
1.
ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ, ଅନେକ ହିଂସାରେ ସଂପୃକ୍ତ
କନ୍ଧମାଳ ପୁଲିସ ଆଗରେ ଆତନ୍ମର୍ପଣ କରିଛନ୍ତି ୩ ଜଣ ମାଓବାଦୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ କ୍ୟାଡର । ଦକ୍ଷିଣାଞ୍ଚଳ ଡିଆଇଜି ନିତିଶେଖର ଏହି ସୂଚନା ଦେଇଛନ୍ତି । ତିନି କ୍ୟାଡରଙ୍କ ମଧ୍ୟରେ ଅଛନ୍ତି ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ଡିଭିଜନର ଏରିଆ କମିଟି ମେମ୍ବର ରାଜୁ ଦୋଡ଼ି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ । ଛତିଶଗଡ଼ କ୍ୟାଡରର ଏହି ତିନି ଜଣ ବୌଦ୍ଧ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ । କିଛି ଦିନ ତଳେ ଜିଲ୍ଲାର ବାଲିଗୁଡ଼ା ଜଙ୍ଗଲରେ ପୁଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିଲେ ।
…
2.
ଦଲାଇଲାମାଙ୍କୁ ଭାରତ ରତ୍ନ ଦାବିରେ ସାଂସଦଙ୍କ ଅଭିଯାନ
ତିବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ରତ୍ନ ଦେବା ସପକ୍ଷରେ ମତ ପ୍ରକାଶ ପାଇଛି । ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଏଭଳି ଦାବି ଉଠାଯାଇଛି । ଦାବିରେ ଦସ୍ତଖତ କରିଛନ୍ତି ୮୦ଜଣ ସାଂସଦ । କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବିକୁ ଉପସ୍ଥାପନ କରାଯିବ । ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ପୂର୍ବରୁ ତିିନିଜଣ ଜଣ ବିଦେଶୀ- ଖାନ ଅବଦୁଲ ଗଫର ଖାନ୍, ନେଲସନ ମାଣ୍ଡେଲା ଓ ମଦର ଟେରେସାଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି । ନିକଟରେ ୯୦ ତମ ଜନ୍ମ ଦିନ ପାଳନ କରିଥିବା ଦଲାଇଲାମାଙ୍କ ଏକ ବିବୃତିରେ ଚୀନ୍ କ୍ଷୁବ୍ଧ ହୋଇଛି । ତାଙ୍କ ଉତ୍ତରାଧିକାରୀ ବାଛିବା ନେଇ ବୌଦ୍ଧ ଧର୍ମଗୁରୁମାନଙ୍କ ଅଧିକାର ସପକ୍ଷରେ ଦଲାଇଲାମା କହିଛନ୍ତି । କିନ୍ତୁ ଚୀନ୍ ଏହାକୁ ବିରୋଧ କରିଛି ।
…
3.
ମୁମ୍ବାଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ, ବିଶ୍ରାମ ନେବାକୁ ପରାମର୍ଶ
ମୁମ୍ବାଇର ଏକ ଘରୋଇ ହସପିଟାଲରେ ଗତ ଜୁନ୍ ୨୨ ତାରିଖରୁ ଚିକିତ୍ସିତ ହେଉଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କର ଏକ ଅପରେସନ ମଧ୍ୟ କରାଯାଇଥିଲା । ସୋମବାର ସେ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ କିଛି ଦିନ ସେ ମୁମ୍ବାଇରେ ବିଶ୍ରାମ ନେବେ । ତେଣୁ ଏବେ ସେ ଓଡ଼ିଶା ଫେରିବେ ନାହିଁ । ଚିକିତ୍ସିତ ହେବାକୁ ଯିବା ପୂର୍ବରୁ ନିଜେ ନବୀନ ଟ୍ୱିଟ କରି ରାଜ୍ୟବାସୀଙ୍କୁ ତାଙ୍କ ଅସୁସ୍ଥତା ନେଇ ସୂଚନା ଦେଇଥିଲେ । ତାଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବାସୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ ।
…
4.
ଆଗକୁ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ କରିବେ ଅଭିଯୋଗ ଶୁଣାଣି, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗକୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଅଭିଯୋଗ ଶୁଣାଣି କରିବେ । ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ୧୧ ଥର ଏବଂ ସମ୍ବଲପୁରରେ ଥରେ ଜନଶୁଣାଣି କରିଛନ୍ତି । ପ୍ରତି ଶୁଣାଣିରେ ପ୍ରାୟ ୧ ହଜାର ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି । ୭ ଜଣ ମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ରହୁଛନ୍ତି । ପ୍ରଥମ ୧୧ଟି ଶୁଣାଣିରେ ମିଳିଥିବା ୧୦ ହଜାର ୮୯୪ଟି ଅଭିଯୋଗ ମଧ୍ୟରୁ ୧୦ ହଜାର ୧୩୨ଟି ଅଭିଯୋଗର ସମାଧାନ ହୋଇପାରିଛି । ୩୮ ଜଣଙ୍କୁ ତୁରନ୍ତ ୪୪ ଲକ୍ଷ ଟଙ୍କାର ସହାୟତା ମିଳିଛି ଏବଂ ୧୦ ଜଣଙ୍କୁ ୯ ଲକ୍ଷ ୫୦ ହଜାର ଚିକିତ୍ସା ଖର୍ଚ୍ଚ ମିଳିଛି ।
…
5.
ଖୋର୍ଦ୍ଧା ଜିଲ୍ଲା କୋର୍ଟରେ ନିଯୁକ୍ତି ସୁଯୋଗ
ଖୋର୍ଦ୍ଧା ଜିଲ୍ଲା କୋର୍ଟ ପକ୍ଷରୁ ୧୪ଟି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୬ଟି ଜୁନିଅର କ୍ଲର୍କ କମ୍ କପିଇଷ୍ଟ ଏବଂ ୮ଟି ସାଲାରିଡ୍ ଅମିନ ପଦବୀ ରହିଛି। କ୍ଲର୍କ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଡିପ୍ଲୋମା ଏବଂ ଅମିନ ପଦବୀ ପାଇଁ ମାଟ୍ରିକ୍ ପାସ୍ ହୋଇଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୪୨ ବର୍ଷ ମଧ୍ୟରେ ହେବା ଜରୁରୀ। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟରୁ ଫର୍ମ ଡାଉନଲୋଡ୍ କରି ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୬, ୨୦୨୫। ଅଧିକ ବିବରଣୀ ପାଇଁ ଖୋର୍ଦ୍ଧା ଜିଲ୍ଲା କୋର୍ଟର ୱେବସାଇଟ୍ khurda.dcourts.gov.in ଦେଖନ୍ତୁ।
…..
6.
ପୂର୍ବତଟ ରେଳବାଇରେ ଟେକ୍ନିସିଆନ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ
ପୂର୍ବତଟ ରେଳବାଇ ପକ୍ଷରୁ ୧୮ଟି ଟେକ୍ନିସିଆନ୍ ପଦବୀ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ଆଇଟିଆଇ (ITI) କିମ୍ବା ବିଜ୍ଞାନରେ ଦ୍ୱାଦଶ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଅଫିସିଆଲ୍ ୱେବସାଇଟରୁ ଫର୍ମ ଡାଉନଲୋଡ୍ କରି ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଆବେଦନ ପ୍ରକ୍ରିୟା ଜୁଲାଇ ୪, ୨୦୨୫ରୁ ଆରମ୍ଭ ହେବ ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୪, ୨୦୨୫। ବୟସ ସୀମା ଏବଂ ଅନ୍ୟାନ୍ୟ ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ପୂର୍ବତଟ ରେଳବାଇର ଅଫିସିଆଲ୍ ୱେବସାଇଟ୍ eastcoastrail.indianrailways.gov.in ଦେଖିପାରିବେ।
……
7.
ରାଜ୍ୟ ବିଜେପି ସଭାପତି ନିର୍ବାଚନ, ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ
ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ସୋମବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସଭାପତି ପଦ ପାଇଁ ଏକମାତ୍ର ମନମୋହନ ସାମଲ ନାମାଙ୍କନ କରିଛନ୍ତି । ତେଣୁ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଥରେ ଏହି ପଦବିର ବସିବା ଏକ ପ୍ରକାର ନିଶ୍ଚିତ । ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନେ ମଧ୍ୟ ସେମାନଙ୍କ ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନାମ ଘୋଷଣା କରାଯିବ । ଏହା କହିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବିହାରର ସାଂସଦ ସଞ୍ଜୟ ଜୟସ୍ୱାଲ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
…
8.
ବିଶ୍ୱ ମଞ୍ଚରେ ଭାରତର ଦବଦବା
ରିଓ ଡି ଜେନେରିଓରେ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭାରତ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ଆସନ୍ତା ବର୍ଷ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିବ। ଚଳିତ ସମ୍ମିଳନୀରେ ଭାରତ, ଜାତିସଂଘ ସୁରକ୍ଷା ପରିଷଦ ଭଳି ବିଶ୍ଵ ସଂସ୍ଥାରେ ସୁଧାର ଆଣିବାକୁ ଦାବି କରିଛି। ବ୍ରିକ୍ସ ବିଶ୍ଵ ଅର୍ଥନୀତିର ଏକ ପ୍ରମୁଖ ଶକ୍ତି, ଯାହା ଭାରତକୁ ବାଣିଜ୍ୟ ବୃଦ୍ଧି, ପୁଞ୍ଜିନିବେଶ ଆକର୍ଷିତ କରିବା ଏବଂ ନିଜ କମ୍ପାନୀଗୁଡ଼ିକୁ ବିଶ୍ଵ ବଜାରରେ ପହଞ୍ଚାଇବା ପାଇଁ ଏକ ବଡ଼ ସୁଯୋଗ ଦେଉଛି। ସମ୍ମିଳନୀରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଛି। ଇଣ୍ଡୋନେସିଆ ମଧ୍ୟ ବ୍ରିକ୍ସର ନୂତନ ସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଛି, ଯାହା ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ।
……
9.
ଗୁମ୍ଫାରେ ଶ୍ଵାସରୁଦ୍ଧ ହୋଇ ୧୨ ତୁର୍କୀ ସୈନିକଙ୍କ ମୃତ୍ୟୁ
ଇରାକର ଏକ ଗୁମ୍ଫାରେ ତଲାସି ଅଭିଯାନ ବେଳେ ମିଥେନ୍ ଗ୍ୟାସରେ ଶ୍ଵାସରୁଦ୍ଧ ହୋଇ ୧୨ ଜଣ ତୁର୍କୀ ସୈନିକ ପ୍ରାଣ ହରାଇଛନ୍ତି। ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (PKK) ବିଦ୍ରୋହୀଙ୍କ ବିରୁଦ୍ଧରେ ଚାଲିଥିବା ଏକ ଅଭିଯାନରେ ନିହତ ହୋଇଥିବା ଜଣେ ସାଥୀ ସୈନିକଙ୍କ ମୃତଦେହ ଖୋଜା ଚାଲିଥିଲା। ଏହି ସମୟରେ ୧୯ ଜଣ ସୈନିକ ଗ୍ୟାସରେ ପ୍ରଭାବିତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମିଥେନ୍ ଗ୍ୟାସ୍ ସିଧାସଳଖ ବିଷାକ୍ତ ନୁହେଁ, କିନ୍ତୁ ଗୁମ୍ଫା ଭଳି ବନ୍ଦ ସ୍ଥାନରେ ଏହା ଅମ୍ଳଜାନ କମାଇ ଦେଇ ମୃତ୍ୟୁର କାରଣ ପାଲଟିଥାଏ।
…..
10.
ଟ୍ରମ୍ପଙ୍କ ଧମକକୁ ଚୀନର କଡ଼ା ଜବାବ: ବିବାଦ ପାଇଁ ବ୍ରିକ୍ସ ନୁହେଁ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଗୋଷ୍ଠୀକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଦେଶ ‘ଆମେରିକା ବିରୋଧୀ’ ନୀତି ଆପଣାଇବ, ତା ଉପରେ ୧୦% ଅତିରିକ୍ତ ଶୁଳ୍କ ଲଗାଯିବ। ଏହାର ଜବାବରେ ଚୀନ କହିଛି ଯେ ବ୍ରିକ୍ସ କୌଣସି ଦେଶ ସହ ବିବାଦ ପାଇଁ ଉଦ୍ଦିଷ୍ଟ ନୁହେଁ। ବାଣିଜ୍ୟ ଯୁଦ୍ଧରେ କାହାରି ବିଜୟ ହୁଏ ନାହିଁ ଏବଂ ସଂରକ୍ଷଣବାଦ କୌଣସି ସମାଧାନର ରାସ୍ତା ନୁହେଁ। ସୂଚନାଯୋଗ୍ୟ, ନିକଟରେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଇରାନ ଉପରେ ହୋଇଥିବା ଆମେରିକା-ଇସ୍ରାଏଲ ଆକ୍ରମଣକୁ ‘ଅବୈଧ’ କହି ନିନ୍ଦା କରାଯାଇଥିଲା। ଏହାପରେ ଟ୍ରମ୍ପଙ୍କ ଏହି ଧମକ ଆସିଛି।
…..
11.
ମହାକାଶରୁ ଇସ୍ରୋ ମୁଖ୍ୟଙ୍କୁ ଫୋନ୍ କଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରେ ଥିବା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା, ଇସ୍ରୋ ମୁଖ୍ୟ ଭି ନାରାୟଣନଙ୍କ ସହ ଫୋନରେ କଥା ହୋଇଛନ୍ତି। ନିଜର ସୁରକ୍ଷିତ ଯାତ୍ରା ପାଇଁ ସେ ଇସ୍ରୋକୁ ଧନ୍ୟବାଦ ଜଣାଇଛନ୍ତି। କଥାବାର୍ତ୍ତା ବେଳେ ଇସ୍ରୋ ମୁଖ୍ୟ, ଶୁଭାଂଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ସେଠାରେ ଚାଲିଥିବା ବୈଜ୍ଞାନିକ ପରୀକ୍ଷଣ ବିଷୟରେ ପଚାରି ବୁଝିଥିଲେ। ଏହି ପରୀକ୍ଷଣରୁ ମିଳିବାକୁ ଥିବା ତଥ୍ୟ ଭାରତର ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନାରାୟଣନ କହିଛନ୍ତି। ଶୁଭାଂଶୁ କହିଛନ୍ତି ଯେ ମହାକାଶ କେନ୍ଦ୍ରରେ ସବୁଠୁ କଷ୍ଟକର କାମ ହେଉଛି ଶୋଇବା, କାରଣ ସ୍ୱଳ୍ପ ସମୟ ମଧ୍ୟରେ ଅଧିକରୁ ଅଧିକ କାମ କରିବାକୁ ଇଚ୍ଛା ହୁଏ। ସେ ଏହି ଦୁଇ ସପ୍ତାହର ରହଣି ଭିତରେ ୭ଟି ଭାରତୀୟ ପରୀକ୍ଷଣ ସମେତ ଅନ୍ୟାନ୍ୟ ବୈଜ୍ଞାନିକ କାର୍ଯ୍ୟ କରିବେ।
…..
12.
ମତ୍ସ୍ୟସେବାରେ ୨୧୭, ଉଦ୍ୟାନ କୃଷି ସେବାରେ ୬୭ଟି ପଦବି ସୃଷ୍ଟି
ଓଡ଼ିଶା ମତ୍ସ୍ୟ ଚାଷ ସେବା ଏବଂ ଓଡ଼ିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ନିଷ୍ପତ୍ତିି ଅନୁସାରେ ମତ୍ସ୍ୟଚାଷ ସେବା କ୍ୟାଡରରେ ପଦବି ସଂଖ୍ୟା ୮୩୫କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସଂଖ୍ୟା ଥିଲା ୬୧୮ । ଏହି ବିଭାଗରେ ୨୧୭ଟି ନୂତନ ପଦବି ସୃଷ୍ଟି ହୋଇଛି । ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟି୍ରକ ଟନ୍ ପାଇଁ ଲକ୍ଷ୍ୟ ରହିଛି । ସେହିପରି ଉଦ୍ୟାନ କୃଷି ବିଭାଗରେ ୬୭ଟି ପଦବି ବୃଦ୍ଧି କରାଯାଇଛି । ପୁନର୍ବିନ୍ୟାସ ପରେ ଏହି ବିଭାଗରେ ପଦବି ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି ।
…..
13.
ସ୍ୱଦେଶୀ ତୋପରେ ବଢ଼ିବ ସେନାର ଶକ୍ତି: ମାତ୍ର ୮୫ ସେକେଣ୍ଡରେ ଆକ୍ରମଣ ଓ ସ୍ଥାନ ପରିବର୍ତ୍ତନ
ଭାରତୀୟ ସେନା ଏକ ନୂଆ ସ୍ୱଦେଶୀ ‘ମାଉଣ୍ଟେଡ୍ ଗନ୍ ସିଷ୍ଟମ’ (MGS)ର ପରୀକ୍ଷଣ କରିବାକୁ ଯାଉଛି। ଏହାର ସବୁଠୁ ବଡ଼ ବିଶେଷତା ହେଉଛି, ଏହା ମାତ୍ର ୮୫ ସେକେଣ୍ଡ ମଧ୍ୟରେ ଗୁଳି ମାଡ଼ କରି ନିଜ ସ୍ଥାନ ବଦଳାଇ ପାରିବ। ଏହାଦ୍ୱାରା ଏହା ଶତ୍ରୁର ପାଲଟା ଆକ୍ରମଣରୁ ସହଜରେ ବର୍ତ୍ତିପାରିବ। ଏହି ୩୦ ଟନ୍ର ଅସ୍ତ୍ରଟିକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ କରାଯାଇଛି। ଏହା ଟ୍ରକ୍ ଉପରେ ଖଞ୍ଜା ଯାଇଥିବା ଏକ ୧୫୫ ମିମି/୫୨ କାଲିବରର ତୋପ, ଯାହା ୪୫ କିଲୋମିଟରରୁ ଅଧିକ ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏଥିରେ ୮୫% ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଋଷ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷା ଲାଭ କରି ସେନା ଏପରି ଦ୍ରୁତ ଗତିଶୀଳ ଅସ୍ତ୍ରର ଆବଶ୍ୟକତା ଅନୁଭବ କରୁଛି। ସେନା ଏହିପରି ପ୍ରାୟ ୭୦୦ରୁ ୮୦୦ଟି ତୋପ କିଣିବାକୁ ଯୋଜନା ରଖିଛି, ଯାହା ସେନାର ଶକ୍ତିକୁ ବହୁଗୁଣିତ କରିବ।
…..
14.
ଆତଙ୍କୀ ତହବୁର ରାଣା ମାନିଲା, ମୁମ୍ବାଇ ଆକ୍ରମଣରେ ପାକିସ୍ତାନ ସଂପୃକ୍ତ
୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନ ସଂପୃକ୍ତ ଥିଲା । ଏହା ସ୍ୱୀକାର କରିଛି ଆତଙ୍କବାଦୀ ତହବୁର ରାଣା । ଆମେରିକାରୁ ପ୍ରତ୍ୟର୍ପଣ ହୋଇ ଭାରତ ଆସିଥିବା ଆତଙ୍କୀ ତହବୁରକୁ ଏବେ ଏନଆଇଏ ଜେରା କରୁଛି । ୨୬/୧୧ ଆକ୍ରମଣରେ ସେ ନିଜେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲା । ଏହି ଆକ୍ରମଣ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ମିଶି ରଚାଯାଇଥିଲା । ସେ ନିଜେ କାନାଡ଼ାରୁ ଯାଇ ଆମେରିକାରେ ଇମିଗ୍ରେସନ ସେଣ୍ଟର ଖୋଲିଥିଲା । ଅନ୍ୟ ଆତଙ୍କୀଙ୍କୁ ଭାରତ ଆସି ରହିବାରେ ସହାୟତା କରିଥିଲା । ଆତଙ୍କୀ ସଂଗଠନ ଲସ୍କର ସହ ତାର ଉତ୍ତମ ସମ୍ପର୍କ ଥିଲା । ୨୦୦୯ ମସିହା ଅକ୍ଟୋବରରେ ଆମେରିକାରେ ତହବୁର ଗିରଫ ହୋଇଥିଲା । ଗତ ଏପ୍ରିଲ ୧୦ ତାରିଖରେ ତାକୁ ସ୍ୱତନ୍ତ୍ର ବିମାନରେ ଭାରତକୁ ଅଣାଯାଇଥିଲା ।
….
15
ଏଲନ ମସ୍କଙ୍କୁ ସମାଲୋଚନା କଲେ ରାଷ୍ଟ୍ରପତି ଟ୍ରମ୍ପ, କହିଲେ ଲାଇନଚୁ୍ୟତ ଟ୍ରେନ
ଟେସଲା ସିଇଓ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ଦଳ ଗଢ଼ିବା ପରେ ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଏଲନ ମସ୍କ ଏବେ ଲାଇନଚୁ୍ୟତ ଟ୍ରେନ । ଏଭଳି ଟ୍ରେନର ଅବସ୍ଥା ଯାହା ହୁଏ, ୫ ସପ୍ତାହ ହେଲା ମସ୍କଙ୍କର ସ୍ଥିତି ସେହିପରି ହୋଇଛି । ଆମେରିକା ଇତିହାସରେ ତୃତୀୟ ଦଳ କେବେ ସଫଳ ହୋଇପାରିନି । ତୃତୀୟ ଦଳ କେବଳ ଦେଶରେ ଅରାଜକତା ସୃଷ୍ଟି କରେ । ଉଲ୍ଲେଖଯୋଗ୍ୟ, ମସ୍କ ନୂଆ ଦଳ ଗଢ଼ିବା ପୂର୍ବରୁ ଦେଶରେ ଅନଲାଇନ ମତାମତ ସଂଗ୍ରହ କରିଥିଲେ । ପ୍ରାୟ ୬୬ ପ୍ରତିଶତ ଲୋକ ନୂତନ ଦଳର ଆବଶ୍ୟକତା ସପକ୍ଷରେ ମତ ଦେଇଥିଲେ । ମସ୍କ ଦେଶର ସିନେଟ ଓ ହାଉସ ଅଫ ରିପ୍ରେଜେଣ୍ଟେଟିଭ ରେ ନିଜ ସମର୍ଥକଙ୍କୁ ରଖି ଟ୍ରମ୍ପଙ୍କ ବିଲକୁ ଅଟକାଇବାକୁ ଯୋଜାନା କରୁଛନ୍ତି ।
…
16.
ଜଷ୍ଟିସ ବର୍ମାଙ୍କ ଘରେ ଏତେ ଟଙ୍କା ଆସିଲା କୁଆଡ଼ୁ, ପୁଣି ପ୍ରଶ୍ନ ଉଠାଇଲେ ଉପରାଷ୍ଟ୍ରପତି
ଦିଲ୍ଲୀରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ଟଙ୍କା ଜବତ କଥା ପୁଣି ଉଠିଲା । ଏଥର ଖୋଦ୍ ଉପରା୍ଷଟ୍ରପତି ଜଗଦୀପ ଧନକଡ଼ ଏହା ପଚାରିଛନ୍ତି । ସେ କହିଛନ୍ତି, ଜଷ୍ଟିସଙ୍କ ଘରେ ଏବେ ଅଧାଜଳା ଟଙ୍କା ଆସିଲା କୁଆଡ଼ୁ । ଏହି ମାମଲା ନ୍ୟାୟପାଳିକାର ମୂଳଦୁଆକୁ ଦେହଲାଇଦେବା ଭଳି ଘଟଣା । ଏହି ଟଙ୍କାର ମାଲିକ କିଏ? ଏତେ ଟଙ୍କା କୁଆଡ଼ୁ ଆସିଲା? କାହିଁକି ସେଠାରେ ରଖାଯାଇଥିଲା? ଏ ସବୁ ପ୍ରଶ୍ନ ଉତ୍ତର ମିଳୁନି । ତେଣୁ ଘଟଣା ଉପରେ ତୁରନ୍ତ ଏଫଆଇଆର ହେବା ଉଚିତ । ସେ କହିଛନ୍ତି, ଆମ ଦେଶରେ ନ୍ୟାୟପାଳିକା ଉପରେ ଲୋକଙ୍କର ଅପାର ଭରସା । ଏହି ଭରସା ଶେଷ ହୋଇଗଲେ ଦେଶ ଗମ୍ଭୀର ସ୍ଥିତିରେ ପହଞ୍ଚିବ । ଉଲ୍ଳେଖଯୋଗ୍ୟ, ଗତ ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ଯଶୱନ୍ତ ଶର୍ମାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ସେଠାରୁ ବିପୁଳ ପରିମାଣର ଅଧାଜଳା ୫ ଶହ ଟଙ୍କିଆ ନୋଟ ମିଳିଥିଲା ।
…
17.
ଆସନ୍ତା କାଲି ଭାରତ ବନ୍ଦ ଡାକରା ଦେଲେ ଟ୍ରେଡ ୟୁନିଅନ, ବିହାରରେ ବିରୋଧୀଙ୍କ ଆହ୍ୱାନ
ଆସନ୍ତାକାଲି ବିଭିନ୍ନ ଟ୍ରେନ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶରେ କର୍ପୋରେଟ ନୀତିକୁ ସରକାର ସମର୍ଥନ କରୁଥିବାରୁ ଏହାକୁ ବିରୋଧ କରି ଏହି ବନ୍ଦ ପାଳନ ହେବ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ସେମାନଙ୍କ ସହଯୋଗୀ ଦଳ ଗୁଡ଼ିକ ପକ୍ଷରୁ ବନ୍ଦ ଆହ୍ୱାନ ଦିଆଯାଇଛି । ଦେଶରେ ପ୍ରାୟ ୨୫ ଲକ୍ଷ କର୍ମଚାରୀ ଏହି ବନ୍ଦ ରେ ସାମିଲ ହେବା ସମ୍ଭାବନା ରହିଛି । ଫଳରେ ବ୍ୟାଙ୍କ, ଡାକ ଘର, ବୀମା କାର୍ଯ୍ୟାଳୟ, ଖଣି ଅଞ୍ଚଳ, ନିର୍ମାଣ କ୍ଷେତ୍ର ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ବିହାରରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି । ଭୋଟର ତାଲିକାରେ ଗଡ଼ବଡ଼ କରିବାକୁ ନିର୍ବାଚନ କମିଶନ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳ ବନ୍ଦ ରେ ସାମିଲ ହେବାକୁ ଘୋଷଣା କରିଛନ୍ତି ।
..
18.
କୋର୍ଟରେ ନିରାଶ ହେଲା ତୁର୍କୀ କମ୍ପାନି, ଭାରତରେ ସେବା ଦେଇପାରିବନି
ଭାରତର କୌଣସି ବିମାନବନ୍ଦରରେ ସେବା ଦେଇପାରିବନି ତୁର୍କୀ କମ୍ପାନି । ସୁରକ୍ଷା କାରଣରୁ ସେମାନଙ୍କ ଉପରେ ଭାରତ ସରକାର ଲଗାଇଥିବା କଟକଣା ଯଥାର୍ଥ । ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେଣୁ ତୁର୍କୀର କମ୍ପାନି ସେଲେବି ଆଭିଏସନକୁ ନିରାଶ ହେବାକୁ ପଡ଼ିଛି । ଏହି କମ୍ପାନି ଭାରତର ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏବଂ କାର୍ଗୋ ସେବା ପ୍ରଦାନ କରିଥାଏ । ଅପରେସନ ସିନ୍ଦୂର ପରେ କମ୍ପାନି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ କମ୍ପାନି କୋର୍ଟଙ୍କ ଶରଣ ପଶିଥିଲା । କିନ୍ତୁ କୋର୍ଟ ରାଷ୍ଟ୍ରୀୟ ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଅପରେସନ ସିନ୍ଦୂର ସମୟରେ ତୁର୍କୀ ପାକିସ୍ତାନକୁ ସମର୍ଥନ ଦେଇଥିବାରୁ ଏଭଳି ସ୍ଥିତି ଉପୁଜିଛି ।
…
19.
ଆଜି ଷ୍ଟିୟରିଂ ଛାଡ଼ ପାଇଁ ଡ୍ରାଇଭର ମହାସଂଘର ଧମକ, ସାମିଲ ହେବେ ୨ଲକ୍ଷ ଡ୍ରାଇଭର
ଆଜି ମଙ୍ଗଳବାର ଷ୍ଟିୟରିଂ ଛାଡ଼ ପାଇଁ ଧମକ ଦେଇଛି ଡ୍ରାଇଭର ମହାସଂଘ । ଅଟୋ ରିକ୍ସା ଏବଂ କାର ଚଳାଚଳ ବି ବନ୍ଦ ରହିବ । ସ୍ୱତନ୍ତ୍ର ଆଇନ ଦାବିରେ ଆନେ୍ଦାଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ । ରାଜ୍ୟ ସରକାରଙ୍କୁ ଅନେକ ଥର ନିବେଦନ ସତ୍ତ୍ୱେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନି । ସବୁ ବର୍ଗର ଡ୍ରାଇଭର ମାନେ ଆନେ୍ଦାଳନରେ ସାମିଲ ହେବାକୁ ମହାସଂଘ ଆହ୍ୱାନ ଦେଇଛି । ତେବେ କେତେକ ଜିଲ୍ଲାର ଡ୍ରାଇଭର ସଂଘ ଆନେ୍ଦାଳନରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି । ନିକଟରେ ପରିବହନ ବିଭାଗ ଗାଡ଼ି ଯାଞ୍ଚ କ୍ଷମତା ପୁଲିସକୁ ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାକୁ ମହାସଂଘ ମଧ୍ୟ କଡ଼ା ବିରୋଧ କରିଛି ।
…
20.
ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପ୍ରଥମ ମେଧା ତାଲିକା
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । ଏଥିପାଇଁ ମୋଟ ୪ ଲକ୍ଷ ୧୩ ହଜାର ୮୦୪ ଜଣଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆଜିଠାରୁ ନାମ ଲେଖାଇ ପାରିବେ । ଜୁଲାଇ ୨୪ ତାରିଖରୁ ପାଠ ପଢ଼ା ଆରମ୍ଭ ପାଇଁ ସ୍ଥିର ହୋଇଛି । ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନରେ ସର୍ବାଧିକ କଟଅଫ୍ ମାର୍କ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ରହିଛି । ରାଜ୍ୟରେ ମୋଟ ୨ ହଜାର ୪୧୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫ ଲକ୍ଷ ୬୮ ହଜାର ୬୧୫ଟି ସିଟ୍ ରହିଛି । ଆଡମିସନ ପାଇଁ ଆବେଦନ କରିଥିଲେ ୪ ଲକ୍ଷ ୪୬ ହଜାର ୨୦୫ ଜଣ ଛାତ୍ରଛାତ୍ରୀ ।
…….
21.
ରାଜ୍ୟରେ ମିଳିବ ଆଉ ୩୭ ଲକ୍ଷ ପକ୍କା ଘର: ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ
ଓଡ଼ିଶା ସରକାର ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଆଉ ୩୭ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଏହି ଘର ଦିଆଯିବ। ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ ଦେଇସାରିଛନ୍ତି। ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ନୂଆ ଘର ମଞ୍ଜୁର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ଆବେଦନପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଚାଲିଛି।
……
22.
ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଙ୍କ ପାଇଁ ସେବିର ବଡ଼ ନିଷ୍ପତ୍ତି
ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ମ୍ୟୁଚୁଆଲ୍ ଫଣ୍ଡ ପରିଚାଳନା କରୁଥିବା କମ୍ପାନୀମାନଙ୍କ (AMCs) ପାଇଁ ନିୟମକୁ ସରଳ କରିଛି। ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ଏହି କମ୍ପାନୀଗୁଡ଼ିକ ପୋର୍ଟଫୋଲିଓ ମ୍ୟାନେଜମେଣ୍ଟ (PMS) ଏବଂ ବିକଳ୍ପ ନିବେଶ ପାଣ୍ଠି (AIF) ଭଳି ଅନ୍ୟ ଆର୍ଥିକ ସେବା ସିଧାସଳଖ ଯୋଗାଇ ପାରିବେ। ଏଥିପାଇଁ ସେମାନଙ୍କୁ ଆଉ ଅଲଗା କମ୍ପାନୀ ଖୋଲିବାକୁ ପଡ଼ିବ ନାହିଁ। ତେବେ ଏହି ସୁବିଧା ପାଇଁ କମ୍ପାନୀର ସମ୍ପତ୍ତି ମୂଲ୍ୟ ଅତିକମ୍ରେ ୧୦୦ କୋଟି ଟଙ୍କା ହେବା ଆବଶ୍ୟକ। ଏହି ପଦକ୍ଷେପ ଦ୍ୱାରା କମ୍ପାନୀମାନଙ୍କ ପାଇଁ ବ୍ୟବସାୟ କରିବା ସହଜ ହେବ, ପରିଚାଳନା ଖର୍ଚ୍ଚ କମିବ ଏବଂ ନିବେଶକମାନେ ଗୋଟିଏ ସ୍ଥାନରୁ ଅଧିକ ସେବା ପାଇପାରିବେ।
……
23.
ଶସ୍ତା ହେଲା ସୁନା-ରୂପା
ସୋମବାର ଦିନ ଭାରତୀୟ ବଜାରରେ ସୁନା ଓ ରୂପା ଦାମରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୨୫ ଟଙ୍କା କମିଥିବା ବେଳେ ରୂପା କିଲୋଗ୍ରାମ ପିଛା ୧,୦୪୯ ଟଙ୍କା ଶସ୍ତା ହୋଇଛି। ଏହି ହ୍ରାସ ପରେ, ସୁନାର ନୂଆ ଦାମ୍ ୧୦ ଗ୍ରାମ ପିଛା ୯୬,୫୯୬ ଟଙ୍କା ଏବଂ ଏକ କିଲୋ ରୂପାର ଦାମ୍ ୧,୦୬,୫୩୧ ଟଙ୍କାରେ ପହଞ୍ଚିଛି। ଆମେରିକାର ବାଣିଜ୍ୟ ଶୁଳ୍କକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କାରଣରୁ ନିବେଶକମାନେ ସତର୍କତା ଅବଲମ୍ବନ କରୁଛନ୍ତି। ଏହାର ପ୍ରଭାବ ସୁନା-ରୂପା ବଜାର ଉପରେ ପଡ଼ିଥିବା କୁହାଯାଉଛି।
…..
24.
ଭାରତ-ଆମେରିକା ଚୁକ୍ତିକୁ ନେଇ ଅନିଶ୍ଚିତତା: ସପ୍ତାହର ପ୍ରଥମ ଦିନରେ ଶେୟାର ବଜାର ସ୍ଥିର
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ସପ୍ତାହର ପ୍ରଥମ କାରବାର ଦିନରେ ଶେୟାର ବଜାର ସ୍ଥିର ରହିଛି। ନିବେଶକମାନେ ସତର୍କତା ଅବଲମ୍ବନ କରିବାରୁ ବଜାରରେ ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ମାତ୍ର ୯.୬୧ ପଏଣ୍ଟ ବୃଦ୍ଧି ପାଇ ୮୩,୪୦୯.୬୮ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି କୌଣସି ପରିବର୍ତ୍ତନ ବିନା ୨୫,୪୬୧.୩୦ରେ ସ୍ଥିର ରହିଛି। ଆଜିର କାରବାରରେ ଏଫଏମସିଜି, ତେଲ ଓ ଗ୍ୟାସ୍ ଭଳି ସେକ୍ଟରରେ କିଣାବିକା ଦେଖିବାକୁ ମିଳିଥିବା ବେଳେ ମିଡିଆ, ମେଟାଲ୍, ଆଇଟି ଓ ଅଟୋ ସେକ୍ଟରରେ ହ୍ରାସ ପରିଲକ୍ଷିତ ହୋଇଛି। ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ହ୍ରାସ ପାଇ ବନ୍ଦ ହୋଇଛି। ଅନ୍ୟପଟେ, ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇ ୮୫.୮୭ ଟଙ୍କାରେ ପହଞ୍ଚିଛି।
…..
25.
ବିଶ୍ୱ ବକ୍ସିଂ କପରେ ଭାରତ ପାଇଲା ୩ ସ୍ୱର୍ଣ୍ଣ ସମେତ ୧୧ ପଦକ
କାଜାଖସ୍ତାନର ଅସ୍ତାନାରେ ଚାଲିଥିବା ବିଶ୍ୱ ବକ୍ସିଂ କପ୍ ପ୍ରତିଯୋଗିତାରେ ଭାରତ ୧୧ଟି ପଦକ ସହ ଅଭିଯାନ ଶେଷ କରିଛି । ଭାରତୀୟ ଖେଳାଳି ମାନେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଶେଷ ଦିନରେ ୫୭ କିଲୋ ବର୍ଗରେ ଯସ୍ମିନ ଲାମ୍ବୋରିଆ ବ୍ରାଜିଲର ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ପାଇଥିଲେ । ୮୦ କିଲୋ ବର୍ଗରେ କାଜାଖସ୍ତାନର ପ୍ରତିଯୋଗୀଙ୍କୁ ହରାଇ ନୁପୂର ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ ସାକ୍ଷୀ ଚୌଧୁରୀ ୫୪ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୁରୁଷ ବର୍ଗରେ ହିତେଶ ଏବଂ ଅଭିନାଶ ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି ।
..
26.
ଜାତୀୟ ସବ ଜୁନିଅର ମହିଳା ହକିରେ ପଞ୍ଜାବକୁ ହରାଇଲା ଓଡ଼ିଶା
ରାଞ୍ଚିରେ ଚାଲିଥିବା ୧୫ତମ ହକି ଇଣ୍ଡିଆ ସବ୍ଜୁନିଅର ମହିଳା ଜାତୀୟ ହକିରେ ଓଡ଼ିଶାକୁ ଗୋଟିଏ ବିଜୟ ମିଳିଛି । ସୋମବାର ଅନୁଷ୍ଠିତ ଖେଳରେ ଓଡ଼ିଶା ପଂଜାବକୁ ୩-୧ ଗୋଲରେ ପରାସ୍ତ କରିଛି । ଓଡ଼ିଶା ପକ୍ଷରୁ ସୁଇଟି କୁଜୁର ଏକାକୀ ହ୍ୟାଟି୍ରକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ପଞ୍ଜାବ କେବଳ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା । ସୋମବାର ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକରେ ମିଜୋରାମ ବିହାରକୁ ୧୧-୦ରେ, ଚଣ୍ଡିଗଡ଼କୁ ମଧ୍ୟପ୍ରଦେଶ ୧୨-୦ରେ, ଆନ୍ଧ୍ର ପ୍ରଦେଶକୁ ଝାଡ଼ଖଣ୍ଡ ୪-୦ରେ ଏବଂ ଉତ୍ତରାଖଣ୍ଡକୁ ମଣିପୁର ୪-୨ ଗୋଲରେ ହରାଇଛନ୍ତି ।
…
27.
ଟେକ୍ସାସରେ ଭୟଙ୍କର ବନ୍ୟା, ୮୨ ଜଣଙ୍କ ପ୍ରାଣହାନି
ଆମେରିକାର ଟେକ୍ସାସ ରାଜ୍ୟରେ ଭୟଙ୍କର ବନ୍ୟା ଦେଖାଦେଇଛି । ତିନି ଦିନରେ ବନ୍ୟାରେ ୮୨ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୪୧ ଜଣ ନିଖୋଜ ଅଛନ୍ତି । ନଦୀ କୂଳରେ ଏକ ସମର କ୍ୟାମ୍ପରେ ୮୦୦ଝିଅ ଥିଲେ । କ୍ୟାମ୍ପଟି ବନ୍ୟା ଜଳରେ ବୁଡ଼ି ଯାଇଥିଲା । ୭୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ୨୭ ଜଣ ଝିଅଙ୍କର ମୃତୁ୍ୟ ହୋଇଛି । ଅନ୍ୟ କେତେକ ନିଖୋଜ ଅଛନ୍ତି । ଅଞ୍ଚଳରେ ଏତେ ବର୍ଷା ହୋଇଥିଲା ଯେ ମାତ୍ର ୪୫ ମିନିଟରେ ନଦୀ ଜଳସ୍ତର ୨୬ ଫୁଟ ବଢ଼ିଯାଇଥିଲା । ଅନେକ ଗାଡ଼ିମୋଟର ଏବଂ ଲୋକଙ୍କ ଘର ବନ୍ୟା ଜଳରେ ଭାସି ଯାଇଛି । ୧୭ରୁ ଅଧିକ ହେଲିକପ୍ଟର ଏବଂ ଡ୍ରୋନ ସହାୟତାରେ ନିଖୋଜମାନଙ୍କୁ ଠାବ କରିବାକୁ ଉଦ୍ୟମ ଚାଲିଛି । ଗତ ଶହେ ବର୍ଷ ଭିତରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।
..
28.
ରଥାରୂଢ଼ ଠାକୁରଙ୍କୁ ହେଲା ଅଧରପଣା ଅର୍ପଣ, ଆଜି ହେବ ନିଳାଦ୍ରୀ ବିଜେ
ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ସୋମବାର ରଥାରୂଢ଼ ତିନି ଠାକୁରଙ୍କୁ ଅର୍ପଣ କରାଯାଇଛି ଅଧରପଣା । ରଥର ପାଶ୍ୱର୍ ଦେବଦେବୀ, ଅଶରିରୀ ଏବଂ ଚଣ୍ଡିଚାମୁଣ୍ଡାଙ୍କ ଉଦେଶ୍ୟରେ ଅଧର ହାଣ୍ଡି ରଥ ଉପରେ ଭଙ୍ଗା ଯାଇଥାଏ ବୋଲି ପରମ୍ପରା ରହିଛି । ରଥରୁ ବୋହି ଆସୁଥିବା ପଣାକୁ ଶ୍ରଦ୍ଧାଳୁ ମାନେ ଶ୍ରଦ୍ଧାର ସହ ସଂଗ୍ରହ କରିଥାନ୍ତିି । ତିନି ରଥ ଉପରେ ମୋଟ ୯ଟି ଅଧର ହାଣ୍ଡି ଭଙ୍ଗାଯାଇଥିଲା । ଆଜି ତିନି ଠାକୁରଙ୍କର ହେବ ନିଳାଦ୍ରୀ ବିଜେ । ଗୋଟି ପହଣ୍ଡିରେ ତିନି ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । କିନ୍ତୁ ଶ୍ରୀଜଗନ୍ନାଥଙ୍କ ବାଟ ରୋକିବେ ଲକ୍ଷ୍ମୀ ସାଆନ୍ତାଣୀ । ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମନଭଞ୍ଜନ କରିବେ ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଛନ୍ତି ଏ ଦୃଶ୍ୟକୁ ।
…
29.
ବରଖାସ୍ତ ହେବାରୁ ଆତ୍ମହତ୍ୟା କଲେ ରୁଷର ପରିବହନ ମନ୍ତ୍ରୀ
ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହେବାର କିଛି ସମୟ ପରେ ଆତ୍ମହତ୍ୟା । ଏହି ଖବର ମିଳିଛି ରୁଷରୁ । ଦେଶର ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭଏଟ ଆତ୍ମହତ୍ୟା କରିଛନ୍ତି । ନିଜ କାର ଭିତରୁ ତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି । ତେବେ ତଦନ୍ତ ପରେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ୟୁକ୍ରେନର କୁରସ୍କ ସୀମାନ୍ତରେ ତାରବାଡ଼ ଦେବାକୁ ମଂଜୁର ହୋଇଥିବା ବିପୁଳ ପରିମାଣର ପାଣ୍ଠିର ଅପବ୍ୟବହାର କରାଯାଇଥିଲା । ମନ୍ତ୍ରୀ ରୋମାନଙ୍କ ନାମରେ ଏହି ଅଭିଯୋଗ ଆସିଥିଲା । ସମ୍ଭବତଃ ଏହି କାରଣରୁ ତାଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ସ୍ଥାନରେ ଆନେ୍ଦ୍ର ନିକିତିଙ୍କୁ ନିଯୁକ୍ତି ଦିଆଯିବାର କିଛି ସମୟ ମଧ୍ୟରେ ରୋମାନଙ୍କ ଆତ୍ମହତ୍ୟା ଖବର ମିଳିଥିଲା ।
…
30
ଜାପାନ ଓ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଲେ ଟ୍ରମ୍ପ
ଆସନ୍ତା ଅଗଷ୍ଟ ୧ ତାରିଖରୁ ଯୁକ୍ତରାଷ୍ଟ୍ର ଆମେରିକା ଆରମ୍ଭ କରିବ ଯେସାକୁ ତେସା ଶୁଳ୍କ ନୀତି । ଅନେକ ରାଷ୍ଟ୍ର ଉପରେ ବିଭିନ୍ନ ଉତ୍ପାଦରେ ଶୁଳ୍କ ଲଗାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଜାପାନ ଓ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ଏ ନେଇ ସୋମବାର ଟ୍ରମ୍ପ ଚିଠି ଜାରି କରିଛନ୍ତି । ଖୁବ ଶୀଘ୍ର ୧୫ଟି ଏପରି ଚିଠି ଜାରି ହେବ ବୋଲି ଟ୍ରମ୍ପ ପ୍ରଶାସନ ସୂଚନା ଦେଇଛି । ଜୁଲାଇ ୯ ତାରିଖ ମଧ୍ୟରେ ଅନେକ ରାଷ୍ଟ୍ର ପାଇଁ ଏହି ଚିଠି ଜାରି ହୋଇଯିବ । କିନ୍ତୁ ଏହା କେବଳ ଅଗଷ୍ଟ ୧ରୁ ଲାଗୁ ହେବ ବୋଲି କୁହାଯାଇଛି ।