TOP 30 NEWS DOSE | 7 January 2026

Author:

1.

ଟ୍ୱିନ ସିଟିରେ ପ୍ରଦୂଷଣ ରୋକିବାକୁ ନିର୍ମାଣ କାର୍ଯ୍ୟ ଓ ବର୍ଜ୍ୟ ଜାଳେଣି ଉପରେ କଟକଣା

ଉଭୟ କଟକ ଓ ଭୁବନେଶ୍ୱର ସହରରେ ପ୍ରଦୂଷଣ ମାତ୍ର କିଛି ଦିନ ଧରି ବଢ଼ିଚାଲିଛି । ଏହା ଉଦବେଗଜନକ ସ୍ତରକୁ ଆସିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ମଧ୍ୟରେ ଟ୍ୱିନ ସିଟିରେ ସବୁ ପ୍ରକାର ନିର୍ମାଣ କାମ ଉପରେ କଟକଣା ଜାରି କରାଯାଇଛି । ଏହି ୭ ଦିନରେ ଧୂଳି ଓ ପ୍ରଦୂଷଣ ରୋକିବାକୁ ସମସ୍ତ ପ୍ରକାର ଉଚ୍ଛେଦ ଉପରେ ରୋକ୍ ଲଗାଯାଇଛି । ଖୋଲା ସ୍ଥାନରେ କୌଣସି ପ୍ରକାର ବର୍ଜ୍ୟ ଜଳାଗଲେ ସେଥିପାଇଁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ହୋଟେଲ ଓ ଢାବା ଗୁଡ଼ିକରେ କାଠ ଓ କେଇଲା ଜାଳିବାକୁ ମନା କରାଯାଇଛି । ନିର୍ମାଣ ସ୍ଥାନ ଗୁଡ଼ିକୁ କଭର କରି ରଖିବାକୁ କୁହାଯାଇଛି । ଧୂଳି ରୋକିବାକୁ ରାଜପଥ ସମେତ ଅନ୍ୟାନ୍ୟ ସ୍ଥାନରେ ଦିନକୁ ଦୁଇଥର ଜଳ ସିଞ୍ଚନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଜାରି ହୋଇଥିବା କଟକଣା କଡ଼ାକଡ଼ି ତଦାରଖ କରିବାକୁ ପୁଲିସ ଓ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।

…….

2.

ବୈଧ ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଫାଷ୍ଟାଗ୍ ହେବନି ରିଚାର୍ଜ

ଗାଡ଼ି ପାଇଁ ବୈଧ ପ୍ରଦୂଷଣ ସାର୍ଟିଫିକେଟ ଓ ବୀମା ସାର୍ଟିଫିକେଟ ଆବଶ୍ୟକ । ଏହା ନଥିଲେ ଆପଣ ମାନେ ଆଉ ଫାଷ୍ଟାଗ୍ ରିଚାର୍ଜ କରିପାରିବେନି କିମ୍ବା ଟୋଲ ଗେଟ ଦେଇ ଆପଣଙ୍କ ଗାଡ଼ି ଯାଇପାରିବନି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନିୟମ ଓଡ଼ିଶାରେ ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଲାଗୁ ହେବ । ଉଲ୍ଲେଖଯୋଗ୍ୟ, ଗାଡ଼ି ଗୁଡ଼ିକରେ ବୈଧ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ମାର୍ଚ୍ଚ ୧ ତାରିଖରୁ ଆପଣଙ୍କୁ ତେଲ ଟାଙ୍କିରେ ଆଉ ତେଲ ମିଳିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର କହିସାରିଛନ୍ତି । ସେହିପରି ଗାଡ଼ିରେ କୌଣସି ଇ-ଚାଲାଣ ଭରିବା କାମ ବକେୟା ଥିଲେ ଆପଣଙ୍କୁ ବୈଧ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ମଧ୍ୟ ମିଳିବ ନାହିଁ । ପ୍ରତ୍ୟେକ ବାଣିଜି୍ୟକ ଗାଡ଼ିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲଟିଡି) ଲଗାଇବା ବାଧ୍ୟତାମୂଳକ ନିୟମ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇ ସାରିଛି ।  

….

3.

ଡିଏମକେ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା; ତିରୁପରଙ୍କୁଣ୍ଡ୍ରମରେ ଦୀପ ଜାଳିବାକୁ ଅନୁମତି

ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡ଼ୁ ସରାକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ତିରୁପରଙ୍କୁଣ୍ଡ୍ରମ ମନ୍ଦିରର ପାହାଡ଼ ଉପରେ ଥିବା ଦରଘା ନିକଟ ପଥର ସ୍ତମ୍ଭରେ ଦୀପ ଜଳାଇବାକୁ ଅନୁମତି ଦେଇଛନ୍ତି । ଏହି ମାମଲାର ପୂର୍ବ ରାୟକୁ ବଜାୟ ରଖିବା ସହ ରାଜନୈତିକ ରଙ୍ଗ ଦେଇଥିବାରୁ ଖଣ୍ଡପୀଠ ତାମିଲନାଡ଼ୁ ସରକାରଙ୍କୁ ସମାଲୋଚନା କରିଛନ୍ତି । କୋର୍ଟ କହିଛନ୍ତି, ଏଠାରେ ଦୀର୍ଘ ବର୍ଷ ହେଲା ଦୀପ ଜଳାଇବା ପରମ୍ପରା ଜାରି ରହିଛି । ପ୍ରଶାସନ ମାମଲାକୁ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟର ସୁଯୋଗ ଭାବେ ଦେଖିବା ଉଚିତ ଥିଲା । ଏହି ମାମଲା ହିନ୍ଦୁ ତାମିଲ ପାର୍ଟିର ନେତା ରାମ ରବିକୁମାରଙ୍କ ଆବେଦନ ସହ ଜଡ଼ିତ । ସେ କାର୍ତ୍ତିଗୈ ଦୀପମ ପର୍ବରେ ପାହାଡ଼ରେ ଥିବା ପଥର ସ୍ତମ୍ଭ ଉପରେ ଦୀପ ଜଳାଇବାକୁ ଅନୁମତି ମାଗିଥିଲେ । ଗତ ଡିସେମ୍ବର ୧ରେ ଜଷ୍ଟିସ ସ୍ୱାମୀନାଥନଙ୍କ ଏକକ ଖଣ୍ଡପୀଠ ଏହି ଆବେଦନକୁ ସ୍ୱୀକାର କରି ଦୀପ ଜଳାଇବାକୁ ଅନୁମତି ଦେଇଥିଲେ । କିନ୍ତୁ ତାମିଲନାଡ଼ୁର ଷ୍ଟାଲିନ ସରକାର ଆଇନ ବ୍ୟବସ୍ଥାର ଦ୍ୱାହି ଦେଇ ନିଦେ୍ର୍ଦଶକୁ ପାଳନ କରିବାକୁ ମନା କରିଦେଇଥିଲେ । 

….

4.

ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନର୍ବାଚନ ଦାବି ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ଆଗତ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆବେଦନରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟ ୨୦୦୬ରେ ଲିଙ୍ଗଡୋ କମିଶନର ରିପୋର୍ଟକୁ ସ୍ୱୀକାର କରିଥିଲେ । ଭବିଷ୍ୟତରେ ଏହି ରିପୋର୍ଟ ଆଧାରରେ ନିର୍ବାଚନ କରାଇବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏବେ ଅନେକ ବିଶ୍ୱବିଦ୍ୟାଳୟରେ ନିର୍ବାଚନ କରାଯାଉନାହିଁ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଏବଂ ଆବେଦନର ଉଦେ୍ଦଶ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ । ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେଉଛି କି ନ ହେଉଛି ଏଥିରେ ସୁପ୍ରିମକୋର୍ଟ ଦଖଲ କାହିଁକି ଦେବେ ବୋଲି କହିଥିଲେ । ଆବେଦନକାରୀଙ୍କ ଓକିଲ ଦର୍ଶାଇଥିଲେ ଯେ ସେ କେବଳ ୟୁନିଭର୍ସିଟି ଅଫ୍ କେରଳ ମାମଲାରେ ଆସିଥିବା କୋର୍ଟଙ୍କ ନିଦେ୍ର୍ଦଶକୁ ପାଳନ କରିବାକୁ ଦାବି କରିଛନ୍ତି । ଛାତ୍ର ସଂସଦ ଛାତ୍ରଛାତ୍ରୀମାନଙ୍କର ମଙ୍ଗଳ ପାଇଁ କାମ କରୁଛି । ତେବେ ଆବେଦନକାରୀଙ୍କ ଏହି ତଥ୍ୟରେ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ । 

……

5.

ଆଇଆରସିଟିସି ଠକେଇ ମାମଲା; ତେଜସ୍ୱୀଙ୍କ ଆବେଦନରେ ସିବିଆଇକୁ ଜବାବ ମାଗିଲେ କୋର୍ଟ

ଆଇଆରସିଟିସି ରେଳ ଦୁର୍ନୀତି ମାମଲାରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ଅଭିଯୋଗ ଧାର୍ଯ୍ୟ କରାଯାଇଛି । ଏହା ଉପରେ ରୋକ ଲଗାଇବା ପାଇଁ ତେଜସ୍ୱୀ କରିଥିବା ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସିବିଆଇକୁ ନୋଟିସ କରିଛନ୍ତି । ଜାନୁଆରୀ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଦିନ ତେଜସ୍ୱୀଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଦାୟର କରିଥିବା ସମାନ ଆବେଦନର ମଧ୍ୟ ଶୁଣାଣି କରାଯିବ । ଏଥିପୂର୍ବରୁ ଗତ ଅକ୍ଟୋବର ୧୩ରେ ନିମ୍ନ ଅଦାଲତ ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଏବଂ ଅନ୍ୟ ୧୧ଜଣଙ୍କ ବିରୋଧରେ ଅଭିଯୋଗ ଧାର୍ଯ୍ୟ କରିଥିଲେ । ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ନିରୋଧୀ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ଚଲାଇବାକୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ । ପ୍ରକାଶଯୋଗ୍ୟ, ଲାଲୁ ରେଳମନ୍ତ୍ରୀ ଥିବା ସମୟରେ ଦୁଇଟି ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ କର୍ପୋରେସନ ହୋଟେଲକୁ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରିବାରେ ଅନିୟମିତତା ସହ ଏହି ମାମଲା ଜଡ଼ିତ ।

…..

6.

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କାଲମାଡ଼ିଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କାଲମାଡ଼ିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥ ଥିବା କାଲମାଡି ପୁଣେରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପୁଣେର ବୈକୁଣ୍ଠଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି । ୧୯୪୪ରେ ମେ ୧ରେ ଜନ୍ମିତ କାଲମାଡି ୧୯୬୪ରୁ ୧୯୭୨ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ କାର୍ଯ୍ୟ କରି ସ୍କ୍ୱାଡ୍ରନ ଲିଡର ଭାବେ ଅବସର ନେଇଥିଲେ । ଏହାପରେ ରାଜନୈତିକ କ୍ୟାରିୟର ଆରମ୍ଭ କରି ପୁଣେରୁ ୩ଥର ସାଂସଦ ନିର୍ବାଚିତ ହୋଇଥିଲେ । ଏଥିସହ ୩ଥର ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ । କାଲମାଡି ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଭାରତୀୟ ଅଲିମ୍ପିକ ସଂଘ ଓ ଏସିଆ ଆଥଲେଟିକ ଆସୋସିଏସନର ସଭାପତି ରହିଥିଲେ । ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କମିଟିର ସେ ଅଧ୍ୟକ୍ଷ ଥିଲେ । ସେହି ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲାଗିଥିଲା । ଯେଉଁଥି ପାଇଁ ୨୦୧୧ରେ ତାଙ୍କୁ ଗିରଫ କରାଯିବା ସହ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା ।

…..

7.

ଆସେସ ସିରିଜ ୫ମ ଟେଷ୍ଟ; ଅଷ୍ଟ୍ରେଲିଆର ଦୃଢ଼ ଜବାବ; ସ୍ମିଥ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ

ସିଡନୀରେ ଚାଲିଥିବା ଆସେସ ସିରିଜର ଅନ୍ତିମ ତଥା ୫ମ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦୃଢ଼ ଜବାବ ଦେଇଛି । ଇଂଲଣ୍ଡର ୩୮୪ ରନ ଜବାବରେ ଅଷ୍ଟ୍ରେଲିଆ ମଙ୍ଗଳବାର ୪ର୍ଥ ଦିବସ ଶେଷ ସୁଦ୍ଧା ୭ ୱିକେଟରେ ୫୧୮ ରନ ସଂଗ୍ରହ କରିଛି । ଓପନର୍ ଟ୍ରାଭିସ ହେଡ୍ ସର୍ବାଧିକ ୧୬୭ ରନ କରି ଆଉଟ୍ ହୋଇଛନ୍ତି । ସେହିଭଳି ଅଧିନାୟକ ଷ୍ଟିଭ ସ୍ମିଥ ୧୨୯ ଓ ବିଉ ୱେବଷ୍ଟର ୪୨ ରନ କରି ଖେଳୁଛନ୍ତି । ଦୁଇଟି ୱିକେଟ୍ ବଳକାଥାଇ ଅଷ୍ଟ୍ରେଲିଆ ମୋଟ୍ ୧୩୪ ରନରେ ଅଗ୍ରଣୀ ରହିଛି । ଏଠାରେ ଶତକ ସହ ସ୍ମିଥ ଆସେସ ସିରିଜ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍ ହୋଇଛନ୍ତି । ସ୍ମିଥ ବର୍ତ୍ତମାନ ସୁଦ୍ଧା ଆସେସ ସିରିଜରେ ୪୧ଟି ମ୍ୟାଚ୍ ଖେଳି ୫୪ରୁ ଊଦ୍ଧ୍ୱର୍ ହାରରେ ୩୬୪୪ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୩ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ସାମିଲ ରହିଛି । ଆସେସ ଇତିହାସରେ ଡନ୍ ବ୍ରାଡମ୍ୟାନ ସର୍ବାଧିକ ୫,୦୨୮ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି ।  

…….

8.

ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ବରିଷ୍ଠ କଂଗ୍ରେସ ନେତା ତଥା ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ମଙ୍ଗଳବାର ସକାଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । କଂଗ୍ରେସ ଦଳ କିମ୍ବା ହସ୍ପିଟାଲ ପକ୍ଷରୁ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରାଯାଇନାହିଁ । ପ୍ରକାଶଯୋଗ୍ୟ, ଗତ ଡିସେମ୍ବର ୯ରେ ସୋନିଆ ୭୯ବର୍ଷ ବୟସରେ ପଦାର୍ପଣ କରିଥିଲେ । ସେ ଦୀର୍ଘ ସମୟ ଧରି କାଶରେ ପୀଡ଼ିତ । ଯେଉଁଥି ପାଇଁ ନିୟମିତ ଭାବେ ଚେକଅପ୍ ଲାଗି ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥାଏ । ବିଶେଷ କରି ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିବା କୁହାଯାଉଛି ।

……

9.

ସିଙ୍ଗାପୁର ସେନାରେ ସାମରିକ ତାଲିମ ନେଉଛନ୍ତି ଲାଲୁ ଯାଦବଙ୍କ ନାତି ଆଦିତ୍ୟ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନାତି ଆଦିତ୍ୟ ଅନ୍ୟ ଏକ ଦେଶର ସେନାରେ ଯୋଗ ଦେବାକୁ ଯାଉଛନ୍ତି । ଏହି ସୂଚନା ଆଦିତ୍ୟଙ୍କ ମା ତଥା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ରୋହିଣୀ କହିଛନ୍ତି, ବଡ଼ ପୁଅ ଆଦିତ୍ୟଙ୍କ ପ୍ରାକ୍ ବିଶ୍ୱବିଦ୍ୟାଳୟ ପାଠପଢ଼ା ୧୮ ବର୍ଷ ବୟସରେ ସମାପ୍ତ ହୋଇଛି । ଏବେ ସେ ଦୁଇବର୍ଷର ମୌଳିକ ସାମରିକ ତାଲିମ ପାଇଁ ଯାତ୍ରା କରିଛନ୍ତି । ଆଦିତ୍ୟ କେଉଁ ଦେଶରେ ସାମରିକ ତାଲିମ ନେଉଛନ୍ତି ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରୋହିଣୀ ତାଙ୍କ ପରିବାର ସହ ଦୀର୍ଘ ବର୍ଷ ଧରି ସିଙ୍ଗାପୁରରେ ରହୁଛନ୍ତି । ସିଙ୍ଗାପୁର ଆଇନ ଅନୁଯାୟୀ ଯୁବକଙ୍କୁ ଜାତୀୟ ସେବାର ଅଂଶଭାବରେ ୧୮ ବର୍ଷ ପରେ ସାମରିକ ତାଲିମ ନେବାକୁ ପଡ଼ିଥାଏ । ଲାଲୁଙ୍କ ନାତି ଆଦିତ୍ୟ ସିଙ୍ଗାପୁର ସଶସ୍ତ୍ର ବାହିନୀର ମୌଳିକ ସାମରିକ ତାଲିମରେ ଯୋଗଦେଇଛନ୍ତି । 

…….

10.

ବିଜୟ ହଜାରେ ଟ୍ରଫି; ଓଡ଼ିଶାର ୩ୟ ପରାଜୟ; କ୍ୱାର୍ଟର ଆଶା ମଉଳିଲା

ବେଙ୍ଗାଲୁରୁରେ ଚାଲିଥିବା ବିଜୟ ହାଜରେ ଟ୍ରଫିରେ ଓଡ଼ିଶା କ୍ରିକେଟ୍ ଦଳ ୩ୟ ପରାଜୟବରଣ କରିଛି । ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚରେ ଶକ୍ତିଶାଳୀ ଗୁଜରାଟ ୨୩୩ ରନରେ ଓଡ଼ିଶାକୁ ହରାଇ ଦେଇଛି । ଗୁଜରାଟ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୩ ରନ କରିଥିଲା । ଅକ୍ଷର ପଟେଲ ସର୍ବାଧିକ ୭୩ ରନ କରି ବିପ୍ଳବ ସାମନ୍ତରାୟଙ୍କ ବଲରେ ବୋଲ୍ଡ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ଉର୍ଭିଲ ପଟେଲ ଓ ଆହାନ ପୋଦ୍ଦାରଙ୍କ ବ୍ୟାଟରରୁ ୬୩ ରନ ଲେଖାଏ ବାହାରିଥିଲା । ଜବାବରେ ଓଡ଼ିଶା ପ୍ରତିପକ୍ଷ ଅଧିନାୟକ ଚିନ୍ତନ ଗାଜାଙ୍କ ଦ୍ରୁତ ବୋଲିଂକୁ ସାମ୍ନା କରି ନ ପାରି ୨୮.୧ ଓଭରରେ ଠିକ୍ ୧୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଧିନାୟକ ବିପ୍ଳବ ସର୍ବାଧିକ ୨୨ ରନ କରିଥିଲେ । ୬ଟି ୱିକେଟ୍ ନେଇଥିବା ଚିନ୍ତନ ଗାଜା ଶ୍ରେଷ୍ଠ ଖେଳାଳି ହୋଇଥିଲେ । ଷଷ୍ଠ ମ୍ୟାଚରୁ ୩ୟ ପରାଜୟ ସହ ଓଡ଼ିଶା ଏବେ ଗ୍ରୁପ୍-ଡି’ରେ ୪ର୍ଥ ସ୍ଥାନରେ କ୍ୱାର୍ଟର ଦୌଡ଼ରୁ ବାଦ୍ ପଡ଼ିଛି । ଶେଷ ମ୍ୟାଚରେ ଓଡ଼ିଶା ଗୁରୁବାର ରେଳବାଇକୁ ଭେଟିବ ।

……

11.

ହନି ଟ୍ରାପର ଶିକାର ହେଲେ ଅମ୍ବାଲା ବାୟୂସେନାର ଠିକାଦାର; ପାକିସ୍ତାନକୁ ପଠାଉଥିଲେ ଫଟୋ

ହରିୟାଣାର ଅମ୍ବାଲାରେ ଥିବା ଭାରତୀୟ ବାୟୂସେନା ଷ୍ଟେସନ ବିଷୟରେ ପାକିସ୍ତାନକୁ ସୂଚନା ଦେଉଥିବା ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହନିଟ୍ରାପରେ ପଡ଼ି ସୋସିଆଲ୍ ମିଡିଆ ମାଧ୍ୟମରେ ଷ୍ଟେସନର ସମସ୍ତ ସୂଚନା ସେୟାର କରୁଥିଲେ । ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ପୋଲିସ ତାକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ଅମ୍ବାଲାର ଅଧିବାସୀ ସୁନିଲ । ସେ ୨୦୨୦ରୁ ସାମରିକ କ୍ଷେତ୍ରରେ ଜଣେ ଠିକାଦାର ଭାବରେ କାମ କରୁଥିଲେ । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ କହିଛି, ଅମ୍ବାଲା ପୁଲିସ ସୂଚନା ପାଇଥିଲା ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଆମର ପ୍ରତିରକ୍ଷା କ୍ଷେତ୍ର ବିଶେଷ କରି ବାୟୁସେନା ବିଷୟରେ ସୂଚନା ପ୍ରଦାନ କରୁଛନ୍ତି । ପରେ ପୁଲିସ ପଚରାଉଚରା କରି ସୁନିଲକୁ ଗିରଫ କରିଛି । ତା’ର ମୋବାଇଲ ଫୋନ ଜବତ କରାଯାଇଥିବାବେଳେ ଅନେତ ସନ୍ଦିଗ୍ଧ ଜିନିଷ ସାମ୍ନାକୁ ଆସିଛି । ସୁନିଲ ପାକିସ୍ତାନର ଜଣେ ମହିଳାଙ୍କ ସହ ଯୋଗଯୋଗରେ ଥିଲେ । 

……

12.

ଟ୍ରମ୍ପଙ୍କୁ କ୍ରୋଧିତ କରିଥିବା ମାଦୁରୋଙ୍କ ନୃତ୍ୟ

ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ବିରୋଧରେ ଆମେରିକାର କଠୋର କାର୍ଯ୍ୟାନୁଷ୍ଠାନ ସମଗ୍ର ବିଶ୍ୱକୁ ଚକିତ କରିଛି । ଏପର୍ଯ୍ୟନ୍ତ ଏହି ପଦକ୍ଷେପ ନିଶା କାରବାର ଓ ତେଲ ରାଜନୀତି ଥିଲା । କିନ୍ତୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଓ ଅଜବ କାରଣ ସାମ୍ନାକୁ ଆସିଛି । ଆମେରିକୀୟ ଖବରକାଗଜ ଦି ନୁ୍ୟୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଟେଲିଭିଜନରେ ପ୍ରସାରିତ ମାଦୁରୋଙ୍କ ନୃତ୍ୟ ଓ ସାର୍ବଜନୀନ କାର୍ଯ୍ୟକ୍ରମ ଟ୍ରମ୍ପ ପ୍ରଶାସନକୁ କ୍ରୋଧିତ କରିଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ହ୍ୱାଇଟ୍ ହାଉସର ବରିଷ୍ଠ ଅଧିକାରୀମାନେ ମାଦୁରୋଙ୍କ ହାସ୍ୟରସ ଏବଂ ନାଟକୀୟ ଡ୍ୟାନ୍ସ ସୋ’କୁ ଆମେରିକା ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ଭାବରେ ଦେଖୁଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ ବୟାନ ଅନୁଯାୟୀ, କେବଳ ଗୋଟିଏ ନାଚ ବହୁତ ଅଧିକ । ଏହା ସେହି ସମୟ ଥିଲା ଯେତେବେଳେ ଧୈର୍ଯ୍ୟ ଶେଷ ହୋଇଗଲା । ଏହି ଖବର ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ରିପୋର୍ଟରୁ ଜଣାପଡ଼ୁଛି ଯେ ଆମେରିକା ମାଦୁରୋଙ୍କ ନୃତ୍ୟଶୈଳୀକୁ ଅପମାନଜନକ ମନେ କରିଥିଲା ।

……

13.

ସରବଜିତଙ୍କୁ ଭାରତ ପଠାଇବାକୁ ମନା କଲା ପାକିସ୍ତାନ

ପାକିସ୍ତାନ ଶେଷ ମୁହୂର୍ତ୍ତରେ ପଞ୍ଜାବର ଜଣେ ୪୮ ବର୍ଷୀୟ ଶିଖ ମହିଳା ସରବଜିତ୍ କୌରଙ୍କୁ ଭାରତ ପଠାଇବାକୁ ମନା କରିଦେଇଛି । ସରବଜିତ୍ ଗତ ୪ ନଭେମ୍ବରରେ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କ ଦଳ ସହ ପାକିସ୍ତାନ ଯାତ୍ରା କରିଥିଲେ । ସେ ଗୁରୁ ନାନକ ଦେବଙ୍କ ୫୫୬ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେବା ଥିଲା । କିନ୍ତୁ ୫ ନଭେମ୍ବରରେ ସରବଜିତ୍ ଇସଲାମ ଧର୍ମ ଗ୍ରହଣ କରି ତାଙ୍କ ପାକିସ୍ତାନୀ ପ୍ରେମିକ ନାସିର ହୁସେନଙ୍କୁ ବିବାହ କରି ଅବୈଧ ଭାବରେ ସେଠାରେ ରହୁଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସରବଜିତ୍ ଓ ତାଙ୍କ ପ୍ରେମିକ ନାସିରଙ୍କୁ ପହରେୱାଲି ଗ୍ରାମରୁ ଗିରଫ କରାଯାଇଥିଲା । ଗିରଫ ପରେ ସରବଜିତଙ୍କୁ ୱାଘା ସୀମା ଦେଇ ଭାରତ ପଠାଇବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ଏବେ ତାଙ୍କୁ ପାକିସ୍ତାନରେ ଅଟକ ରଖାଯାଇଛି । ପାକିସ୍ତାନ କର୍ତ୍ତୁପକ୍ଷ ନିର୍ବାସନକୁ ବନ୍ଦ କରିବାର କୌଣସି କାରଣ ଦେଇନାହାନ୍ତି । ସରବଜିତ୍ ଏବେ ଫେଡେରାଲ ତଦନ୍ତ ଏଜେନ୍ସି ତଥା ଏଫଆଇଏ ହେପାଜତରେ ରହିଛନ୍ତି ।

…..

14.

ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ୍’ର ମୁକ୍ତିଲାଭ ନେଇ ଅନିଶ୍ଚିତତା; ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା

ଦକ୍ଷିଣ ଭାରତୀୟ ସୁପରଷ୍ଟାର୍ ବିଜୟଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟକନ୍’ ଜାନୁଆରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହା ଆଇନଗତ ଜଞ୍ଜାଳରେ ଫସିଛି। ସେନସର ବୋର୍ଡ ପକ୍ଷରୁ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେବାରୁ ନିର୍ମାତା ‘କେଭିଏନ୍ ପ୍ରଡକ୍ସନ୍ସ’ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାର ଏହାର ଶୁଣାଣି ହୋଇଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ ଏବଂ ଅଦାଲତ ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭ ତାରିଖ ଧାର୍ଯ୍ୟ କରିଛନ୍ତି। ନିର୍ମାତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଚଳଚ୍ଚିତ୍ରଟି ୨୫ଟି ଦେଶରେ ସାର୍ଟିଫିକେଟ ପାଇସାରିଛି ଏବଂ ଏହା ‘ୟୁଏ’ ସାର୍ଟିଫିକେଟ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ଅନ୍ୟପକ୍ଷରେ, ଧାର୍ମିକ ଭାବନା ଆଘାତ ନେଇ ଅଭିଯୋଗ ଉପରେ କୋର୍ଟ ଔପଚାରିକ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

 

….

15.

ଟାଟା, ଜେଏସଡବ୍ଲୁ ଓ ସେଲ୍ ଦ୍ୱାରା ଦର ନିର୍ଦ୍ଧାରଣରେ ଅନିୟମିତତା; ସିସିଆଇର ବଡ଼ ଖୁଲାସା

ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଇସ୍ପାତ ଶିଳ୍ପରେ ଏକ ବଡ଼ ଧରଣର ଅନିୟମିତତା ଧରିଛନ୍ତି। ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଷ୍ଟିଲ୍, ସରକାରୀ କମ୍ପାନୀ ସେଲ୍ ଏବଂ ଅନ୍ୟ ୨୫ଟି କମ୍ପାନୀ ବେଆଇନ ଭାବେ ମିଳିତ ହୋଇ ଇସ୍ପାତ ଦର ବୃଦ୍ଧି କରିଥିବା ତଦନ୍ତରୁ ଜଣାପଡିଛି। ରିପୋର୍ଟ ଅନୁଯାୟୀ, ୨୦୧୫ରୁ ୨୦୨୩ ମଧ୍ୟରେ ଏହି କମ୍ପାନୀଗୁଡିକ ପରସ୍ପର ମଧ୍ୟରେ ଗୁପ୍ତ ବୁଝାମଣା କରି ବଜାର ଦର ନିୟନ୍ତ୍ରଣ କରିଥିଲେ। ଏଥିପାଇଁ ଜେଏସଡବ୍ଲୁର ମୁଖ୍ୟ ସଜ୍ଜନ ଜିନ୍ଦଲ ଏବଂ ଟାଟା ଷ୍ଟିଲର ସିଇଓ ଟି.ଭି. ନରେନ୍ଦ୍ରନଙ୍କ ସମେତ ୫୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରାଯାଇଛି। ହ୍ୱାଟ୍ସଆପ୍ ଚାଟରୁ ଏହି ‘ପ୍ରାଇସ୍ ଫିକ୍ସିଂ’ର ପ୍ରମାଣ ମିଳିଥିବା କୁହାଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ପାଇଛି। ଯଦି ଚୂଡ଼ାନ୍ତ ରାୟରେ ଦୋଷ ପ୍ରମାଣିତ ହୁଏ, ତେବେ କମ୍ପାନୀଗୁଡିକ ଉପରେ କୋଟି କୋଟି ଟଙ୍କାର ଜରିମାନା ଲାଗିବାର ସମ୍ଭାବନା ରହିଛି।

……

16.

ଲଗାତାର ଦ୍ୱିତୀୟ ଦିନ ତଳମୁହାଁ ସେନସେକ୍ସ ଓ ନିଫ୍ଟି; ଟ୍ରମ୍ପଙ୍କ ଚେତାବନୀର ପ୍ରଭାବ

ମଙ୍ଗଳବାର ଭାରତୀୟ ସେୟାର ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପରିଲକ୍ଷିତ ହୋଇଛି। ବିଏସଇ ସେନସେକ୍ସ ୩୭୬.୨୮ ପଏଣ୍ଟ ଖସି ୮୫,୦୬୩.୩୪ରେ ଏବଂ ନିଫ୍ଟି ୭୧.୬୦ ପଏଣ୍ଟ ହ୍ରାସ ପାଇ ୨୬,୧୭୮.୭୦ରେ ବନ୍ଦ ହୋଇଛି। ମୁଖ୍ୟତଃ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚଡିଏଫସି ବ୍ୟାଙ୍କ ଭଳି ବଡ଼ କମ୍ପାନୀର ସେୟାର ବିକ୍ରି ଯୋଗୁଁ ବଜାର ପ୍ରଭାବିତ ହୋଇଛି। ଟାଟାର ରିଟେଲ କମ୍ପାନୀ ‘ଟ୍ରେଣ୍ଟ’ର ସେୟାର ସର୍ବାଧିକ ୮.୬୨% ଏବଂ ରିଲିଆନ୍ସ ୪.୪୨% ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ବୃଦ୍ଧି ଚେତାବନୀ ଏବଂ ଡିସେମ୍ବର ମାସରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୧ ମାସର ସର୍ବନିମ୍ନ ସ୍ତରକୁ ଖସିବା ନିବେଶକଙ୍କୁ ଚିନ୍ତାରେ ପକାଇଛି। ତେବେ ଆଇସିଆଇସିଆଇ ବ୍ୟାଙ୍କ, ସନ ଫାର୍ମା ଏବଂ ଏସବିଆଇ ସେୟାରରେ ବୃଦ୍ଧି ଦେଖାଦେଇଛି। 

….

17.

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ୬ ହିନ୍ଦୁ ମଲେଣି

ବାଂଲାଦେଶର ନରସିନ୍ଦି ଜିଲ୍ଲାରେ ସୋମବାର ରାତିରେ ଜଣେ ହିନ୍ଦୁ ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ହେଲେ ଶରତ ମଣି ଚକ୍ରବର୍ତ୍ତୀ (୪୦) । ସେ ପଳାଶ ଉପଜିଲ୍ଲାର ଚାରସିନ୍ଦୁର ବଜାରରେ ଗ୍ରୋସୋରି ଦୋକାନ କରିଥିଲେ । ସୋମବାର ରାତି ପ୍ରାୟ ୧୦ଟାରେ  ଦୋକାନ ବନ୍ଦ କରି ଘରକୁ ଫେରୁଥିବାଳେଳେ ଅଚାନକ କିଛି ଆକ୍ରମଣକାରୀ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଆହତ ଚକ୍ରବର୍ତ୍ତୀଙ୍କୁ ଲୋକେ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ଗତ ଡିସେମ୍ବର ୧୯ରେ ଚକ୍ରବର୍ତ୍ତୀ ଫେସବୁକ ପୋଷ୍ଟ ଲେଖି ଦେଶରେ ବଢୁଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ,ଛାତ୍ରନେତା ସରିଫ୍ ଉସମାନ ହାଦିଙ୍କ ହତ୍ୟା ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଏହାକୁ ମିଶାଇ ବିଗତ ୧୮ ଦିନ ମଧ୍ୟରେ ଦେଶରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି ।

….

18.

ଉତ୍ତର ପ୍ରଦେଶରେ ଏସଆଇଆର ପ୍ରକ୍ରିୟା; ୨.୮୯ କୋଟି ଭୋଟର ବାଦ୍

ଉତ୍ତରପ୍ରଦେଶରେ ମଙ୍ଗଳବାର ଏସଆଇଆର୍ ଚିଠା ତାଲିକା ଜାରି ହୋଇଛି । ଏଥିରେ ୨ କୋଟି ୮୯ ଲକ୍ଷ ନାମ ବାଦ୍ ପଡ଼ିଛି । ଏହି ୨ କୋଟି ୮୯ ଲକ୍ଷ ଲୋକଙ୍କ ମଧ୍ୟରୁ ୪୬ ଲକ୍ଷ ୨୩ ହଜାର ମୃତ ବ୍ୟକ୍ତି ରହିଛନ୍ତି । ୨ କୋଟି ୧୭ ଲକ୍ଷ ଲୋକ ଅନ୍ୟ ରାଜ୍ୟ କିମ୍ବା ଦେଶକୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଛନ୍ତି । ୨୫ ଲକ୍ଷ ୪୭ ହଜାର ନକଲି ଭୋଟର ଅନ୍ତର୍ଭୁକ୍ତ । ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ପୂର୍ବରୁ ୟୁପିରେ ୧୫ କୋଟି ୪୪ ଲକ୍ଷ ଭୋଟର ଥିଲେ । ଏବେ ଏହି ସଂଖ୍ୟା ୧୨ କୋଟି ୫୫ ଲକ୍ଷକୁ ଖସିଆସିଛି । ଅର୍ଥାତ ପ୍ରତ୍ୟେକ ୫ ଜଣରୁ ଜଣେ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । କାହାରି ଅଭିଯୋଗ ଥିଲେ ଫେବ୍ରୁଆରୀ ୬ ତାରିଖ ମଧ୍ୟରେ ଦାଖଲ କରିବେ । ଫେବ୍ରୁଆରୀ ୨୭ ମଧ୍ୟରେ ଦାବିର ସମାଧାନ ହେବ ଏବଂ ମାର୍ଚ୍ଚ ୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । 

….

19.

ଚେତାବନୀ ଦେଲା ଡେନମାର୍କ, ଗ୍ରୀନଲ୍ୟାଣ୍ଡକୁ ଆକ୍ରମଣ କଲେ ନାଟୋ ଲିଭିଯିବ

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡାରିକସନ୍ ଆମେରିକାକୁ ଚେତାବନୀ ଦେଇଛନ୍ତି । ଆମେରିକା ଗ୍ରୀନଲ୍ୟାଣ୍ଡ୍ ଉପରେ ଆକ୍ରମଣ କଲେ ସାମରିକ ମେଣ୍ଟ ନାଟୋର ଅସ୍ତିତ୍ୱ ରହିବନି ବୋଲି ସେ କହିଛନ୍ତି । ଏକ ଟିଭିକୁ ସେ କହିଛନ୍ତି, ଆମେରିକା ଯଦି କୌଣସି ନାଟୋ ସଦସ୍ୟ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଏ ତେବେ ପୂରା ନାଟୋ ବ୍ୟବସ୍ଥା ହିଁ ଶେଷ ହୋଇଯିବ । ଆଉ କିଛି ବି ବାକି ରହିବନି । ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର ଏକ ବୟାନରେ ଗ୍ରୀନଲ୍ୟାଣ୍ଡକୁ କବଜା କରିବା କଥା କହିଥିଲେ । ଭେନେଜୁଏଲାରେ ଆକ୍ରମଣ ପରେ ୨୦ ଦିନ ଭିତରେ ଗ୍ରୀନଲ୍ୟାଣ୍ଡ କବଜା କରିବାକୁ କହିଥିଲେ । ଏହା ରଣନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗ୍ରୀନଲ୍ୟାଣ୍ଡ ଆଖପାଖରେ ରୁଷ୍ ଏବଂ ଚୀନ୍ ଜାହାଜଗୁଡ଼ିକ ପ୍ରହରା ଦେଉଛନ୍ତି । ଏହା ଆମେରିକାର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ । ଡେନମାର୍କ ଗ୍ରୀନଲ୍ୟାଣ୍ଡ ସମ୍ଭାଳିବାରେ ସକ୍ଷମ ନୁହେଁ ବୋଲି ଟ୍ରମ୍ପ୍ କହିଥିଲେ । ଗ୍ରୀନଲ୍ୟାଣ୍ଡ ଡେନମାର୍କ ସାମ୍ରାଜ୍ୟର ଅଂଶ । ଏଥିସହ ଡେନମାର୍କ ଆମେରିକା ନେତୃତ୍ୱାଧୀନ ନାଟୋର ମଧ୍ୟ ସଦସ୍ୟ ।

….

20.

ଇରାନରେ ଆନେ୍ଦାଳନ ବ୍ୟପକ ହେଲା, ଖାମେନେଇଙ୍କ ପଳାୟନ ଯୋଜନା 

ଇରାନରେ ସରକାର ବିରୋଧୀ ଆନେ୍ଦାଳନ ଜୋରଦାର ହୋଇଛି । ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ରୁଷ୍ ପଳାୟନ କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି । ବିକ୍ଷୋଭ ଦମନରେ ବିଫଳ ହେଲେ ଖାମେନଇ ଦେଶ ଛାଡ଼ି ପାରନ୍ତି । ବ୍ରିଟିଶ ଖବରକାଗଜ ‘ଦ ଟାଇମ୍ସ’ ଏହି ଗୁଇନ୍ଦା ରିପୋର୍ଟ ପ୍ରକାଶ କରିଛି । ୮୬ ବର୍ଷୀୟ ଖାମେନେଇଙ୍କ ସହ ପୁଅ ତଥା ଉତ୍ତରାଧିକାରୀ ମୁଜତବାଙ୍କ ସମେତ ପ୍ରାୟ ୨୦ ଜଣଙ୍କ ସହ ତେହରାନ ଛାଡ଼ି ପାରନ୍ତି । ଇରାନରେ ଗତ ୯ ଦିନ ହେଲା ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଖାମେନେଇଙ୍କ ବିରୋଧରେ ଆନେ୍ଦାଳନ ଜାରି ରହିଛି । ଦେଶର ୭୮ ସହରର ୨୨୦ରୁ ଊଦ୍ଧ୍ୱର୍ ସ୍ଥାନକୁ ଆନେ୍ଦାଳନ ବ୍ୟାପିଛି । ଏଥିରେ ୩୫ ଜଣଙ୍କ ମୃତୁ୍ୟ ଘଟିଛି । ୧୨ ଶହରୁ ଊଦ୍ଧ୍ୱର୍ ଗିରଫ ହୋଇଛନ୍ତି । ତେବେ ଖାମେନେଇ ବିକ୍ଷୋଭ ଦମନ ଲାଗି ଜୋରସୋରରେ ଉଦ୍ୟମ ଚଲାଇଛନ୍ତି । 

….

21.

ନିଲମ୍ବନର ୧୩ ବର୍ଷ ପରେ ଚାକିରି ଫେରିପାଇଲେ କ୍ରାନ୍ତିଙ୍କ ବାପା 

କ୍ରିକେଟ୍ ବହୁ ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଥିବା ଦେଖାଯାଇଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଭାରତୀୟ ମହିଳା କ୍ରିକେଟର କ୍ରାନ୍ତି ଗୌଡ଼ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କ୍ରାନ୍ତିଙ୍କ ବାପା ମୁନା ସିଂ ନିଲମ୍ବନର ଦୀର୍ଘ ୧୩ ବର୍ଷ ପରେ ପୁଣିଥରେ ପୁଲିସ ଚାକିରି ଫେରିପାଇଛନ୍ତି । ୨୦୧୨ରେ ନିର୍ବାଚନ ଡୁ୍ୟଟିରେ ଅବହେଳା ଲାଗି କନଷ୍ଟେବଳ ଥିବା ମୁନାଙ୍କୁ ନିଲମ୍ବିତ କରାଯାଇଥିଲା । ଦୀର୍ଘ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ପରେ ମୁନାଙ୍କୁ ଏବେ ମଧ୍ୟପ୍ରଦେଶ ପୋଲିସରେ ପୁନଃଅବସ୍ଥାପିତ କରାଯାଇଛି । ଗତବର୍ଷ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ ହୋଇଥିବା ଭାରତୀୟ ଦଳରେ ୨୨ ବର୍ଷୀୟା କ୍ରାନ୍ତି ପ୍ରମୁଖ ସଦସ୍ୟା ରହିଥିଲେ । କ୍ରାନ୍ତି ବିଶ୍ୱକପ୍ ଜିତିବା ପରେ ତାଙ୍କ ବାପାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯିବ ବୋଲି ମଧ୍ୟପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ଏବେ ପୂରଣ କରାଯାଇଥିବା ମଧ୍ୟପ୍ରଦେଶ କ୍ରୀଡ଼ାମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି । 

…..

22.

ଅଷ୍ଟ୍ରେଲିଆନ୍ ଓପନରେ ଏଥର ରେକର୍ଡ ୬୭୫ କୋଟି ପୁରସ୍କାର

ଚଳିତ ମାସ ୧୮ରୁ ଆରମ୍ଭ ହେବ ଅଷ୍ଟ୍ରେଲିଆନ୍ ଓପନର ୧୧୪ତମ ସଂସ୍କରଣ । ଚଳିତ ସଂସ୍କରଣରେ ରେକର୍ଡ ୭୪.୯ ମିଲିୟନ ଡଲାର ତଥା ଭାରତୀୟ ମୁଦ୍ରାରେ ୬୭୫ କୋଟି ୪୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଗତ ସଂସ୍କରଣଠାରୁ ଏହା ୧୬ ପ୍ରତିଶତ ଅଧିକ । ୨୦୨୫ରେ ପୁରସ୍କାର ବାବଦକୁ ୬୪.୮୧ ମିଲିୟନ ଡଲାର ଦିଆଯାଇଥିଲା । ଏଥର ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଚାମ୍ପିଅନ ଖେଳାଳି ପ୍ରାୟ ୨୫ କୋଟି ୧୬ ଲକ୍ଷ ଟଙ୍କା ପାଇବେ । ସେହିଭଳି ରନର୍ସଅପ୍ ହୋଇଥିବା ଖେଳାଳି ୧୩ କୋଟି ୩ ଲକ୍ଷ ଟଙ୍କା ସାଙ୍ଗରେ ଘରକୁ ନେବେ । ଏହାବାଦ୍ ଆହୁରି ଅନେକ ଆକର୍ଷଣୀୟ ଅର୍ଥରାଶି ବ୍ୟବସ୍ଥା ମଧ୍ୟ ରହିଛି । ସେମିଫାଇନାଲରେ ପରାସ୍ତ ହୋଇଥିବା ଖେଳାଳି ୭.୫୭ କୋଟି ଟଙ୍କା ଓ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଖେଳାଳିଙ୍କୁ ୯୦.୮୫ ଲକ୍ଷ ଟଙ୍କା ମିଳିବ । ପ୍ରତି ରାଉଣ୍ଡକୁ ଉନ୍ନିତ ହେଲେ ପୁରସ୍କାର ବାବଦକୁ ଖେଳାଳିଙ୍କୁ ଅଧିକ ଅର୍ଥରାଶି ପ୍ରଦାନ କରାଯିବ ।

….

23.

ରାଜ୍ୟରେ ମିଲର୍ସଙ୍କ ଆନେ୍ଦାଳନ, ଧାନ କିଣା ବନ୍ଦ

ରାଜ୍ୟରେ ଧାନ ଉଠାଇବାକୁ ମିଲର୍ସ ମନା କରିବାରୁ ମଙ୍ଗଳବାର ମଣ୍ଡିରେ ତାଲା ଝୁଲିଛି । କେଉଁଠି ଗୋଟିଏ ବି ବସ୍ତା ଧାନ ଉଠିନାହିଁ । ଚାଷୀମାନେ ମଣ୍ଡିକୁ ଧାନ ଆଣି ନିରାଶ ହୋଇଛନ୍ତି । ମିଲର୍ସଙ୍କ ଆନେ୍ଦାଳନ ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି । ସୋମବାର ସରକାରଙ୍କ ସହ ଆଲୋଚନା ବିଫଳ ହେବାରୁ ଅଲ୍ ଓଡିଶା ରାଇସ୍ ମିଲର ମହାସଂଘ ଏହି ଆନେ୍ଦାଳନ ଆରମ୍ଭ କରିଛି । ୧୮ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି । ଆଉ ୧୨ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇନଥିଲା । ତେବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମିଲର ସଂଘକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ମିଲରଙ୍କ ଦାବିରେ କୌଣସି ଯଥାର୍ଥତା ନାହିଁ । ସେମାନେ ଅନ୍ୟ ଦ୍ୱାରା ପରିଚାଳିତ ହୋଇ ଆନେ୍ଦାଳନ କରୁଛନ୍ତି । ଶୀଘ୍ର ସମସ୍ୟାର ସମାଧାନ ହେବ । ଉଲ୍ଲେଖଯୋଗ୍ୟ, କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବ ଭଳି ଦେବାକୁ ଦାବି କରିଆସୁଛି ଅଲ ଓଡ଼ିଶା ରାଇସ୍ ମିଲର୍ ଆସୋସିଏସନ୍ ।

….

24.

ଭୁବନେଶ୍ୱର ବିମାନବନ୍ଦରରୁ ୩୫ ଲକ୍ଷର ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର ବିମାନବନ୍ଦରରରୁ ପୁଣି ଜବତ ହୋଇଛି ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ସିଗାରେଟ୍ । ୮ ଯାତ୍ରୀଙ୍କୁ ଧରିଛି ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ ବା ଡିଆରଆଇ । ୮ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଉତ୍ତରପ୍ରଦେଶ ରାମପୁରର ହୋଇଥିବା ବେଳେ ଅନ୍ୟ ୩ ଜଣ ଦିଲ୍ଲୀର ବାସିନ୍ଦା । ଦୁବାଇରୁ ୬ଇ୧୪୮୮ ଫ୍ଲାଇଟ୍ ସୋମବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଲାଗିଥିଲା । ପୂର୍ବରୁ ସୂଚନା ପାଇଥିବା ଡିଆରଆଇ ଅଧିକାରୀମାନେ ଯାତ୍ରୀମାନଙ୍କ ଲଗେଜ୍ ଯାଞ୍ଚ କରିଥିଲେ । ଆଠ ଜଣ ଯାତ୍ରୀଙ୍କ ଲଗେଜରୁ ୨୫୦ ପ୍ୟାକେଟ୍ ଦାମୀ ବିଦେଶୀ ସିଗାରେଟ୍ ମିଳିଥିଲା । ପ୍ରତି ପ୍ୟାକେଟରେ ପ୍ରାୟ ୨୦ଟି ଲେଖାଏ ସିଗାରେଟ୍ ଥିଲା । ୩ ଜଣଙ୍କ ଲଗେଜରୁ ବିପୁଳ ପରିମାଣର ଗୋଲ୍ଡଫ୍ଲେକ୍ ସିଗାରେଟ୍ ମିଳିଥିଲା । ସେମାନେ ଦୁବାଇରୁ ଉକ୍ତ ସିଗାରେଟ୍ ଆଣିଥିଲେ । ସଡ଼କ ପଥରେ କୋଲକାତା ନେଇ ଯାଇଥାନ୍ତେ । ଗତବର୍ଷ ସେପ୍ଟେମ୍ବର ୧୩ରେ ଏହି ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ସିଗାରେଟ୍ ଜବତ ହୋଇଥିଲା ।

…..

25.

ଓଏସଏସଏସସିରେ୩୨୫୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଆଜିଠାରୁ ଆବେଦନ ଆରମ୍ଭ

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ରାଜ୍ୟରେ ୩୨୫୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ରାଜସ୍ୱ ନିରୀକ୍ଷକ (ଆରଆଇ), ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ), ଅମିନ, ଆଇସିଡିଏସ୍ ସୁପରଭାଇଜର, କନିଷ୍ଠ ସହାୟକ (ଜେଏ), ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ସାମିଲ ଅଛି। ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ ଏବଂ ଫେବୃଆରୀ ୭ ସୁଦ୍ଧା ଅନଲାଇନ୍ ଆବେଦନପତ୍ର ଦାଖଲ କରିପାରିବେ। ଏହି ପଦବୀଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ +୨, ଡିପ୍ଲୋମା କିମ୍ବା ସ୍ନାତକ ରହିଛି। ବୟସ ସୀମା ସାଧାରଣତଃ ୨୧ରୁ ୪୨ ବର୍ଷ ମଧ୍ୟରେ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଆୟୋଗର ୱେବସାଇଟ୍ www.osssc.gov.in ପରିଦର୍ଶନ କରିପାରିବେ।

……

26.

ଦୁଇ ବର୍ଷିଆ ସ୍ୱତନ୍ତ୍ର ବିଏଡ୍ ଛାତ୍ରଛାତ୍ରୀଙ୍କ ପାଇଁ ଓଟିଇଟି

ଓଟିଇଟି ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ଦୁଇ ବର୍ଷିଆ ସ୍ୱତନ୍ତ୍ର ଶିକ୍ଷାରେ ବିଏଡ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ । ସେମାନ ପେପର-୨ ପରୀକ୍ଷା ଦେଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କୁହାଯାଇଛି, ପୂର୍ବରୁ କେବଳ ସ୍ୱତନ୍ତ୍ର ଶିକ୍ଷାରେ ଏକ ବର୍ଷିଆ ବିଏଡ୍ କରିଥିବା ଛାତ୍ରଛାତ୍ରୀମାନେ ଓଟିଇଟି ଦେଉଥିଲେ । ଏହା ପରିବର୍ତ୍ତନ ହେବା ପରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଦୁଇ ବର୍ଷିଆ ସ୍ୱତନ୍ତ୍ର ବିଏଡ୍ କରିଥିବା ପିଲା ଓଟିଇଟି ଦେବା ପରେ ସେମାନେ ଶିକ୍ଷକ ଭାବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢ଼ାଇବା ପାଇଁ ଯୋଗ୍ୟ ହେବେ । ଯାହା ଏନସିଟିଇର ନିୟମ ଅନୁଯାୟୀ ରହିଛି । ଓଟିଇଟି ସଂକଳ୍ପ ପତ୍ରରେ କୁହାଯାଇଛି, ସ୍ନାତକ ସହ ୨ ବର୍ଷିଆ ପ୍ରାଥମିକ ଶିକ୍ଷାରେ ଡିପ୍ଲୋମା ତଥା ସିଟି, ସ୍ନାତକ, କିମ୍ବା ସ୍ନାତକୋତ୍ତର ଓ ବିଏଡରେ  ସର୍ବନିମ୍ନ ୫୦ ପ୍ରତିଶତ ମାର୍କ  ରହିବା ଆବଶ୍ୟକ ।

….

27.

ଅଗ୍ନିବୀରଙ୍କ ପାଇଁ ନୂଆ ନିୟମ; ସ୍ଥାୟୀ ହେବା ପୂର୍ବରୁ ବିବାହ ମନା

ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇଥିଲେ ବିବାହ ପାଇଁ ଅପେକ୍ଷା କରିବାକୁ ପଡ଼ିବ । ସ୍ଥାନୀୟ ନିଯୁକ୍ତି ପାଇବା ପରେ  ବିବାହ କରିବେ । ତା’ ପୂର୍ବରୁ ବିବାହ କରିପାରିବେନି । ଭାରତୀୟ ସେନା ପକ୍ଷରୁ ଏହି ନୂଆ ନିୟମ ଅଣାଯାଇଛି । ସ୍ଥାୟୀ ନିଯୁକ୍ତି ପୂର୍ବରୁ ସେମାନେ ବିବାହ କରିପାରିବେ ନାହିଁ । ଯଦି ସେମାନେ ବିବାହ କରିବେ ସ୍ଥାୟୀ ନିଯୁକ୍ତି ମିଳିବ ନାହିଁ । ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ । ଏପରିକି ସେମାନେ ସ୍ଥାୟୀ ନିଯୁକ୍ତି ଲାଗି ଆବେଦନ କରିପାରିବେ ନାହିଁ କିମ୍ବା ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ । ଏଭଳି ନିୟମ ଆସିବା ପରେ ଅଗ୍ନିବୀରଙ୍କ ମନରେ ପ୍ରଶ୍ନ ଉଠିଛି, ସେମାନେ ତା ହେଲେ କେବେ ବିବାହ କରିପାରିବେ । ସେନା କହିଛି, ଅଗ୍ନିବୀର ୪ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଆଉ ୪ରୁ ୬ ମାସ ସମୟ ଦେବେ । ଏହା ଭିତରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ହେବ । ଉଲ୍ଲେଖଯୋଗ୍ୟ, ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସେନାରେ ନିଯୁକ୍ତି ମିଳିବାର ପ୍ରାବଧାନ ରହିଛି ।

….

28.

୭୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ମହିଳା ଜିଏସଟି ଅଧିକାରୀ ଗିରଫ

ଉତ୍ତରପ୍ରଦେଶର ଝାନସୀରେ କାର୍ଯ୍ୟରତ ଜଣେ ମହିଳା ଜିଏସଟି ଅଧିକାରୀ ଲାଞ୍ଚ ନେଇ ଗିରଫ ହୋଇଛନ୍ତି । ଏକ ଟିକସ ଠକେଇ ମାମଲାର ରଫାଦଫା କରିବା ଲାଗି ସେ ୭୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ତାଙ୍କୁ ସିବିଆଇ ଗିରଫ କରିଛି । ମହିଳା ଅଧିକାରୀଙ୍କ ନାମ ପ୍ରଭା ଭଣ୍ଡାରୀ ଏବଂ ସେ ୨୦୧୬ ବ୍ୟାଚ୍ ଆଇଆରଏସ୍ ଅଧିକାରୀ । ଝାନସୀର ସେଣ୍ଟ୍ରାଲ ଜିଏସଟିରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ସହ ଆଉ ଦୁଇଜଣ ସିଜିଏସଟି ଅଧିକାରୀ, ଏକ ହାର୍ଡୱେର ସଂସ୍ଥାର ମାଲିକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗତ ୧୮ ତାରିଖରେ ହାର୍ଡୱେର ଷ୍ଟୋରରେ ସିବିଆଇ ଚଢ଼ଉ କରିଥିଲା । ଦୋକାନୀ ପ୍ରାୟ ୧୩ କୋଟି ଟଙ୍କାର ଟିକସ ଫାଙ୍କିଥିଲା । ଏହି ମାମଲାର ରଫାଦଫା ଲାଗି ଦୋକାନୀଙ୍କ ଠାରୁ ଅଧିକାରୀମାନେ ଦେଢ଼ କୋଟି ଟଙ୍କା ଦାବି କରିଥିଲେ ।

….

29…..

ଆଗାମୀ ଦୁଇ ଦିନରେ ବଢ଼ିବ ଶୀତ, ଝାରସୁଗୁଡ଼ାରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା

ଗୋଟି ଦିନ ବ୍ରେକ ଦେଇ ପୁଣି ରାଜ୍ୟକୁ ଫେରିଛି ଶୀତ ଲହରୀ । ଆଗାମୀ ୨/୩ ଦିନ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିଯାଇଥିଲା । ଝାରସୁଗୁଡ଼ା ସହରରେ ତାପମାତ୍ରା ୬ ଡିଗ୍ରୀକୁ ହ୍ରାସ ପାଇଛି, ଯାହାକି ୭୨ ବର୍ଷ ମଧ୍ୟରେ ରେକର୍ଡ ବୋଲି କୁହାଯାଇଛି । ଉତ୍ତର ଭାରତରୁ ଥଣ୍ଡା ପବନ ବହୁଥିବା ବେଳେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ଶୀତ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ତାପମାତ୍ରା ୬.୬ ଡିଗ୍ରୀ ଥିବା ବେଳେ କିରୋଇ ଏବଂ ଜି.ଉଦୟଗିରିରେ ୬.୮, ଦାରିଙ୍ଗିବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ସେମିଳିଗୁଡ଼ାରେ ୮.୫, ବଲାଙ୍ଗିରରେ ୮.୮, ଫୁଲବାଣୀ ଓ କେନ୍ଦୁଝରରେ ୯ ଡିଗ୍ରୀ ଏବଂ ବାରିପଦା,କଟକ, କୋରାପୁଟରେ ୧୦ ଡିଗ୍ରୀ ରହିଥିଲା 

…..

30

ଧର୍ମଘଟ କରୁଥିବା ଡାକ୍ତରଙ୍କ ଉପରେ ଏସମା ଲାଗୁ 

ରାଜ୍ୟରେ ଦୁଇଦିନ ଧରି ଡାକ୍ତରମାନେ ଦୁଇ ଘଣ୍ଟିଆ ଓପିଡି ସେବା ବର୍ଜନ କରୁଛନ୍ତି । ସେମାନଙ୍କ ଆନେ୍ଦାଳନକୁ ଦମନ କରିବା ପାଇଁ ସରକାର ଏସମା ଲଗାଇଛନ୍ତି । ଗୃହ ବିଭାଗ ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏସମା ଅନୁସାରେ, ଆସନ୍ତା ୬ ମାସ ଯାଏଁ ଡାକ୍ତରମାନେ ଆନେ୍ଦାଳନ କି ଧର୍ମଘଟ କରିପାରିବେ ନାହିଁ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସିଷ୍ଟ, ପାରାମେଡିକାଲ ଷ୍ଟାଫ୍, ଟେକନିସିଆନ ଏବଂ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି । ଅପରପକ୍ଷରେ, ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ ଏସମା ଧମକକୁ ଖାତିର କରିନି । ବର୍ତ୍ତମାନ ଯେଉଁ ଭଳି ଆନେ୍ଦାଳନ ଚାଲିଛି, ତାହା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।

….

31.

ଭାରତୀୟ ସେନାରେ ଇଞ୍ଜିନିୟରଙ୍କ ପାଇଁ ନିଯୁକ୍ତି ସୁଯୋଗ; ଆଜିଠୁ ଆବେଦନ

ଭାରତୀୟ ସେନା ପକ୍ଷରୁ ସର୍ଟ ସର୍ଭିସ୍ କମିଶନ ଟେକ୍ନିକାଲ୍ ୬୭ତମ ପୁରୁଷ କୋର୍ସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ ୩୫୦ଟି ପଦବୀ ପୂରଣ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ଅବିବାହିତ ପୁରୁଷ ପ୍ରାର୍ଥୀମାନେ ଆଜିଠାରୁ ଅନଲାଇନ୍ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଫେବୃଆରୀ ୫, ୨୦୨୬ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପୃକ୍ତ ବିଭାଗରେ ବି.ଇ କିମ୍ବା ବି.ଟେକ୍ ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ୨୦ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍। ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ କମ୍ପ୍ୟୁଟର ସାଇନ୍ସ ଭଳି ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ନିଯୁକ୍ତି ଦିଆଯିବ। ଚୟନ ହେବାକୁ ଥିବା ପ୍ରାର୍ଥୀଙ୍କ ଦରମା ମାସିକ ୫୬,୧୦୦ ଟଙ୍କାରୁ ଆରମ୍ଭ ହେବ। ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ www.joinindianarmy.nic.in ମାଧ୍ୟମରେ ଆବେଦନ କରିପାରିବେ।

 

Leave a Reply

Your email address will not be published. Required fields are marked *