
1.
ବ୍ୟାଙ୍କ ଅଫ୍ ବରୋଦାରେ ୨୫୦୦ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ
ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨୫୦୦ଟି ‘ଲୋକାଲ ବ୍ୟାଙ୍କ ଅଫିସର’ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୨୪ ତାରିଖ ମଧ୍ୟରେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ (bankofbaroda.in) ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନକାରୀ ଯେକୌଣସି ବିଷୟରେ ସ୍ନାତକ (ଗ୍ରାଜୁଏଟ୍) ପାସ୍ କରିଥିବା ସହ ଏକ ବାଣିଜ୍ୟିକ ବ୍ୟାଙ୍କରେ ଅତିକମରେ ୧ ବର୍ଷ କାମ କରିବାର ଅଭିଜ୍ଞତା ରଖିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଟଙ୍କା ଏବଂ ମହିଳା, SC/ST ବର୍ଗଙ୍କ ପାଇଁ ୧୭୫ ଟଙ୍କା ରଖାଯାଇଛି। ଚୟନ ପ୍ରକ୍ରିୟା ଅନଲାଇନ୍ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ କରାଯିବ।
……
2.
ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ କିରାଣୀ ଓ ଷ୍ଟେନୋଗ୍ରାଫର ପଦବୀ ପାଇଁ ନିଯୁକ୍ତି ସୁଯୋଗ
ଝାରସୁଗୁଡ଼ା ଜିଲ୍ଲା ଅଦାଲତରେ ଖାଲିଥିବା ୧୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିମଧ୍ୟରେ ୭ଟି ଜୁନିଅର କିରାଣୀ-କମ୍-କପିଷ୍ଟ ଏବଂ ୩ଟି ଷ୍ଟେନୋଗ୍ରାଫର ଗ୍ରେଡ୍-୩ ପଦବୀ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୨୯ ଜୁଲାଇ ୨୦୨୫। ଏହି ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆବେଦନକାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୩ ପାସ୍ ସହିତ କମ୍ପ୍ୟୁଟର ଡିପ୍ଲୋମା (DCA) କରିଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପଦବୀ ପାଇଁ ଟାଇପିଂ ଓ ସର୍ଟହାଣ୍ଡ ଜ୍ଞାନ ଜରୁରୀ। ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୨ ବର୍ଷ ମଧ୍ୟରେ ହେବା ଉଚିତ୍। ଅଧିକ ବିବରଣୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jharsuguda.dcourts.gov.in ଦେଖିପାରିବେ।
……
3.
ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ୱାକ୍-ଇନ୍-ଇଣ୍ଟରଭ୍ୟୁ
ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୨୭ଟି ବିଭିନ୍ନ ପଦବୀ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୁଖ୍ୟତଃ କାଉନସେଲର, ସାଇକିଆଟ୍ରିକ୍ ନର୍ସ, ମେଡିକାଲ ଅଫିସର (ଆୟୁଷ), ଅପଥାଲମିକ୍ ଆସିଷ୍ଟାଣ୍ଟ ଏବଂ ଆକାଉଣ୍ଟାଣ୍ଟ ଭଳି ପଦବୀ ରହିଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ସିଧାସଳଖ ୱାକ୍-ଇନ୍-ଇଣ୍ଟରଭ୍ୟୁରେ ଯୋଗ ଦେବାକୁ ପଡିବ। ଏହି ଇଣ୍ଟରଭ୍ୟୁ ଜୁଲାଇ ୨୯ ଓ ୩୦ ତାରିଖରେ ସକାଳ ୧୦ଟାରେ ଅନୁଷ୍ଠିତ ହେବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇଁ ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ nayagarh.odisha.gov.in ଦେଖିବାକୁ ପରାମର୍ଶ ଦିଆଯାଇଛି।
……
4
ଜୁଲାଇରେ ଆମେରିକାରୁ ମିଳିବ ୩ ଆପାଚି ହେଲିକପ୍ଟର, ଆଉ ୩ ନଭେମ୍ବରରେ
ଆମେରିକାରୁ ଆପାଚି ହେଲିକପ୍ଟର କିଣିବାକୁ ୨୦୨୦ ଫେବ୍ରୁଆରୀରେ ଭାରତ କରିଥିଲା ଚୁକ୍ତିନାମା । ୫ ହଜାର ୬୯୧ କୋଟି ଟଙ୍କାରେ ୬ଟି ହେଲିକପ୍ଟର ଆସିବାର ଥିଲା । କିନ୍ତୁ ହେଲିକପ୍ଟର ମିଳିବାରେ ବିଳମ୍ବ ହେବାରୁ ଭାରତ ଉଦବେଗ ପ୍ରକାଶ କରିଥିଲା । ଏବେ ସ୍ଥିର ହୋଇଛି ଜୁଲାଇ ୧୫ ବେଳକୁ ଭାରତରେ ୩ଟି ଆପାଚି ହେଲିକପ୍ଟର ପହଞ୍ଚିଯିବ । ଆମେରିକାର ପ୍ରତିରକ୍ଷା ସଚିବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଫୋନ୍ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି । ବଳକା ୩ଟି ହେଲିକପ୍ଟର ଆଗାମୀ ନଭେମ୍ବର ମାସ ସୁଦ୍ଧା ଭାରତକୁ ଆସିବ । ଇତି ମଧ୍ୟରେ ଯୋଧପୁରରେ ଭୋତୀୟ ବାୟସେନା ଆପାଚି ସ୍କ୍ୱାଡ୍ରନ ଗଠନ କରିଛି । ୨୦୧୫ ମସିହା ସେପ୍ଟେମ୍ବରରେ ଆମେରିକା ସହ ଚୁକ୍ତି ଅନୁଯାୟୀ ୧୩ ହଜାର ୯୫୨ କୋଟି ଟଙ୍କାରେ ୨୨ଟି ଏଭଳି ହେଲିକପ୍ଟର ଆସିଥିଲା । ଆପାଚି ହେଲିକପ୍ଟରରୁ ଆକାଶରୁ ଆକାଶକୁ ଏବଂ ଆକାଶରୁ ଭୂପୃଷ୍ଠକୁ ମିସାଇଲ ମାଡ଼ କରିବାର ସୁବିଧା ରହିଛି । ଏଥିସହ ରକେଟ ଓ ଗନ୍ ମଧ୍ୟ ସଂଯୁକ୍ତ ରହିଛି ।
…
5.
ତ୍ରିନିଦାଦର ପ୍ରଧାନମନ୍ତ୍ରୀଙ୍କୁ ମୋଦି କହିଲେ, ‘ବିହାର କୀ ବେଟୀ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ତ୍ରିନିଦାଦ ଓ ଟବାଗୋ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବାଧିତ କରିଥିଲେ । ସମାରୋହରେ ତ୍ରିନିଦାଦର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଶର ମଧ୍ୟ ଉପସ୍ଥିତ ଥିଲେ । ମୋଦି ତାଙ୍କ ସମ୍ବୋଧନରେ ତ୍ରିନିଦାଦ ପ୍ରଧାନମନ୍ତ୍ରୀଙ୍କୁ ‘ବିହାର କୀ ବେଟୀ’ ଭାବେ ଉଲ୍ଲେଖ କରିଥିଲେ । ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଥିଲା । ପ୍ରକୃତରେ କମଳାଙ୍କ ପୂର୍ବ ପୁରୁଷ ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ଭେଲୁପୁର ଗ୍ରାମରେ ରହୁଥିଲେ । ୧୯୫୨ ମସିହାରେ ତ୍ରିନିଦାଦରେ ଜନ୍ମିତ କମଳା ଅଧ୍ୟାପନା ପେସା ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ବିଭିନ୍ନ ରାଜନୈତିକ ପଦପଦବିରେ ରହିବା ପରେ ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ୨୦୧୨ ମସିହରେ ସେ ଏକ ବେସରକାରୀ ଗସ୍ତରେ ଭାରତ ଆସି ବକ୍ସର ଜିଲ୍ଲାର ପୂର୍ବପୁରୁଷଙ୍କ ଭିଟାମାଟିକୁ ଯାଇଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେହି ବର୍ଷ ତାଙ୍କୁ ରାଷ୍ଟ୍ରପତି ପ୍ରତିଭା ପାଟିଲ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଥିଲେ ।
…
6.
ଜନସାଧାରଣଙ୍କୁ ଶରଧାବାଲି ଦଳଚକଟାର ଭିଡିଓ ମାଗିଲେ ତଦନ୍ତକାରୀ ଅଧିକାରୀ
ରଥଯାତ୍ରା ପରଦିନ ପୁରୀ ଶରଧାବାଲିରେ ଦଳାଚକଟା ହୋଇ ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା । ଏହି ଘଟଣାର ପ୍ରଶାସନିକ ତଦନ୍ତ ଘୋଷଣା କରିଥିେ ରାଜ୍ୟ ସରକାର । ତଦନ୍ତର ଦାୟିତ୍ୱ ଦିଆଯାଇଛି ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ । ସେ ପୁରୀ ଯାଇ ଘଟଣାସ୍ଥଳ ବୁଲିବା ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏବେ ସେ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି, ଦଳାଚକଟା ସମୟର ଭିଡିଓ ଅନେକ ଲୋକଙ୍କ ପାଖରେ ରହିଛି । ତାହା ସେମାନେ ସରକାରଙ୍କୁ ଦେଲ ତଦନ୍ତରେ ସହଯୋଗ ହୋଇପାରିବ । ଯେକେହି ଏହି ଭିଡିଓ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ କିମ୍ବା ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ । ଭିଡିଓ ସହ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ପୁରୀ ଟ୍ରାଜେଡି ତଦନ୍ତ ପାଇଁ ଥିବା ଇ-ମେଲକୁ ମଧ୍ୟ ପଠାଇପାରିବେ ବୋଲି କୁହାଯାଇଛି ।
….
7
ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ ଅଭିନେତା ଥାଲାପତି ବିଜୟ, ବିଜେପିକୁ କଲେ ସମାଲୋଚନା
୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ ଅଭିନେତା ଯୋଶେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ । ତାଙ୍କ ଦ୍ୱାରା ପ୍ରତିଷ୍ଠାତ ରାଜନୈତିକ ଦଳ ତାମିଲଗା ଭେଟ୍ଟରି କାଝାଗମ ବା ଟିଭିକେ ଏହା ଘୋଷଣା କରିଛି । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବିଜୟ । ତେବେ ଡିଏମକେ, ଏଆଇଡିଏମକେ ଏବଂ ବିଜେପି ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ମେଣ୍ଟ ସମ୍ଭାବନାକୁ ବିଜୟ ଅସ୍ୱୀକାର କରିଛନ୍ତି । ଏସବୁ ଦଳ ସହ ମେଣ୍ଟ କରି ନଥିବା ଦଳ ପାଇଁ ତାଙ୍କ ଦ୍ୱାର ଖୋଲା ଅଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ତାମିଲନାଡ଼ୁକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏହା ହେବାକୁ ତାଙ୍କ ଦଳ ଦେବନାହିଁ ବୋଲି ବିଜୟ ଚେତାବନୀ ଦେଇଛନ୍ତି ।
….
8
ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଅର୍ଥ, ରାଜ୍ୟ ବିଜେପି ସଭାପତିଙ୍କ ସୂଚନା
ରାଜ୍ୟର ଛୋଟବଡ଼ ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଅର୍ଥ ଫେରିପାଇବେ । ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଏହି ଅର୍ଥ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ମିଳିବ । ଇତି ମଧ୍ୟରେ ସରକାର ୧ ଲକ୍ଷ ୨୭ ହଜାର ୧୩୭ ଜଣ ଜମାକାରୀଙ୍କୁ ୪୭ କୋଟି ୭ ହଜାର ଟଙ୍କା ଫେରସ୍ତ କରିଛନ୍ତି । ଆଗାମୀ ୪ରୁ ୫ ମାସ ମଧ୍ୟରେ ୫ ଲକ୍ଷ ଜମାକାରୀ ଅର୍ଥ ଫେରସ୍ତ ପାଇବେ । ଏବେ ନିୟମ କୋହଳ କରାଯାଇଛି । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ ହୋଇପାରିବ । ବିଗତ ୧୫ ବର୍ଷରେ ରାଜ୍ୟରେ ୧୭୪ଟି ଚିଟଫଣ୍ଡ କମ୍ପାନି ଲୋକଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି । ଏଥିରେ ସେ ସମୟର ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ସଂପୃକ୍ତ ଥିଲେ ବୋଲି କହିଛନ୍ତି ମନମୋହନ ।
..
9
ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ମାନ୍ୟତା ଦେଲା ରୁଷ୍
ରୁଷ ଆଫଗାନିସ୍ତାନର ତାଲିବାନ ସରକାରକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ ଏପରି ପଦକ୍ଷେପ ନେଇଛି । କାବୁଲରେ ଗୁରୁବାର ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଆମିର ଖାନ ମୁତାକି ଓ ରୁଷର ରାଷ୍ଟ୍ରଦୂତ ଦିମିତ୍ରି ଝିରନୋଭଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହାପରେ ରୁଷ ଏହି ଘୋଷଣା କରିଛି । କୁହାଯାଇଛି, ଆଫଗାନିସ୍ତାନରେ ଇସଲାମିକ ଏମିରେଟସ ସରକାରକୁ ମାନ୍ୟତା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ । ରୁଷର ଏହି ପଦକ୍ଷେପକୁ ସାହସିକ ଭାବେ ଆଫଗାନିସ୍ତାନ ବର୍ଣ୍ଣନା କରିଛି । ୨୦୨୧ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନରେ ତାଲିବାନ ଶାସନ ଲାଗୁ ହୋଇଥିଲା । ଆମେରିକା ସେନା ସେଠାରୁ ହଟିଯାଇଥିଲେ । ଏହାପରେ ତାଲିବାନୀ ନିଜ ଶାସନ ନିଜ ହାତକୁ ନେଇଥିଲେ ।
…
10
ବର୍ଷା ବିତ୍ପାତରେ ହିମାଚଳରେ ୬୯ ମୃତ, ୭ଶହ କୋଟିର କ୍ଷତି
ମୌସୁମୀ ବର୍ଷା ଜନିତ କ୍ଷୟକ୍ଷତି ହିମାଚଳ ପ୍ରଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ବାଦଲଫଟା ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ରାଜ୍ୟରେ ୬୯ ଜଣଙ୍କ ମୃତୁ୍ୟ ହୋଇଛି । ୧୧୦ ଜଣ ଆହତ ହୋଇଛନ୍ତି ଏବଂ ୩୭ ଜଣ ନିଖୋଜ ଅଛନ୍ତି । ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ୭ଶହ କୋଟି ଟଙ୍କାକୁ ଟପି ଯାଇଥିବା କହିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଚେତାବନି ଦେଇଛି । ଅପରପକ୍ଷରେ ଉତ୍ତରାଖଣ୍ଡରେ ମଧ୍ୟ ବନ୍ୟା ସ୍ଥିତି ସଙ୍କଟ ସୃଷ୍ଟି କରିଛି । ରୁଦ୍ରପ୍ରୟାଗରେ ଲଗାତର ବର୍ଷା ଯୋଗୁ ଅଳକାନନ୍ଦା ନଦୀ ବଢ଼ିବାରେ ଲାଗିଛି । ଅନେକ ଘରଦ୍ୱାର ବୁଡ଼ି ଯାଇଛି । ଭୂସ୍ଖଳନ ଯୋଗୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି ।
…
11
ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ସାହାଯ୍ୟ କରିଥିଲେ ଚୀନ୍ ଓ ତୁର୍କୀ
‘ଅପରେସନ ସିନ୍ଦୂର’ ସମୟରେ ଭାରତ ବିରୋଧରେ ତିନି ରାଷ୍ଟ୍ର ଏକାଠି ହୋଇଥିଲେ । ସେମାନେ ହେଲେ ପାକିସ୍ତାନ,ଚୀନ୍ ଓ ତୁର୍କୀ । ପାକିସ୍ତାନ ଯୁଦ୍ଧ ଲଢ଼ୁଥିଲେ । ଅନ୍ୟଦୁଇ ରାଷ୍ଟ୍ର ଥିଲେ ଖଳନାୟକ । ଏହା କହିଛନ୍ତି ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର୍ ସିଂ । ସେ କହିଛନ୍ତି ଯୁଦ୍ଧ ସମୟରେ ପାକିସ୍ତାନ ଚୀନ୍ ଅସ୍ତ୍ରର ପରୀକ୍ଷାଗାର ହୋଇଥିଲା । ଭାରତୀୟ ସେନାର ପ୍ରତ୍ୟେକ ସ୍ଥିତି ବାବଦରେ ଚୀନ୍ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା । ଅନ୍ୟପକ୍ଷରେ ତୁର୍କୀ ଯୋଗାଇଥିବା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ପାକିସ୍ତାନର ୨୧ଟି ସ୍ଥାନରେ ଆକ୍ରମଣ କରିବାକୁ ଭାରତ ଚିହ୍ନଟ କରିଥିଲା । ଏକାଧିକ ଗୁଇନ୍ଦା ରିପୋର୍ଟ ଆଧାରରେ ଏହା ସ୍ଥିର ହୋଇଥିଲା । ପରେ ମାତ୍ର ୯ଟିରେ ଆକ୍ରମଣ ବୁଦ୍ଧିମତାର କାମ ହେବ ବୋଲି ଚିନ୍ତା କରି କାର୍ଯ୍ୟକାରୀ ହୋଇଥିଲା ବୋଲି ସେ କହିଛନ୍ତି ।
..
12
ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପୁରୀ ପୌରପାଳିକା ହେବ ମହାନଗର ନିଗମ
ବାହୁଡ଼ା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀବାସୀଙ୍କୁ ଉପହାର ଦେଇଛନ୍ତି । ପୁରୀ ପୌରପାଳିକା ମହାନଗର ନିଗମ ହେବ ବୋଲି ହୋଇଛି ଘୋଷଣା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ହେବ । ପୁରୀକୁ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିବାକୁ ଏହି ପଦକ୍ଷେପ ନିଆଯାଇଛି । ପୁରୀ ସହରର ଆଖପାଖ ଗ୍ରାମ ଗୁଡ଼ିକ ଏହି ନିଗମରେ ସାମିଲ ହେବ । ଏଥିସହ ପୁରୀରେ ଏକ ଆନ୍ତର୍ଜାତିକ ମାନର ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପୁସ୍ତକାଳୟ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ସ୍ଥାନ ପାଇବ । ଏହା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଇତିହାସ ଏବଂ ପୌରାଣିକ ଗୁରୁତ୍ୱ ପ୍ରଦର୍ଶିତ ହେବ । ଗବେଷଣା କେନ୍ଦ୍ରମାଧ୍ୟମରେ ଅଧ୍ୟୟନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରାଯିବ ।
……
13.
ପ୍ରକାଶ ପାଇଲା CUET UG ୨୦୨୫ ପରୀକ୍ଷା ଫଳ
ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜୁଏଟ୍ ୨୦୨୫ର ଫଳାଫଳ ପ୍ରକାଶ ପାଇଛି। ୧୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ଫଳାଫଳକୁ ଅପେକ୍ଷା କରିଥିଲେ। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ cuet.nta.nic.in କୁ ଯାଇ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ। ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଫଳାଫଳ ପ୍ରକାଶ ପରେ ଏବେ ଛାତ୍ରଛାତ୍ରୀମାନଙ୍କୁ ନାମଲେଖା ପ୍ରକ୍ରିୟା ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।
…….
14.
ଜିନପିଙ୍ଗଙ୍କୁ ନେଇ କଳ୍ପନାଜଳ୍ପନା, ଭାଗ ନେବେନି ବ୍ରିକ୍ସ ସମ୍ମିଳନୀରେ
ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।ମେ ୨୧ ତାରିଖରୁ ଜୁନ୍ ୩ ପର୍ଯ୍ୟନ୍ତ ଦେଶରେ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ତାଙ୍କୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଅଚାନକ ଜୁନ ୪ ତାରିଖରେ ବେଲାରୁଷ ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରଦିନ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଥିଲେ । ଏବେ ଘୋଷଣା ହୋଇଛି ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ଯୋଗ ଦେବେନାହିଁ । କୁହାଯାଉଛି ସେ କୌଣସି ଗୁରୁତର ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ତାଙ୍କ ହାତରୁ ଧୀରେ ଧୀରେ କ୍ଷମତା ପ୍ରତ୍ୟାହାର କରାଯାଉଛି ।
…
15.
ବିଶ୍ୱ ପୁଲିସ କ୍ରୀଡ଼ାରେ ଓଡ଼ିଶାର ଆଉ ଦୁଇ ଜଣଙ୍କୁ ମିଳିଲା ପଦକ
ଆମେରିକାର ବିର୍ମିଂହାମରେ ଚାଲିଥିବା ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ାରେ ଓଡ଼ିଶାର ଆଉ ଦୁଇ ଜଣଙ୍କୁ ପଦକ ମିଳିଛି । କନଷ୍ଟେବଳ ରିତେଶ ରାୟ କରାଟେ ୮୪ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ଅଭିଷେକ ପଟ୍ଟନାୟକ ବ୍ରୋଞ୍ଜ ପଦକ ପାଇଛନ୍ତି । ଉଭୟଙ୍କର ଏହି ସଫଳତାରେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଅଭିନନ୍ଦନ ଜଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଓଡ଼ିଶାର ପ୍ରତିଯୋଗୀମାନେ ୫ଟି ପଦକ ହାସଲ କରିଥିଲେ ।
…
16.
ରାପିଡ ଚେସରେ ପ୍ରଥମର ଥର କାର୍ଲସେନକୁ ହରାଇଲେ ଗୁକେଶ
ବିଶ୍ୱ ଚାମ୍ପିଅନ ଗ୍ରାଣ୍ଡମାଷ୍ଟର ଡି.ଗୁକେଶ ଆଉ ଏକ ବଡ଼ ସଫଳତା ପାଇଛନ୍ତି । ବିଶ୍ୱର ଏକ ନମ୍ବର ଖେଳାଳି ଗ୍ରାଣ୍ଡମାଷ୍ଟର ମାଗନସ୍ କାର୍ଲସନଙ୍କୁ ସେ ପୁଣି ହରାଇଛନ୍ତି । କ୍ରୋଏସିଆରେ ଚାଲିଥିବା ସୁପର ୟୁନାଇଟେଡ ରାପିଡ ଏବଂ ବ୍ଲିଜ ଚେସରେ ତାଙ୍କୁ ଏହି ବିଜୟ ମିଳିଛି । ରାପିଡ ଗେମରେ ଗୁକେଶ ପ୍ରଥମର ଥର ନରେୱେର ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ମ୍ୟାଚ ଆରମ୍ଭ ପୂର୍ବରୁ କାର୍ଲସେନ ଗୁକେଶଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଗୁକେଶ କୌଣସି ପ୍ରତିକ୍ରିୟା ନଦେଇ ମ୍ୟାଚରେ ଏହାର ପ୍ରତିଶୋଧ ନେଇଛନ୍ତି । ଗତ ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଗୁକେଶ କାର୍ଲସେନଙ୍କୁ ହରାଇଥିଲେ ।
….
17.
ଅମରନାଥ ଯାତ୍ରାର ପ୍ରଥମ ଦିନରେ ଦର୍ଶନ କଲେ ୧୨ ହଜାର ଶ୍ରଦ୍ଧାଳୁ
ଗତ ୩ ତାରିଖରୁ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । ପ୍ରଥମ ଦିନରେ ୧୨ ହଜାର ୩୪୮ ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ବରଫର ଶିବଲିଙ୍ଗଙ୍କୁ ଦର୍ଶନର ସୌଭାଗ୍ୟ ପାଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ୫ ହଜାର ୨ଶହରୁ ଅଧିକ ତୀର୍ଥଯାତ୍ରୀଙ୍କ ଦ୍ୱିତୀୟ ବ୍ୟାଚ୍ ୩ ତାରିଖ ସନ୍ଧ୍ୟାରେ ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଶୁକ୍ରବାର ଅପରାହ୍ଣରେ ପହଲଗାମରେ ପହଞ୍ଚିଛନ୍ତି । ୬ ହଜାର ୪ ଶହ ଯାତ୍ରୀଙ୍କୁ ନେଇ ତୃତୀୟ ବ୍ୟାଚ୍ ଶୁକ୍ରବାର ସକାଳେ ଅମରନାଥ ଗୁମ୍ଫା ଅଭିମୁଖେ ଯାଇଛନ୍ତି । ୩୮ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ମୋଟ ସାଢ଼େ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ନାମ ପଂଜିକରଣ କରିଛନ୍ତି ।
…
18
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ, ୫୫୦ ମିସାଇଲ, ଡ୍ରୋନ ମାଡ଼
ୟୁକ୍ରେନ ଉପରେ ରୁଷ କରିଛି ପ୍ରଚଣ୍ଡ ଆକ୍ରମଣ । ରାଜଧାନୀ କିଏଭ ସମେତ ନିପ୍ରୋ, ସୁମି, ଖାର୍କିଭ ଓ ଆଖପାଖ ଅଞ୍ଚଳ ଉପରେ ହୋଇଛି ଆକ୍ରମଣ । ପ୍ରାୟ ୫୫୦ ଟି ମିସାଇଲ ଓ ଡ୍ରୋନ ମାଡ଼ କରାଯାଇଛି । ତେବେ ଇରାନ ନିର୍ମିତ ଅନେକ ଡ୍ରୋନକୁ ଜାମ୍ କରି ଦିଆଯାଇଥିବା ଦାବି କରିଛି ୟୁକ୍ରେନ । ଆକ୍ରମଣରେ ୨୩ ଜଣ ଆହତ ହୋଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ଅନେକ ଆବାସିକ କୋଠା, ଦୋକାନ, ସ୍କୁଲ, ହସପିଟାଲ ଓ ରେଳଲାଇନ କ୍ଷତିଗ୍ରସ୍ତ ହୋଇଛି ।
……
19.
ମଣିପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଅଶାନ୍ତ ମଣିପୁରରେ ସୁରକ୍ଷାକର୍ମୀମାନେ ଏକ ବଡ଼ ଧରଣର ମିଳିତ ଅପରେସନରେ ୨୦୩ଟି ବନ୍ଧୁକ ଏବଂ ପ୍ରାୟ ୧୬୦ ପ୍ରକାରର ଗୁଳି ଜବତ କରିଛନ୍ତି। ଗୁପ୍ତ ସୂଚନା ଆଧାରରେ ମଣିପୁର ପୋଲିସ, ସେନା, ଆସାମ ରାଇଫଲ୍ସ ଏବଂ ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳ ମିଳିତ ଭାବେ ତେଙ୍ଗନୌପାଲ, କାଙ୍ଗପୋକପି, ଚାନ୍ଦେଲ ଓ ଚୁରାଚାନ୍ଦପୁର ଜିଲ୍ଲାରେ ଏହି ଚଢ଼ାଉ କରିଥିଲେ। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୨୧ଟି ଇନସାସ୍ ରାଇଫଲ, ୧୧ଟି ଏକେ-ସିରିଜ୍ ରାଇଫଲ ଏବଂ ୨୬ଟି ଏସଏଲଆର୍ ଭଳି ମାରାତ୍ମକ ଅସ୍ତ୍ର ରହିଛି। ରାଜ୍ୟରେ ଶାନ୍ତି ଓ ସୁରକ୍ଷା ଫେରାଇ ଆଣିବା ଦିଗରେ ଏହା ଏକ ବଡ଼ ସଫଳତା ବୋଲି ଅଧିକାରୀମାନେ କହିଛନ୍ତି। ପୋଲିସ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସହଯୋଗ କରିବା ପାଇଁ ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ସୂଚନା ଦେବାକୁ ନିବେଦନ କରାଯାଇଛି।
……
20.
ଶ୍ରୀମନ୍ଦିର ପାଇଁ ‘ଡିଜିଟାଲ ହୁଣ୍ଡି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ପୁରୀ ଶ୍ରୀମନ୍ଦିର ପାଇଁ ‘ଡିଜିଟାଲ ହୁଣ୍ଡି’ ସେବାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶ-ବିଦେଶରେ ଥିବା ଶ୍ରଦ୍ଧାଳୁମାନେ ସହଜରେ ଅନଲାଇନ୍ ମାଧ୍ୟମରେ ଦାନ କରିପାରିବେ। ଭକ୍ତମାନେ ଶ୍ରୀମନ୍ଦିରର ଅଫିସିଆଲ୍ ୱେବସାଇଟରେ ଥିବା QR କୋଡ୍ ସ୍କାନ୍ କରି ସିଧାସଳଖ ନିଜ ଦାନ ରାଶି ପଠାଇ ପାରିବେ। ଏହା ବ୍ୟତୀତ ମନ୍ଦିର ବାହାରେ ଏବଂ ପୁରୀର ବିଭିନ୍ନ ସ୍ଥାନରେ ମଧ୍ୟ QR କୋଡ୍ କିଓସ୍କ ଲଗାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ପାଣ୍ଠି ସଂଗ୍ରହ ପାଇଁ ନୁହେଁ, ବରଂ ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଭାବନାକୁ ସମ୍ମାନ ଦେବାର ଏକ ପ୍ରୟାସ। ପୁରୀ ଆସିପାରୁନଥିବା ଭକ୍ତମାନେ ମଧ୍ୟ ଏହାଦ୍ୱାରା ନିଜର ସେବା ଅର୍ପଣ କରିପାରିବେ।
……
21.
ଆସନ୍ତା ୮ ତାରିଖରେ ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
ସ୍ଥଗିତ ଥିବା ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ସାନି ନୋଟିସ ଜାରି କରାଯାଇଛି । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତାକାଲି ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ମତଦାତା ସୂଚୀ ପ୍ରକାଶ ପାଇ । ୭ ତାରିଖ ଦିନ ୧୧ଟାରୁ ୨ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୮ ତାରିଖରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ । ଏକାଧିକ ପ୍ରାର୍ଥୀ ଥିଲେ ୮ ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଫଳ ଘୋଷଣା କରାଯିବ । ନିର୍ବାଚନର ସୁପରିଚାଳନା ପାଇଁ ବିହାରର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସଭାପତି ନିର୍ବାଚନ ସହ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।
…
22
ତେଲଙ୍ଗାନା କାରଖାନା ବିସ୍ଫୋରଣ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା
ତେଲଙ୍ଗାନାର ଏକ ଫାର୍ମା କମ୍ପାନିରେ ହୋଇଥିବା ବିସ୍ଫୋରଣରେ ୮ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି । ସାଙ୍ଗାରେଡି ଜିଲ୍ଲାର ସିଗାଚୀ ଫାର୍ମା କମ୍ପାନିରେ ଏହି ଦୁର୍ଘଟଣା ହୋଇଥିଲା । ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଆଉ ଜଣଙ୍କର ଡିଏନଏ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତ ୮ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ଜଣ, ନବରଙ୍ଗପୁରର ୨ ଜଣ, କଟକ, ବାଲେଶ୍ୱର, ଯାଜପୁର ଓ ନବରଙ୍ଗପୁରର ଜଣେ ଲେଖାଏ ଅଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୃତାହତ ଓଡ଼ିଆଙ୍କ ସମ୍ପର୍କରେ ବୁଝିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଦୁଇ ଜଣ ଅଧିକାରୀ ତେଲଙ୍ଗାନା ଯାଇଛନ୍ତି ।
…..
23.
ଶେୟାର ବଜାରରେ ୪,୮୪୩ କୋଟି ଟଙ୍କାର ଜାଲିଆତି: ଆମେରିକୀୟ କମ୍ପାନୀ ଉପରେ ସେବିର କଟକଣା
ଶେୟାର ବଜାରରେ ହେରଫେର୍ କରି ୪,୮୪୩ କୋଟି ଟଙ୍କା ବେଆଇନ ଭାବେ ରୋଜଗାର କରିବା ଅଭିଯୋଗରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆମେରିକାର ନିବେଶକାରୀ ସଂସ୍ଥା ‘ଜେନ୍ ଷ୍ଟ୍ରିଟ୍’କୁ ଭାରତୀୟ ବଜାରରୁ ବ୍ୟାନ୍ କରିଛି। ସେବିର ତଦନ୍ତ ଅନୁଯାୟୀ, ଏହି ସଂସ୍ଥା ପ୍ରଥମେ ‘ବ୍ୟାଙ୍କ ନିଫ୍ଟି’ର ଶେୟାର କିଣି କୃତ୍ରିମ ଭାବେ ଏହାର ଦର ବଢ଼ାଇ ଦେଇଥିଲା। ପରେ ବଜାରକୁ ତଳକୁ ଖସାଇ ବେଆଇନ ଭାବେ ବିପୁଳ ଲାଭ କରିଥିଲା, ଯାହାଦ୍ୱାରା ସାଧାରଣ ନିବେଶକମାନେ କ୍ଷତିଗ୍ରସ୍ତ ହୋଇଥିଲେ। ସେବି ଏହି ସଂସ୍ଥାକୁ ବଜାରରୁ ବାରଣ କରିବା ସହ ବେଆଇନ ଭାବେ ରଖିଥିବା ସମସ୍ତ ଅର୍ଥ ଏକ ସ୍ୱତନ୍ତ୍ର ଏସ୍କ୍ରୋ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ପରେ ଶେୟାର ବଜାରରେ ନିୟମ ଆହୁରି କଡ଼ାକଡ଼ି ହେବାର ସମ୍ଭାବନା ରହିଛି।
…….
24.
କୋରାପୁଟ-ଜୟପୁର ରେଳ ସେକ୍ସନରେ ଟ୍ରେନ ସେବାର ପୁନଃଆରମ୍ଭ
ଲଗାତର ବର୍ଷା ଯୋଗୁ ଦୁଇ ଦିନ ତଳେ କୋରାପୁଟ-କିରଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା । ଭୂସ୍ଖଳନ ବଡ଼ ସମସ୍ୟା କରିଥିଲା । ଟ୍ରାକର ଏକ ବଡ଼ ଅଂଶ କାଦୁଅ ଓ ପଥର ତଳେ ଦବି ଯାଇଥିଲା । ଜରାଡ଼ି ଓ ମାଳିଗୁଡ଼ା ଷ୍ଟେସନ ମଧ୍ୟରେ ଏହି ସ୍ଥିତି ହୋଇଥିଲା । ୱାଲଟିୟର ରେଳ ମଣ୍ଡଳ ପକ୍ଷରୁ ଟ୍ରାକ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିଲା । ବରିଷ୍ଠ ଅଧିକାରୀ ଓ ବୈଷୟିକ କର୍ମଚାରୀଙ୍କୁ ମିଶାଇ ମୋଟ ୩୦୦ ଜଣ ଦିନରାତି କାମରେ ଲାଗିଥିଲେ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟ୍ରାକ ମରାମତି କାମ ଶେଷ କରାଯାଇଛି । ଏହାପରେ ଉକ୍ତ ଲାଇନରେ ରେଳ ସେବା ପୁନଃ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି ।
…
25
ଆଜି ବାହୁଡ଼ା ଯାତ୍ରା, କେଉଁଠି ଗାଡ଼ି ପାର୍କିଂ କରିବେ ଜାଣନ୍ତୁ
ଆଜି ବାହୁଡ଼ା ଯାତ୍ରା ଏବଂ ଆସନ୍ତାକାଲି ସୁନାବେଶ । ଏଥିପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଧାଡ଼ି ଛୁଟିଛି । ଏଥିପାଇଁ ସ୍ୱତନ୍ତ୍ର ପାର୍କିଂ ନିୟମ କରାଯାଇଛି । ଭୁବନେଶ୍ୱର ପଟୁ ଯାଉଥିବା ଟୁରିଷ୍ଟ ବସ୍ ମାଳତୀପାଟପୁରରେ, ବ୍ରହ୍ମଗିରି ପଟୁ ଆସୁଥିଲେ ଫ୍ଲୋରିଶ ଇଣ୍ଡିଆ ଏବଂ କୋଣାର୍କ ପଟୁ ଆସୁଥିଲେ ବସ୍ ସ୍ୱାମୀ ନାରାୟଣମନ୍ଦିରଠାରେ ପାର୍କିଂ କରିବେ । ଯାତ୍ରୀବାହୀ ବସ ଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ ଦେଇ ତାଳବଣିଆରେ ପାର୍କିଂକରିବେ । ହାଲୁକା ଯାନ ଗୁଡ଼ିକ ଜେବିପିସି, ଛପନ ଛକ ଏବଂ ଲୋକନାଥ ମନ୍ଦିର ପାଖରେ ରହିବେ । ଏଥିସହ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇଣେଡାର ଷ୍ଟାଡିୟମ,ଉଦ୍ୟାନ କୃଷି ପଡ଼ିଆରେ ମଧ୍ୟ ରହିପାରିବେ । ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଦୁଇଚକିଆ ଜଗନ୍ନାଥ ବଲ୍ଲଭରେ ରହିବେ ।
…
26.
ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ହେବ ବର୍ଷା, ୩ ଦିନ ପ୍ରବଳ
ରାଜ୍ୟରେ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ । ତେବେ ୩ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ପରିମାଣ କେତେକ ସ୍ଥାନରେ ହ୍ରାସ ପାଇଲେ ମଧ୍ୟ ଶୁଖିଲା ପାଗ ହେବ ନାହିଁ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହିପରି ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ମଧ୍ୟ ଯାଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଅନ୍ୟ ଜିଲ୍ଲାରେ ଗୁଡ଼ିକରେ ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ପବନ ଓ ଘଡ଼ଘଡ଼ିର ସମ୍ଭାବନା ରହିଛି ।
….
27.
ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ଆଜି ବାହୁଡ଼ିବେ ମହାପ୍ରଭୁ
ଶରଧା ବାଲିରେ ପ୍ରସ୍ତୁତ ହୋଇ ରହିଛି ତିନି ରଥ । ଆଜି ବଡ଼ଦେଉଳ ଅଭିମୁଖେ ବାହୁଡ଼ିବେ ପ୍ରଭା ଶ୍ରୀଜଗନ୍ନାଥ । ସାଙ୍ଗରେ ଭଇ, ଭଉଣୀ ବି ଆସିବେ । ଶୁକ୍ରବାର ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରି ୪ଟାରେ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ଧାର୍ଯ୍ୟ କରିଛି । ରଥଯାତ୍ରାରେ ରଥଟଣା ବିଳମ୍ବ ହୋଇଥିବାରୁ ନନ୍ଦିଘୋଷ ମାତ୍ର କିଛି ବାଟ ଯାଇ ଅଟକି ରହିଥିଲା । ଅନ୍ୟ ଦୁଇ ରଥ ମଧ୍ୟ ବାଟରେ ରହିଥିଲେ । ବାହୁଡ଼ା ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ କଡ଼ା ନିର୍ଦେଶ ଦେଇଛନ୍ତି ।
…
28.
ଟ୍ରମ୍ପଙ୍କୁ ପୁତିନଙ୍କ ରୋକଠୋକ ଜବାବ, ୟୁକ୍ରେନ ଯୁଦ୍ଧରେ ପଛକୁ ଫେରିବୁ ନାହିଁ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଛି । ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । ଇରାନ -ଇସ୍ରାଏଲ ଉତ୍ତେଜନାକୁ ଆଲୋଚନା ମାଧ୍ୟମରେ ହା୍ରସ କରିବାକୁ ଉଭୟ ନେତା ସହମତ ହୋଇଥିଲେ । ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ କରୁଥିବା ଉଦ୍ୟମକୁ ପୁତିନ ପ୍ରଶଂସା କରିଥିଲେ । କିନ୍ତୁ ରୁଷ ନିର୍ଦିଷ୍ଟ ନୀତିରେ ବିଶ୍ୱାସ କରେ । ନିଷ୍ପତ୍ତିରୁ ପଛକୁ ରୁଷ ଫେରିବାରେ ବିଶ୍ୱାସ କରେନାହିଁ । ତେଣୁ ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ପ୍ରଶ୍ନ ନାହିଁ ବୋଲି ପୁତିନ ରୋକଠୋକ କହିଥିଲେ ।
…
29
ଭାଷା ଆଳରେ ହିଂସା କରୁଥିବା ଗୋଷ୍ଠୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ମାତୃଭାଷାକୁ ନେଇ ଗର୍ବ କରିବା ଉଚିତ । କିନ୍ତୁ ଏହାକୁ କାହା ଉପରେ ଲଦିଦେବା ଅନୁଚିତ । ଏହାରି ଆଳରେ ହିଂସା ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଚେତାବନୀ ଦେଇଛନ୍ତି । ନିକଟରେ ଏକ ସ୍ଥାନରେ ଜଣେ ଦୋକାନି ମରାଠୀରେ କଥା ହେବାକୁ ମନା କରିବାରୁ କେତେକ ଲୋକଙ୍କ ଆକ୍ରମଣ ଶିକାର ହୋଇଥିଲେ । ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି । ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଭବିଷ୍ୟତରେ ଏଭଳି ହିଂସା କରୁଥିବା ଗୋଷ୍ଠୀଙ୍କ କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
…..
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଭାରତ ୨୪୪ ରନରେ ଆଗୁଆ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜ ସ୍ଥିତି ମଜବୁତ କରିଛି। ନିଜର ପ୍ରଥମ ଇନିଂସରେ ୫୮୭ ରନର ବିଶାଳ ସ୍କୋର କରିବା ପରେ ଭାରତ, ଇଂଲଣ୍ଡକୁ ୪୦୭ ରନରେ ଅଲଆଉଟ୍ କରିଦେଇଥିଲା। ଫଳରେ ଭାରତକୁ ୧୮୦ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ମିଳିଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ଦ୍ୱିତୀୟ ଇନିଂସରେ ୧ ୱିକେଟ ହରାଇ ୬୪ ରନ୍ ସଂଗ୍ରହ କରିଛି। କେଏଲ୍ ରାହୁଲ ୨୮ ଓ କରୁଣ ନାୟାର ୭ ରନରେ ଅପରାଜିତ ଅଛନ୍ତି। ଏହା ସହିତ ଭାରତର ମୋଟ ଅଗ୍ରଣୀ ୨୪୪ ରନରେ ପହଞ୍ଚିଛି ଏବଂ ଦଳ ଏକ ଦୃଢ଼ ସ୍ଥିତିରେ ରହିଛି।