
odiatechbulletin
1.
୨୦ ବର୍ଷ ପରେ ଷ୍ଟେଜରେ ଏକାଠି ହେଲେ ରାଜ ଓ ଉଦ୍ଧବ ଠାକରେ
ଦୀର୍ଘ ୨୦ ବର୍ଷ ପରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକରେ ଓ ରାଜ ଠାକରେ । ଉଦ୍ଧବ ଶିବସେନା ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଏବଂ ରାଜ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ । ଶନିବାର ଏକ ସଭାରେ ଉଦବୋଧନ ଦେଇ ଉଭୟେ ରାଜ୍ୟର ଦେବେନ୍ଦ୍ର ଫଡନାବିସ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ହିନ୍ଦୀକୁ ତୃତୀୟ ଭାଷା କରିବା ପ୍ରସ୍ତାବକୁ ବିରୋଧ କରି ଦୁଇ ଠାକରେ ନେତା ଏକାଠି ହୋଇଛନ୍ତି । ଅବଶ୍ୟ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ସ୍ଥଗିତ ରଖି ବିଶେଷଜ୍ଞ କମିଟିକୁ ଅନୁଧ୍ୟାନ କରିବାକୁ କହିଛନ୍ତି । ସଭାରେ ଉଦବୋଧନ ଦେଇ ରାଜ କହିଥିଲେ, ବାଲାସାହେବ ଠାକରେ ୨୦ ବର୍ଷ ମଧ୍ୟରେ ରାଜ ଓ ଉଦ୍ଧବଙ୍କୁ ଏକାଠି କରିପାରିନଥିଲେ, କିନ୍ତୁ ଫଡନାବିସ ସରକାର ତାହା କରିପାରିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦଙ୍କ ନାମ ନ ନେଇ ଉଦ୍ଧବ ତାଙ୍କୁ ‘ଗଦ୍ଦାର’ ଭାବେ ଅଭିହିତ କରିଥିଲେ । ନିକଟରେ ଏକ ସଭାରେ ଏକନାଥ ‘ଜୟ ଗୁଜରାଟ’ ସ୍ଲୋଗାନ ଦେଇଥିବାରୁ ତାହାକୁ କଡ଼ା ସମାଲୋଚନା କରିଥିଲେ ।
…
2.
ନିରବ ମୋଦିଙ୍କ ଭାଇ ନେହାଲ ମୋଦି ଆମେରିକାରେ ଗିରଫ, ପିଏନବି ସ୍କାମରେ ଜଡ଼ିତ
ପିଏନବି ସ୍କାମରେ ଜଡ଼ିତ ତଥା ଫେରାର ଅଭିଯୁକ୍ତ ନେହାଲ ମୋଦି ଆମେରିକାରେ ଗିରଫ ହୋଇଛନ୍ତି । ନେହାଲଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଆମେରିକା କୋର୍ଟରେ ଆବେଦନ କରାଯାଇଛି । ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ ତାଙ୍କୁ ଆଣିବାକୁ ପ୍ରଚେଷ୍ଟା ଚାଲିଛି । ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ତାରିଖ ଜୁଲାଇ ୧୭ରେ ରହିଛି । ନେହାଲ ପିଏନବି ସ୍କାମରେ ଜଡ଼ିତ ଥିବା ନିରବ ମୋଦିଙ୍କ ଭାଇ । ନିରବ ଏବେ ବ୍ରିଟେନରେ ଅଛନ୍ତି । ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ଚାଲିଛି ।
…
3.
ଅସ୍ତ୍ର ବେପାରୀ ସଞ୍ଜୟ ଭଣ୍ଡାରୀ ପଳାତକ ଘୋଷିତ, ଅଡ଼ୁଆରେ ବଡ଼ିବେ ରବର୍ଟ ଭଦ୍ରା
୨୦୧୬ ମସିହାରୁ ଫେରାର ଥିବା ଅସ୍ତ୍ର ବେପାରୀ ସଞ୍ଜୟ ଭଣ୍ଡାରୀଙ୍କୁ ପଳାତକ ଘୋଷଣା କରାଯାଇଛି । ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡିର ଆବେଦନ କ୍ରମେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଏହି ଅର୍ଡର ଜାରି କରିଛନ୍ତି । ସଞ୍ଜୟଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରହିଛି । ବ୍ରିଟେନରୁ ସଞ୍ଜୟଙ୍କ ପ୍ରତ୍ୟର୍ପଣ ପାଇଁ ଏବେ ଉଦ୍ୟମ ହେବ । ଏହା ରବର୍ଟ ଭଦ୍ରାଙ୍କ ପାଇଁ ଅଡୁଆ ସୃଷ୍ଟି କରିବ । ରବର୍ଟ ଭଦ୍ରା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ତାଙ୍କ ବିରୋଧରେ ମଧ୍ୟ ମନି ଲଣ୍ଡରିଂ ମାମଲା ରହିଛି । ୨୦୦୯ ମସିହାରେ ରବଟ ଭଦ୍ରାଙ୍କ ଠାରୁ ଅର୍ଥ ନେଇ ସଞ୍ଜୟ ଲଣ୍ଡନରେ ସମ୍ପତ୍ତି କ୍ରୟ କରିଥିଲେ । ଅବଶ୍ୟ ଏହି ଅଭିଯୋଗକୁ ରବର୍ଟ ଭଦ୍ରା ଅସ୍ୱୀକାର କରିଛନ୍ତି ।
…
4.
କରାଚୀରେ କୋଠା ଭୁଶୁଡ଼ି ୧୨ ମୃତ, ୯ ଜଣ ଆହତ
କରାଚୀର ଲାଇରି ଅଞ୍ଚଳରେ ଏକ ଛଅ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ୧୨ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି । କୋଠାର ଧ୍ୱଂସାବଶେଷ ତଳେ କେତେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଏହି କୋଠାଟି ଅନେକ ଦିନରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ଏହା ସତ୍ତ୍ୱେ ଲୋକମାନେ ରହୁଥିଲେ । ପ୍ରଶାସନକୁ ଏଥିପାଇଁ ଦାୟୀ କରାଯାଇଛି । କରାଚୀରେ ଏବେ ୫୭୮ କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଛି । ତଥାପି ଅନେକରେ ଲୋକମାନେ ରହୁଥିବା ଅଭିଯୋଗ ହୋଇଛି ।
….
5.
ଡିପ୍-ଟେକ୍ କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ: ଅତିରିକ୍ତ ୧୦,୦୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ଭାରତରେ ଡିପ୍-ଟେକ୍ ବା ଉନ୍ନତ ଜ୍ଞାନକୌଶଳ କ୍ଷେତ୍ରକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ର ପାଇଁ ସରକାର ଅତିରିକ୍ତ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଛନ୍ତି। ଏହି ଅର୍ଥ ମୁଖ୍ୟତଃ ଗବେଷଣା ଏବଂ ନୂତନ ଜ୍ଞାନକୌଶଳ ଉପରେ କାମ କରୁଥିବା ଷ୍ଟାର୍ଟଅପ୍ ଗୁଡିକୁ ସହାୟତା କରିବ। ଡିପ୍-ଟେକ୍ କମ୍ପାନୀଗୁଡ଼ିକର ବିକାଶ ପାଇଁ ଅଧିକ ସମୟ ଏବଂ ଅର୍ଥ ଆବଶ୍ୟକ ହୋଇଥାଏ। ଏହି ନୂତନ ପାଣ୍ଠି ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ଏହି ପାଣ୍ଠିରୁ କମ୍ପାନୀଗୁଡିକୁ ଦୀର୍ଘମିଆଦି ଋଣ ଯୋଗାଇ ଦିଆଯିବ। ଏହି ଋଣ ଅତି କମ୍ ସୁଧ ହାରରେ କିମ୍ବା ସମ୍ପୂର୍ଣ୍ଣ ସୁଧମୁକ୍ତ ହେବ। ପୂର୍ବରୁ ଘୋଷଣା କରାଯାଇଥିବା ୧ ଲକ୍ଷ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟତୀତ ଏହା ଏକ ଅତିରିକ୍ତ ସହାୟତା। ସରକାରଙ୍କ ଏହି ନିଷ୍ପତ୍ତି ଦେଶରେ ନୂତନତ୍ୱ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
…….
6.
ଭାରତରେ ଧନୀ-ଗରିବ ତାରତମ୍ୟ କମିଲା: ବିଶ୍ୱ ବ୍ୟାଙ୍କ ରିପୋର୍ଟ
ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଆୟର ଅସମାନତା ଗତ ଦଶନ୍ଧିରେ ଯଥେଷ୍ଟ କମିଛି ବୋଲି ବିଶ୍ୱ ବ୍ୟାଙ୍କର ଏକ ସଦ୍ୟତମ ରିପୋର୍ଟରେ କୁହାଯାଇଛି।ଏହି ଆୟର ଅସମାନତାକୁ ମାପୁଥିବା ‘ଗିନି ସୂଚକାଙ୍କ’ ୨୦୧୧-୧୨ ଆର୍ଥିକ ବର୍ଷରେ ୩୭.୮ ଥିଲା, ଯାହାକି ୨୦୨୨-୨୩ ସୁଦ୍ଧା ୩୧.୯କୁ ଖସି ଆସିଛି। ଗିନି ସୂଚକାଙ୍କ ଯେତେ କମ୍ ହୁଏ, ଦେଶରେ ଆୟର ସମାନତା ସେତେ ଅଧିକ ବୋଲି ଧରାଯାଏ। ରିପୋର୍ଟ ଅନୁସାରେ, ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଏବଂ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା (DBT) ଭଳି ପଦକ୍ଷେପ ଯୋଗୁଁ ଏହି ଉଲ୍ଲେଖନୀୟ ସୁଧାର ସମ୍ଭବ ହୋଇପାରିଛି। ଏହା ଗରିବୀ ହ୍ରାସ ଏବଂ ଆର୍ଥିକ ସମାନତା ଦିଗରେ ଦେଶର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
…
7
ଆର୍ଜେଣ୍ଟିନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଦିଆଗଲା ଭବ୍ୟ ସ୍ୱାଗତ
ତ୍ରିନିଦାଦ ଓ ଟବାଗୋ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ରାଜଧାନୀ ବୁ୍ୟନସ ଏୟାର୍ସରେ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଛି । ପ୍ରବାସୀ ଭାରତୀୟ ମାନେ ହାତରେ ତ୍ରିରଙ୍ଗା ଧରି ଜୟହିନ୍ଦ ସ୍ଲୋଗାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ପରେ ସେ ସାନ ମାର୍ଟିନ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ପ୍ରବାସୀ ଭାରତୀୟମାନେ ନିଜ ସଂସ୍କୃତିକୁ ଛାଡ଼ି ପାରିନାହାନ୍ତି । ସେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତରେ ଆସିଛନ୍ତି । ଏହି ଅବସରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ ।
..
8.
ୱାକଫ ନିୟମ ବିଜ୍ଞପ୍ତି, ଅନଲାଇନରେ ପଂଜିକରଣ ହେବ ସବୁ ସମ୍ପତ୍ତି
କେନ୍ଦ୍ର ସରକାର ନୂଆ ୱାକଫ ନିୟମର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂଆ ନିୟମ ଅନୁସାରେ ଏକ କେନ୍ଦ୍ରୀକୃତ ପୋର୍ଟାଲ ଓ ଡାଟାବେସ୍ ସ୍ଥାପନ କରାଯାଇଛି । ଏଥିରେ ଦେଶବ୍ୟାପୀ ଥିବା ସମସ୍ତ ୱାକଫର ସମ୍ପୂର୍ଣ୍ଣ ରେକର୍ଡ ରହିବ । ଏହି ରେକର୍ଡରେ ୱାକଫ ସମ୍ପତ୍ତି ଗୁଡ଼ିକର ତାଲିକା ଅପଲୋଡ ହେବ । ଏଥିସହ ଅନ୍ୟାନ୍ୟ ସମସ୍ତ ତଥ୍ୟ ମଧ୍ୟ ରଖାଯିବ । ୱାକଫ ସମ୍ପତ୍ତିର ପ୍ରବନ୍ଧକ ନିଜ ମୋବାଇଲ ନମ୍ବର କିମ୍ବା ଇ-ମେଲ୍ ଜରିଆରେ ଓଟିପି ଦ୍ୱାରା ଲଗ୍ ଇନ୍ କରି ପୋର୍ଟାଲରେ ପଂଜିକରଣ କରିବେ । ଏହାପରେ ୱାକଫ ସମ୍ପତ୍ତିର ତଥ୍ୟ ଅପଲୋଡ ହୋଇପାରିବ । ନୂଆ ୱାକଫ ନିୟମ ଚଳିତ ବର୍ଷ ଏପ୍ରିଲ ମାସରୁ ଲାଗୁ ହୋଇଛି । ରାଜ୍ୟ ସରକାର ୯୦ ଦିନ ମଧ୍ୟରେ ୱାକଫ ସମ୍ପତ୍ତିର ତାଲିକା ଓ ବିବରଣୀ ପୋର୍ଟାଲରେ ଅପଲୋଡ କରିବେ ।
…
9.
ପ୍ରକାଶ ପାଇଲା ଓୟୁଏଟି ଏଣ୍ଟ୍ରାନ୍ସ ଫଳ, ଅଗଷ୍ଟ ୪ରୁ କାଉନସେଲିଂ
ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି ଏଣ୍ଟ୍ରାନ୍ସ ଫଳ ଶନିବାର ପ୍ରକାଶ ପାଇଛି । ସ୍ନାତକ ଏବଂ ଆଲାଏଡ ସାଇନ୍ସ ପାଠ୍ୟକ୍ରମରେ ଆଡମିସନ ପାଇଁ ଏହି ଏଣ୍ଟ୍ରାନ୍ସ ହୋଇଥିଲା । ଓୟୁଏଟି ଡଟ୍ ଏସି ଡଟ୍ ଇନ୍ ରୁ ଏହି ପରୀକ୍ଷା ଫଳ ଜାଣିହେବ । ଆସନ୍ତା ୧୪ ତାରିଖରେ ର୍ୟାଙ୍କ ଘୋଷଣା କରାଯିବ । ଜୁଲାଇ ୨୨ ତାରିଖରେ ର୍ୟାଙ୍କ କାର୍ଡ ଅନଲାଇନରେ ଉପଲବ୍ଧ ହେବ । ଅଗଷ୍ଟ ୪ରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଆଡମିସନ ପାଇଁ କାଉନସେଲିଂ ହେବ । ଅଗଷ୍ଟ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ପ୍ରାର୍ଥୀମାନଙ୍କ ଆଡମିସନ କରାଯିବ । ଅଗଷଟ ୧୮ ତାରିଖରୁ ଓରିଏଣ୍ଟସନ ଏବଂ କ୍ଲାସ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।
…
10
ଆସନ୍ତା ୭ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆସନ୍ତା ୭ ତାରିଖ- ସୋମବାର ଅନୁଷ୍ଠିତ ହେବ । ଭୁବନେଶ୍ୱରର ୟୁନିଟ-୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟ ଅଭିଯୋଗ ପ୍ରକୋଷ୍ଠରେ ଏହି ଶୁଣାଣି ହେବ । ପୂର୍ବରୁ ଜୁନ୍ ୩୦ ତାରିଖରେ ହେବାକୁ ଥିବା ଅଭିଯୋଗ ଶୁଣାଣି ସ୍ଥଗିତ ରହିଥିଲା । ସେହି ଅଭିଯୋଗ ଶୁଣାଣି ପାଇଁ ଯେଉଁମାନେ ପଂଜିକରଣ କରିଥିଲେ ସେମାନେ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରିବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଭିଯୋଗକାରୀ ମାନେ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର, ଆବେଦନ ପତ୍ର ଆଣିବାକୁ କୁହାଯାଇଛି ।
…..
11.
ଏଣିକି ୨୧ ଜଣରେ ପଂଜିକରଣ ହୋଇପାରିବ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି
ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ପଂଜିକରଣ ନିୟମକୁ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି, ପ୍ରାଥମିକ କୃଷି ସମବାୟ ସମିତି -ପାକ୍ସ ଗଢ଼ିବା ପାଇଁ ଏବେ ୫୧ ଜଣ ସଦସ୍ୟ ଆବଶ୍ୟକ ପଡ଼ୁଛନ୍ତି । କିନ୍ତୁ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ପଂଜିକରଣ ପାଇଁ ୨୧ ଜଣ ସଦସ୍ୟ ଆବଶ୍ୟକ । ସମବାୟ କ୍ଷେତ୍ରରେ ରାଜ୍ୟ ସରକାର ୫୬ଟି ନୂତନ ପଦକ୍ଷେପ ନେଇଛନ୍ତି । ୨୦୨୬ ମସିହା ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତରେ ପାକ୍ସ ଗଠନ ପାଇଁ ପଦକ୍ଷେପ ନିଆଯାଉଛି । ସମବାୟ ସମିତିକୁ ଲାଭଜନକ କରିବା ଉଦେ୍ଦଶ୍ୟରେ ଗଠନ କରାଯିବ ନାହିଁ । ଏହା ଜରିଆରେ ଗାଁ ଗହଳିରେ ବିଭିନ୍ନ ପ୍ରକାର ସେବା ଉପଲବ୍ଧ କରାଯିବ ।
…
12.
ଆଗାମୀ ତିନିଦିନ ହେବ ବର୍ଷା, ୮ ତାରିଖରୁ ଉପକୂଳରେ କମିବ
ରାଜ୍ୟରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ଅଛି । ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି । ରବିବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୬ ଓ ୭ତାରିଖରେ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ । ୮ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଦେବଗଡ଼ରେ ବର୍ଷା ହେବ । ୮ ତାରିଖ ପରେ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା କମିଯିବ । କିନ୍ତୁ ୧୨ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ କାଁ ଭାଁ ବର୍ଷା ଲାଗି ରହିବ । ଜୁନ୍ ମାସ ତୁଳନାରେ ଜୁଲାଇ ମାସରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
…
13.
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ, ଟ୍ରମ୍ପଙ୍କ ମଂଜୁରିକୁ ଅପେକ୍ଷା
ଦୀର୍ଘ ଆଲୋଚନା ପରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । କେବଳ ରାଷ୍ଟ୍ରପତି ଡୋନାଲହ ଟ୍ରମ୍ପଙ୍କ ମଂଜୁରିକୁ ଅପେକ୍ଷା କରାଯାଇଛି । ଏହି ସୂଚନା ଦେଇଛନ୍ତି ଆମେରିକା ବ୍ୟାପାର ପ୍ରତିନିଧି ଜେମୀସିନ ଗ୍ରୀର । ବିଭିନ୍ନ ଉତ୍ପାଦ ଉପରେ କଣ ଶୁଳ୍କ ରହିବ ସେ ନେଇ ନିଷ୍ପତ୍ତି ହୋଇଛି । ତେବେ ଭାରତୀୟ ପ୍ରତିନିଧି ମାନେ କୃଷି ଏବଂ ଡାଏରୀ ଉତ୍ପାଦ ଉପରେ କୌଣସି ଆଲୋଚନା କରିନାହାନ୍ତି । କାରଣ ଏ କ୍ଷେତ୍ର ନେଇ କୌଣସି ସାଲିସ କରିବାକୁ ଦେଶ ଚାହୁଁନି । ଆଲୋଚନା ପୂର୍ବରୁ ଆମେରିକା କୃଷି, ଡାଏରୀ ଉତ୍ପାଦ ସହ ଅଟୋ ଏବଂ ଅନ୍ୟ କେତେକ କ୍ଷେତ୍ର ଉପରେ କମ୍ ଶୁଳ୍କ ଦାବି କରିଥିଲା । ଆମେରିକା ତାର କୃଷି ଉତ୍ପାଦ ପାଇଁ ଭାରତ ଭଳି ବଡ଼ ବଜାର ଚାହୁଁଛି ।
……..
14.
ୟୁ-ଟର୍ଣ୍ଣ ନେଲେ ସରକାର: ତିନି ଘରୋଇ ବ୍ୟାଙ୍କ ପୁଣି କରିବେ ସରକାରୀ କାରବାର
ରାଜ୍ୟ ସରକାର ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କ ଉପରୁ କଟକଣା ହଟାଇ ଦେଇଛନ୍ତି। HDFC, ICICI ଓ ଆକ୍ସିସ୍ ବ୍ୟାଙ୍କକୁ ସରକାରୀ କାରବାର ପାଇଁ ପ୍ୟାନେଲରୁ ବାଦ୍ ଦେବା ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ପରେ, ଏହି ତିନି ବ୍ୟାଙ୍କ ପୂର୍ବଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସରକାରୀ ସଂସ୍ଥା ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଜମା ରାଶି ଏବଂ ଆର୍ଥିକ କାରବାର ପରିଚାଳନା କରିପାରିବେ। ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୨୧ ତାରିଖରେ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଏହି ବ୍ୟାଙ୍କଗୁଡ଼ିକୁ ପ୍ୟାନେଲରୁ ବାଦ୍ ଦେଇଥିଲେ। ଏହି ବ୍ୟାଙ୍କରେ ଥିବା ସମସ୍ତ ସରକାରୀ ଆକାଉଣ୍ଟ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ସରକାର ନିଜର ପୂର୍ବ ନିଷ୍ପତ୍ତିକୁ ବଦଳାଇଛନ୍ତି।
……..
15.
ଆଜି ଖୋଲିବ ହୀରାକୁଦର ଗେଟ୍
ଆଜି ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପରମୁଣ୍ଡରେ ଥିବା କଲମା ବ୍ୟାରେଜର ଗେଟ୍ ଖୋଲାଯିବା ପରେ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରାଙ୍କ ସୂଚନା ଅନୁଯାୟୀ, ସକାଳ ୧୦ଟାରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟରେ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯିବ। ପରବର୍ତ୍ତୀ ସମୟରେ ନଦୀର ଜଳପ୍ରବାହକୁ ଦେଖି ଅଧିକ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏହି ସମୟରେ ମହାନଦୀ ଭିତରକୁ ନ ଯିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ତଳମୁଣ୍ଡରେ ଥିବା ଲୋକମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।
…….
16.
ଏଣିକି ପାଣିର ମାନ ଯାଞ୍ଚ କରିବେ ମିଶନ ଶକ୍ତି ମହିଳା
ରାଜ୍ୟରେ ଡାଇରିଆରେ ମୃତ୍ୟୁ ପରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସମସ୍ତ ପାନୀୟଜଳ ଉତ୍ସର ମାନ ଯାଞ୍ଚ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବା ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ। ନିକଟରେ ଡାଇରିଆ ବେକାବୁ ହେବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହିଳାମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହ ପାଣି ପରୀକ୍ଷା ପାଇଁ ‘ଫିଲ୍ଡ ଟେଷ୍ଟିଂ କିଟ୍’ ଯୋଗାଇ ଦିଆଯିବ। ଏହାସହ ପାନୀୟଜଳର ଅପବ୍ୟବହାର ରୋକିବା ଓ ସୁପରିଚାଳନା ପାଇଁ ‘ସ୍କାଡା’ ଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ବିନା ଅନୁମତିରେ ପାଣି ପାଇପ୍ ଖୋଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
……
17.
ଟେକ୍ସାସରେ ଭୟଙ୍କର ବନ୍ୟା: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି, ଅନେକ ନିଖୋଜ
ଆମେରିକାର ଟେକ୍ସାସରେ ଆକସ୍ମିକ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଏହି ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି। ରିପୋର୍ଟ ଅନୁଯାୟୀ, ‘ମିଷ୍ଟିକ୍ ସମର୍ କ୍ୟାମ୍ପ’ରୁ ନିଖୋଜ ଥିବା ପ୍ରାୟ ୨୫ ଜଣ ଯୁବତୀଙ୍କ ପାଇଁ ଖୋଜାଖୋଜି ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କେର୍ କାଉଣ୍ଟି ଅଞ୍ଚଳରୁ ପ୍ରାୟ ୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ଅନୁଯାୟୀ, ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟଧିକ ବର୍ଷା ହେବାରୁ ଏହି ପ୍ରଳୟଙ୍କରୀ ବନ୍ୟା ଆସିଥିଲା, ଯାହାଫଳରେ ଲୋକଙ୍କୁ ସତର୍କ କରିବା ପାଇଁ ସମୟ ମିଳିନଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ ସହ ସରକାରୀ ଦଳ ଲାଗିଛନ୍ତି। ଆମେରିକାର ରାଷ୍ଟ୍ରପତି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
……
18.
୧୨ ଦେଶ ଉପରେ ନୂଆ ଶୁଳ୍କ ଲଗାଇବେ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ୧୨ଟି ଦେଶ ଉପରେ ନୂଆ ବ୍ୟବସାୟିକ ଶୁଳ୍କ ଲଗାଇବାକୁ ଯାଉଛନ୍ତି। ଏ ସମ୍ବନ୍ଧରେ ସେ ଚିଠିରେ ଦସ୍ତଖତ କରିସାରିଛନ୍ତି, ଯାହା ସୋମବାର ଦିନ ପଠାଯିବ। ଟ୍ରମ୍ପ ଏହାକୁ ‘ମାନିନିଅ ନଚେତ୍ ଛାଡିଦିଅ’ ପ୍ରସ୍ତାବ ବୋଲି କହିଛନ୍ତି। ତେବେ ସେ ଏହି ଦେଶଗୁଡ଼ିକର ନାମ ପ୍ରକାଶ କରିନାହାନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଶୁଳ୍କ ୧୦%ରୁ ୭୦% ପର୍ଯ୍ୟନ୍ତ ରହିପାରେ। ଏହା ପୂର୍ବରୁ ଭାରତ ଏବଂ ୟୁରୋପୀୟ ସଂଘ ସହିତ ଆମେରିକାର ବାଣିଜ୍ୟିକ ଆଲୋଚନା ବିଫଳ ହୋଇଥିଲା। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଦେଶ ଆମେରିକା ସହ ବ୍ୟବସାୟ କରିବାକୁ ଚାହିଁବ, ତାକୁ ଏହି ନୂଆ ଶୁଳ୍କ ଦେବାକୁ ପଡ଼ିବ। ଏହି ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।
…….
19.
ସିଂହଦ୍ୱାରରେ ତିନି ରଥ, ଆଜି ହେବ ସୁନାବେଶ
ଜନ୍ମବେଦିରୁ ଫେରିଲେ ଭାଇ ଭଉଣୀଙ୍କ ସହ ପ୍ରଭୁ ଜଗନ୍ନାଥ । ଶନିବାର ତିନି ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଣି ସିଂହଦ୍ୱାରରେ ପହଞ୍ଚାଇଛନ୍ତି । ସକାଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ଠାକୁରଙ୍କ ପହଣ୍ଡି । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇଥିଲା । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷରେ ତିନି ଠାକୁର ରଥାରୂଢ଼ ହୋଇଥିଲେ । ଗଜପତିଙ୍କ ଛେରାପହଁରା ପରେ ବର୍ଷା ସତ୍ତ୍ୱେ ଧାର୍ଯ୍ୟ ସମୟର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ମାଉସୀ ମା’ ମନ୍ଦିର ନିକଟରେ ନନ୍ଦିଘୋଷ ଅଟକି ଥିଲା । ଠାକୁରେ ପୋଡ଼ପିଠା ଖାଇଥିଲେ । ସନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାରରେ ଲାଗିଛି । ଆଜି ଏକାଦଶୀ ତିଥିରେ ରଥାରୂଢ଼ ବିଗ୍ରହଙ୍କର ସୁନାବେଶ ଅନୁଷ୍ଠିତ ହେବ । ଅପରାହ୍ଣ ୫ଟାରୁ ୬ଟା ମଧ୍ୟରେ ଏହି ଦୁର୍ଲଭ ବେଶ ହେବ ।
……
20.
ପୁଟିନଙ୍କ ଉପରେ କ୍ଷୁବ୍ଧ ଟ୍ରମ୍ପ୍: ରୁଷ୍ ଉପରେ ଲାଗିପାରେ କଠୋର କଟକଣା
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କ୍ଷୋଭ ପ୍ରକାଶ କରିଛନ୍ତି। “ପୁଟିନ୍ କେବଳ ଲୋକ ମାରିବା ଜାରି ରଖିବାକୁ ଚାହୁଁଛନ୍ତି, ଯାହା ଆଦୌ ଭଲ ନୁହେଁ,” ବୋଲି ଟ୍ରମ୍ପ କହିଛନ୍ତି। ଏହି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ୍ ଋଷ ଉପରେ କଠୋର ଆର୍ଥିକ କଟକଣା ଲଗାଇବାର ସଙ୍କେତ ଦେଇଛନ୍ତି। କଟକଣା ଲାଗୁ ହୋଇପାରେ ବୋଲି ପୁଟିନ୍ ଜାଣନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ-ପୁଟିନ୍ ଆଲୋଚନା ପରେ ହିଁ ଋଷ ୟୁକ୍ରେନ୍ ଉପରେ ବଡ଼ ଧରଣର ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲା। ଏହାପରେ ଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏବଂ ୟୁକ୍ରେନର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି।
……
21.
ବିଶ୍ୱ ପୁଲିସ କ୍ରୀଡ଼ାରେ ଓଡ଼ିଶାର ପ୍ରତିଯୋଗୀ ପାଇଲେଣି ୯ ସ୍ୱର୍ଣ୍ଣ
ବିର୍ମିଂହାମରେ ଚାଲିଥିବା ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଓଡ଼ିଶାର ପ୍ରତିଯୋଗମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ଶାନିବାର ଶେଷ ସୁଦ୍ଧା ଓଡ଼ିଶା ଟିମ୍ ୯ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିଛି । ଶନିବାର ଅଶୋକ ଦଣ୍ଡସେନା ପୁରୁଷ ୫ ହଜାର ମିଟର ଓ ୧୦ ହଜାର ମିଟର ଦୌଡ଼ରେ ୨ଟି ସ୍ୱର୍ଣ୍ଣ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି । ସବିତା ଟପ୍ପୋ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ଏବଂ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ପାଇଛନ୍ତି । ସୁସ୍ମିତା ଟିଗା ୪ ଗୁଣା ୪୦୦ ମିଟର ଦୌଡ଼ରେ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ।
…
22
ପୁଣି ବ୍ୟାଟରେ ବିସ୍ଫୋରଣ କଲେ ବୈଭବ, ୨ ବଲରେ ଶତକ ସ୍କୋର
ଭାରତର ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ବ୍ୟାଟରେ କମାଲ ଦେଖାଇଛନ୍ତି । ୧୯ ବର୍ଷରୁ କମ୍ ଦିନିକିଆରେ ସେ ଇଂଲଣ୍ଡ ବିପକ୍ଷରେ ୫୨ ବଲରେ ।ତକ କରି ରେକର୍ଡ କରିଛନ୍ତି । ପୂର୍ବରୁ ପାକିସ୍ତାନର କମରାନ ଘୁଲାମ ୫୩ ରନରେ ଶତକ କରିଥିଲେ । କମରାନଙ୍କୁ ରେକର୍ଡକୁ ବୈଭବ ଭାଙ୍ଗିଛନ୍ତି । ବୈଭବ ୭୮ ବଲରେ ୧୪୩ ରନ୍ କରିଥିଲେ । ଏହା ମଧ୍ୟରେ ଥିଲା ୧୩ ଚୌକା ଓ ୧୦ ଛକା । ସେ ସର୍ବକନିଷ୍ଠ ଭାରତୀୟ ବ୍ୟାଟର ଭାବେ ଯୁବ ଦିନିକିଆରେ ଶତକ ରେକର୍ଡ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଫରାଜ ଖାନଙ୍କ ନାମରେ ଥିଲା ।
…
23.
ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସ୍ଥଗିତ, ୨୦୨୬ ସେପ୍ଟେମ୍ବରରେ ହେବ ସିରିଜ୍
ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ ଟିମ୍ ବାଂଲାଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଏକ ସୀମିତ ଓଭର ସିିରିଜ୍ ପାଇଁ ଧାର୍ଯ୍ୟ ହୋଇଥିଲା । ଅଗଷ୍ଟ ୧୭ରୁ ଦିନିକିଆ ସିରିଜ ଏବଂ ଅଗଷ୍ଟ ୨୬ରୁ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବାର ଥିଲା । ମାତ୍ର ଏହାକୁ ଏବେ ସ୍ଥଗିତ ରଖାଯାଇଛି । ଆଗାମୀ ୨୦୨୬ ସେପ୍ଟେମ୍ବର ମାସକୁ ଏହି ସିରିଜ୍ ଘୁଞ୍ଚିଯାଇଛି । ସେହି ସମୟରେ ଉଭୟଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ହେବ । ଉଭୟ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି ।
……..
24.
ଆପଲ୍ର ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାକୁ ଚୀନ୍ର ଝଟକା
ଭାରତରେ ଆପଲ୍ର ଆଇଫୋନ୍ ତିଆରି ଯୋଜନାକୁ ଚୀନ୍ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଆପଲ୍ର ପ୍ରମୁଖ ଯୋଗାଣକାରୀ ସଂସ୍ଥା ଫକ୍ସକନ୍ ଭାରତରେ ଥିବା ତା’ର ପ୍ଲାଣ୍ଟରୁ ୩୦୦ରୁ ଅଧିକ ଚୀନ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ଫେରାଇ ନେଇଛି। ଏହା ସହିତ ଚୀନ୍, ଭାରତକୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଉପକରଣ ରପ୍ତାନି ଉପରେ ମଧ୍ୟ କଟକଣା ଲଗାଇଛି। ଆମେରିକା-ଚୀନ୍ ବାଣିଜ୍ୟିକ ତିକ୍ତତା ମଧ୍ୟରେ ଚୀନ୍ ଏହି ପଦକ୍ଷେପ ନେଇଛି। ଏହାଦ୍ୱାରା ଭାରତରେ ଆଇଫୋନ୍ ୧୭ର ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଚୀନ୍ ଉପରେ ନିର୍ଭରଶୀଳତା କମ୍ କରି ନିଜସ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯୋଜନା କରୁଛି। ଏଥିପାଇଁ ତାଇୱାନ, ଆମେରିକା ଓ ଦକ୍ଷିଣ କୋରିଆ ଭଳି ଦେଶ ସହ ମିଶି କାମ କରାଯିବ।
…..
ବଦଳି ସତ୍ତ୍ୱେ ଦେବାଶିଷ ସିଂହଙ୍କ ପାଖରେ ରହିଲା ଅତିରିକ୍ତ ଦାୟିତ୍ୱ
ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗକୁ ବଦଳି କରାଯାଇଥିଲେ ମଧ୍ୟ ସେ ନିଜ ପୂର୍ବ ଦାୟିତ୍ୱରେ ମଧ୍ୟ ରହିବେ। ବଦଳି ପରେ ବି ସେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ସିଂହ ୨୦୧୫ ବ୍ୟାଚର ଜଣେ ଆଇଏଏସ୍ ଅଧିକାରୀ ଏବଂ ବର୍ତ୍ତମାନ ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।
……
26.
ଏନସି କ୍ଲାସିକରେ ନୀରଜ ଚୋପ୍ରା ଚାମ୍ପିଅନ
ବେଙ୍ଗାଲୁରୁର ଶ୍ରୀ କ୍ରାନ୍ତିରବ ଷ୍ଟାଡିୟମରେ ଆୟୋଜି ଏନସି କ୍ଲାସିକର ପ୍ରଥମ ସଂସ୍କରଣରେ ନିରଜ ଚୋପ୍ରା ଚାମ୍ପିଅନ ହୋଇଛନ୍ତି । ଭାରତରେ ପ୍ରଥମ ଥର ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ପ୍ରତିଯୋଗିତାରେ ମୋଟ ୧୨ ଜଣ ଖେଳାଳି ଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ । ନିରଜ ପ୍ରଥମ ରାଉଣ୍ଡରେ ଫାଉଲ ମାରିଥିଲେ । କିନ୍ତୁ ପରେ ୮୬.୧୮ ମିଟର ଜାଭେଲିନ ଫିଙ୍ଗିଥିଲେ । କେନିଆର ଜୁଲିୟସ ୟେଗୋ ୮୪.୫୧ ମିଟର ଫିଙ୍ଗି ରୌପ୍ୟ ପଦକ ପାଇଥିଲେ । ଶ୍ରୀଲଙ୍କାର ରମେଶ ପାଥିରାଗ ୮୪.୩୪ ମିଟର ଫିଙ୍ଗି ବ୍ରୋଞ୍ଜ ପଦକ ପାଇଛନ୍ତି ।
……
27.
ଭାରତୀୟ ଦୌଡ଼ରେ ନୂଆ ଇତିହାସ: ୮୦୦ ମିଟରରେ ରେକର୍ଡ କଲେ ମହମ୍ମଦ ଅଫସାଲ
ଭାରତୀୟ ଧାବକ ମହମ୍ମଦ ଅଫସାଲ ପୁଲିକ୍କାଲକାଥ୍ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପୋଲାଣ୍ଡରେ ଅନୁଷ୍ଠିତ ଏକ ଆଥଲେଟିକ୍ ମିଟ୍ରେ ସେ ପୁରୁଷ ୮୦୦ ମିଟର ଦୌଡ଼କୁ ମାତ୍ର ୧ ମିନିଟ୍ ୪୪.୯୩ ସେକେଣ୍ଡରେ ଶେଷ କରିଛନ୍ତି। ଏହା ସହିତ ସେ ୧ ମିନିଟ୍ ୪୫ ସେକେଣ୍ଡରୁ କମ୍ ସମୟରେ ଏହି ଦୂରତା ଅତିକ୍ରମ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରଦର୍ଶନ ସହ ସେ ନିଜର ପୂର୍ବ ଜାତୀୟ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଏହି ପ୍ରତିଯୋଗିତାରେ ସେ ଷଷ୍ଠ ସ୍ଥାନରେ ରହିଥିଲେ ମଧ୍ୟ, ତାଙ୍କର ଏହି ରେକର୍ଡ ସମୟ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ବଡ଼ ଉପଲବ୍ଧି। ଉଲ୍ଲେଖଯୋଗ୍ୟ, ଅଫସାଲ ୨୦୨୨ ଏସୀୟ କ୍ରୀଡ଼ାରେ ୮୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ।
……
28.
ଆସନ୍ତା କାଲିଠାରୁ ଯୁକ୍ତ ତିନି ସ୍ପଟ ନାମଲେଖା, ୧୦ରୁ ପାଠ ପଢ଼ା
ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ତୃତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ତେଣୁ ସୋମବାର ଠାରୁ ୱେଟିଂ ଲିଷ୍ଟ ତଥା ସ୍ପଟ ନାମ ଲେଖା ଆରମ୍ଭ ହେବ । ୧୦ ତାରିଖ ମଧ୍ୟରେ ଏଥିପାଇଁ ଆବେଦନର ସୁଯୋଗ ମିଳିବ । ୧୨ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ୧୪ ତାରିଖ ଅପରାହ୍ଣ ୨ଟା ପରେ ଉଚ୍ଚଶିକ୍ଷାନୁଷ୍ଠାନ ନୋଟିସ ବୋର୍ଡରେ ଓ ୱେବସାଇଟରେ ମେଧାତାଲିକା ପ୍ରକାଶ ପାଇବ । ୧୫ ଓ ୧୬ ତାରିଖରେ ନାମଲେଖା ହେବ । ଆସନ୍ତା ୧୦ ତାରିଖରେ ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ୨ ଲକ୍ଷ ୭୩ ହଜାର ୯୯୩ ଯୁକ୍ତ ତିନି ସିଟ୍ ରହିଛି । ଆଡମିସନ ପରେ ବି ୧ ଲକ୍ଷ ୧୩ ହଜାର ସିଟ୍ ଖାଲି ପଡ଼ିଛି ।
…..
29.
ଭାରତ-ଇଂଲଣ୍ଡ ଟେଷ୍ଟ: ଗିଲଙ୍କ ଶତକ ପରେ ଇଂଲଣ୍ଡକୁ ୬୦୮ ରନର ବିଶାଳ ଲକ୍ଷ୍ୟ
ବର୍ମିଂହାମରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ୍ ରହିଛି। ଶୁବମନ ଗିଲଙ୍କ ଚମତ୍କାର ୧୬୧ ରନ୍ ବଳରେ ଭାରତ ନିଜର ଦ୍ୱିତୀୟ ପାଳି ୪୨୭/୬ ସ୍କୋରରେ ଘୋଷଣା କରିଥିଲା। ଫଳରେ ଇଂଲଣ୍ଡକୁ ଜିତିବା ପାଇଁ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ମିଳିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଚତୁର୍ଥ ଦିନ ଖେଳରେ ମାତ୍ର ୭୨ ରନରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ପ୍ରଥମ ପାଳିରେ ମଧ୍ୟ ଭାରତ ଆଗୁଆ ରହିଥିବାରୁ ଏହି ମ୍ୟାଚରେ ଭାରତର ବିଜୟ ସମ୍ଭାବନା ବଢ଼ିଯାଇଛି।
…….
ଭାରତ-ଇଂଲଣ୍ଡ ଟେଷ୍ଟ: ଗିଲଙ୍କ ଶତକ ପରେ ଇଂଲଣ୍ଡକୁ ୬୦୮ ରନର ବିଶାଳ ଲକ୍ଷ୍ୟ
ବର୍ମିଂହାମରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତର ସ୍ଥିତି ମଜବୁତ୍ ରହିଛି। ଶୁବମନ ଗିଲଙ୍କ ଚମତ୍କାର ୧୬୧ ରନ୍ ବଳରେ ଭାରତ ନିଜର ଦ୍ୱିତୀୟ ପାଳି ୪୨୭/୬ ସ୍କୋରରେ ଘୋଷଣା କରିଥିଲା। ଫଳରେ ଇଂଲଣ୍ଡକୁ ଜିତିବା ପାଇଁ ୬୦୮ ରନର ଏକ ବିଶାଳ ଲକ୍ଷ୍ୟ ମିଳିଛି। ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଚତୁର୍ଥ ଦିନ ଖେଳରେ ମାତ୍ର ୭୨ ରନରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ପ୍ରଥମ ପାଳିରେ ମଧ୍ୟ ଭାରତ ଆଗୁଆ ରହିଥିବାରୁ ଏହି ମ୍ୟାଚରେ ଭାରତର ବିଜୟ ସମ୍ଭାବନା ବଢ଼ିଯାଇଛି।