
୧.
ବିହାରରେ ୧୭ ରାଜନୈତିକ ଦଳକୁ ନିର୍ବାଚନ କମିଶନଙ୍କ ନୋଟିସ
ଚଳିତ ବର୍ଷ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ କମିଶନ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏଭଳି ସମୟରେ ରାଜ୍ୟର ୧୭ଟି ସ୍ୱୀକୃତିପ୍ରାପ୍ତ ଦଳକୁ କମିଶନ ନୋଟିସ ଜାରି କରିଛନ୍ତି । ୨୦୧୯ ପରଠାରୁ ଏସବୁ ଦଳ କୌଣସି ନିର୍ବାଚନ ଲଢ଼ି ନାହାନ୍ତି । କିନ୍ତୁ ସେମାନେ ସମସ୍ତ ସରକାରୀ ସୁବିଧା ନେଇ ଚାଲିଛନ୍ତି । ଏହାସତ୍ତ୍ୱେ ନିବାଚନରୁ ଦୂରରେ ଥିବାରୁ ସେମାନଙ୍କ ସକ୍ରିୟତା ଉପରେ ପ୍ରଶ୍ନ ଉଠିଛି । ଏସବୁ ଦଳର ଏକ ତାଲିକା କମିଶନ ପ୍ରକାଶ କରିଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ସେମାନଙ୍କୁ ଉତ୍ତର ରଖିବାକୁ କୁହାଯାଇଛି । ଏହା ମଧ୍ୟରେ କୈଫିୟତ ଦାଖଲ ନ କଲେ ସେସବୁ ଦଳର ସ୍ୱୀକୃତି ବାତିଲ କରାଯିବ ବୋଲି କମିଶନ କହିଛନ୍ତି ।
….
୨.
ବିରୋଧୀ ଦଳଙ୍କୁ ନିତିଶ କୁମାର ଦେଲେ ଝଟକା, ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ
ଆଗକୁ ଆସୁଛି ବିହାର ବିଧାନସଭା ନିର୍ବାଚନ । ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାର କିନ୍ତୁ ବିରୋଧୀ ଦଳଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଂଜୁରି ମିଳିଛି । ଏଥିରେ ବଡ଼ ଘୋଷଣା ରହିଛି ମହିଳାଙ୍କ ପାଇଁ । ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ୩୫ ପ୍ରତିଶତ ସଂରକ୍ଷଣ । ଏଥିସହ ରାଜ୍ୟରେ ଯୁବ କମିଶନ ଗଠନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଯୁବକ ମାନଙ୍କୁ ସଶକ୍ତ ଓ ସକ୍ଷମ କରିବାକୁ ଏହି ଆୟୋଗ ଗଠନ କରାଯିବ । ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ମିଳୁଛି କି ନାହିଁ ତାହା କମିଶନ ତଦାରଖ କରିବ ।
…
୩.
ତୁଟୁନି କର୍ଣ୍ଣାଟକ କଂଗ୍ରେସର କନ୍ଦଳ, ପୁଣି ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି
ନିକଟରେ ଏଆଇସିସି ସ୍ପଷ୍ଟ କରିଥିଲା, କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ । ସିଦ୍ଦରମେୟା ହିଁ ମୁଖ୍ୟମନ୍ତ୍ରୀ ରହିବେ । ଏଆଇସିସିର ଉତ୍ତରରେ ନିରାଶ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ଡି. ଶିବକୁମାର । କିନ୍ତୁ ନିରବ ରହିଥିଲେ । ଏବେ ରାଜ୍ୟର ଦୁଇ ଜଣ ବରିଷ୍ଠ ବିଧାୟକ ପୁଣି ମୁହଁ ଖୋଲିଲେଣି । ତନଭିର ସାଇଟ ଏବଂ ସିପି ଯୋଗେଶ୍ୱର ବିବୃତି ଦେଇଛନ୍ତି । ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଜରୁରି । ଡି. ଶିବକୁମାର ହିଁ ଯୋଗ୍ୟ ନେତା । ତାଙ୍କ ପଛରେ ବିଧାୟକମାନଙ୍କ ସମର୍ଥନ ମଧ୍ୟ ରହିଛି । ଏଆଇସିସି ପୁନର୍ବାର ଏହି ପ୍ରସଙ୍ଗରେ ଚିନ୍ତା କରିବା ଉଚିତ । ବିଧାୟକମାନେ ସ୍ୱାଧୀନ ଭାବେ ମତ ଦେବା ଟା ବିଦ୍ରୋହ ନୁହେଁ । ବିଧାୟକମାନଙ୍କ ଏଭଳି ଆଭିମୁଖ୍ୟ ଏଆଇସିସିକୁ ପୁଣି ଅଡ଼ୁଆରେ ପକାଇବା ନିଶ୍ଚିତ ।
…
୪.
ବିମାନର କାର୍ଗୋ ସେକ୍ସନରେ ମହୁମାଛି ବସା, ଉଡ଼ାଣ ହେଲା ବିଳମ୍ବ
ଏକ ଅଭାବନୀୟ ଘଟଣା ପାଇଁ ବିମାନ ଉଡ଼ାଣ ବିଳମ୍ବ ହୋଇଛି । ସୁରଟ-ଜୟପୁର ଇଣ୍ଡିଗୋ ଫ୍ଲାଇଟ ଏହି ସମସ୍ୟାରେ ପଡ଼ିଥିଲା । ବିମାନରେ ଯାତ୍ରୀମାନେ ବୋର୍ଡିଂ କରିସାରିଥିଲେ । କର୍ମଚାରୀମାନେ ବିମାନର କାର୍ଗୋ ସେକ୍ସନରେ ମାଲ ଲୋଡିଂ ସମୟରେ ଏକ ମହୁମାଛି ବସା ଦେଖିବାକୁ ପାଇଥିଲେ । ତୁରନ୍ତ ବିମାନବନ୍ଦରର ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ସେମାନେ ଆସି ମହୁମାଛିି ବସା ଉପରକୁ ପାଣି ସ୍ପ୍ରେ କରିଥିଲେ । ଏଭଳି ଘଟଣା ମଧ୍ୟ ସେମାନଙ୍କ ପାଇଁ ପ୍ରଥମ ଥିଲା । କିଛି ସମୟ ପାଣି ପକାଇବା ପରେ ମହୁମାଛି ମାନେ ଉଡ଼ିଯାଇଥିଲେ । ତେବେ ଏହି ଘଟଣା ପାଇଁ ବିମାନ ଉଡ଼ାଣ ୫୦ ମିନିଟ ବିଳମ୍ବ ହୋଇଥିଲା ।
….
୫.
ଧର୍ମାନ୍ତରଣ କରୁଥିବା ବାବାଙ୍କୁ ଯୋଗୀଙ୍କ କଡ଼ା ଚେତାବନି
ଭୁଲି ନପାରିବା ଭଳି ଦଣ୍ଡ ଦିଆଯିବ । ଏଭଳି ଚେତାବନି ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚେତାବନି ଜଣେ ବାବାଙ୍କ ପାଇଁ । ଧର୍ମାନ୍ତରଣରେ ଲିପ୍ତ ଥିବା ବାବା ଜମାଲୁଦ୍ଦିନ ଓରଫ ଛାଙ୍ଗୁର ବାବା ଏବେ ନଜରରେ । କିଛି ଦିନ ପୂର୍ବେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ କୋଠା ଉପରେ ମଧ୍ୟ ବୁଲଡୋଜର ଚଳାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଛାଙ୍ଗୁର ବାବାଙ୍କୁ ଧମକ ଦେବା ଆଳରେ ଧର୍ମାନ୍ତରଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଚେତାବନି ଦେଇଛନ୍ତି । ସେ କହିଛନ୍ତି, ଏଭଳି କାର୍ଯ୍ୟ କେବଳ ସମାଜ ବିରୋଧୀ ନୁହେଁ, ଦେଶ ବିରୋଧୀ ମଧ୍ୟ । ସରକାର ସାମାନ୍ୟ ଦୟା ଦେଖାଇବେନି ଏମାନଙ୍କୁ । ଏମାନଙ୍କୁ ଏଭଳି ଦଣ୍ଡ ଦିଆଯିବ, ଯାହାକି ସମାଜ ପାଇଁ ବଡ଼ ଉଦାହରଣ ହୋଇ ରହିବ ।
…
୬.
ବନ୍ଦ ହେବ ଖଣ୍ଡପଡ଼ା, ନିଳଗିରି, ସୋହେଲା ସବ୍ ଜେଲ୍, ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟ ସରକାର ଜେଲ୍ ସଂସ୍କାର ପ୍ରକ୍ରିୟା ଜାରି ରଖିଛନ୍ତି । ଏହି କ୍ରମରେ ତିନୋଟି ସବଜେଲ୍ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଗୁଡ଼ିକ ହେଲା ବାଲେଶ୍ୱର ଜିଲ୍ଲାର ନିଳଗିରି ସବଜେଲ୍, ବରଗଡ଼ ଜିଲ୍ଲାର ସୋହେଲା ସବଜେଲ୍ ଏବଂ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସବଜେଲ୍ । ଏହି ଜେଲ୍ ଗୁଡ଼ିକର ଜିଲ୍ଲା ସଦର ମହକୁମାରେ ଥିବା ଜେଲ୍ ସହ ମିଶ୍ରଣ ହୋଇଯିବ । ତିନୋଟି ସବଜେଲରେ ଥିବା କଏଦୀମାନଙ୍କୁ ସ୍ଥାନାନ୍ତର କରାଯିବ । ଏହି ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଜେଲ ବିଭାଗର ଅଧିକାରୀମାନଙ୍କୁ କୁହାଯାଇଛି ।
….
7.
ପାକିସ୍ତାନରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ
ପାକିସ୍ତାନର ପେଶାୱର ସହରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଦମକଳ କର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇବର ପାଖତୁନଖ୍ୱା ପ୍ରଦେଶର କୋଚି ବଜାର ଅଞ୍ଚଳରେ ଥିବା ଏକ ଘରେ ଏହି ନିଆଁ ଲାଗିଥିଲା। ଏହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଜରୁରୀକାଳୀନ ସେବା ଦଳ ଘର ଭିତରୁ ଛଅ ଜଣଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାର ତଦନ୍ତ ଜାରି ରହିଛି।
….
8.
ଭିଏତନାମ ଓ ଚୀନ୍ ମଧ୍ୟରେ ବଢ଼ିବ ବାଣିଜ୍ୟିକ ସମ୍ପର୍କ
ଭିଏତନାମ ଓ ଚୀନ୍ ନିଜ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ରାଜି ହୋଇଛନ୍ତି। ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି, ଯେତେବେଳେ କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଏତନାମ ସହିତ ଏକ ନୂଆ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଭିଏତନାମରୁ ଆମେରିକା ଯାଉଥିବା ସବୁ ସାମଗ୍ରୀ ଉପରେ ୨୦% ଶୁଳ୍କ ଏବଂ ଅନ୍ୟ ଦେଶରୁ ଭିଏତନାମ ଦେଇ ଆସୁଥିବା ଜିନିଷ ଉପରେ ୪୦% ଶୁଳ୍କ ଲଗାଯାଇଥିଲା। ଭିଏତନାମ ସରକାରଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନ୍ ଏବଂ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ମଧ୍ୟରେ ଏହି ବୁଝାମଣା ହୋଇଛି, ଯାହା ଦୁଇ ଦେଶର ରଣନୈତିକ ସହଯୋଗକୁ ମଧ୍ୟ ବୃଦ୍ଧି କରିବ।
…..
9.
ମ୍ୟାଲେରିଆ ପାଇଁ ଆସିଲା ନୂଆ ଔଷଧ
ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁ ଓ ଛୋଟ ପିଲାଙ୍କ ପାଇଁ ଉପଯୁକ୍ତ ଏକ ମ୍ୟାଲେରିଆ ଔଷଧକୁ ମଞ୍ଜୁରୀ ମିଳିଛି। ‘ନୋଭାର୍ଟିସ୍’ ନାମକ ଏକ ଔଷଧ କମ୍ପାନୀ ‘କୋଆର୍ଟେମ୍’ ନାମକ ଏହି ନୂଆ ଔଷଧ ତିଆରି କରିଛି, ଯାହାକୁ ସ୍ୱିସ୍ ସରକାର ଅନୁମୋଦନ ଦେଇଛନ୍ତି। ଏହା ଏକ ବଡ଼ ପଦକ୍ଷେପ, କାରଣ ମ୍ୟାଲେରିଆରେ ଅଧିକାଂଶ ମୃତ୍ୟୁ ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କର ହୋଇଥାଏ। ଏପର୍ଯ୍ୟନ୍ତ ଶିଶୁମାନଙ୍କୁ ବଡ଼ ପିଲାଙ୍କ ଔଷଧ କମ୍ ମାତ୍ରାରେ ଦିଆଯାଉଥିଲା, ଯାହା ବିପଦପୂର୍ଣ୍ଣ ଥିଲା। ଖୁବ୍ ଶୀଘ୍ର ଆଫ୍ରିକାରେ ଏହାର ଉତ୍ପାଦନ ଓ ବଣ୍ଟନ ଆରମ୍ଭ ହେବ, କାରଣ ସେଠାରେ ସର୍ବାଧିକ ମ୍ୟାଲେରିଆ ମୃତ୍ୟୁ ହୁଏ। ଏହି ନୂଆ ଔଷଧ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
…..
10.
ବନ୍ଦ ହେବନି ଜନଧନ ଖାତା: ସ୍ପଷ୍ଟ କଲା ଅର୍ଥ ମନ୍ତ୍ରାଳୟ
ଅର୍ଥ ମନ୍ତ୍ରାଳୟ ମଙ୍ଗଳବାର ସ୍ପଷ୍ଟ କରିଛି ଯେ, ବନ୍ଦ ପଡିଥିବା ପ୍ରଧାନମନ୍ତ୍ରୀ ଜନଧନ ଖାତାଗୁଡ଼ିକୁ ବନ୍ଦ କରିବା ପାଇଁ ବ୍ୟାଙ୍କମାନଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। କିଛି ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ମନ୍ତ୍ରାଳୟ ଏହି ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରାଳୟ କହିଛି ଯେ, ସେମାନେ ଖାତା ବନ୍ଦ କରିବା ପରିବର୍ତ୍ତେ, ବନ୍ଦ ଥିବା ଖାତାଗୁଡ଼ିକୁ ପୁଣିଥରେ ସକ୍ରିୟ କରିବା ପାଇଁ ଖାତାଧାରୀଙ୍କ ସହ ଯୋଗାଯୋଗ କରିବାକୁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦିଅନ୍ତି। ଦେଶରେ ଜନଧନ ଖାତା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବହୁ ସଂଖ୍ୟାରେ ଖାତା ବନ୍ଦ ହେବାର କୌଣସି ଘଟଣା ସାମ୍ନାକୁ ଆସିନାହିଁ। ଏଥିସହ ଜନଧନ ଯୋଜନା, ଜୀବନ ଜ୍ୟୋତି ବୀମା ଯୋଜନା ଓ ଅଟଳ ପେନସନ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ତିନିମାସିଆ ଅଭିଯାନ ମଧ୍ୟ ଚାଲିଛି।
…..
11.
ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଦାଖଲ ହେଲା ପ୍ରାଥମିକ ଯାଞ୍ଚ ରିପୋର୍ଟ
ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯାଞ୍ଚର ପ୍ରାଥମିକ ରିପୋର୍ଟ ଦାଖଲ ହୋଇଛି । ଦୁର୍ଘଟଟଣାର ୨୬ ଦିନ ପରେ ଏହି ରିପୋର୍ଟ ମିଳିଛି । ବିମାନ ଦୁର୍ଘଟଣା ତଦନ୍ତ ବୁ୍ୟରୋ ବା ଏଏଆଇବି ଏହି ରିପୋର୍ଟ ଦେଇଛି । ଦୁର୍ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ବୈଷୟିକ ବିଶ୍ଳେଷଣ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି । କିନ୍ତୁ ବିମାନ ଦୁର୍ଘଟଣାର ମୂଳ କାରଣ ବାବଦରେ ରିପୋର୍ଟରେ କିଛି କୁହାଯାଇନି । ସମ୍ପୂର୍ଣ୍ଣ ରିପୋର୍ଟ ଆସିବାକୁ ୩ ମାସ ସମୟ ଲଗିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଜୁନ୍ ୧୨ରେ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨୪୧ ଜଣ ଯାତ୍ରୀ ଓ କ୍ରିଉଙ୍କର ମୃତୁ୍ୟ ହୋଇଥିଲା ।
…
12.
ପୁଲୱାମା ଆକ୍ରମଣ ପାଇଁ ଆମାଜନରୁ କିଣାଯାଇଥିଲା ବିସ୍ଫୋରକ
୨୦୧୯ ପୁଲୱାମା ବିସ୍ଫୋରଣର ନୂଆ ତଥ୍ୟ ପଦାକୁ ଆସିଛି । ଏଥିରେ ବ୍ୟବହାର ହୋଇଥିବା ବିସ୍ଫୋରକ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ କିଣାଯାଇଥିଲା । ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ଏହି ତଥ୍ୟ ପ୍ରକାଶ କରିଛି । ଏହି ସଂସ୍ଥା ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ ଉପରେ ନଜର ରଖିଥାଏ । ଏଥିସହ ଉତ୍ତର ପ୍ରଦେଶର ଗୋରଖପୁର ମନ୍ଦିର ଆକ୍ରମଣର ତଥ୍ୟ ମଧ୍ୟ ଜଣାପଡ଼ିଛି । ଏଥିରେ ସଂପୃକ୍ତ ଆତଙ୍କୀକୁ ‘ପେ-ପାଲ’ ଜରିଆରେ ଅର୍ଥ ଦିଆଯାଇଥିଲା । ଟାସ୍କଫୋର୍ସ ୧୩୧ ପୃଷ୍ଠାର ଏକ ରିପୋର୍ଟ ପ୍ରକାଶ କରିଛି । ଆତଙ୍କୀ ସଙ୍ଗଠନ ଏବେ ଗେମିଙ୍ଗ ପ୍ଲାଟଫର୍ମ, ଅନଲାଇନ ପେମେଣ୍ଟ, ସୋସିଆଲ ମିଡିଆ ଏବଂ ଇ-କମର୍ସ ପ୍ଲାଟଫର୍ମ ଭଳି ଡିଜିଟାଲ ମାଧ୍ୟମକୁ ଉପଯୋଗ କରୁଥିବାରୁ ଭବିଷ୍ୟତରେ ଏହା ବଡ଼ ବିପଦ ହେବ ବୋଲି ସତର୍କ କରାଯାଇଛି ।
…
13.
ବାଂଲାଦେଶ ଉପରେ ଆମେରିକାର ୩୫ ପ୍ରତିଶତ ଶୁଳ୍କ, ଭାରତକୁ ଫାଇଦା
ଆମେରିକାର ଟ୍ରମ୍ପ ପ୍ରଶାସନ ବାଂଲାଦେଶ ଉପରେ କଠୋର ହୋଇଛି । ଯେସାକୁ ତେସା ଶୁଳ୍କ ନୀତିରେ ୩୫ ପ୍ରତିଶତ ଶୁଳ୍କ କଷିଛି । ଏହାର ପ୍ରଭାବ ବିଶ୍ୱ ପୋଷାକ ବଜାର ଉପରେ ପଡ଼ିବା ନିଶ୍ଚିତ । ଏହି ନିଷ୍ପତ୍ତି ଫଳରେ ବାଂଲାଦେଶର ରପ୍ତାନି ଖର୍ଚ୍ଚ ବୃଦ୍ଧି ପାଇବ । ଆମେରିକା ବଜାରରେ ବାଂଲାଦେଶ କମ୍ପାନିଙ୍କ କାରବାର ହ୍ରାସ ପାଇବ । କିନ୍ତୁ ଭାରତ ଉପରେ ଶୁଳ୍କ ୧୦ ପ୍ରତିଶତରୁ କମ୍ ରହିପାରେ । ଏଭଳି କ୍ଷେତ୍ରରେ ବିଶେଷ କରି ପୋଷାକ ବଜାରରେ ଭାରତର କମ୍ପାନି ଫାଇଦା ପାଇବେ । ଆମେରିକାର ନିଷ୍ପତ୍ତି ପରେ ଭାରତୀୟ ପୋଷାକ କମ୍ପାନି ଗୁଡ଼ିକର ସେୟାରରେ ୮ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।
….
14.
ସେୟାର ବଜାରରେ ସାମାନ୍ୟ ବୃଦ୍ଧି, ସେନସେକ୍ସ ୮୩,୭୦୦ ପାର
ମଙ୍ଗଳବାର ଭାରତୀୟ ସେୟାର ବଜାର ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। କାରବାର ଶେଷ ହେବାର ଅଧ ଘଣ୍ଟା ପୂର୍ବରୁ ବଜାରରେ ଏକ ଭଲ ସୁଧାର ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨୭୦ ପଏଣ୍ଟ ବଢ଼ି ୮୩,୭୧୩ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି-୫୦, ୬୧ ପଏଣ୍ଟ ବୃଦ୍ଧି ପାଇ ୨୫,୫୨୩ ସ୍ତରରେ ପହଞ୍ଚିଛି। ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ଅପେକ୍ଷା କରି ନିବେଶକମାନେ ସତର୍କ ଥିବାରୁ ଦିନର ଅଧିକାଂଶ ସମୟ ବଜାର ସ୍ଥିର ରହିଥିଲା। କୋଟାକ୍ ବ୍ୟାଙ୍କ ଓ ଏସିଆନ୍ ପେଣ୍ଟସ୍ ଭଳି ସେୟାର ମୂଲ୍ୟ ବଢ଼ିଥିବା ବେଳେ ଟାଇଟାନ୍ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଇଥିଲା। ବ୍ୟାଙ୍କିଙ୍ଗ୍ ଓ ରିଅଲିଟି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିଥିବା ବେଳେ, ବଜାରରେ ଅଧିକାଂଶ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
…..
15.
ବିଜେପି ରାଜ୍ୟ ସଭାପତି, ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚିତ
ନିର୍ବାଚିତ ହେବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚତୁର୍ଥ ଥର ପାଇଁ ସେ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡ. ସଞ୍ଜୟ ଜୟସ୍ୱାଲ ତାଙ୍କ ନାମ ଘୋଷଣା କରିଥିଲେ । ଏଥିସହ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ପଦ ପାଇଁ ମନମୋହନ ଏକମାତ୍ର ପ୍ରାର୍ଥୀ ଥିଲେ । ନିର୍ବାଚିତ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ବିମ୍ବାଧର କୁଅଁର, ପ୍ରେମ ସାଗର ଓରାମ, ଡା. ବୁଧନ ମୁର୍ମୁ, ସଞ୍ଚିତା ମହାନ୍ତି, ବସନ୍ତ ପଣ୍ଡା, ପ୍ରଦୀପ୍ତ କୁମାର ନାୟକ, ପଶର୍୍ୁରାମ ମାଝୀ, ବିନୋଦ ବିହାରୀ ଜେନା,ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ, ଅନିଲ ବେହେରା, ଅଜୟ କୁମାର ମିଶ୍ର, କାନନବାଳା ପଟ୍ଟନାୟକ ।
…
16.
ୟୁକ୍ରେନକୁ ଡିଫେନ୍ସ ମିସାଇଲ ଦେବ ଆମେରିକା, ଯୁଦ୍ଧ ବନ୍ଦର ପ୍ରଶ୍ନ ନାହିଁ
ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ପ୍ରଶ୍ନ ନାହିଁ । ୨୦୨୨ ଫେବ୍ରୁଆରୀ ୨୪ ତାରିଖରୁ ଚାଲିଛି ଏହି ଯୁଦ୍ଧ । ଯୁଦ୍ଧ ଆରମ୍ଭ ପରଠାରୁ ୟୁକ୍ରେନକୁ ନାଟୋର ସମର୍ଥନ ମିଳିଆସିଛି । ଏବେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଦେବାକୁ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି । ଡିଫେନ୍ସ ମିସାଇଲ ସମେତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ । ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତି ପୁତିନଙ୍କ ଉପରେ ମୁଁ ଖୁସି ନାହିଁ । ଅନେକ ବାର ଆଲୋଚନା ସତ୍ତ୍ୱେ ସେ ଯୁଦ୍ଧ ବିରତି ପାଇଁ ରାଜି ହେଉନାହାନ୍ତି । ଉଦେଶ୍ୟ ସଫଳ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ପୁତିନ କହିଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନ ନିଜ ସୁରକ୍ଷା କରିବା ଜରୁରୀ । ତେଣୁ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ।
…
17.
ଜର୍ମାନୀର ବିମାନ ଉପରେ ଚୀନର ଲେଜର ଆକ୍ରମଣ, ବଢ଼ିଲା ବିବାଦ
ଲୋହିତ ସାଗରରେ ଚୀନ୍ ଓ ଜର୍ମାନୀ ମଧ୍ୟରେ ବିବାଦ ବଢ଼ିଛି । ଜର୍ମାନୀର ଏକ ବିମାନ ଉପରେ ଲେଜର ଆକ୍ରମଣ ହୋଇଛି । ଏହି ଆକ୍ରମଣ ଚୀନର ଏକ ଜାହାଜରୁ ହୋଇଥିବା ଅଭିଯୋଗ ହୋଇଛି । ବିମାନକୁ ସୁରକ୍ଷିତ ଏକ ସାମରିକ ଘାଟିରେ ଅବତରଣ କରାଯାଇଥିଲା । ବାସ୍ତବରେ ଏହି ଯୁଦ୍ଧ ବିମାନ ୟୁରୋପୀୟ ମିଶନରେ ସାମିଲ ଥିଲା । ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଉପରେ ନଜର ରଖିଥିଲା । ଚୀନର ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଜର୍ମାନୀ କ୍ଷୋଭର ସହ କହିଛି । ଜର୍ମାନୀ ଏହାର ପ୍ରତିବାଦ ଜଣାଇବାକୁ ଚୀନ୍ ରାଷ୍ଟ୍ରଦୂତଙ୍କୁ ସମନ କରିଛି । ଚୀନର ଏଭଳି କାର୍ଯ୍ୟ ବୈଶ୍ୱିକ ବାଣିଜ୍ୟ ଉପରେ ପ୍ରଭାବ ପକାଇବ ବୋଲି ଜର୍ମାନୀ ଚେତାବନି ଦେଇଛି । ପୂର୍ବରୁ ମଧ୍ୟ ଚୀନ ଏଭଳି ହରକତ କରିଥିଲା ।
….
18.
ରିୟଲମିର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଅଭିନେତା ଭିକି କୌଶଲ
ସ୍ମାର୍ଟଫୋନ୍ କମ୍ପାନୀ ‘ରିୟଲମି’ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଜର ନୂଆ ସ୍ମାର୍ଟଫୋନ୍ ଆମ୍ବାସାଡର ଭାବେ ଘୋଷଣା କରିଛି। ଆସନ୍ତା ୨୪ ଜୁଲାଇ ୨୦୨୫ରେ କମ୍ପାନୀର ନୂଆ ‘ରିୟଲମି ୧୫ ସିରିଜ୍’ ଫୋନ୍ ଲଞ୍ଚ୍ ହେବାକୁ ଯାଉଛି, ଏହା ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଅବସରରେ ଭିକି କହିଛନ୍ତି, “ରିୟଲମିର ‘Make it real’ (ବାସ୍ତବରେ ପରିଣତ କର) ବିଚାରଧାରା ମୋତେ ବହୁତ ପସନ୍ଦ। ମୁଁ ଏପରି ଏକ ବ୍ରାଣ୍ଡ୍ ସହ ଯୋଡ଼ି ହୋଇ ଗର୍ବିତ, ଯାହା ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରେ।” କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଭିକିଙ୍କ ବ୍ୟକ୍ତିତ୍ୱ ଆମ ବ୍ରାଣ୍ଡର ମୂଲ୍ୟବୋଧ ସହ ମେଳ ଖାଉଛି। ଭିକି କୌଶଲଙ୍କୁ ‘Live for real’ ନାମକ ଅଭିଯାନରେ ଦେଖିବାକୁ ମିଳିବ ଏବଂ ସେ ଆଗାମୀ ଦିନରେ ନୂଆ ଫୋନ୍ ପାଇଁ ବିଜ୍ଞାପନରେ ମଧ୍ୟ ନଜର ଆସିବେ।
….
19.
ଶରଧାବାଲି ଦଳଚକଟାର ତଦନ୍ତ, ଆଜି ହେବ ସାକ୍ଷ୍ୟ ଗ୍ରହଣ
ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ଚାଲିଛି । ତଦନ୍ତ କରୁଛନ୍ତି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ । ୪ ଜଣ ଓଏଏସ୍ ଅଫିସର ତାଙ୍କୁ ସହାୟତା କରୁଛନ୍ତି । ଆଜି ଏହି ତଦନ୍ତରେ ସାକ୍ଷ୍ୟ ଗ୍ରହଣ କରାଯିବ । ଆଜି ଅପରାହ୍ଣ ୩ଟା ପରଠାରୁ ଭୁବନେଶ୍ୱରର ରାଜ୍ୟ ଅତିଥ ଭବନରେ ସାକ୍ଷ୍ୟ ଗ୍ରହଣ ହେବ । ଆସନ୍ତାକାଲି ୧୦ ତାରିଖ ଅପରାହ୍ଣ ୩ଟା ପରେ ପୁରୀର ସ୍ପେଶାଲ ସର୍କିଟ ହାଉସରେ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯିବ । କେହି ଅଧିକ ତଥ୍ୟ ଦେବାକୁ ଚାହୁଁଥିଲେ ୦୬୭୪-୨୫୩୬୮୮୨ କିମ୍ବା ୨୩୯୧୯୭୦ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଗତ ଜୁନ୍ ୨୯ ତାରିଖରେ ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ହୋଇଥିଲା । ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ଏବଂ କେତେକ ଆହତ ହୋଇଥିଲେ ।
…
20.
ଆସନ୍ତା ଅଗଷ୍ଟରେ ହେବ ରତ୍ନଭଣ୍ଡାର ଗଣତିମଣତି, ଠାକୁରଙ୍କ ପାଇଁ ଭକ୍ତ ଦେବେ ସୁନା
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି । ଆସନ୍ତା ଅଗଷ୍ଟ ମାସରେ ଗଣତିମଣତି ପାଇଁ ଯୋଜନା ହେଉଛି । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ କେଉଁଦିନ ତାହା ହେବ ଉଚ୍ଚସ୍ତରୀୟ କମିଟି ସ୍ଥିର କରିବ । ଦେଶର ବଡ଼ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ଅଭିଜ୍ଞତା ଥିବା ଲୋକ ଏଥିରେ ସାମିଲ ହେବେ । ଅଭିଜ୍ଞ ବଣିଆ ବି ରହିବେ । ଅଳଙ୍କାର ରଖିବାକୁ ନୂତନ ସିନ୍ଦୂକ ତିଆରି କରାଯାଇଛି । ସେ କହିଛନ୍ତି, ଆଗାମୀ ଦିନରେ ସୁନାବେଶରୁ ରତ୍ନଭଣ୍ଡାରରୁ ଠାକୁରଙ୍କ ଅଳଙ୍କାର ନ ଆଣିବାକୁ ଯୋଜନା ହେଉଛି । ଠାକୁରଙ୍କ ନୂତନ ସେଟ୍ ଅଳଙ୍କାର ପ୍ରସ୍ତୁତ କରାଯିବ । ଏଥିପାଇଁ ଭକ୍ତମାନଙ୍କ ଠାରୁ ଦାନ ସୂତ୍ରରେ ସୁନା ସଂଗ୍ରହ କରାଯିବ ।
…
21.
ବ୍ରାସିଲିଆରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର, ସାମିଲ ହେଲେ ୧୧୪ ଘୋଡ଼ା
୫୭ ବର୍ଷ ମଧ୍ୟରେ ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ବ୍ରାଜିଲକୁ ସରକାରୀ ଗସ୍ତରେ ଯାଇଥିଲେ । ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ପହଞ୍ଚିବା ମାତ୍ରେ ନରେନ୍ଦ୍ର ମୋଦିଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା । ରାଷ୍ଟ୍ରପତି ଲୁଲା ଡି ସିଲଭା ତାଙ୍କୁ ସ୍ୱାଗତ କରିଥିଲେ । ଉଭୟ ଭାରତ ଓ ବ୍ରାଜିଲର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମୋଦିଙ୍କ କାରକେଡକୁ ସ୍ୱାଗତ ଟିମରେ ୧୧୪ ଘୋଡ଼ା ବି ସାମିଲ ଥିଲେ । ଗସ୍ତ କାଳରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, କୃଷି, ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗରେ ମୋଦି ଆଲୋଚନା କରିଛନ୍ତି । ବ୍ରାଜିଲ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନାମିବ୍ୟା ଗସ୍ତରେ ଯାଇଛନ୍ତି । ଗତ ୨ ତାରିଖରୁ ସେ ୫ ରାଷ୍ଟ୍ର ଗସ୍ତରେ ଯାଇଥିଲେ । ନାମିବ୍ୟା ଗସ୍ତ ଶେଷ ପର୍ଯ୍ୟାୟ ଗସ୍ତ ।
…
22.
ଷ୍ଟିୟରିଂ ଛାଡ଼ରୁ ଓହରିଲେ ଡ୍ରାଇଭର ସଂଘ, ଆଜି ଟ୍ରେଡ ୟୁନିଅନର ଭାରତ ବନ୍ଦ
ଡ୍ରାଇଭର ମହାସଂଘ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଧର୍ମଘଟ କରିଥିଲା । ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟବ୍ୟାପୀ ଜନସାଧାରଣ ହଇରାଣ ହୋଇଥିଲେ । ବସ୍, ଟ୍ରକ, ଅଟୋ ଚଳାଚଳ ଅନେକ ସ୍ଥାନରେ ଠପ ହୋଇଥିଲା । ଜାତୀୟ ରାଜପଥରେ ବହୁ ସଂଖ୍ୟକ ମାଲବାହୀ ଟ୍ରକ ଛିଡ଼ା ହୋଇ ରହିଥିଲା । ଆନ୍ତଃ ଜିଲ୍ଲା ବସ୍ ଚଳାଚଳ ବନ୍ଦ ଥିଲା । ତେବେ ମଙ୍ଗଳବାର ରାତିରେ ସରକାରଙ୍କ ସହ ଆଲୋଚନା କରିବା ପରେ ସଂଘ ଆନେ୍ଦାଳନ ପ୍ରତ୍ୟାହୃତ କରିଛି । ତେଣୁ ଆଜି ଗାଡ଼ିମୋଟର ଠିକ୍ ଭାବେ ଚାଲିବା ଆଶା । ଅପରପକ୍ଷରେ ଆଜି ୧୦ରୁ ଅଧିକ ଟ୍ରେଡ ୟୁନିଅନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଏହାକୁ ସମର୍ଥନ କରିଥିବା ବେଳେ ବିଜେଡି ନୀତିଗତ ସମର୍ଥନ ଘୋଷଣା କରିଛି । ତେଣୁ ଅନେକ ସ୍ଥାନରେ ରାସ୍ତାରୋକ ହୋଇପାରେ ।
…..
23.
X କୁ ଭାରତ ସରକାରଙ୍କ କଡ଼ା ନିର୍ଦ୍ଦେଶ: ରଏଟର୍ସ ସମେତ ୨,୩୫୫ ଆକାଉଣ୍ଟ ବ୍ଲକ୍
ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) କୁ ୨,୩୫୫ଟି ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆଇଟି ଆଇନର ଧାରା ୬୯ଏ ଅଧୀନରେ ଦିଆଯାଇଥିଲା। ଚିନ୍ତାର ବିଷୟ ଯେ, ଏହି ଆକାଉଣ୍ଟଗୁଡିକ ମଧ୍ୟରେ @Reuters ଭଳି ଅନ୍ତର୍ଜାତୀୟ ଖବର ସଂସ୍ଥାର ଆକାଉଣ୍ଟ ମଧ୍ୟ ସାମିଲ ଥିଲା। କୌଣସି କାରଣ ନ ଦର୍ଶାଇ ତୁରନ୍ତ ଏହି ପଦକ୍ଷେପ ନେବାକୁ କୁହାଯାଇଥିଲା। ତେବେ, ବ୍ୟାପକ ବିରୋଧ ପରେ ସରକାର ରଏଟର୍ସ ଆକାଉଣ୍ଟଗୁଡ଼ିକୁ ପୁଣି ଖୋଲିବାକୁ କହିଥିଲେ। ଏହି ଘଟଣାକୁ ନେଇ X ଗଭୀର ଚିନ୍ତା ପ୍ରକଟ କରିଛି ଏବଂ ଏହାକୁ ଭାରତରେ ସାମ୍ବାଦିକତାର ସ୍ୱାଧୀନତା ଉପରେ କଟକଣା ବୋଲି କହିଛି। କମ୍ପାନୀ ଆଇନଗତ ବିକଳ୍ପ ଖୋଜୁଥିବା ବେଳେ ପ୍ରଭାବିତ ଉପଭୋକ୍ତାଙ୍କୁ କୋର୍ଟ ଯିବାକୁ ପରାମର୍ଶ ଦେଇଛି।
…..
24.
ଜାତୀୟ ସବଜୁନିଅର ମହିଳା ହକିରେ ମହାରାଷ୍ଟ୍ରକୁ ହରାଇଲା ଓଡ଼ିଶା
ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଛି ଜାତୀୟ ସବ୍ଜୁନିଅର ମହିଳା ହକି । ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି । ଓଡ଼ିଶା ପକ୍ଷରୁ କେ.ସଞ୍ଜନା, ପ୍ରିୟଙ୍କା ମିଞ୍ଜ ଏବଂ ସୁଇଟି କୁଜୁର ଗୋଲ ସ୍କୋର କରିଥିଲେ । ଅନ୍ୟ ମ୍ୟାଚ ଗୁଡ଼ିକରେ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶକୁ ୩-୨ ଗୋଲରେ, ଛତିଶଗଡ଼ ଗୁଜରାଟକୁ ୮-୨ରେ, ଉତ୍ତରାଖଣ୍ଡ କେରଳକୁ ୬-୦ରେ ଏବଂ କର୍ଣ୍ଣାଟକକୁ ଡାମନ ଡିୟୁ ୪-୧ ଗୋଲରେ ପରାସ୍ତ କରିଛି । ଝାଡ଼ଖଣ୍ଡ ଓ ହରିଆନା ମଧ୍ୟରେ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି ।
…
25.
ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, କାଲିଠୁ ପାଗ ରହିପାରେ ଶୁଖିଲା
ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ବି ଅଛି । ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ତେବେ ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିପାରେ । କାଁ ଭାଁ କେଉଁଠି ବର୍ଷା ହୋଇପାରେ । ଉପମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଡ୍ୟାମରେ ୪ଟି ଗେଟ ବନ୍ଦ କରାଯାଇଛି । ଏବେ ୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
…..
26.
ଭାରତକୁ ଆତଙ୍କୀ ମସୁଦ ଆଝାରର ଧମକ, ୧୦ ହଜାର ଆତ୍ମଘାତୀ ପ୍ରସ୍ତୁତ
ଭାରତକୁ ଧମକ ଦେଇଛି ଆତଙ୍କବାଦୀ ମସୁଦ ଆଝାର । ମସୁଦ ଜୈସ-ଇ-ମହମ୍ମଦର ମୁଖ୍ୟ । କହିଛି, ଅନ୍ୟମାନଙ୍କ ପାଖରେ ଆକ୍ରମଣ କରିବାକୁ ମିସାଇଲ ରହିଛି । ଆମ ପାଖରେ ଅଛନ୍ତି ୧୦ ଜହାର ଆତ୍ମଘାତୀ ଆତଙ୍କୀ । ଯେଉଁ ସ୍ଥାନରେ ଯେତେବେଳେ ଚାହିଁବୁ ଆକ୍ରମଣ କରିବୁ । ପାକିସ୍ତାନର ବାହାବଳପୁରଠାରେ ଏକ ମସିଜିଦରେ ମସୁଦର ଭାଷଣ ପ୍ରସାରିତ ହେଉଛି । ଜୈସ ପାଖରେ ଏବେ ୩୦ ହଜାର ମୁଜାହିଦ ଥିବା ସେ କହିଛି । ମସୁଦ ଗତ ୧୦ ବର୍ଷ ହେବ ପାକିସ୍ତାନରେ ଲୁଚି ରହିଛି । ନିକଟରେ ଭାରତର ଏୟାର ଷ୍ଟ୍ରାଇକରେ ଅନେକ ଆତଙ୍କୀ ଆଡା ନଷ୍ଟ ହୋଇଯାଇଥିଲା । ସେଗୁଡ଼ିକ ପୁଣି ମୁଣ୍ଡ ଟେକିଛି । ଆତଙ୍କୀ ପୁଣି ଟ୍ରେନିଂ ଆରମ୍ଭ ହୋଇଛି । ଭାରତରେ ବଡ଼ ଆକ୍ରମଣ କରିବାକୁ ଜୈସ ମୁଖିଆ ମସୁଦ ଯୋଜନା କରୁଛି ।
…
27.
ସରିଲା ନୀଳାଦ୍ରି ବିଜେ, ରତ୍ନବେଦିକୁ ଫେରିଲେ ତିନି ଠାକୁର
ଲୀଳାଖେଳା ସାରି ପୁଣି ରତ୍ନବଦେିକୁ ଫେରିଛନ୍ତି ତିନି ଠାକୁର । ମଙ୍ଗଳବାର ରାତିରେ ହୋଇଛି ନୀଳାଦ୍ରି ବିଜେ । ପୁଷ୍ପାଳକ ସେବକ ମାନେ ପ୍ରଥମେ ମଦନମୋହନ ଓ ଶ୍ରୀରାମକୃଷ୍ଣକୁ ଦକ୍ଷିଣ ଘରେ ବିଜେ କରାଇଥିଲେ । ପରେ ଶ୍ରୀସୁଦର୍ଶନ, ବଡ଼ ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ପରମ୍ପରା ଅନୁସାରେ ସେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ମା’ ଲକ୍ଷ୍ମୀଙ୍କ ଦାସୀମାନେ ସିଂହଦ୍ୱାର ବନ୍ଦ କରିଦେଇଥିଲେ । ଠାକୁରାଣୀ କରିଥିଲେ ଅଭିମାନ । ମହାପ୍ରଭୁ ଜୟବିଜୟ ଦ୍ୱାର ନିକଟରେ ବିଜେ ହୋଇଥିଲେ । ପରେ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମହପ୍ରଭୁ ମାନଭଞ୍ଜନ କରିଥିଲେ ।
..
28.
ଡୋପ ଟେଷ୍ଟରେ ବିଫଳ ଭାରତୀୟ କୁସ୍ତିଯୋଦ୍ଧା ରିତିକା, ବର୍ଷେ ବାସନ୍ଦ
ବାସନ୍ଦର ସମ୍ମୁଖିନ ହୋଇଛନ୍ତି ଭାରତୀୟ ମହିଳା କୁସ୍ତିଯୋଦ୍ଧା ରିତିକା ହୁଦା । ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ସେ । ରିତିକା ଏସିଆନ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ । ତାଙ୍କୁ ୟୁନାଇଟେଡ ୱାର୍ଲଡ ରେସଲିଂ ବର୍ଷେ ପାଇଁ ବାସନ୍ଦ କରିଛି । ୨୦୨୬ ଜୁଲାଇ ୭ ତାରିଖରେ ବାସନ୍ଦ ଅବଧି ଶେଷ ହେବ । ଗତ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଚାମ୍ପିଅନସିପ ସମୟରେ ତାଙ୍କର ଡୋପ ଟେଷ୍ଟ ହୋଇଥିଲା । ଡୋପରେ ବିଫଳ ହୋଇଥିବାରୁ ତୁରନ୍ତ ଜାତୀୟ ଶିବିର ଛାଡ଼ିବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି । ରିତିକାଙ୍କ ସହ ଭାରତୀୟ କୁସ୍ତିଯୋଦ୍ଧା ମୁସ୍କାନ ଓ ବିନିତା ମଧ୍ୟ ଡୋପରେ ବିଫଳ ହୋଇଛନ୍ତି ।
…..
29.
ଭାରତରେ ଆରମ୍ଭ ହେଲା ଗୁଗଲ ସର୍ଚ୍ଚର ‘AI ମୋଡ୍’
ଗୁଗଲ ଭାରତର ସମସ୍ତ ଉପଭୋକ୍ତାଙ୍କ ପାଇଁ ନିଜ ସର୍ଚ୍ଚରେ ‘AI ମୋଡ୍’ ନାମକ ଏକ ନୂଆ ଫିଚର ଆରମ୍ଭ କରିଛି। ଏହା ଦ୍ୱାରା ଯେକୌଣସି ପ୍ରଶ୍ନ ପଚାରିବା ଏବଂ ଏଆଇ (AI) ଦ୍ୱାରା ଏକ ବିସ୍ତୃତ ଉତ୍ତର ପାଇବା ବହୁତ ସହଜ ହୋଇଯିବ। ପୂର୍ବରୁ ଜୁନ୍ ମାସରେ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ଏବଂ ଏହାକୁ ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥିଲା। ବର୍ତ୍ତମାନ ଏଥିପାଇଁ କୌଣସି ସ୍ୱତନ୍ତ୍ର ସାଇନ୍-ଅପ୍ ଦରକାର ନାହିଁ। ଆଗାମୀ କିଛି ଦିନ ମଧ୍ୟରେ, ଗୁଗଲ ଆପ୍ ଓ ସର୍ଚ୍ଚରେ ଏକ ନୂଆ ‘AI ମୋଡ୍’ ଟ୍ୟାବ୍ ଦେଖିବାକୁ ମିଳିବ। ଏହା ପ୍ରଥମେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଉପଭୋକ୍ତାମାନେ ଟାଇପ୍ କରି, ଭଏସ୍ ମାଧ୍ୟମରେ କିମ୍ବା ଲେନ୍ସ ବ୍ୟବହାର କରି ଫଟୋ ଦ୍ୱାରା ମଧ୍ୟ ପ୍ରଶ୍ନ ପଚାରିପାରିବେ।
…..
30.