
୧.
ଏଲୋନ ମସ୍କ ଗଢ଼ିଲେ ନୂଆ ରାଜନୈତିକ ଦଳ, ନାମ ରହିଲା ‘ଆମେରିକା ପାର୍ଟି’
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମନାନ୍ତର ପରେ ଏଲୋନ ମସ୍କ ଏବେ ଟକ୍କରକୁ ଓହ୍ଲାଇଛନ୍ତି । ଦେଶବାସୀଙ୍କ ଠାରୁ ମତ ନେବା ପରେ ଘୋଷଣା କରିଛନ୍ତି ନୂତନ ରାଜନୈତିକ ଦଳ । ନାମ ରହିଛି ‘ଆମେରିକା ପାର୍ଟି’ । ସେ କହିଛନ୍ତି ଦେଶରୁ ଆଉ ଦୁଇ ଦଳ ପରମ୍ପରାକୁ ହଟାଇବାକୁ ପଡ଼ିବ । ଲୋକମାନଙ୍କୁ ଅଧିକ ସ୍ୱାଧୀନତା ଆବଶ୍ୟକ । ଏବେ ମସ୍କ ୨୦୨୮ ନିର୍ବାଚନରେ ରାଷ୍ଟ୍ରପତି ଦୌଡ଼ରେ ରହିବେ କି ? ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଦେଶର ସମ୍ବିଧାନ ଅନୁସାରେ ଆମେରିକାରେ ଜନ୍ମିତ ବ୍ୟକ୍ତି ହିଁ କେବଳ ରାଷ୍ଟ୍ରପତି ହୋଇପାରିବେ । ମସ୍କଙ୍କ ପୂର୍ବପୁରୁଷ ଆମେରିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ଜନ୍ମ ଆଫ୍ରିକାରେ ହୋଇଥିଲା । ତେଣୁ ସେ କେବେ ରାଷ୍ଟ୍ରପତି ହୋଇପାରିବେନି ବୋଲି ଗତ ନିର୍ବାଚନ ସମୟରେ ନିଜେ କହିଥିଲେ ।
…
୨.
ପୂର୍ବତନ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଘରୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ
ଏ ଅସ୍ୱାଭାବିକ ଘଟଣା କ୍ରମରେ ପୂର୍ବତନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ବର୍ତ୍ତମାନର ସରକାରୀ ଘରୁ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟଙ୍କୁ ସର୍ବୋଚ୍ଚ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୫୦ତମ ପ୍ରଧାନ ବିଚାରପତି ଭାବେ ଥିଲେ । ସେ ନୂଆଦିଲ୍ଲୀର କ୍ରିଷ୍ଣା ମେନନ ମାର୍ଗସ୍ଥିତ ସରକାରୀ ଘରେ ରହୁଥିଲେ । ଅବସର ପରେ ତାଙ୍କୁ ଅନ୍ୟ ଏକ ସରକାରୀ ବାସଭବନ ପ୍ରଦାନ କରାଯାଇଛି । କିନ୍ତୁ ଉକ୍ତ ଘର ମରାମତି ପାଇଁ ସେ ପୁରୁଣା ଘର ଛାଡ଼ି ନଥିଲେ । ଇତି ମଧ୍ୟରେ ସେ ଦୁଇ ଥର ପୁରୁଣା ଘରେ ରହିବାକୁ କେଇ ମାସର ଅନୁମତି ପାଇଥିଲେ । ଯାହାର ଅବଧି ଜୁନ୍ ୩୦ ତାରିଖରେ ଶେଷ ହୋଇଛି । ତେଣୁ ତାଙ୍କୁ ତୁରନ୍ତ ଘରୁ ହଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି ।
…
୩.
ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନରେ ନୂଆପଡ଼ା ଜିଲ୍ଲାର ରେକର୍ଡ
ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନରେ ନୂଆପଡ଼ା ଜିଲ୍ଲା ଜାତୀୟ ସ୍ତରରେ ରେକର୍ଡ କରିପାରିଛି । ଗୋଟିଏ ଦିନରେ ଜିଲ୍ଲାରେ ଏକକାଳୀନ ବିଭିନ୍ନ ସ୍ଥାନରୁ ୩୨.୫୨ ଟନ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ହୋଇଛି । ଏଥିସହ ୧ ଲକ୍ଷ ୨ ହଜାର ଚାରାରୋପଣ କରାଯାଇପାରିଛି । ଏହି ଅଭିଯାନ ପାଇଁ ସକାଳ ୮ଟାରୁ ୧୦ଟା ସମୟ ଧାର୍ଯ୍ୟ କରାଯାଇଥିଲା । ୧ ଲକ୍ଷ ୪୨ ହଜାର ଲୋକ ଅଂଶ ଗ୍ରହଣ କରିଥିଲେ । ୩ ହଜାର ୨୧୪ ଟି ସ୍ଥାନରେ ଅଭିଯାନ କରାଯାଇଥିଲା । ବର୍ଜ୍ୟ ସଂଗ୍ରହ ପାଇଁ ୩୨ ଶହ ସ୍ଥାନ ଚିହ୍ନଟ କରାଯାଇଥିଲା । ୟୁନିସେଫର ୧୨ ଜଣିଆ ଟିମ୍ ଏହି ଅଭିଯାନକୁ ଅନୁଧ୍ୟାନ କରିଥିଲେ ।
….
୪.
ଟ୍ରମ୍ପଙ୍କ ଗଲଫ କ୍ଲବ ଆକାଶ ସୀମା ଉଲ୍ଲଂଘନ କଲା ବିମାନ, ରୋକିଲା ଫାଇଟର ଜେଟ
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଗଲଫ୍ କ୍ଲବ ଆକାଶରେ ଅଜଣା ବିମାନର ପ୍ରବେଶ । ଗତ ୫ ତାରିଖରେ ଟ୍ରମ୍ପ ସେଠାରେ ଛୁଟି କାଟିବା ସମୟରେ ହୋଇଛି ଏହି ଘଟଣା । ଏକ ଘରୋଇ ବିମାନ ଅଚାନକ ନୋ-ଫ୍ଲାଇଙ୍ଗ ଜୋନରେ ପ୍ରବେଶ କରିଥିଲା । ତେବେ କମାଣ୍ଡ ସେଣ୍ଟରକୁ ଏହି ସୂଚନା ମିଳିଥିଲା । ତୁରନ୍ତ ଏକ ଏଫ-୧୬ ଫାଇଟର ଜେଟ ଆକାଶକୁ ଉଠିଥିଲା । ଏଫ୍-୧୬ ଘରୋଇ ବିମାନକୁ ଚେତାବନି ଦେବା ସହ ପଥରୋଧ କରିଥିଲା । ଉକ୍ତ ବିମାନକୁ ଏକ ବିମାନ ବନ୍ଦର ପର୍ଯ୍ୟନ୍ତ ଫାଇଟର ଜେଟ ଏସକର୍ଟ କରି ନେଇଥିଲା । ପୂର୍ବରୁ ମଧ୍ୟ ତିନି ଥର ଟ୍ରମ୍ପ ଛୁଟି କାଟିବା ସମୟରେ ବିମାନ ଆକାଶ ସୀମା ଉଲ୍ଲଂଘନ କରି ନୋ-ଫ୍ଲାଇଙ୍ଗ ଜୋନରେ ପ୍ରବେଶ କରିଥିଲା ।
….
୫.
କେରଳରେ ଅଟକି ରହିଛି ବ୍ରିଟେନର ଫାଇଟର ଜେଟ, ଆସିଲେ ଇଞ୍ଜିନୟର ଟିମ୍
କେରଳର ତିରୁଭନନ୍ତପୁରମ ବିମାନବନ୍ଦରରେ ବ୍ରିଟେନର ଏକ ଏଫ-୩୫ବି ଫାଇଟର ଜେଟ ଅଟକି ରହିଛି । ଜୁନ୍ ୧୪ ତାରିଖରୁ ଏହା ଯାନ୍ତ୍ରିକ ତ୍ରୁଟି ପାଇଁ ଉଡ଼ାଣ କରିବାରେ ବିଫଳ ହୋଇଛି । ସମୁଦ୍ର ଉପରେ ଉଡ଼ାଣ କରୁଥିବା ବେଳେ ଅଚାନକ ତ୍ରୁଟି ଦେଖାଦେବାରୁ ଏହା ଜରୁରୀ ଅବତରଣ କରିଥିଲା । ଏହାକୁ ମରାମତି କରିବାରେ ସମସ୍ତ ଉଦ୍ୟମ ବିଫଳ ହେବାରୁ ଏବେ ବ୍ରିଟେନରୁ ୨୪ ଜଣିଆ ଇଞ୍ଜିନିୟରଙ୍କ ଏକ ଟିମ୍ ପହଞ୍ଚିଛନ୍ତି । ସେମାନେ ରୟାଲ ଏୟାରଫୋର୍ସର ଏକ ଏୟାରବସରେ ଆସିଛନ୍ତି । ମରାମତି ଉଦ୍ୟମ ବିଫଳ ହେଲେ ବିମାନକୁ ଭାଗ ଭାଗ କରି ଏୟାରବସରେ ବ୍ରିଟେନ ନେବାକୁ ନିଷ୍ପତ୍ତି ହୋଇଛି । ବିମାନକୁ କୌଣସି ଛୋଟ ଯନ୍ତ୍ରାଂଶ ଯେପରି କାହା ହାତକୁ ନଯାଏ ସେଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଏହାକୁ ରଖାଯାଇଛି । ଯନ୍ତ୍ରାଂଶ ଚୋରି ହେଲେ ଏହି ଅତ୍ୟାଧୁନିକ ଫାଇଟର ଜେଟ ନିର୍ମାଣ କୌଶଳ ଲିକ୍ ହେବାର ମଧ୍ୟ ଆଶଙ୍କା ରହିଛି ।
…
୬.
ହତ୍ୟା ଉଦ୍ୟମ ମାମଲାରେ ଗୁଜରାଟର ଆପ୍ ବିଧାୟକ ଗିରଫ
ଗୁଜରାଟର ଆପ୍ ବିଧାୟକ ଚଇତର ବାସବା ଗିରଫ ହୋଇଛନ୍ତି । ତାଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ହୋଇଥିଲା । ନର୍ମଦା ଜିଲ୍ଲାର ଜଣେ ତାଲୁକା ପଞ୍ଚାୟତ କର୍ମକର୍ତ୍ତାଙ୍କୁ ସେ ହତ୍ୟା ଉଦ୍ୟମ କରିଥିଲେ । ଏକ ବୈଠକ ଅବସରରେ ଏହି ଘଟଣା ହୋଇଥିଲା । ଯୁକ୍ତିତର୍କ ମଧ୍ୟରେ କର୍ମକର୍ତ୍ତାଙ୍କ ମୁଣ୍ଡକୁ ବିଧାୟକ ଏକ ମୋବାଇଲ ଫୋନ ଫିଙ୍ଗିଥିଲେ । କର୍ମକର୍ତ୍ତାଙ୍କ ମୁଣ୍ଡ ଏହା ଫଳରେ ଫାଟିଯାଇଥିଲା । ବିଧାୟକ ଏକ ଗ୍ଲାସରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ବିଧାୟକଙ୍କ ଗିରଫ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଲୋକମାନେ ଏକାଠି ହେବା ଉପରେ ପୁଲିସ କଟକଣା ଲଗାଇଛି । ତେବେ ବିଜେପି ନିର୍ବାଚନ ହାରୁଥିବାରୁ ଆକ୍ରୋଶମୂଳକ ଭାବେ ବିଧାୟକଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ।
…
7.
ଲୋହିତ ସାଗରରେ ବ୍ରିଟେନ ଜାହଜ ଉପରେ ରକେଟ ମାଡ଼
ଲୋହିତ ସାଗରରେ ବ୍ରିଟେନର ଏଜ ଜାହାଜ ଆକ୍ରମଣର ଶିକାର ହୋଇଛି । ୟେମେନ ଉପକୂଳରେ କେତେକ ବନ୍ଧକୁଧାରୀ ଜାହାଜ ଉପରକୁ ରକେଟ ଓ ଗ୍ରେନେଡ ମାଡ଼ କରିଛନ୍ତି । ୟୁନାେଇଟେଡ ଟ୍ରେଡ ମାରିଟାଇମ ଅପରେସନ୍ସ ଦ୍ୱାରା ଜାହାଜଟି ପରିଚାଳିତ । ବ୍ରିଟେନ ମିଲିଟାରୀ ଅଧୀନରେ ଏହି ଅପରେସନ ହୋଇଥାଏ । ଜାହାଜରେ ଥିବା ସୁରକ୍ଷା କର୍ମୀ ବନ୍ଧକୁଧାରୀଙ୍କୁ ପାଲଟା ଜବାବ ଦେଇଥିଲେ । ତେବେ କୌଣସି ଆତଙ୍କୀ ଗୋଷ୍ଠୀ କିମ୍ବା ଜଳଦସୁ୍ୟ ଗ୍ରୁପ୍ ଏହି ଆକମ୍ରଣ ପାଇ ନିଜକୁ ଦାୟୀ କରିନାହାନ୍ତି । ଲୋହିତ ସାଗରରେ ବିଗତ କିଛି ବର୍ଷ ଧରି ହୁତି ବିଦ୍ରୋହୀମାନେ ବିଭିନ୍ନ ଦେଶର ପଣ୍ୟବାହୀ ଜାହାଜ ଗୁଡ଼ିକୁ ଆକ୍ରମଣ କରି ଲୁଟପାଟ କରୁଛନ୍ତି ।
…
8.
କମଲ ହାସନଙ୍କ ଉପରେ କୋର୍ଟଙ୍କ ରୋକ, କନ୍ନଡ ଭାଷା ଉପରେ ବିବୃତି ଦିଅନି
ଅଭିନେତା କମଲ ହାସନ ଏଣିକି କନ୍ନଡ ଭାଷା ଓ ସଂସ୍କୃତି ବିରୋଧରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ । ବେଙ୍ଗାଲୁରୁର ଏକ ସିଭିଲ କୋର୍ଟ ଏଥିଲାଗି ରୋକ୍ ଲଗାଇଛନ୍ତି । କନ୍ନଡ ସାହିତ୍ୟ ପରିଷଦ ପକ୍ଷରୁ କୋର୍ଟରେ ଏ ନେଇ ପିଟିସନ ଦାୟର ହୋଇଥିଲା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମଲ ହାସନଙ୍କ ଉପରେ ଏହି କଟକଣା ରହିବ । ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ କି ନିଜର ପୂର୍ବ ବିବୃତି ପାଇଁ କମଲ ହାସନ କ୍ଷମା ମାଗିବା ଆବଶ୍ୟକ ନାହିଁ । ଗତ ମେ ୨୪ ତାରିଖରେ ଏକ ଅଡିଓ ରିଲିଜ କାର୍ଯ୍ୟକ୍ରମରେ କମଲ ହାସନ କହିଥିଲେ କନ୍ନଡ ଭାଷା ତାମିଲରୁ ସୃଷ୍ଟି ହୋଇଛି । ଏହା ପରଠାରୁ ସେ ବିବାଦ ଘେରରେ ରହିଛନ୍ତି ।
…
9.
ବିହାରରେ ନିର୍ବାଚନ ଳଢ଼ିବେ ଚିରାଗ ପାଶ୍ୱାନ, ବଢ଼ିଲା ବିଜେପିର ଅଡ଼ୁଆ
ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ । ତାଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି । ରାଜ୍ୟର ସମସ୍ତ ୨୪୩ ବିଧାନସଭା ଆସନରେ ତାଙ୍କ ଦଳ ପ୍ରାର୍ଥୀ ଦେବ । ଏହି ନିର୍ବାଚନ ତାଙ୍କ ପାଇଁ, ପ୍ରତ୍ୟେକ ବିହାରୀଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଏଲଜେପି ଏନଡିଏ ମେଣ୍ଟର ଅଂଶୀଦାର ହୋଇ ରହିଛି । ଚିରାଗଙ୍କ ନୂଆ ବିବୃତି ଉଭୟ ବିଜେପି ଓ ନିତିଶ କୁମାରଙ୍କ ଜେଡିୟୁ ପାଇଁ ଅଡ଼ୁଆ କରିବା ନିଶ୍ଚିତ ।
…
10.
ଭାରତରେ ସମାଚାର ଏଜେନ୍ସି ରଏଟର୍ସର ଏକ୍ସ ଆକାଉଣ୍ଟ ବ୍ଲକ, କାରଣ ଅଜଣା
ଆନ୍ତର୍ଜାତିକ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡଲ ବ୍ଳକ ହୋଇଛି । ଏହାକୁ ଆକ୍ସେସ କରିବାକୁ ଚେଷ୍ଟା କରି ୟୁଜର ବିଫଳ ହେଉଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଆଇନଗତ ଦାବି ଯୋଗୁ ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ । ଅପରପକ୍ଷରେ ଭାରତ ପକ୍ଷରୁ ଏଭଳି କୌଣସି ଆଇନଗତ ପ୍ରସଙ୍ଗ ନାହିଁ ବୋଲି କେନ୍ଦ୍ର ସରକାର ସଫେଇ ଦେଇ ସାରିଛନ୍ତି । ଉଲ୍ଲେଖଯୋଗ୍ୟ, ଅପରେସନ ସିନ୍ଦୂର ସମୟରେ ଅନେକ ନୁ୍ୟଜ ଏଜେନ୍ସିର ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଳକ କରାଯାଇଥିଲା । ସମ୍ଭବତଃ ପୁରୁଣା କୌଣସି ପ୍ରସଙ୍ଗରୁ ଏକ୍ସ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
…
11.
ଯୁଦ୍ଧ ବିରତି ଆଲୋଚନା ପୂର୍ବରୁ ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ
ଗାଜାରେ ପୁଣିଥରେ ଆକ୍ରମଣ କରିଛି ଇସ୍ରାଏଲ ବାୟୁସେନା । ଏହି ଆକ୍ରମଣରେ ୩୩ ଜଣଙ୍କ ମୃତୁ୍ୟ ହୋଇଥିବା ଗାଜାର ଏକ ହସପିଟାଲ ପକ୍ଷରୁ ରବିବାର କୁହାଯାଇଛି । ଗତ ୨୪ ଘଣ୍ଟାରେ ଗାଜାର ୧୩୦ଟି ଅଞ୍ଚଳକୁ ଇସ୍ରାଏଲ ଟାର୍ଗେଟ କରିଛି । ଆମେରିକା ମଧ୍ୟସ୍ଥିରେ ଗାଜା ଯୁଦ୍ଧବିରତି ପାଇଁ ଆଲୋଚନା କରିବାକୁ ଇସ୍ରାଏଳ ସମ୍ମତି ଦେଇଥିଲା । ଏଥିପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେ ହ୍ୱାଇଟ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିବେ । ତେବେ ଏହା ପୂର୍ବରୁ ଇସ୍ରାଏଲର ଅଚାନକ ଆକ୍ରମଣ ଚିନ୍ତାର ବିଷୟ ହୋଇଛି ।
…
12.
ଯୁଦ୍ଧ ପରେ ପ୍ରଥମ ଥର ଦେଖାଦେଲେ ଇରାନର ସୁପ୍ରିମ ଲିଡର ଖାମେନେଇ
ଇସ୍ରାଏଲ ସହ ଯୁଦ୍ଧ ବିରତି ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଖାମେନେଇ । ଶନିବାର ଏକ ଧାର୍ମିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା । ଇସ୍ରାଏଲ ସହ ୧୨ ଦିନ ଧରି ଇରାନର ଘମାଘୋଟ ଯୁଦ୍ଧ ଚାଲିଥିଲା । ଏଥିରେ ଇରାନର କେତେକ ବୈଜ୍ଞାନିକ ଓ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି । ତେବେ ଖାମେନେଇ ଅଜଣା ସ୍ଥାନରେ କିମ୍ବା କୌଣସି ବଙ୍କରରେ ରହିଥିଲେ । କେବଳ ଥରେ ଦୁଇଥର ଭିଡିଓ ଜାରି କରି ବିବୃତି ଦେଇଥିଲେ । ଏପରିକି ସେ ନିଜ ଉତ୍ତରାଧିକାରୀ ମଧ୍ୟ ବାଛିଥିଲେ । ଏବେ ସିଆ ମୁସଲିମ କ୍ୟାଲେଣ୍ଡରର ପ୍ରମୁଖ ପର୍ବରେ ତାଙ୍କୁ ଦେଖିବାକୁ ପାଇ ଦେଶବାସୀ ଆଶ୍ୱସ୍ତ ହୋଇଛନ୍ତି ।
….
13.
ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବା ପ୍ରସଙ୍ଗରେ ଚୀନ୍ ଉଠାଇଲା ଆପତ୍ତି
ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗକୁ ନେଇ ଚୀନ୍ ଆପତ୍ତି ଉଠାଇଛି । ନିକଟରେ ଦଲାଇଲାମା କହିଥିଲେ କି ବୌଦ୍ଧ ଧର୍ମଗୁରୁ ମାନେ ପରବର୍ତ୍ତୀ ଦଲାଇଲମାଙ୍କୁ ଚୟନ କରିବେ । ଏହା ସେମାନଙ୍କ ଅଧିକାର । ଅପରପକ୍ଷରେ ଚୀନ୍ ରାଷ୍ଟ୍ରଦୂତ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି, ତିବତୀୟ ବୌଦ୍ଧ ଧର୍ମରେ ଜୀବିତ ବୁଦ୍ଧଙ୍କ ପୁନର୍ଜନ୍ମ ପରମ୍ପରା ୭ ଶହ ବର୍ଷ ଧରି ରହିଛି । ଚତୁର୍ଦ୍ଦଶ ଦଲାଇଲାମା କେବଳ ଏହା ଅଂଶ ବିଶେଷ । ତାଙ୍କ ଠାରୁ ପରମ୍ପରା ଆରମ୍ଭ ହୋଇନାହିଁ । ତେଣୁ ପରମ୍ପରାକୁ ରଖିବା କିମ୍ବା ଶେଷ କରିବା ତାଙ୍କ ଅଧିକାର ବାହାରେ । ସେ ଏକାକୀ କୌଣସି ନିଷ୍ପତ୍ତି ନେଇପାରିବେନି । ସେହିପରି ଭାରତକୁ ମଧ୍ୟ ଏହି ପ୍ରସଙ୍ଗରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
…
14.
ମଣିପୁର ଦେଇ ମ୍ୟାନମାରରୁ ଚୋରା ଅସ୍ତ୍ରଶସ୍ତ୍ର ଦେଶକୁ ପଶୁଛି, ରାକେଟ ସକ୍ରିୟ
ମ୍ୟାନମାରରୁ ଚୋରା ଅସ୍ତ୍ରଶସ୍ତ୍ର ଭାରତ ମଧ୍ୟକୁ ଆସୁଛି । ଏହା ମଣିପୁରର କେତେକ ବିଦ୍ରୋହୀ ଗୋଷ୍ଠୀଙ୍କ ମାଧ୍ୟମରେ ଆସୁଛି । ପରେ ଏହି ଅସ୍ତ୍ର ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ଯାଉଛି । ବିଶେଷ କରି ଅସ୍ତ୍ର ଲାଇସେନ୍ସ ଥିବା ବ୍ୟକ୍ତିମାନଙ୍କ ନିକଟରେ ଏହାକୁ ପହଞ୍ଚାଯାଉଛି । ସେମାନେ ଅତ୍ୟାଧୁନିକ ଚୋରା ଅସ୍ତ୍ର ରଖୁଛନ୍ତି । ଗତ ଜୁନ୍ ମାସରେ ମଣିପୁରରେ ୪ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିବା ପରେ ଏହି ରାକେଟ ପଦାକୁ ଆସିଥିଲା । ପରେ ଜଣାପଡ଼ିଛି ଏହି ରାକେଟର ନେଟୱର୍କ ଦେଶବ୍ୟାପୀ ଲମ୍ବିଛି । ଏବେ ଜତୀୟ ତଦନ୍ତ କାରୀ ସଂସ୍ଥା ଗୁଡ଼ିକ ଏହି ମାମଲାର ଛାନଭିନ କରିବାରେ ଲାଗିଛନ୍ତି ।
…
15.
ଓୟୁଟିଆରରେ ଏରୋସ୍ପେସ, ସେମିକଣ୍ଡକ୍ଟର ଟେକ୍ନୋଲୋଜି ପାଠ୍ୟକ୍ରମ ସାମିଲ
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବା ଓୟୁଟିଆରରେ ଚଳି ଶିକ୍ଷାବର୍ଷରୁ ଦୁଇଟି ନୂଆ ପାଠ୍ୟକ୍ରମ ଆରମ୍ଭ ହେଉଛି । ପାଠ୍ୟକ୍ରମ ଦୁଇଟି ହେଲା ବିଯେକ୍ ଇନ୍ ଏରୋସ୍ପେସ୍ ଇଞ୍ଜିନିୟରିଂ ଏବଂ ଏମଟେକ୍ ଇନ ସେମିକଣ୍ଡକ୍ଟର ଟେକ୍ନୋଲୋଜି । ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗ ପକ୍ଷରୁ ଏଥିପାଇଁ ଅନୁମୋଦନ ମିଳିଛି । ଓଜେଇଇ କାଉନସେଲିଂରେ ଏହି ଦୁଇଟି ପାଠ୍ୟକ୍ରମରେ ରେଗୁଲାର ମୋଡରେ ନାମଲେଖା ହେବ । ଏରୋସ୍ପେସରେ ୩୦ଟି ସିଟ୍ ଏବଂ ସେମିକଣ୍ଡକ୍ଟରରେ ୧୮ଟି ସିଟ୍ ରହିଛି । ସମଗ୍ର ଇଷ୍ଟର୍ଣ୍ଣ ଜୋନରେ ଏରୋସ୍ପେସ ପାଠ୍ୟକ୍ରମ ପ୍ରଥମ ଥର ଓୟୁଟିଆରରେ ଆରମ୍ଭ ହୋଇଛି । ଇସ୍ରୋ ସହଭାଗିତାରେ ଏହା କାର୍ଯ୍ୟକାରୀ କରାଯାଉଛି ।
…
16.
ପଶ୍ଚିମବଙ୍ଗର ୩ ବିଜେପି କର୍ମୀଙ୍କ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ
ପଶ୍ଚିମବଙ୍ଗରେ ହୋଇଥିବା ୩ ବିଜେପି କର୍ମୀଙ୍କ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି । ଏଥିପାଇର୍ ଏସଆଇଟି ଗଠନ କରିବାକୁ କୋର୍ଟ କହିଛନ୍ତି । ୨୦୧୯ ମସିହାରେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଅନ୍ତର୍ଗତ ସନେ୍ଦଶଖାଲିରେ ଏହି ହତ୍ୟା ଘଟଣା ହୋଇଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତୃଣମୂଳ କଂଗ୍ରେସର ନିଲମ୍ବିତ ନେତା ଶେଖ ଶାହଜାହାନ । ୨୦୨୪ ଜାନୁଆରୀରେ ଇଡି ଏବଂ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଯବାନଙ୍କୁ ଦୁର୍ବ୍ୟବହାର ମାମଲାରେ ମଧ୍ୟ ସେ ମୁଖ୍ୟ ଅଭିଯୁକ୍ତ । ଶାହଜାହାନଙ୍କ ବିରୋଧରେ ପୂର୍ବରୁ ୩ଟି ମାମଲାର ତଦନ୍ତ ସିବିଆଇ ହାତରେ ରହିଛି ।
…
17.
କଡ଼ା ସୁରକ୍ଷାରେ ଅମରନାଥରେ ଗୁମ୍ଫା ଦର୍ଶନ କଲେଣି ୪୮ ହଜାର ଶ୍ରଦ୍ଧାଳୁ
କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଅମରନାଥ ଯାତ୍ରା । ଚତୁର୍ଥ ଦିନରେ ରବିବାର ପଞ୍ଚମ ବ୍ୟାଚରେ ୭ ହଜାର ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଉଭୟ ପହଲଗାମ ଓ ବାଲତାଲ ବେସକ୍ୟାମ୍ପ ଅଭିମୁଖେ ଯାଇଛନ୍ତି । ଶନିବାର ୨୧ ହଜାର ୧୦୯ ଶ୍ରଦ୍ଧାଳୁ ଅମରନାଥରେ ଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୬ ହଜାର ୧୫୯ ପୁରୁଷ ଓ ୩ ହଜାର ୯୨୧ ଜଣ ମହିଳା ଅଛନ୍ତି । ୫୨୧ ଜଣ ସୁରକ୍ଷା ବାହିନୀ ଯବାନ, ୨୨୬ ଛୋଟ ପିଲା, ୨୫୦ ସାଧୁ ଏବଂ ୨୯ ଜଣ ସାଧ୍ୱୀ ମଧ୍ୟ ଅଛନ୍ତି । ଏମାନଙ୍କୁ ମିଶାଇ ମୋଟ ୪୮ ହଜାର ୯୭୨ ଜଣ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଦର୍ଶନର ସୌଭାଗ୍ୟ ପାଇଛନ୍ତି ।
…….
18.
ICAI CA ସେପ୍ଟେମ୍ବର ୨୦୨୫ ପରୀକ୍ଷା ପାଇଁ ଆବେଦନ ଆରମ୍ଭ
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ପକ୍ଷରୁ ସେପ୍ଟେମ୍ବର ୨୦୨୫ CA ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଫାଉଣ୍ଡେସନ୍, ଇଣ୍ଟରମିଡିଏଟ୍ ଓ ଫାଇନାଲ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ICAIର ସେଲ୍ଫ ସର୍ଭିସ୍ ପୋର୍ଟାଲ (SSP) ମାଧ୍ୟମରେ ଆବେଦନ କରିପାରିବେ। ବିନା ଲେଟ୍ ଫି’ରେ ଆବେଦନର ଶେଷ ତାରିଖ ଜୁଲାଇ ୧୮ ରହିଥିବା ବେଳେ, ୬୦୦ ଟଙ୍କା ଲେଟ୍ ଫି’ ସହିତ ଜୁଲାଇ ୨୧ ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯାଇପାରିବ। ICAI ପକ୍ଷରୁ ଘୋଷିତ ସୂଚୀ ଅନୁଯାୟୀ, ଫାଇନାଲ୍ ପରୀକ୍ଷା ସେପ୍ଟେମ୍ବର ୩ରୁ ୧୪, ଇଣ୍ଟରମିଡିଏଟ୍ ସେପ୍ଟେମ୍ବର ୪ରୁ ୧୫ ଏବଂ ଫାଉଣ୍ଡେସନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବ। ଆବେଦନ ତାରିଖ ଆଉ ବଢ଼ାଯିବ ନାହିଁ ବୋଲି ସଂସ୍ଥା ସ୍ପଷ୍ଟ କରିଥିବାରୁ ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
……..
19.
ମିନାକ୍ଷୀ ବାହିନୀପତି ପୁଣି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାପତି
ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସକୁ ମିଳିଛନ୍ତି ନୂଆ ସଭାପତି । ଅଖିଳ ଭାରତୀୟ କଂଗ୍ରେସ କମିଟି ଏହି ପଦରେ ପୁଣି ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛି । ବିଜ୍ଞପ୍ତି ଜରିଆରେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି । ମିନାକ୍ଷୀ ପିସିସି ଉପସଭାପତି ତଥା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ । ପୂର୍ବରୁ ମଧ୍ୟ ମିନାକ୍ଷୀ ଏହି ଦାୟିତ୍ୱରେ ଥିଲେ । ସେ ୧୦ ବର୍ଷ ଧରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସର ନୀତି ଆଦର୍ଶରେ ଓଡ଼ିଶାରେ ମହିଳା ସଙ୍ଗଠନକୁ ସୁଦୃଢ଼ କରାଯିବ ବୋଲି ମିନାକ୍ଷୀ କହିଛନ୍ତି ।
…
20.
ମହଣ ମହଣ ସୁନାରେ ଝଟକିଲେ ତିନି ଠାକୁର, ଦର୍ଶନ ପାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ରଥାରୂଢ଼ ଠାକୁର ହୋଇଛନ୍ତି ସୁନାବେଶ । ଏକାଦଶୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରାଜାଧିରାଜ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାହୁଡ଼ାରେ ରଥାରୂଢ଼ ହୋଇ ଠାକୁରେ ସାରା ରାତି ଅନିଦ୍ରା ରହିଥିଲେ । ରାତି ସାରା ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ରାଜପଥ ଗାଡ଼ିରେ ଜାମ୍ ହୋଇ ରହିଥିଲା । ରବିବାର ଅପରାହ୍ଣ ସାଢ଼େ ୪ଟା ପରେ ଆରମ୍ଭ ହୋଇଥିଲା ଠାକୁରଙ୍କ ସୁନାବେଶ । ବହୁମୂଲ୍ୟ ଅଳଙ୍କାର ଗୁଡ଼ିକୁ ଶ୍ରୀମନ୍ଦିର ଭଣ୍ଡାର ଘରୁ ଅଣାଯାଇଥିଲା । ପାଳିଆ ମେକାପ ଓ ଖୁଣ୍ଟିଆ ସେବକ ଗୋଟି ଗୋଟି ଅଳଙ୍କାର ରଥ ଉପରକୁ ବୋହି ଆଣିଥିଲେ । ପ୍ରାୟ ଦେଢ଼ ଘଣ୍ଟା ମଧ୍ୟରେ ଠାକୁର ସୁନାରେ ଝଟକିଥିଲେ । ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦେଖିବାକୁ ଅପେକ୍ଷା କରି ରହିଥିବା ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା ।
…
21.
ମିସାଇଲ ମାଡ଼ କଲେ ହୁତି ବିଦ୍ରୋହୀ, ଅଟକାଇବାରେ ସଫଳ ହେଲା ଇସ୍ରାଏଲ
ଇସ୍ରାଏଲ ଉପରେ ହୁତି ବିଦ୍ରୋହୀମାନେ କରିଛନ୍ତି ବାଲିଷ୍ଟିକ୍ ମିସାଇଲ ମାଡ଼ । ସୁରକ୍ଷା ପ୍ରଣାଳୀର ସୂଚନା ପାଇ ଇସ୍ରାଏଲ ରାଜଧାନୀ ତେଲ ଆଭିଭରେ ଶନିବାର ବିଳମ୍ବିତ ରାତିରେ ଘନ ଘନ ଗର୍ଜିଥିଲା ସାଇରନ୍ । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଦିଆଯାଇଥିଲା ଚେତାବନି । ତେବେ ସତର୍କ ଇସ୍ରାଏଲ ସମସ୍ତ ମିସାଇଲକୁ ଆକାଶ ମାର୍ଗରେ ଧ୍ୱଂସ କରିବାରେ ସଫଳ ହୋଇଛି । ଅପରପକ୍ଷରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ହୁତି ବିଦ୍ରୋହୀ କହିଛନ୍ତି । ୟେମେନର ଅଧିକାଂଶ ଅଞ୍ଚଳ ସେମାନଙ୍କ କବଜାରେ ଥିବାରୁ ସେଠାରୁ ଏହି ମିସାଇଲ ମାଡ଼ କରାଯାଇଥିଲା । ଗାଜା ଉପରେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ବାରମ୍ବାର ଇସ୍ରାଏଲକୁ ହୁତିମାନେ ଧମକ ଦେଇ ଆସୁଛନ୍ତି ।
…
22.
ବିହାରରେ ଭୋଟରଙ୍କୁ ନିୟମ କୋହଳ, ବିନା ଦସ୍ତାବିଜରେ ଦାଖଲ ହୋଇପାରିବ ଫର୍ମ
ବିହାରରେ ଭୋଟର ତାଲିକାରେ ଗଡ଼ବଡ଼ କରିବାକୁ ଷଡ଼ଯନ୍ତ୍ର ହେଉଛି । ଏପରି ଅଭିଯୋଗ ଆଣିଥିଲେ ଆରଜେଡି ସମେତ କେତେକ ବିରୋଧ ଦଳ । ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ଉପରକୁ ସେମାନେ ଅଙ୍ଗୁଳି ଉଠାଇଥିଲେ । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ମାମଲା ପହଞ୍ଚିସାରିଛି । ଏଭଳି ସମୟରେ ରାଜ୍ୟରେ ନିର୍ବାଚନ କମିଶନ ଭୋଟରଙ୍କ ପାଇଁ ନିୟମ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଭୋଟର ଫର୍ମ ଦାଖଲ କରିବାକୁ ହେଲେ ଫଟୋ ପରିଚୟପତ୍ର କିମ୍ବା କୌଣସି ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିଲା । ଏବେ କମିଶନ କହିଛନ୍ତି ଭୋଟରମାନେ କେବଳ ପଂଜିକରଣ ଫର୍ମ ପୂରଣ କରି ବିନା ଦସ୍ତାବିଜରେ ବୁଥ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ ।
…
23.
ଏ ବର୍ଷ ରାଜ୍ୟରେ ଆରମ୍ଭ ହେଉଛି ଆପ୍ରେଣ୍ଟିସସିପ୍ ଡିଗ୍ରୀ ପାଠ୍ୟକ୍ରମ
ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଆରମ୍ଭ ହେଉଛି ଆପ୍ରେଣ୍ଟିସସିପ୍ ଏମଡେଡ ଡିଗ୍ରୀ ପ୍ରୋଗ୍ରାମ ପାଠ୍ୟକ୍ରମ । ଏହା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୩୦ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଚୟନ କରିଛି । ପ୍ରାରମ୍ଭିକ ଭାବେ ବାଣିଜ୍ୟ ଓ ହୋମ ସାଇନ୍ସ ବିଭାଗରେ ଏହା ଆରମ୍ଭ ହେବ । ପାଠ୍ୟକ୍ରମ ଆରମ୍ଭ କରିବାକୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ ସହ ଉଚ୍ଚଶିକ୍ଷା ବିଭାଗ ସହଭାଗିତା କରିଛି । ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ଏଥିରେ ସହଯୋଗ କରିବେ । ଯଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଜରିଆରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ।
…
24.
ପୂର୍ବତନ ବେସବଲ୍ ତାରକା ବବି ଜେଙ୍କସଙ୍କ ପରଲୋକ
ଆମେରିକାର ପ୍ରସିଦ୍ଧ ବେସବଲ୍ ଖେଳାଳି ତଥା ଚିକାଗୋ ହ୍ଵାଇଟ୍ ସକ୍ସ ଦଳର ପୂର୍ବତନ ଷ୍ଟାର୍ ପିଚର୍ ବବି ଜେଙ୍କସଙ୍କର ୪୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ପେଟ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ପର୍ତ୍ତୁଗାଲର ସିଣ୍ଟ୍ରାଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜେଙ୍କସ୍ ୨୦୦୫ ମସିହାରେ ହ୍ଵାଇଟ୍ ସକ୍ସ ଦଳକୁ ବିଶ୍ୱ ସିରିଜ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯାହା ଦଳ ପାଇଁ ୮୮ ବର୍ଷର ଅପେକ୍ଷାର ଅନ୍ତ ଥିଲା। ଦୁଇ ଥର ଅଲ-ଷ୍ଟାର ଖେଳାଳି ଭାବେ ମନୋନୀତ ହୋଇଥିବା ଜେଙ୍କସ୍ ୨୦୦୫ରୁ ୨୦୧୦ ପର୍ଯ୍ୟନ୍ତ ହ୍ଵାଇଟ୍ ସକ୍ସ ପାଇଁ ଖେଳିଥିଲେ। ତାଙ୍କ ମୃତ୍ୟୁରେ ହ୍ଵାଇଟ୍ ସକ୍ସ ଦଳ ଏବଂ ପୂର୍ବତନ ସାଥୀ ଖେଳାଳିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜେଙ୍କସଙ୍କର ପତ୍ନୀ ଏବଂ ଛଅ ପିଲା ଅଛନ୍ତି।
…….
25.
ଆଜି ବିଜେପି ରାଜ୍ୟ ସଭାପତି ନାମାଙ୍କନ, ମତଦାତା ସଂଖ୍ୟା ୨୭୩
ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ଗୋଟିଏ ତାଲିକା ରହିଛି । ଆଜି ପୂର୍ବାହ୍ନ ୧୧ଟାରୁ ଦିନ ୨ଟା ମଧ୍ୟରେ ସଭାପତି ପଦ ପାଇଁ ନାମାଙ୍କନ ହେବ । ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ । ଅପରାହ୍ଣ ୪ଟା ସୁଦ୍ଧା ଅନ୍ତିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଯଦି କୌଣସି ପଦ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନ ହୋଇଥିବ, ତେବେ ଆସନ୍ତାକାଲି ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ । ଦିନ ସାଢ଼େ ୧୧ଟା ସୁଦ୍ଧା ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ।
…
26.
ହୀରାକୁଦ ଡ୍ୟାମ ଛାଡ଼ିଲା ପ୍ରଥମ ବନ୍ୟା ଜଳ, ଖୋଲିଲା ୨୦ ଗେଟ୍
ହୀରାକୁଦ ଡ୍ୟାମରୁ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ୨୦ଟି ଗେଟ ଖୋଲାଯାଇଛି । ରବିବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୫୦ ହଜାର ୧୦୨ କୁ୍ୟସେକ ଜଳ ପ୍ରବେଶ କରୁଛି । ୨୦ଟି ଗେଟ୍ ଓ ବିଭିନ୍ନ ପାୱାର ଚ୍ୟାନେଲ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୩୬ ହଜାର ୫୦୮ କୁ୍ୟସେକ ଜଳ । ହୀରାକୁଦ ଡ୍ୟାମରେ ରବିବାର ସନ୍ଧ୍ୟାରେ ଜଳସ୍ତର ଥିଲା ୬୧୦.୦୪ ଫୁଟ । ଉପରମୁଣ୍ଡରେ ବର୍ଷା ହେଉଥିଲେ ମଧ୍ୟ ଏବେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
…
27.
ବିଶ୍ୱ ସଂସ୍ଥାରେ ସଂସ୍କାର ପାଇଁ ମୋଦୀଙ୍କ ଆହ୍ୱାନ: ‘ଗ୍ଲୋବାଲ ସାଉଥ୍’କୁ ଅଧିକ ପ୍ରତିନିଧିତ୍ୱ ଦିଆଯାଉ
ବ୍ରାଜିଲରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍ଥାଗୁଡ଼ିକରେ ସଂସ୍କାର ପାଇଁ ଜୋରଦାର ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ‘ଗ୍ଲୋବାଲ ସାଉଥ୍’ (ବିକାଶଶୀଳ ଦେଶ)ର ସ୍ୱର ଏବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶଗୁଡ଼ିକ ଅନେକ ସମୟରେ ଦୋମୁହାଁ ନୀତିର ଶିକାର ହୋଇଛନ୍ତି ଏବଂ ଜଳବାୟୁ ପାଣ୍ଠି ଓ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି। ବିଶ୍ୱ ସଂସ୍ଥାଗୁଡ଼ିକ ନିଜର ବିଶ୍ୱସନୀୟତା ବଜାୟ ରଖିବାକୁ ହେଲେ ‘ଗ୍ଲୋବାଲ ସାଉଥ୍’କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ଜରୁରୀ। ବ୍ରିକ୍ସର ସମ୍ପ୍ରସାରଣ ଏକ ସକାରାତ୍ମକ ପରିବର୍ତ୍ତନର ସଙ୍କେତ। ଏବେ ଜାତିସଂଘ ସୁରକ୍ଷା ପରିଷଦ (UNSC), ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଭଳି ସଂସ୍ଥାରେ ମଧ୍ୟ ସମାନ ସଂସ୍କାରର ଆବଶ୍ୟକତା ରହିଛି ବୋଲି ମୋଦୀ ମତ ଦେଇଛନ୍ତି।
……
28.
ବିଶ୍ୱ ବକ୍ସିଂ କପରେ ସାକ୍ଷୀ ଜିତିଲେ ସ୍ୱର୍ଣ୍ଣ, ମିନାକ୍ଷୀ, ପୂଜାଙ୍କୁ ରୌପ୍ୟ
କାଜାଖସ୍ତାନର ଅସ୍ତାନାରେ ଚାଲିଥିବା ବିଶ୍ୱ ବକ୍ସିଂ କପର ଦ୍ୱିତୀୟ ଲେଗରେ ରବିବାର ଭାରତ ୪ଟି ପଦକ ହାସଲ କରିଛି । ମହିଳା ୫୪କିଲୋ ବର୍ଗରେ ସାକ୍ଷୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଆମେରିକାର ୟୋଶଲିନା ପେରେଜାଙ୍କୁ ହରାଇଥିଲେ । ୪୮ କିଲୋ ବର୍ଗରେ ମିନାକ୍ଷୀ ଏବଂ ୮୦ କିଲୋ ବର୍ଗରେ ରାଣୀ ରୌପ୍ୟ ପଦକ ହାସଲ କରିଛନ୍ତି । ପୁରୁଷ ୮୫ କିଲୋ ବର୍ଗରେ ଜୁଗନୁ ମଧ୍ୟ ରୌପ୍ୟ ପଦକ ପାଇଛନ୍ତି ।
…
29.
ଏଏଫସି ଏସିଆ କପ୍ ଖେଳିବାକୁ ଭାରତୀୟ ମହିଳା ଫୁଟବଲ ଟିମର ଯୋଗ୍ୟତା ଅର୍ଜନ
ଭାରତୀୟ ମହିଳା ଫୁଟବଲ ଦଳ ପ୍ରଥମ ଥର ଏଏଫସି ଏସିଆ କପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଥାଇଲାଣ୍ଡରେ ଆୟୋଜିତ ୨୦୨୬ ସଂସ୍କରଣରେ ଦଳ ଟେବୁଲ ଟପ୍ପର ହୋଇଛି । ସମସ୍ତ ୪ଟି ଯାକ ମ୍ୟାଚ ଜିତି ଗ୍ରୁପ୍ ବିରେ ସର୍ବାଧିକ ୧୨ ପଏଣ୍ଟ ପାଇଛି । ୪ଟି ମ୍ୟାଚରେ ଦଳ ୨୩ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା । ମଙ୍ଗୋଲିଆକୁ ୧୩-୦, ଇରାକକୁ ୫-୦, ତିମୋର ଲେ୍େଟକୁ ୪-୦ ଏବଂ ଥାଇଲାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଥିଲା ।
…..
ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ ୪ଟି ଜିଲ୍ଲା—ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ୩୦-୪୦ କିମି ବେଗରେ ପବନ ବହିପାରେ। ଏହାଛଡ଼ା, ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।