
୧.
ନିର୍ବାଚନ ସମୟରେ ନାଗରିକତା ଯାଞ୍ଚ କାହିଁକି, କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ବିହାର ବିଧାନସଭା ଭୋଟ ପୂର୍ବରୁ ରାଜ୍ୟରେ ନିର୍ବାଚନ କମିଶନ ଭୋଟର ତାଲିକା ସଂଶୋଧନ କରୁଛନ୍ତି । ଏଥିରେ ନାଗରିକତା ଯାଞ୍ଚ ପ୍ରକ୍ରିୟା ସାମିଲ କରାଯାଇଛି । ଏଥିପାଇଁ ବିରୋଧୀଙ୍କ ପକ୍ଷରୁ ତୀବ୍ର ପ୍ରତି୍ରକିୟା ପ୍ରକାଶ ପାଇଛି । ଏ ସମ୍ପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟ କମିଶନଙ୍କୁ ପ୍ରଶ୍ନ ବାଣ କରିଛନ୍ତି । ନିର୍ବାଚନ ପୂର୍ବରୁ ଅଚାନକ ନାଗରିକତା ଯାଞ୍ଚ କାହିଁକି? ଏହି ଦାୟିତ୍ୱ ସ୍ୱରାଷ୍ଟ୍ର ମନ୍ତ୍ରାଳୟର । ନିର୍ବାଚନ କମିଶନଙ୍କ ଏଥିରେ ଜଡ଼ିତ କାହିଁକି? ଆଧାର, ଭୋଟର ପରିଚୟ ପତ୍ର, ରାସନ କାର୍ଡକୁ ବିଚାରକୁ କାହିଁକି ନିଆଯିବନ? ଏଭଳି କିଛି ପ୍ରଶ୍ନର ଉତ୍ତର କମିଶନଙ୍କଠୁ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ମାମଲାର ପିଟସନକାରୀଙ୍କୁ ନାଗରିକତା ଯାଞ୍ଚକୁ ପ୍ରହସନ କୁହାଯାଇ ପାରିବନି ବୋଲି ତାଗିଦ କରିଛନ୍ତି କୋର୍ଟ । ଏହି ପ୍ରକ୍ରିୟା ଉପରେ ରହିତାଦେଶ ଦେବାକୁ ମଧ୍ୟ କୋର୍ଟ ମନା କରିଛନ୍ତି ।
…
୨.
ଟ୍ରମ୍ପଙ୍କୁ ଇରାନରୁ ହତ୍ୟା ଧମକ, ଡ୍ରୋନ୍ ସହାୟତାରେ ମାରିବାକୁ ଯୋଜନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ । ଧମକ ଦେଇଛନ୍ତି ଇରାନର ସୁପି୍ରମ ଲିଡର ଆୟତୋଲ୍ଲା ଖାମେନେଇଙ୍କ ଜୈନକ ସହଯୋଗୀ । ଘନିଷ୍ଠ ସହଯୋଗୀ ଜଣକ ହେଲେ ମହମ୍ମଦ ଜାଭେଦ ଲାରିଜାନି । ଏକ ଆଲୋଚନାରେ ସେ ଥଟ୍ଟା କରି କହିଛନ୍ତି, ଟ୍ରମ୍ପଙ୍କୁ ଏକ ମାଇକ୍ରୋ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇପାରେ । ଟ୍ରମ୍ପ ତାଙ୍କ ରିସୋର୍ଟରେ ସନ୍ ବାଥ୍ କରୁଥିବା ସମୟରେ ଏହା ହୋଇପାରେ । ସେ ପେଟେଇ ଶୋଇଥିବା ବେଳେ ଏହି ଆକ୍ରମଣ କରାଯାଇପାରେ । ତାଙ୍କର ଏଭଳି ବିବୃତି ବିଶ୍ୱବ୍ୟାପୀ ଭାଇରଲ ହେବାରେ ଲାଗିଛି । ଇରାନର ସୁପ୍ରିମ ଲିଡରଙ୍କର କ୍ଷତି କରୁଥିବା ଶକ୍ତିଙ୍କୁ ନିପାତ କରିବାକୁ ଜାଭେଦ ଏକ ଅଭିଯାନ ଚଳାଇଛନ୍ତି । ‘ବ୍ଲଡ ପ୍ୟାକ୍ଟ’ ନାମକ ଏହି ଅଭିଯାନ ପାଇଁ ସେ ଅର୍ଥ ସଂଗ୍ରହ କରୁଛନ୍ତି । ତେବେ ଜାଭେଦଙ୍କ ଏହି ବିବୃତି ସହ କୌଣସି ସମ୍ପର୍କ ନଥିବା ଇରାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
…
୩.
ଶେଖ୍ ହାସିନାଙ୍କ ବିରୋଧରେ ଗଣହତ୍ୟା ମାମଲା,ସ୍ପେଶାଲ ଟ୍ରିବୁ୍ୟନାଲ କୋର୍ଟରେ ହେବ ଶୁଣାଣି
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ମାମଲା । ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଛାତ୍ରଙ୍କ ଉପରେ ହୋଇଥଽା କାର୍ଯ୍ୟାନୁଷ୍ଠାନ ଘଟଣାରେ ମାମଲା । ଏହି ଘଟଣାରେ ଶତାଧିକ ଛାତ୍ରଙ୍କ ମୃତୁ୍ୟ ହୋଇଥିଲା । ବାଂଲାଦେଶର ସ୍ପେଶାଲ ଟ୍ରିବୁ୍ୟନାଲ କୋର୍ଟ ମାମଲା ଯଥାର୍ଥ ବୋଲି କହିଛନ୍ତି । ମାନବତା ବିରୋଧୀ ଦଫାରେ ଏହାର ଶୁଣାଣି ହେବ । ହାସିନାଙ୍କ ସହ ପୂର୍ବତନ ଗୃହ ମନ୍ତ୍ରୀ ଓ ପୂର୍ବତନ ପୁଲିସ ମୁଖ୍ୟ ମଧ୍ୟ ଅଭିଯୁକ୍ତ ଅଛନ୍ତି । ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଏହାର ଶୁଣାଣି କରୁଛନ୍ତି । ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାସିନା ଫୋନ୍ ଯୋଗେ ନିର୍ଦେଶ ଦେଇଥିଲେ । ଏହି ବାର୍ତ୍ତାଳାପର ରେକର୍ଡ ବିବିସି ଲିକ୍ କରି ଦେଇଥିଲା । ଏହାରି ଆଧାରରେ ଏବେ ବାଂଲାଦେଶରେ ମାମଲା ହୋଇଛି । ହାସିନା ଏବେ ଦେଶ ଛାଡ଼ଇ ଭାରତରେ ଆଶ୍ରୟ ନେଇଛନ୍ତି ।
….
୪.
ଆସୁଛି ନିଟ୍ ପିଜି-୨୦୨୫, ଠକଙ୍କୁ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ଦିଆଗଲା ପରାମର୍ଶ
ଆଗକୁ ନିଟ୍ ପିଜି-୨୦୨୫ ଆସୁଛି । କର୍ତ୍ତୃପକ୍ଷ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ଏଭଳି ସମୟରେ ଠକମାନଙ୍କୁ ସତର୍କ ରହିବାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗୁରୁବାର ଏ ସଂକ୍ରାନ୍ତ ଏକ ନୋଟିସ ମଧ୍ୟ ପ୍ରକାଶ ପାଇଛି । ନୋଟିସର ତଥ୍ୟ ଅନୁସାରେ ବୋର୍ଡର ମାତ୍ର ଦୁଇଟି ଅଫିସିଆଲ ୱେବସାଇଟ ରହିଛି । ତାହା ହେଲା: ନାଟବୋର୍ଡ ଡଟ୍ ଏଡୁ ଡଟ୍ ଇନ୍ ଏବଂ ଏନବି ଡଟ୍ ଏଡୁ ଡଟ୍ ଇନ୍ । ସେହିପରି ଏକ ମାତ୍ର ହ୍ୱାଟସଆପ ଚାନେଲ ରହିଛି । ଏକ୍ସ- ଟ୍ୱିଟର, ଟେଲିଗ୍ରାମ, ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ବୋର୍ଡର ଆକାଉଣ୍ଟ ନାହିଁ । ୨୦୨୦ ଜୁଲାଇ ପରଠାରୁ ବୋର୍ଡର ପ୍ରତ୍ୟେକ ନୋଟିସରେ ଏକ କୁ୍ୟଆର କୋଡ୍ ରହିଛି । ତାହାକୁ ସ୍କାନ କଲେ ଅଫିସିଆଲ ୱେବସାଇଟର ଲିଙ୍କ୍ ମିଳିପାରିବ ।
….
୫.
ଆମେରିକା ଯିବେ କି ? ୨୦୨୬ରେ ବଢ଼ିବ ଭିସା ଫି’ । ପ୍ରଭାବିତ ହେବେ ଟେକ୍ କମ୍ପାନି
ଆମେରିକା ଯିବାର ଯୋଜନା କରୁଛନ୍ତି କି? ୨୦୨୬ରେ ଭିସା ଫି’ ବୃଦ୍ଧି ପାଇଁ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି । ନିକଟରେ ଗୃହୀତ ହୋଇଥିବା ‘ବିଗ୍ ବିଉଟିଫୁଲ ବିଲ୍’ରେ ଏହି ପ୍ରାବଧାନ ରହିଛି । ନୂତନ ନିୟମ ଅନୁସାରେ ଏହି ଖର୍ଚ୍ଚ ପ୍ରାୟ ଅଢ଼େଇଗୁଣା ବୃଦ୍ଧି ପାଇ ୪୦ ହଜାର ଟଙ୍କା ହୋଇଛି । ଏହା ମଧ୍ୟରେ ଭିସା ଇଣ୍ଟେଗ୍ରିଟି ଫି’ ନାମରେ ୨୫୦ ଡଲାରର ନୂତନ ଦେୟ କରାଯାଇଛି । ଏହା ଦ୍ୱାରା ଟେକ୍ କମ୍ପାନି ଗୁଡ଼ିକ ବେଶୀ ପ୍ରଭାବିତ ହେବେ । କାରଣ ସେମାନେ ୱାର୍କ ଭିସା ଉପରେ ନିର୍ଭର କରନ୍ତି । ନୂତନ ନିୟମ ଟୁରିଷ୍ଟ/ବିଜିନେସ ପାଇଁ ବି-ୱାନ, ବି-ଟୁ ଭିସା, ଷ୍ଟୁଡେଣ୍ଟ ଏବଂ ଚାକିରିଆ ମାନଙ୍କ ୱାର୍କ ଭିସା ଏଚ-ୱାନବି, ଏକ୍ସଚେଞ୍ଜ -ଜେ ଭିସା ପାଇଁ ଲାଗୁ ବୋଲି କୁହାଯାଇଛି । ତେବେ ସୁରକ୍ଷାର କେତେକ ନିୟମ ପାଳନ କଲେ ଇଣ୍ଟେଗ୍ରିଟି ଫି’ ଫେରସ୍ତର ବ୍ୟବସ୍ଥା ରହିଛି ।
….
୬.
ବେଙ୍ଗଲି ଓ ବାଂଲାଦେଶୀ ପ୍ରସଙ୍ଗରେ ଟିଏମସି-ବିଜେପି ମୁହାଁମୁହିଁ
ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଅଟକ ପ୍ରସଙ୍ଗରେ ଟିଏମସି ଦୁଇ ଦିନ ତଳେ ଓଡ଼ିଶାକୁ ଚେତାବନି ଦେଇଥିଲା । ଏବେ ଏପରି ପ୍ରସଙ୍ଗରେ ଦିଲ୍ଲୀରେ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ପଶ୍ଚିମବଙ୍ଗର ୧୨ଶହ ଲୋକ ରହୁଛନ୍ତି । ସେମାନେ ପଶ୍ଚିମବଙ୍ଗ କୁଚବିହାର ଜିଲ୍ଲାର ମୂଳବାସିନ୍ଦା ବୋଲି ତୃଣମୂଳ କଂଗ୍ରେସ କହିଛି । ତେବେ ଦିଲ୍ଲୀରେ ସେମାନଙ୍କୁ ବାଂଲା ଅନୁପ୍ରବେଶୀ ଆଖ୍ୟା ଦିଆଯାଇଛି । ସେମାନେ ରହୁଥିବା କଲୋନିକୁ ପାଣି ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବେଙ୍ଗଲକୁ ବଦନାମ କରିବାକୁ ସର୍ବଦା ମୋଦି ଓ ଅମିତ ଶାହଙ୍କର ଏହା ଏକ ଉଦ୍ୟମ । ଟିଏମସି ପକ୍ଷରୁ ଏକ୍ସ ରେ ଏପରି ଅଭିଯୋଗ ହୋଇଛି । ଅବଶ୍ୟ ବିଜେପି ପକ୍ଷରୁ ଏଭଳି ପ୍ରଚାରକୁ ଖଣ୍ଡନ କରାଯାଇଛି । ଯାହାକିଛି ପଦକ୍ଷପ ନିଆଯାଇଛି କୋର୍ଟଙ୍କ ଅର୍ଡରେ ନିଆଯାଇଥିବା କହିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ।
…
୭.
ନିମ୍ନମାନର ନିର୍ମାଣ କାମ, ୨୪୩ କୋଟିର ବ୍ରିଜକୁ ବନ୍ଦ କଲେ କୋର୍ଟ
ରାଜସ୍ଥାନର ଆଜମେରରେ ନିର୍ମାଣ କରାଯାଇଛି ଏକ ବ୍ରିଜ । ଖର୍ଚ୍ଚ ହୋଇଥିଲା ୨୪୩ କୋଟି ଟଙ୍କା । ଦୁଇ ଦିନ ତଳେ ଏହା ଉଦଘାଟିତ ହୋଇଥିଲା । ଏବେ ଆଜମେର କୋର୍ଟ ଏହାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଲୋକଙ୍କ ଯାତାୟାତ ଉପର କଟକଣା ଲାଗୁ କରିବାକୁ କହିଛନ୍ତି । ବାସ୍ତବରେ ମୌସୁମୀ ଋତୁର ପ୍ରଥମ ବର୍ଷାରେ ନବନିର୍ମିତ ବ୍ରିଜର କିଛି ଅଂଶ ଖରାପ ହୋଇଯାଇଥିବା ଲୋକଙ୍କ ନଜରକୁ ଆସିଥିଲା । ବ୍ରିଜର ନିମ୍ନମାନର ନିର୍ମାଣ ବିଷୟ ପଦାକୁ ଆସିଥିଲା । ଲୋକମାନେ ପିଟିସନ ଜରିଆରେ କୋର୍ଟଙ୍କୁ ଅବଗତ କରାଇଥିଲେ । କୋର୍ଟ ହାଜର ହେବା ପାଇଁ ଆଜମେର ମହାନଗର ନିଗମ କର୍ତ୍ତୃପକ୍ଷ, ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କୁ ନୋଟିସ କରିଥିଲେ । ଗତ ୮ ତାରିଖରେ ସେମାନେ କେହି ହାଜର ହୋଇ ନଥିଲେ । ବାଧ୍ୟହୋଇ କୋର୍ଟ ପରବର୍ତ୍ତୀ ଶୁଣାଣିରେ ବ୍ରିଜଟିକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ।
…
୮.
୧୭ ବର୍ଷ ପରେ ପଶ୍ଚିମବଙ୍ଗକୁ ଅନାଇଲା ଟାଟା ଗ୍ରୁପ୍, ମମତାଙ୍କୁ ଭେଟିଲେ ଚେୟାରମ୍ୟାନ
ପୁଣି ପଶ୍ଚିମବଙ୍ଗ ମୁହାଁ ହୋଇଛି ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରରେ ହୋଇଛି ଆଲୋଚନା । ରାଜ୍ୟରେ ନିବେଶ କରିବାକୁ ନଟରାଜନ ଦେଇଛନ୍ତି ପ୍ରତିଶ୍ରୁତି । ରାଜ୍ୟରେ ପୁଣି ଶିଳ୍ପ ହସିଉଠିବ ବୋଲି ଆଶା ପ୍ରକାଶ କରିଛି କ୍ଷମତାସୀନ ତୃଣମୂଳ କଂଗ୍ରେସ । ୧୭ ବର୍ଷ ତଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ସିପିଏମ ନେତା ସ୍ୱର୍ଗତ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ରାଜ୍ୟର ସିଙ୍ଗୁରରେ ନାନୋ କାର୍ ପାଇଁ ପ୍ଲାଣ୍ଟ ନିର୍ମାଣ କରୁଥିଲା ଟାଟା କମ୍ପାନି । ଏହା ବିରୋଧରେ ଭୟଙ୍କର ଆନେ୍ଦାଳନ କରିଥିଲେ ସେ ସମୟର ବିରୋଧୀ ଦଳ ନେତ୍ରୀ ମମତା ବାନାର୍ଜୀ । ଚାଷୀଙ୍କ ୪ଶହ ଏକର ଜମି ଫେରାଇବାକୁ କରିଥିଲେ ଦାବି । ବାଧ୍ୟ ହୋଇ ରାଜ୍ୟ ଛାଡ଼ିଥିଲା ଟାଟା କମ୍ପାନି । ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଗୁଜରାଟରେ ପ୍ଲାଣ୍ଟ ବସାଇଥିଲା ଟାଟା ଗ୍ରୁପ୍ ।
…
୯.
ପାକିସ୍ତାନରେ ସରକାରଙ୍କ ସମାଲୋଚକଙ୍କୁ ଚେତାବନୀ, ୨୭ ୟୁଟୁ୍ୟବ ଚାନେଲ ନିଷିଦ୍ଧ
ପାକିସ୍ତାନ ସରକାର ସମାଲୋଚକଙ୍କ କଣ୍ଠରୋଧ ପାଇଁ ଉଦ୍ୟମ କରିଛନ୍ତି । ସରକାରଙ୍କୁ ନିନ୍ଦା କରିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ୨୭ଟି ୟୁଟୁ୍ୟବ ଚାନେଲକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ଏମାନେ ସରକାରଙ୍କ ନୀତି ନିୟମକୁ କଠୋର ସମାଲୋଚନା କରୁଥିଲେ । ଏସବୁ ଚାନେଲ କେତେକ ସାମ୍ବାଦିକ ଓ କ୍ରିଟିକଙ୍କର ରହିଛି । ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାର୍ଟିର ଚାନେଲକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଏଥିସହ ଆବଶ୍ୟକ ପଡ଼ିଲେ ଏମାନଙ୍କ ବିରୋଧରେ ଫୌଜଦାରୀ ମାମଲା ହେବ ବୋଲି ସରକାର କହିଛନ୍ତି ।
….
୧୦.
ଡିଜିଟାଲ ପେମେଣ୍ଟ ସମୟରେ ସତର୍କ ରହିବାକୁ ଏନପିସିଆଇର ପରାମର୍ଶ
ଡିଜିଟାଲ ପେମେଣ୍ଟ ଏବେ ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି । ଆପଣମାନେ ଯଦି ଡିଜିଟାଲ ପେମେଣ୍ଟ କରୁଛନ୍ତି ସତର୍କ ରୁହନ୍ତୁ । ଏଭଳି ପରାମର୍ଶ ଦେଇଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ । ଆକାଉଣ୍ଟଧାରୀ ମାନେ କେତେକ ନିୟମ ମାନିବାକୁ କୁହାଯାଇଛି । କୌଣସି ଆକାଉଣ୍ଟକୁ ପେମେଣ୍ଟ କରିବା ପୂର୍ବରୁ ଦୁଇଥର ଭଲ ଭାବେ ଚେକ୍ କରନ୍ତୁ । ତରତର ହେଉଥିଲେ ସମସ୍ୟା ହେବ । ଭୀମ୍, ଗୁଗଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି ବିଶ୍ୱାସଯୋଗ୍ୟ ଆପ୍ ବ୍ୟବହାର କରନ୍ତୁ । ଅଜଣା ସୂତ୍ରରୁ ଆସିଥିବା ମେସଜ୍, ଇମେଲ କିମ୍ବା ସୋସିଆଲ ମିଡିଆ ଲିିଙ୍କକୁ କ୍ଲିକ କରନ୍ତୁ ନାହିଁ । ୟୁନିଆଇ ପିନ୍, ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ କାହାକୁ ଦିଅନ୍ତୁ ନାହିଁ । ଏପରିକି ବ୍ୟାଙ୍କ କର୍ମଚାରୀ/ଅଧିକାରୀ ହୋଇଥିଲେ ବି ବିଶ୍ୱାସକୁ ନିଅନ୍ତୁ ନାହିଁ । ପେମେଣ୍ଟ ପାଇଁ ଘନ ଘନ ଚାପ ହେଉଥିଲେ ସନେ୍ଦହ କରନ୍ତୁ । ଏସଏମଏସ ଓ ଆପ୍ ନୋଟିଫିକେସନକୁ ଭଲ ଭାବେ ବୁଝନ୍ତୁ, ସନେ୍ଦହ ହେଲେ ଅଭିଯୋଗ କରନ୍ତୁ ।
…
୧୧.
ବଢ଼ୁଛି କୁଇକ୍ କମର୍ସ ପ୍ଲାଟଫର୍ମର ଚାହିଦା, ବର୍ଷକରେ ୬୪ ହଜାର କୋଟିର କାରବାର
ଭାରତରେ ବ୍ଲିଙ୍କିଟ ଏବଂ ଇନଷ୍ଟାମାର୍ଟ ଭଳି କୁଇକ୍ କମର୍ସ ପ୍ଲାଟଫର୍ମର ଚାହିଦା ବଢ଼ୁଛି । ତଥ୍ୟରୁ ଜଣାପଡ଼ିଛି, ୨୦୨୪ରେ ଏସବୁ ପ୍ଲାଟଫର୍ମରେ ୩୦ହଜାର କୋଟିର କାରବାର ହୋଇଥିଲା । ୨୦୨୫ ଆର୍ଥିକ ବର୍ଷରେ ଏହା ୬୪ ହଜାର କୋଟିକୁ ଛୁଇଁଛି । ୨୦୨୮ ବେଳକୁ ୨ ଲକ୍ଷ କୋଟି ଟଙ୍କା ଛୁଇଁବା ଆକଳନ କରାଯାଇଛି । ଏସବୁ କମ୍ପାନିର ରାଜସ୍ୱ ଆୟ ୨୦୨୨ରେ ୪୫୦ କୋଟି ଥିଲା । ୨୦୨୫ରେ ଏହା ୧୦ହଜାର ୫ଶହ କୋଟି ଛୁଇଁଛି । ୨୦୨୮ ବେଳକୁ ୩୪ ହଜାର ୫ଶହ କୋଟି ହେବା ଅନୁମାନ । ଏହାସତ୍ତ୍ୱେ ଏହି କାରବାର ଦେଶର ମୋଟ ଗ୍ରୋସେରୀ କାରବାରର ମାତ୍ର ୧ ପ୍ରତିଶତ । ତେଣୁ ଟାୟର-୨ ଓ ଟାୟର-୩ ସହର ଉପରେ ଏବେ କମ୍ପବାନିର ନଜର । ଅନଲାଇନ ସପିଙ୍ଗରେ ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ । ୨୦୨୪ରେ ଦେଶରେ ୨୭୦ ମିଲିଅନ ଡିଜିଟାଲ କ୍ରେତା ଥିଲେ । ୨୦୨୫ରେ ଦେଶରେ ୧.୧୨ ବିଲିଅନ ମୋବାଇଲ ସଂଯୋଗ ରେକର୍ଡ ହୋଇଛି ।
…
12.
କାନାଡ଼ାରେ କପିଲ ଶର୍ମାଙ୍କ କେଫକୁ ଗୁଳିମାଡ଼, ଖଲିସ୍ତାନୀ ଆତଙ୍କୀଙ୍କ କାରନାମା
କମେଡିଆନ କପିଲ ଶର୍ମାଙ୍କ କେଫକୁ ଗୁଳିମାଡ଼ । କାନାଡ଼ାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ସହରରେ ଏହା ଘଟିଛି । କେଫର ନାମ କ୍ୟାପସ୍ କେଫ୍ । ଗତ ୭ ତାରିଖରେ ନିଜେ କପିଲ ଏହାକୁ ଉଦଘାଟନ କରିଥିଲେ । ବୁଧବାର ରାତିରେ କେଫ୍ ଉପରକୁ ୭ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଏଥିରେ କେହି ମୃତାହତ ହୋଇନାହାନ୍ତି । ଏଥିପାଇଁ ଖଲିସ୍ତାନୀ ଆତଙ୍କୀ ହରଜିତ ସିଂହ ଲାଡ଼ି ନିଜକୁ ଦାୟୀ କରିଛି । ହରଜିତ ମୋଷ୍ଟ ୱାଣ୍ଟେଡ ଆତଙ୍କୀ । ବାବର ଖାଲସା ଗ୍ରୁପ୍ ସହ ସେ ଜଡ଼ିତ । ଗୁଳିମାଡ଼ର ଭିଡିଓ ବି ଆତଙ୍କୀ କରିଛନ୍ତି । ଏହାକୁ ପରେ ସୋସିଆଲ ମିଡିଆରେ ସେମାନେ ପୋଷ୍ଟ କରିଛନ୍ତି ।
..
13.
ବେଟିଂ ଆପ୍ ପ୍ରଚାର ମାମଲା, ଇଡି ଜାଲରେ ପଡ଼ିଛନ୍ତି ୨୯ ସେଲିବ୍ରିଟି
ଅବୈଧ ବେଟିଂ ଆପ୍ ପ୍ରଚାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ତତ୍ପର ହୋଇଛି । ୨୯ ଜଣ ସେଲିବ୍ରିଟିଙ୍କ ନାମରେ ହୋଇଛି ମାମଲା । ସେମାନଙ୍କୁ ଖୁବ ଶୀଘ୍ର ନୋଟିସ ଜାରି କରାଯିବ । ହାଇଦ୍ରାବାଦ ପୁଲିସ ପକ୍ଷରୁ ହୋଇଥିବା ଏକ ଏତଲା ବଳରେ ଏହି ମାମଲା ହୋଇଛି । ଗତ ମାଚ୍ଚ ୨୧ ତାରିଖରେ ବ୍ୟବସାୟୀ ଫନିନ୍ଦ୍ର ଶର୍ମା ଏହି ଏତଲା ଦେଇଥିଲେ । ମାମଲାର ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତିି ବିଜୟ ଦେବରକୋଣ୍ଡା, ପ୍ରଣୀତା ସୁଭାଷ, ରାଣା ଦାଗୁବତୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ମାଞ୍ଚୁ ଲକ୍ଷ୍ମୀ, ଶ୍ରୀମୁଖୀ ଏବଂ ୟୁଟୁ୍ୟବର ହର୍ଷ ସାଇ । ଏମାନଙ୍କ୍ୁ ପଚାରାଉଚୁରା ପାଇଁ ଶୀଘ୍ର ଇଡି ନୋଟିସ କରିବ । ମୋଟା ଅଙ୍କର ଅର୍ଥ ନେଇ ଏମାନେ ବେଆଇନ ବେଟିଂ ଆପ୍ ର ପ୍ରଚାର କରିଥିଲେ । ଏତିରେ ପ୍ରଭାବିତ ହୋଇ ବହୁ ଲୋକ ଆପ୍ ରେ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ ।
…
14.
ୟୁକ୍ରେନ ଉପରେ ୪୦୦ ଡ୍ରୋନ, ୧୮ ମିସାଇଲ ମାଡ଼ କଲା ରୁଷ୍
ୟୁକ୍ରେନ ଉପରେ ରୁଷ ପୁଣି ଥରେ ଭୟଙ୍କର ଆକ୍ରମଣ କରିଛି । ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏଭଳି ଆକ୍ରମଣ ଜାରି ଥିଲା । ରାଜଧାନୀ କିଏଭକୁ ଟାର୍ଗେଟ କରି ୪୦୦ ଡ୍ରୋନ ଓ ୮ ମିସାଇଲ ମାଡ଼ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତୁ୍ୟ ହୋଇଛି । ୧୬ ଜଣ ଆହତ ହୋଇଛନ୍ତି । ଏୟାର ଷ୍ଟ୍ରାଇକ ବେଳେ ସମଗ୍ର ସହର ଶୋଇଥିଲା । ମିସାଇଲ ମାଡ଼ରେ ଅନେକ ଅଟ୍ଟାଳିକା,ଗୋଦାମ, ଗାଡ଼ି ଧ୍ୱଂସ ହୋଇଯାଇଛି । ବହୁ ସ୍ଥାନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଏକ ଡାକ୍ତରଖାନା ମଧ୍ୟ ଧ୍ୱଂସ ହୋଇଯାଇଛି । ଦୁଇ ଦିନ ମଧ୍ୟରେ ୟକ୍ରେନ ଉପରେ ୭୨୮ଟି ଡ୍ରୋନ ମାଡ଼ ହୋଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ।
..
15.
ଚଳଚ୍ଚିତ୍ର ‘ଉଦୟପୁର ଫାଇଲସ’ ରିଲିଜ ଉପରେ କୋର୍ଟଙ୍କ ରୋକ୍
ଏବେ ମୁକ୍ତିଲାଭ କରିପାରିବନି ଚଳଚ୍ଚିତ୍ର ‘ଉଦୟପୁର ଫାଇଲସ’ । ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ଆଜି ଏହା ମୁକ୍ତିଲାଭ କରିବାର ଥିଲା । ଏଥିସହ ଚଳଚ୍ଚିତ୍ରର ସମୀକ୍ଷା ଲାଗି ସିବିଏଫସି ନିକଟରେ ଆବେଦନ କରିବାକୁ ପିଟିସନକାରୀଙ୍କୁ କୋର୍ଟ କହିଛନ୍ତି । ଦୁଇ ଦିନ ମଧ୍ୟରେ ସେ ଆବେଦନ କରିବେ । ସାତ ଦିନ ମଧ୍ୟରେ କେନ୍ଦ୍ର ସରକାର ଚଳଚ୍ଚିତ୍ରର ଭାଗ୍ୟ ନିର୍ଦ୍ଧାରଣ କରିବେ । ସେ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ହୋଇପାରିବ ନାହିଁ । ୨୦୨୨ରେ ଉଦୟପୁରରେ ହୋଇଥିବା କହ୍ନେୟାଲାଲ ନାମକ ଟେଲରଙ୍କ ହତ୍ୟା ଘଟଣାକୁ ନେଇ ଚଳଚ୍ଚିତ୍ରଟି ତିଆରି ହୋଇଛି । ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ଏକ ବିବୃତିକୁ ସେ ସମର୍ଥନ କରିଥିବାରୁ ହତ୍ୟାର ଶିକାର ହୋଇଥିଲା । ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି । ପୂର୍ବରୁ ୧୫୦ଟି କଟ୍ ସହ ସିବିଏଫସି ଏହାର ମୁକ୍ତିଲାଭ ପାଇଁ ସବୁଜ ସଙ୍କେତ ଦେଇଥିଲେ ।
..
16.
ଆଜି ଆସିବେ ରାହୁଲ ଗାନ୍ଧୀ, ଖଡଗେ; କଂଗ୍ରେସ କର୍ମୀ ଉତ୍ସାହିତ
ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭୁବନେଶ୍ୱର ଆସୁଛନ୍ତି । ସାଙ୍ଗରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଉଭୟେ ଯୋଗ ଦେବେ । ସମଗ୍ର ରାଜଧାନୀ କଂଗ୍ରେସର ବ୍ୟାନର ଓ ହୋର୍ଡିଙ୍ଗରେ ଛାଇଯାଇଛି । ଦୁଇ ନେତା ଅପରାହ୍ଣରେ ରାଜ୍ୟ କାର୍ଯ୍ୟାଳୟରେ ଦଳର ନେତାମାନଙ୍କ ସହ ଆଲୋଚନା କରିବେ । ପିସିସି ସଭାପତି ଭକ୍ତଚରଣ ଦାସ ଓ ଦଳର ନେତାମାନେ ରାହୁଲଙ୍କ ସମାବେଶକୁ ସଫଳ କରିବାକୁ ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହୋଇଛି । ସରକାରଙ୍କ ବିଭିନ୍ନ ତ୍ରୁଟିକୁ ରାହୁଲ ତାଙ୍କ ସମ୍ବୋଧନରେ ଟାର୍ଗେଟ କରିବା ନଶ୍ଚିତ । ଏଥିପାଇଁ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି ।
…
17.
ପାକ୍ ସେନାକୁ ନାକେଦମ୍ କରୁଛି ବେଲୁଚ ଆର୍ମି, ୧୭ ସ୍ଥାନରେ ଏକକାଳୀନ ଆକ୍ରମଣ
ପାକିସ୍ତାନର ସେନାକୁ ନାକେଦମ୍ କଲାଣି ବେଲୁଚ ଆର୍ମି । ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାଳୀନ ୧୭ଟି ସ୍ଥାନରେ କରିଛି ଆକ୍ରମଣ । ସେନା ବିରୋଧରେ ବେଲୁଚିସ୍ତାନ ଲିବରେସନ ଆର୍ମି ଆରମ୍ଭ କରିଛି ‘ଅପରେସନ ବାମ୍’ । ବେଲୁଚିସ୍ତାନର ପଞ୍ଜଗୁର, ସୁରାବ, କେଚ୍, ଖରାନ ଆଦି ଜିଲ୍ଲାରେ ଆକ୍ରମଣ ହୋଇଛି । ବେଲୁଚ ନେତା କହିଛନ୍ତି, ‘ଅପରେସନ ବାମ୍’ର ଲକ୍ଷ୍ର ସ୍ୱତନ୍ତ୍ର ବେଲୁଚିସ୍ତାନ ଗଠନ । ସ୍ୱତନ୍ତ୍ର ଦେଶ ଗଠନ ଲଢ଼େଇ ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ଶୀଘ୍ର ଏହା ନୂଆ ସକାଳ ଦେଖିବ ।
..
18.
୨୦୨୬ ଜାନୁଆରୀ ୮ରୁ ଭୁବନେଶ୍ୱରରେ ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତିକ ଏକ୍ସପୋ
ଭୁବନେଶ୍ୱରରେ ହେବ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତିକ ଏକ୍ସପୋ । ଏକ୍ସପୋର ଏହି ଚତୁର୍ଥ ସଂସ୍କରଣର ୨୦୨୬ ଜାନୁଆରୀ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।୨୦୨୬ ଓ ୨୦୪୭ ଓଡ଼ିଶା ଭିଜନକୁ ଦୃଷ୍ଟିରେ ରଖି ଏହି ଏକ୍ସପୋ ହେବ । ରାଜ୍ୟର ଖଣି ଇକୋ ସିଷ୍ଟମକୁ ଏହା ପ୍ରୋତ୍ସାହିତ କରିବ । ଏହି ପ୍ରଦର୍ଶନୀ ଶିଳ୍ପପତି, ଖଣି କର୍ମଚାରୀ, ଉଦଭାବକ ଏବଂ ଶିଳ୍ପ ବିଶେଷଜ୍ଞଙ୍କୁ ଏକାଠି କରିବ ।
…
19.
କେନ୍ଦ୍ରକୁ ସହଯୋଗ ମାଗିଲେ ମୋହନ, ପ୍ରତି ପଞ୍ଚାୟତରେ ମିଳୁ ବ୍ୟାଙ୍କ, ଇଣ୍ଟରନେଟ ସେବା
ବିକଶିତ ଓଡ଼ିଶା ଗଠନ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଓ ଇଣ୍ଟରନେଟ ସେବା ଜରୁରି । କେନ୍ଦ୍ର ସହଯୋଗ କଲେ ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିବ । ରାଞ୍ଚିରେ ଅନୁଷ୍ଠିତ ୨୭ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୪ ହଜାର ୩୭୩ ପଂଚାୟତରେ ବ୍ୟାଙ୍କ ଶାଖା ନାହିଁ । ଅଧିକାଂଶ ପଂଚାୟତରେ ଇଣ୍ଟରନେଟ ସେବା ନାହିଁ । ଏସବୁ ସୁବିଧା କରିବାକୁ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ ପୁରୀରେ ହେବ ବୋଲି ସେ କହିଥିଲେ ।
…
20.
ନବୀନ ପଟ୍ଟନାୟକ ଏବେ ସୁସ୍ଥ, ଆସନ୍ତାକାଲି ରାଜ୍ୟକୁ ଫେରିବେ
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ସୁସ୍ଥ । ଆସନ୍ତାକାଲି ସେ ଭୁବନେଶ୍ୱର ଫେରିବେ । ଏହି ସୂଚନା ଦେଇଛନ୍ତି ବିଜେଡି ନେତାମାନେ । ଶନିବାର ପୂର୍ବାହ୍ନ ୧୧ଟା ୫୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କୁ ବହୁ ସଂଖ୍ୟକ କର୍ମୀ ଓ ଶୁଭେଚ୍ଛୁ ବିମାନବନ୍ଦରରେ ସ୍ୱାଗତ କରିବେ । ସର୍ଭାଇକାଲ ଆର୍ଥାଇଟିସ୍ ର ଚିକିତ୍ସା ପାଇଁ ନବୀନ ଗତ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ତାଙ୍କର ଅପରେସନ ହୋଇଥିଲା । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ସମଗ୍ର ରାଜ୍ୟରେ ତାଙ୍କ ଶୁଭେଚ୍ଛୁ ମାନେ ପ୍ରାର୍ଥନା କରିଥିଲେ ।
…..
21.
ଗୁରୁଗ୍ରାମରେ ବାପା ହାତରେ ଜାତୀୟ ସ୍ତରର ଟେନିସ୍ ଖେଳାଳି ଝିଅର ମୃତ୍ୟୁ
ଗୁରୁଗ୍ରାମର ସୁଶାନ୍ତ ଲୋକ ଅଞ୍ଚଳରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି, ଯେଉଁଠାରେ ଜଣେ ବାପା ନିଜ ୨୫ ବର୍ଷୀୟ ଝିଅକୁ ଗୁଳି କରି ହତ୍ୟା କରିଛି। ମୃତ ରାଧିକା ଯାଦବ ଜଣେ ଜାତୀୟ ସ୍ତରର ଟେନିସ୍ ଖେଳାଳି ଥିଲେ | ନିଜର ଏକ ଟେନିସ୍ ଏକାଡେମୀ ଚଳାଉଥିଲେ। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଝିଅ ଟେନିସ୍ ଏକାଡେମୀ ଚଳାଉଥିବାରୁ ବାପା ଦୀପକ ଯାଦବ ଅସନ୍ତୁଷ୍ଟ ଥିଲେ | ଏହାକୁ ବନ୍ଦ କରିବା ପାଇଁ ଝିଅ ଉପରେ ଚାପ ପକାଉଥିଲେ। ଗୁରୁବାର ସକାଳେ ଘରେ ଏହି କଥାକୁ ନେଇ ସେ ରାଗିଯାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ରାଧିକାଙ୍କୁ ଗୁଳି କରିଥିଲେ। ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।
…..
22.
ଗଞ୍ଜାମ ଜିଲ୍ଲା କୋର୍ଟରେ ନିଯୁକ୍ତି ସୁଯୋଗ
ଗଞ୍ଜାମ ଜିଲ୍ଲା କୋର୍ଟ ପକ୍ଷରୁ ଜୁନିଅର ଟାଇପିଷ୍ଟ, ଷ୍ଟେନୋଗ୍ରାଫର, କିରାଣୀ ଏବଂ ସଲାରିଡ୍ ଆମିନ ଭଳି ମୋଟ ୭୫ଟି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଅଫଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ, ଯାହା ୯ ଜୁଲାଇ ରୁ ଆରମ୍ଭ ହୋଇ ୮ ଅଗଷ୍ଟରେ ଶେଷ ହେବ। ଏହି ପଦବୀଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଥିବା ବେଳେ ବୟସ ସୀମା ୧୮ରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ବିବରଣୀ ଏବଂ ଆବେଦନ ଫର୍ମ ପାଇଁ ଜିଲ୍ଲା କୋର୍ଟର ଅଫିସିଆଲ୍ ୱେବସାଇଟ୍ ganjam.dcourts.gov.in ପରିଦର୍ଶନ କରିପାରିବେ।
…..
23.
ରୁଷ୍ ଉପରେ ଆମେରିକାର ପ୍ରତବନ୍ଧକ, ନୂଆବିଲ୍ କୁ ଟ୍ରମ୍ପଙ୍କ ସମର୍ଥନ
ୟୁକ୍ରେନ ଯୁଦ୍ଧରୁ ରୁଷ୍ ଓହରୁନାହିଁ । ଏଥିରେ କ୍ଷୁବ୍ଧ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲଡ ଟ୍ରମ୍ପ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଉପରେ ଚାପ ପକାଇବାକୁ କରିଛନ୍ତି ନୂଆ ଯୋଜନା । ସାଙ୍କସିନିଂ ରୁଷିଆ ଆକ୍ଟ- ୨୦୨୫ ବିଲକୁ କରିଛନ୍ତ ସମର୍ଥନ । ଏହି ବିଲ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଦ୍ଦିଷ୍ଟ । ଏହାର ପ୍ରସ୍ତାବ ଅନୁସାରେ, ରୁଷରୁ ଶକ୍ତି ଉତ୍ପାଦ କ୍ରୟ କଲେ ଭାରତ ଓ ଚୀନ୍ ଭଳି ଦେଶ ଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗିବ । ତେବେ ଏହି ବିଲରେ ଟ୍ରମ୍ପ ଚୂଡ଼ାନ୍ତ ଦସ୍ତଖତ କରିବା ବାକି ଅଛି । ଏହା ଫଳରେ ରୁଷରୁ ଅଶୋଧିତ ତୈ÷ଳ, ପ୍ରାକୃତିକ ଗ୍ୟାସ, ୟୁରାନିୟମ ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ରୟ କରୁଥିବା ଦେଶଗୁଡ଼ିକ ଅସୁବିଧାରେ ପଡ଼ିବେ । କିନ୍ତୁ ଭାରତ-ଆମେରିକା ସମ୍ପର୍କରେ ଏହା ପ୍ରଭାବ ପକାଇପାରେ ।
…
24.
ଚତୁର୍ଥ ମହିଳା ଟି-ୱେଣ୍ଟି ଜିତିଲା ଭାରତ, ସିରିଜ ବିଜୟ
ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଐତିହାସିକ ଟି-ଟ୍ୱେଣ୍ଟି ସିରିଜ୍ ଜିତିଛି । ଚତୁର୍ଥ ଟି-ଟ୍ୱେଣ୍ଟିରେ ଇଂଲଣ୍ଡକୁ ୬ ୱିକେଟରେ ହରାଇଛି । ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱକେଟ ହରାଇ କରିଥିଲା ୧୨୬ ରନ୍ । ଭାରତ ୧୮ଟି ବଲ୍ ବାକି ଥାଇ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ୩-୧ରେ ସିରିଜ୍ କବଜା କରିପାରିଛି । ପ୍ରଥମଥର ଇଂଲଣ୍ଡକୁ ତା’ ମାଟିରେ ଭାରତୀୟ ମହିଳା ଦଳ ସିରିଜ୍ ପରାଜୟ ଦେଇଛି । ଆସନ୍ତା ୧୨ ତାରିଖରେ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ ।
..
25.
ଫିଫା ମାନ୍ୟତାରେ ଖସିଲା ଭାରତ, ୧୩୩ ତମ ସ୍ଥାନରେ ରହିଲା
ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟରେ ହଂକଂ ଠୁ ପରାସ୍ତ ହୋଇଛି ଭାରତ । ଫଳରେ ଫିଫା ମାନ୍ୟତା ତାଲିକାରେ ତଳକୁ ଖସିଯାଇଛି ଭାରତ । ୬ଟି ସ୍ଥାନ ତଳକୁ ଖସି ୧୩୩ ତମ ସ୍ଥାନରେ ଅଛି ।ଭାରତର ପୁରୁଷ ଫୁଟବଲ ଟିମ୍ ପାଇଁ ଏହା ଚିନ୍ତାର ବିଷୟ । ବିଗତ ୯ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ଖରାପ ପ୍ରଦର୍ଶନ । ୨୦୧୬ ଡିସେମ୍ବର ମାସରେ ଭାରତ ୧୩୫ ତମ ସ୍ଥାନରେ ଥିଲା । କିନ୍ତୁ ୨୦୨୩ ମସିହାରେ ଚମକ୍ରାର ପ୍ରଦର୍ଶନ କରି ୩ଟି ଟ୍ରଫି ଜିତିଥିଲା । ଫଳରେ ୧୦୦ ଦଳ ମଧ୍ୟରେ ପ୍ରବେଶ କରିଥିଲା । ୧୯୯୬ ମସିହା ଫେବ୍ରୁଆରୀରେ ଭାରତ ୯୪ତମ ସ୍ଥାନରେ ଥିଲା । ଯାହାକି ଦଳର ଶ୍ରେଷ୍ଠ ମାନ୍ୟତା ।
…
26.
ଲାଞ୍ଚ ନେଇ ଧରାପଡ଼ିଲେ ଏମସିଏଲ ମୁଖ୍ୟ ପ୍ରବନ୍ଧକ, ଜେଲ ପଠାଇଲା ସିବିଆଇ
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଏମସିଏଲ୍ ମୁଖ୍ୟ ପ୍ରବନ୍ଧକ ଅଖିଳେଶ ବର୍ମା । ସେ ବସୁନ୍ଧରା କୋଇଲା ଖଣି କାର୍ଯ୍ୟାଳୟ କ୍ଳେମ କମିଶନ ବିଭାଗର ମୁଖ୍ୟ ପ୍ରବନ୍ଧକ ଥିଲେ । ଜଣେ ବ୍ୟକ୍ତି କ୍ଷତିପୂରଣ ଅର୍ଥ ପାଇବାକୁ ଆବେଦନ କରିଥିଲେ । ଏଥିପାଇଁ ଶ୍ରୀ ବର୍ମା ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ଏ ସମ୍ପର୍କରେ ବ୍ୟକ୍ତି ଜଣଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ପରେ ଶ୍ରୀ ବର୍ମା ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ଜାମିନ ନମଂଜୁର ହୋଇଯିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିବା ସିବିଆଇ କହିଛି ।
..
27.
ଅବକାରୀ ବିଭାଗ ଗଞ୍ଜେଇ ଖୋଜୁଥିଲା, ପାଇଲା ୧୧୦ କିଲୋ ରୁପା
ସମ୍ବଳପୁର ଜିଲ୍ଲା ରେଙ୍ଗାଳି ନିକଟରେ ଛକିଥିଲା ଅବକାରୀ ଟିମ୍ । ଖବର ମିଳିଥିଲା ଚୋରାରେ ଗଞ୍ଜେଇ ଚାଲାଣ ହେଉଛି । ଗୁଇନ୍ଦା ସୂଚନା ଅନୁସାରେ ଏକ କାରକୁ ଅଟକାଗଲା । କାରରେ ଥିବା ଗୁଜରାଟର ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଅଣାଗଲା । ତଲାସୀ ପରେ କାରରୁ ଗଞ୍ଜେଇ ବଦଳରେ ମିଳିଥିଲା ରୁପା ଇଟା ଓ ବିସ୍କୁଟ । ଏହାର ଓଜନ ଥିଲା ୧୧୦ କିଲୋ । ଯାହାର ଆନୁମାନିକ ମୂଲ୍ୟ ହେବ ୧ କୋଟି ୩୨ ଲକ୍ଷ ଟଙ୍କା । ପଚରାଉଚୁରାରୁ ଜଣାପଡ଼ିଛି, ରୁପା ମହାରାଷ୍ଟ୍ରରୁ ଚାଲାଣ ହେଉଥିଲା । ଟାଟାନଗର ଓ ରାଞ୍ଚିରେ ଏହାକୁ ଡେଲିଭରୀ ଦେବାକୁ ଅର୍ଡର ଥିଲା । ଘଟଣାର ଯାଞ୍ଚ କରୁଛି ଜିଏସଟି ବିଭାଗ । ଗତବର୍ଷ ଅକ୍ଟୋବରରେ ମଧ୍ୟ ଏଠାରେ ଏକ କାରରୁ ୧ କ୍ୱିଣ୍ଟାଲ ୬୬ କିଲୋ ରୁପା ଜବତ ହୋଇଥିଲା ।
….
28.
ସେୟାର ବଜାରରେ ପୁଣି ହ୍ରାସ, ସେନସେକ୍ସ ୩୪୫ ପଏଣ୍ଟ ଖସିଲା
ଭାରତୀୟ ସେୟାର ବଜାର ଗୁରୁବାର ଲଗାତାର ଦ୍ଵିତୀୟ ଦିନ ପାଇଁ ହ୍ରାସ ସହ ବନ୍ଦ ହୋଇଛି। ବଜାରରେ ଅସ୍ଥିରତା ଏବଂ କୌଣସି ନୂଆ ସକାରାତ୍ମକ ଖବର ନଥିବାରୁ ନିବେଶକମାନେ ସତର୍କତା ଅବଲମ୍ବନ କରିଥିଲେ। କାରବାର ଶେଷରେ ସେନସେକ୍ସ ୩୪୫ ପଏଣ୍ଟ ଖସି ୮୩,୧୯୦ରେ ଏବଂ ନିଫ୍ଟି ୧୨୧ ପଏଣ୍ଟ ଖସି ୨୫,୩୫୫ରେ ବନ୍ଦ ହୋଇଛି। କାରବାରରେ ମିଡ୍-କ୍ୟାପ୍ ସୂଚକାଙ୍କ ହ୍ରାସ ପାଇଥିବା ବେଳେ ସ୍ମଲ୍-କ୍ୟାପ୍ରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ମାରୁତି ଓ ଟାଟା ଷ୍ଟିଲ୍ ଭଳି କମ୍ପାନୀର ସେୟାର ଲାଭରେ ଥିବାବେଳେ, ଭାରତୀ ଏୟାରଟେଲ୍ ଏବଂ ଏସିଆନ୍ ପେଣ୍ଟସର ସେୟାର ସବୁଠୁ ଅଧିକ କ୍ଷତି ସହିଥିଲା। ବଜାରରେ ଅଧିକାଂଶ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
…..
29.
ଚଳିତ ମାସ ହିତାଧିକାରୀଙ୍କୁ ମିଳିବ ଗହମ, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ
ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ ମିଳିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ କରାଯିବ । ଯେତିକି ଗହମ ମହଜୁଦ ଅଛି ତାକୁ ବଣ୍ଟାଯିବ । ଏହାକୁ ନଷ୍ଟ ନ କରିବାକୁ ନିର୍ଦେଶ ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରରୁ ଗହମ ଆସିଲେ ବଣ୍ଟନ କରାଯିବ । ହିତାଧିକାରୀଙ୍କୁ ଗହମ ବାଣ୍ଟିବାକୁ ଗତବର୍ଷ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା । ମାତ୍ର ପରିବହନ ସଂସ୍ଥା ଚୂଡ଼ାନ୍ତ ହୋଇ ପାରିନଥିଲା । ତେଣୁ ତାହା ପଡ଼ି ରହିଥିଲା । କିନ୍ତୁ ନଷ୍ଟ ହେବାର ଆଶଙ୍କା ଥିବାରୁ ତୁରନ୍ତ ବଣ୍ଟନ କରିବାକୁ କୁହାଯାଇଛି ।
….
30.
ଇଂଲଣ୍ଡ-ଭାରତ ତୃତୀୟ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡର ଦୃଢ଼ ସ୍ଥିତି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମୁକାବିଲା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୪ ୱିକେଟ୍ ହରାଇ ୨୫୧ ରନ୍ ସଂଗ୍ରହ କରି ଏକ ମଜବୁତ ସ୍ଥିତିରେ ପହଞ୍ଚିଛି। ଦଳର ପ୍ରମୁଖ ବ୍ୟାଟର ଜୋ ରୁଟ୍ ଚମତ୍କାର ପ୍ରଦର୍ଶନ କରି ୯୯ ରନ୍ରେ ଅପରାଜିତ ଅଛନ୍ତି ଏବଂ ନିଜ ଶତକଠାରୁ ମାତ୍ର ୧ ରନ୍ ଦୂରରେ ଅଛନ୍ତି। ତାଙ୍କ ସହ ବେନ୍ ଷ୍ଟୋକ୍ସ ୩୯ ରନ୍ କରି କ୍ରିଜରେ ରହିଛନ୍ତି। ବର୍ତ୍ତମାନ ସିରିଜ୍ ୧-୧ରେ ବରାବର ଥିବାରୁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।