
୧.
ଅଚାନକ ଭୁଶୁଡ଼ିଲା ପୋଲ, ନଦୀରେ ପଡ଼ିଲା ଟ୍ରକ, କାର, ଭ୍ୟାନ; ୯ ମୃତ
ଗୁଜରାଟର ଭଦୋଦରାରେ ଅଚାନକ ଭୁଶୁଡ଼ିଲା ପୋଲ । ପୋଲରେ ଯାଉଥିବା ଏକ ଟ୍ରକ, କାର, ଭ୍ୟାନ ସମେତ ପ୍ରାୟ ୬ଟି ଗାଡ଼ି ନଦୀକୁ ଗଳିପଡ଼ିଲା । ମହୀସାଗର ନଦୀରେ ଥିବା ଗମ୍ଭୀରା ପୋଲରେ ଏହି ଅଘଟଣ ହୋଇଛି । ପୋଲଟି ଭଦୋଦରା ସହରଠାରୁ ୨୫ କିଲୋମିଟର ଦୂରରେ ଅଛି । ବୁଧବାର ସକାଳେ ପୋଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ୧୦ ଜଣ ଲୋକଙ୍କୁ ନଦୀ ଜଳରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ୯ ଜଣଙ୍କ ମୃତୁ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ୧୯୮୫ ମସିହାରେ ପୋଲଟି ନିର୍ମାଣ କରାଯାଇଥିଲା ।
…
୨.
ଇଣ୍ଡିଗୋ ବିମାନରେ ହେଲା ପକ୍ଷୀ ମାଡ଼, ମଝି ଆକାଶରୁ ଫେରି ଜରୁରୀ ଅବତରଣ କଲା
ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବୁଧବାର ସକାଳେ ବିମାନଟି ପାଟନାରୁ ୧୭୫ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିଲା । ପ୍ରାୟ ୪ ହଜାର ଫୁଟ ଉଚ୍ଚତାରେ ବିମାନ ସହ ପକ୍ଷୀ ମାଡ଼ ହୋଇଥିଲା । ଫଳରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ପାଇଲଟ ତୁରନ୍ତ ପାଟନାର ଜୟପ୍ରକାଶ ନାରାୟଣ ବିମାନବନ୍ଦର ଏଟିସିଙ୍କ ସହ ଯୋଗାଯୋଗ କରିଥିଲେ । ଅନୁମତି ମିଳିବା ପରେ ବିମାନଟିର ଜରୁରୀକାଳୀନ ଅବତରଣ ହୋଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଥିଲା ।
…
୩.
‘ଉଦୟପୁର ଫାଇଲ୍ସ’ ଚଳଚ୍ଚିତ୍ରର ରିଲିଜ ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ରିଲିଜ ହେବ ଚଳଚ୍ଚିତ୍ର ‘ଉଦୟପୁର ଫାଇଲ୍ସ’ । ଏଥିପାଇଁ ସୁପି୍ରମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । କହ୍ନେୟାଲାଲ ନାମକ ଟେଲରଙ୍କ ହତ୍ୟା ଘଟଣା ଉପରେ ଏହି ଚଳଚ୍ଚିତ୍ର ନିର୍ମିତ । ଆସନ୍ତାକାଲି ଚଳଚ୍ଚିତ୍ରଟି ରିଲିଜ ହେବାର ଅଛି । ୨୦୨୨ ଜୁନ ମାସରେ ରାଜସ୍ଥାନର ଉଦୟପୁରରେ ଘଟଣାଟି ହୋଇଥିଲା । ହତ୍ୟା ପରେ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା । ଚଳଚ୍ଚିତ୍ରର ରିଲିଜରେ ରୋକ ଲଗାଇବାକୁ ମାମଲାର ଜଣେ ଅଭିଯୁକ୍ତ ଆବେଦନ କରିଥିଲେ । ଜୟପୁର କୋର୍ଟରେ ଏବେ ହତ୍ୟା ମାମଲାର ଶୁଣାଣି ଚାଲିଛି । ଚଳଚ୍ଚିତ୍ର ରିଲିଜ ହେଲେ ମାମଲା ପ୍ରଭାବିତ ହେବ ବୋଲି ଅଭିଯୁକ୍ତ କୋର୍ଟଙ୍କୁ କହିଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରେ ପିଟିସନର ମାନଙ୍କୁ ପ୍ରଥମେ ଚଳଚ୍ଚିତ୍ରଟିକୁ ଦେଖାଇବାକୁ ନିର୍ଦେଶ ଦେଇଛନ୍ତି ।
…
୪.
୨୬/୧୧ ଆତଙ୍କୀ ରାଣାର ହାଜତ ମିଆଦ ବଢ଼ିଲା, ଦାଖଲ ହେଲା ଅତିରିକ୍ତ ଚାର୍ଜସିଟ୍
ଆତଙ୍କୀ ତହୱର ହୁସେନ ରାଣାର ବିଚାର ବିଭାଗୀୟ ହାଜତ ମିଆଦ ବଢ଼ିଛି । ଦିଲ୍ଲୀର ଏକ କୋର୍ଟ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅବଧି ବଢ଼ାଇଛନ୍ତି । ପାକ୍-କାନାଡ଼ା ନାଗରିକ ହୁସେନ ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ । ତାକୁ ଗତ ଏପ୍ରିଲରେ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି । ରାଣା ପରିବାର ସହ ଫୋନରେ କଥା ହେବାକୁ କୋର୍ଟଙ୍କୁ ନିବେଦନ କରିଛି । କୋର୍ଟ ଏହି ମାମଲାର ଶୁଣାଣି ଜୁଲାଇ ୧୫ରେ କରିବେ । ଇତି ମଧ୍ୟରେ ଏନଆଇଏ ରାଣା ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି । ଅଗଷ୍ଟ ୧୩ରେ କୋର୍ଟ ଏହାକୁ ଅନୁଧ୍ୟାନ କରିବେ । ୨୬/୧୧ ଆକ୍ରମଣ ୨୦୦୮ ନଭେମ୍ବର ୨୬ ତାରିଖରେ ହୋଇଥିଲା ।
….
୫.
ରାଜ୍ୟରେ ବଢ଼ୁଛି ସାପ କାମୁଡ଼ା ମୃତୁ୍ୟ, ଦୁଇ ବର୍ଷରେ ମଲେଣି ୧୮୫୯
ରାଜ୍ୟରେ ପ୍ରତିବର୍ଷ ସର୍ପ ଦଂଶନରେ ଲୋକଙ୍କ ମୃତୁ୍ୟ ବଢ଼ିବାରେ ଲାଗିଛି । ୨୦୨୩-୨୪ରେ ୧୧୫୦ ଜଣ ପ୍ରାଣ ହରାଇଛନ୍ତି । ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି । ଦୁଇ ବର୍ଷରେ ସାପ କାମୁଡ଼ାରେ ମୃତୁ୍ୟ ସଂଖ୍ୟା ୧୮୫୯କୁ ଛୁଇଁଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ବର୍ଷା ଦିନେ ଏହା ନିତିଦିନିଆ ଘଟଣା ହୋଇଛି । କିନ୍ତୁ ଉପକୂଳ ଜିଲ୍ଲାରେ ମଧ୍ୟ ସଂଖ୍ୟା ବଢ଼ି ଚାଲିଛି । ଦୁଇ ବର୍ଷରେ କଟକ ଜିଲ୍ଲାରେ ୧୬୨, ଗଞ୍ଜାମ ଜିଲ୍ଲାରେ ୧୫୫ ଏବଂ ବାଲେଶ୍ୱର ଜିଲ୍ଲାରେ ୧୩୯ ଜଣଙ୍କ ମୃତୁ୍ୟ ହୋଇଛି । ସାପ କାମୁଡ଼ା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଉ ନଥିବାରୁ ମୃତୁ୍ୟ ବଢ଼ୁଥିବା ବିଶେଷଜ୍ଞ କହିଛନ୍ତି । ଏ କ୍ଷେତ୍ରରେ ଲୋକଙ୍କୁ ସଚେତନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୨୦୩୦ ମସିହା ସୁଦ୍ଧା ମୃତୁ୍ୟ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ।
….
୬.
ବିଏମସି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଛି ଜାମିନ । ଖୋର୍ଦ୍ଧା ଜିଲ୍ଲା କୋର୍ଟରୁ ତାଙ୍କୁ ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବେଲ୍ ବଣ୍ଡ୍ ରେ ଜାମିନ ମିଳିଛି । ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ଅତିରିକ୍ତ କମିଶନରଙ୍କୁ କାର୍ଯ୍ୟାଳୟରେ ଆକ୍ରମଣ ମାମଲାରେ ସେ ଅଭିଯୁକ୍ତ । ଗତ ୩ ତାରିଖରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଗିରଫ କରାଯାଇଥିଲା । ଏସଡିଜେଏମ କୋଟଜାମିନ ଆବେଦନକୁ ନାମଞ୍ଜର କରିଥିଲେ । ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଗିରଫ ୬ ଦିନ ପରେ ତାଙ୍କୁ ଜିଲ୍ଲା କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ଏବେ ବି ଅନ୍ୟ ୫ ଜଣ ଜେଲରେ ଅଛନ୍ତି ।
…..
୭.
ବଢ଼ୁଛି ଛୋଟ ଛୋଟ ପିଲାଙ୍କ ସ୍କ୍ରିନ୍ ଟାଇମ୍, ସତର୍କ କରାଇଲେ ବିଶେଷଜ୍ଞ
ଛୋଟ ଛୋଟ ପିଲାଙ୍କ ସ୍କି୍ରନ୍ ଟାଇମ ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଏମ୍ସ ରାୟପୁର ଏ ସମ୍ପର୍କରେ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ୫ ବର୍ଷରୁ କମ୍ ବୟସର ପିଲାଙ୍କ ଦୈନିକ ସ୍କ୍ରିନ ଟାଇମ୍ ଏବେ ୨ ଘଣ୍ଟା ୨୦ ମିନିଟ ହେଲାଣି । ୭୦ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଏହା ଅତି ବେଶୀରେ ଏକ ଘଣ୍ଟା ୨୦ ମିନିଟ ରହିବା ଉଚିତ । ଅବଶ୍ୟ ଅନେକ ବିଶେଷଜ୍ଞଙ୍କ ମତରେ ସ୍କ୍ରିନ୍ ଟାଇମ୍ ଜିରୋ ରହିବା ଉଚିତ । ଅର୍ଥାତ, ସେମାନଙ୍କୁ ମୋବାଇଲ ଫୋନ୍, ଲାପଟପ ଏବଂ ଟିଭିରୁ ଦୂରରେ ରଖିବା ଉଚିତ । ଏହା ପିଲାମାନଙ୍କ ଶାରୀରିକ ଦକ୍ଷତା ଓ ଭାବ ବିନିମୟର ପରିପକ୍ୱତାକୁ ହ୍ରାସ କରୁଛି । ସେମାନଙ୍କ ବ୍ୟବହାର ଓ ଆଚରଣରେ ମଧ୍ୟ ଅସ୍ୱାଭାବିକ ଲକ୍ଷଣ ସୃଷ୍ଟି କରୁଛି । ତେଣୁ ଅଭିଭାବକମାନେ ପ୍ରତ୍ୟେକ ଘରେ ପିଲାମାନଙ୍କ ପାଇଁ ଟେକ୍ ଫ୍ରି ଜୋନ୍ ରଖିବାକୁ ପରାମର୍ଶ ଦିଆଯାଇଛି ।
…..
8.
କଳାହାଣ୍ଡି ଜିଲ୍ଲା କୋର୍ଟରେ ନିଯୁକ୍ତି ସୁଯୋଗ: ୧୪ଟି ପଦବୀ ପାଇଁ ଆବେଦନ ଆହ୍ୱାନ
କଳାହାଣ୍ଡି ଜିଲ୍ଲା କୋର୍ଟ ପକ୍ଷରୁ କନିଷ୍ଠ କିରାଣୀ, ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ନକଲନବିସ ଏବଂ ଦରମାପ୍ରାପ୍ତ ଅମିନ ଭଳି ମୋଟ ୧୪ଟି ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଏବଂ ଡିପ୍ଲୋମା ରଖାଯାଇଛି। ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇଯାଇଛି| ଏହା ଅଗଷ୍ଟ ୮ ତାରିଖରେ ଶେଷ ହେବ। ଅଧିକ ବିବରଣୀ ଏବଂ ଆବେଦନ ଫର୍ମ ପାଇଁ ପ୍ରାର୍ଥୀମାନେ କଳାହାଣ୍ଡି ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ kalahandi.odisha.gov.in ଦେଖିପାରିବେ।
…..
9.
ଭାରତ ହେଭୀ ଇଲେକ୍ଟ୍ରିକାଲ୍ସରେ ବଡ଼ ନିଯୁକ୍ତି: ୫୧୫ ଆର୍ଟିଜାନ୍ ପଦବୀ ପାଇଁ ଆବେଦନ ଆହ୍ୱାନ
ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ପକ୍ଷରୁ ୫୧୫ଟି ଆର୍ଟିଜାନ୍ ପଦବୀ ପାଇଁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ଆଇଟିଆଇ (ITI) ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏଥିରେ ଫିଟର୍, ୱେଲ୍ଡର୍, ଇଲେକ୍ଟ୍ରିସିଆନ୍, ମେସିନିଷ୍ଟ୍ ଏବଂ ଟର୍ଣ୍ଣର୍ ଭଳି ବିଭିନ୍ନ ଟ୍ରେଡ୍ ସାମିଲ ରହିଛି। ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁଲାଇ ୧୬ ତାରିଖରୁ ଆରମ୍ଭ ହେବ, କିନ୍ତୁ ଶେଷ ତାରିଖ ପରେ ଘୋଷଣା କରାଯିବ। ଆବେଦନକାରୀଙ୍କ ବୟସ ସାଧାରଣ ବର୍ଗ ପାଇଁ ୨୭ ବର୍ଷ, ଓବିସି ପାଇଁ ୩୦ ବର୍ଷ ଏବଂ ଏସସି/ଏସଟିଙ୍କ ପାଇଁ ୩୨ ବର୍ଷ ରଖାଯାଇଛି। ନିୟମ ଅନୁସାରେ ବୟସ କୋହଳର ସୁବିଧା ମଧ୍ୟ ରହିଛି। ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୨୯,୫୦୦ ରୁ ଟ. ୬୫,୦୦୦ ପର୍ଯ୍ୟନ୍ତ ଦରମା ମିଳିବ। ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ବିବରଣୀ ଏବଂ ଆବେଦନ ପାଇଁ BHELର ଅଫିସିଆଲ୍ ୱେବସାଇଟ୍ bhel.com ଦେଖିପାରିବେ।
…..
10.
ଆପଲର ନୂଆ COO ହେଲେ ଭାରତୀୟ-ଆମେରିକୀୟ ସାବିହ ଖାନ୍
ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ର ନୂତନ ମୁଖ୍ୟ ପରିଚାଳନା ଅଧିକାରୀ (COO) ଭାବେ ଭାରତୀୟ-ଆମେରିକୀୟ ସାବିହ ଖାନ୍ଙ୍କୁ ନିଯୁକ୍ତ କରାଯାଇଛି। ସେ ଜେଫ୍ ୱିଲିୟମ୍ସଙ୍କ ସ୍ଥାନ ନେବେ। ଗତ ୩୦ ବର୍ଷ ଧରି ଆପଲ୍ ସହ ଜଡ଼ିତ ଥିବା ସାବିହ ବର୍ତ୍ତମାନ କମ୍ପାନୀର ଉପାଧ୍ୟକ୍ଷ ଅଛନ୍ତି। ଉତ୍ତରପ୍ରଦେଶର ମୋରାଦାବାଦରେ ଜନ୍ମିତ ସାବିହ ଖାନ୍ ଆପଲର ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୨୦୧୯ରେ ତାଙ୍କୁ ଅପରେସନ୍ସର ବରିଷ୍ଠ ଉପାଧ୍ୟକ୍ଷ ପଦ ମିଳିଥିଲା। ଆପଲ୍ ସିଇଓ ଟିମ୍ କୁକ୍ ତାଙ୍କୁ ଜଣେ “ଉତ୍କୃଷ୍ଟ ରଣନୀତିଜ୍ଞ” ବୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସାବିହଙ୍କ ନେତୃତ୍ୱରେ ଆପଲ୍ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସଫଳ ମୁକାବିଲା କରିପାରିଛି। ପରିବେଶ ସୁରକ୍ଷା ଏବଂ କମ୍ପାନୀର କାର୍ବନ ଫୁଟପ୍ରିଣ୍ଟ କମ୍ କରିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
…..
11.
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
ରାଜସ୍ଥାନର ଚୁରୁ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ ଓ ସହ-ପାଇଲଟଙ୍କ ମୃତ୍ୟୁ ହୋଇଛି । ଦୁଇ ଆସନ ବିଶିଷ୍ଟ ଜାଗୁଆର ବିମାନଟି ରୁଟିନ ପ୍ରଶିକ୍ଷଣ କାର୍ଯ୍ୟରେ ଥିଲା । ଏହା ଶ୍ରୀଗଙ୍ଗାନଗର ନିକଟ ସୁରତଗଢ଼ ଘାଟିରୁ ଉଡ଼ାଣ ଭରିଥିଲା । ପରେ ଗାଁ ପାଖ ଜମିରେ ବିମାନଟି ପ୍ରବଳ ଶବ୍ଦ କରି ଖସି ପଡ଼ିଥିଲା । ସେଥିରେ ନିଆଁ ଲାଗି ଯାଇଥିଲା । ଦୁଇ ପାଇଲଟଙ୍କ ମୃତଦେହ ଖଣ୍ଡବିଖଣ୍ଠ ହୋଇ ପଡ଼ିଥିଲା । ଦୁର୍ଘଟଣାର କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି । ବିଗତ ୫ ମାସ ମଧ୍ୟରେ ଦେଶରେ ୩ଟି ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି ।
…
12.
ପାକିସ୍ତାନରେ ଚର୍ଚ୍ଚା, ବଦଳିବେ ସରକାର, ମୁନିର ହେବେ ରାଷ୍ଟ୍ରପତି
ପାକିସ୍ତାନ ରାଜନୀତିରେ ପୁଣି ହଲଚଲ୍ । ସରକାର ବଦଳିବା ନେଇ ଆରମ୍ଭ ହୋଇଛି ପ୍ରଚାର । ଦେଶର ସେନା ସରକାର ବଦଳାଇବାକୁ କରୁଛି ଯୋଜନା । କୁହାଯାଉଛି ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଶୀଘ୍ର ଇସ୍ତଫା ଦେବେ । ତାଙ୍କ ସ୍ଥାନ ନେବେ ସେନା ମୁଖ୍ୟ ଅସିମ ମୁନିର । ପ୍ରଧାନମନ୍ତ୍ରୀ ହେବେ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ । ମୁନିର ବର୍ତ୍ତମାନ ଦେଶରେ ସବୁଠାରୁ ଶକ୍ତିଶାଳୀ ପଦରେ ଅଛନ୍ତି । ତେଣୁ ସେ ସରକାରରେନିଜ ଭାଗିଦାରୀ ବଢ଼ାଇବା ଯୋଜନାରେ ଅଛନ୍ତି । ଜର୍ଦ୍ଦାରୀ ଅସୁସ୍ଥ ଥିବାରୁ ସେ ଇସ୍ତଫା ଦେବାକୁ ମନ ବଳାଇଚନ୍ତି । କିନ୍ତୁ ତା’ ପୂର୍ବରୁ ବିଲାୱଲଙ୍କୁ ପାକ୍ ରାଜନୀତିର ବଡ଼ ପଦରେ ଅଧିଷ୍ଠିତ କରାଇବାକୁ ଚିନ୍ତା କରିଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ତାଙ୍କ ପଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
…
13.
ପଞ୍ଚମ, ଅଷ୍ଟମରେ ଏବେ ବାର୍ଷିକ ପରୀକ୍ଷା, ଫେଲ୍ ହେଲେ ରହିଯିବେ
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି । ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷାକୁ ସୁଦୃଢ଼ କରିବାକୁ ଉଦ୍ୟମ କରାଯାଇଛି । ନୂତନ ନିୟମ ଅନୁସାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ । ଅର୍ଥାତ୍ ଫେଲ୍ ହେଲେ ସେହି ଶ୍ରେଣୀରେ ରହିଯିବେ । ଥରେ ଫେଲ୍ ହେଲେ ଦୁଇ ମାସ ମଧ୍ୟରେ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ପୁଣି ଫେଲ୍ ହେଲେ ସେହି ଶ୍ରେଣୀରେ ଛାତ୍ରଛାତ୍ରୀ ରହିଯିବେ । ତେବେ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପୂର୍ବରୁ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇ ପାରିବ ନାହିଁ । କିନ୍ତୁ ପିଲାମାନଙ୍କୁ ଆବଶ୍ୟକ ପଦୋନ୍ନତି ମାନଦଣ୍ଡ ପୂରଣ କରିବାକୁ ପଡ଼ିବ ।
….
14.
ସାଂସଦ ମହୁଆ ମୈତ୍ରଙ୍କ ଧମକ, ବଙ୍ଗୀୟ ଶ୍ରମିକଙ୍କୁ ଅଟକ ରଖିଲେ ପର୍ଯ୍ୟଟକ ଆସିବେନି
ପଶ୍ଚିମବଙ୍ଗର ତୃଣମୂଳ ସାଂସଦ ମହୁଆ ମୈତ୍ର ଓଡ଼ିଶା ସରକାରଙ୍କୁ ଚେତାବନି ଦେଇଛନ୍ତି । ରାଜ୍ୟରେ ଅଟକ ଥିବା ବଙ୍ଗୀୟ ଶ୍ରମିକମାନଙ୍କୁ ତୁରନ୍ତ ଛାଡ଼ିବାକୁ ସେ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ନିବେଦନ କରିଛନ୍ତି । ଓଡ଼ିଶାରେ ଅଟକ ଥିବା ବଙ୍ଗୀୟ ଶ୍ରମିକ ମାନଙ୍କର ସମସ୍ତ ପ୍ରକାର ନାଗରିକ ଦସ୍ତାବିଜ ଅଛି । ସେମାନଙ୍କ ମଧ୍ୟରୁ ଅନେକ ତାଙ୍କ ନିର୍ବାଚନମଣ୍ଡଳୀର ବାସିନ୍ଦା ବୋଲି ମହୁଆ କହିଛନ୍ତି । ବିନା କାରଣରେ ସେମାନଙ୍କୁ ଓଡ଼ିଶାର ପୁଲିସ ଅଟକ ରଖିଛି । ଯଦି ତୁରନ୍ତ ସେମାନଙ୍କୁ ମୁକ୍ତ କରାନଯାଏ ତେବେ ବଙ୍ଗୀୟ ପର୍ଯ୍ୟଟକ ଓଡ଼ିଶା ଆସିବେ ନାହିଁ । ଓଡ଼ିଶାର ପର୍ଯ୍ୟଟନ ରାଜସ୍ୱରୁ ୫୦% ବଙ୍ଗୀୟ ପର୍ଯ୍ୟଟକଙ୍କ ଠାରୁ ମିଳେ । ଓଡ଼ିଶାରେ କିଛି ଦିନ ମଧ୍ୟରେ ୧ ହଜାରରୁ ଅଧିକ ବଙ୍ଗୀୟ ଶ୍ରମିକ ଓ ରୋହିଙ୍ଗ୍ୟା ଅଟକ ଅଛନ୍ତି । କେବଳ ଝାରସଗୁଡ଼ାରେ ୪୪୦ ଜଣ ଅଟକ ଅଛନ୍ତି । ଏହି ପ୍ରସଙ୍ଗ ଉଠାଇଛନ୍ତି ମହୁଆ ।
…
15.
ଏସିଏଫ୍ ସୌମ୍ୟରଞ୍ଜନ ମୃତୁ୍ୟ ମାମଲାରେ ଅଡ଼ୁଆରେ ଡିଏଫଓ, ଚାଲିବ ହତ୍ୟା ମାମଲା
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ମାମଲାରେ ଦୁଇ ଅଭିଯୁକ୍ତଙ୍କ ପିଟିସନ ଖାରଜ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତଳକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଦୁଇ ଅଭିଯୁକ୍ତ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ତକ୍ରାଳୀନ ଡିଏଫଓ ସଂଗ୍ରାମ ବେହେରା । ତାଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ ପାଇଁ ସେମାନେ ଆବେଦନ କରିଥିଲେ । ତଳ କୋର୍ଟର ରାୟରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ତେବେ ଅଭିଯୁକ୍ତ ଚାହିଁଲେ ପୁଣି ଆବେଦନ କରିପାରିବେ ବୋଲି କହିଛନ୍ତି ହାଇକୋର୍ଟ । ଘଟଣା ଘଟିଥିଲା୨୦୨୧ ମସିହା ଜୁଲାଇ ୧୧ ରାତିରେ । ପାରଳାଖେମୁଣ୍ଡି ସ୍ଥିତ ବାସଭବନରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କର ସନେ୍ଦହଜନକ ମୃତୁ୍ୟ ହୋଇଥିଲା ।
..
16.
ନିର୍ବାଚନ କମିଶନଙ୍କ ଯୋଜନା, ଭୋଟର ତାଲିକାରୁ ବାଦ ପଡ଼ିବେ ଅଣ-ଭାରତୀୟ
ଭୋଟର ତାଲିକାରେ ରହିବେନି ଅଣ-ଭାରତୀୟ । ଘରକୁ ଘର ବୁଲିସ ଏହା ସୁନିଶ୍ଚିତ କରାଯିବ । ଏପରି ଯୋଜନା କରିଛନ୍ତି ନିର୍ବାଚନ କମିଶନ । ବିହାର ବିଧାନସଭା ପାଇଁ ଭୋଟର ତାଲିକା ପ୍ରସ୍ତୁତିରେ ଏଭଳି ସ୍କ୍ରିନିଙ୍ଗ ମଡେଲ ଆପଣାଯାଇଛି । ପରେ ଏହି ମଡେଲ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଏବଂ ପୁଡୁଚେରିରେ ଲାଗୁ କରାଯିବ । ଏସବୁ ରାଜ୍ୟରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାର ଅଛି । ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ହିମାଚଳ ପ୍ରଦେଶ, ଗୋଆ, ମଣିପୁରରେ ଏହା ଲାଗୁ କରାଯିବ । ୨୦୨୭ରେ ଏସବୁ ରାଜ୍ୟରେ ନିର୍ବାଚନ ହେବ । ୨୦୨୯ ଲୋକସଭା ଭୋଟ ପୂର୍ବରୁ ସମସ୍ତ ରାଜ୍ୟରେ ଏଭଳି ସ୍କ୍ରିନିଂ କରାଯିବ । ଅବଶ୍ୟ ଆସାମ ଓ ପଶ୍ଚିମବଙ୍ଗରେ ବାଂଲା ଅନୁପ୍ରବେଶକାରୀଙ୍କ ପାଇଁ ଏଭଳି ସ୍କି୍ରନିଂ ଅଡ଼ୁଆ ହେବ ।
…
17.
ଭୋଟର ତାଇିକା ସଂଶୋଧନ ବିରୋଧରେ ବିହାରରେ ବନ୍ଦ ପାଳିଲା ମହାମେଣ୍ଟ
ବିଧାନସଭା ପୂର୍ବରୁ ହେଉଛି ଭୋଟର ତାଲିକା ସଂଶୋଧନ । ବିହାରରେ ଏହି ପ୍ରକ୍ରିୟାକୁ ବିରୋଧ କରିଛି ମହାମେଣ୍ଟ । ପ୍ରତିବାଦରେ ବୁଧବାର ରାଜ୍ୟରେ ମହାମେଣ୍ଟ ଦେଇଥିଲା ବନ୍ଦ ଡାକରା । ଆରଜେଡି, କଂଗ୍ରେସ,ବାମଦଳ ସମେତ ମହାମେଣ୍ଟ ସହଯୋଗୀ ବନ୍ଦରେ ସାମିଲ ହୋଇଥିଲେ । ଫଳରେ ରାଜ୍ୟରେ ରେଳ ଚଳାଚଳ ଓ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ବନ୍ଦରେ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ । ମହାରାଷ୍ଟ୍ର ଭଳି ବିହାରରେ ନିର୍ବାଚନ ଚୋରି ଉଦ୍ୟମ ହେଉଥିବା ରାହୁଲ କହିଥିଲେ । ସମ୍ବିଧାନକୁ ରକ୍ଷା ନ କରି ନିର୍ବାଚନ କମିଶନ ବିଜେପିର ହାତବାରିସୀ ହେଉଥିବା ସେ ଅଭିଯୋଗ କରିଛନ୍ତି ।
..
18
ପ୍ରଧାନମନ୍ତ୍ରୀଙ୍କୁ ନାମିବ୍ୟାରେ ୨୧ ତୋପ ସଲାମୀ, ମିଳିଲା ସର୍ବୋଚ୍ଚ ସମ୍ମାନ
ଆଫ୍ରିକୀୟ ଦେଶ ନାମିବ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା । ବିମାନବନ୍ଦରରେ ତାଙ୍କୁ ରାଷ୍ଟ୍ରପତି କରିଥିଲେ ସ୍ୱାଗତ । ପାରମ୍ପରିକ କଳା ପ୍ରଦର୍ଶନ କରୁଥିବା କଳାକାରଙ୍କ ସହ ମୋଦି ଢୋଲ ବଜାଇଥିଲେ । ତାଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା ନାମିବ୍ୟାର ସର୍ବୋଚ୍ଚ ସମ୍ମାନ । ରାଷ୍ଟ୍ରପତି ନେଟୁମ୍ବୋଙ୍କ ହାତରୁ ସେ ଏହା ସ୍ୱୀକାର କରିଥିଲେ । ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ମୋଦି ତାଙ୍କ ମିଳିଥିବା ସମ୍ମାନ ୧୪୦ କୋଟି ଭାରତୀୟଙ୍କର ବୋଲି କହିଥିଲେ ।
…
19.
ଆଇସିସି ଟେଷ୍ଟ ମାନ୍ୟତା, ବ୍ୟାଟିଂରେ ବ୍ରୁକ୍ ୧ ନମ୍ବରରେ, ଷଷ୍ଠରେ ଗିଲ୍
ଚଳିତ ସପ୍ତାହର ଟେଷ୍ଟ ମାନ୍ୟତା ପ୍ରକାଶ କରିଛି ଆଇସିସି । ନୂଆ ତାଲିକାରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ୍ ଶୀର୍ଷ ସ୍ଥାନ ପାଇଛନ୍ତି । ତାଙ୍କ ସାଥୀ ଖେଳାଳି ଜୋ ରୁଟ୍ ଦ୍ୱିତୀୟକୁ ଖସିଛନ୍ତି । ଗତ ସପ୍ତାହରେ ୨୧ ତମ ସ୍ଥାନରେ ଥିଲେ ଭାରତର ଅଧିନାୟକ ଶୁଭମନ ଗିଲ୍ । ଏଜବାଷ୍ଟନ ଟେଷ୍ଟରେ ଦୁଇଟି ଯାକ ଇନିଂସରେ ଦମଦାର ପ୍ରଦର୍ଶନ କରିଥିଲେ ଗିଲ୍ । ତେଣୁ ୧୫ ଟି ସ୍ଥାନ ଉନ୍ନତି କରି ସେ ଷଷ୍ଠ ସ୍ଥାନରେ ଅଛନ୍ତି । ଏହା ତାଙ୍କର କ୍ୟାରିଅର ବେଷ୍ଟ । ଯଶସ୍ୱୀ ଜୟସ୍ୱାଲ ଚତୁର୍ଥ ସ୍ଥାନରେ ଅଛନ୍ତି । ରିଷଭ ପନ୍ତ ଅଛନ୍ତି ଅଷ୍ଟମ ସ୍ଥାନରେ । ଦଶମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଜାମି ସ୍ମିଥ୍ । ଅଲ ରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ରବୀନ୍ଦ୍ର ଜାଡେଜା । ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମରା ପ୍ରଥମ ସ୍ଥାନରେ ଅଛନ୍ତି । ମହମ୍ମଦ ସିରାଜ ୬ଟି ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନରେ ଅଛନ୍ତି । ଟେଷ୍ଟ ଟିମ୍ ତାଲିକାରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ପରେ ଚତୁର୍ଥରେ ରହିଛି ଭାରତ ।
……
20.
୨୦୨୫-୨୬, ୨୬-୨୭ରେ ରେଳବାଇ ଦେବ ଏକ ଲକ୍ଷ ନିଯୁକ୍ତି
ଭାରତୀୟ ରେଳବାଇ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୯ ହଜାର ନିଯୁକ୍ତି ଦେଇଛି । ନଭେମ୍ବର ୨୦୨୪ରୁ ୫୫ ହଜାର ୧୯୭ଟି ପଦବିରେ ନିଯୁକ୍ତି ପାଇଁ ରେଳବାଇ ପଦକ୍ଷେପ ନେଇଥିଲା । ସାତଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜରିଆରେ ୧ କୋଟି ୮୬ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ କଂପୁ୍ୟଟର ଆଧାରିତ ପରୀକ୍ଷା କରାଯାଇଥିଲା । ୨୦୨୫-୨୬ରେ ସଂସ୍ଥା ଆଉ ୫୦ ହଜାର ନିଯୁକ୍ତି ପାଇଁ ଯୋଜନା କରିଛି । ୨୦୨୬-୨୭ରେ ମଧ୍ୟ ଆଉ ୫୦ ହଜାର ନିଯୁକ୍ତି ଦେବାକୁ ଯୋଜନା ହୋଇଛି । ପରୀକ୍ଷାରେ ସ୍ୱଚ୍ଛତା ପାଇଁ ୯୫%ରୁ ଅଧିକ ନମ୍ବର ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଇ-କେୱାଇସି ଆଧାରିତ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି ।
…
21.
ପ୍ରକାଶ ପାଇଲା ଏସଡିଆଇପିଆରଓ ପରୀକ୍ଷା ଫଳ, ୮୮ ଜଣ ଉତ୍ତୀର୍ଣ୍ଣ
ରାଜ୍ୟ ଲୋକସେବା ଆୟୋଗ- ଓପିଏସସି ଦ୍ୱାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୮୮ ଜଣ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୪ ଜଣ ମହିଳା ଅଛନ୍ତି । ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ଡକୁମେଣ୍ଟ ଯାଞ୍ଚ ଓ ମୌଖିକ ପରୀକ୍ଷା । ଏସଡିଆଇପିଆରଓ ୨୦୨୪-୨୫ ବର୍ଷ ପାଇଁ ଗତ ମାର୍ଚ୍ଚ ୨୯ଓ ୩୦ ତାରିଖରେ ହୋଇଥିଲା ପରୀକ୍ଷା । ରାଜ୍ୟରେ ପ୍ରାୟ ୨ ହଜାରରୁ ଅଧିକ ପରୀକ୍ଷା ଦେଇଥିଲେ । ତେବେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ୧୦୦ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା । ତେଣୁ ସମସ୍ତଙ୍କୁ ୬ ମାର୍କ ଗ୍ରେସ୍ ମିଳିବ ବୋଲି ଓପିଏସସି ଘୋଷଣା କରିଥିଲା ।
…
22.
ଛଅ ଦେଶ ଉପରେ ଆମେରିକା ଲଗାଇଲା ୩୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ
ଆଉ ୬ଟି ଦେଶ ଉପରେ ଆମେରିକା ଲଗାଇଛି ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ । ଅଗଷ୍ଟ ୧ରୁ ଏହା ଲାଗୁ ହେବ । ସେସବୁ ଦେଶଗୁଡ଼ିକୁ ଟ୍ରମ୍ପ ପ୍ରଶାସନ ଚିଠି କରି ଏହା ଜଣାଇଛି । ଆଲଜେରିଆ, ଇରାକ ଓ ଲିବିୟା ଉପରେ ଲାଗିଛି ୩୦ ପ୍ରତିଶତ ଶୁଳ୍କ । ବ୍ରୁନେଇ, ମାଲଡୋଭା ଏବଂ ଫିଲିପାଇନ୍ସ ଉପରେ ଲାଗିଛି ୨୫ ପ୍ରତିଶତ ଶୁଳ୍କ । ଇତି ମଧ୍ୟରେ ୧୪ଟି ଦେଶକୁ ଆମେରିକା ଚିଠି ପଠାଇ ସାରିଲାଣି । ଜାପାନ, ଦକ୍ଷିଣ କୋରିଆ, ସର୍ବିଆ ଉପରେ ୨୫ରୁ ୪୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି । ମ୍ୟାନମାର ଉପରେ ୪୦ ପ୍ରତିଶତ ଏବଂ ବାଂଲାଦେଶ ଉପରେ ୩୫ ପ୍ରତିଶତ ଲାଗୁ ହୋଇଛି । ମେଡିସିନ ଉପରେ ୨୦୦ ପ୍ରତିଶତ ଏବଂ ତମ୍ବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖ ସୁଦ୍ଧା ବାଣିଜ୍ୟ ଚୁକ୍ତି ନ କଲେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ଚେତାବନି ଦେଇଛନ୍ତି ।
…
23.
ଭାରତରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ମିଳିଲା ଚୂଡ଼ାନ୍ତ ଲାଇସେନ୍ସ
ଭାରତରେ ସେବା ଆରମ୍ଭ କରିବାକୁ ଷ୍ଟାର ଲିଙ୍କ୍ ସକାଶେ ରାସ୍ତା ଖୋଲି ଯାଇଛି । ଏଲନ ମସ୍କଙ୍କ ଏହି କମ୍ପାନିକୁ ସବୁ ପ୍ରକାର ମଂଜୁରି ମିଳିଯାଇଛି । ବ୍ୟାବସାୟିକ କାର ସକାଶେ ଲାଇସେନ୍ସ ମିଳିଛି । ଏହି କମ୍ପାନି ଏବେ ୧୦୦ ରୁ ଅଧିକ ଦେଶରେ ସଟେଲାଇଟ ଜରିଆରେ ଇଣ୍ଟରନେଟ ସେବା ଦେଉଛି । ୨୦୨୨ ମସିହାରୁ ଏହା ଭାରତରେ ସେବା ପାଇଁ ଆବେଦନ କରିଥିଲା । ଭାରତରେ ମହାକାଶରେ କାର୍ଯ୍ୟ କରିବାକୁ ଅନୁମତି ପାଇବାରେ ଏହା ତୃତୀୟ କମ୍ପାନି । ପୂର୍ବରୁ ୱାନୱେବ ଓ ରିଲାଏନ୍ସ ଜିଓକୁ ଏହି ଲାଇସେନ୍ସ ମିଳିଥିଲା । ଏବେ ଭାରତ ସରକାରଙ୍କ ଠାରୁ ଷ୍ଟାର ଲିଙ୍କ୍ ସ୍ପେକ୍ଟ୍ରମ ପାଇବ । ତାହା ପରେ ବ୍ୟବସାୟ ପଥ ସୁଗମ ହୋଇଯିବ ।
……
24.
ଘରୋଇ ସେୟାର ବଜାରରେ ହ୍ରାସ, ସେନସେକ୍ସ ଓ ନିଫ୍ଟି ତଳକୁ ଖସିଲା
ଆମେରିକାର ଶୁଳ୍କ ନୀତିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କାରଣରୁ ବୁଧବାର ଘରୋଇ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ନିବେଶକମାନେ ସତର୍କତା ଅବଲମ୍ବନ କରିବାରୁ ବଜାର ତଳମୁହାଁ ହୋଇଥିଲା। କାରବାର ଶେଷରେ ବିଏସ୍ଇ ସେନସେକ୍ସ ୧୭୬ ପଏଣ୍ଟ (୦.୨୧%) ହ୍ରାସ ପାଇ ୮୩,୫୩୬ ସ୍ତରରେ ବନ୍ଦ ହୋଇଛି। ସେହିପରି ଏନ୍ଏସ୍ଇ ନିଫ୍ଟି ୪୬ ପଏଣ୍ଟ (୦.୧୮%) ତଳକୁ ଖସି ୨୫,୪୭୬ରେ ବନ୍ଦ ହୋଇଛି। ତେବେ ମୁଖ୍ୟ ସୂଚକାଙ୍କ ତୁଳନାରେ ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ସେୟାରଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ବିଏସ୍ଇ ମିଡକ୍ୟାପ୍ ସୂଚକାଙ୍କ ସ୍ଥିର ରହିଥିବା ବେଳେ, ସ୍ମଲକ୍ୟାପ୍ ସୂଚକାଙ୍କରେ ୦.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।
…..
25.
ଜିଦରେ ଅଟଳ ଡ୍ରାଇଭର ମହାସଂଘ, ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ହୋଇପାରେ
ରାଜ୍ୟରେ ଡ୍ରାଇଭର ମହାସଂଘ ଜିଦ୍ ଛାଡ଼ୁନି । ଷ୍ଟିୟରିଂ ଛାଡ଼ ଆନେ୍ଦାଳନରୁ ଓହରୁନାହିଁ । ମଙ୍ଗଳବାର ପରିବହନ ମନ୍ତ୍ରୀଙ୍କ ସହ ମହାସଂଘର ଆଲୋଚନା ହୋଇଥିଲା । ଆନେ୍ଦାଳନ ପ୍ରତ୍ୟାହୃତ ହେବାର ସମ୍ଭାବନା ଥିବା ସୂଚନା ଦେଇଥିଲେ ସଂଘ କର୍ମକର୍ତ୍ତା । କିନ୍ତୁ ପରେ ଜିଦରେ ଅଟଳ ରହିଛନ୍ତି । ବୁଧବାର ବି ରାଜ୍ୟବ୍ୟାପୀ ଧର୍ମଘଟ ଜାରି ରହିଥିଲା । ଫଳରେ ଅନେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେବାର ଆଶଙ୍କା ହେଲାଣି । ବିଶେଷ କରି କେତେକ ସ୍ଥାନରେ ପେଟ୍ରୋଲ,ଡିଜେଲଅଭାବ ହୋଇପାରେ ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ବାହାରୁ ବି ଗ୍ରୋସେରୀ ଓ ପନିପରିବା ଆସିପାରୁନାହିଁ । ଲୋକମାନେ ଯାତାୟାତରେ କଷ୍ଟ ଭୋଗୁଛନ୍ତି ।
……
26.
ଓଡ଼ିଶା ଖଣି ନିଗମର ଲକ୍ଷ୍ୟ ବାର୍ଷିକ ୩୦ ହଜାର କୋଟି ରାଜସ୍ୱ
ଓଡ଼ିଶା ଖଣି ନିଗମ ବା ଓଏମସି ବାର୍ଷିକ ରାଜସ୍ୱ ୩୦ ହଜାର କୋଟି ଧାର୍ଯ୍ୟ କରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ପାଇର୍ ଲକ୍ଷ୍ୟ ରହିଛି । ୨୦୨୬ ମସିହା ସୁଦ୍ଧା ନିଗମର ନିଜସ୍ୱ ପେଲେଟ ପ୍ଲାଣ୍ଟ ନିର୍ମାଣ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଗମ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ବକ୍ସାଇଟ ଉତ୍ପାଦନ ୩.୬ ନିୟୁତ ଟନ୍ ରହିଛି । ଆଗାମୀ ବର୍ଷ ଏହାକୁ ୬ ନିୟୁତ ଟନ୍ କରିବାକୁ ଯୋଜନା ହୋଇଛି ।
….
27.
ପଶ୍ଚିମ ୟୁକ୍ରେନ ଉପରେ ଋଷର ବଡ଼ ଧରଣର ଆକ୍ରମଣ, ୭୫୦ ଡ୍ରୋନ୍ ଓ ମିସାଇଲ୍ ମାଡ଼
ଋଷ ସେନା ୟୁକ୍ରେନ ଉପରେ ପୁଣି ଏକ ବଡ଼ ଆକ୍ରମଣ କରିଛି। ୟୁକ୍ରେନର ପଶ୍ଚିମାଞ୍ଚଳକୁ ଲକ୍ଷ୍ୟ କରି ରାତିସାରା ପ୍ରାୟ ୭୫୦ଟି ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ପୋଲାଣ୍ଡ ଓ ବେଲାରୁଷ ସୀମାନ୍ତରେ ଥିବା ଭୋଲିନ୍ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ସେମାନେ ୭୧୧ଟି ଡ୍ରୋନ୍ ଏବଂ ଅତିକମ୍ରେ ୭ଟି ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦେଇଛନ୍ତି। ଆମେରିକା ପକ୍ଷରୁ ୟୁକ୍ରେନକୁ ପୁଣିଥରେ ଏୟାର-ଡିଫେନ୍ସ (ବାୟୁ ପ୍ରତିରକ୍ଷା) ଅସ୍ତ୍ରଶସ୍ତ୍ର ଯୋଗାଣ ଆରମ୍ଭ କରାଯିବ ବୋଲି ଘୋଷଣା ହେବାର ଠିକ୍ ପରେ ଋଷ ଏହି ବଡ଼ ଆକ୍ରମଣ କରିଛି।
…
28.
ଆଜିଠୁ ଲର୍ଡସ ରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ, ଲକ୍ଷ୍ୟ ସିରିଜ ଅଗ୍ରଣୀ
ଆଜିଠୁ ଲର୍ଡସରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଭାରତ ଓ ଇଂଲଣ୍ଡ ଟିମ୍ ଓହ୍ଲାଇବେ ମୁକାବିଲାକୁ । ସିରିଜ୍ ଏବେ ୧-୧ରେ ବରାବର ରହିଛି । ସିରିଜ ଅଗ୍ରଣୀ ପାଇଁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିବେ । ଏଠାରେ ଭାରତ ମୋଟ ୧୯ଟି ଟେଷ୍ଟ ଖେଳି ୩ଟିରେ ବିଜୟୀ ହୋଇଛି । ଶେଷ ୩ଟି ମ୍ୟାଚରୁ ୨ଟିରେ ଜିତିଛି । ଲର୍ଡ଼ସ ପିଚ ଏଥର ପେସ୍ ବୋଲରଙ୍କୁ ସୁହାଇବା ସମ୍ଭାବନା ରହିଛି । ଭାରତର ଅଧିନାୟକ ଶୁଭମନ ଗିଲ୍ ଓ ବୋଲର ଯଶପ୍ରୀତ ବୁମରାଙ୍କୁ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।
…
29
ଜୁନିଅର ଜାତୀୟ ରଗବୀ ଚାମ୍ପିଅନସିପରେ ଓଡ଼ିଶା ବାଳିକା ଦଳକୁ ରୌପ୍ୟ
ଉତ୍ତରାଖଣ୍ଡରେ ଚାଲିଥିବା ଜୁନିଅର ଜାତୀୟ ରଗବୀ ଚାମ୍ପିଅନସିପରେ ଓଡ଼ିଶାର ବାଳିକା ଟିମ୍ ରୌପ୍ୟ ପଦକ ହାସଲ କରିଛି । ଫାଇନାଂଲରେ ଦଳ ଡିଫେଣ୍ଡିଂ ଚାମ୍ପିଅନ ବିହାରଠୁ ୫-୧୪ରେ ପରାଜିତ ହୋଇଥିଲା । ସେମିଫାଇନାଲରେ ଓଡ଼ିଶା ମହାରାଷ୍ଟ୍ରକୁ ୩୪-୦ରେ ପରାସ୍ତ କରିଥିଲା । କ୍ୱାର୍ଟର ଫାଇନାଲରେ କେରଳକୁ ୩୨-୦ରେ ପରାସ୍ତ କରିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଉତ୍ତରାଖଣ୍ଡକୁ ୪୫-୦ ଏବଂ ଆସାମକୁ ୪୫-୦ରେ ହରାଇଥିଲା ।
….
30.
ମହାକାଶରେ ଭାରତୀୟ ମହାକାଶଚାରୀଙ୍କ ଚାଷ: ମୁଗ ଓ ମେଥି ଚାରା ଉତାରିଲେ ଶୁଭାଂଶୁ ଶୁକ୍ଳା
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରେ ଥିବା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏକ ନିଆରା ପରୀକ୍ଷା କରିଛନ୍ତି। ସେଠାରେ ସେ ମୁଗ ଓ ମେଥି ମଞ୍ଜିରୁ ଚାରା ଉତାରି ‘ମହାକାଶ ଚାଷ’ କରିଛନ୍ତି। ଆକ୍ସିୟମ୍-୪ ମିଶନର ଅଂଶ ଭାବେ ସେ ମହାକାଶରେ ଅଛନ୍ତି ଏବଂ ଜୁଲାଇ ୧୦ ତାରିଖ ପରେ ପୃଥିବୀ ପୃଷ୍ଠକୁ ଫେରିବେ। ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୂକ୍ଷ୍ମ-ମାଧ୍ୟାକର୍ଷଣ ପରିବେଶରେ ମଞ୍ଜିର ଅଙ୍କୁରୋଦ୍ଗମ ଏବଂ ଗଛର ବିକାଶ ଉପରେ ଏହାର ପ୍ରଭାବ ଅଧ୍ୟୟନ କରିବା। ଏହି ଚାରାଗୁଡ଼ିକୁ ପୃଥିବୀକୁ ଅଣାଯିବା ପରେ ବୈଜ୍ଞାନିକମାନେ ଏହାର ଜେନେଟିକ୍ ପରିବର୍ତ୍ତନ ଏବଂ ପୌଷ୍ଟିକ ଗୁଣ ଉପରେ ଅଧିକ ଗବେଷଣା କରିବେ। ଶୁଭାଂଶୁ ମହାକାଶ କେନ୍ଦ୍ରରେ ଷ୍ଟେମ୍ ସେଲ୍ ଉପରେ ମଧ୍ୟ ଗବେଷଣା କରୁଛନ୍ତି। ବୈଜ୍ଞାନିକମାନଙ୍କ ପାଇଁ ଏହି କାର୍ଯ୍ୟ କରି ସେ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି।
Please comment below