ହୋର୍ମୁଜ ଅତିକ୍ରମ କଲା ଦୁଇଟି ଭାରତୀୟ ଟ୍ୟାଙ୍କର, ମୁମ୍ବାଇରେ ପହଞ୍ଚିଲାଣି ଅନ୍ୟ ଏକ ଟ୍ୟାଙ୍କର
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବେଳେ ଭାରତ ପାଇଁ ଆସିଛି ଖୁସି ଖବର । ମୃତୁ୍ୟଯନ୍ତା ପାଲଟିଥିବା ହୋର୍ମୁଜ ପ୍ରଣାଳୀର ବାଧାକୁ ଅତିକ୍ରମ କରିଛି ଦୁଇଟି ଭାରତୀୟ ଟ୍ୟାଙ୍କର । ଭାରତୀୟ ପତାକା ଲାଗିଥିବା ଦୁଇଟି ଟ୍ୟାଙ୍କରକୁ ହୋର୍ମୁଜ ପାର କରିବା ପାଇଁ ଇରାନ ଅନୁମତି ଦେଇଛି । ଏହି ଜାହାଜରେ ଭାରତର ୩.୩୦ ଲକ୍ଷ ବ୍ୟାରେଲ ତେଲ ଥିଲା, ଯାହା କି ଇରାକ ଓ ଆରବ ଦେଶରୁ ଆସିଥିଲା । ଏହାଛଡ଼ା ଲାଇବେରିଆ ପତାକା ଲାଗିଥିବା ତୈଳ ଟ୍ୟାଙ୍କର ‘ଶେନଲଙ୍ଗ୍ ସୁଏଜମାକ୍ସ’ ଗୁରୁବାର ମୁମ୍ବାଇରେ ପହଞ୍ଚିଛି । ହୋର୍ମୁଜ ମାର୍ଗ ଦେଇ ଏହା ଆସିଛି । ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଜାହାଜ ଭାବେ ଏହା ଭାରତରେ ପହଞ୍ଚିଛି ।ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଗତ ମଙ୍ଗଳବାର ଫୋନରେ କଥା ହୋଇଥିଲେ । ୧୪୦ କୋଟି ଲୋକଙ୍କ ଦେଶ ପାଇଁ ତୈଳ ଓ ଗ୍ୟାସର ମହତ୍ତ୍ୱ କ’ଣ ତାହା ନେଇ ଜୟଶଙ୍କର ବୁଝାଇଥିଲେ । ତା’ଛଡ଼ା ଦୁଇଦେଶ ମଧ୍ୟରେ ଥିବା ପୁରୁଣା ସମ୍ପର୍କ ନେଇ ଚର୍ଚ୍ଚା କରିଥିଲେ । ଯୁଦ୍ଧ ଆରମ୍ଭ ପରଠାରୁ ଏହାକୁ ମିଶାଇ ଜୟଶଙ୍କର ଇରାନ ବିଦେଶ ମନ୍ତ୍ରୀଙ୍କ ସହ ୩ ଥର କଥା ହେଲେଣି ।