TOP 30 NEWS DOSE | 9 JANUARY 2026

Author:

1.

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: କୁକୁର ମନୁଷ୍ୟର ଭୟ ଜାଣିପାରୁଛନ୍ତି; ସେଥିପାଇଁ କାମୁଡ଼ୁଛନ୍ତି

ସୁପ୍ରିମକୋର୍ଟରେ ବୁଲା କୁକୁରଙ୍କ ଉପରେ ଚାଲିଥିବା ଶୁଣାଣି ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚôଛି । ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଶୁଣାଣିରେ କୁକୁରର ବ୍ୟବହାରକୁ ନେଇ ଆଲୋଚନା କରାଯାଇଛି । ଏହାକୁ ନେଇ ଜଷ୍ଟିସ ବିକ୍ରମନାଥ କହିଥିଲେ, ମନୁଷ୍ୟର ଭୟକୁ କୁକୁର ଜାଣିପାରୁଛି । ସେଥିପାଇଁ ସେ କାମୁଡ଼ିବାକୁ ଉଦ୍ୟମ କରୁଛି । ଏହି ଟିପ୍ପଣୀକୁ କିନ୍ତୁ କୁକୁରପ୍ରେମୀଙ୍କ ଓକିଲ ମାନିବାକୁ ମନା କରିଦେଇଥିଲେ । ଅନ୍ୟପକ୍ଷରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଦେଶରେ କେବଳ ୫ଟି ସରକାରୀ ଆଶ୍ରୟସ୍ଥଳ ରହିଛି । ଏଥିରୁ ପ୍ରତ୍ୟେକ ଆଶ୍ରୟସ୍ଥଳରେ ୧୦୦ଟି ଲେଖାଏ କୁକୁର ରହିପାରିବାର ବ୍ୟବସ୍ଥା ଅଛି । ଆମକୁ ଭିତ୍ତିଭୂମିର ଆବଶ୍ୟକତା ରହିଛି । କିନ୍ତୁ ପଶୁ କଲ୍ୟାଣ ସଂସ୍ଥାର ଓକିଲ କୁକୁରଙ୍କୁ ହଟାଇବା କିମ୍ବା ଆଶ୍ରୟସ୍ଥଳକୁ ପଠାଇବାକୁ ବିରୋଧ କରିଥିଲେ । କୁକୁର ହଟାଇଲେ ବିଲେଇଙ୍କ ସଂଖ୍ୟା ବଢ଼ିବ ବୋଲି ସେ କହିଥିଲେ । ଏହାକୁ ନେଇ କୋର୍ଟ ମଜାଳିଆ ଢଙ୍ଗରେ ବିଲେଇ ଆଣିବୁ କି ବୋଲି ପଚାରିଥିଲେ ।

….

2.

ନାବାଳିକା ସୁଟରଙ୍କୁ ଦୁଷ୍କର୍ମ କରି ଜାତୀୟ କୋଚ୍ ନିଲମ୍ବିତ

ହରିୟାଣା ଫରିଦାବାଦର ଜଣେ ନାବାଳିକା ସୁଟର ଜଣେ ଜାତୀୟ କୋଚଙ୍କ ଉପରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ଆଲୋଚନା କରିବା ପାଇଁ କୋଚ୍ ତାଙ୍କୁ ଫରିଦାବାଦର ଏକ ପଞ୍ଚତାରକା ହୋଟେଲକୁ ଡାକିଥିଲେ । ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ କହିଲେ କ୍ୟାରିୟର ଶେଷ କରିଦେବେ ବୋଲି ଧମକ ଦେଇଥିଲେ । ସୁଟର ଜଣଙ୍କ ୨୧ ଦିନ ପର୍ଯ୍ୟନ୍ତ ଅବସାଦରେ ରହିଥିଲେ । ପରେ ସାହସର ସହ ମା’ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ସହ ଗତ ୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏବେ ପୁଲିସ ପେକ୍ସୋ୍ସ ଆଇନ ଅଧିନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନ୍ୟାସନାଲ ରାଇଫଲ୍ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ଅଭିଯୁକ୍ତ କୋଚ ଅଙ୍କୁଶ ଭରଦ୍ୱାଜଙ୍କୁ ନିଲମ୍ବିତ କରିଦେଇଛି । ଯାଞ୍ଚ ଶେଷ ହେବା ନ ଯର୍ପ୍ୟନ୍ତ ଅଙ୍କୁଶଙ୍କ ଉପରେ ଏହି କଟକଣା ରହିବ । ପ୍ରକାଶଯୋଗ୍ୟ ଗତ ଡିସେମ୍ବର ୧୬ରେ ଦିଲ୍ଲୀର କର୍ନି ସିଂହ ସୁଟିଂ ରେଞ୍ଜରେ ଅନୁଷ୍ଠିତ ଜାତୀୟ ସୁଟିଂ ପ୍ରତିଯୋଗିତାରେ ଏହି ନାବାଳିକାଜଣଙ୍କ ଭାଗନେଇଥିଲେ ।

….

3.

ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା

ରୁଷ ବିରୋଧରେ କଠୋର କଟକଣା ଲଗାଇବାର ନିୟମ ଥିବା ଏକ ବିଲକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଞ୍ଜୁରୀ ଦେଇଛନ୍ତି । ବିଲରେ ରୁଷରୁ ତେଲ କ୍ରୟ କରୁଥିବା ଦେଶ ବିଶେଷ କରି ଭାରତ, ଚୀନ ଓ ବ୍ରାଜିଲ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା ରହିଛି । ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ସିନେଟର୍ ଲିଣ୍ଡସେ ଗ୍ରାହମ କହିଛନ୍ତି ଯେ ସେ ବୁଧବାର ହ୍ୱାଇଟ ହାଉସରେ ଏ ବିଲ୍ ସମ୍ପର୍କରେ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ । ଏହାକୁ ସଂସଦରେ ଉପସ୍ଥାପନ କରିବା ପାଇଁ ଟ୍ରମ୍ପ ମଞ୍ଜୁରୀ ଦେଇଛନ୍ତି । ଗତ କିଛି ମାସ ହେଲା ଏହି ବିଲକୁ ପ୍ରସ୍ତୁତ କରାଯାଉଥିଲା । ଏହାର ନାମ ‘ସ୍ୟାଙ୍କସନିକ ଅଫ୍ ରୁଷିଆ ଆର୍ଟ ୨୦୨୫’ ରହିଛି । ଆସନ୍ତା ସପ୍ତାହରେ ସଂସଦରେ ଏହା ଉପରେ ଭୋଟିଂ ହୋଇପାରେ ବୋଲି ଜଣାପଡ଼ିଛି । ୟୁକ୍ରେନ ଯୁଦ୍ଧ ଲାଗି ରହିଥିବାବେଳେ ରୁଷରୁ ଶସ୍ତା ତୈଳ କିଣୁଥିବା ଦେଶ ଉପରେ ଚାପ ପ୍ରୟୋଗ କରିବା ଏହି ବିଲ୍ର ମୁଖ୍ୟ ଉଦେ୍ଦଶ୍ୟ ରହିଛି ।

……

4.

ଦିଲ୍ଲୀରେ ପଥର ମାଡ଼ ମାମଲା; ସମାଜବାଦୀ ପାର୍ଟି ସାଂସଦଙ୍କୁ ଜେରା କରିବ ପୁଲିସ

ଗତ ୬ ତାରିଖ ରାତିରେ ଦିଲ୍ଲୀର ଫୈଜ-ଇ-ଇଲାହୀ ମସଜିଦ ନିକଟରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ପୋଲିସ ଉପରକୁ ପଥର ମାଡ଼ କରାଯାଇଥିଲା । ଏବେ ଏହି ମାମଲାରେ ସମାଜବାଦୀ ପାର୍ଟି ତଥା ଏସ୍ପି ସାଂସଦ ମୋହିବୁଲ୍ଲାହ ନଦଭିଙ୍କୁ ପୁଲିସ ଜେରା କରିବ । ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ ବାରମ୍ବାର କହିବା ସତ୍ତ୍ୱେ ସାଂସଦ ନଦଭି ଘଟଣାସ୍ଥଳରୁ ଯାଇ ନ ଥିଲେ । ସେ ଆଖପାଖରେ ଛିଡ଼ା ହୋଇ ପଥର ମାଡ଼ କରୁଥିବା ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି । ପୁଲିସ ସିସିଟିଭ ଫୁଟେଜ ଆଧାରରେ ପଥର ମାଡ଼ କରିଥିବା ୩୦ ଲୋକଙ୍କୁ ଚିହ୍ନଟ କରିଛି । ଅଲଗା ଅଲଗା ଟିମ୍ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି । କୋର୍ଟ ନିଦେ୍ର୍ଦଶରେ ପୁଲିସ ସେହି ସ୍ଥାନକୁ ଜବରଦଖଲ ହଟାଇବାକୁ ଯାଇଥିଲା । କିନ୍ତୁ କିଛି ଲୋକ ମସଜିଦ ଭଙ୍ଗାଯିବାର ଅପପ୍ରଚାର କରି ହିଂସା ସୃଷ୍ଟି କରାଇଥିଲେ ।

……..

5.

ବିହାର ଭଳି ଆସାମରେ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦେବ ବିଜେପି

ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ବିଜେପି ସରକାର ବଡ଼ ଘୋଷଣା କରିଛନ୍ତି । ମହିଳା ଭୋଟରଙ୍କୁ ଲୋଭାଇବା ପାଇଁ ବିହାର ଭଳି ଏଠାରେ ମଧ୍ୟ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ହିମନ୍ତ ବିଶ୍ୱଶର୍ମା ସରକାର ଯୋଜନା ଆଣିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କୁ ଏହି ଅର୍ଥରାଶି ଦିଆଯିବ । ଏହି ଯୋଜନାର ନାମ ‘ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟମିତା ଅଭିଯାନ’ ତଥା ଏମୟୁଏ ରଖାଯାଇଛି । ରାଜ୍ୟର ସମସ୍ତ ୩୫ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ୧୦ ହଜାର ଲେଖାଏ ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୪୦ ଲକ୍ଷ ମହିଳାଙ୍କୁ ଟଙ୍କା ଦେବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ନିର୍ବାଚନ ଜିତିବା ପରେ ବିହାର ପରି ଏଠାରେ ଆଉ ଟଙ୍କା ଫେରାଇବାକୁ ପଡ଼ିବ କି ନାହିଁ ବୋଲି ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି ।

…..

6.

ଭାରତ ବିନା ବାଂଲାଦେଶର ନିସ୍ତାର ନାହିଁ; ଚାଉଳ ପରେ ଡିଜେଲ ଲାଗି ହାତ ପତାଇଲା 

ବାଂଲାଦେଶରେ ଭାରତ ବିରୋଧୀ ଆନେ୍ଦାଳନ ତୀବ୍ରତର ହେବାରେ ଲାଗିଛି । ଦେଶର ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି । ଏସବୁ ସତ୍ତ୍ୱେ ଭାରତ ବିନା ବାଂଲାଦେଶ ଚଳିବା କଷ୍ଟ ହୋଇପଡ଼ିଛି । ମହମ୍ମଦ ୟୁନୁସଙ୍କ କାମଚଳା ସରକାର ନିଜ ଦେଶ ଚଲାଇବା ପାଇଁ ଭାରତକୁ ପୁଣିଥରେ ହାତ ପତାଇଛନ୍ତି । ଚାଉଳ ପରେ ଏବେ ବାଂଲାଦେଶ ଭାରତକୁ ଡିଜେଲ ମାଗିଛି । ଚଳିତ ବର୍ଷ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୧ ଲକ୍ଷ ୮୦ ହଜାର ଟନ୍ ଡିଜେଲ ଦେବା ପାଇଁ ବାଂଲାଦେଶ ଭାରତକୁ ଅନୁରୋଧ କରିଛି । ଭାରତର ସରକାରୀ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡର ସହାୟକ ସଂସ୍ଥା ମୁସାଲିଗଡ଼ ରିଫାଇନାରୀ ଲିମିଟେଡ ତଥା ଏନଆରଏଲ’ରୁ ଏହି ଡିଜେଲ ବାଂଲାଦେଶ କ୍ରୟ କରିପାରେ । ଉଲ୍ଲେଖଯୋଗ୍ୟ, ସମ୍ପର୍କରେ ତିକ୍ତତା ମଧ୍ୟରେ ବାଂଲାଦେଶ ଏଥିପୂର୍ବରୁ ଗତ ମାସରେ ଚାଉଳ ଲାଗି ଭାରତ ନିକଟରେ ହାତ ପତାଇଥିଲା । 

……

7.

ଟ୍ରମ୍ପଙ୍କ ହାତ କାଟି ଦେବାକୁ ଧମକ ଦେଲେ ଇରାନ ସେନାମୁଖ୍ୟ

ଇରାନ ସେନାମୁଖ୍ୟ ମେଜର ଜେନେରାଲ ଅମିର ହାତମି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଧମକ ଦେଇଛନ୍ତି । ଅମିର କହିଛନ୍ତି, ଯଦି କେହି ଇରାନ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରେ ତାହାର ହାତ କାଟି ଦିଆଯିବ । ଟ୍ରମ୍ପଙ୍କ ଧମକର ଜବାବ ଦେଇ ହାତମି ଏହି କଡ଼ା ଟିପ୍ପଣୀ ଦେଇଛନ୍ତି । ଏଥିପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଇରାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ କିମ୍ବା ହତ୍ୟା କରାଗଲେ ଆମେରିକା ତାଙ୍କ ସମର୍ଥନରେ ବାହାରିବ । ଟ୍ରମ୍ପଙ୍କ ପୂର୍ବରୁ ଆମେରିକା ସାଂସଦ ଲିଣ୍ଡସେ ଗ୍ରାହମ ମଧ୍ୟ ଏକ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲ୍ଲି ଖାମନେଇଙ୍କୁ ଧମକ ଦେଇଥିଲେ । ଆନେ୍ଦାଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ରୋକିବା ପାଇଁ ଗ୍ରାହମ କହିଥିଲେ । ଯଦି ବିକ୍ଷୋଭକାରୀଙ୍କୁ ଇରାନ ମାରିବା ଜାରି ରଖେ ତେବେ ଟ୍ରମ୍ପ ମଧ୍ୟ ଖାମନେଇଙ୍କୁ ମାରିଦେବେ ବୋଲି ଗ୍ରାହମ ଧମକ ଦେଇଥିଲେ ।

……..

8.

ଆମେରିକା ପ୍ରତିରକ୍ଷା ବଜେଟ ୫୦ ପ୍ରତିଶତ ବଢ଼ାଇବା ପାଇଁ ଟ୍ରମ୍ପଙ୍କ ଘୋଷଣା

ଋଣ ଭାରତରେ ବୁଡ଼ି ରହିଥିବା ଆମେରିକା ଭେନେଜୁଏଲାରେ ଆକ୍ରମଣ କରି ନିଜ ରାଜକୋଷ ବଢ଼ାଇବାକୁ ଯୋଜନା କରିଛି । ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସରକାରଙ୍କୁ ନିୟନ୍ତ୍ରଣ କରିବେ ବୋଲି କହିସାରିଛନ୍ତି । ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଗ୍ରୀନଲାଣ୍ଡକୁ ମଧ୍ୟ ଅକ୍ତିଆର କରିବାର ଯୋଜନା ବିଷୟରେ ଟ୍ରମ୍ପ ଘୋଷଣା କରିଛନ୍ତି । ଅନେକ ଦେଶ ସହ ବିବାଦ ବଢ଼ାଉଥିବା ଟ୍ରମ୍ପ ଏବେ ଦେଶର ପ୍ରତିରକ୍ଷା ବଜେଟକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୨୦୨୭ ବର୍ଷ ପାଇଁ ଆମେରିକା ନିଜ ପ୍ରତିରକ୍ଷା ବଜେଟ ଏକ ଟ୍ରିଲିୟନ ଡଲାରରୁ ବଢ଼ାଇ ୧.୫ ଟ୍ରିଲିୟନ ଡଲାର କରିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି । ସିନେଟର, କଂଗ୍ରେସ ସଦସ୍ୟ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ଚର୍ଚ୍ଚା ପରେ ପ୍ରତିରକ୍ଷା ବଜେଟ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି ।

…….

9.

ଭାରତକୁ ଝଟକା; ତିଲକ ବର୍ମାଙ୍କ ହେବ ଅସ୍ତ୍ରୋପଚାର, ନୁ୍ୟଜିଲାଣ୍ଡ ସିରିଜରୁ ବାହାରିଲେ

ଏସିଆ କପ୍ରେ ଭାରତକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ରିକେଟର୍ ତିଲକ ବର୍ମାଙ୍କ ଅସ୍ତ୍ରୋପଚାର ହୋଇଛି । ଯେଉଁଥି ଲାଗି ନୁ୍ୟଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚବିଶିଷ୍ଟ ଟି୨୦ ସିରିଜରୁ ସେ ବାହାରିଯାଇଛନ୍ତି । ଟି୨୦ ସିରିଜ ଜାନୁଆରୀ ୨୧ରୁ ଆରମ୍ଭ ହେବ ।ରିପୋର୍ଟ ଅନୁଯାୟୀ ତିଲକ ବିଜୟ ହଜାରେ ଟ୍ରଫି ପାଇଁ ହାଇଦ୍ରାବାଦ୍ ଟିମ୍ ସହ ରାଜକୋଟରେ ଥିଲେ । ଏଠାରେ ଗତକାଲି ସକାଳେ ରାଜକୋଟରେ ଜଳଖିଆ କରୁଥିବାବେଳେ ତିଲକଙ୍କ ଶରୀରର ନିମ୍ନ ଭାଗରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଯାଞ୍ଚ ପରେ ତାଙ୍କ ସର୍ଜରୀ କରାଯାଇଛି । ଯାଞ୍ଚ ଏବଂ ସ୍କାନ ତାଙ୍କ ଟେଷ୍ଟିକୁଲାର ଟ୍ରସନରେ ସମସ୍ୟା ଥିବା ଜଣାପଡ଼ିଥିଲା । ତେଣୁ ଅଚାନକ ଦରଜ ହୋଇଥିଲା । ଅସ୍ତ୍ରୋପଚାର ପରେ ତିଲକ ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡିଥିବାବେଳେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛିା 

……..

10.

୫ମ ଟେଷ୍ଟରେ ଇଂଲଣ୍ଡ ୫ ୱିକେଟରେ ପରାସ୍ତ; ୪-୧ରେ ଆସେସ ଜିତିଲା ଅଷ୍ଟ୍ରେଲିଆ

ଆସେସ ସିରିଜକୁ ଅଷ୍ଟ୍ରେଲିଆ ନିଜ ନାମରେ କରି ନେଇଛି । ସିଡନୀରେ ଖେଳା ଯାଇଥିବା ସିରିଜ ଶେଷ ତଥା ପଞ୍ଚମ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଆସେସ୍ ସିରିଜକୁ ୪-୧ରେ ଜିତିନେଇଛି ଅଷ୍ଟ୍ରେଲିଆ । ପଞ୍ଚମ ଟେଷ୍ଟର ୫ମ ଦିବସରେ ଇଂଲଣ୍ଡ ୧୬୦ ରନର ଛୋଟିଆ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଘରୋଇ ଅଷ୍ଟ୍ରେଲିଆ ୩୧.୨ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା । ୧୬୩ ରନର ଶତକୀୟ ପାଳି ଖେଳିଥିବା ଟ୍ରାଭିସ ହେଡ୍ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେହିଭଳି ସିରିଜରେ ସର୍ବାଧିକ ୩୧ ୱିକେଟ ନେଇ ମିଚେଲ ଷ୍ଟାର୍କ ପ୍ଲେୟର ଅଫ ଦ ସିରିଜ ପୁରସ୍କାର ହାସଲ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲୀୟ ଉସମାନା ଖ୍ୱାଜା ଏହି ୫ମ ଟେଷ୍ଟ ସହ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତିା 

……..

11.

ଖେଲୋ ଇଣ୍ଡିଆ ବିଚ୍ ସକ୍କର ଗେମ୍ସ: ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ୍ ଦଳ

ଡାମନ ଡିଉରେ ଚାଲିଥିବା ଖେଲୋ ଇଣ୍ଡିଆ ବିଚ୍ ସକ୍କର ଗେମ୍ସରେ ଓଡ଼ିଶା ମହିଳା ଫୁଟବଲ ଦଳ ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଓଡ଼ିଶା ମହିଳା ଦଳ ୭-୦ ଗୋଲରେ ଏକପାଖିଆ ଭାବେ ହିମାଚଳ ପ୍ରଦେଶକୁ ପରାସ୍ତ କରିଥିଲା । ବିଜୟୀ ଓଡ଼ିଶା ପକ୍ଷରୁ ସତ୍ୟବତୀ ଖାଡ଼ିଆ, ଶ୍ରୀଜନ ତମାଙ୍ଗ ଓ କେ. ଅମ୍ବାଳିକା ଦୁଇଟି ଲେଖାଏ ଗୋଲ୍ ଦେଇଥିଲେ । ଶୁକ୍ରବାର ଫାଇନାଲ ମୁକାବିଲା ଖେଳାଯିବ । ଏଥିରେ ଟାଇଟଲ୍ ପାଇଁ ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଲଢ଼େଇ ହେବ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି ।

…..

12.

ସ୍ୱାସ୍ଥ୍ୟ ସେବା ପାଇଁ ଓପନ୍‌ଏଆଇର ନୂଆ ଫିଚର ‘ଚାଟ୍‌ଜିପିଟି ହେଲ୍‌ଥ’

ଓପନ୍‌ଏଆଇ ‘ଚାଟ୍‌ଜିପିଟି ହେଲ୍‌ଥ’ ନାମକ ଏକ ନୂତନ ଟ୍ୟାବ୍ ଆରମ୍ଭ କରିଛି। ଏହା ବ୍ୟବହାରକାରୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ସହ ମେଡିକାଲ ରିପୋର୍ଟ ଅପଲୋଡ୍ କରିବା ଏବଂ ଆପଲ୍ ହେଲ୍‌ଥ ଭଳି ଆପ୍ ସଂଯୋଗ କରିବାର ସୁବିଧା ଦେବ। ବିଶ୍ୱବ୍ୟାପୀ ପ୍ରାୟ ୨୩ କୋଟି ଲୋକ ପ୍ରତି ସପ୍ତାହରେ ଚାଟ୍‌ଜିପିଟିକୁ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନ ପଚାରୁଥିବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛି। ଏହା ଦ୍ୱାରା ଲୋକମାନେ ଟେଷ୍ଟ ରିପୋର୍ଟ ବୁଝିବା, ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ଏବଂ ବ୍ୟାୟାମ ବିଷୟରେ ପରାମର୍ଶ ପାଇପାରିବେ। ତଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓପନ୍‌ଏଆଇ ସ୍ପଷ୍ଟ କରିଛି ଯେ, ଏହି ବ୍ୟକ୍ତିଗତ ସ୍ୱାସ୍ଥ୍ୟ ତଥ୍ୟକୁ ‘ଏଆଇ ମଡେଲ’ ଟ୍ରେନିଂ ପାଇଁ ବ୍ୟବହାର କରାଯିବ ନାହିଁ। ଆଗାମୀ ସପ୍ତାହରେ ଏହା ସମସ୍ତ ୱେବ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

….

13.

ସେୟାର ବଜାରରେ ମାନ୍ଦାବସ୍ଥା: ଲଗାତାର ଚତୁର୍ଥ ଦିନ ଖସିଲା ସେନସେକ୍ସ ଓ ନିଫ୍ଟି

ଘରୋଇ ସେୟାର ବଜାରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ପରିଲିକ୍ଷିତ ହୋଇଛି। ଗୁରୁବାର କାରବାର ଶେଷ ବେଳକୁ ସେନସେକ୍ସ ଓ ନିଫ୍ଟି ଉଭୟ ପ୍ରାୟ ୧ ପ୍ରତିଶତ ତଳକୁ ଖସି ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସ ୭୮୦ ପଏଣ୍ଟ ହ୍ରାସ ପାଇ ୮୪,୧୮୧ ଅଙ୍କରେ ବନ୍ଦ ହୋଇଥିବାବେଳେ, ନିଫ୍ଟି ୨୬୪ ପଏଣ୍ଟ ଖସି ୨୫,୮୭୭ ଅଙ୍କରେ ସ୍ଥିର ହୋଇଛି। ବୃହତ ବଜାର ବା ବ୍ରଡର ମାର୍କେଟରେ ମଧ୍ୟ ଦୁର୍ବଳତା ଦେଖିବାକୁ ମିଳିଥିଲା। ବିଶେଷ କରି ମିଡ୍-କ୍ୟାପ୍ ଏବଂ ସ୍ମଲ୍-କ୍ୟାପ୍ ଇଣ୍ଡେକ୍ସ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ, ମୁଦ୍ରା ବଜାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୧୪ ପଇସା ହ୍ରାସ ପାଇ ୯୦ ଟଙ୍କା ୨ ପଇସାରେ ପହଞ୍ଚିଛି।

….

14.

ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା ବଢୁଛି କର୍କଟ ଆଶଙ୍କା: ଅଧ୍ୟୟନ

ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପ୍ରିଜରଭେଟିଭ୍ (ସଂରକ୍ଷକ) ଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ଏବଂ ପାନୀୟ ଅଧିକ ସେବନ କଲେ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇପାରେ। ଫ୍ରାନ୍ସର ‘ୟୁନିଭରସିଟି ପ୍ୟାରିସ ସିଟି’ର ଗବେଷକମାନେ ପ୍ରାୟ ୧ ଲକ୍ଷ ୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲେ। ଅଧ୍ୟୟନ ସମୟରେ ୪,୨୦୦ରୁ ଅଧିକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗବେଷକଙ୍କ ଅନୁଯାୟୀ, ଖାଦ୍ୟରେ ବ୍ୟବହୃତ ପୋଟାସିୟମ ସୋର୍ବେଟ, ସୋଡିୟମ ନାଇଟ୍ରାଇଟ ଏବଂ ପୋଟାସିୟମ ନାଇଟ୍ରେଟ ଭଳି ରାସାୟନିକ ପଦାର୍ଥ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହି ଫଳାଫଳ ଖାଦ୍ୟ ସୁରକ୍ଷା ନିୟମାବଳୀର ପୁନଃମୂଲ୍ୟାଙ୍କନ କରିବାର ଆବଶ୍ୟକତାକୁ ସୂଚିତ କରୁଛି। ତେଣୁ ବିଶେଷଜ୍ଞମାନେ ପ୍ରକ୍ରିୟାକୃତ ଖାଦ୍ୟ ଓ ମାଂସ ସେବନ ସୀମିତ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। 

…..

15.

ଜିମେଲରେ ଯୋଡ଼ିହେଲା ଗୁଗୁଲ୍ ଜେମିନିର ନୂଆ ଏଆଇ ଫିଚର

ଗୁଗୁଲ୍ ଏହାର ଲୋକପ୍ରିୟ ଇମେଲ୍ ସେବା ‘ଜିମେଲ’ରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଆଧାରିତ ଏକାଧିକ ନୂଆ ଫିଚର ଯୋଡ଼ିବାକୁ ଘୋଷଣା କରିଛି। କମ୍ପାନୀ ଏଥିପାଇଁ ନିଜର ଶକ୍ତିଶାଳୀ ‘ଜେମିନି’ ଟେକ୍ନୋଲୋଜିର ବ୍ୟବହାର କରୁଛି। ଏହି ନୂତନ ଅପଡେଟ୍ ଫଳରେ ଏବେ ଲମ୍ବା ଇମେଲ୍ କଥାବାର୍ତ୍ତା ବା ଥ୍ରେଡ୍‌ର ସାରାଂଶ ସ୍ୱୟଂଚାଳିତ ଭାବେ ମିଳିପାରିବ। ଏହାସହ ‘ସଜେଷ୍ଟେଡ୍ ରିପ୍ଲାଏ’ ଫିଚର ମାଧ୍ୟମରେ ଇମେଲର ବିଷୟବସ୍ତୁ ଅନୁଯାୟୀ ଗୋଟିଏ କ୍ଲିକ୍‌ରେ ଉତ୍ତର ଦେବା ଏବଂ ବ୍ୟାକରଣ ତ୍ରୁଟି ସୁଧାରିବା ସହଜ ହେବ। ଏହି ଫିଚରଗୁଡ଼ିକ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ। ଏଆଇ କ୍ଷେତ୍ରରେ ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ଗୁଗୁଲର ମୂଳ କମ୍ପାନୀ ‘ଆଲଫାବେଟ୍’ର ବଜାର ମୂଲ୍ୟ ବୁଧବାର ଆପଲ୍‌କୁ ଅତିକ୍ରମ କରିଛି, ଯାହା କମ୍ପାନୀ ପାଇଁ ଏକ ବଡ଼ ସଫଳତା।

……

16.

ରାଜ୍ୟର ୩ ଜିଲ୍ଲାର କୋର୍ଟକୁ ବୋମା ଧମକ, ଗୁଜବ ଥିଲା, ତଦନ୍ତ ଜାରି

କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଗୁରୁବାର ଇମେଲ ଜରିଆରେ ଏକ ଧମକ ମିଳିଥିଲା । ତେବଗଡ଼ ଜିଲ୍ଲା କୋର୍ଟ ପରିସରରେ ୩ଟି ଆରଡିଏକ୍ସ ବୋମା ଥିବା ଏବଂ ଅପରାହ୍ଣ ୨ଟା ୪୫ରେ ଏହା ବିସ୍ଫୋରଣ ହେବ ବୋଲି ଧମକ ଥିଲା । ସେପହିରି ସମ୍ବଲପୁର ଜିଲ୍ଲା କୋର୍ଟ ଏବଂ କଟକ ହାଇକୋର୍ଟ ପରିସରରେ ଥିବା ଜିଲ୍ଲା କୋର୍ଟକୁ ମଧ୍ୟ ଇମେଲ ଜରିଆରେ ବୋମା ଧମକ ମିଳିଥିଲା । ତୁରନ୍ତ ତିନୋଟି ଯାକ କୋର୍ଟ ପରିସରକୁ ଖାଲି କରି ତଲାସୀ ନିଆଯାଇଥିଲା । ସନ୍ଧାନୀ କୁକୁର ଓ ବୋମା ନିରୋଧୀ ସ୍କ୍ୱାଡ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ପୁଣି କୋର୍ଟ କାମ ପ୍ରାୟ ୨/୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏହି ଇ-ମେଲ ଗୁଡ଼ିକ ରାଜ୍ୟ ବାହାରୁ ଆସିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା କ୍ରାଇମବ୍ରାଞ୍ଚ କହିଛି । 

…….

17.

ତୃଣମୂଳ ନେତାଙ୍କ ଘରେ ଇଡି ଚଢ଼ାଉ, ଖୋଦ୍ ମମତା ପହଞ୍ଚି ଦେଲେ ବାଧା

ପଶ୍ଚିମବଙ୍ଗରେ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି ମୁହାଁ ମୁହିଁ ହୋଇଛନ୍ତି । ଏହି ମାମଲା ଏବେ ବଢ଼ି ଯାଇଛି ଯେ କୋର୍ଟରେ ପହଞ୍ଚିଛି । ଏକ ମନିଲଣ୍ଡରିଂ ଏବଂ କୋଇଲା ଚୋରା ଚାଲାଣ ମାମଲାରେ ପଲିଟିକାଲ କନସଲଟାଣ୍ଟ ଫାର୍ମ ଆଇ-ପାକ୍ ଅଫିସ୍ ଏବଂ ତାହାର ନିଦେ୍ର୍ଦଶକ ପ୍ରତୀକ ଜୈନଙ୍କ ଘରେ ଇଡି ଚଢ଼ଉ କରିଥିଲା । ପ୍ରତୀକ ହେଉଛନ୍ତି ମମତାଙ୍କ ପାର୍ଟି ଟିଏମସିର ଆଇଟି ସେଲ ମୁଖ୍ୟ । ଚଢ଼ାଉ ଚାଲିଥିବା ବେଳେ କୋଲକାତା ପୁଲିସ କମିଶନର ପ୍ରତୀକଙ୍କ ବାସଭବନରେ ପହଞ୍ଚିଥିଲେ । କିଛି ସମୟ ପରେ ନିଜେ ମମତା ପହଞ୍ଚି ଯାଇଥିଲେ । ସେ ସେଠାରୁ ଲାପଟପ ଓ କିଛି ଡକୁମେଣ୍ଟ ନେଇ ଚାଲି ଯାଇଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଉଦେ୍ଦଶ୍ୟମୂଳକ ଭାବେ ଏହି ଚଢ଼ାଉ କରି ଟିଏମସିଦ ସଦସ୍ୟଙ୍କ ତଥ୍ର ସଂଗ୍ରହ କରୁଥିବା ମମତା କହିଛନ୍ତି । ଅପରପକ୍ଷରେ ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।  

…….

18.

ଜାତିସଂଘର ୩୧ ସହ ବିଶ୍ୱର ୬୬ ସଙ୍ଗଠନରୁ ଓହରିଗଲା ଆମେରିକା 

ଆମେରିକା ୬୬ଟି ଆନ୍ତର୍ଜାତିକ ସଂଗଠନରୁ ବାହାରି ଯାଇଛି । ଏହା ମଧ୍ୟରେ ଜାତିସଂଘର ୩୧ଟି ସଂସ୍ଥା ମଧ୍ୟ ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜେ ଏହା ଘୋଷଣା କରିଛନ୍ତି । ଆମେରିକାର ଯୁକ୍ତି ଯେ, ଏହି ସଂଗଠନଗୁଡ଼ିକ ଆମେରିକାର ହିତ ପାଇଁ କାମ କରୁନାହାନ୍ତି । ଏଗୁଡ଼ିକ ପାଇଁଳ ଆମେରିକା ଅଯଥା ଅର୍ଥ ଖର୍ଚ୍ଚ କରୁଛି । ସଂଗଠନଗୁଡ଼ିକୁ ଦାୟିତ୍ୱହୀନତାର ସହ ପରିଚାଳନା କରାଯାଉଛି । ଭାରତର ଆହ୍ୱାନରେ ଗଠନ ହୋଇଥିବା ଆନ୍ତର୍ଜାତିକ ସୌର ମେଣ୍ଟରୁ ମଧ୍ୟ ଆମେରିକା ଓହରିଯାଇଛି । ୧୨୦ରୁ ଅଧିକ ଦେଶ ଏହାର ସଦସ୍ୟ ରହିଛନ୍ତି । ହ୍ୱାଇଟହାଉସ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଏସବୁ ସଂଗଠନରୁ ଆମେରିକା ବାହାରିଯିବା ଦ୍ୱାରା ବିଭିନ୍ନ ସଂଗଠନରେ ଆମେରିକୀୟ କରଦାତାଙ୍କ ଭାଗୀଦାରିର ଅନ୍ତ ଘଟିବ । ଆମେରିକା ଜାତିସଂଘ ଫ୍ରେମୱର୍କ କନଭେନସନ ଅନ୍ କ୍ଲାଇମେଟ୍ ଚେଞ୍ଜରୁ ବାହାରିଯିବ । ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନକୁ ନେଇ ରହିଥିବା ଉଦେ୍ଦଶ୍ୟ ପ୍ରଭାବିତ ହେବ ।

…….

19.

ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି, ଚଳିତ ମାସ ସାଢ଼େ ୪ ଲକ୍ଷଙ୍କୁ ମିଳିବ

ଚଳିତ ଜାନୁଆରୀ ମାସରେ ସାଢ଼େ ୪ ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ । ଆଗରୁ କୌଣସି କାରଣରୁ ବାଦ ପଡିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ୱାରା ଯୋଡି ହୋଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀ, ଅନ୍ୟ ୨ ଲକ୍ଷ ୫୫ ହଜାର ୨୨୬ ଜଣ ହିତାଧିକାରୀଙ୍କୁ ମିଶାଇ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ବକେୟା କିସ୍ତି ପ୍ରଦାନ କରାଯିବ । ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ସୁଭଦ୍ରାର ଚତୁର୍ଥ କିସ୍ତି ଆସନ୍ତା ମାର୍ଚ୍ଚ ୮ ମହିଳା ଦିବସରେ ପ୍ରଦାନ କରାଯିବ ।

…….

20.

ମହାଭିଯୋଗ ପ୍ରକ୍ରିୟାକୁ ଜଷ୍ଟିସ ବର୍ମାଙ୍କ ଚାଲେଞ୍ଜ, ରାୟ ସଂରକ୍ଷିତ

ମହାଭିଯୋଗ ପ୍ରକ୍ରିୟାକୁ ବିରୋଧ କରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା କରିଥିବା ଆବେଦନକୁ ଗୁରୁବାର ସୁପି୍ରମକୋର୍ଟ ଖାରଜ କରିଦେଇଛନ୍ତି । ବାସଭବନରୁ ଟଙ୍କା ଜବତ ମାମଲାରେ ତାଙ୍କୁ ମହାଭିଯୋଗ ପ୍ରକ୍ରିୟା ମାଧ୍ୟମରେ ବରଖାସ୍ତ କରିବା ଲାଗି ଲୋକସଭା ବାଚସ୍ପତିଙ୍କ ୩ ଜଣିଆ କମିଟି ଗଠନ ନିଷ୍ପତ୍ତିକୁ ରଦ୍ଦ କରିବା ଲାଗି ଜଷ୍ଟିସ ବର୍ମା ଆବେଦନ କରିଥିଲେ । ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏଥିସହ ସଂସଦୀୟ କମିଟି ନିକଟରେ ହାଜର ହୋଇ ପକ୍ଷ ରଖିବା ଲାଗି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଜଷ୍ଟିସ ବର୍ମାଙ୍କ ଆବେଦନକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ପୂର୍ବ ସମୟ ଅନୁସାରେ ଆସନ୍ତା ୧୨ ତାରିଖରେ ଜଷ୍ଟିସ ବର୍ମା କମିଟିରେ ହାଜର ହୋଇ ପକ୍ଷ ରଖିବେ ।

…….

21.

ଆମେରିକାରୁ ଚାଲିବ ଭେନେଜୁଏଲା ସରକାର, ତେଲ ମଧ୍ୟ ନିୟନ୍ତ୍ରଣରେ 

ଆମେରିକା ଚଳାଇବ ଭେନେଜୁଏଲା ସରକାର । ଭେନେଜୁଏଲାର ଅନ୍ତରୀଣ ସରକାର ସବୁପ୍ରକାର ସହଯୋଗ କରୁଥିବା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ ଭେନେଜୁଏଲା ଉପରେ ଆମେରିକା ନିୟନ୍ତ୍ରଣ ରଖିବ ବୋଲି ଟ୍ରମ୍ପ୍ କହିଛନ୍ତି । ସେତିକି ନୁହେଁ, ସେଠାରୁ ଆମେରିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତୈଳ ବାହାର କରି ବିକିବ ବୋଲି ସେ କହିଛନ୍ତି । ଆମେରିକା ସେଠାରୁ ତେଲ ବାହାର କରିବ । ଏହା ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇବ । ସେଥିରୁ ବାହାରିବାକୁ ଥିବା ଅର୍ଥ ଭେନେଜୁଏଲାକୁ ଦିଆଯିବ, ଯାହାକି ଏହି ଦେଶକୁ ନିହାତି ଜରୁରି । ତେବେ ଭେନେଜୁଏଲାରେ କେବେ ନିର୍ବାଚନ ହେବ ତାହାର ଉତ୍ତର ଟ୍ରମ୍ପ୍ ଦେଇନାହାନ୍ତି । ଅନ୍ୟପକ୍ଷରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ଉଠାଇ ନେବା ଘଟଣାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ସମାଲୋଚନା କରିଛନ୍ତି ।

……

22.

ଆଜିଠୁ ମହିଳା ପ୍ରିମିଅର ଲିଗ୍-୪: ମୁମ୍ବାଇ-ଆରସିବି ଉଦଘାଟନୀ ଲଢ଼େଇ

ଓମେନ ପ୍ରିମିଅର୍ ଲିଗ୍ ତଥା ଡବ୍ଲୁ୍ୟପିଏଲ୍ର ୪ର୍ଥ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ । ଏହି ଫ୍ରାଞ୍ଚାଇଜ ଭିତ୍ତିକ ଟି-୨୦ ଲିଗରେ ଏଥର ୫ଟି ଟିମ୍ ଖେଳିବେ । ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତଥା ଆରସିବି ମହିଳା କ୍ରିକେଟ ଦଳ ଉଦ୍ଘାଟନୀ ଲଢ଼େଇ ହେବ । ନଭି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ହରମନପ୍ରୀତ୍ କୌର ମୁମ୍ବଇ ଏବଂ ସ୍ମୃତି ମନ୍ଧାନା ଆରସିବି ଦଳର ନେତୃତ୍ୱ ନେଉଛନ୍ତି । ମୁମ୍ବଇ ୨୦୨୩ ଏବଂ ୨୦୨୫ରେ ଟାଇଟଲ୍ ଜିତିଥିଲା । ଆରସିବି ୨୦୨୪ରେ ବାଜିମାତ୍ କରିଥିଲା । ଲିଗରେ ଅଂଶଗ୍ରହଣ କରୁଥିବା ଅନ୍ୟ ୩ଟି ଦଳ ହେଲେ ଗୁଜରାଟ ଜାଏଣ୍ଟସ, ୟୁପି ୱାରିୟର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ । ରାଉଣ୍ଡ-ରବିନ ଫର୍ମାଟରେ ମ୍ୟାଚ୍ ଖେଳାଯିବ । ପ୍ରତି ଦଳ ପରସ୍ପରକୁ ୨ଥର ଲେଖାଏ ଭେଟିବେ । ଫେବୃଆରୀ ୫ରେ ଫାଇନାଲ ହେବ । ଚାମ୍ପିଅନ ଦଳକୁ ୬ କୋଟି ଏବଂ ରନର୍ସଅପକୁ ୩ କୋଟି ମିଳିବ । ଷ୍ଟାର ସ୍ପୋର୍ଟ୍ସ ନେଟୱର୍କରେ ସମସ୍ତ ମ୍ୟାଚର ପ୍ରସାରଣ ହେବ ।

….

23.

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ: କ୍ୱାର୍ଟରରେ ସିନ୍ଧୁ; ବିଦା ହେଲେ ଲକ୍ଷ୍ୟ

ଦୁଇଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ କ୍ୱାଲାଲୁମ୍ପୁରରେ ଚାଲିଥିବା ମାଲେସିଆ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଗୁରୁବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ମୁକାବିଲାରେ ସିନ୍ଧୁ ୨୧-୮, ୨୧-୧୩ ସିଧାସଳଖ ଗେମରେ ଜାପାନର ତୋମୋକୋ ମିୟାଜାକିଙ୍କୁ ପରାସ୍ତ କରିଥିଲେ । ଏଥିସହ ସିନ୍ଧୁ ୪ର୍ଥ ଥର ଲାଗି ମାଲେସିଆ ଓପନର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି । ପୂର୍ବତନ ଚାମ୍ପିଅନ ଆକାନେ ୟାମାଗୁଚି ଓ ସିନ୍ଧୁଙ୍କ ମଧ୍ୟରେ ଶୁକ୍ରବାର କ୍ୱାର୍ଟର ଲଢ଼େଇ ହେବ । ଅପରପକ୍ଷରେ ପୁରୁଷ ସିଙ୍ଗଲ୍ସରେ କିନ୍ତୁ ଭାରତକୁ ନିରାଶ ହେବାକୁ ପଡ଼ିଛି । ରାଉଣ୍ଡ-୧୬’ର ଏକ ମ୍ୟାଚରେ ଲକ୍ଷ୍ୟ ସେନ୍ ୨୦-୨୨, ୧୫-୨୨ ସିଧାସଳଖ ଗେମରେ ହଂକଂର ଲି ଚିଉକଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି । ଆୟୂଷ ସେଟ୍ଟୀ ମଧ୍ୟ ପ୍ରି-କ୍ୱାର୍ଟରରେ ପରାଜୟବରଣ କରିଛନ୍ତି ।

….

24.

ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ: ଟ୍ରମ୍ପଙ୍କ କ୍ଷମତା ସୀମିତ କଲା ଆମେରିକା ସିନେଟ

ଆମେରିକା ସିନେଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିବା ଦିଗରେ ଅଗ୍ରସର ହୋଇଛି, ଯାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ କ୍ଷମତା ଉପରେ ଅଙ୍କୁଶ ଲଗାଇବ। ଏହି ପ୍ରସ୍ତାବ ଅନୁଯାୟୀ, କଂଗ୍ରେସର ବିନା ଅନୁମତିରେ ଟ୍ରମ୍ପ ଭେନେଜୁଏଲା ବିରୋଧରେ ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ।

ଏହି ଭୋଟିଂରେ ପ୍ରସ୍ତାବ ସପକ୍ଷରେ ୫୨ ଓ ବିପକ୍ଷରେ ୪୭ ଖଣ୍ଡ ଭୋଟ୍ ମିଳିଥିଲା। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନ୍‌ର କିଛି ସାଂସଦ ମଧ୍ୟ ଡେମୋକ୍ରାଟ୍‌ଙ୍କ ସହ ମିଶି ଏହାକୁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଆମେରିକୀୟ ସେନା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ଏକ ସାମରିକ ଅଭିଯାନରେ ଗିରଫ କରିବା ପରେ ସିନେଟ ଏହି ପଦକ୍ଷେପ ନେଇଛି।

…….

25.

ମହିଳାଙ୍କ ପାଇଁ ବେଙ୍ଗାଲୁରୁ ସବୁଠୁ ସୁରକ୍ଷିତ; ତଳକୁ ଚେନ୍ନାଇ, ପୁନେ, ହାଇଦ୍ରାବାଦ 

ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲଚର କନସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ସ୍ଥାନିତ ହୋଇଛି । ରିପୋର୍ଟରେ ଦେଶର ୧୨୫ ସହରକୁ ମହିଳାଙ୍କ ଭାଗିଦାରୀ, ସୁରକ୍ଷା, କ୍ୟାରିୟର ଅଭିବୃଦ୍ଧି, ଜୀବନ ବଞ୍ଚିବାର ଗୁଣବତ୍ତା ଆଧାରରେ ର୍ୟାଙ୍କ୍ ଦିଆଯାଇଛି । ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକା ଶୀର୍ଷରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଇଣ୍ଡଷ୍ଟ୍ରି ମାମଲାରେ ଆଗରେ ଥିଲେ ହେଁ ସୁରକ୍ଷା, ପରିବହନ, ଦରଦାମ ଦୃଷ୍ଟିରୁ ପଛୁଆ ଅଛି । ତିରୁଅନନ୍ତପୁରମ, ଶିମଲା ଏବଂ ତିରୁଚିରାପଲ୍ଲୀ ସାମାଜିକ ସମାବେଶ ଦୃଷ୍ଟିରୁ ଉନ୍ନତ ରହିଛି । 

…….

26.

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ପାିଁଜି, ଶାଢ଼ୀ, ଚୁଡ଼ି 

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଗ୍ୟ କନ୍ୟାଙ୍କୁ ଉପହାର ଦେବାକୁ ଉକ୍ରଳିକା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ହୋଇଛି । କନ୍ୟା ବିବାହ ଯୋଜନା ଅଧୀନରେ ଉପହାର ଯୋଗାଇବାକୁ ଉକ୍ରଳିକାକୁ ଦାୟିତ୍ୱ ଦିଆଯାଇଛି । ଯୋଗ୍ୟ କନ୍ୟାଙ୍କ ବାହାଘର ପଞ୍ଜିକରଣର ୭ ଦିନ ପରେ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଦିଆଯିବ । ଉପହାର ପାଇଁ ୧୦ ହଜାର ଓ ସାଜସଜ୍ଜା ପାଇଁ ୬ ହଜାର ଟଙ୍କା ମିଳିବ । ଉପହାର ସ୍ୱରୂପ ଚୁଡ଼ି, ହସ୍ତତନ୍ତ ଶାଢ଼ୀ, ରୂପା ପାଉଁଜି, ଅଳତା, ସିନ୍ଦୂର ସହ ସବୁ ଶୃଙ୍ଗାର ସାମଗ୍ରୀ ବାକ୍ସରେ ଦିଆଯିବ । ଉପହାରରେ ବାସନ କୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ବି ଦିଆଯିବ ।

…….

27.

ଆମେରିକା ଜବତ କରିଥିବା ଋଷୀୟ ଟ୍ୟାଙ୍କରରେ ଅଛନ୍ତି ୩ ଭାରତୀୟ

ଉତ୍ତର ଆଟଲାଣ୍ଟିକ ମହାସାଗରରେ ଆମେରିକା ବୁଧବାର ଜବତ କରିଥିବା ରୁଷୀୟ ତୈଳ ଟ୍ୟାଙ୍କର ମାରିନେରାରେ ୩ଜଣ ଭାରତୀୟ ନାବିକ ରହିଥିବା ସୂଚନା ମିଳିଛି । ଏହି ଟ୍ୟାଙ୍କରରେ ମୋଟ ୨୮ ଜଣ ନାବିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ୟୁକ୍ରେନର ନାଗରିକ ହୋଇଥିଲା ବେଳେ ଜର୍ଜିଆର ୬ ଜଣ, ଭାରତର ୩ ଜଣ ଓ ରୁଷର ୨ ଜଣ ନାଗରିକ ଅଛନ୍ତି । ଆମେରିକା ୟୁରୋପିଆନ କମାଣ୍ଡ ପକ୍ଷରୁ କୁହାଯାଇଛି କି ଏକ ସଂଘୀୟ କୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଉକ୍ତ ଟ୍ୟାଙ୍କରକୁ ଜବତ କରାଯାଇଛି । ଅନ୍ୟପକ୍ଷରେ ଭେନେଜୁଏଲାରୁ ତୈଳ ପରିବହନ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଦେ୍ର୍ଦଶରେ ଉକ୍ତ ଟ୍ୟାଙ୍କରକୁ ଜବତ କରାଯାଇଥିବା କୁହାଯାଉଛି । ବ୍ରିଟେନ ସହାୟତାରେ ଆମେରିକା ଜାହଜାକୁ ଜବତ କରିବାରେ ସଫଳ ହୋଇଛି । ତେବେ ଏହି ଘଟଣାକୁ ନେଇ ରୁଷ କଡା ଆପତ୍ତି ଉଠାଇଛି ।

28.

ଭାରତରେ ଭିସା ସେବା ବନ୍ଦ କଲା ବାଂଲାଦେଶ

ଭାରତର ୪ଟି ପ୍ରମୁଖ ସହରରେ ଥିବା ନିଜ ଭିସା ସେବାକୁ ବନ୍ଦ କରିଦେଇଛି ବାଂଲାଦେଶ । ପୂର୍ବରୁ କୋଲକାତା ଓ ଅଗରତାଲାରେ ଥିବା ଭିସା ସେବା କେନ୍ଦ୍ର ବନ୍ଦ ହୋଇଥିଲା । ଏବେ ମୁମ୍ବାଇ ଓ ଚେନ୍ନାଇରେ ମଧ୍ୟ ସମାନ ପଦକ୍ଷେପ ନେଇଛି ଢାକା । ଭାରତ ପ୍ରଥମେ ପଦକ୍ଷେପ ନେଇ ଢାକାରେ ଥିବା ନିଜ ଭିସା ସେବାକୁ ସସପେଣ୍ଡ କରିଥିଲା । ଏହାପରେ ସୁରକ୍ଷା କାରଣ ଦର୍ଶାଇ ଢାକା ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛି । ଉଲ୍ଲେଖଯୋଗ୍ୟ, ବାଂଲାଦେଶର ବିଭିନ୍ନ ସହରରେ ଏବେ ହିନ୍ଦୁ ବିରୋଧୀ ହିଂସା ଉଗ୍ର ହୋଇଛି । ୨୦ ଦିନରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ଏପରିକି କେତେକ ସ୍ଥାନରେ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ହିନ୍ଦୁଙ୍କୁ ବିରୋଧ କରାଯାଉଛି । 

29.

ସାରା ରାଜ୍ୟରେ ଶୀତ ଲହରୀ, ଏବେ କମିବ ନାହିଁ

ପାଣିପାଗ ବିଭାଗର ପୂର୍ବାନଚୁମାନ ଅନୁସାରେ ଆସନ୍ତା ଦୁଇ ସପ୍ତାହ ଯାଏ ଶୀତ ଲହରୀ ଲାଗି ରହିପାରେ । । କେତେକ ସହରରେ ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା । ଆଜି ସୁନ୍ଦରଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ, କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପୂର୍ବ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ସମୟର ତାପମାତ୍ରା  ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏ ଖସିବ । ବୁଧବାର ଶିମିଳିପାଳ ଜଙ୍ଗଲରେ ଶୂନ ଡିଗ୍ରୀ ଛୁଇଁଥିଲା ସର୍ବନିମ୍ନ ତାପମାତ୍ରା । ଜି ଉଦୟଗିରିରେ ଥିଲା ୨.୫ ଡିଗ୍ରୀ । ୨୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିଲା । ସେମିଳିଗୁଡ଼ାରେ ୩.୨, ଫୁଲବାଣୀରେ ୫ ଡିଗ୍ରୀ, ରାଉରକେଲାରେ ୫.୪, ଝାରସୁଗୁଡ଼ାରେ ୫.୮, ଦାରିଙ୍ଗବାଡ଼ିରେ ୬, ଭବାନୀପାଟଣା ଓ ନବରଙ୍ଗପୁରରେ ୭, କିରେଇରେ ୭.୨, ଚିପିଲିମାରେ ୭.୫, ଅନୁଗୁଳରେ ୭.୮ ଡିଗ୍ରୀ ରହିଥିଲା । ଏଥର ଶୀତ ଋତୁରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ପାରଦ ୯ ଡିଗ୍ରୀ ଛୁଇଁଛି । 

 

30,

ଏପ୍ରିଲ ୧ ଯାଏଁ ଗାଡ଼ିର ପ୍ରଦୂଷଣ ଯାଞ୍ଚ କୋହଳ, ମନ୍ତ୍ରୀଙ୍କ ବଡ଼ ଘୋଷଣା

ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ନିୟମକୁ କୋହଳ କରିବାକୁ ଘୋଷଣା କରିଛନ୍ତି। ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ପହିଲା ଯାଏଁ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥା ମାଧ୍ୟମରେ କୌଣସି ପ୍ରଦୂଷଣ ଜରିମାନା କଟାଯିବ ନାହିଁ। ଏହାବ୍ୟତୀତ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଦାୟ କରାଯାଉଥିବା ୧୦ ହଜାର ଟଙ୍କା ଜରିମାନା ରାଶିର ପୁନଃ ତର୍ଜମା କରି ଏହାକୁ କମାଇବା ଦିଗରେ ବିଚାର କରିବାକୁ ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟରେ ମାତ୍ର ୨୧% ଗାଡ଼ି ପାଖରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହା ଚିନ୍ତାଜନକ। ତେଣୁ ଜନସାଧାରଣଙ୍କ ସୁବିଧା ପାଇଁ ନିୟମ କୋହଳ କରାଯାଇଥିଲେ ମଧ୍ୟ, ଏହି ଅବଧି ଭିତରେ ନିଜ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

 

31.

ଆସାମରେ ୩.୯ ତୀବ୍ରତାର ଭୂକମ୍ପ

ଆସାମରେ ଗୁରୁବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା । ଉଦାଲଗୁଡ଼ି ଜିଲ୍ଲାରେ ୧୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଗୌହାଟୀ ସମେତ ରାଜ୍ୟର ବିଭିନ୍ନ ଅଂଶରେ ଏହା ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି । ଏହା ପୂର୍ବରୁ ସୋମବାର ମୋରିଗାଓଁ ଜିଲ୍ଲାରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । କିଛି ଘର ପ୍ରଭାବିତ ହୋଇଥିଲା ।

….

32.

୫୫ ହଜାର କୋଟିରେ ୭ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ  ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ୫୫ ହଜାର ୭୮୩ କୋଟି ଟଙ୍କାର ୭ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ୧୪ ହଜାର ୫୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ । ପ୍ରମୁଖ ପ୍ରସ୍ତାବ ମଧ୍ୟରେ ରହିଛି ୩୫,୦୦୦ କୋଟି ନିବେଶରେ ଜେଏସଡବ୍ଲୁ୍ୟ ଗ୍ରୁପ ଅଂଶ ସାଫ୍ରନ ରିସୋର୍ସ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା । ଏହି ପ୍ରକଳ୍ପ ଜରିଆରେ ୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗଞ୍ଜାମରେ ଏକ ପ୍ରମୁଖ କମ୍ପାନି ୧୬୯୭ କୋଟି ଟଙ୍କା ନିବେଶରେ ଏକ ମାନୁଫାକଚରିଂ ୟୁନିଟ ବସାଇବାକୁ  ଯାଉଛି । କେନ୍ଦୁଝରରେ ଫେରୋ ଆଲଏଜ କର୍ପୋରେସନ ଲିମିଟେଡ ୨ ହଜାର କୋଟି ଟଙ୍କା ନିବେଶ କରିବ । ଜିଏମଆର୍ କମଳାଙ୍ଗ ଏନର୍ଜି ଲିମିଟେଡ୍ ଢେଙ୍କାନାଳରେ ୨୧୩୬.୦୨ କୋଟି ନିବେଶରେ ୩୫୦ ମେଗାୱାଟ ତାପଜ ବିଦୁ୍ୟତ କେନ୍ଦ୍ର କରିବ । 

33.

ଆଠ ରାଜ୍ୟର ୧୫ କୋର୍ଟ ବୋମାରେ ଉଡ଼ାଇବାକୁ ଧମକ

ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟର ୧୫ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଗୁରୁବାର ଧମକ ମିଳିଥିଲା । ଏସବୁ ରାଜ୍ୟରେ ରହିଛି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡ଼ । ଇ-ମେଲ ଜରିଆରେ ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଏଭଳି ଧମକ ଦିଆଯାଇଛି । ସେଥିରେ କୁହାଯାଇଛି କି କୋର୍ଟ ପରିସରରେ ୩ ଆରଡିଏକ୍ସ ରଖାଯାଇଛି । ଅପରାହ୍ନ ୨ଟା ୩୦ରେ କୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବ । ତେବେ ବିଶେଷଜ୍ଞ ଟିମ୍ ସହିତ ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ ସ୍କ୍ୱାଡ୍ କୋର୍ଟ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରି ନିରାଶ ହୋଇଛନ୍ତି । ପଞ୍ଜାବର ଫିରୋଜପୁର, ମୋଗା ଓ ରୋପର ଜିଲ୍ଲା କୋର୍ଟ, ବିହାରର ପାଟନା ସିଭିଲ କୋର୍ଟ, ପାଟନା ସିଟି କୋର୍ଟ, କିଷନଗଞ୍ଜ ସିଭିଲ କୋର୍ଟ ଓ ଗୟା ସିଭିଲ କୋର୍ଟ, ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା କୋର୍ଟ, ମଧ୍ୟପ୍ରଦେଶର ରେୱା ଜିଲ୍ଲା କୋର୍ଟ ଏବଂ କେରଳର କାସରଗଡ ଜିଲ୍ଲା କୋର୍ଟକୁ ମଧ୍ୟ ଧମକ ମିଳିଥିଲା

Leave a Reply

Your email address will not be published. Required fields are marked *