତ୍କାର ବିଜୟ ହାସଲ କରିଥିଲେ। ଫ୍ରିଜ୍ ମ୍ୟାଚକୁ ପଞ୍ଚମ ସେଟକୁ ନେବାକୁ କଡ଼ା ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏହି ବିଜୟ ସହ ଆଲକାରାଜ୍ କ୍ରମାଗତ ତୃତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଅଛନ୍ତି। ଫାଇନାଲରେ ତାଙ୍କର ମୁକାବିଲା ନୋଭାକ ଜୋକୋଭିକ୍ କିମ୍ବା ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ୍ ସିନରଙ୍କ ସହ ହେବ।
…..
27.
ସ୍ୱଦେଶୀ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ବାୟୁସେନା (IAF) ମିଳିତ ଭାବେ ସ୍ୱଦେଶୀ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଓଡ଼ିଶା ଉପକୂଳରେ ସୁଖୋଇ-୩୦ ଯୁଦ୍ଧ ବିମାନରୁ ଏହି ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟି ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରେ। ପରୀକ୍ଷଣ ସମୟରେ ଏହା ଦୁଇଟି ମାନବବିହୀନ ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହିତ ଧ୍ୱଂସ କରିଥିଲା। ଏହା ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଶତ୍ରୁକୁ ମଧ୍ୟ ନିପାତ କରିପାରିବ। ଏହି କ୍ଷେପଣାସ୍ତ୍ରରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସିକର୍ (ଲକ୍ଷ୍ୟ ଖୋଜିବା ବ୍ୟବସ୍ଥା) ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାକୁ ଏକ ବଡ଼ ମାଇଲଖୁଣ୍ଟ ବୋଲି କହିବା ସହ ଡିଆରଡିଓ ଓ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି।
…
.
28.
କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କୁ ହତ୍ୟା ଧମକ, ତଦନ୍ତ କରୁଛି ସାଇବର ପୁଲିସ
କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶ୍ୱାନଙ୍କୁ ହତ୍ୟା ଧମକ । ‘ଟାଇଗର ମେରାଜ ଇଦିସି’ ନାମରେ ପରିଚାଳିତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଧମକ ଦିଆଯାଇଛି । ଜଣେ ୟୁଟୁ୍ୟବ ସାମ୍ବାଦିକଙ୍କ ଆକାଉଣ୍ଟରେ ତାହାକୁ ପୋଷ୍ଟ କରାଯଇଛି । ଚିରାଗଙ୍କ ପକ୍ଷରୁ ସାଇବର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି । ରାଜ୍ୟରେ ଚିରାଗଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ତାଙ୍କୁ ଏଭଳି ଧମକ ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ସମୟରେ ଏଭଳି ଧମକ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
…
29.
ଗୁଜରାଟ ପୋଲ ଭୁଶୁଡ଼ି ମୃତୁ୍ୟ ୨୧ ହେଲା, ନଦୀରେ ପଡ଼ିଛି ଏସିଡ ଟ୍ୟାଙ୍କର
ଗୁଜରାଟ ଭଦୋଦରା ଜିଲ୍ଲାର ମହିସାଗର ନଦୀରେ ପୋଲ ଭୁଶୁଡ଼ିବା ଘଟଣାରେ ମୃତୁ୍ୟସଂଖ୍ୟା ୨୧ ହୋଇଯାଇଛି । ଘଟଣାରେ ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି । ତାଙ୍କ ଖୋଜିବାକୁ ନଦୀ ତଳମୁଣ୍ଡରେ ଏନଡିଆରଏଫ ଟିମ୍ ଉଦ୍ୟମ ଜାରି ରଖିଛି । ଅପରପକ୍ଷରେ ପୋଲ ଭୁଶୁଡ଼ି ନଦୀରେ ଏକ ସଲଫୁ୍ୟରିକ ଏସିଡ ଟ୍ୟାଙ୍କର ଖସି ପଡ଼ିଥିଲା । ସେଥିରୁ ଏସିଡ ଲିକ୍ ହେବାର ଆଶଙ୍କା ରହିଛି । ତାକୁ କିପରି ନଦୀରୁ ହଟାଯିବ ତାହା ଚିନ୍ତାର ବିଷୟ ହୋଇଛି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି । ତଦନ୍ତକାରୀ କମିଟିକୁ ୩୦ ଦିନରେ ରିପୋର୍ଟ ଦେବାକୁ କୁହାଯାଇଛି ।
…..
30.
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଶେଷରେ ଭାରତ ୧୪୫/୩
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୮୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୪୫ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ଭାରତୀୟ ଦଳ ଇଂଲଣ୍ଡଠାରୁ ୨୪୨ ରନ୍ ପଛରେ ରହିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ଥିବାରୁ, ଏହି ମ୍ୟାଚ୍ଟି ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଲ ସ୍ଥିତିକୁ ଆସିବା ପାଇଁ ଭାରତକୁ ଏକ ବଡ଼ ସ୍କୋର କରିବାକୁ ପଡ଼ିବ।